ଇତିହାସ

ସ୍ୱାଧୀନତା ସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି

Balaram Mohanty'd Odisha History

୧୯୩୦ ଜାନୁଆରୀ ୨୬ ତାରିଖ ଦିନ ସମଗ୍ର ଦେଶରେ “ପୂର୍ଣ୍ଣ ସ୍ୱରାଜ ଦିବସ” ରୂପେ ପାଳନ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି କଲେ ।

ସ୍ୱାଧୀନତା ସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି

ସାଇମନ କମିଶନରଙ୍କୁ ବର୍ଜ୍ଜନ କରି ଜାତୀୟ କଂଗ୍ରେସ ଭାରତ ପାଇଁ ଏକ ସର୍ବସମ୍ମତ ସମ୍ୱିଧାନ ପ୍ରସ୍ତୁତ କରିବା ପାଇଁ କଂଗ୍ରେସ ନେତା ପଣ୍ଡିତ ମୋତିଲାଲ୍ ନେହେରୁଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ କମିଟି ଗଠନ କରିଥିଲେ । ଏହି କମିଟି ଔପନିବେଶୀୟ ସ୍ୱାୟତ୍ତଶାସନ ଭାରତର ଲକ୍ଷ୍ୟ ବୋଲି ନିଷ୍ପତ୍ତି କରିଥିଲେ । କଂଗ୍ରେସ ଅଧିବେଶନରେ ଏହି ପ୍ରସ୍ତାବକୁ ଗୃହୀତ କରାଇ ନେବା ପାଇଁ କଲିକତାଠାରେ ନିଖିଳ ଭାରତ କଂଗ୍ରେସ ଅଧିବେଶନ ୧୯୨୮ ମସିହାରେ ଅନୁଷ୍ଠିତ ହେଲା । ନେତାଜୀ ସୁଭାଷଚନ୍ଦ୍ର ଓ ପଣ୍ଡିତ ଜବାହାରଲାଲ୍ ନେହେରୁ ଏହାର ବିରୋଧ କଲେ । ପୂର୍ଣ୍ଣ ସ୍ୱାଧୀନତା ଭାରତର ଲକ୍ଷ୍ୟ ବୋଲି ନେତାଜୀ ସୁଭାଷ ଚନ୍ଦ୍ର ଏହି ଅଧିବେଶନରେ ପ୍ରସ୍ତାବ ଆଗତ କରିଥିଲେ । ଗାନ୍ଧିଜୀ ସବୁ ଦଳର ରାଜିନାମା ଭିତ୍ତିରେ ନେହେରୁ କମିଟି ଚିଠା ପ୍ରସ୍ତାବକୁ ଗ୍ରହଣ କରିବାକୁ ରାଜିଥିଲେ ମଧ୍ୟ ସେ କଂଗ୍ରେସ ଭିନ୍ନମତର ରାଜିନାମା ପ୍ରସ୍ତାବ ଜଣାଇ ଦେଇଥିଲେ ଯେ ବ୍ରିଟିଶ୍ ସରକାର ୧୯୨୯ ମସିହା ଡିସେମ୍ୱର ୩୧ ତାରିଖ ମଧ୍ୟରେ ପ୍ରସ୍ତାବିତ ଚିଠା ଅନୁଯାୟୀ ଆଇନ ପ୍ରଣୟନ ନ କଲେ ପୂର୍ଣ୍ଣ ସ୍ୱାଧୀନତା ହାସଲ ପାଇଁ ଅହିଂସା ଅସହଯୋଗ ଆନ୍ଦୋଳନ ଆରମ୍ଭ କରିବା ନିମନ୍ତେ କଂଗ୍ରେସ ଦେଶବାସୀଙ୍କୁ ଆହ୍ୱାନ କରିବ । ଏହାପରେ ୧୯୨୯ ବର୍ଷଟି ଦେଶକୁ ପ୍ରତ୍ୟକ୍ଷ ସଂଗ୍ରାମ ପାଇଁ ପ୍ରସ୍ତୁତିରେ କଂଗ୍ରେସ ଲୋକେ ଲାଗିଲେ । ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ବିଦେଶୀ ବସ୍ତ୍ର ବର୍ଜ୍ଜନ ସବ୍‌କମିଟି, ଚକ୍ରବର୍ତ୍ତୀ ରାଜଗୋପାଲଚାରୀ ନିଶାନିବାରଣ ସବ୍‌କମିଟି ଓ ଯମୁନାଲାଲ ବଜାଜ ଅସ୍ପୃଶ୍ୟତା ନିବାରଣ କମିଟିର ଆବାହକ ନିଯୁକ୍ତ ହେଲେ । ଓଡ଼ିଶାରେ ଏ ବର୍ଷ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ସଭାପତି ଏବଂ ପଣ୍ଡିତ ଲିଙ୍ଗରାଜ ମିଶ୍ର ଓ ରାମକକୃଷ୍ଣ ବୋଷ ଯୁଗ୍ମ ସମ୍ପାଦକ ନିର୍ବାଚିତ ହୋଇଥିଲେ ।

୧୯୩୦ ଜାନୁଆରୀ ୨୬ ତାରିଖ ଦିନ ସମଗ୍ର ଦେଶରେ “ପୂର୍ଣ୍ଣ ସ୍ୱରାଜ ଦିବସ” ରୂପେ ପାଳନ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି କଲେ । ଉକ୍ତ ଦିନ ସାଧାରଣ ସଭା କରାଯାଇ ଏକ ଶପଥ ପାଠ ସେଠାରେ ପାଠ କରାଯାଇଥିଲା । ସେହି ଶପଥ ପାଠରେ ଅନ୍ୟାନ୍ୟ ବିଷୟ ଭିତରେ ଥିଲା ବ୍ରିଟିଶ୍ ସରକାର ଭାରତ ବର୍ଷରେ ଭାରତର ଅଧିବାସୀମାନଙ୍କୁ ଯେ କେବଳ ସ୍ୱାଧୀନତାରୁ ବଞ୍ଚିତ କରିଛି ସେତିକି ନୁହେଁ, ଦେଶର ଜନସାଧାରଣଙ୍କୁ ଶୋଷଣ ଉପରେ ନିଜକୁ ପ୍ରତିଷ୍ଠିତ କରିଛି ଏବଂ ଅର୍ଥନୈତିକ, ରାଜନୈତିକ, ସଂସ୍କୃତିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଭାରତ ବର୍ଷକୁ ଧ୍ୱଂସ କରିଛି ତେଣୁ ଭାରତ ନିଶ୍ଚିତ ଭାବରେ ବ୍ରିଟିଶ୍ ସମ୍ପର୍କ ଛିନ୍ନ କରି ପୂର୍ଣ୍ଣ ସ୍ୱାଧୀନତା ହାସଲ କରିବ । ପୂର୍ଣ୍ଣ ସ୍ୱରାଜ ଭାରତର ବିଭିନ୍ନ ଅଞ୍ଚଳ ପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାଳିତ ହୋଇଥିଲା । କଟକଠାରେ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ, ପୁରୀରେ ପ୍ରଚାରକ ଅନନ୍ତ ମିଶ୍ର, ପଣ୍ଡିତ ରଘୁନାଥ ମିଶ୍ର, ମୁରାରୀ ତ୍ରିପାଠୀ ଓ ଭୋଳାନାଥ ସାହା, ବାଲେଶ୍ୱର ଜିଲ୍ଲାରେ ନନ୍ଦକିଶୋର ଦାସ, ହରେକୃଷ୍ଣ ମହତାବ ଓ ବ୍ରହ୍ମପୁରରେ ନିରଞ୍ଜନ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ପୂର୍ଣ୍ଣ ସ୍ୱାଧୀନତା ଦିବସ ପାଳିତ ହୋଇ ଶପଥ ପାଠ କରାଯାଇଥିଲା । ଏହାପରେ ସ୍ୱାଧୀନତା ସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ପାଇଁ ଓଡ଼ିଶାର ଜନସାଧାରଣ ଓ ସ୍ୱାଧୀନତା ସଂଗ୍ରାମୀମାନେ ଉତ୍ସାହର ସହିତ ଅପେକ୍ଷା କରି ରହିଲେ ।

ଲୋକପ୍ରିୟ ଲେଖା

To Top