ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ଖୁବ୍ କଷ୍ଟହେଉଛି ତଣ୍ଟିରେ, ଆଖିରେ, ହୃଦୟରେ..! ସତରେ ଭଲପାଇବା ପାପ ନା ପ୍ରତ୍ୟାଶା ରଖିବା ପାପ? ସେ କଣ ତା ଅଜାଣତରେ ସାନବାବୁଙ୍କଠାରୁ କିଛି ପ୍ରତ୍ୟାଶା କରିଥିଲା ?

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୂର୍ବରୁ :-

ଅପରପକ୍ଷରେ ମନିଷା ଓବରୟେ ନାଁରେ ଅନେକ ଦୁର୍ନାମ.. । ସେ ଚରିତ୍ର ହୀନା, ଉଗ୍ରଆଧୁନିକା, ବସ୍ତୁବାଦୀ ଚିନ୍ତାଧାରା ତା ଭିତରେ ପ୍ରଚଣ୍ଡ ଭାବରେ କାୟାବିସ୍ତାର କରିଛି । ଏମିତି ଅନେକ କାହାଣୀ ତାକୁ ନେଇ । ଅଥଚ ଧୀରେଧୀରେ ତା ପ୍ରତି ଥିବା ଦୁର୍ବଳତା ପ୍ରଗାଢରୁ ପ୍ରଗାଢତର ହୁଏ । ଖୁବ୍ ଚେଷ୍ଟାକରେ ସେ ନିଜମନକଥା କହିବାକୁ । ତାକୁ ବେଢିପଡିଥାନ୍ତି ଅନେକପିଲା ଓ ସାଙ୍ଗସାଥୀମାନେ ମହୁପାତ୍ରରେ ଜନ୍ଦା ପିମ୍ପୁଡିମାନଙ୍କ ପରି ! ଅବଶ୍ୟ କେତେଥର ଅନିମେଶ୍ ତା ପାଖରେ ଆସି ବସିଛି । ହେଲେ ତାର ସାହସ କୁଳାଇନି କିଛି ପଚାରିବାକୁ । କଲେଜରେ ତାର ଭାରି କ୍ରେଜ୍ । ପିଲାମାନେ ତାକୁ ରାଣୀମହୁମାଛି ବୋଲି ଆଖ୍ୟାୟିତ କରିସାରିଥାନ୍ତି । ଅନିମେଶ୍‌କୁ ପାଇବାରଜିଦ୍ ତାକୁ ଦୁର୍ବଳକରିଦେଇଛି ମାନସିକସ୍ତରରେ । ତା ପାଇଁ ତାର ପାପାମାମା ଓ ଦାଦାଖୁଡୀ ସମସ୍ତେ ଚିନ୍ତିତ । ସେ ଆଜି ପ୍ରକୃତ ପ୍ରେମକୁ ବୁଝିସାରିଛି । ତା ପ୍ରେମକୁ ପାଇବାର ଲୋଭରେ ସେ ବେଳକୁବେଳ ଅସହ୍ୟ । ସେମାନେ ଫ୍ଲାଇଟ୍‌ରେ ଫେରୁଛନ୍ତି ଓଡ଼ିଶା । ପୂର୍ବନିର୍ଦ୍ଧାରିତ ଖବର ଅନୁଯାୟୀ ସେ ନିଜ ଜନ୍ମଦିନ ପାଳନ ଅବସରରେ ନିମନ୍ତ୍ରଣ କରିଛି ତାର ସାଙ୍ଗ ଓ ଅନିମେଶ୍‌କୁ । ଅନିମେଶ୍ ବି ଆସିଛି ମନିଷାର ଜନ୍ମଦିନ ପାର୍ଟିକୁ । ସେ ବି ଚାହେଁ ମନିଷାକୁ ନିଜ ମନକଥା କହିବାକୁ । ହେଲେ କିପରି..? ଏମିତି ଏକ ଦ୍ୱନ୍ଦ୍ୱଭିତରେ ଉଭୟ ବିଚଳିତ । ପାର୍ଟି ଚାଲିଛି ଧୂମ୍‌ଧାମ୍‌ରେ । ସମସ୍ତେ ତା ଭିତରେ ମସ୍‌ଗୁଲ୍ ଅଛନ୍ତି । କିନ୍ତୁ ଅନିମେଶ୍ ଗୋଟେ କଣରେ ବସି ରହିଛି । ଏହି ଅବସରରେ ମନିଷା ତା ପାଖକୁ ଗଲା । ଅନିମେଶ୍ ଏହି ସୁଯୋଗରେ ତା ହାତକୁ ବଢାଇଦେଲା ନୀଳଗୋଲାପ ସହିତ ଅନ୍ୟକେତୋଟି ଗୋଲାପର ସ୍ତବକ । ହଠାତ୍ ଏଭଳି ସପ୍ରାଇଜ୍‌ରେ ବିଭୋର୍ ହୋଇପଡିଲା ମନିଷା । ଖୁସିରେ କହି ପକାଇଲା-ଆଃ ନୀଳଗୋଲାପ,ମୋର ସବୁଠାରୁ ବେଶୀପ୍ରିୟ..ତୁମେ କିପରି ଜାଣିଲ ମୋ ଦୁର୍ବଳତା ବିଷୟରେ? ଅନିମେଶ୍ ପ୍ରକୃତରେ ତା ବଗିଚାର ପ୍ରଥମଫୁଲ ତାକୁ ଭେଟି ଦେଇଛି ବୋଲି କହିବାପରେ ମନିଷା ଖୁସି ହୋଇଗଲା । ଠିକ୍ ତା ସାମ୍ନାକୁ ଲାଗି ପଡିଥିବା ଚେୟାର୍ ଉପରେ ଯୋଜନାନୁଯାୟୀ ମନିଷା ବସିପଡି ଆଗ୍ରହରେ ପଚାରିଲା-ଆପଣ କଣ ଅନ୍ୟସହିତ ମିଶିବାକୁ ପସନ୍ଦ କରନ୍ତିନାହିଁ ଅନିମେଶ୍?

ନା ନା ତାହା ଠିକ୍ ନୁହେଁ । ଆକ୍ଚୁଆଲି ମୁଁ ଟିକେ ଚୁପ୍‌ଚାପ୍ ପ୍ରକୃତିର..ନୀରବତା ମୋତେ ଭଲଲାଗେ । କାରଣ ମୁଁ ଏତେ ପ୍ରଗଳ୍ଭ ହୋଇପାରେନି ଶତଚେଷ୍ଟା କରି ! ମୋତେ ଟିକେ ସମୟ ବେଶୀ ଦରକାର ହୁଏ, କିଛି ଭାବିବାକୁ, ନିଜ ବିଷୟରେ ଓ ଅନ୍ୟମାନଙ୍କ ବିଷୟରେ !

ତେବେ ଏକା କଲେଜରେ ପଢି ମଧ୍ୟ ଆମେ କିପରି ପରସ୍ପରପାଇଁ ଅପରିଚିତ?

ଆମେ ପ୍ରକୃତରେ ଅପରିଚିତ ନୁହେଁ । ଆମେ ଦୁହେଁ ଦୁହିଁକୁ ଜାଣୁ କିନ୍ତୁ ଖୁବ୍ ଅଳ୍ପପରିମାଣରେ ।

ଆପଣ ମୋତେ କଣ ଆଗରୁ ଜାଣିଥିଲେ,ଚିହ୍ନିଥିଲେ ? ବିହ୍ୱଳିଉଠିଲା ମନିଷା ।

ନିଶ୍ଚୟ..ଅଳ୍ପନୁହେଁ ବରଂ ଭଲଭାବରେ ଜାଣିଥିଲି । ଆପଣଙ୍କ ସହିତ କଥାହେବାପାଇଁ ଚେଷ୍ଟା ବି କରିଥିଲି । ହେଲେ ଆପଣଙ୍କ ଚାରିପଟର ଗହଳି ମୋତେ ବାଧାଦେଇଥିଲା ମିଶିବାକୁ ଆପଣଙ୍କ ସହିତ । ହୁଏତ ସେଥିପାଇଁ ଆମେଦୁହେଁ ଦୁହିଁଙ୍କ ପାଇଁ ଅଜଣାଥିଲେ ।

ଦୁହେଁ ନିଜନିଜର ପିଲାଳିଆମୀ ପାଇଁ ଖୁବ୍ ହସିଥିଲେ । ତା ଭିତରେ ଅନେକକଥା ପଚାରିବସିଲା ମନିଷା । ସେ ଅନୁରୋଧ କଲା-ଆମେ ଏବେ ପରସ୍ପରକୁ କିଛି ବୁଝିସାରିଲେଣି । ଏଥର ‘ଆପଣ’ରୁ ‘ତମେ’କୁ ଆସିପାରିବା । ଅନିମେଶ୍ ବି ନିଜର ସମ୍ମତି ପ୍ରଦାନକଲା । ତୁମର ଆଦର୍ଶ କିଏ? ପଚାରିଲା ମନିଷା ।

ମୋର ଧାଈମାଆ..ଯେ ମୋତେ ପାଳିଛନ୍ତି..ସଂସାରର ଶିକ୍ଷାକିଛି ଦେଇଛନ୍ତି! ଚଟାପଟ୍ ଉତ୍ତର ଦେଲା ଅନିମେଶ୍ ।

ମାନେ ତୁମ କେୟାରଟେକର୍‌ ..? ଇଜ୍ ଇଟ୍ ସୋ ? ହାଓ ଇଜ୍ ଇଟ୍ ଇମ୍ପସିବଲ ! ତୁମର କାମକରିବା ବା ଦାୟିତ୍ୱନେବା ତାଙ୍କର ଦାୟିତ୍ୱ !

ସେ ସେଭଳି ମହନୀୟା ନାରୀ ଜଣେ..ଯିଏ ଅନ୍ୟମାନଙ୍କ ପାଇଁ ନିଜଖୁସିକୁ ମାରିଦେଇପାରନ୍ତି ।

ଆଉ ଗୋଟେ କଥା..ଅନିମେଶ୍..ପୁରା ବ୍ୟକ୍ତିଗତ ବଟ୍ ଇଫ୍ ୟୁ ଆଲାଓ ମି..

ନା ନା ତୁମେ ନିଃସଂକୋଚରେ କହିପାର । ମୁଁ କିଛି ମନେକରିବିନାହିଁ । ସାହସ ଦେବାସ୍ୱରରେ କହିଲେ ଅନିମେଶ୍ ।

ତୁମଜୀବନରେ କଣ ଅନ୍ୟକେହି ଝିଅ କଣ ଅଛନ୍ତି…ମାନେ ଗାର୍ଲଫ୍ରେଣ୍ଡ?

ହୋ ହୋ ହୋଇ ହସିଉଠିଲେ ଅନିମେଶ-ନା କେହିନାହାନ୍ତି । ଆରେ ଏଭଳି ଗମ୍ଭୀରପିଲାଟିକୁ କିଏ କାହିଁକି ଭଲପାଇବ କହିଲ ?

ଆଉ ମୁଁ ଯଦି କହିବି ନା କେହିଜଣେ ତୁମକୁ ପାଗଳଙ୍କ ପରି ଭଲପାଏ ବୋଲି..ତାହେଲେ ତୁମେ କଣ ବିଶ୍ୱାସ କରିବ?

ଏତେଶୀଘ୍ର ଏଭଳି ଅସମ୍ଭବକଥାକୁ କେମିତି ଏତେ ସହଜରେ ବିଶ୍ୱାସ କରିଯିବି ମନିଷା? ମୋ ପାଇଁ ଏ ବନ୍ଧୁତାର ମୂଲ୍ୟ ଢେର୍ ବେଶୀ ।

ମୁଁ ଯଦି କହେ-ତୁମର ସେ ଗାର୍ଲଫ୍ରଣ୍ଡ୍‌ଟି ମୁଁ ବୋଲି ତେବେ..?

ଅନିମେଶ୍ ଚମକିପଡି କହିଲା-ତୁମେ..ହାଓ ଇମ୍ପସିବଲ୍‌ ! ତୁମଭଳି ଆଧୁନିକା ଝିଅମାନେ ତୁମପରି ପୁଅ ଖୋଜିବାଟା ଠିକ୍ । ହେଲେ ମୁଁ ତ ତୁମଆଖପାଖ ବି ନୁହେଁ । ତେଣୁ ଏଥିପାଇଁ ମୋତେ ଚୟନ କରିବା ବାସ୍ତବିକ୍ ମୋ ପାଇଁ ଗୋଟେ ବିରାଟବଡ ଝଟକା, ଯାହାକୁ ଧୀରେଧୀରେ ବିଶ୍ୱାସ କରିବା ହିଁ ଠିକ୍ ହେବ ।

ନା ଅନିମେଶ୍ ମୁଁ ତୁମକୁ ଠକୁନି । ସତକହୁଛି । ଏଥର ଦିଲ୍ଲୀରୁ ମୁଁ ଖାସ୍ ତୁମରି ପାଇଁ ହିଁ ଆସିଛି । ତୁମକୁ ମୋର ମନକଥା କହିବାକୁ ଆସିଛି ।

ଅନିମେଶ୍ ଆଶ୍ଚର୍ଯ୍ୟହୋଇ ଚାହିଁଲା ମନିଷାକୁ..ନା ସେ ସତକହୁଛି । ତା ଆଖିରୁ ଜଣାପଡୁଛି । ହେଲେ ମୋପରି ଏମିତି ଅନାମଧେୟ ମଣିଷଟିକୁ କାହିଁକି?

ପ୍ରେମରେ ଏସବୁର ମୂଲ୍ୟ କଣ ଅନିମେଶ୍ । ତୁମେ ଖାଲି ଏତିକି କୁହ ତୁମେ ରାଜି ନା ନାହିଁ ଏଥିରେ?

ମୋ ଅରାଜିର ପ୍ରଶ୍ନ ହିଁ ଉଠୁନି ମନିଷା । ମୋର ବି କିଛି ଦୁର୍ବଳତା ରହିଥିଲା ତୁମପାଇଁ ସେତେବେଳଠାରୁ । ସତ କହୁଛ ଅନିମେଶ୍..ତନ୍ମୟତାର ସହିତ ପଚାରିଲା ମନିଷା । ହଁ ନିରାଟସତ.. । ତୁମେ ହିଁ ତ ମୋର ପ୍ରଥମପ୍ରେମ ! ଠିକ୍ ସେତିକିବେଳକୁ ମନିଷାର ବାପା ମାଆ, ଦାଦା ଓ ଖୁଡୀ ପ୍ରବେଶ କରିଥିଲେ ସେମାନଙ୍କ କଥା ଓ ପ୍ରସଙ୍ଗର ପରିସର ଭିତରକୁ । ସେମାନେ ଅନିମେଶର ବ୍ୟବସାୟ, ଭଲମନ୍ଦ ଘରଦ୍ୱାର ବିଷୟରେ ପଚାରି ବୁଝିଥିଲେ । ପ୍ରକୃତରେ ପିଲାଟି ବେଶ୍ ନିରୀହ । ମନିଷା କଥାରେ ସେ ଉଠ୍ ବସ୍ ହୋଇପାରିବ । ତାକୁ ସୁଖୀ ରଖିବାକୁ ସେ ଆପ୍ରାଣ ଉଦ୍ୟମ ତାର ଜାରିରଖିବ । କାରଣ ସଂସ୍କୃତି ଓ ପରଂପରାରେ ସେ ବନ୍ଧା । ମନିଷାର ଅତ୍ୟାଧୁନିକତାକୁ ସେ ବାଧ୍ୟହୋଇ ସହ୍ୟକରିଯିବ । କାରଣ ଏପରି ଲୋକମାନେ ଭାରି ଭାବ ପ୍ରବଣ..ନିଜର ସମ୍ମାନପାଇଁ ସବୁତକ ବିଷକୁ ମଧ୍ୟ ଏମାନେ ହଜମ କରିପାରନ୍ତି । ମନିଷା ଏଭଳି ଏକ ମେଣ୍ଢାଛୁଆଟି ସହିତ ବେଶ୍ ସୁଖୀ ରହି ପାରିବ । ବିବାହ ପୂର୍ବରୁ ମନିଷା ସହିତ ମାତ୍ର କିଛିଥର ଭେଟହୋଇଥିଲା ପାର୍କରେ ଆଉ କେବେ ହୋଟେଲରେ ।

ଆଜିକାଲି ସେ ବିବାହ କରିବାର ବ୍ୟସ୍ତତା ଭିତରେ ହଜିଯାଇଛନ୍ତି । ବିବାହର ସମସ୍ତକାର୍ଯ୍ୟ ସହିତ ଘରର ବ୍ୟବସାୟ ବି ତାଙ୍କୁ ବୁଝିବାକୁ ପଡୁଛି । ଏ ବୟସ ପାଠପଢି ଜୀବନକୁ ଗଢିବାର ବୟସ..ସ୍ୱପ୍ନ ରଚିବାରବୟସ..! ଅଥଚ ଅନିମେଶ୍ ତାଙ୍କ ଘରର ସମସ୍ତ ଦାୟିତ୍ୱକୁ ସୁନାପୁଅଟି ପରି ମୁଣ୍ଡାଇ ଚାଲିଛନ୍ତି । ଜଣେ ମେଧାବୀ ଛାତ୍ର କିନ୍ତୁ ନିଜଘରର ବ୍ୟବସାୟରେ ଛନ୍ଦିହୋଇ ନିଜର ଭବିଷ୍ୟତକୁ ନଷ୍ଟ କରିଦେଲେ ବୋଲି କ୍ଷୋଭ ସୃଷ୍ଟି ହେଉଛି ମନତଳେ । ସେ ବିଭିନ୍ନ ପ୍ରବେଶିକା ପରୀକ୍ଷା ଦେଇଥିଲେ ଯେକୌଣସି ଦାମିକିଆ ସରକାରୀଚାକିରୀଟିଏ ତାଙ୍କର ହସ୍ତଗତହୋଇ ସାରନ୍ତାଣି । ମେଡିକାଲ୍ କିମ୍ବା କମ୍ପ୍ୟୁଟର୍ ସାଇନ୍ସ, ଇଞ୍ଜିନିୟରିଂ କିମ୍ବା ସିଭିଲ୍ ସର୍ଭିସ୍ ଯେକୌଣସିଟି ପାଇସାରନ୍ତେଣି ଅନାୟାସରେ । ଅଥଚ କି ବିଚିତ୍ର ମାନସିକତା ତାଙ୍କର ! ନିଜର କ୍ୟାରିଅର, ପରିଚୟ ବନାମ୍ ପରିବାର ଭିତରେ ସେ ଆଖିମୁଦି ପରିବାରକୁ ହିଁ ଗ୍ରହଣ କରିନେଲେ । ଜାଣିଶୁଣି ବାନ୍ଧିଦେଲେ ନିଜକୁ । ତାଙ୍କ ଘରଲୋକମାନେ ବି କେତେ ସ୍ୱାର୍ଥପର! ପୁଅ ଯୋଗ୍ୟ ହେଉହେଉ ନିଜେ ହାତଗୋଡବାନ୍ଧି ବସି ପଡିଲେ ଆଉ ପୁଅକୁ ଜଞ୍ଜାଳ ମୁହଁକୁ ଠେଲିଦେଲେ ଅନାୟାସରେ ! ସେ କିନ୍ତୁ ଅନିମେଶ୍‌କୁ ଏପରିଭାବରେ ଲଢିବାକୁ ଛାଡିଦେବନି ! ସେ ଦୁନିଆଁର ନୂତନରଙ୍ଗରେ ତରଙ୍ଗାୟିତ କରିବ ତାଙ୍କୁ । ଜୀବନର ଭିନ୍ନ ଏକ ଦିଗପ୍ରତି ସଚେତନ କରାଇବ । ସେ ଯୋଜନା ମନିଷାର ମନତଳେ ବ୍ୟାପକରୁ ବ୍ୟାପକତର ହୋଇଚାଲିଛି । ଆଜିକାଲି ସେ ଅନିମେଶ୍‌କୁ ଆଉଟିକେ ଭଲଭାବରେ ଚିହ୍ନୁଛି । ଠିକ୍ ଏହିବେଳାରେ ଅନିମେଶ୍‌ଙ୍କ ଘର ତରଫରୁ ସ୍ୱୀକୃତି ! ତାପରେ ବିବାହର ଦିନଟି ପାଖେଇଆସୁଛି ।

ସାନବାବୁଙ୍କ ବାହାଘର ସରିଛି । ଘରେ ଖୁସିର ମାହୋଲ୍ । ବନ୍ଧୁବାନ୍ଧବ ଓ ଅତିଥି ଅଭ୍ୟାଗତମାନଙ୍କ କଥା ବୁଝୁବୁଝୁ ଲୀନା ଜେଜେମା’ କଥା ଠିକ୍‌ରେ ବୁଝି ପାରୁନି । ବାହାଘର ଦିନଠାରୁ ତାକୁ ବି ଜ୍ୱର । ହେଲେ କାମତକ କିଏ କରିବ । ଘରକୁ ନୂଆ ଅତିଥିଟିଏ..ସାନବାବୁ ସାନ ମାଲିକାଣୀଙ୍କ ଦାୟିତ୍ୱ ବି ତାଙ୍କରି ହାତରେ ସମର୍ପି ଦେଇଛନ୍ତି । ସେ କେମିତି ଏ ଅସମୟରେ ମଠ କରିବ? ସତରେ ଭାରିସୁନ୍ଦର ସାନମାଲିକାଣୀ.. ସାନବାବୁଙ୍କୁ ପୁରା ଫିଟ୍ । ଏ ଅପରୂପ ସୌନ୍ଦର୍ଯ୍ୟ ତ ଦେବତାଙ୍କୁ ବି ଭ୍ରମିତ କରିବ । ସାନବାବୁଙ୍କ ପାଦ ସେଥିପାଇଁ ଖସିଗଲା ବୋଧହୁଏ । ଆଜିକାଲି କାମ ଚାପରେ ସକାଳୁ ବେଳେବେଳେ ସାନବାବୁଙ୍କୁ ଫୁଲ ଦେଇହୁଏନା । ହୁଏତ ଲୀନା ଜାଣି ଜାଣି ମଠେଇଦିଏ । ଏ ଫୁଲଦେଖି ସାନମାଲିକାଣୀ କାଳେ କଣ ଭାବିବେ, ସେଥିପାଇଁ ସେ ଠିକ୍ ସେଇ ନିର୍ଦ୍ଧାରିତ ସମୟରେ କିଛି ନା କିଛି କାମରେ ଚାଲିଯାଏ । ଗାଡିଯିବା ପରେ ଯାଇ ସେ ଆସେ ଘରକୁ । ସେଦିନ କିନ୍ତୁ ସାନମାଲିକାଣୀ କହୁଥିଲେ-ତୁ ପରା ସବୁଦିନ ଗୋଲାପଦେଇ ସାନମାଲିକଙ୍କୁ ବିଦାୟଜଣାଉ । ଏବେ କାହିଁକି ଦେଉନାହୁଁ ? ଲୀନା ଥତ୍‌ମତ୍‌ ହୋଇ କାମ ବାହାନାକରି ଚାଲିଆସିଲା । ଆଜିକାଲି ସାନବାବୁ ଅଲଗା ଦିଶନ୍ତି । ସ୍ୱପ୍ନର ବିଭୋର ପଣରେ ଶୀଘ୍ର ଚାଲିଆସୁଛନ୍ତି ଅଫିସ୍‌ରୁ । ଆସିବା ମାତ୍ରକେ ସାନମାଲିକାଣୀଙ୍କ ସହିତ ଖୁସିଗପରେ ମାତିଯାଉଛନ୍ତି । ଲୀନାକୁ କେତେବେଳେ କଫି କିମ୍ବା ପିଆଜପକୋଡାର ବରାଦ କରୁଛନ୍ତି । ପୁଣି କେତେବେଳେ କମଳାଜୁସ୍ କିମ୍ବା ଆଳୁପରଟା ବନାଇବାକୁ କହୁଛନ୍ତି । ହାଲ୍କା ସନ୍ଧ୍ୟାବେଳେ ସାନବାବୁ କେବେକେବେ ସାନମାଲିକାଣୀଙ୍କୁ ନେଇ ବଜାର ନହେଲେ ସିନେମା ଯାଉଛନ୍ତି ତ ଆଉକେବେ କେବେ କ୍ଲବ୍ ନହେଲେ ସାଙ୍ଗସାଥୀମାନଙ୍କ ଘରକୁ । ଖୁବ୍ ମନଖୋଲି ଜୀବନ ଜୀଉଁଛନ୍ତି ଆଜିକାଲି । ନିଜସଂସାରକୁ ନେଇ ସେ ଆଜିକାଲି ଖୁବ୍ ସୁଖୀ । ଲୀନା ମନେ ମନେ ଭାବେ-ସାନବାବୁଙ୍କ ମନତଳେ ଏତେ ସରାଗ ଲୁଚିରହିଥିଲା ତାହେଲେ ! ସାନମାଲିକାଣୀ ସତରେ ଭାରି ଭାଗ୍ୟବତୀ । ସାନବାବୁ ତାଙ୍କୁ କେବେ ବି ନିଜଆଖିରୁ ଅଲଗା କରନ୍ତିନି । ଘରେ ଥିଲା ବେଳେ ଅହରହ ମନୀଷା ଆଉ ମନୀଷା । ଆଉ କାମଥିଲେ କେବଳ-ଲୀନାକୁ ଖୋଜାପଡେ । ତଥାପି ସେହିଲୋଡାରେ ସେ ଖୁସିହୁଏ । ଯାହାହେଉ ସାନବାବୁଙ୍କ ଦରକାରରେ ସେ ଆସିପାରୁଛି ତ ! ତାଙ୍କ କାମ କରିବାରେ କେତେ ଯେ ଆତ୍ମସନ୍ତୋଷ ମିଳେ ସେକଥା ସେ କାହାକୁ ବା ବୁଝାଇପାରିବ !

ଦିନଯାକର ସବୁକାମ ସାରି ଲୀନା ଯେତେବେଳେ ବିଛଣାକୁ ଆସେ, ଦୀର୍ଘଶ୍ୱାସରେ ଭେଦିଯାଏ ତା ଅନ୍ତର । ଗୁଡିଏ ଶୁଖିଲା ନିଶ୍ୱାସରେ ଥରିଉଠେ ସେ ସେତେବେଳେ । ଲାଗେ ତା ସ୍ଥୂଳଶରୀରଟି ମୃତ କେଉଁ ଦିନଠାରୁ । ଏବେ ସେ ଜଡ ପାଲଟି ଯାଇଛି ! ଦେହରେ ବଳନାହିଁ । ସେ ବରଡାପତ୍ରଟିଏ ପରି ଥରେ, ସ୍ଥିରହେବାକୁ ବଳ କୁଳାଏନି । ସବୁତକ ମାନସିକ ଓ ଶାରୀରିକ ଶକ୍ତି ତାର କ୍ଷୀଣହୋଇଯାଏ । ଝର୍କାଫାଙ୍କରୁ ସେ ଚାହେଁ ବଗିଚାକୁ । ଅନୁଭବ କରେ ବଗିଚାରୁ ଆସୁଥିବା ମିଠାପବନର ଧାରକୁ । ସେଠୁ ଦିଶେ ଝାପ୍ସା ଆଲୁଅରେ ଭିଜାଗଛର ସବୁଜପଣ । ସେ ଅସ୍ପଷ୍ଟ ଆଲୋକର ଅନୁସରଣ କରୁକରୁ ତା କ୍ଳାନ୍ତ ଆଖିଯୋଡିକ ପହଁରିଯାଏ ସାନବାବୁଙ୍କ ଶୋଇବା ଘରର ଝର୍କାପାଖକୁ । ଟେବୁଲ୍ ଲାଇଟ୍ ଏଯାଏଁ ବି ଜଳୁଛି । ଅସ୍ପଷ୍ଟ ଶବ୍ଦ ଶୁଭୁଛି ସେଠାରୁ । କେତେବେଳେ ଚୂଡିର ରୁଣ୍‌ଝୁଣ୍‌ ଶବ୍ଦ ତ କେତେବେଳେ ଚୁପିଚୁପି କଥାମାନଙ୍କ ମୂର୍ଚ୍ଛିତ କୋଳାହଳ । କେତେବେଳେ ଓଠଚିପା ହସ ତ କେତେବେଳେ ମୁଠିଏ ନୀରବତାର ରହସ୍ୟମୟ ଝଙ୍କାର.. । ସାନବାବୁଙ୍କ ଭିତରେ ଏତେଖୁସିର ପ୍ରାବଲ୍ୟ ! ଅଥଚ ଲୀନା ଭାବେ-ସେ ହସି ଜାଣନ୍ତି ନାହିଁ । ସ୍ୱାଭାବିକଭାବେ ଜୀଇଁ ପାରନ୍ତିନାହିଁ । ତେଣୁ ସେ ଆଜି ଭୁଲ୍ ପ୍ରମାଣିତ ହୋଇଛି ! ପ୍ରକୃତରେ ସେ ଜୀବନକୁ ଭଲଭାବେ ଜାଣନ୍ତି ଆଉ ବୁଝନ୍ତି । ତାଙ୍କଭିତରେ କେତେରହସ୍ୟ..କେତେ ଅଲିଖିତ ଇତିହାସ ! କେତେ ଲୁକ୍କାୟିତ ଅନୁଭବ ! ନିଜମନଟା ଏଥର ଶତବାଧା ସତ୍ତ୍ୱେ ସେ ଚହଲିଗଲା କିଛିସମୟ । ତାରି ଭିତରେ କେତେ ଅବଶୋଷ, କେତେ କ୍ଳାନ୍ତି, ଦୁଃଖ ଆଉ ଯନ୍ତ୍ରଣା ଅଲିଖିତ ଭାବେ ନେସିହୋଇଗଲା । କୋହର ଜମାଟ ଭିତରେ ତଣ୍ଟି ଭିତର ଅଠା ହୋଇ ଆସୁଛି । ଖୁବ୍ କଷ୍ଟହେଉଛି ତଣ୍ଟିରେ, ଆଖିରେ, ହୃଦୟରେ..! ସତରେ ଭଲପାଇବା ପାପ ନା ପ୍ରତ୍ୟାଶା ରଖିବା ପାପ? ସେ କଣ ତା ଅଜାଣତରେ ସାନବାବୁଙ୍କଠାରୁ କିଛି ପ୍ରତ୍ୟାଶା କରିଥିଲା ? ସେ କଣ ନିଜର ସ୍ଥିତିକୁ ଭୁଲିଗଲା ସେତେବେଳେ ? କାହିଁକି ସେ ଚହଲିଗଲା ? ଆଗରୁ କେତେଭଲଥିଲା ଜୀବନ ! ସ୍ୱାଭାବିକ ଭାବେ ଜୀଉଁଥିଲା, ଖାଉଥିଲା, ଖେଳୁଥିଲା ଆଉ ସାନବାବୁଙ୍କ ସମସ୍ତକାମ ବି କରିଦେଉଥିଲା । ଜୀଇଁବାର ଗୋଟେ ସୁଖକର ସ୍ୱପ୍ନଥିଲା,ଭବିଷ୍ୟତର କଚ୍ଚା ମାଟିରେ ତିଆରି ମହଲଟିଏ ଥିଲା ।

ତା’ପରେ  –

ଲୋକପ୍ରିୟ ଲେଖା

To Top