ଇତିହାସ

ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ

Balaram Mohanty'd Odisha History

ଅସହଯୋଗ ଆନ୍ଦୋଳନ ବେଳେ ଡେପୁଟି କଲେକ୍ଟର ଭଳି ଲୋଭନୀୟ ଚାକିରୀ ଛାଡ଼ି ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପରେ ଲୋକଙ୍କ ଭିତରେ ଉତ୍ସାହ ସୃଷ୍ଟି ହୋଇଥିଲା ।

ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ

୧୯୨୧ ମସିହା ପ୍ରଥମ ଭାଗରେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଲା । ଉତ୍କଳମଣି ଗୋପବନ୍ଧୁ ଦାସ ସଭାପତି ଥାଇ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହେଲା । ଏହାର ସାଧାରଣ ସମ୍ପାଦକ ହେଲେ ଭାଗୀରଥି ମହାପାତ୍ର । ଗୋପବନ୍ଧୁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସାକ୍ଷୀଗୋପାଳ ବନ ବିଦ୍ୟାଳୟକୁ ଜାତୀୟ ବିଦ୍ୟାଳୟ ବୋଲି ଘୋଷଣା କଲେ ଏବଂ ସେଠାରେ ଉଚ୍ଚ ସରକାରୀ ପଦରୁ ଇସ୍ତଫା ଦେଇ ଆସି ଶିକ୍ଷକତା କରୁଥିବା ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଲିଙ୍ଗରାଜ ମିଶ୍ର ଓ ପଣ୍ଡିତ ବାସୁଦେବ ମହାପାତ୍ର ପ୍ରମୁଖ ଦେଶପ୍ରେମୀ ବିଦ୍ୱାନ୍‌ମାନେ ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ହୋଇଥିଲେ । ସେହିପରି ଅଗ୍ରଣୀ ହୋଇଥିଲେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱାରା କଟକ ବାଖରାବାଦଠାରେ ପ୍ରତିଷ୍ଠିତ “ଭାରତୀ ମନ୍ଦିର”କୁ ଆସି ସମ୍ୱାଦପତ୍ର ଓ ରାଜନୈତିକ ପରିସ୍ଥିତି ଆଲୋଚନା କରୁଥିବା ଯୁବକମାନେ । ସେମାନଙ୍କ ଭିତରେ ଥିଲେ ରେଭେନ୍ସା କଲେଜ୍ ଛାତ୍ର ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ନାରାୟଣ ବୀରବର ସାମନ୍ତ, ବଂଶୀଧର ମିଶ୍ର, ମେଡ଼ିକାଲ୍ ସ୍କୁଲର ଛାତ୍ର ରାଜକୃଷ୍ଣ ବୋଷ । ନିତ୍ୟାନନ୍ଦ କାନୁନ୍‌ଗୋ ଓ ଭାଗୀରଥି ମହାପାତ୍ର ପ୍ରମୁଖ ଯୁବକମାନେ ମଧ୍ୟ ଏହି ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ । “ଭାରତୀ ମନ୍ଦିର” ସହିତ ସମ୍ପୃକ୍ତ ଥିବା ରେଭେନ୍ସା କଲେଜର ଛାତ୍ରମାନେ ପଢ଼ାପଢ଼ି ତ୍ୟାଗକରି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ଏମାନଙ୍କ ଛଡ଼ା ସେତେବେଳେ ମଦନମୋହନ ପଟ୍ଟନାୟକ, ଦୁଃଖୀଶ୍ୟାମ ମିଶ୍ର ଓ ବିନୋଦ ବିହାରୀ ପରିଡ଼ା ପ୍ରମୁଖ ପାଟନା ଇଞ୍ଜିନିୟରିଂ କଲେଜ୍‌ର ଛାତ୍ରମାନେ ପଢ଼ାଛାଡ଼ି ସ୍ୱାଧୀନତା ସଂଗ୍ରାମୀ ହୋଇଥିଲେ । ଏହି ସମୟରେ ସମ୍ୱଲପୁର ଜିଲ୍ଲା ସ୍କୁଲ୍‌ରେ ପ୍ରଥମେ ଛାତ୍ର ଧର୍ମଘଟ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ନେତୃତ୍ୱରେ ହୋଇଥିଲା । ଧର୍ମଘଟର ନେତୃତ୍ୱ ନେଇଥିବା ଯୋଗୁଁ ପଣ୍ଡିତ ମିଶ୍ର ଓ ଦୁର୍ଗାପ୍ରସାଦ ଗୁରୁ ପ୍ରମୁଖଙ୍କୁ ସ୍କୁଲ୍‌ରୁ ବହିଷ୍କାର କରାଯାଇଥିଲା । ଏମାନଙ୍କ ଛଡ଼ା ଚନ୍ଦ୍ରଶେଖର ବେହେରା, ଜନାର୍ଦ୍ଦନ ସୁପକାର, ଭାଗୀରଥି ପଟ୍ଟନାୟକ, ଘନଶ୍ୟାମ ପାଣିଗ୍ରାହୀ, ଅଚ୍ୟୁତାନନ୍ଦ ପୁରୋହିତ ପ୍ରମୁଖ ଯୁବକମାନେ ସମ୍ୱଲପୁର ଜିଲ୍ଲାରେ ସ୍ୱାଧୀନତା ସଂଗ୍ରାମରେ ଅଗ୍ରଣୀ ଭୂମିକା ନେଇଥିଲେ ।

ଅସହଯୋଗ ଆନ୍ଦୋଳନ ବେଳେ ଡେପୁଟି କଲେକ୍ଟର ଭଳି ଲୋଭନୀୟ ଚାକିରୀ ଛାଡ଼ି ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପରେ ଲୋକଙ୍କ ଭିତରେ ଉତ୍ସାହ ସୃଷ୍ଟି ହୋଇଥିଲା । ସଂଗ୍ରାମର ପ୍ରଥମ ଭାଗରେ ୧୯୨୧ ମାର୍ଚ୍ଚ ମାସରେ ମହାତ୍ମାଗାନ୍ଧୀ ପ୍ରଥମଥର ପାଇଁ ଓଡ଼ିଶା ଆସି କଟକ କାଠଯୋଡ଼ି ନଦୀବାଲିରେ ଭାଷଣ ଦେଇଥିଲେ । ଗାନ୍ଧିଜୀ ଏହାପରେ ପୁରୀ, ଭଦ୍ରକ ଓ ବ୍ରହ୍ମପୁରଠାରେ ମଧ୍ୟ ଉଦ୍‌ବୋଧନ ଦେଇଥିଲେ । ତାଙ୍କ ଭାଷଣ ଲୋକଙ୍କ ଭିତରେ ଉତ୍ସାହ ଓ ଉନ୍ମାଦନା ଖେଳେଇ ଦେଇଥିଲା । ସ୍ୱାଧୀନତା ସଂଗ୍ରାମର ବାର୍ତ୍ତାପ୍ରଚାର ନିମନ୍ତେ ଭାଗୀରଥି ମହାପାତ୍ର ଯଦୁମଣି ମଙ୍ଗରାଜ ଓ ରାଜକୃଷ୍ଣ ବୋଷଙ୍କ ଉପରେ କଟକ ଜିଲ୍ଲାର ଦାୟିତ୍ୱ, ଜଗବନ୍ଧୁ ସିଂହ ଓ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ଉପରେ ପୁରୀ ଜିଲ୍ଲାର ଦାୟିତ୍ୱ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଉପରେ ସମ୍ୱଲପୁରର ଦାୟିତ୍ୱ, ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଉପରେ ସିଂହଭୂମି ଜିଲ୍ଲାର ଦାୟିତ୍ୱ ଅର୍ପଣ କରାଯାଇଥିଲା । ସେତେବେଳେ ମହାତ୍ମାଗାନ୍ଧୀ ଘୋଷଣା କରିଥାନ୍ତି ଯେ ଯଦି ବର୍ଷକ ଭିତରେ ଦେଶରେ କୋଟିଏ କଂଗ୍ରେସ ସଭ୍ୟ ସଂଗୃହୀତ ହୁଅନ୍ତି, କୋଟିଏ ଚରଖା ଦେଶରେ ଚାଲେ ଏବଂ ତିଳକ ସ୍ୱରାଜ ପାଣ୍ଠି ପାଇଁ କୋଟିଏ ଟଙ୍କା ସଂଗୃହୀତ ହୋଇପାରିବ ତା’ ହେଲେ ବର୍ଷକ ଭିତରେ ସ୍ୱରାଜ ହାସଲ ସମ୍ଭବ ହେବ । ଓଡ଼ିଶାରେ ୧୯୨୧ ମସିହା ଜୁନ୍ ଶେଷ ସୁଦ୍ଧା ଚାଳିଶ ହଜାର କଂଗ୍ରେସ ସଭ୍ୟ, ତିଳକ ସ୍ୱରାଜ ପାଣ୍ଠିକୁ ବାଇଶହଜାର ଟଙ୍କା ସଂଗୃହୀତ ହୋଇଥିଲା, ଓ ୧୫ ହଜାର ଚରଖା ଚାଲିଥିଲା । ସେତେବେଳେ ବଙ୍ଗପ୍ରଦେଶ ସହିତ ଥିବା କଟକ, ପୁରୀ, ବାଲେଶ୍ୱର ଓ ସମ୍ୱଲପୁର ଜିଲ୍ଲା ଛଡ଼ା ମାନ୍ଦ୍ରାଜ ପ୍ରଦେଶ ସହିତ ଥିବା ଗଞ୍ଜାମ ଜିଲ୍ଲା, ବଙ୍ଗପ୍ରଦେଶ ସହିତ ଥିବା ମେଦିନିପୁର ଜିଲ୍ଲା ଓ ବିହାର ଓଡ଼ିଶା ପ୍ରଦେଶର ସିଂହଭୂମି ଜିଲ୍ଲା ମଧ୍ୟ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ଅନ୍ତର୍ଭୁକ୍ତ ଥିଲା । ଏହି ଜିଲ୍ଲାମାନଙ୍କରେ ଜିଲ୍ଲା କମିଟିମାନ ଗଠିତ ହୋଇଥିଲା ।

ସ୍ୱାଧୀନତା ସଂଗ୍ରାମର ପ୍ରଥମ ପର୍ଯ୍ୟାୟରେ କଟକ ସ୍ୱରାଜ୍ୟ ଆଶ୍ରମ ପ୍ରାଦେଶିକ କଂଗ୍ରେସ କମିଟିର ମହକୁମା ଭଳି କାର୍ଯ୍ୟ କରିଥିଲେ ମଧ୍ୟ ଜଗତସିଂହପୁର ନିକଟରେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଭାଗିରଥୀ ମହାପାତ୍ରଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଅଳକାଶ୍ରମଠାରେ ଏକ ଜାତୀୟ ବିଦ୍ୟାଳୟ ଓ ସଂଗ୍ରାମୀଙ୍କ ତାଲିମ୍ କେନ୍ଦ୍ର ପ୍ରତିଷ୍ଠିତ ହୋଇଥିଲା । ସେହିପରି ପଣ୍ଡିତ ନୀଳକଣ୍ଠ, ଚନ୍ଦ୍ରଶେଖର ବେହେରାଙ୍କ ସହଯୋଗରେ ସମ୍ୱଲପୁରଠାରେ ଏକ ଜାତୀୟ ବିଦ୍ୟାଳୟ ଓ “ସେବା’ ନାମରେ ଏକ ସାମୟିକ ପତ୍ରିକା ପ୍ରକାଶ କରିଥିଲେ । କଟକ ଜିଲ୍ଲାରେ ରାଜକୃଷ୍ଣ ବୋଷ, ଯଦୁମଣି ମଙ୍ଗରାଜ ଓ ନାରାୟଣ ବୀରବର ସାମନ୍ତଙ୍କ ଭଳି ଅନର୍ଗଳ ବାଗ୍ମୀଙ୍କ ଭାଷଣରେ ଛାତ୍ର ଯୁବକ ଓ ସାଧାରଣ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଉନ୍ମାଦନା ଖେଳି ଯାଇଥିଲା । ସେହିପରି ଉତ୍କଳମଣି ଗୋପବନ୍ଧୁ, ଆଚାର୍ଯ୍ୟ ହରିହର ଓ କୃପାସିନ୍ଧୁ ହୋତା ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଭାଷଣ ଏବଂ ବାଲେଶ୍ୱରରେ ଡଃ. ହରେକୃଷ୍ଣ ମହତାବ, ସର୍ଦ୍ଦାର ସୁରେନ୍ଦ୍ରନାଥ ଦାସ, ନୀଳାମ୍ୱର ଦାସ ଓ କରୁଣାକର ପାଣିଗ୍ରାହୀଙ୍କ ପ୍ରଚାର ଲୋକଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା । ବକ୍ତୃତା ଯାହା କରିପାରି ନଥିଲା ଜାତୀୟ କବି ବୀରକିଶୋର ଦାସ ଓ କବି ବାଞ୍ଛାନିଧି ମହାନ୍ତିଙ୍କ ସମର ସଙ୍ଗୀତ ସ୍ୱାଧୀନତା ସଂଗ୍ରାମୀମାନେ ସେମାନଙ୍କ ସମର ସଙ୍ଗୀତମାନ ଗାଇ ବିଲାତି ଲୁଗା ଦୋକାନ ଓ ଗେଞ୍ଜଇ, ଅଫିମ ଓ ମଦ ଦୋକାନ ଆଗରେ ପିକେଟିଙ୍ଗ୍ କରିଥିଲେ ଓ ବିଲାତି ଲୁଗା ଏକାଠି କରି ପୋଡ଼ିଥିଲେ । ସେତେବେଳେ ଏହି ପିକେଟିଂ ଫଳରେ ଲୁଗା ବେପାରୀମାନେ ବିଲାତି ଲୁଗା ଅନେକ ବର୍ଜନ କରିଥିଲେ, ଶଗଡ଼ିଆମାନେ ଷ୍ଟେସନ୍‌ରୁ ଲୁଗା ଆଣିବାକୁ ମନା କରି ଦେଉଥିଲେ । ଲୁଗା ଓ ନିଶାଦ୍ରବ୍ୟ ଦୋକାନ ଆଗରେ ପିକେଟିଂ କରୁଥିବା ସତ୍ୟାଗ୍ରହୀମାନଙ୍କୁ ପୋଲିସ୍ ଘୋଷାଡ଼ି ଆଣି ବେତମାଡ଼ ଦେଉଥିଲେ । ୧୯୨୧ ମାର୍ଚ୍ଚ ମାସରେ ରାଜକୃଷ୍ଣ ବୋଷ ପ୍ରଥମ ସତ୍ୟାଗ୍ରହୀ ରୂପେ ଯାଜପୁରଠାରେ ଭାଷଣ ଦେଇ ଗିରଫ୍ ହୋଇଥିଲେ ।

ଏହି ଅସହଯୋଗ ଆନ୍ଦୋଳନବେଳେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀଙ୍କ ଛଡ଼ା ଜାତୀୟ କବି ବୀରକିଶୋର ଦାସ, ବାଲେଶ୍ୱରର ମଦମଦ୍ ହନିଫ୍ ଓ ସର୍ଦ୍ଦାର ସୁରେନ୍ଦ୍ରନାଥ ଦାସ ପ୍ରମୁଖ ସରକାରୀ ଚାକିରୀ ଛାଡ଼ି ଆନ୍ଦୋଳନରେ ଯୋଗ ଦେଇଥିଲେ । ଏହି ସମୟରେ ପଣ୍ଡିତ ଲିଙ୍ଗରାଜ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ ଉତ୍କଳମଣି ଗୋପବନ୍ଧୁଙ୍କ ଆହ୍ୱାନରେ ଶିକ୍ଷା ବିଭାଗର ଉଚ୍ଚ ଚାକିରୀରୁ ଇସ୍ତଫା ଦେଇଥିଲେ ଓ ମଧୁସୂଦନ ବିଶ୍ୱାଳ ଶିକ୍ଷା ବିଭାଗ ପରିଦର୍ଶକ ଚାକିରୀରୁ ଇସ୍ତଫା ଦେଇଥିଲେ । ବିଶ୍ୱନାଥ ଦାସ ଓକିଲାତି ଓ ମାନ୍ଦ୍ରାଜ ବ୍ୟବସ୍ଥା ସଭାର ସଭ୍ୟପଦରୁ ଇସ୍ତଫା ଦେଇଥିଲେ । ଏହି ସମୟରେ ଉତ୍କଳମଣି ଗୋପବନ୍ଧୁଙ୍କ ସମ୍ପାଦନାରେ ପ୍ରକାଶିତ ସାପ୍ତାହିକ ‘ସମାଜ’, ଡଃ ହରେକୃଷ୍ଣ ମହତାବଙ୍କ ସମ୍ପାଦନାର ପ୍ରକାଶିତ ସାପ୍ତାହିକ ‘ପ୍ରଜାତନ୍ତ୍ର’ ଓ ଶଶୀଭୂଷଣ ରଥଙ୍କ ସମ୍ପାଦନାରେ ପ୍ରକାଶିତ ସାପ୍ତାହିକ ଆଶା’ ଅସହଯୋଗ ସଂଗ୍ରାମର ବାର୍ତ୍ତା ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେତେବେଳେ ସେମାନଙ୍କୁ ବହୁ କଟକଣା ଭିତରେ ପତ୍ରିକା ସମ୍ପାଦନା କରିବାକୁ ପଡୁଥିଲା । ଆଉ କେତେକ ପ୍ରଚାର ପତ୍ର ଓ ସଙ୍ଗୀତ ସ୍ୱାଧୀନତା ସଂଗ୍ରାମ ପ୍ରଚାରରେ ସହାୟକ ହୋଇଥିଲା ।

ଲୋକପ୍ରିୟ ଲେଖା

To Top