ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ୟା’ପରେ ଆଉ କ’ଣ ରଖିଛ ମୋ ଜୀବନରେ..କି ପ୍ରକାରର ବିଷ, ଯାହାକୁ ଖାଇଲେ ମୁଁ ତତ୍‌କ୍ଷଣାତ୍ ମରିପାରିବି ତ ? ତାହା ପୂର୍ବପରି ଭେଜାଲ ହୋଇନଥିବ !

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୂର୍ବରୁ :-

ଜୀବନଟାଯାକ ପରାଧୀନତାର ଶୃଙ୍ଖଳ ଭିତରେ ଅନିମେଶ୍‌ଙ୍କୁ ଛନ୍ଦି ତାଙ୍କୁ ହତ୍ୟା କରିପାରିବନି । ସେ ସ୍ଥିର କରିସାରିଛି-ଏଥରକ ସେ ତା ଶୃଙ୍ଖଳରୁ ମୁକ୍ତ କରି ଦେବ ତାଙ୍କୁ । ଯେତେ ଦିନ ପାରିବ ସେ ପିଲାମାନଙ୍କ ଯତ୍ନନେଉଥିବ । ନପାରିଲେ ସେମାନଙ୍କୁ ବି ହସ୍ତାନ୍ତର କରିଦେବ । ସେ ସୁଖୀ ରହନ୍ତୁ ଆଜୀବନ । ଦୀର୍ଘଶ୍ୱାସଟିଏ ବ୍ୟାପିଗଲା..ଆଖପାଖରେ ତା ମନପ୍ରାଣକୁ ଆଘାତ ଓ ବ୍ୟାକୁଳିତ କରି ! ନିଜ ପସନ୍ଦ ଚିଜ ଅନ୍ୟଠାରୁ ଛଡେଇ ଆଣୁଥିବା ମନିଷା ଆଜି ଏତେ ବଦଳିଗଲା କିପରି ? କିପରି ସେ ତା ପ୍ରିୟ ପୁରୁଷ ଅନିମେଶ୍‌ଙ୍କୁ ତାଠାରୁ ମୁକ୍ତ କରିପାରୁଛି? କାରଣ ସେ ତାଙ୍କୁ ଭଲପାଏ । ବିବାହପରେ ସେ ତାଙ୍କୁ ଭଲଭାବେ ବୁଝିଥିଲା । ଜାଣିଥିଲା ଯେ ଦୁହିଁଙ୍କର ବିଚାର ଓ ବ୍ୟବହାରରେ ଆକାଶ ପାତାଳର ପ୍ରଭେଦ । ସଂସ୍କୃତି ସଂପନ୍ନ ମଣିଷ ସେ । ନିଜ ମାଟି ଓ ମୌଳିକତାକୁ ଭଲପାଆନ୍ତିି । ଅଥଚ ମନିଷାର ଉଚ୍ଛୃଂଖଳତା ପାଇଁ ତାଙ୍କ ମନ ବିଳପିତ । ମନିଷା ଅନିମେଶ୍‌ଙ୍କ ଏଭଳି ଅବସ୍ଥାକୁ ସହ୍ୟକରିପାରୁନି । ଆଉ ନିଜେ ବି ବଦଳିପାରିନାହିଁ । ତେଣୁ ସେ ଶେଷ ସିଦ୍ଧାନ୍ତରେ ଉପନୀତ ହେଲା ଯେ ଉଭୟ ଭିନ୍ନଦିଗରେ ଚାଲିଯିବେ ଏଥର । ସେହି ସଂସ୍କାର, ଆଦର୍ଶ.. ଅନିମେଶ୍‌ଙ୍କ ବାଟ ଓଗାଳି ମନିଷାଠାରୁ ତାଙ୍କୁ ଅଲଗା କରିବନି । ତେଣୁ ମନିଷା ପ୍ରଚୁର ଟଙ୍କାର ପ୍ରତିଦାନରେ ଜଣକୁ ସ୍ଥିର କରିଛି ଯିଏ ତାର ଭାବୀ ସ୍ୱାମୀ ହେବାକୁ ଯାଉଛି ବୋଲି ଅନିମେଶ୍‌ଙ୍କ ଆଗରେ ପ୍ରମାଣିତ କରିବ । ତାପରେ ଖୁବ୍ ସହଜରେ ଡିଭୋର୍ସ ହୋଇଯିବ ସେମାନଙ୍କର । ପ୍ରଥମଥର ପାଇଁ ତା ଆଖି ଓଦା ହୋଇ ଆସିଲା । ତାକୁ ରୁମାଲରେ ପୋଛିନେଉନେଉ ଭାବିଲା-ହ୍ୱାଟ୍ ନନ୍‌ସେନ୍ସ..ମୋ ଶୈଳୀରେ ଜୀବନକୁ ଜୀଇଁବାର ନିଶାପାଇଁ ତ ଆଜି ମୋର ଏ ଅବସ୍ଥା..ଆଉ ଏ ଲୁହ କାହିଁକି ? ମନେପଡିଲା ପରିଚିତ ଡାଏଲଗ୍‌ଟି- I Hate Tears ! ପୁଣି ସେ ହସିଉଠିଲା ପ୍ରଗଳ୍ଭାହୋଇ । ଘରଭିତରକୁ ପ୍ରବେଶକଲେ ଅନିମେଶ୍ । ଏଇଜଷ୍ଟ୍ ଓଡିଶାରୁ ଆସିଛନ୍ତି । ଭିତରକୁ ପଶୁପଶୁ ପଚାରିଲେ-ପିଲାମାନେ..କାହାନ୍ତି, ଦିଶୁନାହାନ୍ତି ତ ?

ସେମାନେ ସ୍କୁଲରେ ଅଛନ୍ତି ଅନିମେଶ୍ ! ଆଶ୍ଚର୍ଯ୍ୟହୋଇ କହିଲା ମନିଷା ।

ତାହେଲେ ମୋତେ କାହିଁକି ଡକାଇଥିଲ ଶୁଣେ !

ଗୋଟେ ବିଗ୍ ଡିସିସନ୍ ନେବାକୁ ଅଛି !

ନେଇପାର..ତୁମଇଚ୍ଛା । ସ୍ୱାଭାବିକ ଢଙ୍ଗରେ କହିଲେ ଅନିମେଶ୍ ।

ସେ ଡିସିସନ୍ ତୁମକୁ ନେଇ..

ସେ ଅଧୀକାର ତୁମକୁ ମୁଁ ଏଯାଏଁ ଦେଇନି ! ମୋର ଭଲମନ୍ଦର ନିଷ୍ପତ୍ତି ମୁଁ ନିଜେ ନେଇଜାଣେ । ଅନ୍ୟକାହାର ସାହାଯ୍ୟ ମୋର ଲୋଡାନାହିଁ ।

ଆରେ ନା,କେବଳ ସେ ଡିସିସନ୍ ତୁମକୁ ନେଇ ନୁହେଁ..ଆମସମସ୍ତଙ୍କୁ ନେଇ.. ।

ଏତେଲମ୍ବା ବୁଝାଅନି । ଶୀଘ୍ରକର । ମୋର ସେପଟେ ବହୁତ୍ କାମଅଛି ।

କଣ ଆଜି ହିଁ ଫେରିଯିବ? ମନିଷାର ଉତ୍ତରରେ ହଁ ଭରିଲେ ଅନମେଶ୍ ।

ତେବେ କାହିଁକି ମିଛ ସମ୍ପର୍କଟିଏ ଜୀଉଁଛେ ଆମେମାନେ ନିଜଭିତରେ?

ତୁମେ କଣ କହୁଛ ମୁଁ ଏକାଠି ରହିବାର ଚିନ୍ତା କି ଚେଷ୍ଟାକରିନି ବୋଲି ? ରାଗିଗଲେ ଅନିମେଶ୍ ।

ମୁଁ ଆମବାବଦରେ କହୁନି । ଆଚ୍ଛା ସ୍ୱାମୀ ସ୍ତ୍ରୀ ଭାବରେ ନୁହେଁ, ଏବେ ଆମେ ଦୁଇସାଙ୍ଗ ଭଳି କଥାହୋଇପାରିବା କି? ପଚାରିଲା ମନିଷା । ସାଙ୍ଗହେବାର ସେ ସୁସମୟ ଏବେ ଅତିବାହିତ ।

ଯାହା କଥାହେବାର ଅଛି ଶୀଘ୍ର କୁହ । ନହେଲେ ମୁଁ ଚାଲିଯିବି ।

ମୁଁ ଜାଣେ ପୁରୁଣା କ୍ଷତକୁ ଉଖାରି କେହି ସୁଖୀ ହେବେନାହିଁ । ଏବେ ସେସବୁ ଡିସ୍‌କସନ୍ କରି କିଛିଲାଭ ନାହିଁ । ବରଂ ଆଗକୁ ବଢିବା..

ୟା’ପରେ ଆଉ କ’ଣ ରଖିଛ ମୋ ଜୀବନରେ..କି ପ୍ରକାରର ବିଷ, ଯାହାକୁ ଖାଇଲେ ମୁଁ ତତ୍‌କ୍ଷଣାତ୍ ମରିପାରିବି ତ ? ତାହା ପୂର୍ବପରି ଭେଜାଲ ହୋଇନଥିବ !

ମନିଷାର କଣ୍ଠ ଥରିଗଲା- ଥାଉ,ଏତେ ଲାଞ୍ଛନା ଦିଅନାହିଁ । କି ନିଜକୁ ଏତେ ଅସହାୟ କରନାହିଁ । ଆମେ କେହି କାହାରିକୁ ଫିଟ୍ ନୁହେଁ କି ନଥିଲେ କେବେ ! ଚାଲ ଡିଭୋର୍ସ୍ ନେଇଯିବା । ଆଉ କାହାର ବି ଅନଧିକାର ପ୍ରବେଶ ରହିବନି କାହାଜୀବନରେ !

ଜାଣିଥିଲି ତୁମେ ତୁମସୁଖ ପାଇଁ ଏଇ ନିଷ୍ପତ୍ତି ହିଁ ନେବ ! ହେଲେ ତା ପୂର୍ବରୁ ଏକାଠି ରହି ଠିକ୍‌ଭୁଲର ତର୍ଜମା କରିବାଟା ବି ଭୁଲିଗଲ ?

ସେସବୁରେ ଲାଭନାହିଁ ଆଉ । ମୁଁ ନିଜକୁ ବୁଝିସାରିଛି । ମୋ ଜୀବନଶୈଳୀ ଭିନ୍ନ । ଆଉ ତୁମେ ଭିନ୍ନ ପୃଥିବୀର ମଣିଷ ।

ତୁମକୁ ଖୁବ୍ ଭଲଝିଅ ମିଳିଯିବେ ଅନିମେଶ୍ । ଦିନଆସିବ ମନିଷାକୁ ତୁମେ ତୁମ ଆଗରେ ଦେଖିଲେ ବି ଚିହ୍ନିପାରିବନି ।

ମୋ ଅପେକ୍ଷା ବରଂ ତୁମପାଇଁ ଡିଭୋର୍ସ ଜରୁରୀ । ଗୋଟେ ଅଧାରୁଆ ଜୀବନ ତୁମଭଳି ଲୋକମାନେ ଜୀଇଁପାରନ୍ତିନାହିଁ । ମଝିମଝିଆ ଜୀବନ ସେମାନଙ୍କୁ ଅତିଷ୍ଠ କରାଏ ଅହରହ ।

ସେମାନେ ଗୋଟେ ସଫାସୁତୁରା ଜୀବନ ଚାହାନ୍ତି । ହେଲେ ମେଟ୍ରୋରେ ସେଭଳି ଜୀବନ କାହିଁ ? ଆମେମାନେ ସେ ଚିରାଚରିତ ଜୀବନ ସହିତ ଏତେ ଭଲଭାବରେ ଅଭ୍ୟସ୍ତ ଯେ ସେଥିରୁ ମୁକ୍ତି କାହିଁ ? ତୁମଘରେ କୌଣସି ନିଶା ଚଳିବନି । ଆଉ ମୁଁ ଗୋଟେ ନିଶାଖୋର୍ ଝିଅ..ବିନା ଡ୍ରଗ୍ସ ଆଉ ମଦରେ ମୁଁ ବଞ୍ଚିପାରେ ନାହିଁ । ଆଉ ତୁମେ ମଦ ଓ ଡ୍ରଗ୍ସ ସହିତ ବଞ୍ଚିପାରିବନାହିଁ । ଏତେ ତଫାତ୍ ଆମ ଭିତରେ ! ସେଠି ଜୀବନ କାହିଁ ?

ଅନିମେଶ୍ କହିଲେ-ଠିକ୍ ଅଛି ତୁମେ ପେପର୍ ରେଡିକର ।

ଅଲରେଡି ରେଡି ଅଛି । ଖାଲି ସାଇନ୍ କରିବା ବାକୀ । ତଥାପି ଆଜିଟା ରହି ବାକିତକ ଝାମେଲା ତୁଟାଇଦେଇ କାଲିକୁ ଚାଲିଯିବ ।

ଠିକ୍ ଅଛି । ଏତେବଡ କାମ କରିବାର ଅଛି ଯେତେବେଳେ ସମୟ ତ ଦେବାକୁ ହେବ ନିଶ୍ଚୟ ! କଲିଂବେଲ୍ ବାଜିଉଠିଲା । କେୟାର୍ ଟେକର୍ ଯାଇ କବାଟ ଖୋଲୁଖୋଲୁ ଭିତରକୁ ପଶିଆସିଲେ ଜଣେ ସୌମ୍ୟ ସୁଦର୍ଶନ ଯୁବକ । ଆନୁମାନିକ ବୟସ ସତେଇଶ କିମ୍ବା ଅଠେଇଶ ବର୍ଷହେବ । ମନିଷା ଧାଇଁଯାଉ ତାକୁ ଗଳାଗ୍ରତ କଲା । ଅନେକ ସମୟଧରି ତା ଦେହରେ ଝୁଲିରହିଲା । ଅନିମେଶଙ୍କ ସହିତ ପରିଚୟ କରାଇଦେଲା-ଇଏ ମୋର ଏବେକାର ବୟଫ୍ରେଣ୍ଡ-ଶିବାଜୀ..ବିଜିନେସ୍ ମ୍ୟାନ୍ ଏବଂ ମୋଷ୍ଟ ଏଲିଜିବ୍ଲ ବ୍ୟାଚେଲର୍ । ହେଲେ ଅନ୍ୟଝିଅମାନଙ୍କ ଆଖିରେ ଆଙ୍ଗୁଠିଗେଞ୍ଜି ସେମାନଙ୍କଠାରୁ ଛଡେଇନେଇଛି ମୁଁ ୟା’ଙ୍କୁ । ଆମଦୁହିଁଙ୍କ ଜୀବନଶୈଳୀରେ ଖୁବ୍ ସମାନତା । ଭାବୁଛି ଅନେକବର୍ଷଯାଏଁ ରହିବ ଆମ ସମ୍ପର୍କ ! ତୁମପାଇଁ ବି ଗୋଟେ ଶାନ୍ତସୁଶୀଳ ଝିଅଟିର କାମନା କରୁଛି । ସେ ଶୀଘ୍ର ତୁମକୁ ମିଳିଯାଉ ।

ଅସହ୍ୟ ଲାଗୁଥିଲା ସେ ପରିବେଶଟା ଅନିମେଶ୍‌ଙ୍କୁ । ପିଲାମାନଙ୍କୁ ସେ ଚାହିଁଲେ ରଖିବ ନହେଲେ ପଠାଇଦେଲେ ବି ଆଉରିବେଶୀ ଆନନ୍ଦିତ ହେବେ । ସେମାନଙ୍କ ଭବିଷ୍ୟତର ପ୍ରଶ୍ନ ! ଏଭଳି ବିଶୃଙ୍ଖଳିତମାଆଟି ପାଖରେ ତା ପିଲାମାନେ ଅସୁରକ୍ଷିତ ହୋଇଯିବେ । ଭିତରକୁ ଚାହିଁବାକୁ ଲାଜ ଲାଗୁଥିଲା ତାଙ୍କୁ । କିଏ ଜାଣେ କୋଉ ଭଙ୍ଗିରେ ଥିବେ ସେମାନେ ! ସେ କେୟାରଟେକର୍ ହାତରେ ଖବର ପଠାଇଲେ ମନିଷା ପାଖକୁ । ମନିଷା ବି ସ୍ପଷ୍ଟ କରିଦେଲା-ଦେଖ, ମୁଁ ବହୁତ୍ ଲିବରାଲ୍ ସେ ଦିଗରେ । ଦୁହେଁଯାକ ଆଉଟିକେ ବଡହୋଇଗଲେ ମାନେ ଦୁଇବର୍ଷପରେ ତୁମେ ଚାହିଁଲେ ସେମାନଙ୍କୁ ନେଇଯାଇପାର । ନହଲେ ଏଠି ବି ହ୍ୟୁଜ୍ ଅମ୍ପାୟାର ପଡିଛି । ରହିବାରେ କି ଜୀବନକୁ ମନମୁତାବକ ଜୀଇଁବାରେ ଅଭାବ ଅସୁବିଧା ହେବନି । ତୁମେ ସେ ପାଇଁ ନିଃସନ୍ଦେହ ରୁହ । ଯେବେ ଚାହିଁଲେ ସେମାନଙ୍କୁ ଭେଟିବାକୁ ଆସିପାରିବ । ସେମାନେ ବି ତୁମକୁ ଲାଇକ୍ କରନ୍ତି । ଯାହାହେଲେ ବି ତୁମେ ସେମାନଙ୍କ ଫାଦର୍ ! ବି ସିଓର୍ ! ତାପରେ ଗଳାଫଟାଇ ତା ରୋଷେୟାକୁ ଡାକିଲା

-ମେନନ୍, ସାହେବଙ୍କପାଇଁ କିଛି ଜଳଖିଆ ନହେଲେ କୋଲ୍ଡ ଡ୍ରିଂକ୍ସ ଦେଇଯାଆ । ଆଉ ସାହେବଙ୍କ ଯତ୍ନ ନିଅ । ମୁଁ ଓ ବୟଫ୍ରେଣ୍ଡ୍ ଟିକେ ବାହାରକୁ ଯାଉଛୁ ।

ମନିଷା ଆଖିରୁ ଲୁହ ପୋଛିଲା । ଆଜି ମୁଁ କାହିଁକି କେଜାଣି ଖୁବ୍ ଦୁର୍ବଳ ! ଅନିମେଶ୍‌ଙ୍କ ଆଗରେ ଏପରି ଅଭିନୟ କରିନଥିଲେ ବାହାରକୁ ଆସିପାରି ନଥାନ୍ତି । ଆଉ କୌଣସି ମତେ ମୋ ଅବେଶୋଷ ତାଙ୍କଠାରୁ ଲୁଚାଇପାରିନଥାନ୍ତି ।

ତୁମେ ଯଦି ତାଙ୍କୁ ଏତେ ଭଲପାଅ, ତେବେ ଫେରିଯାଉନ କାହିଁକି ତାଙ୍କ ପାଖକୁ ? ଶିବାଜୀ ନାମକ ବ୍ୟକ୍ତିଜଣକ ପ୍ରସ୍ତାବ ଦେଲେ ।

ଏବେ ସେସବୁ ଅସମ୍ଭବ । ଆମର ଜୀବନଶୈଳୀ ଭିନ୍ନ, ଜୀବନପ୍ରତି ଦୃଷ୍ଟିଭଙ୍ଗୀ ବି ଭିନ୍ନ । କୋଉଠି ନା କୋଉଠି ଫାଟ ବାରମ୍ବାର ସୃଷ୍ଟିହେବ ଏବଂ ସୁବିଧା ପାଇଲେ ସେ ଫାଟ ଆଉରିବେଶୀ ତାର ପ୍ରଭାବ ବିସ୍ତାରିବ ! ମୁଁ ବଞ୍ଚିଯାଇପାରିବି । ହେଲେ ସେ ପାରିବେନି । ମୋ ଭିତରେ ବି ସେ ଅନ୍ୟକୁ ଖୋଜନ୍ତି । ଅବଶ୍ୟ ସେ ତାଙ୍କଆଡୁ ସୁବନ୍ଦୋବସ୍ତ କରିଥିଲେ ମୋର ସୁଖସୁବିଧା ପାଇଁ । ହେଲେ ମୁଁ କୋଉ ପାରିଲି ? ମୋ ପାଦ ପୂର୍ବଭଳି ଶିଉଳିରେ ଖସି ଚାଲିଲା । ଆଉ ମୁଁ ତଳକୁ ବୁଡିବାରେ ଲାଗିଲି । ସେ ମୋତେ ଖୁବ୍ ସହ୍ୟକଲେ । ତାଙ୍କ ବାପାମାଆ ବି ସେହି ଦୁଶ୍ଚିନ୍ତାରେ ଚାଲିଗଲେ ସଂସାରରୁ । ସେତେବେଳେ ମୁଁ ନିଜକୁ ବୁଝିପାରି ଦୋଷୀ ମନେକଲି । ଲାଗିଲା-ପ୍ରକୃତରେ ମୁଁ ଅନ୍ୟାୟ କରୁଛି । ହୁଏତ ତାଙ୍କପାଇଁ ମୁଁ ଯୋଗ୍ୟାନୁହେଁ । ଅନିମେଶ୍ ଏପରି ଲୋକ-ଯିଏ ସେମାନଙ୍କ ଘରର ଚାକରାଣୀକୁ ମାଆଭଳି ମନେକରନ୍ତି । ଆଉ ତାର ଅନାଥିନୀ ନାତୁଣୀଟିକୁ ପାଠପଢାଇ ଶିକ୍ଷିତ କରିଛନ୍ତି ଓ ତାର ସମସ୍ତଦାୟିତ୍ୱ ବି ନିଜେ ବହନ କରିଚାଲିଛନ୍ତି ଏଯାବତ୍ । ତେଣୁ ଏଭଳିଲୋକଟିକୁ କ’ଣ ଯନ୍ତ୍ରଣା ଭିତରେ ଛନ୍ଦିହୁଏ..? ସେଥିପାଇଁ ମୁଁ ଦୂରେଇଯିବାକୁ ଚାହିଁଲି । କାରଣ ପାପା ମାମା ଓ ଦାଦାଙ୍କର ବିଜିନେସ୍ ଏବେ ମୋ ଉପରେ ନ୍ୟସ୍ତ । ମୋତେ ହିଁ ଦେଖିବାକୁ ହେବ ସେଗୁଡିକୁ । ବାପାମାଆ ଓ ଗୁରୁଜନମାନଙ୍କପାଇଁ କଣ କରାଯାଏ, ସେସବୁ ମୁଁ ଅନିମେଶଙ୍କଠାରୁ ଶିକ୍ଷାକରିଛି, ଯାହା ଆଗାମୀ ଜୀବନରେ କାମରେ ଲଗାଇବି । ଡିଭୋର୍ସ ସରିଯାଇଥିଲା । ବିଦାୟନେଲେ ଅନିମେଶ୍ । କଥାହେଲା-ପିଲାଦୁଇଜଣ ଦୁଇବର୍ଷପରେ ଓଡିଶା ଆସି ଅନିମେଶ୍‌ଙ୍କ ପାଖରେ ରହିବେ ।

ତା’ପରେ

ଲୋକପ୍ରିୟ ଲେଖା

To Top