ଇତିହାସ

ଜାତୀୟ ମହାସ୍ରୋତରେ ଓଡ଼ିଶାବାସୀ

Balaram Mohanty'd Odisha History

ମୁଣ୍ଡ ସାଙ୍ଗରେ ହାତ ନ ମିଶିଲେ ଅର୍ଥାତ୍ ବୁଦ୍ଧି ସହିତ କର୍ମର ସଂଯୋଗ ନ ହେଲେ ମନୁଷ୍ୟର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ନୁହେଁ

ଜାତୀୟ ମହାସ୍ରୋତରେ ଓଡ଼ିଶାବାସୀ

ଇତି ମଧ୍ୟରେ ଉତ୍କଳମଣି ଗୋପବନ୍ଧୁ ମଧୁସୂଦନଙ୍କ ଜଣେ ବିଶ୍ୱସ୍ତ ସହଯୋଗୀ ଭାବରେ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଓ ଓଡ଼ିଆ ଭାଷା ରକ୍ଷା ନିମନ୍ତେ କାର୍ଯ୍ୟ କରି ଚାଲିଥିଲେ । ୧୯୧୫ ମସିହାରେ ମହାତ୍ମାଗାନ୍ଧୀ ଆସି ଭାରତଗସ୍ତ କରି ବ୍ରିଟିଶ୍ ଶାସନ ବିରୁଦ୍ଧରେ ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତି କରୁଥିବା ବେଳେ ମଧୁସୂଦନ ଓ ଗୋପବନ୍ଧୁ ତା’ ପୂର୍ବରୁ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରୁଥିଲେ । ମଧୁସୂଦନ ୧୯୦୨ ମସିହାରେ ଓଡ଼ିଶା ଆର୍ଟ ଓର ଅନୁଷ୍ଠାନ ଗଠନ କରି ଓଡ଼ିଶାର ତାରକସି କାମ ଓ ଶିଙ୍ଘ କାମର ପୁନରୁଦ୍ଧାର କରି ଆଧୁନିକ ପଦ୍ଧତିରେ ଏହି ଶିଳ୍ପଜାତ ପଦାର୍ଥ ପ୍ରସ୍ତୁତ କରିବା ଏବଂ ୧୯୦୫ରେ ଜୋତା ଶିଳ୍ପର ପ୍ରସାର ପାଇଁ ଏକ ଯୋତା କାରଖାନା ନିର୍ମାଣ କରିଥିଲେ । ସେହିପରି ଗୋପବନ୍ଧୁ ୧୯୦୯ ମସିହାରେ ସାକ୍ଷୀଗୋପାଳଠାରେ ବନବିଦ୍ୟାଳୟ ପ୍ରତିଷ୍ଠା କରି ସେଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜାତୀୟ ଶିକ୍ଷା ପ୍ରବର୍ତ୍ତନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ମହାତ୍ମାଗାନ୍ଧୀ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ବେଳେ ତାଙ୍କ ରଚିତ ରଚନାତ୍ମକ କାର୍ଯ୍ୟ ଭିତ୍ତିରେ କୁଟୀରଶିଳ୍ପର ପୁନରୁଦ୍ଧାର ଓ ଜାତୀୟ ଶିକ୍ଷା ପ୍ରବର୍ତ୍ତନକୁ ମୁଖ୍ୟ ସ୍ଥାନ ଦେଲେ । “ମୁଣ୍ଡ ସାଙ୍ଗରେ ହାତ ନ ମିଶିଲେ ଅର୍ଥାତ୍ ବୁଦ୍ଧି ସହିତ କର୍ମର ସଂଯୋଗ ନ ହେଲେ ମନୁଷ୍ୟର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ନୁହେଁ” ବୋଲି ମଧୁସୂଦନ ଯାହା କହିଥିଲେ, ଗାନ୍ଧୀଙ୍କର ପାଇଁ ତାହା ଶିକ୍ଷଣୀୟ ହୋଇଥିଲା ବୋଲି ସେ କହିଛନ୍ତି ।

ଦ୍ୱିତୀୟ ମହାଯୁଦ୍ଧ ପରେ ୧୯୧୯ ମସିହାରେ ପଞ୍ଜାବର ଜାଲିଆନାୱାଲାବାଗ୍‌ଠାରେ ଯେଉଁ ନିର୍ମମ ହତ୍ୟାକାଣ୍ଡ ବ୍ରିଟିଶ୍ ସରକାର କଲେ ତା’ପରେ, ମହାତ୍ମାଗାନ୍ଧୀ ଭାରତରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ବିଧିବଦ୍ଧ ଅସହଯୋଗ ଆନ୍ଦୋଳନ ଓ ଆଇନ୍ ଅମାନ୍ୟ ଆନ୍ଦୋଳନ ଚଳାଇବା ପାଇଁ ନିଷ୍ପତ୍ତି କଲେ । ୧୯୨୦ ମସିହା ନାଗପୁର କଂଗ୍ରେସ୍ ଅଧିବେଶନରେ ଅସହଯୋଗ ଆନ୍ଦୋଳନ ପାଇଁ ବିଧିବଦ୍ଧ ଭାବରେ ପ୍ରସ୍ତାବ ଗୃହୀତ ହେଲା । ଠିକ୍ ସେହି ସମୟରେ ୧୯୨୦ ମସିହା ଡିସେମ୍ୱର ମାସରେ ସିଂହଭୂମି ଜିଲ୍ଲାର ଚକ୍ରଧରପୁରଠାରେ ଉତ୍କଳ ସମ୍ମିଳନୀର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ନାଗପୁର କଂଗ୍ରେସ୍ ଅଧିବେଶନରେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ଚଳେଇବା ପାଇଁ ଉତ୍କଳମଣି ଗୋପବନ୍ଧୁ ଦାୟିତ୍ୱ ଗ୍ରହଣ କରିଥିଲେ । ଗୋପବନ୍ଧୁ ନାଗପୁରରୁ ଫେରିବା ବାଟରେ ଉତ୍କଳ ସମ୍ମିଳନୀର ଚକ୍ରଧରପୁର ଅଧିବେଶନରେ ଯୋଗ ଦେଇଥିଲେ । ଜଗବନ୍ଧୁ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ନିଜେ ଗୋପବନ୍ଧୁ ଏକ ପ୍ରସ୍ତାବ ଆଗତ କରି ଉତ୍କଳ ସମ୍ମିଳନୀ ଓ ଜାତୀୟ କଂଗ୍ରେସର ଲକ୍ଷ୍ୟ ଓ ଆଦର୍ଶ ଏକ ବୋଲି ଉଲ୍ଲେଖ କରିଥିଲେ । ବହୁ ମତରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା । ଉତ୍କଳ ସମ୍ମିଳନୀରେ ଉପସ୍ଥିତ ଥିବା ରାଜା, ଜମିଦାର ଶ୍ରେଣୀର ପ୍ରତିନିଧିମାନେ ଯେଉଁମାନେ କି ବ୍ରିଟିଶ୍ ଶାସନର ସମର୍ଥକ ଥିଲେ, ସେହିମାନେ ଏହାର ବିରୋଧ କରିଥିଲେ । ଉତ୍କଳ ଗୌରବ ମଧୁସୂଦନ ଏହି ସମ୍ମିଳନୀରେ ଉପସ୍ଥିତ ନଥିଲେ ।

ଲୋକପ୍ରିୟ ଲେଖା

To Top