ସ୍ୱାସ୍ଥ୍ୟ

ମନ ତୋହର ନିଜ ଗୁରୁ

Dr Nilamadhab Kar's odia health article Mana Tohara Nija Guru

ଅନ୍ୟର ଅସୁବିଧା କଥା ଶୁଣିଲେ ଲୋକେ ସାଧାରଣତଃ ସାହାଯ୍ୟ କରିବାକୁ ଉପାୟ ବତାନ୍ତି; ଓ ଏମିତି ଯିଏ ଯାହା କହିଲା ସେ ଉପାୟ ବି ଲୋକେ କରନ୍ତି ।

ମନ ତୋହର ନିଜ ଗୁରୁ

ମାନସିକ ଅଶାନ୍ତି ଓ ଉଦବେଗରୁ ମୁକ୍ତି ପାଇଁ ମଣିଷ କେତେ କଣ ଉପାୟ କରେ । ମଉଜ ମଜଲିସ୍‌, ଆମୋଦ ପ୍ରମୋଦ କରିବାଠୁ ଆରମ୍ଭ କରି, ପୂଜା ପାଠ ଓ ମାନସିକ ପ୍ରବଚନ ଶୁଣା, ତ ମଦ୍ୟପାନ ଓ ଆଉ ଆଉ ନିଶାଦ୍ରବ୍ୟ ବା ଔଷଧ ସେବନ ପର୍ଯ୍ୟନ୍ତ ଅନେକ ପନ୍ଥା ଚେଷ୍ଟା କରନ୍ତି ଲୋକେ । ଅନ୍ୟର ଅସୁବିଧା କଥା ଶୁଣିଲେ ଲୋକେ ସାଧାରଣତଃ ସାହାଯ୍ୟ କରିବାକୁ ଉପାୟ ବତାନ୍ତି; ଓ ଏମିତି ଯିଏ ଯାହା କହିଲା ସେ ଉପାୟ ବି ଲୋକେ କରନ୍ତି । ଅନ୍ୟର ପରାମର୍ଶରେ ଯଦି ଉପଯୁକ୍ତ ସମାଧାନ ସମ୍ଭବ ତାହେଲେ ତ ଖୁସିର କଥା, ତେବେ ଏସବୁ ପରେ ବି ଯଦି ମନକୁ ଶାନ୍ତି ମିଳେନି, ବା ଅସୁବିଧାର ସମାଧାନ ହୁଏନି ତାହେଲେ ଅଶ୍ଵସ୍ତି ଲାଗେ । ଅନ୍ୟର ପରାମର୍ଶ ନେବା କିଛି ଅସୁବିଧା ନୁହେଁ, କିନ୍ତୁ ସେସବୁ ଯଥାର୍ଥ, ନୀତିଗତ, ତଥ୍ୟଭିତ୍ତିକ, ପ୍ରମାଣଯୋଗ୍ୟ, ବିଜ୍ଞାନସମ୍ମତ ବା ପ୍ରୋଫେସନାଲ୍ ହେବା ସଂଗେ ସଂଗେ ନିଜ ମନକୁ ସୁହେଇଲା ଭଳି ହେବା ଦରକାର ।

ସମସ୍ୟାର ସମାଧାନ ନହେଲେ ବା ମନ ନ ବୁଝିଲେ, ଅଶାନ୍ତି ଲାଗି ରହେ। ତା ଦ୍ୱାରା ଅସୁବିଧା ବଢ଼େ ବା ନୂଆ ଅସୁବିଧା ସୃଷ୍ଟି ହୁଏ । ସମୟ କ୍ରମେ ନେଡି ଗୁଡ଼ କହୁଣିକୁ ବହି ଯିବା ପରି ହେଇଥାଏ । ବେଳେ ବେଳେ ଅସୁବିଧାସବୁ ଅଜାଗା ଘା’ ହେଇ ରହିଯାଏ । ନା କହି ହୁଏ ନା ସହି ହୁଏ । ଏମିତି ଅବସ୍ଥାରେ ଅନେକ ଲୋକ ନିଜକୁ ଉପାୟହୀନ ମଣନ୍ତି ଓ କଷ୍ଟ ପାଆନ୍ତି ।

ନିଜର ଅତ୍ୟନ୍ତ ନିଜସ୍ୱ ଅସୁବିଧାପାଇଁ ବେଳେବେଳେ ଲୋକେ ଗୋଟେ ପକ୍ଷରେ ଲୁଚେଇ ତା ବିଷୟରେ କିଛି କରନ୍ତି ନାହିଁ ବା ଅନ୍ୟପକ୍ଷରେ ଅହେତୁକଭାବେ, କୌଣସି କାରଣ ବା ଯୁକ୍ତିଯୁକ୍ତତା ନଥାଇକିଛି ନ କରିବା କଥା କରିବସନ୍ତି, କେବେ ବା ବିଧି ବିଧାନରେ, ଲୋକାଚାରରେ, ସାମାଜିକତାରେ ବାନ୍ଧିହେଇ ଆଉ କିଛି ଉପାୟ ଖୋଜନ୍ତି ନାହିଁ । ଦୁଃଖ ସହନ୍ତି ସିନା ନିଜ ମନକୁ, ବିବେକକୁ ପଚାରି ଯାହା ଠିକ୍ ତାହା ଜାଣିଥିଲେ ବି ସେ ଉପାୟ କିଛି କରନ୍ତି ନାହିଁ । ଆଉ କେତେବେଳେ ଯାହା ଠିକ ନୁହେଁ ତା ଜାଣି ସୁଦ୍ଧା ସେସବୁ କରିଥାନ୍ତି । ‘ସୀତା ହରଣ, ରାବଣ ମରଣ’ ଜାଣି ସୁଦ୍ଧା ରାବଣ ସୀତାଙ୍କୁ ଚୋରୀ କଲାପରି କଥା ।

ଏହା ସତ ଯେ, ମାନସିକ ଅଶାନ୍ତିର ସମାଧାନ ହୁଏତ କହିଦେଲା କଥା ପରି ଏତେ ସହଜ ନୁହେଁ । ଏଥିରେ ଜଟିଳତା ଥାଏ । ହୁଏତ କିଛି ସମସ୍ୟା ନିଜ ସାଧନର ସୀମା ବାହାରେ, କର୍ତ୍ତୃତ୍ୱ ବାହାରେ ଥାଏ । ତେବେ ଅନେକ ବେଳେ ଲୋକେ ଅସୁବିଧାରେ, ଅଶାନ୍ତିରେ ଭାସି ଯାଇ ଭଲ ହେଉ ବା ଖରାପ, ଅନେକ ଉପାୟ କରନ୍ତି, କିନ୍ତୁ କେବେ ନିଜ ମନକୁ ପଚାରନ୍ତି ନାହିଁ । ନିଜ ମନଠୁ ଉତ୍ତର ଖୋଜନ୍ତି ନାହିଁ ।

କିଛି ଉପାୟ ଯେ ଶରୀର ଓ ମନ ପାଇଁ କ୍ଷତି କାରକ, ତା ସ୍ପଷ୍ଟ ହେଇଥିଲେ ବି ଲୋକେ ଜାଣିଶୁଣି ସେ ସବୁ କରିଥାନ୍ତି ବା ସେଥିରୁ ମୁକୁଳି ପାରନ୍ତି ନାହିଁ । ଉଦାହରଣ ସ୍ୱରୂପ କେହି ମାନସିକ ଚାପରୁ ଶାନ୍ତି ପାଇବେ ବୋଲି ମଦ ପିଅନ୍ତି ବା ନିଶାଦ୍ରବ୍ୟ ସେବନ କରନ୍ତି ଓ ଧିରେ ଧିରେ ନିଶାସକ୍ତ ହୋଇଯାଆନ୍ତି । କଥା ବା ସମସ୍ୟା ବଢି ବଢି ଜଟିଳ ଆକାର ନିଏ ଓ ସଂକଟମୟ ପରିସ୍ଥିତି ସୃଷ୍ଟି କରିଥାଏ । ଅସୁବିଧାରେ ରହି ରହି କାହାକୁ ଲାଗେ ହୁଏତ ଜୀବନ ହିଁ ଏମିତି, ଜୀବନ ଖାଲି ଜଞ୍ଜାଳମୟଓ ଅଶାନ୍ତ ମନେହୁଏ । କେହି କେହି ବିଷାଦଗ୍ରସ୍ତ ହୁଅନ୍ତି, ‘ମରିଗଲେ ଭଲ ହୁଅନ୍ତା’ ବୋଲି ଭାବନ୍ତି, ଏମିତିକି ଆତ୍ମହତ୍ୟା କରିବାକୁ ଉଦ୍ୟମ କରନ୍ତି ଓ ଅନେକେ ମୃତ୍ୟୁମୁଖରେ ପଡନ୍ତି ।

ପୁଣି ଏପରି ଅବସ୍ଥାରେ କେହି କେହି ବୁଦ୍ଧିହୀନ ଓ ବିବେକହୀନ ଭାବେ ସମସ୍ୟାର ସମଧାନ ପାଇଁ ଚେଷ୍ଟା କରିଥାନ୍ତି । ଉଦାହରଣ ସ୍ୱରୂପ, ଏ ବିଜ୍ଞାନ ଯୁଗରେ ବି ବିଭିନ୍ନ ଅନ୍ଧବିଶ୍ୱାସ ଓ ଗୁଣୀଗାରୁଡି ଉପରେ ସହଜ ସମାଧାନ ପାଇଁ ଭରସା କରି କିଛି ଲୋକ ଅଚିନ୍ତନୀୟ କାମ ସବୁ କରିଥାନ୍ତି । ଅତ୍ୟନ୍ତଦୁଃଖର କଥା ଯେ, ‘ବିନାଶ କାଳେ ବିପରୀତ ବୁଦ୍ଧି’ ପରି, କେହି ଅନ୍ୟର ଏପରିକିନିଜ ପରିବାରର ହତ୍ୟା କରିବାପରି ଜଘନ୍ୟ ଘଟଣାସବୁ ଏବେବି ଶୁଣିବାକୁ ମିଳେ ।

କେବେ ବି ନିଜ ମନ ଓ ବିବେକ ବିରୁଦ୍ଧରେ ଯାଇ କିଛି କରିବା ଉଚିତ ନୁହେଁ, କାରଣ କେହି ଜାଣନ୍ତୁ କି ନା, ନିଜର ଜ୍ଞାତସାରରୁ, ମନରୁ ଏସବୁ ଲିଭେନି, ଭୁଲି ହୁଏନି । ମନ ଓ ବିବେକ ବିରୁଦ୍ଧକାର୍ଯ୍ୟସବୁ ପରେ ନିଜ ଜୀବନକୁ ଧିରେ ଧିରେ ଅସହ୍ୟ କରି ଗଢିତୋଳେ । ମନ ଅଶାନ୍ତିରେ, ଆନ୍ଦୋଳନରେ ପ୍ରଥମେ ନିଜ ମନ ଓ ହୃଦୟକୁ ଉପଯୁକ୍ତ ସମାଧାନର ଉପାୟ ପଚାରିବା ଦରକାର । ଆପଣଙ୍କ ନିଜ ବିବେକସବୁସମୟରେ ଆପଣଙ୍କୁ ସହାୟକ ହେଉଥିବା ସମାଧାନର ସଠିକ ପନ୍ଥା ହିଁ ଦର୍ଶେଇବ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top