ଅନୁଭୂତି

ସହର ଫେରନ୍ତି ଝିଅ

Dr Anita Panda

ତୁ ଭାତ ସାଙ୍ଗରେ ଇଏ କ’ଣ ଗୋଟେ ନୂଆ ଜିନିଷ ଖାଉଛୁ ସଜନା ? ଏମିତି ତରକାରୀ ତ ମୁଁ କେବେ ଖାଇନି । ମତେ ଟିକିଏ ଚଖା ।

ସହର ଫେରନ୍ତି ଝିଅ

-: ପୂର୍ବରୁ :-

ଗାଁରେ ପହଞ୍ଚିବା ପରେ ବାପା ବହୁତ ଖୁସି ହୋଇଥିଲେ । ସାଙ୍ଗସାଥିମାନେ ମତେ ଘେରି ଯାଇଥିଲେ । ମୁଁ ଫେରି ଆସିଛି ସେଥିପାଇଁ ସେମାନଙ୍କର ଯେତିକି ଆନନ୍ଦ ଥିଲା ତା’ଠାରୁ ଅଧିକ ଉଦ୍‌ବେଗ ସହରୀ ଜୀବନ ଜାଣିବା ପାଇଁ ଥିଲା । ମୁଁ ପ୍ରତିଦିନ ସନ୍ଧ୍ୟାରେ ବଡ଼ଦେଉଳ ଯାଉଥିଲି ଶୁଣି ସେମାନଙ୍କୁ ବିଶ୍ୱାସ ଆସୁ ନଥିଲା । ଅଗଣା ଝାଡୁ ଦେବା ଅଧା ରଖି କୁମ ଦଉଡ଼ି ଆସିଲା । ଅତି ଆଗ୍ରହରେ ପ୍ରଶ୍ନ କଲା, “ସହରୀ ମଣିଷ ଗୁରାକ ଆମରି ଭଳିଆ ମଣିଷ ତ ?”

“ନା. . . ନା. . . ରାବଣ ଭଳି ମାୟାବୀ ଅସୁର”, ହସି ହସି କହିଲା ନବନନା ।

ସେଇଆ କୋଉନ । ସବୁ ମାୟାବୀ ଗୁଡ଼ାକ ସେଇଠି ଭର୍ତ୍ତି । ଉପରେ ଗୋଟେ ରୂପ ଭିତରେ ଗୋଟେ । ସେ ରାବୁଣଟା ସୀତା ମାତାଙ୍କୁ କେଡ଼େ ହଟହଟା କଲା ଗୋ । ଯାଏ ଲୋ’ ମା’, କେତେ ପାଇଟି ପଡ଼ିଛି ।

ପୁରୀରୁ ଆସିବା ବେଳେ ବଡ଼ନନାଙ୍କ ନିର୍ଦ୍ଦେଶରେ ବ୍ରଜନନା ଗୋଟିଏ ବଡ଼ ବ୍ୟାଗ ଭର୍ତ୍ତ କରି ମହାପ୍ରସାଦ ନିର୍ମାଲ୍ୟ ଦେଇଥିଲା । ନିଜ ବଡ଼ାଇ କରି କରି ନାନୀ ସେଗୁଡ଼ିକ ସମସ୍ତଙ୍କୁ ବାଣ୍ଟୁଥାଏ । ପୀତନନା, ଗୋଲନନା କିଛି କାମ ପାଇଁ ବାପାଙ୍କ ପାଖକୁ ଆସିଥିଲେ । ସେମାନଙ୍କ ହାତରେ ତାଙ୍କ ଘର ପାଇଁ ଦୁଇଟି ତାଳ ପତର କୁଡ଼ିଆ ଧରାଇଲା ନାନୀ ।

ପୀତନନା କହିଲା, “ହରିନନା ତ ମହାପ୍ରସାଦ ପଠାଇଛନ୍ତି । ନାନୀ କେତେ ନିଜର ବଡ଼େଇ କରୁଛି ?”

“ସେଇଥିପାଇଁ ତ ସେ ବଡ଼ନାନୀ ନୁହେଁ, ବଡ଼େଇ ନାନୀ । ଚାଲ୍ ଚାଲ୍, ଆଜି ଯାଜପୁର ଯିବାର ଅଛି”, କହିଲେ ଗୋଲନନା ।

ଗୋଲନନାଙ୍କ କଥା ଶୁଣି ମତେ ଜମା ଭଲ ଲାଗିଲାନି । ନାନୀର କେତେ ଭଲଗୁଣ ଅଛି । ତାଙ୍କ ଆଖିରେ ଖାଲି ତା’ର ଜିଦି, ବଡ଼େଇପଣ ଦେଖାଯାଏ ।

ଖୁଡ଼ୀ, ଦେଠେଇ, ରାଧାନାନୀ ନାନୀ ହାତରୁ ମହାପ୍ରସାଦ ନେଇ କହୁଥିଲେ, “ଆମ କପାଳରେ ତ ନାହିଁ । ଜଗତନାଥଙ୍କର ଦର୍ଶନ କରି ଆସିଛୁ, ତୋ ମୁହଁ ଦେଖିଲେ ଆମର କିଛିଟା ପାପ ଦୂର ହୋଇଯିବ ।” ଭାଗବତ ମା’ ସିଧା ମୋ ଗୋଡ଼ ତଳେ ସାଷ୍ଟାଙ୍ଗ ପ୍ରଣାମ କଲା । ମୁଁ ଛାନିଆ ହୋଇ କହିଲି, “ମୁଁ ତୋ’ଠୁ କେତେ ସାନ, ତୁ ଇଏ କ’ଣ କରୁଛୁ ? ମତେ ପାପ ଲାଗିବ ।”

ଆମେ ତ ଅଛବ ଜାତି ଲୋ’ ଝିଅ । ଜଗା ଦୁଆରକୁ ଯିବା ଆମ ପାଇଁ ବାଛନ୍ଦ । ଏଇ ପାଦ ଦି’ଟା ତା’ ଦୁଆର ମାଡ଼ିଛି । ସେଇ ପାଦୁକୁ ମୁଁ ଓଳଗି ହେଉଚି । ଆଜି ମୁଁ ଯାଉଚି । କାଲି ସକାଳୁ ଭାମା (ତା’ ସାନବୋହୂ)କୁ ନେଇ ଆଇବି । ତୋ ହାତରେ ତାକୁ ମହାପରସାଦ ଟିକିଏ ଖୋଇ ଦେବୁ । ଜଗା ଦୟା କଲେ ତା’ କୋଳ ପୁରି ଉଠିବ । ଦଶ ବରଷ ହେଲା ଦେଖି ଦେଖି ଆଖିରୁ ପାଣି ମରିଗଲାଣି ।

ଭାଗବତ ମା’ ଗଲା ପରେ ମୁଁ ବହୁ ସମୟତକ ଏଇ ଅଛବ ଜାତି କଥା ଭାବିଲି । ୟା’ ବିଷୟରେ ବେଶୀ କିଛି ଜାଣିବାକୁ ମୋର ଉତ୍କଣ୍ଠା ବଢ଼ିଲା । ବାରମ୍ୱାର ମନକୁ ଆସୁଥିଲା, ଜଗା ଦୁଆରକୁ ଯିବା ପାଇଁ ବାଛନ୍ଦ । ମୁଁ ଲକ୍ଷ୍ମୀପୁରାଣରେ ପଢ଼ିଛି ଲକ୍ଷ୍ମୀ ଠାକୁରାଣୀ ଜଗନ୍ନାଥଙ୍କୁ କହିଥିଲେ “ଚଣ୍ଡାଳ ହାତୁ ବ୍ରାହ୍ମଣେ ଛଡ଼ାଇ ଖାଇବେ, ବ୍ରାହ୍ମଣେ ଖାଇଣ ହାତ ମୁଣ୍ଡରେ ପୋଛିବେ ।” ନାନୀକୁ ଠାକୁର ଠାକୁରାଣୀଙ୍କ ବିଷୟରେ ବହୁତ ଜଣା । ତାକୁ ପଚାରିଲେ ସବୁ ଭିତର କଥା ଜଣାପଡ଼ିବ । ହେଲେ ନାନୀର ଶୁଚିବାଇ ରୋଗ । ଭିନ୍ନ ଜାତି ପାଇଁ ବିରାଟ ବିଦ୍ୱେଷ । ଯଦି ମୋ କଥାର ଉତ୍ତର ନ ଦେଇ ତା’ ଏକ୍ସପ୍ରେସ୍ ରେଳଗାଡ଼ି ଅନ୍ୟ ଦିଗରେ ଚଲାଏ । ଏଇ ହନ୍ତସନ୍ତ ଭିତରେ ବହୁ ସମୟ ବିତିଗଲା । ମତେ କିଛି ପଚାରିବାକୁ ପଡ଼ିଲାନି । ନାନୀ ସେଇ ବାଟେ ବାହାର ଆଡ଼କୁ ଯାଉଥିଲା । ମତେ ଦେଖି ଚଢ଼ାଗଲାରେ କହିଲା, “ଏ ଯାକେ ଗାଧୋଇ ଫ୍ରକ୍ ବଦଳାଇ ନାହୁଁ । ସେମାନଙ୍କ ସଙ୍ଗେ ବସିଥିଲୁ । ସୁଶୀକୁ କହ ଦୁଇ ବାଲ୍ଟି ପାଣି କୂଅରୁ ବାହାର କରିଦେବ । ମୁଣ୍ଡ ଧୋଇ ଗାଧୋଇ ଅଛୁଆଁ ଲୁଗା ସେଇଠି ଛାଡ଼ି ଦେବୁ । ମଲ୍ଲୀମା’ ଆସି ନେଇଯିବ । ମନେରଖିଥା କୂଅ ଛୁଇଁବୁନି । ଅପବିତ୍ର ହୋଇଯିବ ।” ମୋ ଅବସ୍ଥା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଗଲା । ୟା’ ଭିତରେ ଯେ ମୁଁ ମହର୍ଗରୁ ଯାଇ କାନ୍ତାରରେ ପଡ଼ି ସାରିଲିଣି । ସେ କଥା ବାରମ୍ୱାର ମୋ ମନକୁ ଆସୁଛି । ଏଇ ଦି’ଘଣ୍ଟା ତଳେ ମୁଁ ଗାଧୋଇ ପାଧୋଇ ଧୁଆ ଫ୍ରକ୍ ପିନ୍ଧି ବସିଥିଲି । ନାନୀ କଥା ନ ମାନି ତ୍ରାହି ନାହିଁ । ଏଇ କଥା ନେଇ ପୁରୀରେ ଥିବା ସମୟରେ ଆଶା ମତେ ବହୁ ଥଟ୍ଟା କରିଥାଏ । ତୋ ନାଁ ମୁଁ କାଶାବିଏଙ୍କୀ ରଖିବି । ସେ ଥିଲା ବାଧ୍ୟ ପୁତ୍ର । ତୁ ହେଉଛୁ ଆଜ୍ଞାକାରୀ ଭଉଣୀ । ଏମିତି ଅସଙ୍ଗତ କଥା ମାନି ତୁ ନିଜକୁ ନିଜେ ନୀଚ୍ଚ କରି ଦେଉଛୁ ।

ଆଶା କଥାର ମୁଁ ପ୍ରତିବାଦ କରେ । ମାତ୍ର ଶେଷରେ ହାର ମାନିଥାଏ ।

ଦ୍ୱିତୀୟ ବାର ମୁଣ୍ଡ ଧୋଇ ଗାଧୋଇ ମୁଁ ଦଉଡ଼ିଲି ରାଧାନାନୀ (ପିଉସୀ) ଘରକୁ । ଘନ କୁଂଚିତ ବାଳରୁ ପାଣି ଥପ୍ ଥପୁ ହୋଇ ପଡୁଛି । ଓଦା ବାଳରେ ଅଧାରୁ ବେଶୀ ଭାଗ ମୁହଁ ଢାଙ୍କି ହୋଇ ଯାଇଛି । ମତେ ଦେଖି ମୋ ଆସିବାର କାରଣ ନ ପଚାରି ଖଣ୍ଡେ ଶୁଣିଲା ଗାମୁଛା ଧରି ମୋ ବାଳ ପୋଛିବା ଆରମ୍ଭ କଲେ ।

ମନକୁ ମନ ଚିନ୍ତା କରୁଥିଲି ରାଧାନାନୀ କେବଳ ସ୍ନେହୀ ନୁହଁନ୍ତି, ଜ୍ଞାନୀ ମଧ୍ୟ । ଥରେ ତାଙ୍କୁ ବାପା, ନାନୀଙ୍କର ଅହରହ ଝଗଡ଼ା ବିଷୟରେ ପଚାରିଥିବାରୁ ସେ “ବିଧବା ବିବାହ” ଉପରେ କିଛିଟା ଗୁରୁତ୍ୱ ଦେଇଥିଲେ ।

ନୂଆବୋଉ (ମୋ ବୋଉ) ଗଲା ପରେ ନନାଙ୍କର ତୁଟୁକା, କରିବାଜୀ ମଧ୍ୟ ତ୍ୟାଗ କରି ଦେଇଥିଲେ । ସେତେବେଳକୁ ସେ କ’ଣ ବହୁ ବଡ଼ ବଡ଼ ସମାଜ ସେବାରେ ନିଜକୁ ନ୍ୟସ୍ତ କରିଛନ୍ତି ବୋଲି କହୁଥିଲେ । ସେ ହେଲା ସମାଜ ପାଇଁ ତିନିଟା ପ୍ରଥା ପରିବର୍ତ୍ତନ । ତାହା ହେଲା, “ବିଧବା ବିବାହ”, “ଅସବର୍ଣ୍ଣ ବିବାହ” ଆଉ “ଜାତିଭେଦ ପ୍ରଥା ନିବାରଣ” । ବସିଆ (ନାନୀ) ବିଧବା ହେଲା ପରେ ନନା ତାଙ୍କର ଦ୍ୱିତୀୟ ବିବାହ କରାଇବା ପାଇଁ ବହୁ ପ୍ରୟାସ କରିଥିଲେ । ମାତ୍ର ସମାଜ ପ୍ରଥାକୁ ଡରି କିମ୍ୱା ନିଜ ଜିଦି ବଜାୟ ରଖିବା ପାଇଁ ସେ ନନାଙ୍କର ପ୍ରସ୍ତାବକୁ ଉପେକ୍ଷା କରିଥିଲା । ସେଥିପାଇଁ ସମାଜର ବହୁଜଣଙ୍କ ଠାରୁ ଶୁଣିବାକୁ ପଡ଼ିଥିଲା, ନିଜ ବିଧବା ଝିଅର ବିବାହ କରାଉ ନାହାନ୍ତି । ଆମ ଗରିବ, ଗୁରୁବାଙ୍କର ପ୍ରଥା ଭଙ୍ଗ କରାଇବା ପାଇଁ ଜାଲ ବିଛାଉଛନ୍ତି । ସେଇ ଦିନଠୁ ଗୋଟିଏ ଛାତ ତଳେ ରହୁଥିଲେ ମଧ୍ୟ ବାପ ଝିଅଙ୍କର ମନାନ୍ତର !

ରାଧାନାନୀ ଏ ଗାଁର ସମସ୍ତ ସ୍ତ୍ରୀଲୋକମାନଙ୍କଠାରୁ ନିଆରା । ତାଙ୍କ ବାପା ଆଉ କକେଇ ଲେଖା ଯୋଖାରେ ମୋ ବାପାଙ୍କର ମାମୁଁ କି କକେଇ । ଦୁଇଭାଇ କଲିକତାରେ କ’ଣ କାମ କରନ୍ତି ଘରେ ରାଧାନାନୀ ଏକା କେମିତି ରହିବେ ବୋଲି ତାଙ୍କ ବାହାଘର ପୂର୍ବରୁ ତାଙ୍କ ମଧ୍ୟ ସାଙ୍ଗରେ ନେଇ ଯାଉଥିଲେ । ରାଧାନାନୀଙ୍କର ନଜର ପସନ୍ଦ ବହୁ ଉଚ୍ଚକୋଟୀର । ସେ ବହୁତ ନଭେଲ୍ ପଢ଼ନ୍ତି । ବିବାହ ପୂର୍ବରୁ ନଭେଲ୍ ପଢୁଥିଲେ ବୋଲି ସମସ୍ତଙ୍କର ଚକ୍ଷୁଶୂଳ ହେଉଥିଲା । ତେଣୁ ସମସ୍ତେ ପ୍ରାୟତଃ ତାଙ୍କ ଏକଘରିଆ କରି ଦେଉଥିଲେ । ବାହାଘର ପରେ ମଧ୍ୟ ନାନୀ ମୁହଁରୁ କେତେଥର କହିବାର ମୁଁ ଶୁଣିଛି, ରାଧା (ରାଧାନାନୀ, ନାନୀଠାରୁ ବୟସରେ ସାନ)ର ଚରିତ୍ର ଭଲ ନୁହେଁ । ତେଣୁ ଆମ ଦୁଇଭଉଣୀଙ୍କୁ ତାଙ୍କ ଘରକୁ ଯିବା ପାଇଁ ଆକଟ କରେ । ମୁଁ ମଝିରେ ମଝିରେ ଲୁଚି ଚାଲି ଯାଇଥାଏ । ଧରା ପଡ଼ିଲେ ଅଜସ୍ର ଗାଳି ବର୍ଷଣ ହୋଇଥାଏ । ମାତ୍ର ଏଇ ଗାଳି ବର୍ଷା ମତେ ରାଧାନାନୀଙ୍କଠାରୁ ଅଲଗା କରିପାରି ନଥିଲା ।

ପୋକ ଜେଜେ (ରାଧାନୀନୀଙ୍କର ବାପା) ରୋଗ ଶଯ୍ୟାରେ ଥିବା ବେଳେ ରାଧାନାନୀ ତାଙ୍କୁ କେବେ “ବିଷ୍ଣୁପୁରାଣ”, “ଦାଢ୍ୟତା ଭକ୍ତି”, “ହରିବଂଶ”ରୁ ଅଧ୍ୟାୟେ ଲେଖାଏଁ ପଢ଼ି ଶୁଣାନ୍ତି । ଲକ୍ଷ୍ମୀ ଜେଜେ ତମେ ବହୁତ ଥଟ୍ଟା କରନ୍ତି । ରାଧାନାନୀଙ୍କୁ ଦେଖେଇ ଦେଖେଇ କୁହନ୍ତି, ନାତୁଣୀ ପୁରାଣ ପଢ଼ା ସାମ୍ନାରେ ସବୁ ମାନ୍ଦା ପଡ଼ିଯାଏ ।

ବାଳ ପୋଛା ଶେଷ କରି ପଚାରିଲେ, “ଏମିତି ଧଇଁସଇଁ ହୋଇ କାହିଁକି ଆସିଛୁ ?”

ଏ ଅଚ୍ଛବ ଜାତି କାହିଁକି ଆମଠାରୁ ଭିନ୍ନ ରାଧାନାନୀ ? ସେମାନଙ୍କୁ ଛୁଇଁଲେ ନାନୀ କାହିଁକି ମୁଣ୍ଡ ଧୋଇ ଗାଧୋଇବାକୁ କହେ ?

ଖାଲି ବସିଆ ନୁହେଁ, ବହୁଜଣ ପୁରୁଖା ମଧ୍ୟ ସେଇୟା କହିଥାନ୍ତି ।

ବାପାଙ୍କ ମୁହଁରୁ ତ କେବେ ଶୁଣିନି । ବରଂ ଶୀତଦିନ ସନ୍ଧ୍ୟାରେ ନାନୀ ମତେ ମୁଣ୍ଡ ଧୋଇ ଗାଧୋଇବାକୁ କହିଲେ ଦେହ ଖରାପ ହୋଇଯିବ କହି ପ୍ରତିବାଦ କରନ୍ତି ।

ନନାଙ୍କ କଥା ଅଲଗା ।
ତୁମ ମତେ ବୁଝେଇ କୁହ ରାଧାନାନୀ ।
ତୁ ଜାତି ପ୍ରଥା ବିଷୟରେ ଜାଣୁ ।

ବେଶୀ କିଛି ନୁହେଁ ରାଧାନାନୀ । କେବଳ ଏତିକି ଜାଣେ ଆମେ ସବୁଠାରୁ ଉଚ୍ଚଜାତି । ଆମେ ଭଗବାନଙ୍କୁ ପୂଜା କରୁ ତ, ବୋଧେ ସେଇଥିପାଇଁ ।

ନନା ଏ ବିଷୟରେ ବହୁତ ଜାଣିଛନ୍ତି । ଯେତେବେଳେ ସେ ବଡ଼ ବଡ଼ ନେତାମାନଙ୍କ ସଙ୍ଗେ ମିଶି କାମ କରୁଥିଲେ, ସେତିକିବେଳେ ସେ ସମସ୍ତଙ୍କୁ ବୁଝାଉଥିଲେ । ତାଙ୍କଠୁ ଶୁଣି ଶୁଣି ମୁଁ ଯେତିକି ମନେ ରଖିଛି ।

ତୁମେ ଶୁଣିବା ସମୟରେ ମୁଁ କେଉଁଠି ଥିଲି ? ମୋର ତ ସେ କଥା କିଛି ମନେପଡୁନି ।

ହୁଣ୍ଡୀ, ତୁ ସେତେବେଳେ ଜନ୍ମ ହୋଇ ନ ଥିଲୁ ।

ହଉ ତୁମେ କୁହ. . . ।

ତିନିଟି ଯାକ ବିଷୟରେ ଯେତିକି ମନେଅଛି କହିବି । କାରଣ ପ୍ରାୟତଃ ତିନୋଟି ଯାକ ବିଷୟର ପରସ୍ପର ସଙ୍ଗେ ଜାତିପ୍ରଥା ନେଇ ସମ୍ୱନ୍ଧ ଅଛି ।

ମତେ କାଗଜ କଲମ ଦିଅ । ମୁଁ ଲେଖି ରଖିବି । ଆଜିଠୁ ଯିଏ ଅଚ୍ଛବ କହିବ ତାକୁ ପଢ଼ି ଶୁଣାଇବି ।

ପ୍ରଥମ ହେଲା “ବିଧବା ବିବାହ” । ସମ୍ପୂର୍ଣ୍ଣ ଦେଶରେ ବିଧବା ପାଇଁ କାଇଦା କଟକଣା ଥିଲେ ମଧ୍ୟ ବ୍ରାହ୍ମଣ ଘରେ ଏହା ଖୁବ୍ ଦୁଃଖଦାୟକ ଥିଲା । ତେଣୁ ବହୁବର୍ଷ ପୂର୍ବେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବିଧବା ବିବାହ ପ୍ରଥା ଆରମ୍ଭ କରିଥିଲେ ।

କେବେ ?

ଭଲ କରି ମନେନାହିଁ । ତେବେ ୧୮୫୬ରେ ଆଇନ୍ ଜାରୀ ହୋଇଥିଲା ବୋଲି କହୁଥିଲେ । ଏହାକୁ ଶଙ୍କରାଚାର୍ଯ୍ୟ ଏବଂ ରାମକୃଷ୍ଣ ପରମହଂସ ମଧ୍ୟ ପ୍ରସାର କରାଇଥିଲେ । ସ୍ୱାମୀ ବିବେକାନନ୍ଦ ବୋଧେ ଏହାକୁ ଭଲଭାବେ ସ୍ୱୀକାର କରି ନ ଥିଲେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଝିଅଟି ବିଧବା ହୋଇ ଦୁଃଖରେ ନ ରହୁ ବୋଲି ଖୁବ୍ ଜୋର୍‌ସୋର୍‌ରେ ଦେଶରେ ଏହାର ପ୍ରଚାର କରିଥିଲେ । ତା’ ଛଡ଼ା ଝିଅକୁ ୧୮ ବର୍ଷ ପୂର୍ବରୁ ବିବାହ ଦେବା ଦୋଷାବହ ବୋଲି କହିଥିଲେ ।

ନନା କହୁଥିଲେ ପ୍ରଥମ ଅସବର୍ଣ୍ଣ ବିବାହ ୧୮୮୯ ମସିହା ଫେବୃୟାରୀ ୪ ତାରିଖରେ ହୋଇଥିଲା । ସମାଜ ଗ୍ରହଣ ନ କରିଥଲା ବୋଲି ହାଇକୋର୍ଟରେ ହୋଇଥିଲା ।

“ଅସବର୍ଣ୍ଣ ବିବାହ” କହିଲେ କ’ଣ ବୁଝାଯାଏ ?

ଅନ୍ୟଜାତିରେ ବିବାହ । ଏହା ଦୁଇ ପ୍ରକାର । ଅନୁଲୋମା ଅର୍ଥାତ୍ ଉଚ୍ଚ ପରିବାର ପୁଅ ଏବଂ ନୀଚ ଜାତି ଝିଅ । ଏଥିପାଇଁ ଖୁବ୍ ବେଶୀ ପ୍ରତିବନ୍ଧକ ନାହିଁ ମାତ୍ର ପ୍ରତିଲୋମା ଅର୍ଥାତ୍ ନୀଚଜାତି ପୁଅର ଉଚ୍ଚଜାତି ଝିଅ ସହିତ ବିବାହ ଅସମ୍ଭବ । ଏଇ ସବୁ ସମସ୍ୟାର ସମାଧାନ ପାଇଁ ନେତାମାନେ ମଶି ୧୯୪୯ରେ ଆଇନ୍‌ଜାରୀ କରିଥିଲେ । ନନା ସେମାନଙ୍କ ସଙ୍ଗେ ଓତଃପ୍ରୋତଃ ଭାବେ ଜଡ଼ିତ ଥିଲେ ।

ଏଇ ଜାତିପ୍ରଥା ଆମ ସମାଜରେ ବହୁବର୍ଷ ଧରି ଚାଲି ଆସିଥିଲେ ମଧ୍ୟ ଏହା ବ୍ରିଟିଶ୍ ରାଜତ୍ୱ ସମୟରେ ସମ୍ପୂର୍ଣ୍ଣ ଭାବେ ଜାତି ବର୍ଣ୍ଣପ୍ରଥାରେ ପ୍ରସାରିତ ହୋଇଥିଲା । ବର୍ଣ୍ଣଶଙ୍କରମାନେ ତ ନିଶ୍ଚୟ ଜାଣିଛୁ ।

ହଁ, ଜନ୍ମଗତ ।

ଏଇ ଜାତିଗୁଡ଼ିକ ଜନ୍ମ ଅନୁସାରେ ଚାରିଭାଗରେ ବିଭକ୍ତ । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର । ଏହା ବ୍ୟତୀତ ଦଳିତ ଏବଂ ଆଦିବାସୀ ମଧ୍ୟ ଅଛନ୍ତି । ବ୍ରାହ୍ମଣ ସବୁଠାରୁ ଉଚ୍ଚଜାତି ବୋଲି ତ ଜାଣିଛୁ । ଏଇ ଦଳିତମାନେ ହେଲେ ଅଚ୍ଛବ । ଯାହା ତତେ ଭାଗବତ ମା’ କହୁଥିଲା । ଏମାନଙ୍କୁ ମନ୍ଦିର ମଧ୍ୟକୁ ଯିବା ପାଇଁ ଅନୁମତି ଦିଆଯାଏନା । ଏଇମାନଙ୍କ ପ୍ରତି ଛୁଆଁ ଅଛୁଆଁ ପ୍ରଥା ମଧ୍ୟ ଜାରୀ ।

କେଡ଼େ ଦୁଃଖର ବିଷୟ । ଆମେ ଏଇ ଛୁଆଁ ଅଛୁଆଁ ପ୍ରଥାକୁ ଦୂର କରିପାରିବାନି ।

ସେଇଥିପାଇଁ ତ ନନା କେତେ ନେତା, କେତେ ସମାଜବାଦୀଙ୍କ ସଙ୍ଗେ ମିଶି ଚେଷ୍ଟା ଚଳାଇଥିଲେ । ଆମ ଜାତି ପିତା ଏଥିପାଇଁ କେତେ କ’ଣ ପ୍ରୟାସ କରୁଥିଲେ । ହେଲେ ସେ କ’ଣ ରହିଲେ ! ସେ ଅଧମ ତାଙ୍କୁ ବନ୍ଧୁକରେ ମାରି ଦେଲା । ଭଲ ଲୋକମାନଙ୍କ କାର୍ଯ୍ୟକ୍ରମ ପଦ୍ଧତିରେ ବହୁ ବାଧା ବିଘ୍ନ ଆସେ । ଏତିକି କହି ରାଧାନାନୀ ଆଖି ପୋଛିଲେ । ଟିକିଏ ରହି ପୁଣି ଆରମ୍ଭ କଲେ, ୧୯୨୦ରୁ ଏଇ ପ୍ରଥା ଉପରେ ସରକାର କ’ଣ ପରିବର୍ତ୍ତନ ଆଣିଛନ୍ତି ବୋଲି ନନା କୁହନ୍ତି । ଗାନ୍ଧିଜୀଙ୍କ ନିଧନ ପରେ ମଧ୍ୟ ଏଇ ପ୍ରଥାର ଅବସାନ ପାଇଁ କାଳେ ବହୁ ବଡ଼ ବଡ଼ ପରାକ୍ରମୀ ସଜ୍ଜନ ଲାଗିଛନ୍ତି ।

ମୋର ତ ଆଉ କିଛି କାମ ନାହିଁ । ମୁଁ ଏଥିପାଇଁ କିଛି କରି ପାରନ୍ତିନି ।

ତୁ ତ ଏବେ ଛୁଆଟେ ।

ତୁମେ ଥରେ ବାପାଙ୍କୁ କହି ଦେଖନା । ମୁଁ ଯଦି ତାଙ୍କ ସଙ୍ଗେ ମିଶି କିଛି କରିପାରନ୍ତି । ଏବେ ତ ତୁମେ କହୁଥିଲ ଭଲ କାର୍ଯ୍ୟକ୍ରମ ପଦ୍ଧତିରେ ବହୁବାଧା ବିଘ୍ନ ଆସେ । ତେବେ ଏଇ ଅଳ୍ପ ବୟସଟା କ’ଣ ଭଲ କାମର ବାଧା ବିଘ୍ନ ?

ନା, ହୁଣ୍ଡୀ, ତୁ ବଡ଼ ହୋଇଯା’, ନିଜେ ବୁଝିବୁ ଭଲ କାମ ପ୍ରତି ପଦକ୍ଷେପ ନେଉଥିବା ମଣିଷଟି ଉପରେ କେତେ ବିପଦ ମାଡ଼ି ଆସେ ।

ମୁଁ ତୁମକୁ କଥା ଦେଉଛି ରାଧାନାନୀ, ବଡ଼ ହୋଇ ମୁଁ ନିଶ୍ଚୟ କେବଳ ଜନହିତେ କାମ କରିବି । ମୋ ଉପରେ ଯେତେ ବିପଦ ଆସୁ ପଛକେ ।

ସେସବୁ ଦେଖିବାକୁ ମୁଁ କ’ଣ ଆଉ ବଞ୍ଚିଥିବି । ଭଗବାନ୍ ତତେ ଦୀର୍ଘାୟୁ କରନ୍ତୁ । ବାପର ନାଁ ରଖ ।

ଆଦି ସଜନା ଆମ ଘରକୁ ଆସିଥିଲା । ତା’ଠାରୁ ଦୁଇ ହାତରେ ଦୂରରେ ଛିଡ଼ା ହୋଇ ନାନୀ ସଜନାକୁ ତା’ ଖାଲି କଂସା (ଆଲୁମିନିୟମ୍)ଟାକୁ ରଖିବାକୁ କହିଲା । ସଜନା ତା’ ବେଲାଟିକୁ ରଖିଦେଇ ଯାଇ ଦୂରରେ ଠିଆ ହେଲା । ନାନୀ ତା’ ବେଲାରେ କଂସାରୁ ପଖାଳ ଅଜାଡ଼ି ଦେଇ ଖଣ୍ଡେ ପତ୍ରରେ ଗୋଟାଏ ଭଲି (ପିଆଜ) ଆଉ ଦୁଇଟା କଞ୍ଚା ଲଙ୍କା, ଟିକିଏ ଲୁଣ ରଖି ଦେଇ ଭିତରକୁ ଚାଲିଗଲା । ସଜନା ଖାଇବା ଆରମ୍ଭ କଲା । ଏ ସବୁ ପାଲା ମତେ ବହୁ ଦୁଃଖ ଦେଲା । ସଜନାକୁ କହିଲି, “ତୁ ଭାତ ସାଙ୍ଗରେ ଇଏ କ’ଣ ଗୋଟେ ନୂଆ ଜିନିଷ ଖାଉଛୁ ସଜନା ? ଏମିତି ତରକାରୀ ତ ମୁଁ କେବେ ଖାଇନି । ମତେ ଟିକିଏ ଚଖା ।” କହି ବଡ଼ ଆଁ କରି ତା’ ଆଡ଼କୁ ପାଟି ଦେଖାଇଲି ।

କି କଥା କହୁଛ ଗେହ୍ଲୀ ନାନୀ । ମୁଁ ଅଛୁଆଁ ଜାତି, ମୋ ଅଇଁଠା କଂସାରୁ ତୁମକୁ କେମିତି ଦେବି ଜିଦି କରନା । ଯା’ ଭିତରକୁ ମୁଁ ଖାଇସାରି ତୁମକୁ ଗାଁ ବୁଲେଇବାକୁ ନେଇଯିବି ।

ମୁଁ ଛୁଆଟିଏ ହେଇଛି ଯେ ଲେବନ୍‌ଚୁସ୍‌ଟାଏ ଧରାଇ ଦେଇ ଠକି ଦେବୁ । ମୁଁ ହୋଇଗଲିଣି । ତୁ ଏକା ଏକା ଭଲ ଜିନିଷ ଖାଇବୁ, ଆଉ ମୁଁ ତୋ ହାତ ପାଟିକୁ ଅନେଇଥିବି । ନ ଦେବୁ ଯଦି ଜାଣିଥା’ ପାଟି କରି କାନ୍ଦିବି । ଖାଇବୁ ବାପାଙ୍କଠାରୁ କହି ଭାତ ଗୁଣ୍ଡା ସହ ତା’ ହାତ ମୋ ପାଟି ପାଖକୁ ଆଣିଲି ।

ଆରମ୍ଭ ହୋଇଗଲା ଖଣ୍ଡଯୁଦ୍ଧ ! ଇଏ କ’ଣ ସର୍ବନାଶ କଲୁରେ ସଜନା । ବ୍ରାହ୍ମଣ ଘର ଝିଅକୁ ଅଇଁଠା ଖୁଆଇଲୁ । ସେ ତ ଜାତି ହେବ । ତତେ ଉପଯୁକ୍ତ ଶାସ୍ତି ଦିଆଯିବ । କି ସାହସ ! ସରକାର କ’ଣ ଗୋଟେ କରିଦେଲା ଯେ ୟା’ ବହପ ଦେଖ ତ ପାଟି ଶୁଣି ସାଇ ପଡ଼ିଶା ଜମା ହୋଇଗଲେ । ବାପା ମଧ୍ୟ ଚଉପାଡ଼ୀ ଘରୁ ଉଠି ଆସିଲେ । ବାପାଙ୍କୁ ଦେଖି ସମସ୍ତେ କାଠ ଭଳି ଛିଡ଼ା ହୋଇଗଲେ । ନାନୀ ରାଗରେ ରକ୍ତ ଚାଉଳ ଚୋବେଇ ହେଉଥାଏ । ରାଧାନାନୀ ସାହସ ବାନ୍ଧି ସତ କଥାଟା ଖୋଲି ଦେଲେ ।

ତେବେ କ’ଣ ବେଦ ମାରା ହୋଇଗଲା । ମୋ ଖାଇବା ବେଳେ ତ ସେ ଆଁ କରି ମାଛ ମୁଣ୍ଡ ଖାଇଥାଏ ।

ପରିବେଶ ଶୀଥିଳ ହେଲା । ଯିଏ ଯାହା ଘରକୁ ଚାଲିଗଲେ । ସଜନା ତା’ ଖାଇବା ଯାଗାଟା ଗୋବରରେ ଲିପି ଦେଇ ବାସନ ଧୋଇବାକୁ ପୋଖରୀ କୂଳକୁ ଗଲା । ସମସ୍ତେ ଚାଲିଯିବା ପରେ ବାପା ମତେ ପଚାରିଲେ, “ତୁ ଏମାନଙ୍କୁ ଅକ୍ଷର ଚିହ୍ନିବା ଶିଖେଇ ପାରିବୁ ?”

“ଖାଲି ଅ. . . ଆ କାହିଁକି, ଯୁକ୍ତାକ୍ଷର, ପଣିକିଆ, ମିଶାଣ, ଫେଡ଼ାଣ, ଗୁଣନ, ହରଣ ମଧ୍ୟ ଶିଖେଇ ଦେବି ।” ଖୁବ୍ ଖୁସି ହୋଇ କହିଲି ।

ତେବେ କାଲିଠୁ ତୁ ସଜନା ସାଙ୍ଗେ ହରିଜନ ସାହି ଯାଇ ସେମାନଙ୍କୁ ଅକ୍ଷର ଚିହ୍ନିବା ଶିଖାଇବୁ ।

ବାପା ଭିତରକୁ ଯିବା ପରେ ସଜନା ଆସି ଯାଇଥିଲା । କହିଲା, “ତୋ ପୁଚୀ ନୂଆବୋଉ ଭଲ ପତର ପୋଡ଼ା କରେ ବୋଲି କହୁଥିଲୁ । ତାକୁ କହିବୁ ମୋ ଭାଗ ସେ କାଲିଠାରୁ ସବୁଦିନ ଅଲଗା ରଖିଦେବ ।”

ହରିଜନ ସାହି ଆରମ୍ଭ ହେବା ପୂର୍ବରୁ ଆଖଡ଼ା ଘର । ସେଇ ଘରେ ବସି ମୁଁ ସେମାନଙ୍କୁ ସିଲଟ ଖଡ଼ି ଧରିବା ଶିଖାଇଲି । ଦିନରେ ପିଲାମାନଙ୍କୁ ଦୁଇଘଣ୍ଟା, ଦୁଇ ପହରେ ସ୍ତ୍ରୀ ଲୋକମାନଙ୍କୁ ମୁହଁ ସଞ୍ଜରେ ଦିନଯାକ ହାଡ଼ ଭଙ୍ଗା ପରିଶ୍ରମ କରୁଥିବା ଶ୍ରମିକମାନଙ୍କୁ ।

ମୋର ଡବଲ୍ ଖୁସି । ମୁଁ ପଢ଼ାଇ ପାରୁଛି । ତା’ ସଙ୍ଗେ ସଙ୍ଗେ ପତର ପୋଡ଼ା ଖାଇବାର ମଉଜ ।

ସାହିଟା ଯାକର ସ୍ତ୍ରୀ ଲୋକମାନେ ଫୁସୁରୁ ଫାସର ହୁଅନ୍ତି । ବାବୁଘର ଝିଅ ଆମକୁ ପାଠ ପଢ଼ୋଉଛନ୍ତି । କ୍ରମେ କ୍ରମେ ମୋ ପତର ପୋଡ଼ା ଭାଗ ବହୁତ ବଢ଼ିଗଲା । ହଠାତ୍ ଦିନେ ମୁଁ ଅନୁଭବ କଲି ସେମାନେ କେଡ଼େ ସରଳ । ମୁଁ ଭଲ ପାଏ ବୋଲି ନିଜ ନିଜ ପେଟରୁ କାଟି ମୋ ପାଇଁ ଆଣି ଦେଉନାହାନ୍ତି ତ ! ଦିନେ ଜୋର୍ କରି କହିଲି, “ଏବେ ପତର ପୋଡ଼ା ଆଣିବା ବନ୍ଦ କର । ମୋ ଇଚ୍ଛା ଯାହା ହେବ ମୁଁ ବରାଦ୍ କରିବି । ଆଣି ଦବ ତ ?”

“ତତେ କ’ଣ ଅଭାବ ଲୋ ଗେହ୍ଲୀ ? ତୁ ଏ ଗରିବ ଘର ଖାଇବାକୁ ମନ ବଳେଇବୁ ।” କହିଲା ରମ୍ଭା ମା’ ।

ସବୁଦିନ ସକାଳେ ମତେ ସଜନା ଆସି ନେଇଯାଏ । ସନ୍ଧ୍ୟାରେ ଛାଡ଼ିଯାଏ । ପ୍ରତ୍ୟେକ ଦିନ ଆମ ପାଠଶାଳା ଡେଇଁ ଯାଉଥିଲେ ମଧ୍ୟ ସାର୍‌ଙ୍କ ପାଖକୁ ଯାଇପାରୁ ନ ଥିଲି ।

ଆଜି ଅପେକ୍ଷାକୃତ ଟିକିଏ ଶୀଘ୍ର ଫେରିବା ବେଳକୁ ପଦସାର୍‌ଙ୍କୁ ଗେଟ୍ ବନ୍ଦ କରୁଥିବାର ଦେଖିଲି । ଦଉଡ଼ି ଯାଇ ପ୍ରଣାମ କଲି । ଆଶୀର୍ବାଦ ଦେଇ କହିଲେ, “ତୋ ସହର ଯିବା, ସହରରୁ ଫେରି ହରିଜନ ସାହିରେ ପାଠ ପଢ଼ାଇବା ଶୁଣି ମୁଁ ବହୁତ ଖୁସି । ଆମ ଗାଁରେ ଛୁଆଁ ଅଛୁଆଁ ପ୍ରଥା ବହୁତ ବେଶୀ, ତେଣୁ ଇଚ୍ଛା ଥିଲେ ମଧ୍ୟ କରିପାରୁ ନ ଥିଲି । ତୋ ବାପା ଗାନ୍ଧୀ, ଭୀମ ରାଓଜୀ, ବିବେକାନନ୍ଦ, ଆମ୍ୱେଦକରମାନଙ୍କ ସଙ୍ଗେ ମିଶି କାମ କରିଛନ୍ତି ବୋଲି ଭଲ କାମଟିଏ ଆରମ୍ଭ କରାଇ ପାରିଲେ ।”

କିଛି ନ କହି ବାବାଜି ସାର୍ (ଆମ ପାଠଶାଳାର ବଡ଼ସାର୍)ଙ୍କ କଥା ପଚାରିଲି ।

ସେ ଆଜିକାଲି ସୁସ୍ଥ ରହୁନାହାନ୍ତି । ତେଣୁ ମତେ ଦୁଇଜଣଙ୍କ କାମ ତୁଲାଇବାକୁ ପଡୁଛି । ହଉ, ଘରକୁ ଯା’, ସନ୍ଧ୍ୟା ହେଲାଣି । ମନେ ରଖିଥା, ତୁ ମୋର ଗର୍ବ, ବଡ଼ ହେଲେ ଗୋଟିଏ ଭଲ ଶିକ୍ଷକ ହୋଇ ମୋ ନାଁର ଟେକ ରଖିବୁ ।

ସାର୍‌ଙ୍କଠାରୁ ଆଶୀର୍ବାଦ ନେଇ ଘରକୁ ଫେରିଲି ।

– ତା ପରେ –

Click to comment

Leave a Reply

Your email address will not be published. Required fields are marked *

To Top