ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ସେ ଚାହେଁ ସମସ୍ତସୁଖର ପ୍ରାଚୁର୍ଯ୍ୟ । ଟଙ୍କାପଇସାଠାରୁ ଆରମ୍ଭ କରି ସ୍ନେହ ପ୍ରେମ, ଅନ୍ତହୀନ ଆଶା ଆକାଂକ୍ଷା, ସ୍ୱାଧୀନତା.. ସବୁକିଛିର ପ୍ରାଚୁର୍ଯ୍ୟ ! କୌଣସି ଅଭାବସହିତ ସେ ସାଲିସ୍‌କରି ବଞ୍ଚିବା ସେ ଶିଖିନାହିଁ ଆଗରୁ ।

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୂର୍ବରୁ :-

ମନିଷା ଶତଚେଷ୍ଟା କରି ବି ବଦଳାଇପାରୁନି ଅନିମେଶ୍‌ଙ୍କୁ । ସେ ଚାହାନ୍ତିନାହିଁ ପାର୍ଟି, ଭଲପାଆନ୍ତିନାହିଁ ଫରେନ୍ କଲ୍ଚର୍ ଏବଂ ସାଙ୍ଗସାଥୀମାନଙ୍କ ସହିତ ଏପରି ଅବାଧ ମିଳାମିଶାକୁ । ସେ ଚାହାନ୍ତି ତାଙ୍କ ସ୍ତ୍ରୀ ସୂର୍ଯ୍ୟ ନ ଉଠିବାପୂର୍ବରୁ ଉଠି ଶାଢୀ,ସିନ୍ଦୁର ପିନ୍ଧି ଚଉରା ମୂଳେ ପାଣିଦେଉ । ଠାକୁରପୂଜା କରୁ, ବାପାମାଆଙ୍କ ସେବା କରୁ । ରୋଷେଇଶାଳର ସେ ଉତ୍କଟଧୂଆଁର କୁଣ୍ଡଳୀ ଭିତରେ ଜୀବନର ସାଇତା ଅଭିଳାଷମାନଙ୍କୁ କୁହୁଳାଇ ଧୂଆଁ କରିଦେଉ । ନିଜକୁ ଓ ନିଜର ବେସବାସକୁ ବିକ୍ଷିପ୍ତକରି କୁକ୍(ରୋଷେୟା)ଟିଏ ପରି ବାସନକୁସନ ଓ ସ୍ୱପ୍ନମାନଙ୍କ ସହିତ ଲଢୁ । ସଂପୂର୍ଣ୍ଣ ସୁସ୍ୱାଦୁ ଓଡିଆଖାଦ୍ୟ ପରିବେଷଣ କରୁ । ତା ମନର ଅବସ୍ଥା ଯାହା ହେଉନା କାହିଁକି ସେ ଅନ୍ୟମାନଙ୍କ ମନଅନୁସାରେ କାମ କରୁ । ଖାଇବା, ଚାଲିବା, ବସିବା, ହସିବା, ପିନ୍ଧିବା, ଶୋଇବା ସବୁକିଛି ଓଡିଶୀ ଶୈଳୀରେ ହେଉ । ନିଜର କୌଣସି ଇଚ୍ଛାନାହିଁ କିମ୍ବା ସ୍ୱାଧୀନତା ହିଁ ନାହିଁ ବିବାହପରର ଜୀବନରେ ! ହାଓ ରବିସ୍ ! ବିବାହପରେ ଏଠି ପୁରୁଷଟିଏ ତ ଛାତିଫୁଲାଇ ସଗର୍ବରେ ମଥାଉନ୍ନତ କରି ଚାଲିପାରେ ଅଥଚ ଗୋଟେ ସ୍ତ୍ରୀଲୋକର ଜୀବନ ହୋଇଯାଏ ଦୂର୍ବିସହ ! ସେ ନିଜର ଇଚ୍ଛା ଓ ମନକୁ ମାରିମାରି ଜୀଉଁଥାଏ ଅର୍ହନିଶ ! କେତେବେଳେ ବୋହୂଟି ରୂପରେ ତ କେତେବେଳେ ସ୍ତ୍ରୀ ରୂପରେ,କେତେବେଳେ ମାଆଟି ରୂପରେ ତ କେତେବେଳେ ପରିବାର ଓ ବଂଶବୁନିଆଦିଙ୍କ ଦ୍ୱାରା ସେ ବାରମ୍ବାର ନିଜର ଭୂମିକା ବଦଳାଉଥାଏ । ନିଜପାଇଁ ବଞ୍ଚିବାକୁ ତା ପାଖରେ ସମୟ ହିଁ ନଥାଏ କେତେବେଳେ । ତଥାପି ନିଜର ଅଜସ୍ର ସ୍ୱପ୍ନ ଓ ଅସରନ୍ତି ଇଚ୍ଛାମାନଙ୍କୁ ମାରି ସେ କି ପୂଣ୍ୟ ଅର୍ଜନକରେ କେଜାଣି! ଗୋଟେ ବିଚିତ୍ର ନିଶାରେ ନିଜକୁ ଜାଳିଜାଳି ସେ ତଥାପି ଚାଲିଥାଏ ଜୀବନରାସ୍ତାରେ ପାଦକୁପାଦ ମିଶାଇ । ହଜାରେ ତ୍ୟାଗକରି..ଅସଂଖ୍ୟ ଜ୍ୱଳନକୁ ମନଭିତରେ ଧରି! ଅନିମେଶଙ୍କ ପରିବାରରେ ମଧ୍ୟ ସେହି ନୀତି! ହାଓ ମିନ୍ ଦେ’ଆର୍ ! ଇଜ୍ ଇଟ୍ ପସିବ୍ଲ ? ଆଜିଯାଏଁ ରୋଷେଇଘରେ କଣକଣ ଥାଏ ସେ ଜାଣେନା । ଆଉ ଏଠି ସେ ରୋଷେୟା ଭୂମିକାରେ ଅବତୀର୍ଣ୍ଣ ହେବ, ତା ପୁଣି ଏମାନଙ୍କୁ ଖୁସ୍ କରିବା ପାଇଁ? ସେ କେବଳ ଅନିମେଶଙ୍କ ପାଇଁ ଏ ଘରେ ଅଛି । ତେଣୁ ତାର ସମ୍ପର୍କ କେବଳ ଅନିମେଶଙ୍କ ସହିତ,ଆଉ କାହା ସହିତ ନୁହେଁ । ହେଲେ ଅନିମେଶ ଏସବୁବୁଝନ୍ତିନାହିଁ । ଯୋର୍ ଜବରଦସ୍ତ ସେ ଛାଡିଦିଅନ୍ତି ତାକୁ ତଳମହଲାରେ ତାଙ୍କ ବାପାମାଆଙ୍କ ପାଖକୁ । ଇସ୍ କି ଇନ୍‌ଟଲରେବଲ୍‌ ! ସେମାନଙ୍କ ସହିତ ସେ ସ୍ୱାଭାବିକ ହୋଇପାରେନି । ଅନିମେଶ୍ ବିରକ୍ତ ହୁଅନ୍ତି । ତାଙ୍କ ବିରକ୍ତିର ଛିଟା ସେ ସ୍ୱଚ୍ଛମୁହଁ ଉପରେ ପଡି ଭ୍ରମିତ କରାଏ ମନିଷାକୁ । ସେ ଅନିମେଶଙ୍କ ପାଖକୁ ଯାଇ ତାଙ୍କୁ ତା ବାହୁବେଷ୍ଟନୀ ଭିତରେ ଜଡାଇଧରେ । ଓଠରେ ଓଠ ଲଗାଏ,ଦେହରେ ଦେହ ମିଶାଏ । ହେଲେ ନା ଅନିମେଶ ବି ଭାରି ଜିଦିଆ,ଏତେ ସହଜରେ ବୁଝନ୍ତିନାହିଁ । ପ୍ରତିକ୍ରିୟା ଦିଅନ୍ତିନାହିଁ । ସେମିତି ଗୁମସୁମ୍..ବିଲକୁଲ୍ ଥଣ୍ଡା ! ମନିଷା ତାଙ୍କୁ ତା ଦେହଭିତରେ ଜଡାଇଧରେ । ଦୁହିଁଙ୍କ ସ୍ପନ୍ଦନମିଶି ଏକାକାର ହୋଇଯାନ୍ତି । ଗଛ ଓ ଲଟାପରି ସାହାରା ଖୋଜିବସନ୍ତି । ଅନିମେଶ୍ ତଥାପି ମୁକୁଳିବାକୁ ଚେଷ୍ଟାକରନ୍ତି ମନିଷା କବଳରୁ । ହେଲେ ଲାଗେ ସେ ନିଆଁଟା ସଞ୍ଚରିଯାଉଛି ତା ଭିତରେ । ତାକୁ ଜଡକରି ପକାଉଛି । ରୁନ୍ଧିଦେଉଛି । ଧୀରେଧୀରେ ତା ଭିତରେ ପ୍ରବଳକ୍ଷୁଧା.. । ତାର ତେଜହୀନ ଶରୀରରେ ରକ୍ତରପ୍ରବାହ ବଢିଯାଏ ହଠାତ୍ । ଅକ୍ଟୋପସ୍ ପରି ତାର ଦୁଇବାହୁ ଛନ୍ଦି ହୋଇଯାଏ ମନିଷାର ଶରୀର ସହିତ । ସେତେବେଳେ ସେ ଚାକରାଣୀ ଲୀନା ଖାଇବାଧରି ବାହାରେ ନକ୍ କରେ । ସେମାନେ ସଂକୁଚିତ କରିନିଅନ୍ତି ନିଜକୁ । ଗୋଟେ ଅଶାନ୍ତି ଭେଦିଯାଏ ଶରୀରରେ ।

ମନିଷା ପାଟିରୁ ବାହାରିପଡେ -ଇଡିଅଟ୍..ଅଭଦ୍ର । ସାମାନ୍ୟ ଭଦ୍ରାମୀ ବି ଏ ଝିଅଟାକୁ ଜଣାନାହିଁ । ଏ ଝିଅଟାକୁ ବିଦାକରିଦେବା ଉଚିତ୍ । ଅନିମେଶ୍ ଆହୁରୀ ଉତ୍‌କ୍ଷିପ୍ତ ହୁଅନ୍ତି ମନିଷାର ପ୍ରତିକ୍ରିୟାରେ । ବୋଧହୁଏ ସେ ଝିଅଟି ପ୍ରତି ତାଙ୍କର ଅଜସ୍ର ଦରଦ ! କାହାପାଇଁ ଦରଦନାହିଁ ଯେ ଅନିମେଶଙ୍କର ? ସମସ୍ତଙ୍କ ଉପରେ ଅଛି ସେ ମୋହ, ଅଥଚ ସେ ନିଜ ସ୍ତ୍ରୀକୁ ହିଁ କେବଳ ବୁଝନ୍ତିନାହିଁ । ତାର ଖୁସି,ଇଚ୍ଛା ଓ ଆକାଂକ୍ଷାମାନଙ୍କ ସହିତ ସେ ସାଲିସ୍ କରନ୍ତିନାହିଁ ! ଅନିମେଶଙ୍କର ଏଭଳି ନ୍ୟୁନଚିନ୍ତାଧାରା ବି ଥାଇପାରେ ତାହେଲେ ! ସେଥିପାଇଁ ସେ ପାର୍ଟି, ସାଙ୍ଗସାଥୀମାନଙ୍କୁ ଓ ତା ସ୍ୱାଧୀନତାକୁ ଗ୍ରହଣ କରିପାରୁନାହାନ୍ତି । ହେଲେ ସ୍ୱାଧୀନତା ବିନା ସେ ବଞ୍ଚି ପାରିବନି । ବିନାପାଣିର ମାଛ ଭଳି ଛଟପଟ ହୋଇ ମରିଯିବ ସେ ! ସେ କ’ଣ ପୁରୁଷବୋଲି ତାଙ୍କ କଥା ସବୁକୁ ନାରୀଟିଏ ନିଦ୍ୱର୍ନ୍ଦ୍ୱରେ ଗ୍ରହଣ କରିଯିବ ଆଉ ପୁରୁଷଟି କୌଣସି ଗୁଣଅବିଗୁଣକୁ ଗ୍ରହଣ କରିବ ନାହିଁ ? ଏହା କିପରି ସମ୍ଭବ ? ତା ଭଳି ଦୃଢମନା ଓ ସୁଶିକ୍ଷିତା ଝିଅପକ୍ଷେ ଏସବୁ ଅସମ୍ଭବ । ଅନିମେଶଙ୍କୁ ସେ ଭଲପାଏ ବୋଲି ନିଜକୁ ଏମିତି ଉପେକ୍ଷିତା କରିପାରିବନାହିଁ । କୌଣସି ପୁରୁଷ ଦ୍ୱାରା ଉପେକ୍ଷିତା ହେବାଟା ତାର ଖୁବ୍ ଅସହ୍ୟ । ତାହାପୁଣି ଅନିମେଶଙ୍କ ପାଖରେ । ତାଙ୍କର ଏ ଉତ୍କଟ ଘରରମୋହଟିକୁ ତାଙ୍କ ଭିତରୁ କାଢି ଫିଙ୍ଗିଦେବାକୁ ହେବ । ଅନିମେଶଙ୍କୁ ତା ସହିତ ଦିଲ୍ଲୀ ହିଁ ଯିବାକୁ ପଡିବ । ସେ ସେହିଠାରେ ସେଟଲ୍ ହେବାକୁ ବାଧ୍ୟହେବେ । ନହେଲେ ଅନ୍ୟଗତି ନାହିଁ । ଅନ୍ୟସଦ୍ୟ ବିବାହିତା ସ୍ତ୍ରୀଲୋକ ମାନଙ୍କ ଭଳି ଏତିକି ଟିକିଏଖୁସିରେ ସୁଖୀହେବା ମଣିଷ ଅନ୍ତତଃ ମନିଷା ଓବେରୟ ନୁହେଁ । ସେ ଚାହେଁ ସମସ୍ତସୁଖର ପ୍ରାଚୁର୍ଯ୍ୟ । ଟଙ୍କାପଇସାଠାରୁ ଆରମ୍ଭ କରି ସ୍ନେହ ପ୍ରେମ, ଅନ୍ତହୀନ ଆଶା ଆକାଂକ୍ଷା, ସ୍ୱାଧୀନତା.. ସବୁକିଛିର ପ୍ରାଚୁର୍ଯ୍ୟ ! କୌଣସି ଅଭାବସହିତ ସେ ସାଲିସ୍‌କରି ବଞ୍ଚିବା ସେ ଶିଖିନାହିଁ ଆଗରୁ । ଆହତନାଗୁଣୀ ପରି ଫୁତ୍କାର କରୁଛି ସେ ! ଅସହାୟହୋଇ ବସିରହିଛନ୍ତି ଅନିମେଶ୍ । ସେ ମନିଷାକୁ ବୁଝାଇ ବୁଝାଇ କ୍ଳାନ୍ତ ହୋଇପଡିଲେଣି । ଘରସାରା ଅସହ୍ୟ ନୀରବତାର ରାଜୁତି ।

ତା’ପରେ

ଲୋକପ୍ରିୟ ଲେଖା

To Top