ସ୍ୱାସ୍ଥ୍ୟାଲୋଚନା

Ramakanta Mishra's odia health article Swasthalochanaa

ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜାରିରୀ । ମାତ୍ର ସମଗ୍ର ବିଶ୍ୱରେ ବର୍ତ୍ତମାନ ହୃଦରୋଗ ଜନିତ ମୃତ୍ୟୁହାର ବଢି ଚାଲିଛି ।

ସ୍ୱାସ୍ଥ୍ୟାଲୋଚନା

* ଯେ କୌଣସି ରୃତୁ ହେଉ ନିଜ ଖାଦ୍ୟପେୟରେ ସନ୍ତୁଳିତ ରୁହନ୍ତୁ । ଅବଶ୍ୟ ମନ ପସନ୍ଦର ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । କିନ୍ତୁ ଏଭଳି କେତେକ ଖାଦ୍ୟ ଅଛି ଯାହା ଅଭ୍ୟାସରେ ପଡିଗଲେ ତାହା ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ । ତେଣୁକରି ସେଭଳି ଖାଦ୍ୟ ଠାରୁ ଯେତେ ସମ୍ଭବ ଦୁରେଇ ରହିଲେ ସ୍ୱାସ୍ଥ୍ୟ ପାଇଁ ସେତେ ଭଲ ।
* ନିଜର କାର୍ଯ୍ୟ ବ୍ୟସ୍ତତା ଭିତରେ ମଧ୍ୟ ନିୟମିତ ସମୟ ଅନ୍ତରାଳରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ ।
* କୌଣସି ରୋଗ ସମ୍ବନ୍ଧରେ ସଠିକ ଭାବରେ ଜାଣି ନ ଥିଲେ ଅନ୍ୟକୁ ଉପଦେଶ ଦିୟନ୍ତୁ ନାହିଁ । ବରଂ ସେମାନଙ୍କୁ ଡାକ୍ତରଙ୍କ ନିକଟକୁ ଯିବାକୁ ପରାମର୍ଶ ଦିଅନ୍ତୁ ।
* କୌଣସି ରୋଗର ଲକ୍ଷଣ ଯଦି ଜାଣିପାରିଲେ ତେବେ ଡେରି ନ କରି ତାହାର ଚିକିଛା କରାଇ ନିଅନ୍ତୁ । ତେବେ ଅଭିଜ୍ଞ ବିଶେଷଜ୍ଞ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ ।

ହୃଦରୋଗ: କେତୋଟି ଜାଣିବା କଥା

* ସନ୍ତୁଳିତ ଜୀବନଶୈଳୀ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହାକୁ ଅନୁସରଣ କରିବାକୁ ଚେଷ୍ଟା କରନ୍ତୁ ।
* ନିଶାଦ୍ରବ୍ୟ ସେବନ ଠାରୁ ନିଜକୁ ଦୂରେଇ ରଖନ୍ତୁ । କାରଣ ଏହାକୁ ଠାରେ ଆରମ୍ଭ କଲେ ପରବର୍ତ୍ତୀ ସମୟରେ ତାହା ଅଭ୍ୟାସରେ ପରିଣତ ହୋଇଥାଏ, ଯାହା ହୃଦରୋଗର ଆଶଙ୍କା ବଢ଼ାଇ ଦେଇଥାଏ ।
* ଦୈନନ୍ଦିନ ଜୀବନଶୈଳୀରେ ବ୍ୟାୟାମକୁ ସାମିଲ କରନ୍ତୁ । ଦିନକୁ ଅତି କମରେ ୩୦ ମିନିଟ ଏବଂ ସପ୍ତାହକୁ ଅନ୍ତତଃ ୫ ଦିନ ବ୍ୟାୟାମ କରନ୍ତୁ । ଏହାର ସୁପ୍ରଭାବ ହୃଦୟ ଉପରେ ପଡିଥାଏ ।
* ବୟସ ବଢିବା ସହ ଓଜନରେ ତାରତମ୍ୟ ପରିଲକ୍ଷିତ ହୋଇ ଥାଏ । ତେଣୁ ବୟସ ତୁଳନାରେ ଓଜନ କେତେ ରହିବା ଆବଶ୍ୟକ, ତାହା ଅଭିଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରି ବୁଝି ନିଅନ୍ତୁ । ଯଦି ଓଜନ ଆବଶ୍ୟକତାଠାରୁ ଅଧିକ ଅଛି ତାହାକୁ କିପରି ସନ୍ତୁଳିତ ସ୍ତରକୁ ଆଣିବେ, ସେଥିନେଇ ଡାକ୍ତରଙ୍କ କଥାକୁ ଅନୁସରଣ କରନ୍ତୁ ।

ହୃଦ ବିପଦକୁ ଚିହ୍ନନ୍ତୁ

ହୃତପିଣ୍ଡ ବା ହାର୍ଟ ହେଉଛି ମାନବର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ । ଏହାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜାରିରୀ । ମାତ୍ର ସମଗ୍ର ବିଶ୍ୱରେ ବର୍ତ୍ତମାନ ହୃଦରୋଗ ଜନିତ ମୃତ୍ୟୁହାର ବଢି ଚାଲିଛି । ଏଥିପାଇଁ ମୁଖ୍ୟତଃ ଦାୟୀ ହେଉଛି ଆଧୁନିକ ଜୀବନ ଶୈଳୀ ବା ଲାଇଫ ଷ୍ଟାଇଲ । ଅଧୁନା ମଣିଷ ପରିଶ୍ରମ ବିମୁଖ । ସେ ବସି ବସି ସବୁକିଛି କରିବାକୁ ଚାହେଁ, ହାତ ଗୋଡ଼କୁ ବିଶେଷ ଦରକାର ନ ପଡିଲେ ହଲାଇବାକୁ ଚାହେଁ ନାହିଁ । ସବୁ କାମ ପାଇଁ ଏବେ ରିମୋଟ କଣ୍ଟ୍ରୋଲ ଦରକାର ପଡୁଛି, ଯାହା ଫଳରେ ମଣିଷ ବସି ବା ଶୋଇ କି ରିମୋଟ ସାହାଯ୍ୟରେ ମନବାଞ୍ଛିତ କାର୍ଯ୍ୟ କରାଇ ନେଇ ପାରିବ । ଶାରୀରିକ କାମ ନ କରିବାର କୁ ପ୍ରଭାବ ପଡୁଛି ହୃଦୟ ଉପରେ, ଫଳରେ ଆଜିର ମଣିଷ ଶୀଘ୍ର ହୃଦରୋଗରେ ପୀଡିତ ହେଉଛି । ଡାଇବେଟିସ ମଧ୍ୟ ଅନ୍ୟ ଏକ ମହାମାରୀର ରୂପ ଧାରଣ କଲାଣି । ଡାଇବେଟିସ ଏବଂ ହୃଦରୋଗ ଅଙ୍ଗାଙ୍ଗୀ ଭାବରେ ଜଡିତ । ତଥ୍ୟରୁ ଜଣା ପଡିଛି ଯେ ହୃଦୟ ସହିତ ସଂଯୁକ୍ତ ଧମନୀ ସମସ୍ୟାରେ ପୀଡିତ ୯୦ ଶତକଡା ବ୍ୟକ୍ତି ଡାଇବେଟିସର ଶିକାର । ବିଭିନ୍ନ କାରଣରୁ ଆଜିର ମଣିଷ ସବୁଥାଇ ମଧ୍ୟ ଅତ୍ୟନ୍ତ ମାନସିକ ଚାପରେ ରହୁଛନ୍ତି । ଆଳସ୍ୟ ପୂର୍ଣ୍ଣ ଜୀବନ ଚର୍ଯ୍ୟା ଆଜିର ମଣିଷକୁ ଶୀଘ୍ର ରୋଗର ବଳୟ ମଧ୍ୟକୁ ଟାଣି ନେଉଛି । କୋଲେଷ୍ଟେରୋଲ ଲେଭେଲ ବଢିଯିବାରୁ ବଡି ମାସ ଇଣ୍ଡେକ୍ସ ବଢୁଛି, ଯାହା ହୃଦ ରୋଗ ସୃଷ୍ଟିର ପ୍ରଧାନ କାରଣ । ଏଥିରୁ ଉଦ୍ଧାର ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ହେବ । ସେଥିପାଇଁ ଦୈନିକ ପ୍ରଚୁର ପାଣି ପିଇବା, ଫଳମୂଳ, ପନିପରିବା ଖାଇବା, ଚର୍ବି ଜାତୀୟ ଖାଦ୍ୟ ଠାରୁ ଦୁରେଇ ରହିବ ଏବଂ ସର୍ବୋପରି ଦିନକୁ ଅତିକମରେ ୩୦ ମିନିଟ ଚାଲିବା ନିହାତି ଭାବରେ ଦରକାର । ଲୋକଙ୍କୁ ହୃଦୟ ବା ହାର୍ଟ ସମ୍ବନ୍ଧରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ‘ୱାର୍ଲଡ ହାର୍ଟ ଡେ’ ବା ବିଶ୍ୱ ହୃଦୟ ଦିବସ ରୂପେ ପାଳନ କର ଯାଉ ଅଛି । ଏହି ବର୍ଷ ଅର୍ଥାତ ୨୦୧୬ ରେ ଏ ଦିନ ପାଇଁ ବାର୍ତ୍ତା ହେଉଛି – ନିଜେ ବଂଚୁଥିବା, କାମ କରୁଥିବା, ଏବଂ ଖେଳ କୁଦ କରୁଥିବା, ପରିବେଶକୁ ସୁଥା ରଖିବା, ବିପଦକୁ ଚିହିଁବା ଏବଂ ଦୀର୍ଘାୟୁ ଓ ନିରୋଗ ହୋଇ ବଂଚି ରହିବା ।

ବିଶ୍ୱ ହୃତ୍‌ପିଣ୍ଡ ଦିବସ

ବିଶ୍ୱ ହୃତ୍‌ପିଣ୍ଡ ଦିବସ ବା ୱାର୍ଲଡ ହାର୍ଟ ଡେ ହେଉଛି ହୃଦରୋଗ ତଥା ହାର୍ଟ ଜନିତ ପ୍ରାଣଘାତି ସମସ୍ୟା ସମ୍ପର୍କରେ ବିଶ୍ଵବ୍ୟାପୀ ଲୋକଙ୍କୁ ସଚେତନ କରିବାର ଏକ ଅଭିଯାନ । ୨୦୦୦ ମସିହାରେ ହାର୍ଟ ବା ହୃତ୍‌ପିଣ୍ଡର ଯତ୍ନ ନେବା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବାର ଆଭିମୁଖ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇ ଥିଲା । ଏଥିପାଇଁ ପ୍ରତ୍ୟେକ ବର୍ଷ ଏକ ନିର୍ଦିଷ୍ଟ ବିଷୟ ନିର୍ଦ୍ଧାରଣ କରାଯାଇ ଥାଏ । ପ୍ରଥମ ବର୍ଷ ଅର୍ଥାତ ୨୦୦୦ ମସିହାରେ ଏହାର ବିଷୟ ଥିଲା “ମୁଁ ମୋ ହୃତ୍‌ପିଣ୍ଡ କୁ ଭଲ ପାଏ, ଏହା ସବୁବେଳେ ଷ୍ପନ୍ଦିତ ହେଉଥାଉ” । ପ୍ରାଥମିକ ପର୍ଯ୍ୟାୟରେ “ବିଶ୍ୱ ହୃତ୍‌ପିଣ୍ଡ ଫେଡେରେସନ୍‌” ପକ୍ଷରୁ ବିଶ୍ୱ ବ୍ୟାପି “ବିଶ୍ୱ ହୃତ୍‌ପିଣ୍ଡ ଦିବସ” ପ୍ରତିବର୍ଷ ସେପ୍ଟେମ୍ବର ମାସର ଶେଷ ରବିବାର ପାଳନ କରାଯିବ ବୋଲି ଧାର୍ଯ୍ୟ କରା ଯାଇ ଥିଲା । ୨୦୧୦ ପର୍ଯ୍ୟନ୍ତ ଏହି ଧାରା ଚଳି ଆସି ଥିଲା, କିନ୍ତୁ ୨୦୧୦ ରୁ ଏହାକୁ ସେପ୍ଟେମ୍ବର ୨୯ ରେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରା ଗଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ସର୍ବେକ୍ଷଣରୁ ଜଣା ଯାଇଛି ଯେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଯେତେ ରୋଗୀ ମୃତ୍ୟୁ ବରଣ କରୁଛନ୍ତି; ସେମାନଙ୍କ ମଧ୍ୟରୁ ଶତକଡା ୩୦ ପ୍ରତିଶତଙ୍କର ମୃତ୍ୟୁ ହୃଦ୍‌ଘାତ ଯୋଗୁ ହେଉଅଛି । ବର୍ତ୍ତମାନ ଏହା ଏକ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି, ତେଣୁ ଲୋକମାନଙ୍କୁ ହୃତ୍‌ପିଣ୍ଡ ପ୍ରତି ସଚେତନ ହେବା ଏବଂ ତମ୍ବାଖୁ ପରି ଉପାଦାନ ମାନଙ୍କୁ ବର୍ଜିତ କରିବା ପାଇଁ ସଭିଙ୍କୁ ସତର୍କ କରାଇବାର ଉଦ୍ଦେଶ୍ୟ ନେଇ ଏହି ଦିବସ ଆଗେଇ ଚାଲିଛି ।
ହୃଦ୍‌ଘାତ ସମସ୍ୟା ଆମ ହୃତ୍‌ପିଣ୍ଡ ଶରୀରର ସବୁଠାରୁ ଉପଯୋଗୀ ଅଙ୍ଗ, ତେଣୁ ଆମ ହୃତ୍‌ପିଣ୍ଡ କୁ ସୁସ୍ଥ ରଖିବା ଏକାନ୍ତ ଜରୁରୀ; କାରଣ ଏଥିରେ ସମସ୍ୟା ସୃଷ୍ଟି ହେଲେ ମୃତ୍ୟୁ ସୁନିଶ୍ଚିତ ।

ଆମ ହୃତ୍‌ପିଣ୍ଡ

ଆମ ଛାତି ତଳେ ଥିବା ସେଇ ସୁନ୍ଦର ହୃଦୟର ଆକାର ଉପରିସ୍ଥ ଚିତ୍ରରେ ଦିଆ ଯାଇ ଅଛି । ଏଥିରେ ଚାରୋଟି କକ୍ଷ ରହିଛି । ଦୁଇଟି ଉପର କକ୍ଷ (ଆର୍ଟିଆ) ଓ ଦୁଇଟି ନିମ୍ନ କକ୍ଷ (ପ୍ରକୋଷ୍ଠ) । ଏହି ଦୁଇ କକ୍ଷକୁ ମାଂସପେଶୀର ସେପଟମ୍‌ ନାମକ ଏକ ପାଚେରି ଓ ଦୁଇ ସ୍ତର ବିଶିଷ୍ଟ ପେରିକରଡିୟମ୍‌ ଏନକାସେସ୍‌ ନାମକ ଅନ୍ୟ ଏକ ପାଚେରି ହୃତ୍‌ପିଣ୍ଡକୁ ଛାତି ମଧ୍ୟରେ ସୁରକ୍ଷା ଦେଇ ଥାଏ । ହୃତ୍‌ପିଣ୍ଡରୁ ଫୁସ୍‌ଫୁସ୍‌ ପରିପଥ ଓ ପଦ୍ଧତି ଗତ ପରିପଥ ମାଧ୍ୟମରେ ରକ୍ତ ସଂଚାଳନ ହୋଇ ଥାଏ । ଫୁସ୍‌ଫୁସ୍‌ ପରିପଥରେ ଅମ୍ଳଜାନ ରହିତ ରକ୍ତ ହୃଦୟର ଡାହାଣ ପ୍ରକୋଷ୍ଠରୁ ଧମନୀ ଜରିଆରେ ଫୁସ୍‌ଫୁସ୍‌ କୁ ଯାଇ ସେଠାରେ ଅମ୍ଳଜାନ ସହ ମିଶେ । ପୁନଶ୍ଚ ଫୁସ୍‌ଫୁସ୍‌ ଶିରା ଦେଇ ବାମ ଅଳିନ୍ଦ କୁ ଯାଏ । ସେହିପରି ପଦ୍ଧତିଗତ ପରିପଥରେ ଅମ୍ଳଜାନ ଯୁକ୍ତ ରକ୍ତ ଡାହାଣ ପ୍ରକୋଷ୍ଠ ଦେଇ ମହା ଧମନୀକୁ ଯାଇ ଧମନୀ ଓ କୋଶିକାରେ ମିଶି ଯାଏ । ପରେ ସମ୍ପୂର୍ଣ୍ଣ ଶରୀରକୁ ରକ୍ତ ପ୍ରବାହିତ ହୁଏ । ଏହାପରେ ପୁନଃ ଅମ୍ଳଜାନ ରହିତ ରକ୍ତର ପ୍ରବାହ ଓ ସଂଚାଳନ କାର୍ଯ୍ୟ ଶିରା ପ୍ରଶିରା ଦେଇ ଡାହାଣ ଅଳିନ୍ଦ କୁ ପ୍ରବେଶ କରେ । ଇଲେକ୍ଟ୍ରିକାଲ୍‌ ପେସ୍‌ମେକର ହୃତ୍‌ପିଣ୍ଡ କୁ ସଂକୁଚିତ କରିବା ଦ୍ୱାରା ତାହା ବିଶ୍ରାମ ଅବସ୍ଥାକୁ ଚାଲିଯାଏ । ଯେତେବେଳେ କିଛି ଅମ୍ଳଜାନ ଯୁକ୍ତ ରକ୍ତ ଫେରି ଆସେ ତାହା ପୁନଃ ପୂର୍ବାବସ୍ଥାକୁ ଫେରିଯାଏ । ଏହିଭଳି ଭାବେ ହୃତ୍‌ପିଣ୍ଡ ସଦା ସର୍ବଦା ଧକ୍‌ ଧକ୍‌ ହେଉ ଥାଏ । ଏହି ଅବସ୍ଥା ମଣିଷ ଶରୀରର ମୃତ୍ୟୁ ପର୍ଯ୍ୟନ୍ତ ଅନବରତ ଚାଲି ଥାଏ । ହୃତ୍‌ପିଣ୍ଡ ଦ୍ୱାରା ରକ୍ତ ସଞ୍ଚାଳନରେ କିଛି ସମସ୍ୟା ସୃଷ୍ଟି ହେଲେ ହୃଦ୍‌ରୋଗ ଓ ହୃଦ୍‌ଘାତ ହୋଇଥାଏ ।

ହୃଦ୍‌ଘାତ ରୋଗରେ ଉଭୟ ପୁରୁଷ ଏବଂ ନାରୀ ସମାନ ଭାବରେ ଭୋଗିଥାନ୍ତି । ପୂର୍ବେ ଦେଖାଯାଉଥିଲା ଯେ ପୁରୁଷମାନେ ଏହି ରୋଗ ଦ୍ୱାରା ବେଶୀ ଆକ୍ରାନ୍ତ ହେଉଛନ୍ତି କିନ୍ତୁ ଏବେ ଦେଖା ଯାଉଛି ରୃତୁ ବିରତି ପରେ ନାରୀ ମାନେ ମଧ୍ୟ ହୃଦ୍‌ଘାତର ଶିକାର ହେଉଛନ୍ତି । ପୁରୁଷ ମାନଙ୍କ କ୍ଷେତ୍ରରେ ବେଶୀ ପରିଶ୍ରମ କଲାବେଳେ ହୃତ୍‌ପିଣ୍ଡରେ ହୋଇଥାଏ କିନ୍ତୁ ମହିଳା ମାନଙ୍କ କ୍ଷେତ୍ରରେ ଏହା ବିଶ୍ରାମ ନେବା ସମୟରେ ଓ ମାନସିକ ଚିନ୍ତା ସମୟରେ ବେଶୀ ହୋଇଥାଏ । ମହିଳା ମାନଙ୍କ କ୍ଷେତ୍ରରେ ହୃଦ୍‌ଘାତ ସମୟରେ ଡାହାଣ କାନ୍ଧ ରେ ବ୍ୟଥା, ବାନ୍ତି ହେବ।, ଥକି ଯିବା ତଥା ଅଣନିଶ୍ୱାସୀ ହେବା ଭଳି ଲକ୍ଷଣ ମାନ ପ୍ରକାଶ ପାଇ ଥାଏ । ମହିଳା ମଧୁମେହ ରୋଗୀ ମାନେ ପୁରୁଷ ମଧୁମେହ ରୋଗୀଙ୍କଠାରୁ ହୃଦ୍‌ଘାତରେ ଆକ୍ରାନ୍ତ ହେବାର ସମ୍ଭାବନା ବେଶୀ । ପୁରୁଷ ରୋଗୀଙ୍କ ପାଖରେ ଏହା ଅଢେଇ ଗୁଣ ଥିବା ବେଳେ ନାରୀ ମାନଙ୍କ ପାଖରେ ଏହା ପାଞ୍ଚ ଗୁଣ ହୋଇଥାଏ । ମଧୁମେହ ରୋଗୀଙ୍କ ମୃତ୍ୟୁର ମୁଖ୍ୟ କାରଣ ହୃଦ୍‌ଘାତ । ମଧୁମେହ ରୋଗ ହୃତ୍‌ପିଣ୍ଡରେ ଥିବା ବୃହତ ଧମନୀ ତଥା କ୍ଷୁଦ୍ର ଧମନୀ ରେ ଜଟିଳତା ସୃଷ୍ଟି କରିଥାଏ । ବୃହତ ଧମନୀରେ ଜଟିଳତା ହେତୁ କରୋନାରୀ ଧମନୀ ଅଣଓସାରିଆ ହୋଇ ହୃଦ୍‌ଘାତ ଓ ମସ୍ତିଷ୍କ।ଘାତ ହୋଇଥାଏ । ଏ ପଟେ କ୍ଷୁଦ୍ର ଧମନୀରେ ଜଟିଳତା ଯୋଗୁ ଡାଇବେଟିକ୍‌ ନେଫ୍ରୋପାଥି (ବୃକକ ବା କିଡନୀରେ ଜଟିଳତା), ଡାଇବେଟିକ୍‌ ରେଟିନାପାଥି (ଆଖିର ଜଟିଳତା) ତଥା କାର୍ଡିଓମାୟୋପ।ଥି (ହୃତପିଣ୍ଡରେ ଜଟିଳତା) ହୋଇଥାଏ । ଏହି ସବୁ କାରଣରୁ ହୃଦ୍‌ଘାତ, ଛ।ତିବ୍ୟଥା ଓ ହଠାତ ମୃତ୍ୟୁ ସାଧରଣ ବ୍ୟକ୍ତିଙ୍କ ଅପେକ୍ଷା ମଧୁମେହ ରୋଗୀଙ୍କ ପାଖରେ ଦୁଇଗୁଣ ଅଧିକ ହୋଇଥାଏ । ପୁଣି ପୁରୁଷଙ୍କ ଅପେକ୍ଷା ମହିଳା ମାନଙ୍କ ପାଖରେ ଏହା ଅଧିକ ଦେଖା ଦେଇଥାଏ ।

ହୃଦ୍‌ଘାତ ଉପରେ ହାର୍ମୋନର ପ୍ରଭାବ ମଧ୍ୟ ରହିଛି । ୧୫ ରୁ ୪୫ ବର୍ଷ ମଧ୍ୟରେ ମହିଳା ମାନଙ୍କ ଶରୀରରେ ଥିବା ଇସ୍ଟ୍ରୋଜେନ ଅନ୍ତଃସ୍ରାବୀ ରସ ହ୍ରୁଦପିଣ୍ଡକୁ ରକ୍ଷା କରିଥାଏ । କିନ୍ତୁ ମାସିକ ରକ୍ତ ସ୍ରାବର ବିରତି ପରେ ଏହି ରସ କ୍ଷରଣ ବନ୍ଦ ହୋଇ ଯାଇଥାଏ । ଫଳରେ ବୟସ୍କ ମହିଳାଙ୍କୁ ହୃଦ୍‌ଘାତର ଶିକାର ହେବାକୁ ପଡିଥାଏ । ମହିଳା ମାନଙ୍କର ହୃଦ୍‌ଘାତ ରୋକିବା ପାଇଁ ପ୍ରଥମ ପଦକ୍ଷେପ ହେଉଛି ରୋଗ ଚିହ୍ନଟ, ଇସିଜି ସହ ଇକୋକରଡିଓଗ୍ରାଫି ଦ୍ୱାରା ଏହା ଚିହ୍ନଟ କର ଯାଇଥାଏ । ଯେଉଁ ମହିଳା ମାନଙ୍କର ନିମ୍ନ ୫ଟିରୁ ୩ଟି ସମସ୍ୟା ଥାଏ ସେମାନେ ମୁଖ୍ୟତଃ ହୃଦ୍‌ଘାତର ଶିକାର ହୋଇଥାନ୍ତି ।

୧. ଅଣ୍ଟାର ମାପ ୮୮ ସେମିରୁ ଅଧିକ ହୋଇଥାଏ ।
୨. ରକ୍ତରେ ଚର୍ବିର ମାତ୍ରା ବା କୋଲେଷ୍ଟେରୋଲର ମାତ୍ରା ୧୫୦ ମିଲିଗ୍ରାମ୍‌ରୁ ଅଧିକ ବା ୫୦ ମିଲିଗ୍ରାମ୍‌ରୁ କମ ଥାଏ ।
୩. ଯାହାର ରକ୍ତଚାପ ୧୩୦ -୩୫ ରୁ ବେଶୀ ଥାଏ ।
୪. ଯାହାର ରକ୍ତରେ ଗ୍ଲୁକୋଜର ପରିମାଣ ୧୧୦ ମିଲିଗ୍ରାମ୍‌ରୁ କମ ଥାଏ ।
୫. ଆଳସ୍ୟ ତଥା ଓଜନ ଅଧିକ ଥାଏ ।
ଏହି ସବୁ କାରଣର ନିରାକରଣ କରିପାରିଲେ ଆମେ ହୃଦଘାତରୁ ଅନେକାଂଶରେ ରକ୍ଷା ପାଇଁ ପାରିବ ।

ସିପିଆର୍‌

ସିପିଆର୍‌ ର ଅର୍ଥ ହେଲା କାର୍ଡିଓପଲମୂନାରୀ ରେସୁସାଇଟେସନ୍‌, ଏହାର ଓଡ଼ିଆ ରୂପାନ୍ତର ହେବ ‘ହୃତ୍‌ ସ୍ପନ୍ଦନର ପୁନର୍ଜୀବନ ‘ । ସିପିଆର୍‌ ହେଉଛି ଏଭଳି ଏକ ପଦ୍ଧତି ଯାହାକି ହୃଦ୍‌ଘାତର ଶିକାର ହେବା କ୍ଷଣି ରୋଗୀଙ୍କ ଉପରେ ତୁରନ୍ତ ପ୍ରୟୋଗ କରା ଯାଇ ଥାଏ । ଅନ୍ୟାନ୍ୟ ରୋଗ ଅପେକ୍ଷା କାର୍ଡିଓ ଭାସ୍କୁଲାର ଡିଜିଜ୍‌ ବା ହୃତ୍‌ପିଣ୍ଡ ଜନିତ ରୋଗ ଯୋଗୁ ପ୍ରତିଦିନ ବିଶ୍ଵବ୍ୟାପୀ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଭାରତରେ ମଧ୍ୟ ହୃତ୍‌ପିଣ୍ଡ ଜନିତ ରୋଗରୁ ପ୍ରତିବର୍ଷ ଅନେକ ଲୋକ ପ୍ରାଣ ହରାଉଛନ୍ତି । କିନ୍ତୁ ଜଣେ ଯଦି ହୃଦ୍‌ଘାତର ଶିକାର ହୁଅନ୍ତି, ତା’ହେଲେ ତୁରନ୍ତ ତାଙ୍କୁ ସିପିଆର୍‌ ପଦ୍ଧତି ଜରିଆରେ ଜୀବନ ରକ୍ଷା କରାଯାଇ ପାରିବ । ସିପିଆର୍‌ ପ୍ରୟୋଗ ଦ୍ୱାରା ଅନେକ ରୋଗୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରାଯାଇ ପାରେ । କିନ୍ତୁ ବିଡମ୍ବନାର ବିଷୟ ୯୮ % ଭାରତୀୟ ଏ ସମ୍ପର୍କରେ ଏବେ ମଧ୍ୟ ଜାଣି ନ ଥିବା ଏକ ସର୍ବେକ୍ଷଣରୁ ଜଣା ପଡିଛି ।

ସିପିଆର୍‌ ସମ୍ବନ୍ଧରେ କେତୋଟି ଜାଣିବା କଥା

ସିପିଆର୍‌ ର ୫ ଟି ପର୍ଯ୍ୟାୟ :

୧. ରୋଗୀର ମୁଖ ଗହ୍ୱରକୁ ଖୋଲି ବାୟୁ ଚଳାଚଳର ବନ୍ଦୋବସ୍ତ କରନ୍ତୁ (ଚିତ୍ର) ।
୨. ସାଧାରଣ ଭାବରେ ନିଶ୍ୱାସ ପ୍ରଶ୍ୱାସର ବନ୍ଦୋବସ୍ତ କରନ୍ତୁ ।
୩. ସଂଗେ ସଂଗେ ଡାକ୍ତରଙ୍କୁ ଡାକନ୍ତୁ ବା ତାଙ୍କ ପାଖକୁ ନେଇଯାନ୍ତୁ ।
୪. ବାମ ଛାତିକୁ ହୃଦୟ ପାଖରେ ଦୁଇ ହାତ ସାହାଯ୍ୟରେ ସଂକୋଚନ ଓ ପ୍ରସାରଣ କରନ୍ତୁ (ଚିତ୍ର) ।
୫. ରୋଗୀର ନାକକୁ ଚିପି ଧରି ତା ମୁହଁରେ ମୁହଁ ଲଗାଇ ନିଶ୍ୱାସ ନେଇ ଛାଡ଼ନ୍ତୁ (ଚିତ୍ର) ।

ଉପଯୁକ୍ତ ସିପିଆର ଦ୍ୱାରା ଜରୁରୀ ସମୟରେ କାହାରି ଜୀବନ ବଞ୍ଚାଯାଇ ପାରେ ।

ସ୍ୱାସ୍ଥ୍ୟ ହିଁ ସମ୍ପଦ

ସ୍ୱାସ୍ଥ୍ୟ ହିଁ ସମ୍ପଦ ଏ କଥା ଆମେ ପିଲାଦିନରୁ ଶୁଣି ଆସୁଛୁ । ଏ ବିଷୟରେ ପ୍ରବନ୍ଧ ମଧ୍ୟ ଲେଖିଛୁ । କିନ୍ତୁ ତା’ର ପ୍ରକୃତ ମୂଲ୍ୟ ଆମେ ରୋଗରେ ଗ୍ରସ୍ତ ହୋଇ କଷ୍ଟ ନ ପାଇବା ପର୍ଯ୍ୟନ୍ତ ବୁଝି ପାରୁ ନାହିଁ । ପ୍ରକୃତପକ୍ଷେ ଶରୀରର ସୁସ୍ଥତା ହିଁ ସକାଳ ସୁଖର ଆଧାର । ଶରୀର ସୁସ୍ଥ ନ ରହିଲେ ସକଳ ପ୍ରକାରର ଧନ, ସମ୍ପତ୍ତି, ପଦ ପଦବୀ ଏବଂ ଅନ୍ୟାନ୍ୟ ପ୍ରତିପତ୍ତିର କିଛି ମୂଲ୍ୟ ରହି ନ ଥାଏ । ପାଖରେ ଧନର ପ୍ରାଚୁର୍ଯ୍ୟ ରହିଥାଇପାରେ କିନ୍ତୁ ଶରୀର ସୁସ୍ଥ ନ ଥିଲେ ଭଲ କରି ଗଣ୍ଡେ ଖାଇ ମଧ୍ୟ ପାରିବ ନାହିଁ । ଯେଉଁ ଧନ ସମ୍ପତ୍ତି କୁ ଆହରଣ କରିବା ପାଇଁ ଆମେ ଜାଣତରେ ବା ଅଜାଣତରେ ନିଜ ଶରୀରକୁ ଅବହେଳା କରିଥାଉ ସେହି ଧନ ସବୁ ଚାଲିଯାଏ ଡାକ୍ତରଙ୍କ ପାଖକୁ ଚିକିତ୍ସା ଖର୍ଚ୍ଚ ହିସାବରେ । ଶରୀର ନଷ୍ଟ କରି ପରେ ତାହା ଡାକ୍ତରଙ୍କୁ ଦେଇ ମଧ୍ୟ ଆଉ ପୂର୍ବ ସ୍ୱାସ୍ଥ୍ୟ ଫେରେ ନାହିଁ । ଏ କଥାକୁ ରୋଗସ୍ତ ହୋଇ କଷ୍ଟ ଭୋଗ କରି ବୁଝିବା ଅପେକ୍ଷା ବହୁ ପୂର୍ବରୁ ଏଥି ପାଇଁ ଯତ୍ନବାନ ହେବ ଉଚିତ ।

ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଆହାର, ସୁସ୍ଥ ବିହାର, ଓ ସୁସ୍ଥ ଚିନ୍ତନ କରିବା ଅତ୍ୟନ୍ତ ଆବଶ୍ୟକ । ଅର୍ଥାତ ଖାଦ୍ୟ, ନିଜର ଦିନଚର୍ଯ୍ୟା, ଏବଂ ଚିନ୍ତନ ଉପରେ ନିୟନ୍ତ୍ରଣ ରଖିବା ହିଁ ସ୍ୱାସ୍ଥ୍ୟବାନ ହେବାର ମୁଖ୍ୟ କାରଣ । ଶରୀର ପାଇଁ ସୁଷମ ଖାଦ୍ୟ ଖାଇବା, ଆବଶ୍ୟକ ପରିମାଣରେ ଖାଇବା, ନିର୍ଦିଷ୍ଟ ସମୟରେ ଏବଂ ନିର୍ଦିଷ୍ଟ ବ୍ୟବଧାନରେ ଖାଇବା ଅତ୍ୟନ୍ତ ଆବଶ୍ୟକ । ବାହାରେ ଏଣେ ତେଣେ ଯାହାସବୁ ମିଳୁଛି ସେଥି ପ୍ରତି ଜଗି ରଖି ଖାଇବା , ରାସ୍ତା କଡର ଫାଷ୍ଟ ଫୁଡ ଏବଂ ଜଙ୍କ ଫୁଡ ଠାରୁ ଦୂରେଇ ରହିବା, ବାସି ଏବଂ ପଚାସଢ଼ା ଖାଦ୍ୟ ନ ଖାଇବା, ଖାଇବା ପୂର୍ବରୁ ଏବଂ ପରେ ଭଲ କରି ହାତ ଧୋଇବା, ହାତ ମୁହଁକୁ ସାବୁନରେ ସଫା ରଖିବା, ପ୍ରତିଦିନ ଠିକ ସମୟରେ ଗାଧୋଇବା, ଦିନରେ ଅତିକମ୍‌ରେ ୭ ରୁ ୮ ଗ୍ଲାସ ପାଣି ପିଇବା, ୭ ରୁ ୮ ଘଣ୍ଟା ଗାଢ଼ ନିଦରେ ଶୋଇବା, ରାତିରେ ନିୟମଗତ ଭାବରେ ୧୦ଟା ସୁଦ୍ଧା ଶୋଇ ପଡିବା, ସକାଳେ ବ୍ରାହ୍ମ ମୁହୂତ୍ତରେ ଶଯ୍ୟା ତ୍ୟାଗ କରିବା, ସକାଳେ ଉଠି ନିତ୍ୟ ପ୍ରତି ପେଟ ସଫା କରିବା, ମୁଖାଦୀ ପ୍ରକ୍ଷାଳନ କରିବା ପରେ ପ୍ରାତଃ ଭ୍ରମଣ ବା ସାମାନ୍ୟ ଯୋଗାଭ୍ୟାସ କରିବା, ଘର ଏବଂ ବାହାର ପରିବେଶକୁ ସମ୍ପୂର୍ଣ୍ଣ ଭାବରେ ସ୍ୱଚ୍ଛ ରଖିବା, ଯଦି ଶରୀର ଅସୁସ୍ଥ ହୁଏ ତେବେ ଉପଯୁକ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରି ଔଷଧ ସେବନ କରିବା, ଆଦି କାର୍ଯ୍ୟ ଗୁଡିକ ଉତ୍ତମ ଶରୀର ଗଠନ ପାଇଁ ଏକାନ୍ତ ଅନିର୍ବାଜ୍ୟ ।

ନିଜ ମନକୁ ସୁସ୍ଥ ରଖିବା ପାଇଁ ଉନ୍ନତ ଧରଣର ପୁସ୍ତକ ପାଠ କରିବା, ଅଧ୍ୟାତ୍ମ ପୁସ୍ତକ ପାଠ କରିବା, ଟିଭି ବା ସିଡିରେ ଭଲ ଭଲ କାର୍ଯ୍ୟକ୍ରମ ଦେଖିବା ଏବଂ ପ୍ରତିଦିନ କିଛି ସମୟ ପାଇଁ ଧ୍ୟାନସ୍ଥ ହେବା କିଛି କିଛି ଲେଖା ଲେଖି କରିବା, ନଚେତ ନିଜର ଦିନଚର୍ଯ୍ୟାକୁ ଲିପିବଦ୍ଧ କରିବା ଦ୍ୱାରା ମଧ୍ୟ ମନ ସୁସ୍ଥ ରହିଥାଏ । ମନେ ରଖିବାକୁ ହେବ ଯେ ସୁସ୍ଥ ମନହିଁ ସୁସ୍ଥ ଶରୀର ଧାରଣ କରି ପାରେ ।

ସମ୍ପତ୍ତି ଆହରଣ ସର୍ବଦା ସତ୍‌ ଉପୟରେହିଁ କରିବା ଉଚିତ ତାହା ଦ୍ୱାରା ମନ ସୁସ୍ଥ ରହିବା ସହିତ ଆତ୍ମସନ୍ତୋଷ ପ୍ରାପ୍ତ ହୋଇଥାଏ । ସର୍ବଦା ନିଜକୁ ଏବଂ ନିଜ କାର୍ଯ୍ୟକୁ ଏବଂ ନିଜ ଧନ-ସମ୍ପତ୍ତିକୁ ଭଗବାନଙ୍କ ନିକଟରେ ସମର୍ପଣ କଲେହିଁ ମଣିଷ ସର୍ବଦା ସୁସ୍ଥ ରହି ପାରିବ ।

ଲୋକପ୍ରିୟ ଲେଖା

To Top