ଆୟୁର୍ବେଦ

ଆୟୁର୍ବେଦ ଚିକିତ୍ସାରେ ପାନ

Dr Debadatta Samantaray odia ayurbeda Ayurbeda Chikitsaare Paana

ପାନ ବିଷୟରେ ବର୍ଣ୍ଣନା କରିବା ମୋ ପକ୍ଷରେ ଧୃଷ୍ଟତା ମଧ୍ୟ । ସ୍ତ୍ରୀ ରୋଗ ଠାରୁ ଆରମ୍ଭ କରି ପୁରୁଷ ରୋଗ ପର୍ଯ୍ୟନ୍ତ ପାନର ଉପାଦେୟତା ଉପଲବ୍ଧି କରାଯାଇପାରେ ।

ଆୟୁର୍ବେଦ ଚିକିତ୍ସାରେ ପାନ

ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରାରେ ପାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ସଂସାରରେ ଏମିତି କୌଣସି ବ୍ୟକ୍ତି ନାହାଁନ୍ତି ଯେଉଁମାନେ କି ପାନ ବିଷୟରେ ଜାଣି ନାହାନ୍ତି । ଖାଲି ଭାରତବର୍ଷରେ ନୁହେଁ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କରେ ମଧ୍ୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପ୍ରାୟ ପାନ ସେବନ କରିଥାନ୍ତି । ଈଶ୍ୱର ସୃଷ୍ଟିର ବା ପ୍ରକୃତି ସୃଷ୍ଟିର ଯେତେ ପତ୍ର ଅଛି ତନ୍ମଧ୍ୟରୁ ପାନ ପତ୍ରଟି ଅନ୍ୟତମ । ବିଶେଷ କରି କବି, କଳାକାର, ଲେଖକ, ରସିକ, ଭାବୁକ ଆଦି ସମସ୍ତଙ୍କ ନିକଟରେ ପାନର ପରିଚୟ ସ୍ୱତନ୍ତ୍ର । ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ପାନପତ୍ର ସଦାବେଳେ ରହିଥାଏ ସେ ଘରେ ସଦାସର୍ବଦା ମଙ୍ଗଳ ହୋଇଥାଏ । ମହାପ୍ରଭୁଙ୍କଠାରୁ ଆରମ୍ଭ କରି ଦୁଃଖିରଙ୍କୀ ପର୍ଯ୍ୟନ୍ତ ସମସ୍ତେ ପାନକୁ ବ୍ୟବହାର କରିଥାନ୍ତି । ଓଡ଼ିଆରେ ଏହାକୁ ପାନ କହୁଥିବା ବେଳେ ସଂସ୍କୃତରେ ଏହାକୁ ନାଗବଲୀ, ତାମ୍ବୁଳ, କାମଜନନୀ, ପର୍ଣ୍ଣଲତା, ସପ୍ତଶିରା ବୋଲି କୁହାଯାଏ । ଶାସ୍ତ୍ର ଅନୁଯାୟୀ ପାନ, କଟୁ, ତିକ୍ତଯୁକ୍ତ ରସ, ରୁକ୍ଷ, ଉଷ୍ଣବିର୍ଯ୍ୟ, ରକ୍ତପରିଷ୍କାରକ, ରୁଚିକର, ବଶୀକରଣକ୍ଷମ, ମଳ, ବାତ, ମୁଖ ଦୁର୍ଗନ୍ଧ, ଶ୍ରମନାଶକ, ଜିହ୍ୱାବିଶୋଧକ ଓ ଗଳା ରୋଗନାଶକ । ଏହା ମଧ୍ୟ କୃମିନାଶକ, କଫନାଶକ ଓ ବଳବର୍ଦ୍ଧକ ।

ପାନର ଔଷଧୀୟ ଗୁଣ :-

ଶ୍ୱାସ, କାଶ, ଥଣ୍ଡା ଏବଂ ତଣ୍ଟି ପଡ଼ିବା ପାଇଁ :- ପାନପତ୍ର ରସ ସହିତ ଅଦା ରସ ମିଶାଇ ଦିନକୁ ଦୁଇତିନି ପାନ ହିସାବରେ ନିୟମିତ ତିନିଦିନ ସେବନ କଲେ ଏହି ସବୁ ରୋଗରୁ ମୁକ୍ତି ମିଳିଥାଏ ।

ବାତରୋଗ :- ପାନପତ୍ର ରସ ସହିତ ମହୁ ଏବଂ ଶୁଣ୍ଠି ଚୂର୍ଣ୍ଣ ଦିନକୁ ଦୁଇଥର କରି ସେବନ କଲେ ତିନି ସପ୍ତାହରେ ବାତ ରୋଗରୁ ମୁକ୍ତି ମିଳିଥାଏ ।

ଛାତିରେ କଫ ଜମିଲେ :- ତିନି ଚାରୋଟି ପାନକୁ ନିଆଁରେ ଗରମ କରି ଛାତିରେ ଲେପ ଦିଅନ୍ତୁ ।

ହଜମ କରିବା ପାଇଁ :- ପାନ ସହିତ ଗୋଲମରିଚ ବାଟି ପିଇଲେ ଖାଦ୍ୟ ହଜମ ହୋଇ ଯାଇଥାଏ । ପାନ ସହିତ ଜୁଆଣି ମିଶାଇ ଚୋବାଇ ଖାଇଲେ ମଧ୍ୟ ଖାଦ୍ୟ ହଜମ ହୋଇଥାଏ ।

ବାନ୍ତି :- ପାନପତ୍ରକୁ ଛେଚି କଳରେ ଜାକିଲେ ବାରମ୍ୱାର ବାନ୍ତି ଦେଖାଉଥିଲେ ସେଥିରୁ ଉପଶମ ମିଳେ ।

ଅଜୀର୍ଣ୍ଣ, ପେଟମରା ଓ ଭୋକ ବଢ଼ାଇବା ପାଇଁ :- ପାନରସ ସହ ଗୋଲମରିଚ ଚୂର୍ଣ୍ଣ ମିଶାଇ ସେବନ କଲେ ଅଜୀର୍ଣ୍ଣ ଦୂର ହୋଇ ଭୋକ ବଢ଼ାଇଥାଏ । ସମପରିମାଣରେ ପାନ, ମୁଥା, ଜିରା, ଅଦା, ଗୋଲମରିଚ ବାଟି ପାଣିରେ ମିଶାଇ ପିଇଲେ ଅଜୀର୍ଣ୍ଣ ରୋଗରୁ ମୁକ୍ତି ମିଳିଥାଏ ।

ପେଟ ସଫା ପାଇଁ :- ପାନରସ ସହିତ ଶୁଣ୍ଠି ଓ ହରିଡ଼ା ଚୂର୍ଣ୍ଣ ମିଶାଇ ନିୟମିତ ସେବନ କଲେ ପେଟ ସଫା ହୋଇଥାଏ ।

ପେଟ ଦରଜ ହେଲେ :- ଭଜା ଗୋଲମରିଚକୁ ପାନରେ ଦେଇ ଚୋବାଇ ଚୋବାଇ ଖାଇଲେ ପେଟ ଦରଜ ଭଲ ହୋଇଥାଏ । ପାନରସ ଏକ ଚାମଚ, ଜୁଆଣି ଚୂର୍ଣ୍ଣ ଏକ ଚାମଚ, ଅଦାରସ ଏକ ଚାମଚ ଏକତ୍ର ମିଶାଇ ସେବନ କଲେ ପେଟ ଦରଜରୁ ମୁକ୍ତି ମିଳିଥାଏ ।

ପୁରୁଣା କାଶ ପାଇଁ :- ପାନରସ ସହିତ ଚୂନ ମିଶାଇ ଗରମ କରି ଗଳାରେ ମାଲିସ୍ କଲେ ପୁରାତନ ଗଳା ରୋଗରୁ ଉପଶମ ମିଳିଥାଏ ।

ଶିଶୁମାନଙ୍କର ଥଣ୍ଡା, କାଶ ପାଇଁ :- ପାନରସ ସହ ମହୁ ମିଶାଇ ପିଲାମାନଙ୍କୁ ଚଟାଇଲେ ଦୁଇ ତିନିଦିନରେ ସେମାନଙ୍କର ଥଣ୍ଡା, କାଶ ଭଲ ହୋଇ ଯାଇଥାଏ ।

ଶିଶୁର ଝାଡ଼ା ବନ୍ଦ ହେଲେ :- ପାନ ଡେମ୍ଫରୁ ଉପର ଚୋପା ଛଡ଼ାଇ ସେଥିରେ ଜଡ଼ା ତେଲ ମାରି ମଳଦ୍ୱାରରେ ଦେଲେ ପିଲାମାନଙ୍କର ଝାଡ଼ା ସଫା ହୋଇଥାଏ ।

କାନଟଣା ବା କାନବିନ୍ଧା ପାଇଁ :- ପାନପତ୍ର ରସକୁ ସାମାନ୍ୟ ଉଷୁମ କରି କାନରେ ପକାଇଲେ କାନଟଣା ବା କାନବିନ୍ଧା ଭଲ ହୋଇଥାଏ ।

ମୁଣ୍ଡ ବିନ୍ଧା :- ପାନପତ୍ରକୁ ଉଷୁମ କରି କପଡ଼ାରେ ଚାପି ରଖିଲେ ମୁଣ୍ଡବିନ୍ଧା ଭଲ ହୋଇଯାଇଥାଏ ।

ବ୍ରଣ ପାଇଁ :- ପାଞ୍ଚଟି ପାନ ଓ ପାଞ୍ଚଟି ଗୋଲାପ ଫୁଲ ନେଇ ପାଣିରେ ସିଝାନ୍ତୁ, ସେଥିରୁ ବାହାରୁ ଥିବା ବାମ୍ଫରେ ମୁହଁ ରଖନ୍ତୁ । ଗୋଟିଏ ସପ୍ତାହରେ ମୁଖବ୍ରଣ ଭଲ ହୋଇଯିବ ।

ପୋକଖିଆ ଦାନ୍ତ ପାଇଁ :- ପୋକକଟା ଦାନ୍ତରେ ଯନ୍ତ୍ରଣା ହେଉଥିଲେ ପାନ ଡେମ୍ଫ ଏବଂ କର୍ପୂରକୁ ଏକାଠି ବାଟି ପୋକ କାଟିଥିବା ଦାନ୍ତରେ ଲଗାଇଲେ ବିନ୍ଧାରୁ ଉପଶମ ମିଳିଥାଏ ।

ବଥ ପାଇଁ :- ଶରୀରରେ ଯେକୌଣସି ସ୍ଥାନରେ ବଥ ହେଲେ ପାନପତ୍ରରେ ଘିଅ ମାରି ଉଷୁମ କରି ପଟି ବାନ୍ଧିଲେ ବଥ ଫାଟିଯାଇଥାଏ ଏବଂ ବଥରେ ଥିବା ପୁଜ ବାହାରି ଯାଇଥାଏ ।

ଛାତି ଜଳାପୋଡ଼ା ପାଇଁ :- ପାନରସ ସହିତ ଅଦାରସ ମିଶାଇ ସେବନ କରନ୍ତୁ ।

ଅର୍ଶ :- ଅର୍ଶରୁ ରକ୍ତ ପଡୁଥିଲେ ୧୦ଗ୍ରାମ୍ ପାନଚେର ସହ ୧୦ଗ୍ରାମ୍ କିସ୍‌ମିସ୍ ମିଶାଇ ବାଟି ବାଟିକା ପ୍ରସ୍ତୁତ କରି ସକାଳେ ଖାଲିପେଟରେ ଗୋଟାଏ ଲେଖାଏଁ ଖାଇଲେ ରକ୍ତାର୍ଶରୁ ମୁକ୍ତି ମିଳିଥାଏ ।

ମୁଖ ଦୁର୍ଗନ୍ଧ :- ପାନରେ ଗୁଜୁରାତି, ଲବଙ୍ଗ ଓ ଜଷ୍ଠିମଧୁ ଦେଇ ସେବନ କଲେ ମୁଖ ଦୁର୍ଗନ୍ଧ ଦୂର ହେବା ସହ ମୁଖ ଗହ୍ୱର ପରିଷ୍କାର ରୁହେ ।

ନାକର ପିନସ୍ ରୋଗ :- ପାନପତ୍ରକୁ ହାତରେ ମକଚି ବାରମ୍ୱାର ଶୁଙ୍ଘିଲେ କିମ୍ୱା ପାନରସକୁ ନାକରେ ପକାଇଲେ ପିନସ୍ ରୋଗରୁ ମୁକ୍ତି ମିଳିଥାଏ ।

କଟା ଘା’ :- ପାନପତ୍ରରେ ଗାଈଘିଅ ମିଶାଇ କ୍ଷତ ସ୍ଥାନରେ ଲଗାଇଲେ ବହୁତ ଶୀଘ୍ର କ୍ଷତସ୍ଥାନ ଭଲ ହୋଇଥାଏ ।

ପାଳିଜ୍ୱର :- ମଙ୍ଗଳବାର କିମ୍ୱା ଶନିବାର ଦିନ ଧଳାଦୁବ ଆଣି ପାନରସ ସହିତ ମିଶାଇ ଦୁଇ ଚାମଚ ଲେଖାଏଁ ଦିନକୁ ଦୁଇଥର ପିଇଲେ ଏକା ଥରକେ ପାଳିଜ୍ୱର ଭଲ ହୋଇଥାଏ ।

ଉକୁଣି :- ପାନରସକୁ ମୁଣ୍ଡରେ ମାଲିସ୍ କଲେ ଉକୁଣି ମରିଯାଆନ୍ତି ।

ପାନ ବିଷୟରେ ବର୍ଣ୍ଣନା କରିବା ମୋ ପକ୍ଷରେ ଧୃଷ୍ଟତା ମଧ୍ୟ । ସ୍ତ୍ରୀ ରୋଗ ଠାରୁ ଆରମ୍ଭ କରି ପୁରୁଷ ରୋଗ ପର୍ଯ୍ୟନ୍ତ ପାନର ଉପାଦେୟତା ଉପଲବ୍ଧି କରାଯାଇପାରେ । ପାଠକ ପାଠିକାମାନଙ୍କୁ ଏତିକି କୁହାଯାଇପାରେ ପାନ ଖାଇବାର ଅର୍ଥ ଏହା ନୁହେଁ ଯେ ପାନରେ ଅତ୍ୟଧିକ ଜର୍ଦା, ଅତ୍ୟଧିକ ଗୁଆ ଏବଂ ମୋତିଆର ମିଶାଇ ଖାଇବା । ଖାଲି ପାନରେ ଗୁଜୁରାତି, ଲବଙ୍ଗ, ପାନମଧୁରି, ଜାଇତ୍ରି, ଜାଇଫଳ, ପିପର୍‌ମେଣ୍ଟ୍, ଭଜା ଧନିଆ ମିଶାଇ ସେବନ କଲେ ଶରୀର ସୁସ୍ଥ ରହିବା ସହିତ ମୁଖ ସୁବାସିତ ହୋଇଥାଏ । ବାସ୍ତବିକ୍ ପାନ ଏ ପ୍ରକୃତିର ଏକ ଅମୂଲ୍ୟ ବରଦାନ ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top