ଇତିହାସ

ଓଡ଼ିଶାରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ବିଦ୍ରୋହ

Balaram Mohanty'd Odisha History

ବ୍ରିଟିଶ୍ ସରକାର ୧୮୦୪ ମସିହାରେ ଓଡ଼ିଶାକୁ ଦଖଲ କରିନେଇ ବଙ୍ଗ ପ୍ରଦେଶର ଅଂଶ ବିଶେଷ କରି ଓଡ଼ିଶା ଡିଭିଜନ୍ ନାମରେ ରଖି ଦେବାର ମାତ୍ର ୧୩ ବର୍ଷ ପରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ଓଡ଼ିଶାବାସୀ ଏହି ବିଦ୍ରୋହ କରିଥିଲେ ।

ଓଡ଼ିଶାରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ବିଦ୍ରୋହ

୧୯୨୦-୨୧ ମସିହାରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ସମଗ୍ର ଭାରତ ବର୍ଷରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ସ୍ୱାଧୀନତା ହାସଲ ପାଇଁ ସଂଗଠିତ ଭାବରେ ଆନ୍ଦୋଳନ ଆରମ୍ଭ ହେଲା । ମାତ୍ର ଏହାର ୬୦ ବର୍ଷ ପୂର୍ବରୁ ଭାରତରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା । ଏହି ସଂଗ୍ରାମର ରାଜନୈତିକ ଗୁରୁତ୍ୱ ହ୍ରାସ କରିବା ପାଇଁ ଇଂରେଜମାନେ ଏହି ସଂଗ୍ରାମକୁ “ସିପାହୀ ବିଦ୍ରୋହ” ବୋଲି ନାମ ଦେଇଥିଲେ । ଏହାର ଆହୁରି ଚାଳିଶ ବର୍ଷ ପୂର୍ବରୁ ବ୍ରିଟିଶ୍ ଶାସନ ବିରୁଦ୍ଧରେ ଓଡ଼ିଶାବାସୀ ବିଦ୍ରୋହ ଆରମ୍ଭ କରିଥିଲେ ୧୮୧୭ ମସିହାରେ । ବ୍ରିଟିଶ୍ ଐତିହାସିକମାନେ ସେହିପରି ଏହାକୁ ନାମ ଦେଇଥିଲେ “ପାଇକ ବିଦ୍ରୋହ” । ବ୍ରିଟିଶ୍ ସରକାର ୧୮୦୪ ମସିହାରେ ଓଡ଼ିଶାକୁ ଦଖଲ କରିନେଇ ବଙ୍ଗ ପ୍ରଦେଶର ଅଂଶ ବିଶେଷ କରି ଓଡ଼ିଶା ଡିଭିଜନ୍ ନାମରେ ରଖି ଦେବାର ମାତ୍ର ୧୩ ବର୍ଷ ପରେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ଓଡ଼ିଶାବାସୀ ଏହି ବିଦ୍ରୋହ କରିଥିଲେ । ଏହି ସମୟ ଭିତରେ ବ୍ରିଟିଶ୍ ସରକାର ତାଙ୍କ କାର୍ଯ୍ୟକଳାପ ଦ୍ୱାରା ଜମିଦାରଙ୍କ ଠାରୁ ଆରମ୍ଭ କରି କୃଷକ- ସୈନିକ ପାଇକଙ୍କ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଭିତରେ ଗଭୀର ଅସନ୍ତୋଷ ସୃଷ୍ଟି କରି ସାରିଥିଲେ । ଏହି ସମୟରେ ଅସ୍ଥାୟୀ ବନ୍ଦୋବସ୍ତ ଫଳରେ ରାଜସ୍ୱ ବୃଦ୍ଧି ହେଉଥିବାରୁ ଲୋକେ ରାଜସ୍ୱ ଦେଇପାରୁନଥିଲେ । ତେଣୁ ଜମିଦାରମାନେ ସରକାରଙ୍କୁ ତାଙ୍କ ଦେୟଭାଗ ନ ଦେଇପାରି ତାଙ୍କ ଜମିଦାରୀ ନିଲାମରେ ହରାଉଥିଲେ । ବ୍ରିଟିଶ୍ ସରକାର ଲୁଣ ମାରିବା ଅଧିକାର ନିଜେ ନେଇଯିବାରୁ ବହୁଲୋକ ଯେକି ଲୁଣ ମାରି ଚଳୁଥିଲେ, ସେମାନେ ଜୀବିକାର୍ଜନ ପନ୍ଥା ହରାଇଥିଲେ ଓ ଲୁଣର ଦାମ ବୃଦ୍ଧି ପାଇଥିଲା । ଚୌକିଦାରୀ ଟିକସ୍ ବୃଦ୍ଧି ପାଇଥିଲା ତେଣୁ ବ୍ରିଟିଶ୍ ଶାସନ ବିରୁଦ୍ଧରେ ଏହି ପୁଞ୍ଜୀଭୂତ ଅସନ୍ତୋଷ ୧୮୧୭ ମସିହାରେ ପୁରୀ ଜିଲ୍ଲା ଓ କଟକ ଜିଲ୍ଲାର ବହୁ ଅଞ୍ଚଳରେ ପ୍ରକାଶ ପାଇଥିଲା । ବ୍ରିଟିଶ୍ ସରକାର ତାଙ୍କ ଆଧୁନିକ ଅସ୍ତ୍ରଶସ୍ତ୍ର ବଳରେ ଏହି ବିଦ୍ରୋହକୁ ଦମନ କରି ନେଇଥିଲେ ମଧ୍ୟ ଏହା ପରେ ପରେ ସମ୍ୱଲପୁର ରାଜବଂଶୀୟ ବୀରସୁରେନ୍ଦ୍ର ସାଏ ବ୍ରିଟିଶ୍ ଶାସନ ବିରୁଦ୍ଧରେ ସଂଗ୍ରାମ ଚଳେଇଥିଲେ । ସେ ଜମିଦାରଙ୍କ ଠାରୁ ଆରମ୍ଭ କରି ଆଦିବାସୀଙ୍କ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଲୋକଙ୍କ ସହଯୋଗରେ ଏହି ସଂଗ୍ରାମ ଚଳାଇ କାରାବରଣ କରିଥିଲେ । ୧୮୫୭ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବେଳେ ହଜାରୀବାଗ ଜେଲ୍ ଦ୍ୱାରକୁ ଭାଙ୍ଗି ବିଦ୍ରୋହୀମାନେ ବନ୍ଦୀମାନଙ୍କୁ ମୁକ୍ତ କରି ଦେବାରୁ ବୀରସୁରେନ୍ଦ୍ରସାଏ ଖଲାସ ହୋଇ ଆସିଲେ ଏବଂ ପୁଣି ଅତି ବୀରତ୍ୱ ସହ ସଂଗ୍ରାମ ଚଳାଇ କାରାବରଣ କଲେ ଓ କାରାଗାରରେ ହିଁ ତାଙ୍କର ମୃତ୍ୟୁ ହେଲା ।

ଓଡ଼ିଶାର କନ୍ଧ ଓ ଭୂୟାଁ ପ୍ରଭୃତି ଆଦିବାସୀ ନେତାମାନେ ବ୍ରିଟିଶ୍ ଶାସନ ବିରୁଦ୍ଧରେ ବିଭିନ୍ନ ସ୍ଥାନରେ ସଂଗ୍ରାମ ଚଳାଇ କାରାବରଣ କରିଥିଲେ ଓ ଜୀବନ ଦେଇଥିଲେ । ପ୍ରଥମ ମୁକ୍ତି ସଂଗ୍ରାମର ସେନାପତି ବକ୍ସି ଜଗବନ୍ଧୁ ସିଂହ ବହୁକାଳ ପରେ କାରାବରଣ କରି ଜୀବନ ଦେଇଥିଲେ । ସେହିପରି ବ୍ରିଟିଶ୍ ଶାସନ ବିରୁଦ୍ଧରେ ସିଂହଭୂମି ଅନ୍ତର୍ଗତ ପୋଡ଼ାହାଟର ରାଜା ଅର୍ଜୁନ୍ ସିଂହ, ଜଗୁଦେୱାନ୍, ଅନୁଗୁଳର ରାଜା ସୋମନାଥ ସିଂହଙ୍କ ସାଙ୍ଗକୁ କନ୍ଧ ଜାତିର ନେତା ଚକ୍ରା ବିଶୋଇ, ସାନ୍ତାଳ ନେତା ଆନନ୍ଦ ମାଝୀ, ଭୂୟାଁ ଜାତିର ନେତା ଧରଣୀଧର ବ୍ରିଟିଶ୍ ଶାସନ ବିରୁଦ୍ଧରେ ତୀବ୍ର ସଂଗ୍ରାମ ଚଳାଇ ବହୁ ଦୁଃଖ କଷ୍ଟ ବରଣ କରିଥିଲେ । ଏମାନଙ୍କର ତ୍ୟାଗ ଓଡ଼ିଶା ଇତିହାସରେ ଚିରସ୍ମରଣୀୟ ହୋଇ ରହିବ । ସେହିପରି ସ୍ମରଣୀୟ ହୋଇ ରହିବ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ପୁରୀର ଚାଖୀ ଖୁଣ୍ଟିଆଙ୍କ ଅବଦାନ ।

ସ୍ୱାଧୀନତା ସଂଗ୍ରାମ ପାଇଁ ଓଡ଼ିଶାରେ ପ୍ରସ୍ତୁତି

ଓଡ଼ିଶାବାସୀ ବ୍ରିଟିଶ୍ ଶାସନାଧୀନ ହେବା ପରେ ନିଷ୍ଠୁର ଭାବରେ ଅବହେଳିତ ଓ ଉତ୍ପୀଡ଼ିତ ହେଲେ ମଧ୍ୟ ଏବଂ ଖଣ୍ଡବିଖଣ୍ଡିତ ହୋଇ ରହିଥିଲେ ମଧ୍ୟ ବ୍ରିଟିଶ୍ ଶାସନ ବିରୁଦ୍ଧରେ ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ଯେପରି ବିଦ୍ରୋହ କରିଥିଲେ ତା’ର ସୂଚନା ଉପରେ ଦିଆଯାଇଛି । ଏହି ଅବହେଳା, ଉତ୍ପୀଡ଼ନ ଓ ଶୋଷଣରୁ ରକ୍ଷା ପାଇବା ପାଇଁ ତଥା ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ନିମନ୍ତେ ସଂଗଠିତ ଭାବରେ କାର୍ଯ୍ୟ କରିବା ନିମନ୍ତେ ଉତ୍କଳ ଗୌରବ ମଧୁସୂଦନଙ୍କ ନେତୃତ୍ୱରେ “ଉତ୍କଳ ସମ୍ମିଳନୀ” ୧୯୦୩ ମସିହାଠାରୁ କାର୍ଯ୍ୟ କରିଥିଲା । ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାଷୀ ଅଞ୍ଚଳର ମିଶ୍ରଣ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ଉତ୍କଳ ସମ୍ମିଳନୀରେ ରାଜା, ଜମିଦାର, ମହାଜନ ତଥା ସାଧାରଣ ସ୍ତରର ଓଡ଼ିଆ ଭାଷୀ ବୁଦ୍ଧିଜୀବୀମାନେ ଏଥିରେ ଏକାଠି କାର୍ଯ୍ୟ କରୁଥିଲେ । ବିଭିନ୍ନ ସ୍ଥାନରେ ଉତ୍କଳ ସମ୍ମିଳନୀର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ତଥା ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାଷୀଙ୍କ ଉନ୍ନୟନ ନିମନ୍ତେ ପ୍ରସ୍ତାବମାନ ଗୃହୀତ ହୋଇ ତାହା ବ୍ରିଟିଶ୍ ସରକାରଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା । ମଧୁସୂଦନ ତଥା ଅନ୍ୟ ବୁଦ୍ଧିଜୀବିମାନେ ଓଡ଼ିଆ ଭାଷୀ ଅଞ୍ଚଳ ଗସ୍ତ କରି ଏ ସମ୍ପର୍କରେ ଲୋକଙ୍କୁ ବୁଝାଉଥିଲେ । ୧୯୧୨ ମସିହାରେ ବ୍ରିଟିଶ୍ ସରକାର ବିହାର-ଓଡ଼ିଶା ପ୍ରଦେଶ ଗଠନ କଲେ । ସେଥିରେ ମାନ୍ଦ୍ରାଜ ପ୍ରଦେଶରେ ରହିଥିବା ଗଞ୍ଜାମ ଜିଲ୍ଲା ଓ କୋରାପୁଟ ଜିଲ୍ଲା ମିଶିଲା ନାହିଁ ଏବଂ ବିହାର ସହିତ ଓଡ଼ିଶାକୁ ମିଶାଇ ଏକାଠି ରଖିବାର କୌଣସି ଯଥାର୍ଥତା ନଥିଲା ତେଣୁ ଓଡ଼ିଆ ଭାଷୀ ଅଞ୍ଚଳର ଲୋକେ ଏହାର ତୀବ୍ର ପ୍ରତିବାଦ କଲେ ।

ଲୋକପ୍ରିୟ ଲେଖା

To Top