ଇତିହାସ

ଶ୍ରୀ ବିଜୁପଟ୍ଟନାୟକଙ୍କ ନେତୃତ୍ୱରେ ଜନତାଦଳ ସରକାର

Balaram Mohanty'd Odisha History

କେତେକ ଉଚ୍ଚ ପଦସ୍ଥ ଅଫିସ୍‌ର ଓ ଇଞ୍ଜିନିୟର୍‌ଙ୍କ ବାସଭବନ ଖାନତଲାସ କରିଥିଲେ ଓ ସେମାନଙ୍କର ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ କାଗଜପତ୍ର ଜବତ କରିଥିଲେ ।

ଶ୍ରୀ ବିଜୁପଟ୍ଟନାୟକଙ୍କ ନେତୃତ୍ୱରେ ଜନତାଦଳ ସରକାର

୧୯୯୦ ମସିହା ଫେବୃଆରୀ ମାସରେ ଓଡ଼ିଶା ବିଧାନସଭା ନିର୍ବାଚନରେ ଜନତାଦଳ ବିପୁଳ ସଂଖ୍ୟାରେ ନିର୍ବାଚିତ ହେଲା ଓ ଶ୍ରୀ ବିଜୁପଟ୍ଟନାୟକଙ୍କ ନେତୃତ୍ୱରେ ଜନତାଦଳ ମନ୍ତ୍ରୀମଣ୍ଡଳ ଗଠିତ ହେଲା । ଏହି ପ୍ରବନ୍ଧ ଲେଖିଲା ବେଳକୁ ବିଜୁପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳ ଅଢେ଼ଇବର୍ଷ ଶାସନ ଦାୟିତ୍ୱ ଗ୍ରହଣ କରି ସାରିଛନ୍ତି । ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ଶ୍ରୀ ବିଜୁପଟ୍ଟନାୟକଙ୍କ ନେତୃତ୍ୱରେ ଜନତାଦଳ ସରକାର ସର୍ବନିମ୍ନ ଦୈନିକ ମଜୁରୀ ହାର ୧୫ ଟଙ୍କାକୁ ବୃଦ୍ଧି କରି, ଦଶହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଷ ଛାଡ଼ କରିଦେଇଛନ୍ତି । ଆଦିବାସୀ ବହୁଳ ଅଞ୍ଚଳରେ ଚାଉଳ କିଲୋ ଦୁଇଟଙ୍କା ଦରରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଅସହାୟ ବିଧବା, ବିକଳାଙ୍ଗ ତଥା ଭୂମିହୀନ ଶ୍ରମିକ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ବର୍ଦ୍ଧିତ ହାରରେ ପେନ୍‌ସନ୍ ବ୍ୟବସ୍ଥା ପ୍ରବର୍ତ୍ତନ କରିଛନ୍ତି ।

୧୯୯୨ ମଧ୍ୟଭାଗରେ ସମଗ୍ର ଓଡ଼ିଶାର ସ୍ୱାୟତ୍ତଶାସନ ଅନୁଷ୍ଠାନମାନଙ୍କ ପାଇଁ ଯେଉଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ତାହା ଏହି ମନ୍ତ୍ରୀମଣ୍ଡଳଙ୍କ ଶାସନକାଳର ଏକ ଉଲ୍ଲେଖଯୋଗ୍ୟ କାର୍ଯ୍ୟ । ଦୀର୍ଘ ୧୩ ବର୍ଷ ପରେ ମ୍ୟୁନିସିପାଲିଟି ଓ ୯ ବର୍ଷ ପରେ ଗ୍ରାମପଞ୍ଚାୟତମାନଙ୍କରେ ଖୁବ୍ ଉତ୍ସାହ ସହିତ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନ ପୂର୍ବରୁ ଓଡ଼ିଶା ମ୍ୟୁନିସିପାଲିଟି ଓ ଗ୍ରାମ ପଞ୍ଚାୟତ ଆଇନକୁ ସଂଶୋଧନ କରାଯାଇ ସେଥିରେ ବିଭିନ୍ନ ୱାର୍ଡର ଶତକଡ଼ା ୩୦ ଭାଗ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷଣ କରାଯାଇଥିଲା । ମହିଳାଙ୍କୁ ଶାସନ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ସୁଯୋଗ ଦେବା କ୍ଷେତ୍ରରେ ଏହା ଏକ ଅଭିନନ୍ଦନୀୟ ନିଷ୍ପତ୍ତି । ଲୋକ ସଂଖ୍ୟା ଅନୁପାତରେ ଆଦିବାସୀ ଓ ହରିଜନ ମହିଳାଙ୍କ ପାଇଁ ମଧ୍ୟ ସଂରକ୍ଷଣ କରାଯାଇଥିଲା । ଜାତୀୟ ସ୍ତରରେ ମହିଳାମାନଙ୍କ ପାଇଁ ଏହିପରି ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ନିମନ୍ତେ ଭାରତର ସମ୍ୱିଧାନ ସଂଶୋଧନ ପାଇଁ ତଥାପି ବିଚାରାଧୀନ ଥିଲା ବେଳେ ସମଗ୍ର ଦେଶରେ ଓଡ଼ିଶାରେ ହିଁ ପ୍ରଥମେ ସ୍ୱାୟତ୍ତ ଶାସନ ଅନୁଷ୍ଠାନମାନଙ୍କରେ ମହିଳାମାନଙ୍କୁ ଏକ ତୃତୀୟାଂଶ ସ୍ଥାନରେ ସଂରକ୍ଷଣର ସୁବିଧା ଦିଆଯାଇଛି । ଏତେ ସଂଖ୍ୟାରେ ବିଶେଷ ଭାବରେ ଆଦିବାସୀ ବହୁଳ ଆଦିବାସୀ ମହିଳା ପ୍ରାର୍ଥୀ ମିଳିବେ ନାହିଁ ବୋଲି ପ୍ରଥମେ ଆଶଙ୍କା ପ୍ରକାଶ ପାଇଥିଲେ ମଧ୍ୟ ଏହି ଆଶଙ୍କା ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା । ବରଂ ମହିଳାମାନଙ୍କ ପାଇଁ ସଂରକ୍ଷିତ ସ୍ଥାନମାନଙ୍କରେ ଏକାଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ନିର୍ବାଚନ ଶେଷରେ ଓଡ଼ିଶାର ମ୍ୟୁନିସିପାଲିଟି ଗୁଡ଼ିକରେ ୪୦୦ ଜଣ ମହିଳା ଓ ଗ୍ରାମ ପଞ୍ଚାୟତମାନଙ୍କରେ ୨୫ ହଜାର ମହିଳା ସଭ୍ୟ ରହିଛନ୍ତି । ସ୍ୱାୟତ୍ତଶାସନ ସମ୍ପର୍କରେ ସଂଶୋଧିତ ଆଇନ୍‌ରେ ପ୍ରତ୍ୟେକ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଭାବରେ ବା ଉପାଧ୍ୟକ୍ଷ ଭାବରେ ଜଣେ ମହିଳା ଏବଂ ଗ୍ରାମ ପଞ୍ଚାୟତମାନଙ୍କରେ ସରପଞ୍ଚ ହେଉ ବା ନାଏବ ସରପଞ୍ଚ ହେଉ ଜଣେ ଜଣେ ମହିଳା ରହିବେ ବୋଲି ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ଏହି ସ୍ୱାୟତ୍ତଶାସନ ଅନୁଷ୍ଠାନରେ ନିର୍ବାଚନ ଅଲକ୍ଷରେ ଏକ ସାମାଜିକ ବିପ୍ଳବ ବୋଲି ନୂଆ ଦିଲ୍ଲୀସ୍ଥ ସାମାଜିକ ବିଜ୍ଞାନ ଅନୁଷ୍ଠାନର ଅଧ୍ୟକ୍ଷ ଜର୍ଜ ମାଥ୍ୟୁ ଯେଉଁ ମତ ପ୍ରକାଶ କରିଛନ୍ତି ତାହା ଯଥାର୍ଥ ।

ଜନତାଦଳ ତାଙ୍କ ନିର୍ବାଚନ ଇସ୍ତାହାରରେ ଓଡ଼ିଶାର ଦୁର୍ନୀତିଗ୍ରସ୍ତ ମନ୍ତ୍ରୀ ତଥା ଉଚ୍ଚ ପଦସ୍ଥ ଅଫିସର୍ ଓ ଇଞ୍ଜିନିୟର୍ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଯେଉଁ ଘୋଷଣା କରିଥିଲେ ତାକୁ ପାଳନ କରି ସେମାନେ କ୍ଷମତାକୁ ଆସିବାପରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ କେତେକ ଉଚ୍ଚ ପଦସ୍ଥ ଅଫିସ୍‌ର ଓ ଇଞ୍ଜିନିୟର୍‌ଙ୍କ ବାସଭବନ ଖାନତଲାସ କରିଥିଲେ ଓ ସେମାନଙ୍କର ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ କାଗଜପତ୍ର ଜବତ କରିଥିଲେ । ଏହାର ବିଚାର ପାଇଁ ଯେଉଁ ସ୍ୱତନ୍ତ୍ର କୋର୍ଟ ଗଠନ କରାଯାଇଛି ସେମାନେ ଏ ସମ୍ପର୍କୀୟ ମକଦ୍ଦମା ବିଚାର କରୁଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ସେମାନଙ୍କ ଠାରୁ ଜବତ କରିବାର ବ୍ୟବସ୍ଥା କରିବାପାଇଁ ଏହି ସ୍ୱତନ୍ତ୍ର କୋର୍ଟକୁ କ୍ଷମତା ଦିଆଯାଇଛି ।

ଜନତାଦଳ ସରକାର କ୍ଷମତାକୁ ଆସିବା ପରେ ବିଶିଷ୍ଟ ଶିଳ୍ପପତିଙ୍କ ସହଯୋଗରେ ଓଡ଼ିଶାର ଯଖପୁରାଠାରେ ଦ୍ୱିତୀୟ ବୃହତ୍ ଇସ୍ପାତ୍ କାରଖାନା ନିର୍ମାଣ କରିବା ପାଇଁ ଉଦ୍ୟମ ଚଳାଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ ନିରବଚ୍ଛିନ୍ନ ଉଦ୍ୟମରେ ୩୦ ଲକ୍ଷ ଟନ୍ ଇସ୍ପାତ ଉତ୍ପାଦନ କ୍ଷମତା ବିଶିଷ୍ଟ, ବିଶିଷ୍ଟ ପ୍ରବାସୀ ଭାରତୀୟ ବ୍ୟାପାର ଶିଳ୍ପ ଗୋଷ୍ଠୀର ଅଧ୍ୟକ୍ଷ ସ୍ୱରାଜପଲଙ୍କ ସହଯୋଗରେ ଏହି ଇସ୍ପାତ କାରଖାନାର ନିର୍ମାଣ ପାଇଁ ପ୍ରାଥମିକ କାର୍ଯ୍ୟ ଚାଲିଛି । ଏହାଛଡ଼ା ୫ ଟନ୍ ଉତ୍ପାଦନକ୍ଷମ ଆଉ ଏକ ଇସ୍ପାତ କାରଖାନା ଦଇତାରିଠାରେ ଚୀନ୍ଦେଶର ଏକ ଶିଳ୍ପ ସଂସ୍ଥା ସହଯୋଗରେ ପ୍ରତିଷ୍ଠିତ ହେଉଛି । ପାରାଦ୍ୱୀପଠାରେ ଇଣ୍ଡିଆନ୍ ଅଏଲ୍ ସଂସ୍ଥା ଆନୁକୂଲ୍ୟରେ ଏକ ମିଳିତ ଉଦ୍ୟମରେ ଗୋଟିଏ ତୈଳ ବିଶୋଧନାଗାର ପ୍ରତିଷ୍ଠିତ ହେବ । ଏଥିପାଇଁ ଯଖପୁରା-ବାଂଶପାଣି ୧୬୮ କିଲୋମିଟର ଲମ୍ୱର ରେଳରାସ୍ତା ଏବଂ ପାରାଦ୍ୱୀପ ବନ୍ଦରର ବିକାଶ ସାଧନ କରାଯାଉଛି ।

ଲୋକପ୍ରିୟ ଲେଖା

To Top