ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ନିଜେ ସାନବାବୁ ତାକୁ ଡାକୁଛନ୍ତି ବେଳଅବେଳରେ । ସେ ତାଙ୍କ ବରାଦ ମୁତାବକ କୌଣସି ଜିନିଷ ଦେବାକୁ ବାହାରେ ଥାଇ କବାଟରେ ଆଘାତ କଲେ,ସେ କହୁଛନ୍ତି-ତୋତେ କଣ ରୁମଭିତରକୁ ଆସିବାକୁ ଅନୁମତି ଦରକାର ପଡିଲାଣି ?

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୂର୍ବରୁ :-

ସାନବାବୁ ସିଲଟରେ ଲେଖିଦେଉଥିଲେ,ସେ ତା ଉପରେ ଅକ୍ଷର ମଡାଉଥିଲା । ସେ ଅଙ୍କ ଓ ଇଂରାଜୀ ବୁଝାଇଦେଉଥିଲେ ଆଉ ସେ ବି ବୁଝିଯାଉଥିଲା । ଏବେ କିନ୍ତୁ ସେ ସମୟ ଆଉ କାହିଁ? ସେ କିନ୍ତୁ ସାନବାବୁଙ୍କ ଅଲିଖିତ ପାଠକୁ ଏବେ ବି ମଡାଇ ଚାଲିଛି ସବୁରି ଅଲକ୍ଷ୍ୟରେ । ଆଜି ବି ଜୀବନର ଦ୍ୱନ୍ଦ୍ୱକୁ ସେ ବୁଝିବାକୁ ଚାହୁଁଛି ତାଙ୍କଠାରୁ । ଅଥଚ ସେ ସମୟ ହିଁ ନାହିଁ । ନିଃଶବ୍ଦ ପୃଥିବୀ ଆଉ ସ୍ଥିର ଆକାଶମେଳରେ ସେ ଗୋଟେ କ୍ଷୁଦ୍ର ଜୁଳୁଜୁଳିଆ ପୋକ ପାଲଟିଯାଇଛି ! ତାରାର ଭ୍ରମ ସୃଷ୍ଟି କରି ଏଣେତେଣେ ଉଡିବୁଲୁଛି ସିନା,ହେଲେ ସେ ନିଜେ ବୁଝିପାରୁନାହିଁ ଯେ ସେ କାହା ଜୀବନର ଅନ୍ଧକାର ଦୁରୀଭୂତ କରିପାରେନା । ନିର୍ନିମେଷ ନୟନରେ ସେ ଆକାଶକୁ ଚାହେଁ । ତାରାମାନଙ୍କ ମେଳରେ ସେ ନିଜର ପ୍ରିୟତାରାଟିକୁ ଖୋଜେ । ଠିକ୍ ସେତିକିବେଳେ ତା ଆଖିଯୋଡିକ ଓଦାହୋଇଯାନ୍ତି ଲୁହରେ । ତା ମନ ଆଜିକାଲି ତା କଥା କୋଉ ମାନୁଛି ଯେ ! ବେଳ ଅବେଳରେ ତା ଆଖିରୁ ଝରଝର ଲୁହଝରିଯାଉଛି କିଛି ବାଧାବିଘ୍ନ ନମାନି । ଲୀନା ତ ଆଗରୁ ଏମିତି ନଥିଲା । ହରିଣୀ ଭଳି ଚଞ୍ଚଳଥିଲା ପାଦ ଯୋଡିକ । ହେଲେ ସେ ପାଦ ଦୁଇଟିରେ ଆଜି ଶୃଙ୍ଖଳର ବେଡି । ସ୍ୱାଧୀନତାନାହିଁ ଆଉ ଆଗପରି । ସବୁ ସ୍ଥାନ ମାନଙ୍କରେ ତାର ଆଜିକାଲି ଅବାଧ ପ୍ରବେଶନାହିଁ ।

ଦିନେ ସାନବାବୁ ନଥିବା ସମୟରେ କୌଣସି କାମପାଇଁ ପୂର୍ବଭଳି ସେ ତାଙ୍କ ରୁମ୍‌କୁ ଚାଲିଯାଇଥିଲା ବୋଲି ସାନମାଲିକାଣୀ ତା ଉପରେ ଖୁବ୍ ରାଗିଲେ । ତାଗିଦା କଲେ ଯେ-ଅନୁମତି ନମାଗି କେବେହେଲେ ରୁମ ଭିତରକୁ ସେ ପଶିିବନାହିଁ । ସେକଥାକୁ ଧରି ସେ ଢେର୍ କାନ୍ଦିଛି । ନୀରବ ଅଭିମାନରେ ବଗିଚାରେ ବସିରହିଛି । ଜେଜେମା’କୁ ବି କହିନି ଏ ବିଷୟରେ । ସେ ମନଦୁଃଖ କରିବ । ହେଲେ ସାନମାଲିକାଣୀଙ୍କ କଥାକୁ ସେ କାହିଁକି ଏତେ ଗୁରୁତ୍ତ୍ୱ ଦେଉଛି ଯେ ! ନିଜେ ସାନବାବୁ ତାକୁ ଡାକୁଛନ୍ତି ବେଳଅବେଳରେ । ସେ ତାଙ୍କ ବରାଦ ମୁତାବକ କୌଣସି ଜିନିଷ ଦେବାକୁ ବାହାରେ ଥାଇ କବାଟରେ ଆଘାତ କଲେ,ସେ କହୁଛନ୍ତି-ତୋତେ କଣ ରୁମଭିତରକୁ ଆସିବାକୁ ଅନୁମତି ଦରକାର ପଡିଲାଣି ? ସାନବାବୁ ଆଜିକାଲି ତା ସହିତ ଅଳ୍ପଅଳ୍ପ କଥାହୁଅନ୍ତି । ତାଙ୍କ ଭିତରର ସେ ଲାଜୁଆ ସ୍ୱଭାବଟା ଅପସରି ଯାଇଛି କି କଣ ! ହେଲେ ସେ କିନ୍ତୁ ସ୍ୱାଭାବିକ ହୋଇପାରୁନି । ସାନମାଲିକାଣୀ କେତେବେଳେ କଣ ଯେ କହି ପକାଇବେ ଡରଲାଗୁଛି । ଆଜିକାଲି ସେ ହାତେମାପି ଚା’ଖଣ୍ଡେ ଚାଲୁଛି । ବିନା ଆବଶ୍ୟକତାରେ ଆଗୁଆ କିଛିକରୁନି । କାଳେ ଅସ୍ୱାଭାବିକ ପରିସ୍ଥିତି ଉପୁଜିବ ବୋଲି ! ଆଜିକାଲି ତା ଚେହେରାରେ ମଳିନତା । ମାଲିକାଣୀ କେତେଥର କହିଲେଣି ଡାକ୍ତର ଦେଖାଇବାକୁ । ହେଲେ ଡାକ୍ତରକଣ ବୁଝିବେ ତା ମନରକଥା ଓ ବ୍ୟଥାକୁ ? ଏଇଆ ଭାବି ଜେଜେମା’ ମାଲିକାଣୀଙ୍କ କଥାକୁ ଅଶୁଣା କରିଦେଉଛନ୍ତି । କିଛିହୋଇନି କହି ଲୀନା ବି କଥାକୁ ଟାଳୁଛି । ଜେଜେମା’ର ଆଣ୍ଠୁଗଣ୍ଠି ବାତ ବାହାରିଛି । ଯେତେ ତେଲ, ଓଷଦ ଘସିଲେ ବି ଭଲହେଉନି । ସଳଖି ଛିଡାହୋଇପାରୁନି ।

ସାନବାବୁ ସାନମାଲିକାଣୀଙ୍କ ସହିତ ଅନେକଦିନ ହେଲାଣି ବାହାରକୁ ବୁଲିଯାଇଛନ୍ତି ବୋଲି ଲୀନାର କୋଉଥିରେ ବି ମନଲାଗୁନି । ତାଙ୍କର ଗୋଟିଏ ଝଲକ ବି ସାରାଦିନ ପାଇଁ ମନତଳେ ବିଶ୍ୱାସ ଭରିଦେଉଥିଲା । ହେଲେ ଆଜିକାଲି ବଞ୍ଚିବାର ରାହାନାହିଁ । ଦିନରାତି ଏମିତିରେ ନିରସିଆ ଲାଗୁଛି ! ମାଲିକାଣୀ ଓ ଜେଜେମା’ର କଥା ସେଦିନ ଲୀନାକାନରେ ପଡିଯାଇଥିଲା । ଜେଜେମା’ ବୋଧେ ତା ବିବାହକଥା ମାଲିକାଣୀଙ୍କୁ କହୁଛି ! ହେଲେ ସେ ଏବେ ଚାହାନ୍ତିନି ଲୀନା ବିବାହ କରୁ ବୋଲି । ଆଜି ବି ଠିକ୍ ଅତୀତଭଳି ମାଲିକାଣୀ ଖୁବ୍‌ସ୍ଵାର୍ଥପର ! ସେଦିନ ନିଜସଂସାର ପାଇଁ ଜେଜେମାଆର ଜୀବନ ବାଜିଲାଗିଥିଲା । ଆଉ ଆଜି ନିଜର ଏକମାତ୍ର ପୁଅର ସୁରକ୍ଷା ଓ ସେବାପାଇଁ ଲୀନା ଜୀବନ ବି ବାଜିଲାଗିବ । ମାଲିକାଣୀ ନିଜବ୍ୟତୀତ ଅନ୍ୟକାହାରିକୁ ବୁଝନ୍ତିନି କି ଚେଷ୍ଟା ବି କରନ୍ତିନି । ହେଲେ ଲୀନା ବି ତ ବିବାହ ଚାହେଁନି । ଜେଜେମାଆକୁ ସେ ବୁଝାଇ ପାରିନଥାନ୍ତା । ହେଲେ ମାଲିକାଣୀଙ୍କ ନିଷ୍ପତ୍ତି ପାଇଁ ସେ ଆଶ୍ୱସ୍ତ କିଛି ପରିମାଣରେ । ଜେଜେମା’ ଆଉ ତା ବାହାଘରକୁ ନେଇ ଆଉ ଚିନ୍ତିତ ହେବାର ନାହିଁ । କାରଣ ସେ ପୂର୍ବଭଳି ଆଜି ବି ମାଲିକାଣୀଙ୍କ କଥାକୁ ଭାଙ୍ଗିପାରେନାହିଁ । ଯଦିଓ ତାଙ୍କ ଭିତିରି ଉଦ୍ଧେଶ୍ୟଟି ବୁଝିପାରେ ଭଲରେ ।

ପ୍ରାୟ ଦଶଦିନ ପରେ ବାହାରୁ ଫେରିଲେ ସାନବାବୁ ଓ ସାନ ମାଲିକାଣୀ । ସାଙ୍ଗରେ କେତେ ଉପହାର.. । ଦିଲ୍ଲୀରେ ସାନ ମାଲିକାଣୀଙ୍କର ଦାଦା ବ୍ୟବସାୟ କରନ୍ତି । ଖୁବ୍ ବଡ ଇଣ୍ଡଷ୍ଟ୍ରି ବି ତାଙ୍କର ଅଛି । ସେଠି ସେ ଖୁବ୍ ସୁପରିଚିତ । ତାଙ୍କର କେହି ପିଲା ନାହାନ୍ତି ବୋଲି ସେ ସାନମାଲିକାଣୀଙ୍କୁ ନିଜଝିଅପରି ଖୁବ୍ ଶ୍ରଦ୍ଧା କରନ୍ତି । ତାଙ୍କ ସୁଖଦୁଃଖ ବୁଝନ୍ତି । ସାନମାଲିକାଣୀଙ୍କ ପିଲାଦିନ ସେମାନଙ୍କ ସହିତ ଦିଲ୍ଲୀରେ କଟିଥିଲା । ତେଣୁ ଦିଲ୍ଲୀ ପ୍ରତି ତାଙ୍କର ଅହେତୁକ ମାୟା । ସେ ଏତେଶୀଘ୍ର ଆସିବାକୁ ମନକରୁନଥିଲେ ବି ସାନବାବୁ ତାଙ୍କୁ ବାଧ୍ୟକରି ନେଇଆସିଲେ । କିନ୍ତୁ ସେ କଥାଦେଇଛନ୍ତି ପୁଣିଥରେ ଦିଲ୍ଲୀ ଯିବାପାଇଁ ଏଇ ନିକଟରେ । ସାନମାଲିକାଣୀ ଘରର ପରିବେଶ ସହିତ ପରିଚିତ ହେବାକୁ ଚେଷ୍ଟାକରୁଛନ୍ତି ଧୀରେଧୀରେ । ହେଲେ ତାଙ୍କ ହାବଭାବକୁ ଦେଖିଲେ ମନେହେଉଛି ସେ ଏଠିକା ପରିବେଶକୁ ଆପଣେଇ ନେଇପାରୁ ନାହାନ୍ତି । ପୁନଶ୍ଚ ଦ୍ୱିତୀୟଥର ପାଇଁ ସାନମାଲିକାଣୀଙ୍କ ସହିତ ଦିଲ୍ଲୀଯାଇ ସାନବାବୁ ସିନା ଫେରିଆସିଛନ୍ତି । ସାନମାଲିକାଣୀ ଆଉ କିଛିଦିନପରେ ଫେରିବେ । ଏଠି ସକାଳୁଉଠି ଗାଧୋଇବା.. ବିନାଆମିଷରେ ଖାଇବା, ଦିନେଛାଡି ଦିନେ ଅମୁକଓଷା, ସମୁକ ବ୍ରତ ଇତ୍ୟାଦି ହଜାରେ କାଇଦା..ସେସବୁ କୁଆଡେ ସାନମାଲିକାଣୀଙ୍କ ଦେହରେ ଯାଉନି । ଏସବୁ ରୂଢିବାଦୀ ଚିନ୍ତାଧାରାକୁ ସେ ନାପସନ୍ଦକରନ୍ତି । ଏ ଚଳଣି ଓ ପରମ୍ପରାଗୁଡିକୁ ଗ୍ରହଣ କରିବେନାହିଁ ବୋଲି ସେ ରୋକଠୋକ୍ ଭାବେ ଜଣାଇଦେଇଛନ୍ତି ସାନବାବୁଙ୍କୁ । ସେକଥାକୁ ନେଇ ମାଲିକ ଓ ମାଲିକାଣୀଙ୍କ ମନରେ ଖୁବ୍ ଦୁଃଖ । ତାଙ୍କ ମନରେ ଅବଶୋଷ ବୋହୂ କେବେ ଥରୁଟିଏ ପାଇଁ ଶାଶୁ କି ଶ୍ୱଶୁରଙ୍କ ଖବର ବୁଝୁନାହିଁ । ତାଙ୍କପାଖରେ ବସି ଭଲମନ୍ଦ ବିଷୟରେ କୌଣସି ଆଲୋଚନା କି ମତାମତ ଲୋଡୁନାହିଁ । ସେ ଖାଲି ଗୋଟିଏ ଘରଭିତରେ ବନ୍ଦୀ ହେବାକୁ ପସନ୍ଦ କରୁଛି । ଦିନରାତି ଖାଲି ଫୋନ୍, ଟି.ଭି ଆଉ ସାଙ୍ଗସାଥୀମାନଂକ ସହିତ କଥାବାର୍ତ୍ତା । ଆଉ ପୁଅ ଅଫିସରୁ ଘରକୁ ଆସିଲେ ତା ସହିତ..ସେଇ ନିବୁଜ ଘରଟାରେ ଗପସପ ନହେଲେ ବାହାରେ ବୁଲିବା.. । କେବେକେବେ ସାନମାଲିକାଣୀଙ୍କ ପରିଚିତ ବନ୍ଧୁମାନେ ଘରକୁ ବୁଲିଆସନ୍ତି । ସେମାନଙ୍କ ସହିତ ସେ ବେଶ୍ ହସଖୁସି ହୁଅନ୍ତି ସେ !

ନହେଲେ ବିବାହପରଠାରୁ ଖାଲି ଦିଲ୍ଲୀ ଯିବାକୁ ଇଚ୍ଛା । ଆଉ ମାସମାସ ଧରି ସେଇଠି ରହୁଛନ୍ତିି । ଏସବୁ ମାଲିକ ଓ ମାଲିକାଣୀଙ୍କ ମନରବ୍ୟଥା । ହେଲେ ସେସବୁ ଅକୁହାବେଦନା କାହାକୁ କହିହୁଏନି କି ସହିହୁଏନି । ଏହାର ନୀରବ ପ୍ରତିବାଦ ସାନବାବୁ ବୁଝିପାରନ୍ତି । ସେ ସାନମାଲିକାଣୀଙ୍କୁ ଯେତେ ବୁଝାଇଲେ ବି ସେ ବୁଝୁନାହାନ୍ତି । ସେ ଚାହୁଁଛନ୍ତି ଏଠାକାର କାମଛାଡି ସାନବାବୁ ବି ଦିଲ୍ଲୀଯାଇ ତାଙ୍କ ଦାଦାଙ୍କ ବିଜିନେସ୍ ସମ୍ଭାଳନ୍ତୁ ଏବଂ ସେଇଠି ସବୁଦିନ ପାଇଁ ଘରସଂସାର କରି ସେଟଲ୍ ହୋଇଯାନ୍ତୁ ବୋଲି । ଏଇ କଥାରୁ ଦୁହିଁଙ୍କ ଭିତରେ ମାନ ମନାନ୍ତର । ସାନବାବୁ ତାଙ୍କୁ ସେଇଠି ଛାଡି ବିରକ୍ତ ହୋଇ ଚାଲି ଆସିଛନ୍ତି ଘରକୁ । ସେବେଠାରୁ ସେମାନଙ୍କ ଭିତରେ ସମ୍ପର୍କ ଆଉ ପୂର୍ବଭଳି ନାହିଁ । ସେ ସବୁବେଳ ପାଇଁ ସେଇଠି । ଆଉ ସାନବାବୁ ଏପଟ ସେପଟ ହୋଇ ବିରକ୍ତ ହୋଇଯାନ୍ତି । ଯାହାହେଲେ ବି ସେ ତାଙ୍କ ବାପମାଆଙ୍କୁ ଛାଡି କୁଆଡେ ରହିପାରିବେ ନାହିଁ ବୋଲି ସାନମାଲିକାଣୀଙ୍କୁ ସ୍ପଷ୍ଟଭାବରେ କହିସାରିଛନ୍ତି । ସାନମାଲିକାଣୀ ରୁଷିକି ଦିଲ୍ଲୀ ଚାଲିଯାଇଛନ୍ତି । ନିଜେ ମାଲିକ ଦିଲ୍ଲୀଯାଇ ତାଙ୍କୁ ବୁଝାସୁଝାକରି ଘରକୁ ଆଣିଥିଲେ । କିଛିଦିନ ପରେ ପୁଣି ସେ ଚାଲିଗଲେ ଦିଲ୍ଲୀ । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସବୁବେଳେ ଝଗଡା ଲାଗିରହୁଥିଲା । ଆଜିକାଲି ସେମାନେ ସ୍ଥାନ କାଳ ପରିବେଶ ଓ ପାତ୍ର ଭୁଲିଯାଇ କେବଳ ତର୍କ ହିଁ କରନ୍ତି । ଯାହା ମାଲିକ ଓ ମାଲିକାଣୀଙ୍କୁ ଭଲଲାଗେ ନାହିଁ । ମାଲିକାଣୀ ଆଜିକାଲି ଗୁମୁରି କାନ୍ଦନ୍ତି । ଆଗଭଳି କାହାମୁହଁରେ ହରସନାହିଁ । ସମସ୍ତେ ଦୁଃଖୀ ପାଲଟିଯାଇଛନ୍ତି ଅଚାନକ୍ । ଯାହା ମୁହଁକୁ ଚାହିଁବ ବେଜାଏ ଦୁଃଖରେ ଜୁଡୁବୁଡୁ ଲାଗିବେ ସମସ୍ତେ । ଭିତିରି ଯନ୍ତ୍ରଣାରେ କୋରି ହୋଇଯାଉଥିବେ । ଅଥଚ ସମସ୍ତେଥିବେ ନିଜଭିତରେ ନୀରବ । ଜୀବନର ଗତି ଥମିଯାଇଛି ଯେମିତି ଏଇଘରଟା ଭିତରେ । କାହିଁକି କେଜାଣି ସମସ୍ତେ ଏମିତି ବିରସ ବଦନରେ ଅସହାୟ ହୋଇ ଚାହୁଁଛନ୍ତି ପରସ୍ପରକୁ । ଅଥଚ ପ୍ରବୋଧନା ଦେବାକୁ କାହା ଓଠରେ ବି ଭାଷାନାହିଁ । ଆଗରୁ ସାନମାଲିକାଣୀ ଘରେଥିଲା ବେଳେ ପ୍ରତିଦିନ ପାର୍ଟିର ଆୟୋଜନ କରନ୍ତି । ଉପରମହଲାକୁ ଯିବାପାଇଁ ୧୦୪ ଧାରା ଲାଗୁହୋଇଯାଏ । ନିଷିଦ୍ଧାଞ୍ଚଳ ଭାବେ ଘୋଷିତ ହୁଏ ସେ ମହଲାଟି । ସାନବାବୁ ପ୍ରାୟଅଫିସ୍‌ରେ ବ୍ୟସ୍ତଥାନ୍ତି । ସେ ଏ ପାର୍ଟିକୁ ପସନ୍ଦ ନକଲେ ବି ଅଶାନ୍ତି ସୃଷ୍ଟିନହେବା ପାଇଁ ପ୍ରତିରୋଧ ବି କରିପାରନ୍ତିନି । ସାନ ମାଲିକାଣୀଙ୍କ ଡାକରାରେ ଲୀନା କେବଳ ଉପରମହଲାକୁ ଯାଇ କିଛି ଜିନିଷପତ୍ର ଦେଇଆସେ । କବାଟ ବନ୍ଦକରି ତା ଭିତରେ ସେମାନେ ଉଦ୍ଧଣ୍ଡନୃତ୍ୟ କରନ୍ତି । ବାସ୍, ସବୁ ସରିବା ପରେ ଲୀନା ସେଠାକୁ ସଫାସଫି କରିବାକୁ ଯାଏ ।

ସେ ସେଠାରେ ଯାହାଦେଖେ ନିଜଆଖିକୁ ବିଶ୍ୱାସ କରିପାରେନାହିଁ । ମନ୍ଦିରଭଳି ସଫାସୁତୁରା ପରିବେଶଟି ନର୍କରେ ପରିଣତ ହୋଇସାରିଥାଏ । ସେଠାରେ ମୁଣ୍ଡପିଟି ଗଡୁଥାନ୍ତି ଗୁଡିଏ ମଦବୋତଲ । ନିଜର ଅକ୍ଷମତା ପ୍ରକାଶ କରି ଏଣେତେଣେ ଉଡିବୁଲୁଥାନ୍ତି ସ୍ନାକ୍ସ ଜରିଗୁଡିକ । ଘରଟା ଭିତରୁ ଭାସିଆସେ ମଦର ତୀବ୍ରଗନ୍ଧ, ଯାହା ଧୀରେଧୀରେ ସଞ୍ଚରି ଯାଏ ଠାକୁରଘର, ତଳମହଲାର ମାଲିକଙ୍କ କୋଠରୀ, ଫୁଲବଗିଚା ଓ ଆଖପାଖ ସ୍ଥାନମାନଙ୍କରେ । ମାଲିକାଣୀ ଚମକିପଡନ୍ତି । ଇତଃସ୍ତତହୋଇ ବିଳାପ କରିଉଠନ୍ତି “ଆଲୋ ମୋ ଠାକୁରଘର ପରା ସେ କଣରେ..ଏ ଦୁର୍ଗନ୍ଧ ସେଠିକୁ କାଳେ ଚାଲିଯିବ, ଲୀନା ଯାଆ.. ଠାକୁର ଘରେ ଧୂପବତୀ ଚାରିଟା ଲଗାଇଦେ’ । ସବୁ ଝରକା, କବାଟବନ୍ଦ କରିଦେ’ ସେ ଘରର । ମୋ ଦେବାଳୟକୁ ସେ ଆଜି କ’ଣ ବେଶ୍ୟାଳୟ ବନାଇ ଦେଲା” ? ନୀରବରେ ଅଶ୍ରୁମୋଚନକରନ୍ତି ସେ । ହେଲେ ଆଉକିଛି ହିଁ ବାଟନଥାଏ । ପୁଣି ସମୟଦେଖି ସେ ଘରେ ଚାଲେ ଏଭଳି ଅପସଂସ୍କୃତି..ଆଉ ଆଖିମେଲି ଦେଖନ୍ତି ଯେତେସବୁ ଅସହାୟଲୋକ । ଅଥଚ ପାଟି ଖୋଲିବାର ଯୁ’ନଥାଏ କାହାପାଖରେ ! ବତାସ ଆସି ସବୁକିଛି ଉଡେଇନେଇଯିବାର ଭୟରେ ହୁଏତ ସେମାନେ ଛାନିଆଁ ହୋଇଯାଇଥାଅନ୍ତି । ପାର୍ଟି ସରିବାବେଳକୁ ହଲିଦୋହଲି କେଇଟା ଅର୍ଦ୍ଧଚେତନ ଶରୀରମାନେ ଅଗ୍ରସର ହୁଅନ୍ତି ସେମାନଙ୍କ ପାଇଁ ପୂର୍ବରୁ ଅପେକ୍ଷା କରିଥିବା ଗାଡିପାଖକୁ । ସାନମାଲିକାଣୀ ବି ଅଚେତନହୋଇ ପଡିଥାନ୍ତି ତାଙ୍କ ବେଡ୍ ଉପରେ । ଅସଂଯତ ବେଶବାସ..ତା ଭିତରୁ ତାଙ୍କ ବିଶୃଂଖଳିତ ଯୌବନରଜ୍ୱାଳା ଦିଶିଯାଏ ଜକଜକହୋଇ । ମାଂସାଳ ଦେହର ପ୍ରତିଟି କୋଣଅନୁକୋଣ ପ୍ରଦର୍ଶିତ ହୁଏ ଅଶ୍ଳିଳଭାବରେ କୌଣସି ଏକ ଅନ୍ତର୍ବାସର ବିଜ୍ଞାପନ ପରି ! ଲାଗେ ତାଙ୍କ ଭିତରେ ଅବଦମିତ କ୍ଷୁଧା..ଯାହାକୁ ପ୍ରଶମିତ କରିବାକୁ ବୋଧହୁଏ ସାନବାବୁ ଅକ୍ଷମ ! ସେଥିପାଇଁ ସେ ଆଜି ଉଦ୍ଭ୍ରାନ୍ତ, ବିଶୃଙ୍ଖଳିତ । ତାଙ୍କ ଦେହର ବାସନା ଓ ମନର କାମନା କଣ ଏତେତୀବ୍ର, ଯାହାପାଇଁ ସେ ନିଜ ନାରୀତ୍ୱର ଅବମାନନା ! ଏମାନେ କଣ ତୁଚ୍ଛ ଦେହବାଦୀ ! ଦେହସର୍ବସ୍ୱ ମଣିଷମାନେ ଅନ୍ୟବିଷୟକୁ, ଅନ୍ୟର ତ୍ୟାଗପୂତ ଜୀବନଶୈଳୀକୁ ବୁଝି ପାରନ୍ତିନାହିଁ । ଏଗୁଡାକ ‘ରବିସ୍’ କହି ବାଟକାଟି ଚାଲିଯାଆନ୍ତି ଆଗକୁ । ସାନମାଲିକାଣୀ ବୋଧହୁଏ ସାନବାବୁଙ୍କଠାରୁ ବାରମ୍ବାର ଉପେକ୍ଷିତ ହୋଇ ତାଙ୍କୁ ଆଘାତ ଦେବାକୁ ଏପରି ନାଟକ କରୁଛନ୍ତି । ବାରଂବାର ଏସବୁର ପୁନରାବୃତ୍ତିରେ ଅତିଷ୍ଠ ହୋଇ ସାନବାବୁ ମୁହଁଖୋଲିଛନ୍ତି । ପରିଣାମ ସ୍ୱରୂପ ଗୁଡିଏ କଳିତକରାଳ ଭିତରେ ସାନମାଲିକାଣୀ ପୁଣି ଚାଲିଯାଇଛନ୍ତି ଦିଲ୍ଲୀ । ନା ଏଥର ବି ଅନିମେଶଙ୍କୁ ସେ ବୁଝାଇପାରିଲାନି ନିଜର ଆଦବକାଇଦା । ସେ ବି ବୁଝିବାକୁ ଚାହାନ୍ତିନି ଏସବୁ । ସବୁବେଳେ କାମ ଓ ଅଫିସ୍..ଘରକୁ ଫେରିଲେ ବାପା, ମାଆ, ଧାଈମାଆ ଆଉ ସେ ହାଫ୍ ମାଇଣ୍ଡେଡ୍ ଲୀନା..! ସେହିମାନେ ତାଙ୍କର ପାର୍ଟ୍ ଆଣ୍ଡ ପାର୍ସଲ୍ ଅଫ୍ ଲାଇଫ୍ । ଅବଶ୍ୟ ତାର ସ୍ଥାନଟି ସ୍ୱତନ୍ତ୍ର ଅନିମେଶ୍‌ଙ୍କ ଜୀବନରେ । ହେଲେ ସେ ଆଉରିକିଛି ଅଧିକ ଚାହେଁ । ସେଥିପାଇଁ ସେ ତାଙ୍କୁ ଇରିଟେଟ୍ କରିବାକୁ ମଝିରେ ମଝିରେ ଏପରି କରିବସେ । ନିକଟବର୍ତ୍ତି ହେବା ଅପେକ୍ଷା ସେ କିନ୍ତୁ ଆହୁରିଦୁରକୁ ଛିଟିକି ପଡେ ଅନିମେଶ୍‌ଙ୍କ ଠାରୁ । ସେମାନଙ୍କ ଭିତରର ଦୂରତାଟି ବଢିଚାଲେ କ୍ରମାଗତ ।

ତା’ପରେ

ଲୋକପ୍ରିୟ ଲେଖା

To Top