ଇତିହାସ

ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରୀମଣ୍ଡଳ

Balaram Mohanty'd Odisha History

ଏକ ପ୍ରଶାସନିକ ଓଡ଼ିଆ ଶବ୍ଦକୋଷ ପ୍ରଣୟନ କରାଯାଇଥିଲା ଓ ଓଡ଼ିଆ ଟାଇପ୍ ରାଇଟର୍ ପାଇଁ ଏକ ନୂତନ କି ବୋର୍ଡ ତିଆରି କରାଯାଇ ଟାଇପ୍ ରାଇଟର୍ ପାଇଁ ଅର୍ଡର ଦିଆହୋଇଥିଲା । ଏ ସମସ୍ତ କ୍ଷେତ୍ରରେ ଓଡ଼ିଶା ଥିଲା ସେତେବେଳେ ସମଗ୍ର ଦେଶରେ ଅଗ୍ରଣୀ ।

ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରୀମଣ୍ଡଳ

ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର ୧୭ ମାସ ପରେ ୧୯୫୧ ମସିହା ଶେଷରେ ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି ପୂର୍ବତନ ଗଡ଼ଜାତ ଅଞ୍ଚଳ ସମେତ ସମସ୍ତ ଓଡ଼ିଶାରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ପୂର୍ବର ଦୁଇଟି ନିର୍ବାଚନରେ କଂଗ୍ରେସଦଳ ବିଧାନସଭାରେ ସଂଖ୍ୟା ଗରିଷ୍ଠଦଳ ହୋଇ ନିର୍ବାଚିତ ହୋଇ ଆସୁଥିଲେ ମଧ୍ୟ ୧୯୫୧-୫୨ ମସିହାରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠ ହୋଇପାରିଲା ନାହିଁ । ପରେ କେତେକ ସ୍ୱାଧୀନ ସଭ୍ୟ କଂଗ୍ରେସ ଦଳରେ ଯୋଗ ଦେବାରୁ କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠ ହୋଇ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥିଲା । ପୂର୍ବତନ ଗଡ଼ଜାତ ଗୁଡ଼ିକରେ ପରେ ପରେ ବଲାଙ୍ଗୀର-ପାଟନା ଓ କଳାହାଣ୍ଡି ଶାସକଦ୍ୱୟଙ୍କ ନେତୃତ୍ୱରେ ପଶ୍ଚିମ ଓଡ଼ିଶା ଅଞ୍ଚଳର ଲୋକଙ୍କ ସମର୍ଥନରେ “ଗଣତନ୍ତ୍ର ପରିଷଦ” ନାମରେ ଏକ ନୂତନ ରାଜନୈତିକ ଦଳ ଗଠିତ ହୋଇଥିଲା । ସେତିକିବେଳେ ହୀରାକୁଦ ବନ୍ଧ ନିର୍ମାଣ ବିରୁଦ୍ଧରେ ପ୍ରବଳ ଜନଆନ୍ଦୋଳନ ଚାଲିଥିଲା ତେଣୁ ପୂର୍ବରୁ କଂଗ୍ରେସକୁ ସମର୍ଥନ କରି ଆସିଥିବା ସମ୍ୱଲପୁର ଜିଲ୍ଲାର ଅଧିକ ଭାଗ ଲୋକେ ଏହି ନିର୍ବାଚନରେ ଗଣତନ୍ତ୍ର ପରିଷଦକୁ କଂଗ୍ରେସ ଦଳ ବିରୁଦ୍ଧରେ ସମର୍ଥନ କଲେ । କଳାହାଣ୍ଡିକୁ ଲାଗିଥିବା ଫୁଲବାଣୀ ଓ କୋରାପୁଟ ଜିଲ୍ଲାରୁ ମଧ୍ୟ ଗଣତନ୍ତ୍ର ପରିଷଦକୁ ଏହି ନିର୍ବାଚନରେ କିଛି ସମର୍ଥନ ମିଳିଥିଲା ।

୧୯୫୦ରେ ଗୃହୀତ ସମ୍ୱିଧାନ ଅନୁସାରେ ପ୍ରଥମ ସାଧାରଣ ନିର୍ବାଚନ ହେବା ପରେ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ୱରେ ପୁଣି କଂଗ୍ରେସ ମନ୍ତ୍ରୀମଣ୍ଡଳ ଗଠିତ ହେଲା । ଏହି ମନ୍ତ୍ରୀମଣ୍ଡଳ ଦ୍ୱିତୀୟ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସ୍ଥାୟୀ ହୋଇଥିଲା । ମାତ୍ର ୧୯୫୬ ଶେଷ ଭାଗରେ ନବକୃଷ୍ଣ ଚୌଧୁରୀଙ୍କ ଶାସନ କାଳରେ ୧୯୫୧-୫୬ ମସିହା ମଧ୍ୟରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ ହୋଇ ଆଧୁନିକ ଓଡ଼ିଶାର ଭିତ୍ତି ସ୍ଥାପିତ ହୋଇଥିଲା । ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ଯୋଜନାବଦ୍ଧ ଅର୍ଥନୀତିକୁ କାର୍ଯ୍ୟକାରୀ କରିବା ପାଇଁ ସେତେବେଳେ ଓଡ଼ିଶାରେ ଆର୍ଥିକ ସମ୍ୱଳ ନଥିଲା କି ବୈଷୟିକ ଶକ୍ତି ନଥିଲା । ଏଥିପାଇଁ ଓଡ଼ିଶା ବାହାରୁ ଅନ୍ୟ ରାଜ୍ୟରୁ ଡାକ୍ତର, ନର୍ସ ଓ ଓଭରସିଅରଙ୍କୁ ଆଣି ଏଠାରେ ଉନ୍ନୟନ କାର୍ଯ୍ୟ ଆରମ୍ଭ କରିବାକୁ ହୋଇଥିଲା । ଆଧୁନିକ କୃଷି ପଦ୍ଧତିର ପ୍ରସାର ନିମନ୍ତେ ଏହି ସମୟରେ ପ୍ରଥମ କୃଷି ମହାବିଦ୍ୟାଳୟ, ପଶୁ ପାଳନ ଓ ପଶୁ ଚିକିତ୍ସା ମହାବିଦ୍ୟାଳୟ ତଥା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ସେହିପରି ଶିଳ୍ପ ପ୍ରସାର ନିମନ୍ତେ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବା ନିମନ୍ତେ କଟକ ସଦର ନିକଟରେ ଏକ ଶିଳ୍ପନଗରୀ ସ୍ଥାପନ ହୋଇଥିଲା ଏବଂ ସେଥିରେ ସରକାର ନିଜେ ଶିଳ୍ପ ସ୍ଥାପନ ଉପଯୋଗୀ ଗୃହମାନ ନିର୍ମାଣ କରିଥିଲେ । ଶିଳ୍ପ ଉଦ୍ୟୋଗୀମାନଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଇଥିଲା ।

ଏହି ମନ୍ତ୍ରୀମଣ୍ଡଳଙ୍କ ଶାସନ କାଳରେ ଜମିଦାରୀ ଉଚ୍ଛେଦ ଆଇନ୍କୁ କାର୍ଯ୍ୟକାରୀ କରାଯାଇ ସମସ୍ତ ମଧ୍ୟସତ୍ତ୍ୱାଧୀକାରୀଙ୍କୁ ଉଚ୍ଛେଦ କରାଯାଇଥିଲା । ଭୂସଂସ୍କାର ପୂର୍ବରୁ ବଡ଼ ଜମି ମାଲିକମାନେ ଭାଗଚାଷୀମାନଙ୍କୁ ଜମିରୁ ଯେପରି ଉଚ୍ଛେଦ କରି ନ ପାରିବେ ସେଥିପାଇଁ ଭାଗଚାଷୀ ଆଇନ୍ କାର୍ଯ୍ୟକାରୀ ହୋଇଥିଲା । ଶାସନରେ ଲୋକଙ୍କୁ ଭାଗୀଦାର କରିବା ସକାଶେ ଅଞ୍ଚଳ ଶାସନ ଆଇନ୍ ଗୃହୀତ ହୋଇଥିଲା । ସରକାରୀ ସ୍ତରରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ପ୍ରାଥମିକ ବ୍ୟବସ୍ଥା ସ୍ୱରୂପ ଏହି ସମୟରେ ସରକାରୀ ଭାଷା ଆଇନ୍‌କୁ ସଂଶୋଧନ କରାଯାଇଥିଲା । ଏକ ପ୍ରଶାସନିକ ଓଡ଼ିଆ ଶବ୍ଦକୋଷ ପ୍ରଣୟନ କରାଯାଇଥିଲା ଓ ଓଡ଼ିଆ ଟାଇପ୍ ରାଇଟର୍ ପାଇଁ ଏକ ନୂତନ କି ବୋର୍ଡ ତିଆରି କରାଯାଇ ଟାଇପ୍ ରାଇଟର୍ ପାଇଁ ଅର୍ଡର ଦିଆହୋଇଥିଲା । ଏ ସମସ୍ତ କ୍ଷେତ୍ରରେ ଓଡ଼ିଶା ଥିଲା ସେତେବେଳେ ସମଗ୍ର ଦେଶରେ ଅଗ୍ରଣୀ । ଏହି ମନ୍ତ୍ରୀମଣ୍ଡଳଙ୍କ ଶାସନ କାଳ ଭିତରେ ଓଡ଼ିଶାର ବୃହତ୍ ବହୁମୁଖୀ ଯୋଜନା ହୀରାକୁଦ ବନ୍ଧ ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହୋଇଥିଲା ଓ ରାଉରକେଲା ଇସ୍ପାତ କାରଖାନାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଏହାର ପ୍ରଥମ ଭାଗ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଆସିଥିଲା । ଏଇ ଦୁଇଟି ବୃହତ୍ ଯୋଜନା ଭବିଷ୍ୟତରେ ଓଡ଼ିଶାର କୃଷି ଓ ଶିଳ୍ପ ପ୍ରସାର ପାଇଁ ଭିତ୍ତିଭୂମି କାର୍ଯ୍ୟ କରିଥିଲା । ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଉଦ୍ୟମରେ ପ୍ରଣୀତ ଅଞ୍ଚଳ ଶାସନ ଆଇନ୍ ଅମଲାତନ୍ତ୍ର ବିରୋଧ ଯୋଗୁଁ କାର୍ଯ୍ୟକାରୀ ହୋଇପାରିନଥିଲା ।

ଏହି ମନ୍ତ୍ରୀମଣ୍ଡଳରେ “ସମାଜ” ସମ୍ପାଦକ ରାଧାନାଥ ରଥ, ବିଶିଷ୍ଟ ଆଇନ୍‌ଜୀବୀ ୰ ଦୀନବନ୍ଧୁ ସାହୁ, ୰ ସଦାଶିବ ତ୍ରିପାଠୀ, ୰ ସତ୍ୟପ୍ରିୟ ମହାନ୍ତି ପ୍ରମୁଖ ବିଶିଷ୍ଟ ଜନନାୟକମାନେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସହଯୋଗୀ ଥିଲେ ।

ଲୋକପ୍ରିୟ ଲେଖା

To Top