ସ୍ୱାସ୍ଥ୍ୟ

ବିବାହ-ବିଚ୍ଛେଦ: ସ୍ଥଳ ବିଶେଷରେ ଏକ ଗ୍ରହଣୀୟ ଉପଚାର

Dr Nilamadhab Kar's odia health article Bibaaha Bichheda Sthala Bishesre Ek Grahaniya Upachaar

ଅସହ୍ୟ ହୋଇଯାଇଥିବା ସମ୍ପର୍କରେ ଜୀବନ ଜଳିପୋଡ଼ି ପାଉଁଶ ହୋଇଯିବା ପୂର୍ବରୁ ସେମାନଙ୍କୁ ସମାଜ ଏକ ମାର୍ଜିତ ଓ ଗ୍ରହଣୀୟ ପଦ୍ଧତିରେ ସାହାଯ୍ୟ କରିବା ଉଚିତ ।

ବିବାହ-ବିଚ୍ଛେଦ: ସ୍ଥଳ ବିଶେଷରେ ଏକ ଗ୍ରହଣୀୟ ଉପଚାର

ବିବାହ-ବିଚ୍ଛେଦ ବା ଛାଡ଼ପତ୍ର ଉପରେ ବିଚାର କଲେ ସାଧାରଣତଃ ଏହାର ନକାରାତ୍ମକ ଦିଗ ସବୁ ମନକୁ ଆସିଥାଏ । ଏକ ଦୁଃଖଦ ବିଦାୟର ଚିତ୍ର – ଭାଙ୍ଗିରୁଜି ଯାଇଥିବା ସମ୍ପର୍କର ଧ୍ୱଂଶାବଶେଷ ଦେଖାଯାଏ । ହୁଏତ ସେସବୁ ସତ । ବିବାହ-ବିଚ୍ଛେଦ ଘଟିଲେ କେବଳ ଦି ଜଣ ଅଲଗା ହୋଇଯାଆନ୍ତି ନାହିଁ, ସେମାନଙ୍କ ସହ ଦି ପରିବାର, ସେମାନଙ୍କ ବନ୍ଧୁ ପରିଜନ ଓ ନୂଆ କରି ବାନ୍ଧିଥିବା ସମ୍ପର୍କଗୁଡିକ ବି ଦୁରେଇ ଯାଆନ୍ତି । ତା ଛଡା ଯଦି ପିଲାମାନେ ବାପା-ମାଙ୍କ ବିଚ୍ଛେଦର ଶିକାର ହୁଅନ୍ତି ତେବେ ଏହା ଅତ୍ୟନ୍ତ କରୁଣ ଦିଶେ । ଏ ପରିସ୍ଥିତି ଆଗରେ ବିଚ୍ଛେଦର କାରଣ ଗୌଣ ଲାଗେ ।

ଅନେକବେଳେ ସମ୍ପର୍କର ଅସୁବିଧା ସହ, କୋର୍ଟ କଚେରୀ, ସାମାଜିକ ହଟହଟା ପରିସ୍ଥିତିକୁ ଅଧିକ ଜଟିଳ କରିତୋଳେ । ତା ଛଡା ପାଖ ପଡୋଶୀ ଓ ଆଖପାଖର ଲୋକମାନେ ଟିପ୍ପଣୀ ଦିଅନ୍ତି, ଦୋଷ ଦିଅନ୍ତି, ରାୟ ବି ଦିଅନ୍ତି, – କିନ୍ତୁ ହୁଏତ କେହିବି ଘଟଣା ସବୁକୁ ସମ୍ପୂର୍ଣ୍ଣ ରୂପେ ବୁଝନ୍ତି ନାହିଁ । ଦେଖଣାହାରୀ ହୁଅନ୍ତି ସିନା, ଖୁବ କମ ଲୋକ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି । ବିଚ୍ଛେଦ କଥା ତୁଟିଲା ବେଳକୁ ହୁଏତ କିଛି ବର୍ଷ ବିତିଯାଏ । ଜୀବନର ଅତ୍ୟନ୍ତ ଉପଯୋଗୀ ଦିନ ସବୁ ଏଥିରେ ନଷ୍ଟ ହୋଇଯାଏ ।

ଏକଥା ସତ ଯେ ଅଧିକାଂଶ ବିବାହରେ ଅସୁବିଧା ଆସେ । ଅଧିକାଂଶ ବେଳେ ଲୋକେ ଅସୁବିଧାର ସମାଧାନ କରନ୍ତି, କେହି କେହି ଚଳେଇ ନିଅନ୍ତି । କେହି ପୁଣି ଅନନ୍ୟୋପାୟ ହୋଇ ଦୁଃଖରେ ସଢ଼ନ୍ତି ସିନା କିଛି କରିପାରନ୍ତି ନାହିଁ । ଅନେକ ବୈବାହିକ ଜୀବନ ଏମିତି ବୁଝାମଣାରେ କଟିଯାଏ । ଜୀବନର ଓ ବୈବାହିକ ଜୀବନର ଗୁଣମାନ ଯାହା ହେଉ ପଛକେ ଅଧିକାଂଶ ପତିପତ୍ନୀ ସାଙ୍ଗରେ ରହିଥାନ୍ତି – ବିଚ୍ଛେଦ ଖୋଜନ୍ତି ନାହିଁ ।

ବିବାହକୁ କିଏ ମୃତ୍ୟୁ ଯାଏ ତ କିଏ ସାତ ଜନ୍ମ ଯାଏ ବନ୍ଧନ ବୋଲି ବର୍ଣ୍ଣନା କରନ୍ତି । କିନ୍ତୁ ବୈବାହିକ ସମ୍ପର୍କରେ ଅସୁବିଧା ଦେଖାଦେଲେ, ଜୀବନରୁ ଆଭା କମିଯାଏ । ବିବାହ ସତରେ ବନ୍ଧନ ଭଳି ଲାଗେ !! ଏ ସମୟରେ – ବିଚ୍ଛେଦ – ସମସ୍ୟା ସମାଧାନର ଉପାୟ ପରି ପ୍ରତୀୟମାନ ହୋଇଥାଏ, ବିଶେଷ କରି ବିଷାକ୍ତ ସମ୍ପର୍କଗୁଡ଼ିକରୁ ମୁକ୍ତିପାଇଁ । କାରଣ ଛୋଟ ହେଉ କି ବଡ, ପାରସ୍ପରିକ ବୈବାହିକ ସମସ୍ୟା ଯଦି ଜୀବନକୁ ବହୁଭାବରେ ନକାରାତ୍ମକ ଭାବେ ପ୍ରଭାବିତ କରେ ଓ ତାର ସମାଧାନ ଅସମ୍ଭବ ମନେ ହୁଏ, ତେବେ ଲୋକେ ବିଚ୍ଛେଦକୁ ଏକ ସମାଧାନ ହିସାବରେ ଦେଖିଥାନ୍ତି । ସମୟ ଥାଇ ସମାଧାନ ନକଲେ ଛୋଟଛୋଟ ସମସ୍ୟା ବି ବେଳେବେଳେ ବଡ ହେଇଯାଏ । ନେଡିଗୁଡ କହୁଣୀକୁ ବହିଗଲା ପରେ କିଛି କରି ହୁଏନି ।

ଦୋଷ ଦେଖିବା ବା କାହାକୁ ଦୋଷୀ କରିବାରେ କିଛି ଲାଭ ହୁଏନି – ସମସ୍ୟା ସୁଧୁରିଯାଏନି ତାଦ୍ୱାରା । ତେବେ କାରଣ ଯେଉଁଠି ବି ଥାଉ, ପତି ବା ପତ୍ନୀ, ପରିବାରଲୋକ ବାବାହାର ଲୋକ, ସୀମା ଟପିଗଲା ପରେ ଛାଡପତ୍ର ଅବଶ୍ୟମ୍ଭାବୀ ହୋଇପଡେ । ସମ୍ପର୍କ ଓ ସମସ୍ୟାର ସୀମା ବ୍ୟକ୍ତିବିଶେଷଙ୍କ ପାଇଁ ଭିନ୍ନଭିନ୍ନ; ସେମିତି ସହନଶୀଳତା ଓ ଧୈର୍ଯ୍ୟର ସୀମା ବି ଭିନ୍ନଭିନ୍ନ ଲୋକ ଓ ସମାଜ ପାଇଁ ଅଲଗା ଅଲଗା । ତେଣୁ କାହାକୁ ବା ପରିସ୍ଥିତିସବୁକୁ ତୁଳନା କରିବା ଉଚିତ ନୁହେଁ ।

ଧୀରେଧୀରେ ବିବାହ-ବିଚ୍ଛେଦର ସଂଖ୍ୟା ସମାଜରେ ବଢୁଛି ଓ ଏହା ସାଧାରଣ କଥା ହେଇଯାଉଛି । ସବୁ ନହେଲେ ବି କିଛିକ୍ଷେତ୍ରରେ ବିବାହ – ବିଚ୍ଛେଦକୁ ନିବାରଣ କରିହେବ । ଏଥିପାଇଁ ବେଳ ଥାଉଥାଉ ନିଜେ ପତିପତ୍ନୀ, ତାଙ୍କପରିବାର ଓ ବନ୍ଧୁମାନେ ସାହାଯ୍ୟ କରିବାଉଚିତ । ଦରକାର ହେଲେ ବିଶେଷଜ୍ଞ ଓ ପରାମର୍ଶଦାତାଙ୍କୁ ଭେଟିବା ଦରକାର ।

ସମାଜରେ, ଆଇନକାନୁନ ରେ ଓ ବିଭିନ୍ନ ଧର୍ମରେ ବିବାହ – ବିଚ୍ଛେଦ ପାଇଁ ନିର୍ଦ୍ଦିଷ୍ଟ କାରଣର ଉଲ୍ଲେଖ ରହିଛି । ତେବେ ସେସବୁ କାରଣ ଥାଇ ସୁଦ୍ଧା ବହୁତ ବିବାହ ଭାଙ୍ଗେ ନାହିଁ । ସ୍ୱାମୀ-ସ୍ତ୍ରୀ ସମ୍ପର୍କ ବଜେଇ ରଖନ୍ତି, ହୁଏତ ବିଭିନ୍ନ ଅନ୍ୟ କାରଣ ପାଇଁ ସେମାନେ ବିଚ୍ଛେଦ ଚାହାନ୍ତି ନାହିଁ । ବେଳେବେଳେ ଅସୁବିଧା ସବୁ ସଜାଡି ହୋଇଯାଏ ବା ସହି ହେଇ ଯାଏ । ଜୀବନରେ ଯେ ସବୁକଥା ଏକଦମ ନିଖୁଣ ନିପୁଣ ନୁହେଁ, ତାହା ଅନେକ ଲୋକ ବୁଝନ୍ତି । ସେମିତି, ଛାଡପତ୍ରପରେ ଅନେକ ବ୍ୟକ୍ତି ଭାବନ୍ତି – ଆଉ ଟିକେ ଚେଷ୍ଟାକରିଥିଲେ ବା ସମୟ ଦେଇଥିଲେ ହୁଏତ ଭଲ ହୋଇଥାନ୍ତା ବା ପରିଣାମ ଅଲଗା ହୋଇଥାନ୍ତା ।

ତେବେ ଯେତେବେଳେ ଆଉ କିଛି ସମ୍ଭବ ନୁହେଁ ବୋଲି ଦ୍ୱିପକ୍ଷର ଲୋକମାନଙ୍କୁ ହୃଦୟଙ୍ଗମ ହେବ – ସେଠି ପରିସ୍ଥିତିକୁ ଆଉ ଜଟିଳ ନ କରି, ଗ୍ରହଣ କରିବା ଉଚିତ ଓ ବିଚ୍ଛେଦର ପ୍ରକ୍ରିୟାକୁ ସରଳ ଓ ସହଜ କରିବା ଉଚିତ । ଯଦି ବୁଡିଗଲା ନୌକାକୁ ଛାଡିବାକୁ ହେବ ତାହେଲେ ଶେଷଯାଏ ଅପେକ୍ଷା କରିବା ଉଚିତ ନୁହେଁ ।

ଯଦିଓ ଏହା କହିବା ସହଜ, କିନ୍ତୁ କାମରେ କରି ଦେଖେଇବା କଷ୍ଟକର – ତେବେ ଏହା ସମ୍ଭବ । ଧୀରେଧୀରେ ଆଜିର ଯୁବପୀଢ଼ି ଅନେକ କ୍ଷେତ୍ରରେ ଏସବୁକୁ ସହଜ ଭାବରେ ନେଲେଣି । ଅସହ୍ୟ ହୋଇଯାଇଥିବା ସମ୍ପର୍କରେ ଜୀବନ ଜଳିପୋଡ଼ି ପାଉଁଶ ହୋଇଯିବା ପୂର୍ବରୁ ସେମାନଙ୍କୁ ସମାଜ ଏକ ମାର୍ଜିତ ଓ ଗ୍ରହଣୀୟ ପଦ୍ଧତିରେ ସାହାଯ୍ୟ କରିବା ଉଚିତ ।

ଅତ୍ୟନ୍ତ ଗମ୍ଭୀର ପରିସ୍ଥିତିରେ ବିବାହ-ବିଚ୍ଛେଦଯେ ଏକ ଗ୍ରହଣୀୟ ସମାଧାନ ତା ସମ୍ପର୍କରେ ବିଚାରକରିବା ଉଚିତ । ସମ୍ପର୍କର କ୍ୟାନସର ପାଇଁ ସ୍ଥଳବିଶେଷରେ ବିବାହ-ବିଚ୍ଛେଦ ଶଲ୍ୟ ଚିକିତ୍ସା ପରି ଜୀବନ ରକ୍ଷକ ହୋଇପାରେ । ଏହାକୁ ଏକ ନିନ୍ଦନୀୟ ବା କଳଙ୍କ ବୋଲି ଦେଖିବାର ସୋପାନରୁ ଉପରକୁ ଉଠି, ଏହାର ନିବାରଣଠୁ ଆରମ୍ଭ କରି ଛାଡ଼ପତ୍ର ପରେ ଏ ପ୍ରକ୍ରିୟାରେ ଯାଇଥିବା ଲୋକମାନଙ୍କ ସାହାଯ୍ୟ ସହଯୋଗ କରିବା ଉଚିତ । ସେମାନଙ୍କର ପରବର୍ତ୍ତୀ ଜୀବନକୁ ସରଳ ସାବଲୀଳ କରିବାରେ ଓ ପୁଣି ସମ୍ପର୍କ ଗଢିବାରେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ । ଏଥିପାଇଁ ଯଦି ଦରକାର ବିଚ୍ଛେଦ ପୂର୍ବରୁ ଓ ପରେ ପରାମର୍ଶର ସୁବିଧା ସମାଜରେ ଉପଲବ୍ଧ ହେବା ଦରକାର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top