ଇତିହାସ

କଂଗ୍ରେସ ଅନୁଷ୍ଠାନ ପକ୍ଷରୁ ଏ ଦିଗରେ କାର୍ଯ୍ୟ

Balaram Mohanty'd Odisha History

ଓଡ଼ିଶାବାସୀ ୯ ବର୍ଷ ଅପେକ୍ଷା କରିଥିଲେ ଆହୁରି ବହୁ ଓଡ଼ିଆଭାଷୀ ଅଞ୍ଚଳକୁ ହରାଇବାକୁ ପଡ଼ିଥାନ୍ତା ।

କଂଗ୍ରେସ ଅନୁଷ୍ଠାନ ପକ୍ଷରୁ ଏ ଦିଗରେ କାର୍ଯ୍ୟ

ଗାନ୍ଧି-ଇରଉଇନ୍ ଚୁକ୍ତିରେ କଂଗ୍ରେସ କର୍ମୀମାନେ ଖଲାସ ହୋଇ ଆସିଲା ପରେ ଓଡ଼ନେଲ୍ କମିଟିଙ୍କ ସୀମା ନିର୍ଦ୍ଧାରଣ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ତତ୍ପରତା ପ୍ରକାଶ କରିଥିଲେ । ଉତ୍କଳ କଂଗ୍ରେସ କମିଟି ବୈଠକରେ ସମସ୍ତ ଓଡ଼ିଆଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ ପାଇଁ ଦାବୀ କରାଯାଇଥିଲା ଏବଂ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା । ଏହି କମିଟିରେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ, ନିରଞ୍ଜନ ପଟ୍ଟନାୟକ, ଶଶୀଭୂଷଣ ରଥ, ମୁକୁନ୍ଦ ପ୍ରସାଦ ଦାସ, ସ୍ୱାମୀ ବିଚିତ୍ରାନନ୍ଦ ଦାସ ଓ ଲକ୍ଷ୍ମୀନାରାୟଣ ମିଶ୍ର ପ୍ରମୁଖ ସଭ୍ୟ ଥିଲେ । କମିଟି ଗଠନ ପରେ ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ମେଦିନୀପୁର ଓ ସିଂହଭୂମି ଜିଲ୍ଲା ଗ୍ରସ୍ତ କରି ବିଚ୍ଛିନ୍ନାଞ୍ଚଳ ମିଶ୍ରଣର ବାର୍ତ୍ତା ପ୍ରଚାର କରିଥିଲେ ।

ଏହି ସମୟରେ କଂଗ୍ରେସ ନେତା ଡଃ. ହରେକୃଷ୍ଣ ମହତାବ ଏକ ବିବୃତ୍ତିରେ ମତ ପ୍ରକାଶ କରିଥିଲେ ଯେ ବ୍ରିଟିଶ୍ ସରକାର ଏତେ ତରତରରେ ସୀମା କମିଶନ ଗଠନ କରିବାର କୌଣସି ଆବଶ୍ୟକତା ନଥିଲା । ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏକାନ୍ତ ଆବଶ୍ୟକ ମାତ୍ର ସ୍ୱାଧୀନତା ପୂର୍ବରୁ ନୁହେଁ । ସ୍ୱାଧୀନତା ପରେ ସ୍ୱତନ୍ତ୍ର ଆନ୍ଧ୍ରପ୍ରଦେଶ ଗଠିତ ହେଲା ମାତ୍ର ସେଥିପାଇଁ ୯ ବର୍ଷ ଲାଗି ଯାଇଥିଲା ଏବଂ ଆନ୍ଧ୍ରପ୍ରଦେଶର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ସେଥିପାଇଁ ଅନଶନ କରି ଜୀବନ ଦେବାକୁ ପଡ଼ିଥିଲା । ଓଡ଼ିଶାବାସୀ ୯ ବର୍ଷ ଅପେକ୍ଷା କରିଥିଲେ ଆହୁରି ବହୁ ଓଡ଼ିଆଭାଷୀ ଅଞ୍ଚଳକୁ ହରାଇବାକୁ ପଡ଼ିଥାନ୍ତା ।

ସୀମା କମିଶନ ତାଙ୍କ ରିପୋର୍ଟରେ ବଙ୍ଗଳା ଅନ୍ତର୍ଗତ ମେଦିନପୁର ଏବଂ ବାଙ୍କୁଡ଼ା ଜିଲ୍ଲାର କୌଣସି ଅଞ୍ଚଳ, ବିହାର-ଓଡ଼ିଶା ପ୍ରଦେଶ ଅନ୍ତର୍ଗତ ସିଂହଭୂମି ଜିଲ୍ଲା ଓ ମାନଭୂମି ଜିଲ୍ଲା, ମଧ୍ୟପ୍ରଦେଶର କେବଳ ଖଡ଼ିଆଳ ଓ ପଦ୍ମପୁର ଜମିଦାରୀ ମିଶ୍ରଣ ପାଇଁ ସୁପାରିଶ କଲେ ମାତ୍ର ଫୁଲଝର, ରାଇପୁର ଓ ବିଳାସପୁର ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ନୂତନ ଓଡ଼ିଶା ପ୍ରଦେଶର ଅନ୍ତର୍ଭୁକ୍ତ କରିବା ପାଇଁ ସୁପାରିଶ କଲେନାହିଁ । ସେହିପରି ମାନ୍ଦ୍ରାଜ ପ୍ରଦେଶର ଓଡ଼ିଆଭାଷୀ ଅଞ୍ଚଳ ଭିତରୁ ସମଗ୍ର ଗଞ୍ଜାମ ଜିଲ୍ଲା, ଗୁଡ଼େମ ତାଲୁକ ବ୍ୟତୀତ ସମଗ୍ର ଭାଇଯାଗଫଟମ ଏଜେନ୍ସି, ପାଡୁଆ ତାଲୁକାର ଗୋଟିଏ ଅଂଶ, କେତେକ ପୂର୍ବ ସୀମାନ୍ତ ଅଞ୍ଚଳ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଅନ୍ତର୍ଭୁକ୍ତ ହେବା ପାଇଁ ସୁପାରିଶ କରିଥିଲେ । ଓଡ଼ନେଲ୍ କମିଟି ୧୯୩୨ ମସିହା ଫେବୃଆରୀ ୯ ତାରିଖରେ ସେମାନଙ୍କର ରିପୋର୍ଟ ସରକାରଙ୍କୁ ଦେଇଥିଲେ ।

ପ୍ରସ୍ତାବିତ ନୂତନ ଓଡ଼ିଶା ପ୍ରଦେଶର ଏହି ସୀମା ନିର୍ଦ୍ଧାରଣରେ ସମଗ୍ର ଓଡ଼ିଶାବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଗଞ୍ଜାମ ଜିଲ୍ଲାର ଟିକାଲି, ମଞ୍ଜୁଷା, ବୁତାର ସିଂହ, ଜଳନ୍ତର, ସୋମପେଣ୍ଠ ଓ ଉତ୍ତର ବ୍ରହ୍ମପୁର ତାଲୁକ, ବିହାରର ସିଂହଭୂମି ଜିଲ୍ଲା ଓ ମଧ୍ୟପ୍ରଦେଶର ଫୁଲଝର ଓ ବିନ୍ଦ୍ରା ନୂଆଗଡ଼ ନୂତନ ଓଡ଼ିଶା ପ୍ରଦେଶର ଅନ୍ତର୍ଭୁକ୍ତ କରିବା ପାଇଁ ସମସ୍ତ ଓଡ଼ିଆବାସୀ ଦାବୀ କରିଥିଲେ । ଉତ୍କଳ କଂଗ୍ରେସ କମିଟି କମିଶନଙ୍କ ରିପୋର୍ଟର ତୀବ୍ର ନିନ୍ଦା କରି ପ୍ରସ୍ତାବ ଗ୍ରହଣ କରି ଓଡ଼ିଶାର ଉନ୍ନତି ପକ୍ଷରେ ଏହା ଘୋର କ୍ଷତିକାରକ ବୋଲି ମତପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଏହି ଅନୁସାରେ ସୀମା ନିର୍ଦ୍ଧାରଣ କରାଗଲେ ଓଡ଼ିଶାର ଭବିଷ୍ୟକ ଦୁର୍ଦ୍ଦଶାଗ୍ରସ୍ତ ହେବ । ଉତ୍କଳ ସମ୍ମିଳନୀ ବୈଠକରେ ଶୀଘ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଦାବୀ କରାଯାଇ ସମ୍ପୂର୍ଣ୍ଣ ଓଡ଼ିଆଭାଷୀ ଅଞ୍ଚଳ ନୂତନ ଓଡ଼ିଶାରେ ଅନ୍ତର୍ଭୁକ୍ତ କରାଯାଇନଥିବାରୁ ଦୁଃଖ ପ୍ରକାଶ କରାଯାଇଥିଲା । ସେହି ବର୍ଷ ବିହାର-ଓଡ଼ିଶା ବିଧାନସଭାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ଭାରତ ସରକାରଙ୍କୁ ଅନୁରୋଧ କରି ଏକ ପ୍ରସ୍ତାବ ଗୃହିତ ହୋଇଥିଲା ।

୧୯୩୨ ମସିହା ଡିସେମ୍ୱର ମାସ ୨୪ ତାରିଖରେ ଭାରତ ମନ୍ତ୍ରୀ ସାର୍ ସାମୁଏଲ୍ ହୋର୍ ଘୋଷଣା କଲେ ଯେ ଭାରତର ସାମ୍ୱିଧାନିକ ବ୍ୟବସ୍ଥା ଭିତରେ ଓଡ଼ିଶା ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବ । ୧୯୩୩ ମସିହା ମାର୍ଚ୍ଚ ମାସରେ ପ୍ରକାଶିତ ଶ୍ୱେତପତ୍ରରେ ନୂତନ ଓଡ଼ିଶା ପ୍ରଦେଶକୁ ଭାଇଯାଗପଟମ ଏଜେନ୍ସି, ଜଳନ୍ତର ମାଳିଆ ଓ ପାରଳାଖେମୁଣ୍ଡି ଜମିଦାରୀକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରୁ ବାଦ ଦିଆଯାଇଥିଲା । ତେଣୁ ଓଡ଼ନେଲ କମିଟି ଯେଉଁ ସୀମା ନିର୍ଦ୍ଧାରଣ କରିଥିଲେ, ଶ୍ୱେତ ପତ୍ରରେ ବାଦ ଦିଆଯାଇଥିବା ଓଡ଼ିଆଭାଷୀ ଅଞ୍ଚଳକୁ ବାଦଦେଲେ ନୂତନ ଓଡ଼ିଶା ପ୍ରଦେଶର ସୀମାରେ ଆୟତନ ୨୧,୫୪୫ ମାଇଲ ହ୍ରାସ ପାଉଥିଲା । ବିହାର-ଓଡ଼ିଶା ବିଧାନସଭାରେ ଶ୍ୱେତପତ୍ରରେ ଯେଉଁ ସୀମା ନିର୍ଦ୍ଧାରଣ କରାଗଲା, ତା’ର ତୀବ୍ର ସମାଲୋଚନା କରାଯାଇଥିଲା । ଉତ୍କଳ ସମ୍ମିଳନୀ ଶ୍ୱେତପତ୍ର ପ୍ରକାଶ ପାଇଲା ପରେ ଏ ପ୍ରସ୍ତାବରେ ଜଣାଇ ଦେଲେ ଯେ ଯଦି ଜୟପୁର, ପାରଳାଖେମୁଣ୍ଡି ଜମିଦାରୀର ଉତ୍ତର ଓ ପୂର୍ବାଞ୍ଚଳ ମାଳିଆ, ମଞ୍ଜୁଷା ଓ ଜଳନ୍ତରର ପଶ୍ଚିମଭାଗ ଓ ସମଗ୍ର ବୁଢ଼ାର ସିଂହ ନୂତନ ଓଡ଼ିଶା ପ୍ରଦେଶରୁ ବାଦଯାଏ ତା’ହେଲେ ସମଗ୍ର ଓଡ଼ିଶାବାସୀଙ୍କ ପକ୍ଷରେ ତାହା ଗ୍ରହଣୀୟ ହେବ ନାହିଁ ଏବଂ ସମଗ୍ର ଓଡ଼ିଶାବାସୀ ଏହା ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳେଇବେ ।

ଲୋକପ୍ରିୟ ଲେଖା

To Top