ସ୍ୱାସ୍ଥ୍ୟ

ବୈବାହିକ ଓ ପାରସ୍ପରିକ ସମ୍ପର୍କ – ସମସ୍ୟା ଓ ସମାଧାନ

Dr Nilamadhab Kar's odia health article Baibaahika o Paarasparika Samparka - Samasyaa O Samaadhaan

ସମ୍ପର୍କର ଅସୁବିଧା ପାଇଁ ପ୍ରଥମେ କ୍ଷମା ମାଗି ନେବାରେ କିଛି ଅସୁବିଧା ନାହିଁ – ନିଜ ମନ ହାଲୁକା ହେଇଯିବ – ପରେ ମତାନ୍ତରର କାରଣ ଉପରେ କଥାବାର୍ତ୍ତା କରି ତାର ସମଧାନ କରିବା ଓ ଆଉ ତାର ପୁନରାବୃତ୍ତି ନ ହେବା ପାଇଁ କଣ କରିବାବୁ ପଡିବ ସେସବୁ ଆଲୋଚନା କରିବା ଉଚିତ ।

ବୈବାହିକ ଓ ପାରସ୍ପରିକ ସମ୍ପର୍କ – ସମସ୍ୟା ଓ ସମାଧାନ

ବିବାହର ମୁଳଦୁଆ ସମ୍ପର୍କ । ସମ୍ପର୍କ କେବଳ ସ୍ୱାମୀ ସ୍ତ୍ରୀ ମଧ୍ୟରେ ନୁହେଁ, ବିବାହିତଙ୍କ ପରିବାର ଓ ବନ୍ଧୁମାନଙ୍କ ସହ ସମ୍ପର୍କ ବି ଅନେକ ମହତ୍ୱ ରଖିଥାଏ । ଯଦିଓ ଆଜିକାଲି କିଛି ବାହାଘରରେ ପୁଅ ଝିଅ ପରସ୍ପରକୁ ପୁର୍ବରୁ ଜାଣୁଛନ୍ତି, ତେବେ ଅନେକ ବାହାଘର, ପରିବାର ଲୋକେ ପୁର୍ବ ପରି ପୁଅଝିଅ ଖୋଜି ଯୋଗାଡ଼ କରୁଛନ୍ତି । ଏ ସବୁ କ୍ଷେତ୍ରରେ ବିବାହ ପୁର୍ବରୁ ପରସ୍ପରର ବ୍ୟକ୍ତିତ୍ୱକୁ ଭଲ ଭାବେ ଜାଣିବା ସମ୍ଭବ ହୋଇ ନପାରେ । କିନ୍ତୁ ଅଧିକାଂଶ ଦମ୍ପତ୍ତି ବାହାଘର ପରେ ଭଲ ଭାବେ ଚଳିଥାନ୍ତି । କେବଳ କିଛି ପରିବାରରେ ଅସୁବିଧା ଦେଖିବାକୁ ମିଳିଥାଏ ।

ବୈବାହିକ ସମ୍ପର୍କର ଅସୁବିଧା ଅନେକ କାରଣରୁ ହୋଇଥାଏ । ସେ କାରଣ ସବୁ ମଧ୍ୟରେ ବ୍ୟବହାର ଓ ବ୍ୟକ୍ତିତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି । ସମ୍ପର୍କ ବଜେଇ ରଖିବା ପାଇଁ ଅନ୍ୟମାନଙ୍କ ସହ ଖାପଖୁଏଇ ଚାଲିବା ଓ ଚାଲିପାରିବା ଅତ୍ୟନ୍ତ ଆବଶ୍ୟକ । ନିଜ ସ୍ୱାମୀ ବା ସ୍ତ୍ରୀ ଓ ତାଙ୍କ ପରିବାରର ଲୋକଙ୍କ ସହ ଭଲ ସମ୍ପର୍କ ବୈବାହିକ ଜୀବନର ଗୁଣମାନକୁ ବଢେଇ ଥାଏ, ସେମିତି ସମ୍ପର୍କରେ ଅସୁବିଧା ଜୀବନକୁ ଅସହ୍ୟକରିପାରେ । ବୈବାହିକ ସମ୍ପର୍କରେ ଅସୁବିଧା ଦ୍ୱାରା ଅଶାନ୍ତି, ଦ୍ୱେଷ, ରାଗ ଆଦି ମାନସିକ ଯନ୍ତ୍ରଣା ଛଡା ବେଳେବେଳେ ଶାରୀରିକ ଅତ୍ୟାଚାର ଦେଖିବାକୁ ମିଳିଥାଏ । କିଛି କ୍ଷେତ୍ରରେ ବିବାହ ବିଚ୍ଛେଦ ଘଟେ, କୋର୍ଟ କଚେରୀର ଦ୍ୱାରସ୍ଥ ହୋଇ ଲୋକେ ଅଯଥା ହଟହଟା ହୁଅନ୍ତି । ଦୁଃଖର କାରଣ ଏହା ଯେ ଏ ସବୁ ଧିରେ ଧିରେ ବଢୁଛି । ଏ ପରିପ୍ରେକ୍ଷୀରେ, ବିବାହ ଉପରେ ବ୍ୟକ୍ତିତ୍ୱର ପ୍ରଭାବ ସମ୍ପର୍କରେ ଜାଣିବା ଅତ୍ୟନ୍ତ ଜରୁରୀ ।

ସାଧାରଣତଃ ଦି ଜଣଙ୍କ ବ୍ୟକ୍ତିତ୍ୱପରସ୍ପର ପ୍ରତି ଅନୁକୁଳ ନ ହେଲେ ସମ୍ପର୍କରେ ଅସୁବିଧା ଦେଖାଯାଇଥାଏ । ତେବେ ଅନେକ ଲୋକ ଅନ୍ୟର କଥା, ଦୃଷ୍ଟିଭଙ୍ଗୀ, ଇଚ୍ଛା ଅନିଚ୍ଛା ବୁଝି, ନିଜ ବ୍ୟବହାରକୁ ବଦଳାଇ ପରିବାରିକ ଜୀବନରେ ସୁଧାର ଆଣି ପାରନ୍ତି । ଅନ୍ୟର ବିଚାରକୁ ସମ୍ମାନ ଦେଇ, ବୁଝାମଣା ଦ୍ୱାରା ଅଶାନ୍ତିକୁ ଏଡାଇଯାଇପାରନ୍ତି ।

ବେଳେବେଳେ ଏସବୁ ହୁଏନି । ନିଜର ଗର୍ବଓ ଅସହିସ୍ନୁତାଦ୍ୱାରା କେହି କେହି ଅନ୍ୟର ଦୃଷ୍ଟିଭଙ୍ଗୀ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ ବା ବୁଝିଲେ ବି ସେ ବିଷୟରେ ଗୁରୁତ୍ୱ ଦିଅନ୍ତି ନାହିଁ | ଧିରେ ଧିରେ ସମ୍ପର୍କରେ ବାଧା ଉପୁଜେ ଓ ବଢ଼େ । ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା ନ କଲେ ତାହା ଦିନକୁ ଦିନ ଖରାପ ହୁଏ, ସଢିଯାଏ, ଅନ୍ୟମାନଙ୍କୁ ଜଣାପଡେ, ଦୁରରୁ ବାରି ହୁଏ ।

ବ୍ୟକ୍ତିମାନଙ୍କର ପୁର୍ବ ନିର୍ଧାରିତ ମତ ଓ ସେ ମତକୁ ଉପଯୁକ୍ତ ଭାବେ ଓ ଦରକାର ବେଳେ ବଦଳାଇ ନ ପାରିବା ପାରସ୍ପରିକ ସମ୍ପର୍କର ଅସୁବିଧାର ଅନ୍ୟ ଏକ କାରଣ । ଅନେକ ଲୋକ ଭାବନ୍ତି ନିଜେ ନିଜ ମତରେ ଦୃଢ ରହିଲେ, ଅନ୍ୟ ଜଣଙ୍କ ସମୟକ୍ରମେ ପରିବର୍ତିତ ହେଇଯିବ, ‘ବଦଳି ଯିବ’ । ହୁଏତ କିଛି ଲୋକ ବଦଳି ଯାଆନ୍ତି, କିନ୍ତୁ ସମ୍ପର୍କର ଗୁଣମାନ ବଦଳେନି, ଖରାପରୁ ଆହୁରି ଖରାପ ହୁଏ । ଲୋକେ ଅନ୍ୟର ରୁଚି, କାମ ପସନ୍ଦ ଅପସନ୍ଦକୁ ଜଗିରଖି ବଞ୍ଚିବା ଶିଖିନିଅନ୍ତି । ‘ଘରକୁ ଡେରିରେ ଫେରିବାର ବାହାନା’ ଖୋଜିନିଅନ୍ତି, ଓ ନିଜେ ‘ଏକା ଏକା କରିହେଉଥିବା କାମ ବା ଅବସରରେ’ ବ୍ୟସ୍ତ ରହିବାକୁ ଚେଷ୍ଟା କରନ୍ତି । ‘ଏଟା ମୋ କାମ’, ‘ସେଟା ତା କାମ’ ଭାଗ ବଣ୍ଟାଯାଏ । କେହି ଅପେକ୍ଷା କରନ୍ତି ‘ପିଲା ବଡ ହେବାଯାଏ’ । କେହି କେହି କହନ୍ତି ‘ମୁ ବୋଲି ସିନା ସହିଛି, ଆଉ କିଏ ହେଇଥିଲେ କେବେଠୁ ଛାଡି ସାରନ୍ତାଣି’ – ଇତ୍ୟାଦି, ଇତ୍ୟାଦି । ଏ ସବୁ ଭିତରେ ସମ୍ପର୍କ ଭାଙ୍ଗିରୁଜି ଯାଉଥାଏ । ହୁଏତ ତାକୁ ଆଉ ଚିହ୍ନି ହୁଏନି ।

ଶାଶୁ ବୋହୁଙ୍କ ସମ୍ପର୍କ ଉପରେ ଅନେକ ଆଲୋଚନା, ଲେଖା, ପ୍ରସଂଗ, ତଥା ନାଟକ, ଟିଭି ସିରିଆଲ ଖୁବ ଜଣାଶୁଣା । ଦୁଇ ଜଣଙ୍କ ବ୍ୟକ୍ତିତ୍ୱରେ ଅସାମଞ୍ଜସ୍ୟ ବା ବ୍ୟକ୍ତିତ୍ୱ ବିକାର ଠାରୁ ଅନେକ ଅଧିକ ମାତ୍ରାରେ ନିଜ ଇଚ୍ଛା, ଆଶା, ରୀତି ନୀତି, ବଦଳୁଥିବା ସମାଜିକ ଦୃଷ୍ଟିଭଙ୍ଗୀ, ଅସହିସ୍ନୁତା, ଅନମନିୟ଼ତା, କଠୋରତା ଆଦି କାରଣ ସବୁ ସମ୍ପର୍କର ଅସୁବିଧା ମୁଳରେ ଦେଖା ଯାଇଥାଏ । ପୁଅବୋହୁ/ ଝିଅଜୋଇଁ ମାନଙ୍କର ବାପାମା / ଶାଶୁଶଶୁରଙ୍କୁ ଅସମ୍ମାନ ଓ ଅବଜ୍ଞା, ସେମାନଙ୍କ ପାଇଁ ଅଯତ୍ନଶୀଳତା, ଦାୟିତ୍ଵହୀନତା ଏକ ବଡ କାରଣ। ସେମିତି ଶାଶୁଶଶୁର ଓ ବାପାମାଙ୍କର ପିଲାମାନଙ୍କ ନିତିଦିନିଆ ଜୀବନରେ ଅଯଥା ହସ୍ତକ୍ଷେପଅରୁଚିକର ହୋଇ ଅସୁବିଧା ସୃଷ୍ଟି କରିଥାଏ । ଏହା ଛଡା ବିଭିନ୍ନ ଲୋକମାନଙ୍କ ଦ୍ୱାରାନିୟମ କାନୁନର ଅସତ ଉପଯୋଗ ସମ୍ପର୍କର ଅସୁବିଧାକୁ ଆହୁରି ବଢେଇ ଥାଏ ।

କିଛି କ୍ଷେତ୍ରରେ ସମ୍ପର୍କର ଅସୁବିଧା ପଛରେ ବ୍ୟକ୍ତିତ୍ୱ ବିକାର ଏକ କାରଣ ହୋଇପାରେ । ମଣିଷର ବ୍ୟବହାର, ମନର ଭାବ, ପ୍ରତିକ୍ରିୟା, ଏମିତି ବହୁ ଗୁଣର ସମାହାରରେ ବ୍ୟକ୍ତିତ୍ୱ ନିର୍ଧାରିତ ହୋଇଥାଏ । ଏମିତି ବହୁ ଗୁଣ, ଅବିଗୁଣ ଯୋଡି ହେଇ କିଛି ଲୋକଙ୍କଠାରେ ବ୍ୟକ୍ତିତ୍ୱ ବିକାର ଥାଏ । ବିଭିନ୍ନ ରକମର ବ୍ୟକ୍ତିତ୍ୱ ବିକାର ଦେଖାଯାଏ । ବ୍ୟକ୍ତିତ୍ୱ ବିକାରଗ୍ରସ୍ତ ମଣିଷ ସାଧାରଣତଃ ଅନ୍ୟମାନଙ୍କ ସହ ଖାପ ଖୁଏଇ ଚଳିପାରନ୍ତି ନାହିଁ । ଭାବଗତ ଚଞ୍ଚଳତା, ଅଚିରେ ଅତ୍ୟଧିକ ରାଗ, କ୍ରୋଧ, ସନ୍ଦେହ, ଅସହିଷ୍ଣୁତା, ପରଶ୍ରୀକାତରତା, ହୃଦୟହୀନତା; ଅନ୍ୟର କଥା, ଭାବ, ଦୁଃଖ ବା ଖୁସି ବୁଝି ନ ପାରିବା, ଇତ୍ୟାଦି ଏମିତି ଲୋକଙ୍କ ପାଖରେ ଦେଖାଯାଏ । ପରିବାର, ନିଜ ସ୍ୱାମୀ ବା ସ୍ତ୍ରୀ, ଅନ୍ୟକେହି ବୁଝେଇବା, ଚେଷ୍ଟା କରିବାରେ କିଛି ଲାଭ ବା ପରିବର୍ତ୍ତନ ହୁଏନି । ଏଭଳି ଲୋକଙ୍କ ପାଇଁ ମାନସିକ ଓ ମନସ୍ତାତ୍ଵିକ ଚିକିତ୍ସା ଦରକାର ହୁଏ । ତେବେ ଏସବୁ ବିଷୟରେ ସାଧାରଣ ଲୋକମାନଙ୍କ ପାଖରେ ଆବଶ୍ୟକ ସୂଚନାର ଅଭାବ ଦେଖାଯାଏ । ତା ଛଡା ଅଧିକାଂଶବେଳେ ବ୍ୟକ୍ତିତ୍ୱ ବିକାରଗ୍ରସ୍ତ ଲୋକ ନିଜର ଏପରି ଅସୁବିଧା ଅଛି ବୋଲି ଜାଣି ନଥାନ୍ତି; ଅନେକେ ଜାଣିଲେ ବି ତାକୁ ମାନିବାକୁ ଚାହାନ୍ତି ନାହିଁ କି ଚିକିତ୍ସା ନେବାକୁ ଇଚ୍ଛା କରନ୍ତି ନାହିଁ । ଯଦିଓ ଅଯଥାର୍ଥ, ତେବେ ସମାଜରେ ଲଜ୍ୟା, ଅପବାଦ, କୁତ୍ସା ଏହାର ଏକ କାରଣ ହୋଇଥାଏ । ବେଳେବେଳେ ସେମାନେ ବିଭିନ୍ନ କାରଣ ଯଥା ସମୟ ବା ସମ୍ବଳର ଅଭାବ ଦର୍ଶାଇଥାନ୍ତି । ଏହି ଅସୁବିଧାର ଉପଯୁକ୍ତ ଚିକିତ୍ସା ପାଇଁ ଅଭିଜ୍ଞ ମନଚିକିତ୍ସକ ଓ ମନସ୍ତତ୍ଵବିତଙ୍କର ବି ଅଭାବ ରହିଛି ।

ସମ୍ପର୍କର ଅସୁବିଧା ଦ୍ୱାରା ଜୀବନର ଗୁଣମାନ ନଷ୍ଟ ହେବା ସଙ୍ଗେ ସଙ୍ଗେ – କଥାବାର୍ତ୍ତା, ବ୍ୟବହାର, ନିଜ କାର୍ଯ୍ୟ କୁଶଳତା, କାର୍ଯ୍ୟ କ୍ଷମତା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । ଅନେକ ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ମାନସିକ ଓ ଶାରୀରିକ ଯାତନା ଦେଇଥାନ୍ତି । ଧିରେ ଧିରେ ଅସବୁ ନିତିଦିନିଆ କଥା ହେଇ ଲାଗିରହେ । କେହି କେହି ଦମ୍ପତି ନିଜ ପରିବାରର ଲୋକଙ୍କ ଠାରୁ ଦୁରେଇ ଯାଆନ୍ତି । ସ୍ୱାମୀ ସ୍ତ୍ରୀ ଅଲଗା ରହନ୍ତି; ବେଳେବେଳେ ବିବାହ ବିଛେଦ ଘଟେ । ପିଲାଙ୍କ ଉପରେ ଓ ନିଜ ବୃଦ୍ଧ ବାପାମାଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡେ । ସମ୍ପର୍କର ଅସୁବିଧାରେ କେହି କେହି ଆତ୍ମହତ୍ୟା ବି କରିଥାନ୍ତି ।

ସମ୍ପର୍କକୁ ଗଢିବାକୁ ବା ସୁଧାରିବାକୁ କଣ କରାଯାଇପାରିବ, ସେସବୁର ଆଲୋଚନା ଦରକାର ।

*** ପ୍ରଥମେ ନିଜେ ନିଜର ଇଚ୍ଛା, ଅନିଚ୍ଛା ଓ ନିଜକୁ ବୁଝନ୍ତୁ । ଆପଣଙ୍କ ବ୍ୟବାହିକ ଜୀବନକୁ ଖୁସିରେ ରଖିବାକୁ ଆପଣ କଣ କରିପାରିବେ ସେ କଥା ଭାବନ୍ତୁ । ଅନ୍ୟ ଜଣଙ୍କ ବା ଆଉ କିଏ କଣ କରିବା ଉଚିତ୍ ବା କରିବା ଦରକାର ସେ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଆପଣ ଅନ୍ୟକୁ ବଦଳେଇ ପାରିବେ ନାହିଁ – ବଦଳେଇବାର ଚେଷ୍ଟାରେ ଆପଣ ନିଜ ବୈବାହିକ ସମ୍ପର୍କକୁ ବରଂ ଅଧିକ ଖରାପ କରିବେ ।

*** ନିଜର ସ୍ୱାମୀ ବା ସ୍ତ୍ରୀଙ୍କ ଗୁଣ ପାଇଁ ତାଙ୍କୁ ଭଲ ପାଇବା ଓ ବାହାବା ଦେବା ସହ; ତାଙ୍କ ଦୋଷ ଦୁର୍ବଳତାକୁ ଚିହ୍ନି, ସେସବୁର ନିନ୍ଦା, ସମାଲୋଚନା ବା ଆକ୍ଷେପ ନ କରି, ସେସବୁର ସମାଧାନ ପାଇଁ ଉପାୟ କରି ସାହାଯ୍ୟ କରିପାରିବା ଦରକାର ।

*** ନିଜ ମତକୁ ଅନୁଶୀଳନ କରିବା ସଙ୍ଗେ ସଙ୍ଗେ, ଅନ୍ୟ ଜଣଙ୍କ ମତକୁ ସେମାନଙ୍କ ପଟରେ ଠିଆ ହେଇ ବୁଝିବାକୁ ଚେଷ୍ଟା କରନ୍ତୁ । ଅନ୍ୟମାନଙ୍କ ଦୃଷ୍ଟିରେ କଥାସବୁକୁ ଦେଖିପାରିବା ଏକ କୁଶଳତା ବା ଗୁଣ । ସେମିତି ନିଜେ ନିଜର ଭୁଲ ଦୃଷ୍ଟିଭଙ୍ଗୀକୁ ଜାଣି ସୁଦ୍ଧା ବଦଳେଇ ନପାରିବା ଏକ ଅକ୍ଷମତା, ଯାହା ଅନେକଙ୍କ ଠାରେ ଦେଖିବାକୁ ମିଳିଥାଏ । ସେ ପ୍ରତି ସଜାଗ ରହନ୍ତୁ ।

*** ପରିବାର-କୈନ୍ଦ୍ରିକ ହୋଇ କଥାସବୁର ବିଚାର କରନ୍ତୁ । ସବୁବେଳେ ନିଜ ତରଫରୁ ବିଚାର ନକରି, ପରିବାରପାଇଁ, ନିଜ ସମ୍ପର୍କ ପାଇଁ, ଭବିଷ୍ୟତ ପାଇଁ କଣ ଭଲ ହେବ ସେସବୁ ବିଚାର କରନ୍ତୁ । ନିଜର, ଏମିତିକି ଅନ୍ୟମାନଙ୍କର ଇଚ୍ଛା ଆପଣଙ୍କ ପରିବାର ଉପରେ ନକରାତ୍ମକ ପ୍ରଭାବ ପକାଉଛି କି, ତାହା ପରୀକ୍ଷା କରି ନିଅନ୍ତୁ ।

*** ବେଳେ ବେଳେ ସମ୍ପର୍କର ଗୁଣମାନ ପରଖି ନିଅନ୍ତୁ । ଆପଣଙ୍କ ବୈବାହିକ ସମ୍ପର୍କ କେତେ ଭଲ ଅଛି ତାକୁ ନିଜର ଏକ ମାପଦଣ୍ଡରେ ମାପି ନିଅନ୍ତୁ ଓ କେମିତି ତାକୁ ଉନ୍ନତ କରିହେବ ସେ ବିଷୟରେ ଚିନ୍ତା କରନ୍ତୁ । ମାପଦଣ୍ଡର ଏକ ଉଦାହରଣ ହେଲା ୦ = ଅତି ଖରାପ, ୫ = ଠିକ ଠାକ୍, ଓ ୧୦ = ଖୁବ ଭଲ । ସମ୍ପର୍କର ମାତ୍ରାକୁ ଭଲ ଆଡକୁ ନେବାକୁ ତତ୍ପର ରହନ୍ତୁ ।

*** ନିଜ ପାଇଁ, ନିଜକୁ ଭଲ ଲାଗୁଥିବା କାମ ବା ଅବସର ବିନୋଦନ ପାଇଁ ସମୟ ଦିଅନ୍ତୁ । ନିଜେ ମାନସିକ ଚାପରେ ରହିଲେ ଏହା ଆପଣଙ୍କ ସମ୍ପର୍କକୁ ପ୍ରଭାବିତ କରିବ । ନିଜେ ଖୁସିରେ ରହିଲେ, ଆପଣ ଆପଣଙ୍କ ସମ୍ପର୍କକୁ ସୁନ୍ଦର କରି ପାରିବେ ।

*** ଅନ୍ୟମାନଙ୍କ ପାଇଁ ବି ସମୟ ଦିଅନ୍ତୁ । ନିଜ ସ୍ୱାମୀ, ସ୍ତ୍ରୀ ଓ ପରିଜନ, ଯେଉଁମାନେ ଆପଣଙ୍କ ସମ୍ପର୍କର ଶୁଭାକାଂକ୍ଷୀ, ସେମାନଙ୍କ କଥା ବୁଝନ୍ତୁ । ଖାଲି ନିତିଦିନିଆ କଥା ନୁହେଁ, ସେମାନଙ୍କ ସୁଖ ଦୁଃଖ, ଭଲମନ୍ଦ, ପଚାରନ୍ତୁ, ସେମାନଙ୍କୁ ନିରୋଳା ସମୟ ଦିଅନ୍ତୁ । ଦରକାର ବେଳେ, ଅସମୟରେ, ଆପଣଙ୍କ ସମ୍ପର୍କର ଘୁର୍ଣ୍ଣିରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବେ ।

***ମାନସିକ ଚିନ୍ତା ବା ଚାପ ଥିଲେ ସେସବୁକୁ ସ୍ୱାମୀ, ସ୍ତ୍ରୀ ଓ ପରିବାରର ଯେଉଁମାନଙ୍କୁ କହିପାରିବେ ସେମାନକୁ କହନ୍ତୁ, କହି ପକେଇଲେ ମନ ହାଲୁକା ହୁଏ । କଥାରେ ଅଛି ପରା ଦୁଃଖ ବାଣ୍ଟିଲେ ସରେ । ତେବେ ବେଳେବେଳେ ଲୋକେ ‘ଅନ୍ୟମାନେ, ମୁଁ ନ କହିଲେ ବି, ମୋ କଥା ବୁଝିବା ଦରକାର’ ବୋଲି ଭାବି ବସି ରହନ୍ତି, ମନ ମାରି, ଅଭିମାନ କରି ଅପେକ୍ଷା କରନ୍ତି । ସେଥିରେ ଅନେକ ବେଳେ ଲାଭ ହୁଏନି । କାରଣ ଅନ୍ୟମାନେ ସାହାଯ୍ୟ କରିବାକୁ ଇଚ୍ଛା ଥିଲେ ବି, ବେଳେ ବେଳେ ବିଭିନ୍ନ କାରଣରୁ ଅନ୍ୟର ଅସୁବିଧା ବୁଝି ପାରନ୍ତି ନାହିଁ, ବା ଠଉରେଇପାରନ୍ତି ନାହିଁ ।

*** ବେଳ ଥାଉଁ ଥାଉଁ ନିଜ ଅସୁବଧା ପାଇଁ ସାହାଯ୍ୟ ଖୋଜନ୍ତୁ ‘ଅନ୍ୟ ମାନେ ବୁଝି ସାହାଯ୍ୟ କରିବେ ବା କରନ୍ତୁ’ ବୋଲି ଭାବି ବସି ରହନ୍ତୁ ନାହିଁ । ସେଥିରେ ଅନ୍ୟମାନଙ୍କ ଉପରେ ମିଛରେ ଅସନ୍ତୋଷ ଓ ଦ୍ୱେଷ ବଢିବ ।

*** ପୃଥିବୀର ସବୁ ଜାଗାରେ କିଛି ସାମାଜିକ ରୀତି ନୀତି, ନିୟମ, ଚଳଣି ଅଛି ଓ ଲୋକେ ସେସବୁକୁ ଯେତେ ସମ୍ଭବ ମାନି, ସମ୍ମାନ ଦେଇ ଚଳିବାକୁ ପସନ୍ଦ କରନ୍ତି । ନିଜ ଘର ପରିବାରରେ ଥିବା ଚଳଣିକୁ ଯେତେ ସମ୍ଭବ ମାନି ଚଳନ୍ତୁ ଓ ସେସବୁର ସମ୍ମାନ / ଆଦର କରନ୍ତୁ । ତେବେ ବେଳେବେଳେ ବିଭିନ୍ନ କାରଣରୁ ଚଳଣିକୁ ମାନିବାକୁ ଲୋକେ ଚାହାନ୍ତି ନାହିଁ । କୌଳିକ, ଅନ୍ଧବିଶ୍ୱାସ, ଧର୍ମବିଶ୍ୱାସ ଭିତ୍ତିକ ପ୍ରଥା ସବୁ ମାନିବାକୁ ଯୁବପିଢିମାନଙ୍କର ଅନିଚ୍ଛା ପ୍ରକାଶ ବୁଝାଯାଇପାରେ । କାରଣବିହୀନ, ଅଯୋକ୍ତିକ ପ୍ରଥାକୁ ମାନିବାକୁ କାହାରିକୁ ବାଧ୍ୟ କରନ୍ତୁ ନାହିଁ । ସେମିତି ପ୍ରଥାସବୁକୁ ମାନୁଥିବା ଲୋକମାନଙ୍କୁ ହତାଦର ବା ଅସମ୍ମାନ କରନ୍ତୁନାହିଁ । ଆପଣ ନିଜେ ମାନି ନ ପାରନ୍ତି, କିନ୍ତୁ କଟୁ ମନ୍ତବ୍ୟ ଦେବା, ଦୁରେଇ ଯିବା ଓ ସେ ପାଇଁ ସମ୍ପର୍କକୁ ଜଳାଞ୍ଜଳି ଦେବା ଉଚିତ ନୁହେଁ ।
*** କୌଣସି ବିଷୟରେ ମତାନ୍ତର ଥିଲେ ଆପଣ ଏ ବିଷୟରେ ଅନ୍ୟ ଜଣଙ୍କୁ ବୁଝାନ୍ତୁ । ନ ବୁଝିଲେ, ଏ ବିଷୟରେ ଆପଣଙ୍କର ଭିନ୍ନ ମତ ଅଛି ବୋଲି ଧରି ନିଅନ୍ତୁ । ବହୁତ କଥାରେ ଦୁଇ ଜଣଙ୍କ ଭିତରେ ମତ ଅଲଗା ରହିପାରେ ତେବେ ଅବୁଝାମଣା ରହିବା ଉଚିତ ନୁହେଁ, ତା ପାଇଁ ସମ୍ପର୍କ ଖରାପ କରିବା ଉଚିତ ନୁହେଁ । ଏ ଭୁଲି ଯିବା ଉଚିତ ନୁହେଁ ଯେ ଅନେକ ବିଷୟରେ ଆପଣମାନଙ୍କ ଭିତରେ ଏକମତ ଅଛି, ଏକା ଲକ୍ଷ୍ୟ ଅଛି ଓ ଭଲ ପାଇବା ଅଛି । ପ୍ରିୟ ରହନ୍ତୁ, ଗୋଟିଏ ମତଭେଦ ପାଇଁ ଅପ୍ରିୟ ହୁଅନ୍ତୁ ନାହିଁ ।

*** ମତାନ୍ତର ଯଦି ଦୁଇ ପୀଢିର ଲୋକଙ୍କ ଭିତରେ ଥାଏ, ତା ହେଲେ ସମାଧାନର ପ୍ରକ୍ରିୟା ପାଇଁ କିଛି କଥା ମନେ ରଖିବା ଉଚିତ । ଯୁବପିଢୀମାନେ ବିଚାରଶକ୍ତିରେ ସାଧାରଣତଃ ଅଧିକ ନମନୀୟ ଥାଆନ୍ତି ଓ ସେମାନେ ବିଭିନ୍ନ ଦିଗରୁ ସମାଧାନ ବିଷୟରେ ଚିନ୍ତା କରି, ତା ସହ ଖାପଖୁଏଇ ପାରିବେ ବୋଲି ଆଶା କରାଯାଇପାରେ । ସେମିତି ବୟସ୍କମାନେ ସେମାନଙ୍କ ଅନୁଭୁତି ଓ ଜ୍ଞାନରେ ସମାଧାନ ପାଇଁ ପରାମର୍ଶ ଦେଇ ପାରିବେ । ବିଭିନ୍ନ ଉପାୟକୁ ଅଂଗୀକାରକରି ତାକୁ ରୁପରେଖ ଦେବା ଅଳ୍ପ ବୟସ୍କମାନଙ୍କ ପାଇଁ ସହଜ ହୋଇପାରେ । ବୟସ୍କମାନଙ୍କର ଶାରୀରିକ ଅବସ୍ଥା ଓ ଅନ୍ୟ ସମାଜିକ, ଅର୍ଥନୈତିକ ଅବସ୍ଥାସବୁକୁ ବିଚାରକୁ ନେଲେ, ଅଧିକାଂଶବେଳେ ସମସ୍ୟା ସମାଧାନର ଓ ପରିବର୍ତ୍ତନର ଅଧିକ ଉପାୟ ଓ ସୁଯୋଗ ସାଧାରଣତଃ ଅଳ୍ପବୟସ୍କଙ୍କ ପାଖରେ ଥାଏ । ତେଣୁ ବାପାମା ବା ଶାଶୁଶଶୁରଙ୍କ ସହ ସମ୍ପର୍କଗତ ଅସୁବିଧା ଥିଲେ ପୁଅବୋହୁ ବା ଝିଅଜୋଇଁମାନଙ୍କର ସମାଧାନ ଖୋଜିବାର ଭୁମିକା ବେଶି । ତେବେ ସମସ୍ତଙ୍କୁ ସୁହେଇଲା ପରି, ସହଜ, ସରଳ ସମାଧାନ ଖୋଜିବାର ଦାୟିତ୍ଵ ସମସ୍ତଙ୍କର ।

*** ନିଜର ଭୁଲ ଥିଲେ ଅଚିରେ କ୍ଷମା ମାଗି ନିଅନ୍ତୁ । ଅଧିକାଂଶ ବେଳେ ନିଜର ଭୁଲ ଅଛି ଜାଣି ସୁଦ୍ଧା ଲୋକେ ମାନନ୍ତି ନାହିଁ; ନିଜ ମୁହଁ ରଖିବା ପାଇଁ ହେଉ ବା ସମସ୍ତଙ୍କ ଆଗରେ ନ ହାରିବା ପାଇଁ ହେଉ । ଅଯଥାରେ କଥା ବଢ଼େ, ଯେଉଁଠି ଖୁବ ସହଜରେ ସମାଧାନ ସମ୍ଭବ ହୋଇପାରନ୍ତା, ସେଠି କଥା ତିଳରୁ ତାଳ ପାଲଟି ଯାଏ । ନିଜ କଥାରେ ଅଡି ରହିଲେ ନିଜର ଗର୍ବ ଓ ବଡପଣ ବଜେଇ ରହିବ ବୋଲି ଲୋକେ ଭାବନ୍ତି । ତେବେ ବଡପଣ ବୁଝିବାରେ, ସ୍ୱୀକାର କରିବାରେ ଥାଏ ।

*** ଅସୁବିଧାରେ, ମନାନ୍ତର, ମତାନ୍ତର ବା କଳିଗୋଳ ହେଲେ – କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ । ମନ ଶାନ୍ତ ହେବାପରେ ସବୁ କଥାର ଅନୁଶୀଳନ କଥାବାର୍ତ୍ତା କରନ୍ତୁ । ଅନ୍ୟର ସାହାଯ୍ୟ ନିଅନ୍ତୁ । ଏ ଦିଗରେ ଆପଣ ଆଗେ ଆଗଭର ହୁଅନ୍ତୁ, ନିଜ ମନର ମାନସିକ ଶାନ୍ତି ଫେରାଇ ଆଣିବାପାଇଁ । ଅନେକ ବେଳେ ଲୋକେ ‘ତା ଦୋଷ, ସେ ଆଗେ କ୍ଷମା ମାଗୁ’ ବୋଲି ଅପେକ୍ଷା କରନ୍ତି । ସେ ଅପେକ୍ଷା ଶେଷ ହୁଏନି ବେଳେବେଳେ । ସମ୍ପର୍କର ସେମିତି ଖଣ୍ଡିଆ ଖାବରା ହେଇ ପଡିଥାଏ ଜଣେ କିଏ ବୁଝି ତାକୁ ଠିକ କରିବା ପାଇଁ ଆଗଭର ହେବା ଯାଏ । ଦୋଷ ଖୋଜି ବସିଲେ ସାଧାରଣତଃ ଲାଗେ ଯେ ଅପର ଜଣକ ହିଁ ଦୋଷୀ । ନିଜ ଦୋଷ ଦେଖିପାରିବା ଓ ତାକୁ ଠିକ କରିବାପାଇଁ ତତ୍ପର ହେବା ଏକ ବିଶେଷ ଗୁଣ । କିନ୍ତୁ ‘ଗୋଟେ ହାତରେ ତାଳି ବାଜେନି’ ଯୁକ୍ତିରେ ଅଧିକାଂଶ ବେଳେ ଉଭୟଙ୍କର ଅଳ୍ପ ବହୁତ ଯୋଗଦାନ ଥାଏ । ‘କଥା ମାଜିଲେ ମୋଟ’ । ତେଣୁ ବେଶି ସମୟ ସମ୍ପର୍କକୁ ରୁଗ୍ଣ ନ ରଖି, ‘ନେଡି ଗୁଡ କହୁଣୀକୁ ବୋହିଯିବା’ ପୁର୍ବରୁ, ତାର ଉପଚାର ଆରମ୍ଭ କରିବା ଉଚିତ । ସମ୍ପର୍କର ଅସୁବିଧା ପାଇଁ ପ୍ରଥମେ କ୍ଷମା ମାଗି ନେବାରେ କିଛି ଅସୁବିଧା ନାହିଁ – ନିଜ ମନ ହାଲୁକା ହେଇଯିବ – ପରେ ମତାନ୍ତରର କାରଣ ଉପରେ କଥାବାର୍ତ୍ତା କରି ତାର ସମଧାନ କରିବା ଓ ଆଉ ତାର ପୁନରାବୃତ୍ତି ନ ହେବା ପାଇଁ କଣ କରିବାବୁ ପଡିବ ସେସବୁ ଆଲୋଚନା କରିବା ଉଚିତ ।

*** ସମ୍ପର୍କର ଅସୁବିଧା ଗୁଡିକର ସମାଧାନ କରନ୍ତୁ । ସେସବୁକୁ ଅଣଦେଖା ବା ଅବହେଳା କରନ୍ତୁ ନାହିଁ । ଘୋଡାଇ ପକାନ୍ତୁ ନାହିଁ । ‘ଧିରେ ଧିରେ ସବୁ ଠିକ ହେଇଯିବ’, ‘ଭୁଲି ହେଇ ଯିବ’, ବୋଲି ଭାବନ୍ତୁ ନାହିଁ ।

*** ସମାଧାନ ପାଇଁ ନିଜ ଆତ୍ମସମ୍ମାନ ବଳି ପକାନ୍ତୁ ନାହିଁ କି ଅନ୍ୟକୁ ନୀଚ ବୋଲି ଦେଖାଇବାକୁ ଚେଷ୍ଟା କରନ୍ତୁ ନାହିଁ ।

*** ଆପଣ ନିଜେ ଯେମିତି ବ୍ୟବହାର ଚାହାନ୍ତି ନାହିଁ ସେମିତି ବ୍ୟବହାର ଆପଣ ଅନ୍ୟମାନଙ୍କ ସହ କରନ୍ତୁ ନାହିଁ । ଅନ୍ୟମାନଙ୍କ ମାନସିକ ଅଶାନ୍ତିର କାରଣ ହେଲେ, ଆପଣ ନିଜେ ବି ଅଶାନ୍ତିରେ ରହିବେ ।

*** ବେଳେବେଳେ ସମସ୍ୟାର ସମଧାନ ସମ୍ଭବ ନ ହେଇପାରେ, କୋଣସି ବିଷୟରେ ମତାନ୍ତର ରହିପାରେ । ସେସବୁକୁ ଚିହ୍ନି ଗ୍ରହଣ କରିବା ଉଚିତ୍, ଏବଂ ତାହା ଯେ ସମ୍ପର୍କରେ ଆଞ୍ଚ ନ ଆଣେ ତା ପ୍ରତି ସଜାଗ ରହିବା ଉଚିତ ଓ ଚେଷ୍ଟା କରିବା ଉଚିତ ।

*** ଯେତେ ଶୀଘ୍ର ସମ୍ଭବ ଆପଣ ସ୍ଵାଭାବିକ ଅବସ୍ଥା ଫେରାଇ ଆଣନ୍ତୁ । ନିତିଦିନିଆ ସାଧାରଣ କାମଦାମକୁ କରିଚାଲନ୍ତୁ । ସମ୍ପର୍କରେ ଅସୁବିଧା ଅଛି ବୋଲି ମନମାରି କାମଠୁ ବା ଦାୟିତ୍ଵରୁ ଦୁରେଇ ଯାଆନ୍ତୁ ନାହିଁ । ଏବଂ ବିଶେଷ କରି ସମ୍ପର୍କର ଅସୁବିଧାସବୁକୁ ଶୋଇବା ଘରକୁ ନିଅନ୍ତୁ ନାହିଁ ! ଅନ୍ୟ ଦୃଷ୍ଟିରେ କହିଲେ, କୌଣସି କଥା ପାଇଁ ଦେଖା ଯାଇଥିବା ଅସୁବିଧା ଆପଣଙ୍କ ଜୀବନର ଅନ୍ୟ ସବୁ ଦିଗରେ ପ୍ରଭାବ ପକେଇବା ଉଚିତ୍ ନୁହେଁ ।

*** ବେଳେ ବେଳେ ଏହା ପରୀକ୍ଷା କରିବା ଦରକାର ଯେ ଆପଣଙ୍କପାରସ୍ପରିକ ସମ୍ପର୍କର ଅସୁବିଧା ପାଇଁ କେହି ତୃତୀୟ ଲୋକ ତ ଦାୟୀ ନୁହନ୍ତି ? ସେମାନଙ୍କ କଥା, ମତ, ଉଦ୍ଦେଶ୍ୟ ବୁଝନ୍ତୁ । ସେମାନଙ୍କୁ ବୁଝେଇ ଦିଅନ୍ତୁ ବା ଦରକାର ହେଲେ ସେମାନଙ୍କୁ ତାଙ୍କ ସୀମା ଦର୍ଶେଇ ଦିଅନ୍ତୁ । ଅନ୍ୟମାନଙ୍କ ପାଇଁ ନିଜକୁ ଉତ୍ତେଜିତ କରି, ନିଜ ସମ୍ପର୍କରେ ଆଞ୍ଚ ଆଣନ୍ତୁ ନାହିଁ ।

*** ଦରକାର ପଡିଲେ, ପ୍ରିୟଜନମାନଙ୍କର ପରାମର୍ଶ ନିଅନ୍ତୁ, ମନସ୍ତତ୍ଵବିତ୍, ବା ମନରୋଗ ଚିକିତ୍ସକମାନଙ୍କର ସାହାଯ୍ୟ ନିଅନ୍ତୁ ।

ଏସବୁ ଉପାୟ ଦ୍ୱାରାଆଶା କରାଯାଇପାରେ ଯେ ସମ୍ପର୍କ ସୁଦୃଢ ହେବ ଓ ସମସ୍ୟାର ସମାଧାନ ହେବ ।ତେବେ ଅଳ୍ପ କ୍ଷେତ୍ରରେ, ସବୁ ପ୍ରୟାସ ସତ୍ୱେ , ସମ୍ପର୍କ ହୁଏତ ସୁଧୁରେ ନାହିଁ । ଏତେ ଖରାପ ହୁଏ ଯେ, ମାନସିକ ଓ ଶାରୀରିକ ଅସୁବିଧା, କ୍ଷତି, ବିପଦ ବା ଅନିଷ୍ଟର ଆଶଙ୍କା ଦେଖାଦିଏ । ଏସବୁ ପରିସ୍ଥିତିରେ ଅଲଗା ରହିବା ବା ସମ୍ପର୍କର ବିଚ୍ଛେଦସମାଧାନର ଏକ ପନ୍ଥା ହୋଇଥାଏ ।

ଜାଣି ରଖିବା ଉଚିତ୍ ଯେ ସମ୍ପର୍କଗତ ଅସୁବିଧା ଏକ ସାଧାରଣ କଥା ଓ ଅନେକ ଲୋକ ଏହାକୁ ଅଳ୍ପେବହୁତେ ଅନୁଭବ କରିଥାନ୍ତି । ଅଧିକାଂଶ ସମୟରେ ଲୋକମାନେ ଏହାର ସମାଧାନ କରି ଜୀବନକୁ ଆହୁରି ଉନ୍ନତ କରିପାରନ୍ତି । ବିଶ୍ୱାସରଖନ୍ତୁ ଯେ, ନିଜ ଚେଷ୍ଟାରେ ଓ ଅନ୍ୟମାନଙ୍କ ସାହାଯ୍ୟରେ ଆପଣ ଧିରେ ଧିରେ ଆପଣଙ୍କ ସମ୍ପର୍କର ଓ ଜୀବନର ଗୁଣମାନ ବଢେଇ ପାରିବେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top