ଇତିହାସ

ଓଡ଼ିଶାରେ ଲବଣ ସତ୍ୟାଗ୍ରହ

Balaram Mohanty'd Odisha History

ବର୍ଷା ଯୋଗୁ ଲବଣ ସତ୍ୟାଗ୍ରହ ବନ୍ଦ ହୋଇଯିବାରୁ କଂଗ୍ରେସ କର୍ମୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦେଶୀ ଲୁଗା ଦୋକାନ ଓ ମଦ, ଗେଞ୍ଜଇ ଓ ଅଫିମ ଦୋକାନ ଆଗରେ ପିକେଟିଂ କରି ଆଇନ୍ ଅମାନ୍ୟ ଆନ୍ଦୋଳନ ଚଳେଇଥିଲେ ।

ଓଡ଼ିଶାରେ ଲବଣ ସତ୍ୟାଗ୍ରହ

ଗାନ୍ଧିଜୀଙ୍କ ଲବଣ ସତ୍ୟାଗ୍ରହ ନିଷ୍ପତ୍ତି ଅନୁସାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ସମୁଦ୍ର ଉପକୂଳବର୍ତ୍ତୀ ଇଞ୍ଜୁଡ଼ିଠାରେ ଲବଣ ସତ୍ୟାଗ୍ରହ ଆରମ୍ଭ କରିବା ପାଇଁ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ସ୍ଥିର କଲେ । ଡଃ. ହରେକୃଷ୍ଣ ମହତାବ ବାଲେଶ୍ୱରଠାରେ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତି କରିବା ଦାୟିତ୍ୱ ଗ୍ରହଣ କଲେ । ପରେ ତାଙ୍କ ସହିତ ସର୍ଦ୍ଦାର ସୁରେନ୍ଦ୍ରନାଥ ଦାସ ସରକାରୀ ଚାକିରୀ ଛାଡ଼ି ଡଃ. ମହତାବଙ୍କ ସହିତ ସଂଗଠନ କାର୍ଯ୍ୟରେ ଯୋଗ ଦେଇଥିଲେ । କଟକଠାରୁ ଇଞ୍ଚୁଡ଼ି ପର୍ଯ୍ୟନ୍ତ ଏକ ଲବଣ ସତ୍ୟାଗ୍ରହୀ ପଦଯାତ୍ରୀ ଦଳ ଯିବେ ବୋଲି ସ୍ଥିର କରାଗଲା । ଏହି ଘୋଷଣା ପରେ ପରେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ, ଭାଗିରଥୀ ମହାପାତ୍ର, ଡଃ. ଅଟଳବିହାରୀ ଆଚାର୍ଯ୍ୟ, ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିଆରୀ, ରାଜକୃଷ୍ଣ ବୋଷ, ଯଦୁମଣି ମଙ୍ଗରାଜ କଟକ ସହରର କୌଣସି ସ୍ଥାନରେ ଭାଷଣ ଦେଇପାରିବେ ନାହିଁ ବୋଲି ଇଂରେଜ ସରକାରଙ୍କ ପକ୍ଷରୁ ନିଷେଧାଜ୍ଞା ଜାରି ହେଲା । ଏହି ଆଦେଶକୁ ଅମାନ୍ୟ କରି ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ମାର୍ଚ୍ଚ ୨୩ ତାରିଖ ଦିନ କଟକ କାଠଯୋଡ଼ି ନଦୀବାଲିରେ ଏକ ସାଧାରଣ ସଭାରେ ଭାଷଣ ଦେଲେ । ସେହି ସମୟରେ ସମ୍ୱଲପୁରଠାରେ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ର ଭାଷଣ ଦେଇ ଗିରଫ୍ ହୋଇଥିଲେ ଓ ଏକ ବର୍ଷ ପର୍ଯ୍ୟନ୍ତ କାରାବରଣ କରିଥିଲେ । ୧୯୩୦ ମସିହା ଏପ୍ରିଲ୍ ୬ ତାରିଖ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଓଡ଼ିଶାର ପ୍ରଥମ ଲବଣ ସତ୍ୟାଗ୍ରହୀ ଦଳ ତାଙ୍କ ବାସଭବନଠାରୁ ଇଞ୍ଚୁଡ଼ି ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ ।

ପ୍ରଥମ ଲବଣ ସତ୍ୟାଗ୍ରହୀ ପଦଯାତ୍ରୀ ଦଳରେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀଙ୍କ ଛଡ଼ା ଆଚାର୍ଯ୍ୟ ହରିହର ଦାସ, ବାଲେଶ୍ୱରର ଗୋଲଖନାଥ ଦେ, ଗୋକୁଳାନନ୍ଦ ମହାନ୍ତି, କିଶୋରୀ ମୋହନ ମହାପାତ୍ର, ବିଶ୍ୱନାଥ ହୋତା ଓ କାଳୀପଦ ଦାସ, ସମ୍ୱଲପୁର ଜିଲ୍ଲାରେ ଦୁର୍ଗାପ୍ରସାଦ ଗୁରୁ, ରାମ ପ୍ରସାଦ ସାହୁ ଓ ସୁଧାଂଶୁ ଶେଖର ଗୁପ୍ତ, କଟକ ଜିଲ୍ଲାରୁ ଗୁଣନିଧି ମହାନ୍ତି, ଗୌରାଙ୍ଗ ଚରଣ ଦାସ, ବଳରାମ ପତି, ମାଧବାନନ୍ଦ ଦାସ, ସାଧୁ ଚରଣ ପାଢ଼ୀ, ଶିବପ୍ରସାଦ ଭଗତ, ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଶ୍ରୀଧର ମହାରଣା ଓ ଉଦୟନାଥ ମହାନ୍ତି, ପୁରୀ ଜିଲ୍ଲାରୁ ପଣ୍ଡିତ ରଘୁନାଥ ମିଶ୍ର ଓ ମୁରାରୀ ତ୍ରିପାଠୀ ଥିଲେ । ଲବଣ ସତ୍ୟାଗ୍ରହୀ ଦଳ ବାହାରିଲା ବେଳେ ଶ୍ରୀମତୀ ରମାଦେବୀ ଓ ଶ୍ରୀମତୀ ମାଳତୀ ଦେବୀ ସେମାନଙ୍କୁ ପୁଷ୍ପ ଚନ୍ଦନ ଦେଇ ବନ୍ଦାପନା କରିଥିଲେ । ପଦଯାତ୍ରା ସତ୍ୟାଗ୍ରହୀମାନେ ବାଟରେ ଗଲାବେଳେ ଜାତୀୟକବି ବୀର କିଶୋର ଦାସଙ୍କ ସମର ସଙ୍ଗୀତ ଗାଇ ଗାଇ ଯାଉଥିଲେ :-

“ଆସରେ ଆଜି ଆସ
ଦରିଆ ଦଖଲ କରିଯିବ କିଏ ଆସ
ଏ ଶାସନ ଆଜି କରି ଖଣ୍ଡ ଖଣ୍ଡ
ପ୍ରଜାହାତେ ଦେଇଯିବା ରାଜଦଣ୍ଡ
ତଳେ ବସୁମାତା ଉପରେ ଦେବତୀ
ସଦା ପାଇବେ ଆମରି ଯଶ ।”

ବାଟରେ ସତ୍ୟାଗ୍ରହୀମାନଙ୍କୁ ଗ୍ରାମବାସୀ ହରିବୋଲ ହୁଳହୁଳି ଧ୍ୱନି ଦେଇ ସମ୍ୱର୍ଦ୍ଧନା ଜଣାଇଥିଲେ । ୧୪୪ ଧାରା ଅମାନ୍ୟ କରି କାଠଯୋଡ଼ି ନଦୀ ବାଲିରେ ବକ୍ତୃତା ଦେଇଥିବାରୁ ତିର୍ତ୍ତୋଲ୍ ସବଡ଼ିଭିଜନ୍‌ର ଚାନ୍ଦୋଳଠାରେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ୍ କରି ନିଆଯାଇଥିଲା । ତାଙ୍କ ପରେ ଆଚାର୍ଯ୍ୟ ହରି ହର ଦାସ ସତ୍ୟାଗ୍ରହୀ ଦଳର ନେତୃତ୍ୱ ନେଇଥିଲେ ।

ଏପ୍ରିଲ୍ ୯ ତାରିଖରେ ଦ୍ୱିତୀୟ ଦଫାରେ କଟକରୁ ମଦନ ମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୌହସ୍ତମ୍ଭ ବାହିନୀ ସତ୍ୟାଗ୍ରହୀ ଇଞ୍ଚୁଡ଼ି ଅଭିମୁଖେ ଯାତ୍ରା କରିଥିଲେ । ଏହି ବାହିନୀରେ ଅନ୍ୟମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ମିଶ୍ର, ପୁରୀର ଗତିକୃଷ୍ଣ ସ୍ୱାଇଁ, ବାଲିକୁଦାର ବୀର କିଶୋର ଦାସ, ଚଉଦୁଆର ବିନୋଦ ବିହାରୀ ଚୌଧୁରୀ ଓ ବନମାଳୀ ପୃଷ୍ଟି ପ୍ରମୁଖ ଥିଲେ ଏବଂ ଏହାପରେ ପୁରୀରୁ ସତ୍ୟବାଦୀ ନନ୍ଦଙ୍କ ନେତୃତ୍ୱରେ ପତିତ ପାବନ ବାହିନୀ ନାମରେ ଆଉ ଏକ ଦଳ ବାହାରିଥିଲେ । ଗଞ୍ଜାମ ଓ ସମ୍ୱଲପୁର ଜିଲ୍ଲାର ଗୋଟିଏ ଗୋଟିଏ ଦଳ ବାହାରି ଏହି ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ । ଶ୍ରୀମତୀ ରମାଦେବୀ ଓ ଶ୍ରୀମତୀ ମାଳତୀ ଦେବୀଙ୍କ ନେତୃତ୍ୱରେ ଉପକୂଳ ଅଞ୍ଚଳରେ ଶତ ଶତ ନାରୀ କର୍ମୀ ଘରୁ ଚାଲିଆସି ଲବଣ ସତ୍ୟାଗ୍ରହୀ ହୋଇଥିଲେ ।

ଡଃ. ହରେକୃଷ୍ଣ ମହତାବ ଓ ସର୍ଦ୍ଦାର ସୁରେନ୍ଦ୍ରନାଥ ଦାସ ପ୍ରମୁଖ ଆଗରୁ ବାଲେଶ୍ୱରଠାରେ ରହି ଲବଣ ସତ୍ୟାଗ୍ରହ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ । ସେତେବେଳେ ଗୌରୀଦତ୍ତ ମାରୱାଡ଼ିଙ୍କର ପରମିଟ୍ କୋଠିରେ ବାଲେଶ୍ୱର ସତ୍ୟାଗ୍ରହ ଶିବିର ଖୋଲାଯାଇଥିଲା । ଯେତେବେଳେ ପ୍ରଥମେ ଲବଣ ଆଇନ ଚାଲୁ କରାଗଲା, ସେତେବେଳେ ଏହି ଘରେ ସରକାରୀ ଅଫିସ୍ ରହି ଲୋକଙ୍କଠାରୁ ଫିସ୍ ଆଦାୟ କରାଯାଇ ଲୁଣ ମାରିବାକୁ ଅନୁମତି ଦିଆଯାଉଥିଲା ।

ଜାତୀୟ କଂଗ୍ରେସ୍ ପକ୍ଷରୁ ଆସିଥିବା ନିର୍ଦ୍ଦେଶ ମତେ ୧୯୩୦ ଏପ୍ରିଲ୍ ୧୩ ତାରିଖ ସକାଳେ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ଇଞ୍ଚୁଡ଼ିଠାରେ ଲୁଣମରା ଆରମ୍ଭ ହେଲା । ତାହାପରେ କଟକରୁ ଯାଇଥିବା ପ୍ରଥମ ଦଳ ସତ୍ୟାଗ୍ରହୀଙ୍କ ସମେତ ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିଆରୀ, ମଦନ ମୋହନ ପଟ୍ଟନାୟକ, ବିଶ୍ୱନାଥ ହୋତା ଓ ଗୋକୁଳାନନ୍ଦ ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ପ୍ରବଳ ଉତ୍ସାହରେ ଶହ ଶହ ଲୋକ ଲବଣ ଆଇନ୍ ଭଙ୍ଗ କରି ଲୁଣ ମାରିଲେ । ସେତେବେଳର ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାତୀୟ କଂଗ୍ରେସ୍ ଅନୁଷ୍ଠାନ ପକ୍ଷରୁ ଲବଣ ସତ୍ୟାଗ୍ରହ ଚାଲିଥିଲା । ନାରୀନେତ୍ରୀ ଶ୍ରୀମତୀ ମାଳତୀ ଦେବୀ କଟକ ଜିଲ୍ଲାର କୁଜଙ୍ଗ ଅଞ୍ଚଳରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଲେ । ଗଞ୍ଜାମ ଜିଲ୍ଲାର ନାରାୟଣ ପାତ୍ର, କଟକ ଜିଲ୍ଲାରେ ଶରତ ଚନ୍ଦ୍ର ମହାନ୍ତି ଓ ନାଟୁମୋହନ ମହାନ୍ତି, ବାଲେଶ୍ୱର ଜିଲ୍ଲାରେ ମହେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ କର୍ମୀମାନେ ସତ୍ୟାଗ୍ରହ ଛାଉଣୀମାନେ ଖୋଲି ଲୁଣମାରି ସଂଗ୍ରହ କରିବାରେ ଲାଗିଲେ ।

ସେହିବର୍ଷ ଜୁନ୍‌ମାସରେ କୁଜଙ୍ଗର ସେତେବେଳର ସର୍ବସମ୍ମତ ନେତା ନାରାୟଣ ବୀରବର ସାମନ୍ତ ଗିରଫ୍ ହେବା ପରେ ଜୁନ୍ ୧୦ ତାରିଖରେ କୁଜଙ୍ଗର ଚାରିଆଡ଼େ ହରତାଳ ପାଳିତ ହୋଇଥିଲା । ତାଙ୍କ ପରେ କୁଜଙ୍ଗର ଭୂତପୂର୍ବ ରାଣୀ ଶ୍ରୀମତୀ ଭଗବତୀ ପାଟମହାଦେବୀ ଲବଣ ସତ୍ୟାଗ୍ରହରେ ଯୋଗ ଦେବା ପରେ ଲୋକଙ୍କ ଭିତରେ ବିଶେଷ ଉତ୍ସାହ ଓ ଉନ୍ମାଦନା ସୃଷ୍ଟି ହୋଇଥିଲା । ପୁରୀର ଅସ୍ତରଙ୍ଗ ଅଞ୍ଚଳରେ ଜଗନ୍ନାଥ ରଥ, ଗଞ୍ଜାମ ଜିଲ୍ଲାରେ ନିରଞ୍ଜନ ପଟ୍ଟନାୟକ, ଶଶୀଭୂଷଣ ରଥ, ବିଶ୍ୱନାଥ ଦାସ ଓ ଦିବାକର ପଟ୍ଟନାୟକ ପ୍ରମୁଖ ଲବଣ ସତ୍ୟାଗ୍ରହରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଏହି ସମୟରେ କୋରାପୁଟର ରାଧାକୃଷ୍ଣ ବିଶ୍ୱାସରାୟ ସରକାରୀ ଚାକିରୀ ଛାଡ଼ି ଲବଣ ସତ୍ୟାଗ୍ରହରେ ଯୋଗ ଦେଇ କାରାବରଣ କରିଥିଲେ । ଶ୍ରୀମତୀ ସରଳା ଦେବୀ ସେତେବେଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଲବଣ ସତ୍ୟାଗ୍ରହୀଙ୍କ ନେତୃତ୍ୱ ନେଇ ସେ ଗିରଫ୍ ହୋଇଥିଲେ ଓ ମାନ୍ଦ୍ରାଜ ପ୍ରଦେଶର ଭେଲୋର ଜେଲ୍‌ରେ ଗଞ୍ଜାମର ଅନ୍ୟ ସତ୍ୟାଗ୍ରହୀଙ୍କ ସହିତ ରହିଥିଲେ ।

ଏହି ସମୟରେ ଲୁଣ ଗୋଲାଗୁଡ଼ିକ ଦଖଲ କରିବା ପାଇଁ ଗାନ୍ଧିଜୀ ଦେଶବାସୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ନିଜେ ଗୁଜୁରାଟର ଧର୍ଷଣାଠାରେ ଲୁଣ ଗୋଦାମ ଦଖଲ କରିବା ପାଇଁ ବଡ଼ଲାଟ୍‌ଙ୍କୁ ନୋଟିସ୍ ଦେଇଥିଲେ । ମାତ୍ର ତା’ ପୂର୍ବରୁ ମଇମାସ ୪ ତାରିଖରେ ଗାନ୍ଧିଜୀଙ୍କୁ ଶୋଇଥିବା ଅବସ୍ଥାରେ ଉଠାଇ ଗିରଫ୍ କରି ନିଆଯାଇଥିଲା । ଗାନ୍ଧିଜୀଙ୍କ ଗିରଫ୍‌ର ପ୍ରତିବାଦରେ ଓଡ଼ିଶା ସମେତ ଭାରତର ସର୍ବତ୍ର ହରତାଳ ପାଳିତ ହୋଇଥିଲା । କଟକରେ ଶ୍ରୀମତୀ ମାଳତୀ ଦେବୀଙ୍କ ନେତୃତ୍ୱରେ ୧୦ ହଜାର ଲୋକଙ୍କ ବିରାଟ ଶୋଭାଯାତ୍ରା କଟକ ସହର ପରିକ୍ରମା କରିଥିଲା ।

ଲବଣ ସତ୍ୟାଗ୍ରହ ଛାତ୍ର ଓ ଯୁବକମାନଙ୍କ ଭିତରେ ଉତ୍ସାହ ଓ ଉନ୍ମାଦନା ସୃଷ୍ଟି କରିଥିଲା । ଏହି ସମୟରେ କଟକ କଲିଜିଏଟ୍ ସ୍କୁଲ୍‌ର ମେଧାବୀ ଛାତ୍ର ବିନୋଦ କାନୁନ୍‌ଗୋ, ସୁରେନ୍ଦ୍ରନାଥ ପଟ୍ଟନାୟକ, ସୁରେନ୍ଦ୍ର ଦ୍ୱିବେଦୀ ଓ ବିପିନ୍ ବିହାରୀ ମହାନ୍ତି, ଏବଂ ଗଜେନ୍ଦ୍ରନାଥ ସାହୁ, ରବୀନ୍ଦ୍ର ମୋହନ ଦାସ, ଗୌରଚନ୍ଦ୍ର ଦାସ, ନିତ୍ୟାନନ୍ଦ ମହାପାତ୍ର ଓ ଗୌର ଗୋପାଳ ଦାସ ପ୍ରମୁଖ ନିଜ ନିଜ ଶିକ୍ଷା କ୍ଷେତ୍ର ଛାଡ଼ି ଚାଲିଆସି ଆଇନ୍ଅମାନ୍ୟ ଆନ୍ଦୋଳନରେ ଝାସ ଦେଲେ । ଏମାନେ ଓଡ଼ିଶାର ଚାରିଆଡ଼େ ବୁଲି ଆନ୍ଦୋଳନର କର୍ମୀ ସଂଗ୍ରହ କରିଥିଲେ । ବର୍ଷା ଯୋଗୁ ଲବଣ ସତ୍ୟାଗ୍ରହ ବନ୍ଦ ହୋଇଯିବାରୁ କଂଗ୍ରେସ କର୍ମୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦେଶୀ ଲୁଗା ଦୋକାନ ଓ ମଦ, ଗେଞ୍ଜଇ ଓ ଅଫିମ ଦୋକାନ ଆଗରେ ପିକେଟିଂ କରି ଆଇନ୍ ଅମାନ୍ୟ ଆନ୍ଦୋଳନ ଚଳେଇଥିଲେ । ସେତେବେଳେ ଏହି କର୍ମୀମାନଙ୍କୁ “ବାନରସେନା” ବୋଲି କୁହାଯାଉଥିଲା । ପୋଲିସ୍ ଏମାନଙ୍କୁ ରାସ୍ତା ଉପରକୁ ଘୋଷାଡ଼ି ଆଣିଥିଲା । କୋର୍ଟରେ ଏମାନଙ୍କ ବିଚାର ହୋଇ ଏମାନଙ୍କୁ ବେତମାଡ଼ ଦିଆଯାଉଥିଲା ।

ଜାତୀୟ କବି ବୀର କିଶୋର ଦାସଙ୍କ ସମର ସଙ୍ଗୀତ ଗାନ କରି ଏହି ବାନରସେନାମାନେ ସବୁ ଦଣ୍ଡ ଆନନ୍ଦରେ ସହୁଥିଲେ-ସେମାନେ ଗାଉଥିଲେ “ତୁମେ ମାର କେତେ ବେତ ମାରିବ ଜୀବନକୁ ଆମେ ପାଣି ଛଡ଼ାଇବୁ, ତୁମେ କି ଆମକୁ ପାରିବ ।” ସେହିପରି ଲୁଣ ମାରିବାବେଳେ ସେମାନେ ଗାଉଥିଲେ- “ଦରିଆ ଦଖଲ କରିଯିବ କିଏ ଆସ ।” ବେତ ମାଡ଼ରେ ବାନର ସେନାମାନେ ଦବି ନ ଯିବାରୁ ସେମାନଙ୍କର ବିଚାର କରାଯାଇ ଜେଲ୍‌କୁ ପଠାଇ ଦିଆଯାଇଥିଲା । ୧୯୩୦ ଏପ୍ରିଲ୍ ୬ ତାରିଖ ଦିନ ସାପ୍ତାହିକ “ସମାଜ” ଦୈନିକ “ସମାଜ” ଆକାରରେ ଓ ଏହାର କିଛି ଦିନପରେ ଦୈନିକ “ପ୍ରଜାତନ୍ତ୍ର” ପ୍ରକାଶ ପାଇଥିଲା । “ଦୈନିକ ଆଶା” ପୂର୍ବରୁ ପ୍ରକାଶ ପାଇ ଆସୁଥିଲା । “ସମାଜ” ଓ “ପ୍ରଜାତନ୍ତ୍ର”କୁ ସେତେବେଳେ ଜାମିନ ତଲବ କରାଯାଇଥିଲା ଏବଂ ସେମାନେ ଜାମିନ୍ ନ ଦେଇ ପତ୍ରିକା ପ୍ରକାଶନ କିଛିଦିନ ବନ୍ଦ କରି ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top