ଇତିହାସ

ଗାନ୍ଧିଜୀଙ୍କ ଅନଶନ

Balaram Mohanty'd Odisha History

ଆଲୋଚନା ପରେ ସମସ୍ତେ ରାଜି ହେଲେ ଯେ ତଫସିଲଭୁକ୍ତ ଜାତିଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ରହିବ ନାହିଁ ।

ଗାନ୍ଧିଜୀଙ୍କ ଅନଶନ

ବ୍ରିଟିଶ୍ ସରକାର ଭାରତର ଶାସନ ଖସଡ଼ାରେ ତଫସିଲ୍‌ଭୁକ୍ତ ଜାତିଙ୍କ ପାଇଁ ଏହିଭଳି ସ୍ୱତନ୍ତ୍ର ଭୋଟ୍ ବ୍ୟବସ୍ଥା ପ୍ରକାଶ କରିବା ପରେ ପରେ ମହାତ୍ମାଗାନ୍ଧି ଅନଶନ କରିବା ପାଇଁ ଘୋଷଣା କଲେ । ସେତେବେଳେ ଗାନ୍ଧିଜୀ ୟେରଓ୍ୟାଡ଼ା ଜେଲ୍ ଭିତରେ ଥିଲେ । ୧୯୩୨ ସେପ୍ଟେମ୍ୱର ୮ ତାରିଖ ଦିନ ସେ ଘୋଷଣା କଲେ ଯେ ସେ ଆଜିଠାରୁ ଆମରଣ ଅନଶନ କରିବେ । ଏହି ଅନଶନ ସମ୍ୱାଦ ଶୁଣି ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର, ମଦନ ମୋହନ ମାଲବ୍ୟଙ୍କଠାରୁ ଆରମ୍ଭ କରି ଦେଶର ସବୁ ଶ୍ରେଣୀର ବଡ଼ ବଡ଼ ନେତା ତଥା ସବୁ ଶ୍ରେଣୀର ଲୋକେ ଅତ୍ୟନ୍ତ ବ୍ୟସ୍ତ ହୋଇ ପଡ଼ିଲେ ଏବଂ ଦେଶରେ ଶାସନ ବିଧାନରେ ତଫସିଲ୍ ଜାତିଙ୍କୁ ହିନ୍ଧୁଙ୍କଠାରୁ ଅଲଗା ରଖିବାର ବ୍ୟବସ୍ଥାକୁ ତୁରନ୍ତ ବଦଳାଇବା ପାଇଁ ଦାବୀ କଲେ । ଏ ବ୍ୟବସ୍ଥା ପରିବର୍ତ୍ତନ କରାଯାଇ ପାରେ ବୋଲି ବିଲାତରେ ଭାରତ ମନ୍ତ୍ରୀ ସୂଚନା ଦେବାରୁ ପଣ୍ଡିତ ମାଲବ୍ୟ ଓ ସାର ତେଜବାହାଦୂର ସାପ୍ରୁ ପ୍ରମୁଖ ଏଥିପାଇଁ ବଡ଼ଲାଟ୍‌ଙ୍କୁ ରାଜି କରାଇଲେ ।

ୟେରଓ୍ୟାଡ୍ ଜେଲ ଭିତରେ ଏହିଭଳି ଏକ ସମ୍ମିଳନୀ ବସିଲା । ସମସ୍ତଙ୍କ ଅନୁରୋଧ କ୍ରମେ ଡଃ. ଆମ୍ୱେଦକର ଏହି ସମ୍ମିଳନୀରେ ଯୋଗ ଦେଲେ । ଅନଶନ ପରେ ଗାନ୍ଧିଜୀଙ୍କ ଅବସ୍ଥା ଦେଖି ସମସ୍ତେ ବ୍ୟାକୁଳ ହେଲେ ଓ ସହାନୁଭୂତି ପ୍ରକାଶ କଲେ । ଆଲୋଚନା ପରେ ସମସ୍ତେ ରାଜି ହେଲେ ଯେ ତଫସିଲଭୁକ୍ତ ଜାତିଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ରହିବ ନାହିଁ । ପ୍ରତି ପ୍ରଦେଶରେ ସେମାନଙ୍କ ସଂଖ୍ୟାନୁପାତରେ କେତୋଟି ସ୍ଥାନ ସଂରକ୍ଷିତ ରହିବ ଏବଂ ସେମାନେ ଇଚ୍ଛା କଲେ ଏହି ସଂରକ୍ଷିତ ସ୍ଥାନଛାଡ଼ି ସାଧାରଣଙ୍କ ଥିବା ସ୍ଥାନରେ ମଧ୍ୟ ପ୍ରାର୍ଥୀ ହୋଇପାରିବେ । ଏହାହେଲେ ସେମାନେ କେବଳ ତଫସିଲଭୁକ୍ତ ଜାତିଙ୍କ ଭୋଟ୍ ଉପରେ ନିର୍ଭର ନକରି ସବର୍ଣ୍ଣ ହିନ୍ଦୁଙ୍କ ପାଖକୁ ମଧ୍ୟ ଯିବେ । ଫଳରେ ସବର୍ଣ୍ଣ ହିନ୍ଦୁ ଓ ତଫସିଲଭୁକ୍ତ ଲୋକ କେହି କାହା ପ୍ରତି ଅବହେଳା କରିପାରିବେ ନାହିଁ । ଏହି ଚୁକ୍ତିକୁ “ୟେରଓ୍ୟାଡ଼ା ଚୁକ୍ତି” ବୋଲି କୁହାଯାଏ । ଏହି ଚୁକ୍ତି ଅନୁସାରେ ଭାରତ ଶାସନ ଖସଡ଼ାରେ ପରିବର୍ତ୍ତନ କରାଗଲା ।

ଗାନ୍ଧିଜୀ ଏହାପରେ ତଫସିଭୁକ୍ତ ଜାତିଙ୍କୁ ହରିଜନ ବୋଲି ଆଖ୍ୟା ଦେଲେ । ଦେଶବାସୀଙ୍କ ନିକଟରେ ସେମାନେ ଏବେ ମଧ୍ୟ ହରିଜନ ବୋଲି ପରିଚିତ । ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ସେମାନଙ୍କୁ ସବର୍ଣ୍ଣ ହିନ୍ଦୁଙ୍କ ସମକକ୍ଷ ପାଇଁ ଉଦ୍ୟମ କରିବା ଜରୁରୀ ବୋଲି ବିଚାର କରାଗଲା । ହିନ୍ଦୁଙ୍କ ମନରୁ ଅସ୍ପୃଶ୍ୟତା ଭାବନା ସମ୍ପୂର୍ଣ୍ଣ ରୂପେ ଦୂର କରିବା, ହିନ୍ଦୁ ମନ୍ଦିର, କୂଅ ଓ ପୋଖରୀ ପ୍ରଭୃତିରେ ସେମାନଙ୍କୁ ଅନ୍ୟମାନଙ୍କ ପରି ସମାନ ଅଧିକାର ଦେବା ତଥା ସେମାନଙ୍କ ଶିକ୍ଷା ଓ ସାଂସ୍କୃତିକ ଉନ୍ନତି ପାଇଁ ବିଧିବଦ୍ଧ କାର୍ଯ୍ୟ କଂଗ୍ରେସ ପକ୍ଷରୁ ଆରମ୍ଭ ହେଲା । ସେତେବେଳକୁ ଆଇନ୍ ଅମାନ୍ୟ ପ୍ରତି ଆଗ୍ରହ କମି ଆସିଥିଲା ।

ହରିଜନଙ୍କ ପାଇଁ ପରିକଳ୍ପିତ କାର୍ଯ୍ୟକ୍ରମର ପରିଚାଳନା ପାଇଁ ଜାତୀୟ ସ୍ତରରେ ଅମୃତଲାଲ ଠକ୍କରଙ୍କ ଅଧ୍ୟକ୍ଷତାରେ ନିଖିଳ ଭାରତ ହରିଜନ ସେବକ ସଂଘ ଗଠି ହେଲା ଓ ଓଡ଼ିଶାରେ କବିରାଜ ବାଲୁଙ୍କେଶ୍ୱର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହାର ଶାଖା ଗଠିତ ହେଲା । ଏଥିରେ ଶ୍ରୀମତୀ ରମାଦେବୀ, ଲକ୍ଷ୍ମୀନାରାୟଣ ସାହୁ ଓ ସତ୍ୟନାରାୟଣ ସେନଗୁପ୍ତ ସେକ୍ରେଟାରୀ ଏବଂ ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଡଃ. ରାଧାନାଥ ରଥ, ଗୁଣନିଧି ମହାନ୍ତି ପ୍ରମୁଖ ସଭ୍ୟ ରହିଲେ । ଏହି ସମୟରେ ଡଃ. ହରେକୃଷ୍ଣ ମହତାବ ତାଙ୍କ ଅଗରପଡ଼ାସ୍ଥ ବାସଭବନର ଦେବ ମନ୍ଦିରରେ ହରିଜନ ପ୍ରବେଶ କରାଇ ଅସ୍ପôଶ୍ୟତା ବିରୋଧୀ ଆନ୍ଦୋଳନକୁ ଉତ୍ସାହିତ କରିଥିଲେ ।

ମହାତ୍ମାଗାନ୍ଧୀ ହରିଜନ ଆନ୍ଦୋଳନ ସଂକ୍ରାନ୍ତରେ ୟେରଓ୍ୟାଡ଼ା ଜେଲରେ ପୁଣି ୨୧ ଦିନ ଅନଶନ କଲେ । ତାଙ୍କୁ ସରକାର ଜେଲ୍‌ରୁ ଖଲାସ କରିଦେଲେ ଓ ସେ ପୁନାଠାରେ ଶ୍ରୀମତୀ ଆକାର୍ସେ ନାମ୍ନୀ ପାର୍ସି ମହିଳାଙ୍କ “ପର୍ଣ୍ଣକୁଟ” ଭବନରେ ରହି ଅନଶନ କରିଥିଲେ । ଏହି ସମୟରେ ଗାନ୍ଧିଜୀ “ହରିଜନ” ପତ୍ରିକା ପ୍ରକାଶ କଲେ ଓ ସମଗ୍ର ଦେଶରେ ହରିଜନ ଆନ୍ଦୋଳନ ଚଳେଇବା ପାଇଁ ଏକ ବ୍ୟାପକ କାର୍ଯ୍ୟକ୍ରମ ଗାନ୍ଧିଜୀ ପ୍ରସ୍ତୁତ କଲେ ।

ଲୋକପ୍ରିୟ ଲେଖା

To Top