ଆଧୁନିକ ଜୀବନ ଶୈଳୀ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇଛି । ତନ୍ମଧ୍ୟରୁ କୋଷ୍ଠକାଠିନ୍ୟ ଅନ୍ୟତମ । ଏହି ରୋଗର ଶିକାର ଛୋଟପିଲା, କିଶୋର, ଯୁବକ, ପ୍ରୌଢ଼ ଏବଂ ବୃଦ୍ଧ ସମସ୍ତେ ହୋଇଛନ୍ତି । ଏ ସମସ୍ୟା ଏକ ଏମିତି ସମସ୍ୟା ଯାହାକି ଅନେକ ସମସ୍ୟାର କାରଣ ଅଟେ । ଏଥିପାଇଁ ଏହି ସମସ୍ୟାରୁ ମୁକ୍ତି ପାଇଁ ମଣିଷ ଅନେକ ଚେଷ୍ଟା ପ୍ରଚେଷ୍ଟା କରିଛି । କିନ୍ତୁ ଏହାର ସ୍ଥାୟୀ ସମାଧାନ କିଛି କରିପାରି ନାହିଁ ।
ଆପଣଙ୍କ ଶରୀର ନିରୋଗୀ ସେତେବେଳେ ଥାଏ ଯେତେବେଳେ ଆପଣଙ୍କ ପେଟ ଭଲ ଭାବରେ ସଫା ହୋଇଥାଏ ବା ଝାଡ଼ା ସଫା ହୋଇଥାଏ । କିନ୍ତୁ ଏହି ଦୃଷ୍ଟିକୋଣରୁ ଆଜିର ସମାଜରେ କେତେଜଣ ସୁସ୍ଥ ଅଛନ୍ତି । ଯାହାକୁ ଦେଖ ତାହାର କୋଷ୍ଠକାଠିନ୍ୟର ସମସ୍ୟା । ତେବେ ଏ କୋଷ୍ଠକାଠିନ୍ୟ କ’ଣ ? ଏହା କାହିଁକି ହୁଏ ? ଏଥିରୁ କ’ଣ ମୁକ୍ତି ପାଇପାରିବାନି ? ଯଦି ହଁ ତେବେ କେମିତି ?
କୋଷ୍ଠକାଠିନ୍ୟ କ’ଣ ?
ପେଟ ଭଲଭାବରେ ସଫା ନ ହେବାର ସ୍ଥିତିକୁ ହିଁ କୋଷ୍ଠକାଠିନ୍ୟ କୁହାଯାଏ । ଏକ ସାମାନ୍ୟ ବ୍ୟକ୍ତି ଦିନକୁ ଦୁଇଥର ଶୌଚ ଯିବା ଉଚିତ୍ । କିନ୍ତୁ ଯେତେବେଳେ ବ୍ୟକ୍ତିର ୨୪ ଘଣ୍ଟାରେ ଥରେ ମଧ୍ୟ ଶୌଚ କର୍ମ ନ ହୋଇଥାଏ କିମ୍ୱା ଦୁଇତିନି ଦିନରେ ଥରେ ଝାଡ଼ା ହୁଏ କିମ୍ୱା ଅଳ୍ପମାତ୍ରାରେ ହୁଏ ତାହାକୁ କୋଷ୍ଠବଦ୍ଧତା କୁହାଯାଏ । କୋଷ୍ଠବଦ୍ଧତାକୁ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା- ସାଧାରଣ ଓ (କ୍ରୋନିକ୍) ପୁରାତନ । ସାଧାରଣ କୋଷ୍ଠବଦ୍ଧତା ଖାଇବା ପିଇବାର ଅନିୟମିତତା ଯୋଗୁଁ ହୋଇଥାଏ । ଯାହା କି ଦୁଇ ତିନିଦିନରେ ଠିକ୍ ହୋଇଯାଇଥାଏ । କିନ୍ତୁ କ୍ରୋନିକ୍ ବା ସ୍ଥାୟୀ କୋଷ୍ଠବଦ୍ଧତା ଲମ୍ୱା ସମୟ ପର୍ଯ୍ୟନ୍ତ ଲାଗି ରହିଥାଏ ।
କୋଷ୍ଠବଦ୍ଧତାର କାରଣ :-
ମାନସିକ ଦୁଶ୍ଚିନ୍ତା, ଥାଇରଡ୍ ଗ୍ରନ୍ଥିର ଅଗତିଶୀଳତା, ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା, ଆରାମଦାୟକ ଜୀବନଶୈଳୀ, ଫାଷ୍ଟଫୁଡ୍ ବା ଜଙ୍କଫୁଡ୍ ସେବନ କରିବା, ଖାଦ୍ୟରେ ଅନିୟମିତତା, ମଳର ବେଗକୁ ରୋକିବା, ଶାରୀରିକ ଶ୍ରମ ଓ ବ୍ୟାୟାମ ନ କରିବା, ଖାଦ୍ୟ ଜଲଦିରେ ଖାଇବା, ଆବଶ୍ୟକତାଠାରୁ କମ୍ ଖାଦ୍ୟ ଖାଇବା, ପାଣି କମ୍ ପିଇବା, ଚା’, କଫିର ଅଧିକ ବ୍ୟବହାର, ଧୂମ୍ରପାନ ଏବଂ ମଦ୍ୟପାନ ସେବନ ଆଦି ବହୁ କାରଣ ପାଇଁ କୋଷ୍ଠବଦ୍ଧତାର ରୋଗ ସୃଷ୍ଟି ହୋଇଥାଏ ।
କୋଷ୍ଠବଦ୍ଧତା ଜନିତ ରୋଗ :-
ଅର୍ଶ, ମଳକଣ୍ଟକ, ଭଗନ୍ଦର, ଗ୍ୟାଷ୍ଟିକ୍, ଏସିଡ଼ିଟି, ମୁଣ୍ଡ ବୁଲାଇବା, ଶରୀର ଦୁର୍ବଳ ଲାଗିବା, ଛାତି ବିନ୍ଦା, ପେଟ ଦରଜ, ହାର୍ନିଆ, ମୂତ୍ର ରୋଗ, ଆଣ୍ଠୁଗଣ୍ଠି ବାତ, ଶ୍ୱାସ, ମହିଳାମାନଙ୍କର ପ୍ରଦର ରୋଗ, ଉଚ୍ଚ ରକ୍ତଚାପ, ତୁଣ୍ଡ ଘା’, ମୁଣ୍ଡବିନ୍ଧା, ଆଳସ୍ୟ, ଶରୀର ଭାରି, ଚିଡ୍ଚିଡ଼ାପଣ, ବ୍ରଣ, ଚର୍ମରୋଗ ଆଦି ବହୁତ ରୋଗ କୋଷ୍ଠବଦ୍ଧତା ହିଁ କାରଣ ଅଟେ ।
କୋଷ୍ଠବଦ୍ଧତାରେ ଉପଯୋଗୀ ଫଳ :– ପିଜୁଳି, ଅଙ୍ଗୁର, ଅଞ୍ଜିର, ଅମୃତଭଣ୍ଡା, ପାଚିଲା ଡାଳିମ୍ୱ ଇତ୍ୟାଦି ।
ପନିପରିବା :- ଫୁଲକୋବି, ଧନିଆପତ୍ର, ଭେଣ୍ଡି, ଗାଜର, ଗୁଆଁର, ରସୁଣ, ଆଳୁ, ସଜନା, ପିଆଜ, କଲରା, ବାଇଗଣ, ସାରୁ, ଶିମ୍ୱ ଇତ୍ୟାଦି ।
କୋଷ୍ଠବଦ୍ଧତା ବା କୋଷ୍ଠକାଠିନ୍ୟରୁ ମୁକ୍ତି ପାଇଁ କେତେକ ଉପାଦେୟ ତଥ୍ୟ ନିମ୍ନରେ ପ୍ରଦାନ କରାଗଲା :-
– ଫଳରସ ବା ଫଳ ଜୁସ୍ ବଦଳରେ ଖାଦ୍ୟ ପରେ ଯେକୌଣସି ଫଳ ସେବନ କରନ୍ତୁ ।
– ଖାଦ୍ୟ ଖାଇବାର ଅଧଘଣ୍ଟା ପରେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ ।
– ସକାଳ ଜଳଖିଆରେ ଅଙ୍କୁରିତ ଖସ୍ୟ ଯଥା :- ଚଣାଗଜା, ମୁଗଗଜା, ଗହମ ଗଜା, ସୋୟାବିନ୍ ଇତ୍ୟାଦି ବ୍ୟବହାର କରନ୍ତୁ ।
– ନିୟମିତ ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ ।
– ଧୂମ୍ରପାନ ତ୍ୟାଗ କରନ୍ତୁ ।
– ଫାଷ୍ଟଫୁଡ୍ ଓ ଜଙ୍କଫୁଡ୍ ବ୍ୟବହାର କରନ୍ତୁ ନାହିଁ ।
– ଖାଦ୍ୟ ଧୈର୍ଯ୍ୟ ପୂର୍ବକ ଏବଂ ଠିକ୍ ଭାବରେ ଚୋବାଇ ଚୋବାଇ ଖାଆନ୍ତୁ ।
– ସପ୍ତାହରେ ଗୋଟିଏ ଓଳି ଉପବାସ ରୁହନ୍ତୁ ।
– ଶୋଇବାର ଦୁଇଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରନ୍ତୁ ।
– ଶାରୀରିକ ଶ୍ରମ କରନ୍ତୁ ।
– ଚୋକଡ଼ ମିଶା ଅଟା ବ୍ୟବହାର କରନ୍ତୁ ।
– ତମ୍ୱାପାତ୍ରରେ ସନ୍ଧ୍ୟାବେଳେ ରହିଥିବା ପାଣିକୁ ଶଯ୍ୟା ତ୍ୟାଗ ପରେ ତୁରନ୍ତ ଅଧୁଆ ମୁହଁରେ ପିଅନ୍ତୁ ।
– ଚା’ ଏବଂ କଫିରୁ ନିବୃତ୍ତ ରୁହନ୍ତୁ ।
– ଠିକ୍ ସମୟରେ ଶୁଅନ୍ତୁ ଏବଂ ଠିକ୍ ସମୟରେ ଉଠନ୍ତୁ ।