ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ତାର ପୁରୁଷ ବନ୍ଧୁମାନେ..ପତଙ୍ଗମାନଙ୍କ ପରି ତା ଆଖପାଖରେ ଘୂରିବୁଲନ୍ତି କିଛିକାଳ । ସେମାନଙ୍କ ଭିତରେ କ୍ଷୁଦ୍ର ପ୍ରତିଯୋଗିତାଟିଏ ଅନୁଷ୍ଠିତ ହୁଏ । ଯେ ଜିତିଲା ମନିଷା ଓବେରୟ ତାର । ମନିଷା ଓବେରୟ ତାକୁ ମାଙ୍କଡପରି ନଚାଏ । ଉଠ୍,ବସ୍ କରାଏ ।

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୁର୍ବରୁ :-

ମନିଷା ଓବେରୟ ଖୁବଧନୀ, ଆଭିଜାତ୍ୟ ସଂପନ୍ନ ଓ ମେଳାପୀ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ସେ ନିଜ ଇଚ୍ଛାମୁତାବକ ଜୀଇଁବାକୁ ଚାହେଁ । ସେ ପରାନ୍ନଜୀବୀ ପ୍ରାଣୀମାନଙ୍କୁ ଘୃଣା କରେ । ତା’ ମତରେ ସେମାନେ ହେଉଛନ୍ତି ଜୋକପରି..ନିହାତି ନିଃଶବ୍ଦ ଓ ସନ୍ତର୍ପଣରେ ସେମାନେ ଜୀଇଁବାର ନିଭୃତ ଇଚ୍ଛାଟିକୁ ସଫଳ କରାଉଥାନ୍ତି । ପାର୍ଟି, ସିନେମା, ମାର୍କେଟିଂ,ସପିଙ୍ଗମଲ୍ ,କ୍ଲବ୍ ଏସବୁ ଭିତରେ ସେ ଜୀବନର ଖୁସି ସାଉଁଟେ । ନିଜକୁ ନୂଆକରି ଆବିଷ୍କାର କରେ । ନିଜ ଆଭିଜାତ୍ୟର ଡିଣ୍ଡିମ ପିଟେ ସେ । ଋତୁପରି ତାର ବଦଳିଯାଆନ୍ତି ସାଙ୍ଗ । ତାକୁ ନୂଆମୁହଁଦେଖିବାକୁ ଭଲଲାଗେ । ସେଥିପାଇଁ ସେ ବାରମ୍ବାର ନିଜରସାଙ୍ଗ ଓ ପରିସର ବଦଳାଏ, ନୂତନ ବ୍ୟକ୍ତିତ୍ୱ ସେମାନଙ୍କଠାରେ ଆବିଷ୍କାର କରି ବେଶ୍ ଆମୋଦିତା ହୁଏ । ସେମାନଙ୍କ ଭିତରେ ଅଞ୍ଜନ, ଅନିକେତ, ବିଭାବନା, ସମରେଶ୍, ଜୀବନ ଏମିତି ଅନେକ.. । ତାର ପୁରୁଷ ବନ୍ଧୁମାନେ..ପତଙ୍ଗମାନଙ୍କ ପରି ତା ଆଖପାଖରେ ଘୂରିବୁଲନ୍ତି କିଛିକାଳ । ସେମାନଙ୍କ ଭିତରେ କ୍ଷୁଦ୍ର ପ୍ରତିଯୋଗିତାଟିଏ ଅନୁଷ୍ଠିତ ହୁଏ । ଯେ ଜିତିଲା ମନିଷା ଓବେରୟ ତାର । ମନିଷା ଓବେରୟ ତାକୁ ମାଙ୍କଡପରି ନଚାଏ । ଉଠ୍,ବସ୍ କରାଏ । ମନିଷା କାଉକୁ ଧଳାକହିଲେ ସେ ବି ତା ସହିତ ନିଜର ସ୍ୱର ମିଶାଏ । ତା ସହିତ ମଦପିଏ, ଡ୍ରଗ୍ସ୍ ନିଏ, ପାର୍ଟି କରେ । ରାତିରାତି ମତୁଆଲା ହୋଇ ସେମାନେ ଝୁମନ୍ତି ନିଶାରେ ଆଉ ବାଦ୍ୟର ତାଳେତାଳେ । ମନିଷା ନିଜକୁ ପରୀଟିଏ ଭଳି ମନେକରେ ସେତେବେଳେ । ଦିନରାତି ଭିତରର ଅନ୍ତର ସେ ଭୁଲିଯାଏ । ବାପା, ମାଆ ତାଙ୍କ ଦୁନିଆଁରେ ବ୍ୟସ୍ତ । ଝିଅପାଇଁ ସେମିତି ବିଶେଷ ସମୟ ଦେଇପାରନ୍ତିନାହିଁ । ତଥାପି ତା ପାଇଁ କୌଣସି ଅଭାବ ଅସୁବିଧା ରଖିନାହାନ୍ତି । ବରଂ ସେମାନେ ସମସ୍ତ ପ୍ରାଚୁର୍ଯ୍ୟ ଖଞ୍ଜିଦେଇଛନ୍ତି । ତା ପାଦତଳେ କେତେ ଚାକର, ପୂଜାରୀମାନେ । ମନିଷା ଓବେରୟର କିଛି ଅଭାବନାହିଁ । ହେଲେ ତଥାପି ବି ତାର ଅନେକ ଅଭିଯୋଗ ଓ ଅବଶୋଷ..ଜୀବନକୁ ନେଇ । ତା ମତରେ ସେ ବାପାମାଆଙ୍କୁ ହରାଇଦେଇଛି ଏ ଟଙ୍କାପାଇସାର ପ୍ରାଚୁର୍ଯ୍ୟତଳେ । ସେ ନିହାତି ନିସଙ୍ଗ ଜୀବନଟେ ଜୀଉଁଛି । ସେଥିପାଇଁ ଜୀବନପ୍ରତି ତାର ଦୃଷ୍ଟିକୋଣ ବି ବଦଳିଯାଇଛି । ମନିଷା ଓବେରୟ ନିଶାରେ ଚୂର୍‌ହୋଇଗଲେ କହେ-ମୋ ଅକ୍ତିଆରରେ ଥିଲେ ମୁଁ ବଦଳାଇ ଦିଅନ୍ତି ଦେଶର ନିୟମ କାନୁନ୍ ! ସବୁଛୋଟ ଲୋକଙ୍କୁ ନିରୀହ ବିଲେଇ କରିଦିଅନ୍ତି । ମୋ ଚାରିପଟେ ସେମାନେ ଘୂରି ବୁଲନ୍ତେ ଅହରହ । ଆଉ ମୁଁ ସିଂହାସନରେ ବସି ସେମାନଙ୍କ ଚମଡା ଉପରେ ରାଜ୍ କରନ୍ତି । ବିବାହ ଉପରେ ମତଦେଇ କହେ-ସବୁବେଳେ ସେଇ ପୁରୁଣାମୁହଁ..ଇସ୍ କେମିତି ସହିପାରନ୍ତି ଏମାନେ ସେଇ ଗୋଟିଏ ଲୋକକୁ ଜୀବନଟାସାରା ? ଏମାନେ ସମସ୍ତେ କଣ ଗୋଟେଗୋଟେ ପାଗଳ? କେମିତି ଖୁଣ୍ଟରେ ବାନ୍ଧିହୋଇ ରହିପାରନ୍ତି ସାରା ଜୀବନ ! ସେମାନଙ୍କ ଭିତରେ କଣ ଏମିତିଗୋଟେ ବନ୍ଧନ ଥାଏ ଯାହାପାଇଁ ସେମାନେ ଏକାଠି ରହିବାକୁ ବାଧ୍ୟ ? ତାର ମୂଲ୍ୟ କଣ ବିବାହପୂର୍ବରୁ କଷା ହୋଇଥାଏ ? ବିନାସ୍ୱାର୍ଥରେ ଏମାନେ କିପରି ସେ ଭୂମିକା ତୁଲାଇପାରନ୍ତି ନିର୍ବିଘ୍ନରେ? ବାପା ମାଆଙ୍କ ଭିତରେ ବି ଖୁବ୍ କମ୍ ଦେଖାସାକ୍ଷାତ ହୁଏ ମନିଷାର । ମାଆ ସମାଜ ସେବା ଓ କିଟିପାର୍ଟି ଭିତରେ..ଆଉ ବାପା ତାଙ୍କ ବିଜିନେସ୍ ମିଟିଙ୍ଗ୍ ଭିତରେ । ସେଥିପାଇଁ ସେମାନଙ୍କର ଯେବେ ଭେଟ ହୁଏ, କେବଳ ଗୋଟେ ବାଘ ଓ ସିଂହଭଳି । ପରସ୍ପର ପରସ୍ପରକୁ ଦେଖିଲା ମାତ୍ରକେ ଆରମ୍ଭ ହୋଇଯାଏ ହୋଳ, ଗର୍ଜନ, ଜଣେ ଅନ୍ୟଜଣକ ଉପରକୁ ଲମ୍ଫପ୍ରଦାନ କରିବାର ବିକଟ ଶବ୍ଦ..ମନିଷା ତା ଭିତରେ ଖୁବ୍ ଡରିଯାଏ । ଆଉ ମୁହଁଉପରକୁ କମ୍ବଳଟାଣି ଶୋଇବାକୁ ଚେଷ୍ଟାକରେ । ସେ ଜାଣେ ସେମାନେ ଥକିପଡିଲେ ଭୟସୃଷ୍ଟିକାରୀ ଶବ୍ଦମାନ ବି ଆପେ ବନ୍ଦ ହୋଇଯିବେ । ତାପରେ ସେହି ଚିରାଚରିତ ଖାଁ ଖାଁ ଶବ୍ଦ..କାନର ଶିରାପ୍ରଶିରା ଟନ୍‌ଟନ୍‌ କରନ୍ତି । କିଏଜିତିଲା ଓ କିଏ ହାରିଲା ଜାଣିବାର ଅବକାଶ ଜୁଟିନାହିଁ ଆଜିଯାଏଁ । ମନିଷା ଓବେରୟକୁ ଆଜିକାଲି ଘର ଭଲ ଲାଗୁନାହିଁ ବୋଲି ହୋଟେଲରେ ପାର୍ଟିର ଆୟୋଜନ କରୁଛି । ଅବଶ୍ୟ ସେଠି ଅବାଧ କାରବାର..ନିଶା, ଡ୍ରଗ୍ସ୍, କଣ୍ଡୋମ୍ ଆଉ ଭିନ୍ନସୁର୍ ତାଳଲୟର । ଘରେ ଏସବୁ ଚିଜମାନେ ଅବାଧ ପ୍ରବେଶ କରିପାରନ୍ତିନାହିଁ । ସେଥିପାଇଁ ଆଜିକାଲି ହୋଟେଲ୍‌ରେ  ରାତିସାରା ମତୁଆଲା ହୋଇ ମନିଷା ଓବେରୟ ଆଲୁଳାୟିତ ଭଙ୍ଗୀରେ ପଡିଥାଏ ଶେଯ ଉପରେ ଆଉକେଉଁ ଭାଗ୍ୟବାନ୍ ପୁରୁଷବନ୍ଧୁଟି ସହିତ । କେତେବେଳେ ଅର୍ଦ୍ଧନଗ୍ନ ହୋଇ ତ ଆଉ କେବେକେବେ ..ସେ ପୂର୍ବାପେକ୍ଷା ଆଉରିବେଶୀ ବିଶୃଂଖଳିତ ।

ସକାଳହେବା ମାତ୍ରକେ ସେ ପାଲଟିଯାଏ ଜଣେ ସାଧାରଣଝିଅ..! ନିଜବେଶଭୂଷାକୁ ସଂଯତ କରିନିଏ ସେ ଆଖିପିଛୁଳାକେ । କିଛିଗୋଟାଏର ବାହାନାକରି ସେ ଘରୁ ମୁକୁଳିଆସେ ପୁଣି ସେହି ଖ୍ୟାତାନାମା ରଙ୍ଗମହଲକୁ । ରାତିହେଲେ ମନିଷା ଓବେରୟର ବେଡ୍ ପାର୍ଟନର୍ ବଦଳିଯାଆନ୍ତି । ରାତିର ତୃପ୍ତି ତାର ମନଲାଖି ନହେଲେ ଦାମ୍ ବି ଭଲମିଳେନି କାହାରିକୁ । ଆଜିକାଲି ଅନ୍ୟମାନଙ୍କ ସହିତ ରାତିବିତାଇବା ତାର ଅନ୍ୟତମ ତୀବ୍ରନିଶା ପାଲଟିଯାଇଛି । ଅନ୍ୟମାନଙ୍କ ପାଇଁ ହୋଇଯାଇଛି ସେ ରାତିର ରାଣୀ..! ଅବଶ୍ୟ ସମୟ ବଦଳିଯାଇଛି । ମନିଷା ଓବେରୟ ପାଇଁ ପୋଷାକପରି ପୁରୁଷଟିଏ ଲୋଡାହୋଇଛି । ଆଉ ସେହି ଅବ୍ୟବସ୍ଥିତ ଜୀବନ ଭିତରେ ସେ ହଜିଯାଉଛି ଗୋଟାପଣେ । ବୋଧହୁଏ ସେ ଦିନକୁ ଦିନ ପଙ୍କଭିତରେ ବୁଡିବାକୁ ବସିଛି । ତଥାପି ସେ ଜୀବନକୁ ତା ଦୃଷ୍ଟିଭଙ୍ଗୀ ଅନୁସାରେ ଜୀଇଁବାକୁ ଚାହେଁ । ସେଭଳି ଜୀବନଯାପନ ପ୍ରଣାଳୀକୁ ସେ ଛାଡି ବଂଚିପାରିବନାହିଁ । ତାହା ହିଁ ତାର ଦୁର୍ବଳତା ଆଜିକାଲି । ତା ଚାରିପଟେ ଆଜିକାଲି ଭିନ୍ନଭିନ୍ନ ଧରଣର ଗୁଞ୍ଜରଣ..କେବେ ତାକୁ ପ୍ରଭାବିତ କରିବାକୁ ତ ପୁଣି କେବେ ବିଭ୍ରାନ୍ତ କରିବାକୁ ! ଅଥଚ ମନିଷାର ଖୁବ୍ ଧୈର୍ଯ୍ୟ..ସେ ଜାଣେ ଭଲଭାବରେ-

କୁଛ୍ ତୋ ଲୋଗ୍ କହେଙ୍ଗେ, ଲୋଗୋଁ କା କାମ ହେ କହେନା ।
ଚଲୋ, ଛୋଡୋ ୟେ ବେକାର କି ବାତେଁ, ବାତୋଁ ସେ ବିତେନା ରୈନା.. ।

ଲୋକମାନଙ୍କ କଥାରେ ସେ କଣ ନିଜଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଇଦେବ? ନିଜର ରୁଚି ଭୁଲିଯିବ? ନା ତା କେବେ ମନିଷା ଓବେରୟ କରିପାରେନା । ସେ ଜୀଇଁବ..ନିଜ ମୁତାବକ, ନିଜପାଇଁ ଏବଂ ନିଜ ସହିତ । କୌଣସି ପରିସ୍ଥିତିରେ ସେ ଭାଙ୍ଗିଯିବ ନାହିଁ ।

ଇତିହାସ କହେ-ନାରୀକୁ ହାସଲ କରିବାପାଇଁ ଅତୀତରେ ବହୁତ୍ ବଡବଡ ଯୁଦ୍ଧହୋଇଛି । କେତେକେତେ ନିରୀହ ସୈନିକ ଓ ସାଧାରଣ ମଣିଷମାନେ ବଳିପଡିଛନ୍ତି । ଏବେ ବି ସେ ଯୁଦ୍ଧ ବଳବତ୍ତର । ବର୍ତ୍ତମାନ ମଧ୍ୟ ସେହି ନିୟମ ନାରୀ ଓ ପୁରୁଷ ମଧ୍ୟରେ । ମଣିଷ ଢେର୍ ବିବର୍ତ୍ତିତ ହେଲେ ବି ତା ପ୍ରକୃତିରୁ ବଦଳିଯାଇ ପାରିନି । ବୀର ଯୋଦ୍ଧାମାନେ ବି ସେମାନଙ୍କ ପ୍ରେୟସୀ କିମ୍ବା ପତ୍ନୀ ଆଗରେ ନିମିଷକ ମଧ୍ୟରେ ମେଣ୍ଢା ପାଲଟି ଯାଆନ୍ତି । ସିଂହଭଳି ଗର୍ଜନକରୁଥିବା ଅଫିସର୍ ବି ତାଙ୍କ ପତ୍ନୀଙ୍କ ଆଗରେ ଛେଳିଛୁଆରେ ପରିବର୍ତ୍ତିତ ହୁଅନ୍ତି । ନାରୀ ଭିତରେ ସେ ବଶୀକରଣ କ୍ଷମତା ନିହିତ ଅଛି । ଯେକୌଣସି ବଳବାନ୍ ଲୋକକୁ ସେ ନିଜ ଇଚ୍ଛାମୁତାବକ ନଚାଇପାରେ । ଉଠ୍ ବସ୍ କରିପାରେ । ହେଲେ ଏ ଅନିମେଶ କିଭଳି ମଣିଷଟିଏ..ଯାହାର କୌଣସି ଆକର୍ଷଣ ହିଁ ନାହିଁ କାହାପ୍ରତି ? ଅନ୍ୟପୁଅମାନଙ୍କ ଭଳି କ୍ଲାସ୍ ଛାଡି ଘଣ୍ଟାଘଣ୍ଟା ଧରି ସେ ଅନ୍ୟଝିଅମାନଂକ ସହିତ କେବେ ବି ଗପକରୁନାହିଁ ! ନୂଆକରି କଲେଜମାଟି ମାଡୁଥିବା କୌଣସି ରୂପସୀକୁ ସେ ଆଡଆଖିରେ ବି ଚାହୁଁନି ! ସେ ଉଦ୍ଧତ ନା ଅହଂକାରୀ ? କାହିଁକି ନାରୀ ନାମକ ଏକ ସୁନ୍ଦର ସୃଷ୍ଟିର ସେ ଅବମାନନା କରେ ? କାହିଁକି ସେ ସୌନ୍ଦର୍ଯ୍ୟକୁ ଉପେକ୍ଷା କରେ ? ଦିନକୁଦିନ ସେହି ଭିନ୍ନପ୍ରକୃତିର ପିଲାଟି ଆଡକୁ ସେ ଢଳିବାରେ ଲାଗିଛି । କଲେଜପରେ ବି ତା ରୂପକାନ୍ତି, ଚାଲିବାର ଢଙ୍ଗ, କଥାକହିବାର ଶୈଳୀ ତା ଆଖିଆଗରେ ନାଚିଉଠୁଛନ୍ତି । ଶୋଷ କୂଅପାଖକୁ ଆସିଛି । କୂଅ କେବେ ଶୋଷପାଖକୁ ଯାଇନାହିଁ । ହେଲେ ଆଜି କିଛି ଭିନ୍ନ ଘଟିବାକୁ ଯାଉଛି ବୋଧହୁଏ । ସମସ୍ତେ ଭାବିଥିଲେ ମନିଷା ତାକୁ ଆଗୁଆ ପ୍ରପୋଜ୍ କରିଦେବ ନିଶ୍ଚିତଭାବେ । ହେଲେ ନାଁ ମନିଷା ଏକ ଉଚ୍ଚତମ ଗଛର ନାଁ । ଯିଏ ପାଗ ଓ ପରିବେଶ ସହିତ ଲଢିଛି । କେତେ ଉତ୍ତପ୍ତ ଖରା ଓ ଶୀତଳତା ଭିତରେ ସେ ଯୁଝିଛି ଋତୁତମାମ୍ ! ସେଥିପାଇଁ କେତେ ବିରାଟ, ସୁଉଚ୍ଚ ତାର କାୟା ! ମନିଷା ଓବେରୟ ଗୋଟେ ଲୁହାଖମ୍ବ..ତାକୁ ହଲାଇ ଦୁର୍ବଳ କରିବା ଏତେ ସହଜ ନୁହଁ । ଆଗରୁ ସେ କେବେ କାହାପାଇଁ ଏତେ ଦୁର୍ବଳ ହୋଇନାହିଁ । ଯାହା ଚାହିଁଛି ଅଚିରେ ମିଳିଯାଇଛି । ହେଲେ ଏ ଅନିମେଶ୍ ତାକୁ ହରାଇବାକୁ ବସିଛି ଆଜି ! ତାକୁ ଅପେକ୍ଷା କରିବାକୁ ହେବ ସେ ମହାର୍ଘବେଳାକୁ । ମହର୍ଷି ବିଶ୍ୱାମିତ୍ରଙ୍କ ପରି ତା ଆଗରେ ସେ ମେନକା  ସାଜି ନିରବଧି ତପସ୍ୟାକୁ ଭଗ୍ନ କରିବ ଅଚିରେ । ଅନିମେଶ ପ୍ରେମରେ ସେ ହଜିଯାଇସାରିଥିଲେ ବି ସେ କଣ ଏତେ ସହଜରେ ବଶ୍ୟତା ସ୍ୱୀକାର କରିନେବ? ମନିଷା ତାହା କେବେ କରିପାରେନା । ନା କେବେନୁହେଁ ।

ତେବେ କାହିଁ ସେ ଅନିମେଶର ଏତେ ଦର୍ପ..ଗର୍ବ ? ସେ କଣ ପୁରୁଷନୁହେଁ ? ତା ଭିତରେ କଣ ପୁରୁଷସୁଲଭ ପାଗଳାମୀ ନାହିଁ ? ସୌନ୍ଦର୍ଯ୍ୟର ପିପାସା କଣ ତା ମନତଳେ କେବେ ବି ଉଦିତ ହୁଏନାହିଁ ? ସେ ତ ଝିଅଟିଏ ହୋଇ କେତେ କଣ କରିସାରିଛି । ସୀମାଲଂଘନ କରି ଅନେକ ଆଶାମାନଙ୍କୁ ଚରିତାର୍ଥ କରିସାରିଛି ! ନିଜର ପରିସୀମା ଟପି ଆକାଶକୁ ଉଣ୍ଡାଳି ବୁଲିଛି । ଅଥଚ ପୁଅଟିଏ ହୋଇ ଅନିମେଶ୍ ଏପରି କରନ୍ତି କାହିଁକି ? ସେ କଣ ଅଭିନୟ କରୁଛନ୍ତି ? ଛଳନାର ରଙ୍ଗମାଖି ସେ କଣ ତାକୁ ବୁଦ୍ଧୁ ବନାଉଛନ୍ତି ? ମନତଳେ ହଜାରେ ବିସ୍ଫୋରଣ, ଅଥଚ ପାଟିଖୋଲି ମନିଷା କାହାକୁ ତା ମନକଥା କହି ବି ପାରିବନାହିଁ । ଅନ୍ୟକୁ ତାର ଦୁର୍ବଳତା ଦର୍ଶାଇପାରିବ ନାହିଁ ? ମୁଣ୍ଡଉପରର ସିଲିଂ ଫ୍ୟାନ୍‌ଟା ଘର୍ଘର୍ ହୋଇ ଶବ୍ଦ କରୁଥିଲା । ଲାଗୁଥିଲା ସେ ବି ତାକୁ ଛିଗୁଲେଇ ହେଉଛି । ନିଜଭିତରର ଦମ୍ଭ ଭାଙ୍ଗିଯାଉଛି ତାର ।

ତା’ପରେ

ଲୋକପ୍ରିୟ ଲେଖା

To Top