ଇତିହାସ

ଦ୍ୱିତୀୟ ଗୋଲ୍‌ଟେବୁଲ୍ ସମ୍ମିଳନୀରେ ଗାନ୍ଧିଜୀ କଂଗ୍ରେସର ପ୍ରତିନିଧି

Balaram Mohanty'd Odisha History

ଗାନ୍ଧିଜୀ ଶେଷରେ ବିଫଳ ହୋଇ ଭାରତକୁ ଫେରି ଆସିଥିଲେ ।

ଦ୍ୱିତୀୟ ଗୋଲ୍‌ଟେବୁଲ୍ ସମ୍ମିଳନୀରେ ଗାନ୍ଧିଜୀ କଂଗ୍ରେସର ପ୍ରତିନିଧି

୧୯୩୧ ମସିହାରେ ବ୍ରିଟିଶ୍ ସରକାର ଲଣ୍ଡନଠାରେ ଆୟୋଜନ କରିଥିବା ଦ୍ୱିତୀୟ ଗୋଲ୍‌ଟେବୁଲ୍ ବୈଠକରେ ଜାତୀୟ କଂଗ୍ରେସ୍‌ର ଏକମାତ୍ର ପ୍ରତିନିଧି ରୂପେ ମହାତ୍ମାଗାନ୍ଧି ଯୋଗ ଦେଇଥିଲେ । ବିଲାତ ଯିବା ପୂର୍ବରୁ ଗାନ୍ଧିଜୀ ଭାରତର ମୁସଲମାନ ତଥା ଅନ୍ୟ ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହିତ କଥାବାର୍ତ୍ତା କରି ଏକ ସର୍ବସମ୍ମତ ବିଚାର ଗୋଲ ଟେବୁଲ୍ ବୈଠକରେ ଉପସ୍ଥାପିତ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ।

ଗୋଲ୍‌ଟେବୁଲ୍ ବୈଠକରେ ଯୋଗ ଦେଇଥିବା ପ୍ରତିନିଧିମାନେ ଜନସାଧାରଣଙ୍କ ପ୍ରତିନିଧି ନଥିଲେ । ସେମାନେ ଥିଲେ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ମନୋନୀତ ପ୍ରତିନିଧି । ପ୍ରତିନିଧିମାନେ ପରସ୍ପର ବିରୁଦ୍ଧରେ ମତ ପ୍ରକାଶ କଲେ । ଦେଶରେ ସମୂହ ସ୍ୱାର୍ଥ ଅପେକ୍ଷା ନିଜ ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା ପାଇଁ ମତପ୍ରକାଶ ପାଇଲା । ଏହା ବ୍ରିଟିଶ୍ ସରକାରଙ୍କୁ ବେଶ୍ ସୁହାଇଲା । ଏଥିରେ ଗାନ୍ଧିଜୀ ବ୍ୟଥିତ ହୋଇଥିଲେ । ଏହି ଗସ୍ତବେଳେ ଗାନ୍ଧିଜୀ ବିଲାତର ବିଭିନ୍ନ ଅଞ୍ଚଳରେ ବୁଲି ଭାରତର ଦାବୀ ଓ ଅହିଂସା ଆନ୍ଦୋଳନ ସମ୍ପର୍କରେ ବୁଝାଇ ଦେଇଥିଲେ । ଗାନ୍ଧିଜୀ ଜଣାଇ ଦେଇଥିଲେ ଯେ ଅନ୍ୟ ପ୍ରତିନିଧିମାନେ ବଡ଼ଲାଟ୍‌ଙ୍କ ମନୋନୀତ ପ୍ରତିନିଧି ଭାବରେ ଆସିଥିଲେ । ଲୋକେ ତାଙ୍କୁ ପଠାଇ ନାହାନ୍ତି ।

ଗାନ୍ଧିଜୀ ଶେଷରେ ବିଫଳ ହୋଇ ଭାରତକୁ ଫେରି ଆସିଥିଲେ । ସେ ଆସିଲା ବେଳକୁ ଭାରତର ରାଜନୈତିକ ପରିସ୍ଥିତି ଜଟିଳ ଆକାର ଧାରଣ କରିଥିଲା । ଯୁକ୍ତ ପ୍ରଦେଶ ଅବସ୍ଥାର ପ୍ରତିବାଦ କରି ପଣ୍ଡିତ ଜାବାହରଲାଲ୍ ନେହେରୁ ଗିରଫ ହୋଇ ସାରିଥିଲେ । ଖାଁ ଅବଦୁଲ ଗଫର ଖାଁସ ଓ ଡଃ ଖାଁ ସାହେବ ସୀମାନ୍ତ ପ୍ରଦେଶର ବନ୍ଦୀ ହୋଇ ସାରିଥିଲେ । ବଙ୍ଗ ପ୍ରଦେଶ ଓ ଯୁକ୍ତ ପ୍ରଦେଶରେ କଠୋର ଅର୍ଡିନାନ୍ସ ଜାରି କରାଯାଇ ଲୋକଙ୍କ ଉପରେ ଉତ୍ପୀଡ଼ନ ଆରମ୍ଭ କରାଯାଇଥାଏ । ଗାନ୍ଧିଜୀ ୧୯୩୧ ମସିହା ଡିସେମ୍ୱର ୨୪ ତାରିଖରେ ବମ୍ୱେରେ ପହଞ୍ଚିବା ଦିନ କଂଗ୍ରେସ କାର୍ଯ୍ୟକାରୀ କମିଟି ସରକାରଙ୍କ ସହିତ ଆଉ କୌଣସି କଥାବାର୍ତ୍ତା ନ ଚଳେଇ ଗାନ୍ଧି ଇରଉଇନ୍ ଚୁକ୍ତିକୁ ରଦ୍ଦ କରିବା ପାଇଁ ଏକ ପ୍ରସ୍ତାବ ଗ୍ରହଣ କଲେ । ସେତେବେଳେ ଗାନ୍ଧିଜୀ ଘୋଷଣା କରିଥିଲେ ଯେ ସେ ବଡ଼ଲାଟ୍‌ଙ୍କ ଅପରିଣାମଦର୍ଶିତା ସତ୍ତ୍ୱେ ସେ ସମ୍ୱିଧାନର ବାଟ ଖୋଜିବେ ମାତ୍ର ସେ ଏଥିରେ ବିଫଳ ହେଲେ ଶେଷ ସ୍ୱାଧୀନତା ସଂଗ୍ରାମ ପାଇଁ ଆହ୍ୱାନ ଦେବେ । ଏହି ସଂଗ୍ରାମରେ ଲୋକଙ୍କୁ ଗୁଳିର ସମ୍ମୁଖୀନ ହେବାକୁ ପଡ଼ିବ । ଏହି ସଂଗ୍ରାମରେ ଲକ୍ଷ ଲକ୍ଷ ଲୋକଙ୍କୁ ବଳି ଦେବା ପାଇଁ ସେ କୁଣ୍ଠିତ ହେବେ ନାହିଁ ।

୧୯୩୨ ମସିହା ଜାନୁଆରୀ ମାସ ୪ ତାରିଖରେ ମହାତ୍ମାଗାନ୍ଧୀ ଗିରଫ ହେଲେ ଏବଂ ଗିରଫ ହେବା ପୂର୍ବରୁ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ଯାଇଥିଲେ । ବାର୍ତ୍ତାଟି ହେଲା- “ଭଗବାନଙ୍କ ଦୟା ଅସୀମ । ସତ୍ୟ ଓ ଅହିଂସା ପଥରୁ କଦାପି ବିଚ୍ୟୁତି ହୁଅନାହିଁ । ପଛକୁ କେବେହେଲେ ଚାହଁ ନାହିଁ ଏବଂ ସ୍ୱରାଜ ଲାଭ ପାଇଁ ତୁମର ସମସ୍ତ ଧନ ଜୀବନ ତ୍ୟାଗ କର ।” ଗାନ୍ଧିଜୀଙ୍କ ବାର୍ତ୍ତା ସର୍ବତ୍ର ପ୍ରଚାରିତ ହେଲା । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନେ କଂଗ୍ରେସ ଅଧିବେଶନ ପାଇଁ ଯେଉଁ ବିବିଧ ଆୟୋଜନରେ ଲାଗିଥିଲେ ସେ ସବୁ ବନ୍ଦ କରି ଆଇନ ଅମାନ୍ୟ ସଂଗ୍ରାମରେ ଭାଗ ନେଲେ । ସଂଗ୍ରାମର ନେତୃ ସ୍ଥାନୀୟ ବ୍ୟକ୍ତିମାନଙ୍କୁ ଗିରଫ୍ କରି ନିଆଗଲା । ଲବଣ ସତ୍ୟାଗ୍ରହ ପରି ବିଭିନ୍ନ ଜିଲ୍ଲାର ସହର ଓ ପଲ୍ଲୀ ଗ୍ରାମରୁ ଲୋକମାନେ ବହୁ ସଂଖ୍ୟାରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଲେ ।

କଂଗ୍ରେସ ଅନୁଷ୍ଠାନ ବେଆଇନ ଘୋଷିତ ହେଲା । କଂଗ୍ରେସର କର୍ମ କେନ୍ଦ୍ର କଟକର ସ୍ୱରାଜ ଆଶ୍ରମରେ ତାଲା ପଡ଼ିଲା । ୧୯୩୦ ମସିହା ପରେ ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ଦୈନିକ ସମାଜ ଦୈନିକ ପ୍ରଜାତନ୍ତ୍ର ଓ ଦୈନିକ ଆଶା ଜରିଆରେ ପ୍ରସାରିତ ହେଉଥିଲା । ଏହି ପତ୍ରିକା ଗୁଡ଼ିକ ଉପରେ ସେତେବେଳେ ସମ୍ୱାଦ ପ୍ରଚାର ସମ୍ୱନ୍ଧରେ ନାନା କଟକଣା ଜାରି ହେଲା ଏବଂ ସେମାନେ କଟକଣା ନ ମାନି ଓ ଜାମିନ ନ ଦେଇ ନିଜ ନିଜ ପତ୍ରିକା ଗୁଡ଼ିକୁ ବନ୍ଦ କରିଦେଲେ । ପୂର୍ବ ସଂଗ୍ରାମ ବେଳପରି କଟକରୁ ବିଦ୍ରୋହୀ ଓ ବାଲେଶ୍ୱରରୁ ବିପ୍ଳବୀ ପତ୍ରିକାରେ ଅଧିକାଂଶ ଭାଗ ଲେଖା ଡଃ. ରାଧାନାଥ ରଥ ଲେଖି ଯୋଗାଇ ଦେଉଥିଲେ । ବିନୋଦ କାନୁନ୍‌ଗୋ, ସୁରେନ୍ଦ୍ରନାଥ ପଟ୍ଟନାୟକ ଓ ଭ୍ରମରବର ରାଉତରାୟ ପ୍ରମୁଖ ଯୁବ ସଂଗ୍ରାମୀମାନେ ଏହି ପତ୍ରିକାର ପ୍ରକାଶନ ଓ ପଚାର ଦାୟିତ୍ୱ ନେଇଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top