ଆୟୁର୍ବେଦ

ଆୟୁର୍ବେଦ ଚିକିତ୍ସାରେ ତୁଳସୀ

Dr Debadatta Samantaray odia ayurbeda Ayurbeda Chikitsaare Tulasi

“ତୁଳସୀ”ର ନାମ ଉଚ୍ଚାରଣ କଲେ ସ୍ୱତଃପ୍ରବୃତ୍ତ ମନରେ ଧାର୍ମିକ ଏବଂ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୁଏ

ଆୟୁର୍ବେଦ ଚିକିତ୍ସାରେ ତୁଳସୀ

ଭାରତୀୟ ଧର୍ମ ଓ ସଂସ୍କୃତିରେ ତୁଳସୀର ଏକ ବିଶିଷ୍ଟ ସ୍ଥାନ ରହିଅଛି । ବହୁ ପ୍ରାଚୀନ କାଳରୁ ତୁଳସୀର ଧାର୍ମିକ ମହତ୍ତ୍ୱ ସହ ତୁଳସୀ ଔଷଧ ରୂପେ ମଧ୍ୟ ବ୍ୟବହାର ହୋଇ ଆସୁଅଛି । ଯଦିବା ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଏଥିରେ ଔଷଧୀୟ ଗୁଣ ଭରପୁର ହୋଇଅଛି, ତଥାପି ବର୍ତ୍ତମାନର ଆଧୁନିକ ଚିକିତ୍ସାରେ ମଧ୍ୟ ତୁଳସୀର ଉପଯୋଗୀତା ସର୍ବମାନ୍ୟ । ଭାରତୀୟ ଧର୍ମ, ସଂସ୍କୃତି, ପରମ୍ପରା ଅନୁଯାୟୀ ଏ ସଂସାରରେ ଏମିତି ଏକ ହିନ୍ଦୁ ପରିବାର ନାହିଁ, ଯାହାର ଅଗଣାରେ ତୁଳସୀ ଗଛଟିଏ ବିଦ୍ୟମାନ ନଥିବ । “ତୁଳସୀ”ର ନାମ ଉଚ୍ଚାରଣ କଲେ ସ୍ୱତଃପ୍ରବୃତ୍ତ ମନରେ ଧାର୍ମିକ ଏବଂ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୁଏ । ଏତଦ୍ଭିନ୍ନ ତୁଳସୀର ଔଷଧୀୟ ଗୁଣ ବର୍ଣ୍ଣନା କଲେ ଶରୀରର ସମସ୍ତ ରୋଗ ଆପେ ଆପେ ଦୂରୀଭୂତ ହୋଇଯାଏ । ତେବେ ଔଷଧ ରୂପରେ ତୁଳସୀର ସର୍ବାଙ୍ଗକୁ ବ୍ୟବହାର କରାଯାଏ ।

ତୁଳସୀର ଔଷଧୀୟ ଗୁଣ :-

  • ଥଣ୍ଡା, କାଶ ଓ ଶ୍ୱାସ ରୋଗରେ ତୁଳସୀ ବଡ଼ ଗୁଣକାରୀ । କିଛି ତୁଳସୀ ପତ୍ର ପ୍ରତ୍ୟେହ ଗାଧୋଇ ସାରିଲା ପରେ ଯଦି ଚୋବାଇ ଖାଇବେ ତେବେ ଥଣ୍ଡା, କାଶ ଓ ଶ୍ୱାସରୋଗରୁ ମୁକ୍ତି ସହ ଦାନ୍ତ ସର୍ବଦା ମଜ୍‌ଭୁତ ହୋଇଯାଏ । ତୁଳସୀ କଫନାଶକ ଅଟେ । ମହୁ, କର୍ପୂର ଏବଂ ତୁଳସୀର ପତ୍ରକୁ ସମାନ ମାତ୍ରାରେ ମିଶାଇ ସେବନ କଲେ କଫ ରୋଗରୁ ଲାଭ ମିଳିଥାଏ ।
  • ପେଟ ସମ୍ୱନ୍ଧୀୟ ସମସ୍ତ ରୋଗରୁ ମୁକ୍ତି ପାଇଁ ତୁଳସୀ ବ୍ୟବହାର କରିବା ଉଚିତ୍ । ପେଟରେ ଗ୍ୟାସ୍, ବଦହଜମି, ଅରୁଚି ଏବଂ କୋଷ୍ଠକାଠିନ୍ୟ ପାଇଁ ତୁଳସୀ ପତ୍ରକୁ ଅଳ୍ପ ଗରମପାଣିରେ ସିଝାଇ ପିଇଲେ ଲାଭ ମିଳିଥାଏ । ଯଦି ଅତିସାର କିମ୍ୱା ପତଳା ଝାଡ଼ା ହେଉଥାଏ ତେବେ ଜାଇଫଳ ରସ ଏବଂ ତୁଳସୀ ପତ୍ର ରସକୁ ଏକତ୍ର ମିଶାଇ ସେବନ କଲେ ଲାଭ ମିଳିଥାଏ ।
  • ମୂତ୍ର ସମ୍ୱନ୍ଧୀୟ ସମସ୍ତ ରୋଗର ମୁକ୍ତି ପାଇଁ ତୁଳସୀ ମଞ୍ଜିକୁ ବାଟି ତଥା କ୍ଷୀର ଏବଂ ମିଶ୍ରି ପକାଇ ଅଧଘଣ୍ଟା ସିଝାଇ ଥଣ୍ଡା କରି ପିଇଲେ ସମସ୍ତ ମୂତ୍ର ରୋଗରୁ ମୁକ୍ତି ମିଳିଥାଏ ।
  • ମ୍ୟାଲେରିଆ ତଥା ଡେଙ୍ଗୁ ଜ୍ୱରରୁ ବଞ୍ଚିବା ପାଇଁ ଗୋଟେ କପ୍ ନାଲି ଚା’ରେ ତୁଳସୀ ପତ୍ରକୁ ସିଝାଇ ପିଅନ୍ତୁ । ମ୍ୟାଲେରିଆ ଜ୍ୱରରେ ତୁଳସୀ ପତ୍ରରସରେ ମହୁ ଏବଂ ଗୋଲମରିଚ ମିଶାଇ ପିଇଲେ ଜ୍ୱର ଭଲ ହୋଇଥାଏ । ଅନ୍ୟ ଜ୍ୱରମାନଙ୍କରେ ତୁଳସୀର କାଢ଼ା ପ୍ରସ୍ତୁତି କରି ସେବନ କରିବା ଉଚିତ୍ ।
  • ଚର୍ମ ରୋଗରେ ମଧ୍ୟ ତୁଳସୀ ଲାଭଦାୟକ ଅଟେ । ଯାଦୁ ଏବଂ ଏକ୍ଜିମାରେ ତୁଳସୀ ପତ୍ରକୁ ଅଳ୍ପ ଲାଲ୍ ମାଟି ସହ ବାଟି ଦୈନିକ ଥରେ ଲେଖାଏଁ ଯାଦୁ ଓ ଏକ୍ଜିମା ଉପରେ ଲଗାଇଲେ ଖୁବ୍ କମ୍ ଦିନରେ ମୁକ୍ତି ମିଳିଥାଏ ।
  • ଯଦି ଶରୀରର କୌଣସି ଅଙ୍ଗ ନିଆଁରେ ଜଳି ଯାଇଥାଏ ତେବେ ନଡ଼ିଆ ତେଲ ସହ ତୁଳସୀ ରସ ମିଶାଇ ଲଗାଇଲେ ପୋଡ଼ା ଘା’ର ଜଳାପୋଡ଼ା ବନ୍ଦ ହୋଇଥାଏ । ଯଦି ନାକର ଭିତର ଭାଗରେ ବ୍ରଣ କିମ୍ୱା କୌଣସି ଘା’ ହୋଇଥାଏ ତେବେ ତୁଳସୀ ପତ୍ରକୁ ହାତରେ ମଳି ଶୁଙ୍ଘିଲେ ଲାଭ ମିଳିଥାଏ ।
  • ତୁଳସୀକୁ ପୀଡ଼ାନାଶକ ମଧ୍ୟ କୁହାଯାଏ । ଏହାର ରସକୁ ଜଖମ କିମ୍ୱା ବିନ୍ଧା ସ୍ଥାନରେ ଲେପ ଦେଲେ ଉପସମ ମିଳିଥାଏ । ମୁଣ୍ଡବିନ୍ଧା ହେଉଥିଲେ ତୁଳସୀପତ୍ର ରସ ସହ କର୍ପୂର ମିଶାଇ ଲଗାଇଲେ ମୁଣ୍ଡବିନ୍ଧା ତୁରନ୍ତ ଭଲ ହୋଇଥାଏ । ଦାନ୍ତ ବିନ୍ଧା ହେଉଥିଲେ ତୁଳସୀ ପତ୍ର ବଟା ସହ ଗୋଲମରିଚ ମିଶାଇ ଛୋଟ ଛୋଟ ବଟିକା ପ୍ରସ୍ତୁତ କରି ବିନ୍ଧୁଥିବା ଦାନ୍ତ ତଳେ ରଖିଲେ ତୁରନ୍ତ ବିନ୍ଧା କମିଯାଇଥାଏ । ଗଳା ଦରଜରେ ତୁଳସୀ ରସ ସହ ମହୁ ମିଶାଇ ଚାଟିଲେ ଲାଭ ମିଳିଥାଏ । ଶୀତଦିନେ କାନ ବିନ୍ଧୁଥିଲେ ତୁଳସୀପତ୍ର ରସ ଦୁଇବୁନ୍ଦା କାନରେ ପକାଇଲେ କାନବିନ୍ଧା କମି ଯାଇଥାଏ ।
  • ତୁଳସୀ ସୌନ୍ଦର୍ଯ୍ୟବର୍ଦ୍ଧକ ମଧ୍ୟ ଅଟେ । ମୁହଁରେ ଅନାବଶ୍ୟକ ଦାଗ ଦୂର କରିବା ପାଇଁ ତୁଳସୀ ରସ ସହ ସମମାତ୍ରାରେ ଲେମ୍ବୁରସ ମିଶାଇ ଲଗାଇଲେ କିଛିଦିନରେ ମୁହଁ ସଫା ହୋଇ ଯାଇଥାଏ । ହାଡ଼ଫୁଟି କିମ୍ୱା ବସନ୍ତର ଦାଗ ଦୂର କରିବା ପାଇଁ ତୁଳସୀ ପତ୍ରରେ କିଛି ଜୁଆଣୀ ମିଶାଇ ବାଟି ଲେପ ଦେଲେ ଦାଗରୁ ମୁକ୍ତି ମିଳିଥାଏ । ଓଠ ଫାଟୁଥିଲେ ତୁଳସୀ ରସ ସହ ଗୋଲାପ ଜଳ ମିଶାଇ ଓଠରେ ଲଗାଇଲେ ଓଠ ଫଟା ଭଲ ହୋଇଥାଏ ।
  • ବିଛା କାମୁଡ଼ିଲେ ପ୍ରଭାବିତ ସ୍ଥାନରେ ତୁଳସୀ ପତ୍ର ବାଟି ଲଗାଇଲେ ଲାଭ ମିଳିଥାଏ । ସର୍ବଶେଷରେ ଏତିକି କୁହାଯାଇପାରେ ପରିବାର ସମସ୍ତ ସଦସ୍ୟ ମିଶି ବାଡ଼ିରେ ତୁଳସୀ ବଗିଚା ସୃଷ୍ଟି କରନ୍ତୁ ଏବଂ ପ୍ରତ୍ୟେହ ସ୍ନାନାଦି କର୍ମ ସାରି ତୁଳସୀ ସେବନ କରି ନିଜର ସ୍ମରଣ ଶକ୍ତି ବୃଦ୍ଧି କରିବା ସହିତ ଉପର ଲିଖିତ ସମସ୍ତ ରୋଗରୁ ମୁକ୍ତି ପାଆନ୍ତୁ ।

ଜୟ ଜଗନ୍ନାଥ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top