ଇତିହାସ

ଲବଣ ସତ୍ୟାଗ୍ରହ

Balaram Mohanty'd Odisha History

ଏ ପ୍ରସିଦ୍ଧ ଦାଣ୍ଡିଯାତ୍ରାରେ ସେତେବେଳେ ସାବରମତୀ ଆଶ୍ରମରେ ଥିବା ଓଡ଼ିଶାର ମୋତି ଦାସ ଯୋଗ ଦେଇଥିଲେ ।

ଲବଣ ସତ୍ୟାଗ୍ରହ

ଜାତୀୟ କଂଗ୍ରେସ୍ ଜାନୁଆରୀ ମାସରେ ପୂର୍ଣ୍ଣ ସ୍ୱାଧୀନତା ଦିବସ ପାଳନ କରିବା ପରେ ତିନିମାସ ଭିତରେ ବ୍ରିଟିଶ୍ ସରକାରଙ୍କ ମତିଗତିରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଗଲା ନାହିଁ । ୧୯୩୦ ଜାନୁଆରୀ ୨୫ ତାରଖରେ ସେତେବେଳର ବଡ଼ଲାଟ୍ ଲର୍ଡଇରଉଇନ୍ କେନ୍ଦ୍ର ଆସେମ୍ବ୍ଲିରେ ତାଙ୍କ ଭାଷଣରେ ଔପନିବେଶୀୟ ସ୍ୱାୟତ୍ତ ଶାସନ ଅପେକ୍ଷା ଅଧିକ କିଛି କହିବାର ଲକ୍ଷ୍ୟ କରାଗଲା ନାହିଁ କି ପ୍ରସ୍ତାବିତ ଗୋଲ୍‌ଟେବୁଲ୍ ବୈଠକରେ ପ୍ରସ୍ତାବିତ ଔପନିବେଶୀୟ ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ଦିଗରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣର ସୂଚନା ମିଳିଲା ନାହିଁ । ଏହାପରେ ଆଇନ୍ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ଗାନ୍ଧିଜୀଙ୍କୁ କ୍ଷମତା ଦେଲେ ।

ଗାନ୍ଧିଜୀ ବଡ଼ଲାଟ୍‌ଙ୍କୁ ପତ୍ର ଲେଖି ନିରାଶଜନକ ଉତ୍ତର ପାଇବାରେ ଶେଷରେ ବଡ଼ଲାଟ୍‌ଙ୍କୁ ଯେଉଁ ଐତିହାସିକ ଉତ୍ତର ଦେଲେ ସେଥିରେ ଲେଖିଲେ- “ଆଣ୍ଠୁମାଡ଼ି ବସି ମୁଁ ରୁଟି ମାଗିଲି ମାତ୍ର ତା’ ବଦଳରେ ପାଇଲି ଖଣ୍ଡିଏ ପଥର !” ଇଂରେଜ୍ ଜାତିର କେବଳ ବଳ ପ୍ରୟୋଗରେ ନିଦ ଭାଙ୍ଗେ ତେଣୁ ମୁଁ ବଡ଼ଲାଟ୍‌ଙ୍କ ଉତ୍ତରରେ ଆଦୌ ବିସ୍ମିତ ନୁହେଁ । ଭାରତୀୟଙ୍କ ପାଇଁ ଜେଲ୍‌ଖାନାରେ ଶାନ୍ତି ହିଁ ଏକମାତ୍ର ସାଧାରଣ ଶାନ୍ତି । ସମଗ୍ର ଭାରତ ଗୋଟିଏ ବଡ଼ କଏଦୀ ଘର । ମୁଁ ବ୍ରିଟିଶ୍ ଆଇନ୍‌କୁ ପ୍ରତ୍ୟାଖାନ କରୁଛି ଏବଂ ଯେଉଁ ସ୍ଥିତି ଯୋଗୁ ମୁକ୍ତ ବାୟୁ ଅଭାବରୁ ଭାରତବାସୀଙ୍କ ଶ୍ୱାସରୁଦ୍ଧ ହେଉଛି, ସେହି ଜବରଦସ୍ତ ଶାନ୍ତିର ଯନ୍ତ୍ରଣାଦାୟକ ସ୍ଥିତିକୁ ଭାଙ୍ଗିବା ମୋର ପବିତ୍ର କର୍ତ୍ତବ୍ୟ ବୋଲି ମୁଁ ଭାବୁଛି ।

ମହାତ୍ମାଗାନ୍ଧି ଲବଣ ସତ୍ୟାଗ୍ରହ ଆକାରରେ ଆଇନଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପାଇଁ ସ୍ଥିର କଲେ । ସେତେବେଳେ ଗାନ୍ଧୀ ଭାରତର ଲବଣ ଶିଳ୍ପର ଇତିହାସ ଓ ଏହାର ପ୍ରସାର ଏବଂ ବ୍ରିଟିଶ୍ ସରକାର ଜବରଦସ୍ତ ଲବଣ ଶିଳ୍ପର ଏକଚାଟିଆ କରିନେବା ଫଳରେ ଅଗଣିତ ଲୋକେ ଯେଉଁମାନଙ୍କର ଏହା ଏକମାତ୍ର ଜୀବିକାର୍ଜନ ଉପାୟ ଥିଲା, ସେମାନେ ଭିକାରୀ ହୋଇ କାଳାତିପାତ କରିବା ସଙ୍ଗେ ସଙ୍ଗେ ଲୁଣର ମୂଲ୍ୟ ବୃଦ୍ଧି ପାଉଥିବା ବିଷୟ ବିସ୍ତୃତ ଭାବରେ ଅଧ୍ୟୟନ କରି ସାରିଥିଲେ ।

ଗାନ୍ଧିଜୀ ବ୍ରିଟିଶ୍ ସରକାରଙ୍କୁ ବିଧିବଦ୍ଧ ଭାବରେ ନୋଟିସ୍ ଦେଇ ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖ ଦିନ ୭୮ ଜଣ ଆଶ୍ରମବାସୀଙ୍କ ସହ ଗୁଜୁରାଟ ସମୁଦ୍ର ଉପକୂଳ ଦାଣ୍ଡି ଅଭିମୁଖେ ପଦଯାତ୍ରା କରିଥିଲେ । ଏ ପ୍ରସିଦ୍ଧ ଦାଣ୍ଡିଯାତ୍ରାରେ ସେତେବେଳେ ସାବରମତୀ ଆଶ୍ରମରେ ଥିବା ଓଡ଼ିଶାର ମୋତି ଦାସ ଯୋଗ ଦେଇଥିଲେ । ଏହି ପଦଯାତ୍ରା ବେଳେ ବାଟରେ ଗ୍ରାମବାସୀମାନେ ତାଙ୍କୁ ବିପୁଳ ସମ୍ୱର୍ଦ୍ଧନା ଜଣାଇଥିଲେ । ୧୯୩୦ ମସିହା ଏପ୍ରିଲ୍ ୬ ତାରିଖ ଦିନ ଗାନ୍ଧିଜୀ ସଦଳବଳେ ଦାଣ୍ଡିଠାରେ ପହଞ୍ଚି ଲୁଣ ମାରିଥିଲେ । ଗାନ୍ଧିଜୀ ସେତେବେଳେ ପଣ କରିଥିଲେ ଯେ ସ୍ୱରାଜ୍ୟ ନ ମିଳିବା ପର୍ଯ୍ୟନ୍ତ ସେ ଆଉ ସାବରମତୀକୁ ଫେରିବେ ନାହିଁ ।

ଲୋକପ୍ରିୟ ଲେଖା

To Top