ଅନୁଭୂତି

ସୁନନ୍ଦା ପଟ୍ଟନାୟକଙ୍କର ଆର୍ଶୀବାଦ

Dr Anita Panda

ମୋ ପିଳେହୀ ପାଣି, ଆଜ୍ଞା ବି ଅବଜ୍ଞା କରି ହେବନି । ଛାନିଆ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଗାଇଥିବା ଗୀତଟି ଗାଇବା ଆରମ୍ଭ କଲି “ମୂରଲୀ ବଜାଅ ଘନଶ୍ୟାମ ସୁନ୍ଦର…”

ସୁନନ୍ଦା ପଟ୍ଟନାୟକଙ୍କର ଆର୍ଶୀବାଦ

-: ପୂର୍ବରୁ :-

ପ୍ରି ୟୁନିଭରସିଟି ବେଳେ ମୁଁ ହଷ୍ଟେଲରେ ରହୁଥିଲି । ପ୍ରତିନାନୀ ମୋର ଲୋକାଲ ଗାର୍ଡିଆନ । ସେ ଆମ କଲେଜରେ ଗଣିତ ରିଡର ତେଣୁ କେବେ କେମିତି ଶନିବାର ତାଙ୍କ ସଙ୍ଗେ ଯାଇ ସୋମବାର ଆସି ଯାଇଥାଏ । ବଡସାର୍ ବସି ରେଡିଓ ପ୍ରୋଗ୍ରାମ ଶୁଣୁଥିଲେ । ଆମକୁ ଦେଖି ପ୍ରତିନାନୀଙ୍କୁ ପାଖକୁ ଡାକିଲେ । ସୁନନ୍ଦା ପଟ୍ଟନାୟଙ୍କର ପ୍ରୋଗ୍ରାମ ଚାଲିଛି । ପ୍ରତିନାନୀ ମଧ୍ୟ ଯାଇ ବସି ପଡିଲେ । ରାତି ଖାଇବା ବେଳେ ମତେ ପଚାରିଲେ, “ତୁ ତ ଗୀତ ଗାଉ, ତତେ କ୍ଲାସିକାଲ୍ ଭଲ ଲାଗେନି ?”

ବହୁତ ଭଲ ଲାଗେ ପ୍ରତିନାନୀ, ମାତ୍ର ମୋର ମନେ ହୁଏ ଯୋଉଁମାନେ କ୍ଲାସିକାଲ୍ ଗାଆନ୍ତି ସେମାନେ ମଣିଷ ନୁହଁନ୍ତି ସୁପର ହ୍ୟୁମାନ ।

ବଡ ସାର୍ ହସି କହିଲେ, ୟାକୁ ନେଇ ସୁପର ହ୍ୟୁମାନ ସୁନନ୍ଦା ପଟ୍ଟନାୟକଙ୍କ ସହିତ ଥରେ ଭେଟ କରାଇ ଦିଅ ପ୍ରତୀ, ତାର ଏଇ ବଦ୍ଧ ଧାରଣାଟା ଦୂର ହୋଇଯିବ ।

ପ୍ରତି ନାନୀ ପଚାରିଲେ ଓଡିଶାର ପ୍ରଖ୍ୟାତ କ୍ଲାସିକାଲ୍ ସିଙ୍ଗର ସୁନନ୍ଦା ପଟ୍ଟନାୟକଙ୍କ ପାଖକୁ ଯିବୁ ? ସେ ଏଇ ପାଖରେ ରହନ୍ତି । ମୁଁ ଆଉ ତୋର ବଡସାର୍ ତାଙ୍କର ଫ୍ୟାନ୍ ।

ଯିବି ।

ହେଲେ ସେ ଅନୀମା ପେଦନୀଙ୍କ ଠାରୁ ସଂପୂର୍ଣ୍ଣ ଅଲଗା ଖୁବ୍ ମାପି ଚୁପି କଥା କୁହନ୍ତି । ବହୁ ଗମ୍ଭୀର ।

ମୁଁ ତ ଆପଣଙ୍କ ସଙ୍ଗେ ଥିବି । ପ୍ରଖ୍ୟାତ ଗାୟିକାଙ୍କ ଦର୍ଶନ ଭାଗ୍ୟରେ ଥିଲେ ପ୍ରାପ୍ତ ହୁଏ ।

ଠିକ୍ ଅଛି, ଆଜି ୪ଟା ବେଳେ ଯିବା ।

ପ୍ରତିନାନୀ ସତ କହୁଥିଲେ । ୟାଙ୍କ ପରସନାଲିଟୀ ସଂପୂର୍ଣ୍ଣ ଭିନ୍ନ । କାହିଁକି କେଜାଣି ତାଙ୍କ ପାଦଛୁଇଁ ପ୍ରଣାମ କରିବାକୁ ଇଚ୍ଛା ହେଲା ।

ମତେ ଆର୍ଶୀବାଦ ଦେଇ ପଚାରିଲେ, “ଏ ଝିଅଟି କିଏ ପ୍ରତିଭା?”

ଆମ କଲେଜରେ ପଢେ, ମୁଁ ତାର ଲୋକାଲ୍ ଗାର୍ଡିଆନ । ତା ମତରେ କ୍ଲାସିକାଲ ସିଙ୍ଗର ମାନେ ସୁପର ହ୍ୟୁମାନ । ତେଣୁ ଘନ ବାବୁ କହିଲେ ତାକୁ ଆପଣଙ୍କର ଦର୍ଶନ କରାଇ ଦେବାକୁ ।

ମୋ ମୁଣ୍ଡ ସାଉଁଳାଇ ପଚାରିଲେ, “ତୋ ନାଁ କ’ଣ ଲୋ ଝିଅ?”

ଅନୀତା

ଖୁବ୍ ଭଲ ନାଁ ଟିଏ, ନାଁଟି ତୋ ପାଇଁ କିଏ ବାଛିଥିଲେ, ବାପା ନା ମା ।

ମୋର ମା ନାହାନ୍ତି, ବାପା ମୋ ନାଁ ଅନିନ୍ଦିତା ରଖିଥିଲେ କେମିତି କେଜାଣି ପରେ ତାହା ଅନ୍ନପୂର୍ଣ୍ଣାରେ ବଦଳି ଯାଇଥିଲା । ସ୍କୁଲ ଆଡମିଶନ୍ ବେଳେ ନନା କହିଲେ ଚାରି ଅକ୍ଷରିଆ ନାଁ ଆଉଟ୍ ଡେଟେଡ୍, ତେଣୁ ସାର୍ଟିଫିକେଟ୍ ଅନୀତା ଲେଖା ଯାଇଛି ।

ତୁ ଗୀତ ଗାଉ?

ଅଳ୍ପ ଅଳ୍ପ ।

କାହାଠୁ ଶିଖୁଛୁ?

ଶିଖୁଥିଲି, ଭଦ୍ରକ ଛାଡିଲା ପରେ ଅର୍ଥାତ୍ ଦଶମ ପରେ ଛାଡି ଦେଇଛି ।

ଆଗକୁ କ’ଣ କରିବାର ଇଚ୍ଛା ।

ଡାକ୍ତରୀ ପଢିବା ପାଇଁ ଘରେ ସମସ୍ତେ ବାଧ୍ୟ କରୁଛନ୍ତି ।

ତୋର ଇଚ୍ଛା ନାହିଁ?

ଇଚ୍ଛା ଅଛି ଯେ, ମାତ୍ର ସାହିତ୍ୟ ପ୍ରତି ମୋର ଖୁବ୍ ଆକୃଷ୍ଟତା ।

ଖୁବ୍ ଭଲ କଥା । ଡାକ୍ତରୀ ପ୍ରଫେସନ ଖୁବ୍ ମର୍ଯ୍ୟଦାଶୀଳ, ହେଲେ ବହୁ ପରିଶ୍ରମ । ମୋ ସାନଭାଇ ମେଡିକାଲ୍ ପଢୁଛି । ତାର ମଧ୍ୟ କଳା ପ୍ରତି ଖୁବ୍ ଆଗ୍ରହ । ପାଠ ପଢାରେ ବ୍ୟାଘାତ ଘଟୁଛି । ଆଚ୍ଛା, କ’ଣ ସବୁ ଗୀତ ଗାଉ ?

ସେମିତି ବେଶୀ କିଛି ନୁହେଁ, ପଲ୍ଲୀ, ଆଧୁନିକ, ଭଜନ, ଓଡିଶୀ-ବହୁତ କମ୍— ।

କ୍ଲାସିକାଲ୍ ରେ ଇଚ୍ଛା ନାହିଁ ।

ମୁଁ କିଛି କହିବା ପୂର୍ବରୁ ପ୍ରତିନାନୀ କହିଲେ, ତା ମତରେ କ୍ଲାସିକାଲ୍ ସିଙ୍ଗର୍ ମାନେ ସୁପର ହ୍ୟୁମାନ, ସେଥିପାଇଁ ତ ତୁମକୁ ଦର୍ଶନ କରିବାକୁ ଆସିଛି । ସେଇମିତି ବସି ରହି ଆଉଥରେ ମୋ ଆଡକୁ ଚାହିଁ କହିଲେ,କିଛି ଗାଇ ଶୁଣାଅ ।”

ମୋ ପିଳେହୀ ପାଣି, ଆଜ୍ଞା ବି ଅବଜ୍ଞା କରି ହେବନି । ଛାନିଆ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଗାଇଥିବା ଗୀତଟି ଗାଇବା ଆରମ୍ଭ କଲି “ମୂରଲୀ ବଜାଅ ଘନଶ୍ୟାମ ସୁନ୍ଦର…”

ଗୀତଟି ସରିବା ପରେ କହିଲେ କ’ଣ ମନଇଚ୍ଛା ମଝିରେ କାନ୍ଦ କାନ୍ଦ ହୋଇ ଶୁଣଇଲୁ?

“ଆରେ ଆରେ ଏମିତି ଡରି ଯାଉଛୁ କାହିଁକି?”

କିଛି ବି ମନରୁ କହିନି । ସାରେ ସାନୀ ଧା ପା ମା ପା… ସାର୍ ଙ୍କ ଠାରୁ ଶିଖିଥିଲୁ ।

ସେ ଗୁଡା ତ ଗୀତର ଆଳାପ । ମୁଁ ମନରୁ କିଛି କହିନି ।

ସେଇୟା ତ ମୁଁ କହୁଛି ।ଏଇ ଆଳାପ ଗୁଡିକ ଯେତେ ଅଭ୍ୟାସ କରିବୁ ତୋର କ୍ଲାସିକାଲ ସଂଗୀତ ସେତେ ଭଲ ହେବ । ଆମେ ସମସ୍ତେ ମଣିଷ, ମୁଁ କିଛି ସୁପରହ୍ୟୁମାନ ନୁହେଁ । ଜୀବନ ସାରା ଅଭ୍ୟାସ କରିଛି । ତେଣୁ ତାର ଫଳ ମିଳିଛି ।

ତାଙ୍କୁ ପ୍ରଣାମ କରି ଆସୁଥିଲି, ପଛରୁ କହିଲେ ବୃତ୍ତିକୁ ଅବହେଳା କରି ଅଭ୍ୟାସ କରିବୁନି । ଯାହା ଦୀପୁ (ତାଙ୍କ ଭାଇ) କରୁଛି ।

To Top