ଇତିହାସ

ପ୍ରଥମ ପର୍ଯ୍ୟାୟ ଆନ୍ଦୋଳନର ଶେଷ ଭାଗରେ

Balaram Mohanty'd Odisha History

ନାରୀମାନଙ୍କ ଭିତରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପାଇଁ ପ୍ରବଳ ଜାଗରଣ ଦେଖା ଦେଇଥିଲା । ଆନ୍ଦୋଳନ ଆରମ୍ଭରେ ଶ୍ରୀମତୀ ସରଳା ଦେବୀ ଅଗ୍ରଣୀ ହୋଇଥିଲେ ।

ପ୍ରଥମ ପର୍ଯ୍ୟାୟ ଆନ୍ଦୋଳନର ଶେଷ ଭାଗରେ

ସ୍ୱାଧୀନତା ସଂଗ୍ରାମ ପ୍ରଥମ ପର୍ଯ୍ୟାୟରେ ୧୯୨୦ ଠାରୁ ୧୯୨୨ ମସିହା ପର୍ଯ୍ୟନ୍ତ ଅସହଯୋଗ ଆନ୍ଦୋଳନ, ସେତେବେଳେ ବିହାର ସହିତ ରହିଥିବା ଓଡ଼ିଶା ଡିଭିଜନ ଓ ମାନ୍ଦ୍ରାଜ ସହିତ ରହିଥିବା ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳେ ଉତ୍ସାହ ଓ ଉନ୍ମାଦନାର ସହିତ ଚାଲିଥିଲା । ମେଧାବୀ ଛାତ୍ରମାନେ ସ୍କୁଲ୍ କଲେଜ ଛାଡ଼ି ଥିଲେ । କେତେକ ବିଶିଷ୍ଟ ସରକାରୀ କର୍ମଚାରୀ ଚାକିରୀ ଛାଡ଼ି, ଓକିଲମାନେ ଓକିଲାତି ଛାଡ଼ି ସଂଗ୍ରାମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଏହାଛଡ଼ା ବିଭିନ୍ନ ଅଞ୍ଚଳର ଯୁବକମାନେ ଆଇନ୍ ଅମାନ୍ୟ ଆନ୍ଦୋଳନରେ ବିଭିନ୍ନ କାର୍ଯ୍ୟରେ ଭାଗ ନେଇ ଦୁଃଖ ବରଣ କରିଥିଲେ ଓ କାରାବରଣ କରିଥିଲେ । ନାରୀମାନଙ୍କ ଭିତରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପାଇଁ ପ୍ରବଳ ଜାଗରଣ ଦେଖା ଦେଇଥିଲା । ଆନ୍ଦୋଳନ ଆରମ୍ଭରେ ଶ୍ରୀମତୀ ସରଳା ଦେବୀ ଅଗ୍ରଣୀ ହୋଇଥିଲେ । ତାଙ୍କପରେ ଶ୍ରୀମତୀ ରମାଦେବୀ, ଶ୍ରୀମତୀ ମାଳତୀ ଦେବୀ ପ୍ରମୁଖ ନାରୀ ନେତ୍ରୀ ନାରୀ ଜାଗରଣ କ୍ଷେତ୍ରରେ ନେତୃତ୍ୱ ନେଇଥିଲେ । ଏହା ଫଳରେ ବହୁ ସଂଖ୍ୟାରେ ଝିଅ ବୋହୂ ଘର ଛାଡ଼ି ଆସି ସଂଗ୍ରାମୀ ହୋଇଥିଲେ । ଅଧିକାଂଶ ବନ୍ଦୀଙ୍କୁ ନେଇ ବିହାର ହଜାରୀବାଗ ଜେଲ୍‌ରେ ରଖାଯାଇଥିଲା । ୧୯୨୨ ଶେଷଭାଗ ବେଳକୁ ଉତ୍କଳ କଂଗ୍ରେସର ନେତୃତ୍ୱ ସ୍ଥାନୀୟ ବ୍ୟକ୍ତିମାନଙ୍କ ଭିତରୁ ଅଧିକାଂଶ କାରାବରଣ କରି ସାରିଥିଲେ ।

୧୯୨୨ରେ ଉତ୍ତର ପ୍ରଦେଶର ଚୌରୀଚଉରାଠାରେ ପୋଲିସ୍‌ଙ୍କ ଉପରେ ସାଧାରଣ ଲୋକଙ୍କର ହିଂସାତ୍ମକ ଆକ୍ରମଣ ଯୋଗୁଁ ମହାତ୍ମାଗାନ୍ଧୀ ମର୍ମାହତ ହୋଇ ଅସହଯୋଗ ଆନ୍ଦୋଳନ ବନ୍ଦ କରି ଦେଇଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ପ୍ରମୁଖ ଗାନ୍ଧୀଜୀଙ୍କ ଏହି ନିଷ୍ପତ୍ତିର ସମାଲୋଚନା କରିଥିଲେ । ସାଧାରଣ କଂଗ୍ରେସ କର୍ମୀଙ୍କ ଭିତରେ ଏହା ଫଳରେ ଅବସାଦ ଓ ହତାଶାଭାବ ଦେଖା ଦେଇଥିଲା । ୧୯୨୩ ମସିହାରେ ନାଗପୁରର ପତାକା ସତ୍ୟାଗ୍ରହରେ ଯୋଗ ଦେଇ ସମ୍ୱଲପୁରର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର, କଷ୍ଟରାମ ଗଣ୍ଡ ପ୍ରମୁଖ କାରାବରଣ କରିଥିଲେ । ୧୯୨୩ ପରେ ଓଡ଼ିଶାର ରାଜବନ୍ଦୀମାନେ ଖଲାସ ହୋଇ ଆସିଲେ । ୧୯୨୪ ମସିହାରେ କଟକଠାରେ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହେଲା ଏବଂ ଏଥିରେ ବଙ୍ଗପ୍ରଦେଶର ଗାନ୍ଧିବାଦୀ ବୈଜ୍ଞାନିକ ପ୍ରଫୁଲ୍ଲଚନ୍ଦ୍ର ରାଏ ଅଧ୍ୟକ୍ଷତା କରିଥିଲେ । ସେହିଦିନ ପଣ୍ଡିତ ଗୋପବନ୍ଧୁ ଓ ଭାଗୀରଥି ମହାପାତ୍ର ଜେଲ୍‌ରୁ ଖଲାସ ହୋଇ ସେହି ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ବୈଜ୍ଞାନିକ ପ୍ରଫୁଲ୍ଲଚନ୍ଦ୍ର ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ “ଉତ୍କଳମଣି” ଉପାଧିରେ ଭୂଷିତ କରିଥିଲେ ।

ଲୋକପ୍ରିୟ ଲେଖା

To Top