ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ତାକୁ ତୁମସହିତ ଯାଇ ଦେଖିବା ଦିନୁଁ ଭୋକଶୋଷ ଆଉ ନାହିଁ ମଦନାଭାଇ ! ଅହରହ ତା ରୂପ ମୋ ଆଖିରେ ନାଚିଉଠୁଛି । କେଡେ ଲୋଭାଣୀଆ ଚେହେରା ସାଙ୍ଗକୁ କଷିବୟସ..ମନରୁ ଲିଭୁନି ଜମ୍ମା

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୂର୍ବରୁ :-

ଆଜିକାଲି ଏତେବଡ ଦୁନିଆରେ ଖାଲି ଲୀନା ଓ ସାନବାବୁ ଖୁବ୍ଏକାକୀ । ଦିନସାରା ସାନବାବୁ ଅଫିସ୍‌ରେ କାମକରନ୍ତି । ଆଉ ଏତେ ବଡ ଘରଟାକୁ ଜଗି ପଡିରହେ ଲୀନା । ଏ ଅବେଳରେ ସେ ତାଙ୍କୁ ଏକାକରି କୁଆଡେ ବା ଯିବ ! ହେଲେ ଏକାଟିଆ ତାକୁ ଭୟ ବି ଲାଗେନି । କ୍ଷୀରବାଲା ସହିତ ଗୋଟେ ପିଲା ଆଜିକାଲି ବରାବର ତାଙ୍କ ଘରକୁ ଆସୁଛି । ଏତେ ବଡବଡ ଆଖିରେ ସେ ଚାହିଁରହୁଛି ଲୀନାକୁ ଆପାଦମସ୍ତକ । ତା କୁତ୍ସିତ ଚାହାଣୀ ସତେଯେପରି ଶରବିଦ୍ଧ କରୁଛି ତା ଶରୀରକୁ ! ଘୃଣାରେ ଶୀହରିଉଠୁଛି ଲୀନା । ମଦନା କଥାରେ କଥାରେ କହିଲାକି ତା ଦୂରସମ୍ପର୍କୀୟ ଭାଇ ହବ ସେ । ହେଲେ ଲୀନା ତାକୁ ଆଡଆଖିରେ ନଚାହିଁ ଭିତରକୁ ଚାଲିଗଲା ।

ଲୀନାର ଏ ବ୍ୟବହାର ମଦନାକୁ ବଡଅସହ୍ୟ ହେଲା ! ମନେମନେ ଗୁଣୁଗୁଣେଇଲା-ମାଇକିନାମାନଙ୍କୁ ଏତେ ମୁଣ୍ଡଉପରେ ଚଢାଇବ କଣ ଯେ ! ସେମାନେ ବାହାଗିଳି ପକାଇବେ । ମେଣ୍ଢାଛୁଆଟି ପରି ନଚେଇବେ ଆଙ୍ଗୁଠିରେ । ନହେଲେ କାନିରେ ଚାବିପେନ୍ଥା ପରି ବାନ୍ଧି କାନ୍ଧରେ ଝୁଲାଇ ରଖିବେ । ଏ ଟୋକୀଟା କୁଆଡେ ତା ମାଲିକର ସବୁକିଛି । କଥାନସରୁଣୁ ନଖିଆ କହିଲା-ହେଲେ ଭାଇନା, ମାଲ୍‌ଟା ଭାରି ଆଖି ଝଲସିଆ ! ପୁରା ଚୋଖା ! ଦେଶୀମଦକୁ ଭାରି ଜମିବ ! ତାକୁ ତୁମସହିତ ଯାଇ ଦେଖିବା ଦିନୁଁ ଭୋକଶୋଷ ଆଉ ନାହିଁ ମଦନାଭାଇ ! ଅହରହ ତା ରୂପ ମୋ ଆଖିରେ ନାଚିଉଠୁଛି । କେଡେ ଲୋଭାଣୀଆ ଚେହେରା ସାଙ୍ଗକୁ କଷିବୟସ..ମନରୁ ଲିଭୁନିି ଜମ୍ମା ! ସେ ଖାଲି ରାଜିହୋଇଗଲେ ନା ଦେଖିବ ମଦନାଭାଇ-ତା ପାଦତଳେ ଦାସୀ ପୋଇଲି ଖଟାଇବି । ତାକୁ କୁଟା ଖଣ୍ଡକ ଦି’ଖଣ୍ଡ କରେଇଦେବିନି । ତାକୁ ରାଜରାଣୀ କରି ରଖିବି । ମଦନା କିନ୍ତୁ ରାଗରେ ଦାନ୍ତ କଡମଡ କରୁଥିଲା -ତୁ ତାହେଲେ ତା ପ୍ରେମରେ ଫସିଗଲୁଣି ଗୋଟାପଣେ ! ହେଲେ ସେ ଖାଲି ଅହରହ ସାନବାବୁ ସାନବାବୁ ହୁଏ । ଭାରିବିଶ୍ୱସ୍ତ ଆଉ ନିଜରଲୋକଟିଏ ପରି ସାନବାବୁର ସବୁକାମ ସେ ନିଜେ କରେ । ଆହା ସତେଯେମିତି ଗୋଟାସୁଦ୍ଧା ତୁଳସୀ ! ଜମା ବି ଇଜ୍ଜତକୁ କେତେବେଳେ କାହା ପାଦତଳେ ଅଜାଡିନଥିବ ଯେମିତି ! କେବେଠାରୁ ଏକା ଏହି ମହଲରେ ସାନବାବୁ ସହିତ ପଡିରହିଛି । ସେଥିରେ ତା ମହତ ଯାଉନି । ଖାଲି ତୁ ଟିକିଏ ଚାହିଁଦେଇଥିଲୁ ବୋଲି ତା ଇଜ୍ଜତ କୁଆଡେ ଚାଲିଗଲା ! ଆବେ ଛତରା, ତୋ ରୋଜଗାର କେତେ ବେ ସେଥିରେ ପୁଣି ତୁ ତାକୁ ରାଜରାଣୀ କରିରଖିବୁ ? ଦେହରୁ ତେଲିଆ ଗନ୍ଧ ତ ଛାଡିନି ପୁରାପୁରି, ବାବୁ ବାହାରିଲେ ରାଜକୀୟ ବେଶରେ ପୁଣି ବାହାହେବାକୁ । ନାଥିଆ ସେଆଡକୁ କାନନଦେଇ କହିଲା -ମଦନା ଭାଇ, ମୁଁ ତା ସହିତ ଏକାଟିଆ କଥାହେବାକୁ ଚାହେଁ । ମୋତେ ଟିକେ ସାକ୍ଷାତ କରାଇଦେବ ତା ସହିତ?

ତୁ ଟା ଗୋଟେ ବଦ୍ଧ ପାଗଳ କିରେ! ସେ ତ ତୋ ଆଡକୁ ଟିକେ ଦେଖୁ ବି ନାହିଁ, ଆଉ ତୁ କହୁଛୁ କଣ ନା ସାକ୍ଷାତ କରିବୁ ତାକୁ ।

ହେଲେ ଭାଇଟା ପାଇଁ ଏତିକି ଟିକେ କର ।

ଆରେ, ତୁ ମୋର ବେପାର ବୁଡାଇବୁ ନା କଣ! ମୋ ଦେହି ସେସବୁ ହବନାହିଁ । ତୁ ତା କଥା ମନରୁ ପୋଛିପକା । ଦୁନିଆଁରେ କଣ ଝିଅ ଅଭାବ ଅଛନ୍ତି ? ଆରେ ୟା’କଥା ଛାଡ । ମୁଁ ତୋତେ ଆଉଗୋଟେ ଝିଅ ଦେଖେଇବି । ଗୋଟିଏ କାହିଁକି ଆଠଦଶଟା ଝିଅଙ୍କର ଲାଇନ୍ ଲଗାଇଦେବି । ତୁ ବାଛିପାରିବୁନାହିଁ କାହାକୁ ବାହାହେବୁ ବୋଲି ! ତୁ ତୋ ମଦନାଭାଇକୁ କଣ ଚିହ୍ନିନୁ ? ଭାରିଜିଦିଆ, ଯାହାବୁଝିଥିବ ସେଇଆ । ଆଉ ଯଦି ମୁଁ ସେତକ ନକରିପାରିଲି ତାହେଲେ ମୋ ନିଶ କାଟିଦେବି ।

ତମେ ଯେତେଯାହା କହିଲେ ବି ସେ ହିଁ ମୋର ଦରକାର । ବୁଝିପାରୁନି ଏତେଦିନଯାଏଁ ଭଅଁରମାନଙ୍କ ଆଖିରେ ଧୂଳିଦେଇ ଫୁଲଟିଏ କେମିତି ରହିଗଲା !

ଆରେ ସବୁ ସେଇ ସାନମାଲିକର କାମ । ସିଏ ପରା ତାର ରକ୍ଷିତା..!

ହେଃ ସେସବୁ ମିଛକଥା..ସଜମାଛରେ ପୋକପକାଇବାର ଅଭ୍ୟାସ ତମର ତାହେଲେ ଗଲାନି ମଦନାଭାଇ?

ତାହେଲେ ତୁ ତୋ ବ୍ୟବସ୍ଥା କର । ମୁଁ ସେଆଡକୁ ଯିବିନି ।

ଆରେ ରାଗିଗଲକି ଭାଇନା? ଇଏ କଣ ଗୋଟଏ କଥା? ତୁମେ ମୋର ଗୁରୁ । ଆଉ ମୁଁ ତୁମ ଚେଲା । କୋଉ ଅମଳରୁ ଆମର କେତେ ଭାବନାବ । ତୁମ ନାଁ ନନେଇ ମୁଁ କଣ କିଛି କରିଛି ? ହେଲେ ଭାଇନା ସେଇ ଝିଅଟା ମୋର ଦରକାର । ତମେ ବୁଝୁନ କାହିଁକି ମୋ ମନବ୍ୟଥାକୁ ?

ତେବେ ଠିକ୍ ଅଛି ଆଜି ସନ୍ଧ୍ୟାରେ କିଛି ଜିନିଷନେଇ ତା ଘରକୁ ଯାଆ । ସେତେବେଳେ ତା ମାଲିକନଥିବ ଘରେ । ସମୟ ଓ ସୁବିଧା ଦେଖି ତାକୁ ପଟେଇବାକୁ ଚେଷ୍ଟାକର । ଭୟକରନା, ଦେଖାଯାଉ କଣହଉଛି ? ନାଥିଆର ଆଉ କୁଆଡେ ମନନାହିଁ । ସେଦିନ ସନ୍ଧ୍ୟାବେଳେ ଖୁବ ଯତ୍ନରେ ବରାପକୁଡି, ଜିଲାପି ଓ ତା ସହିତ ମଲ୍ଲୀଫୁଲମାଳ ଧରି ପହଞ୍ଚିଗଲା ସେ ଲୀନା ପାଖରେ । ସେ ଜାଣେ ଏହି ସମୟରେ ସେ ପୁରାପୁରି ଏକାଥାଏ । ସାନମାଲିକ ବି ଫେରିନଥାନ୍ତି ଅଫିସରୁ । ଚିହ୍ନାଲୋକ ବୋଲି ଦରୁଆନ୍ ତାକୁ ଭିତରକୁ ଯିବାକୁ ଦେଲା । ଚଉରାମୂଳେ ସଞ୍ଜବତୀ ଦେଉଥିଲା ଲୀନା । ତାକୁ ଦେଖି ସେ ବିରକ୍ତିରେ ପଚାରିଲା-କାଇଁ ଆସିଛ ?

ତୁ ରାଗେନି ମୋ ଉପରେ । ମୁଁ କଣ ତୋର କିଛି ବିଗାଡିବାକୁ ଆସିଛି ନା କଣ ? ସେମିତି ଫଁ ଫଁ ହଉଚୁ କାହିଁକି ? ଭାବିଲି ତୁ ଏକା ଥିବୁ । ବାପମାଆ ଛେଉଣ୍ଡ ପିଲାଟି ! ସେଥିପାଇଁ ମୋ ମନରେ ଦୟାହେଲା । ମୁଁ ଏତକ ତୋ ପାଖକୁ ଆଣିଥିଲି । କିଏ ଅଛି ଯେ ଯାହାକୁ ତୁ ତୋ ମନକଥା କହିବୁ ! ତୁ ଯଦି ଚାହିଁବୁ ତେବେ ଆମେ ବାହା ହୋଇଯିବା । ଜୀବନଟା ସାରା ଅନ୍ୟର କାମକରି ତୁ କାଇଁ ଧନ୍ଦି ହେଉଛୁ ? ନଖିଆ ଦାନ୍ତଚିପି କହିଲା । କାଇଁ ତୁ ମୋର କିଏ ଶୁଣେ ! ତୋ ଭଳିଲୋକଙ୍କୁ ମୁଁ ହାଡେହାଡେ ଚିହ୍ନେ । ଶୀଘ୍ର ଏଠୁ ବାହାରିଯାଆ । ମୋ କଥା ମୁଁ ବୁଝିବି । ତୋର ଚିନ୍ତାକରିବା ଦରକାର ନାହିଁ । ଚିହିଁକି ଉଠିଲା ଲୀନା ।

ମୁଁ ତ ତୋରି ଭଲପାଇଁ ଆସିଥିଲି । ମଦନାଭାଇ ବି ତୋତେ ଭଉଣୀପରି ଦେଖେ । ସେଥିପାଇଁ ସେ କହୁଥିଲା ତୁ ଯଦି ମାନିଯାଉ-ତେବେ ମୁଁ ତୋ ମଥାରେ ସିନ୍ଦୂର ଦେଇ ନେଇଯାଆନ୍ତି ମୋ ଘରକୁ । ଲୀନା ତାତ୍ସଲ୍ୟ ସ୍ୱରରେ କହିଲା-ନିଜକୁ କେବେ ଆଇନାରେ ଦେଖିଛୁ ? ତୋର ସେ ଟେରାଆଖି ସାଙ୍ଗକୁ ଛୋଟା ଗୋଡ..ନିଜକୁ ତ ସମ୍ଭାଳିପାରୁନୁ,ଆଉ ମୋତେ କଣ ସମ୍ଭାଳିବୁ ? ନାଥିଆକୁ ଭାରି ଅପମାନ ହେଲା । ଏଇ ଦୋଷପାଇଁ ଆଜିଯାଏଁ ତା ବାହାଘର ହୋଇପାରୁନି । ବାହା ବୟସ ବି ଗଡିଗଲାଣି । ପାଖରେ ପଇସାଥିଲେ କଣହେବ ? ଏଇଲୀନା ପାଖରେ ଆଶାଥିଲା । ତା ବି ଗଲା । ଲୀନା ଦୁର୍ଗାମୂର୍ତି ଧାରଣ କରି ସେ ଆଣିଥିବା ଚିଜସବୁକୁ ବାହାରକୁ ଫିଙ୍ଗିଦେଲା । ଶାଳୀର କେତେ ବହପ ମ ! ନାଥିଆ ତା ଆଗେ କେତେ କାକୁତିମିନତି ହେଲା-ଲୀନା, ମୁଁ ତୋତେ ଭଲପାଏ । ତୋତେ ଦେଖିବା ଦିନଠୁଁ ମୁଁ ଖାଇବା ପିଇବା ଭୁଲିଯାଇଛି । ଅହରହ ତୁ ମୋ ଆଖିକୁ ଦିଶୁଛୁ । ମୁଁ ରାତିରେ ଶୋଇପାରୁନି । ତୁ ମୋ ସ୍ୱପ୍ନରେ ବି ଆସୁଛୁ । ତୋ ବିନା ମୁଁ ବଞ୍ଚି ପାରିବିନି ଲୋ ଲୀନା ।

ଠାଏକିନା ଚଟକଣୀଟିଏ ବସିଗଲା ନାଥିଆ ଗାଲଉପରେ.. । ଝାଇଁଝାଇଁ ହୋଇଗଲା ତା ମଥା । ଦରୁଆନ୍ ଆସି ତାକୁ ନେଇଗଲା ବାହାରକୁ । ପାଗଳଙ୍କ ଭଳି ସେ ତଥାପି କହିଚାଲିଥିଲା- କାଇଁ ମୋ ପାଖରେ ଶୋଇଲେ କଣ ତୋ ଇଜ୍ଜତ୍ ଚାଲିଯାଉଛି ? ଆଲୋ ମୁଁ ତୋ ମଥାରେ ସିନ୍ଦୂର ଦେଇ ସ୍ତ୍ରୀର ଅଧୀକାର ଦେବି । ହେଲେ ଏ ମାଲିକ ତୋତେ କଣଦେବ ? ତା ଚକଚକିଆ ଚେହେରାରେ ଭଳିଯାଉଛୁ ନାଇଁ ? ମୁଁ ତୋତେ ଗନ୍ଧଉଛି ଆଉ ତୋ ସାନମାଲିକ ତୋତେ ବାସହେଉଚି ? ତା ପାଖରେ ଶୋଇବାଟା ସ୍ୱର୍ଗସୁଖ ଭଳିଲାଗୁଚି ? କୋଉ ବଡ ଘରର ଝୁଅ ବା ତୁ ? ସେଇ ନର୍ଦ୍ଧମାରୁ ଆସିଛୁ । ଆଜି ଟିକେ ଟ୍ୟାପ୍‌ପାଣିରେ ସଫାଦିଶିଲୁ ବୋଲି ତୋତେ ଆମେମାନେ ଗନ୍ଧଉଛୁ ? କାଇଁ ଆମେକଣ କୁକୁର ? ଆମେମାନେ ମଣିଷ, ତୁ ବୋଧେ ଭୁଲିଯାଇଚୁ ଏଠି ରହିରହି । ସେତିକିବେଳଠାରୁ ସେ ଚଉରାମୂଳେ ବସିଛି ଯେ ବସିଛି !

ଆଉ ଘରଭିତରକୁ ଯାଇନି । ଗୋଟେଦୁଶ୍ଚିନ୍ତା ତାକୁ ଅହରହ ଖାଇ ଗୋଡାଇଛି । ନାଥିଆର ସେଇ ଶେଷକଥା ପଦିକ ତା କାନରେ ବାଜିଉଠୁଛି । ନର୍ଦ୍ଧମାରୁ ଆସିଛି ସେ..ସାନବାବୁ ପାଖରେ ଶୋଇବାଟା କାଳେ ତାକୁ ସ୍ୱର୍ଗସୁଖ ଭଳି ଲାଗୁଛି ! ତା ମଥାଘୂରାଇ ଦେଉଛି । ତା କାନପାଖରେ ରିଂ ରିଂ ହୋଇ ସେହିପଦମାନ ପ୍ରତିଧ୍ୱନିତ ହେଉଛି ଅହରହ । ସତରେ କଣ ସେ ବଦଳିଯାଇଛି ଏ ବଡଘରେ ରହି ? ସେ କଣ ଗରିବମାନଙ୍କୁ ଘୃଣା କରୁଛି ? ନା କେବେ ନୁହେଁ । ବରଂ ସେ ସାନବାବୁ ଓ ତାଙ୍କଘରପ୍ରତି ଏତେ ପରିମାଣରେ ସମର୍ପିତା ଯେ ଅନ୍ୟକାହାର ଡାକ ସେ ଶୁଣିପାରୁନି । ଅନ୍ୟର ସୁଖଦୁଃଖକୁ ସେ ବୁଝିପାରୁନି । ସେ କଣ କେବେ ବି ନାଥିଆକୁ ଭିନ୍ନ ଦୃଷ୍ଟିରେ ଦେଖିପାରିବ ? ସେ ତ ପୂର୍ଣ୍ଣପ୍ରାଣରେ ନିଜକୁ ଅର୍ପଣ କରିସାରିଛି । ସେଠି ନିନ୍ଦା ଓ ଅପବାଦର ସ୍ଥାନ କାହିଁ ? ତଥାପି ନାଥିଆର କଥାଗୁଡିକ ତାକୁ ଭୀଷଣ ଭାବରେ ଆଘାତ ଦେଇଛି । ଲୋକମାନେ ତାକୁ କଣ କେବଳ ଗୋଟେ ଶଯ୍ୟାସଙ୍ଗିନୀ ବୋଲି ମନେକରନ୍ତି ? ସେ କଣ ସାନବାବୁଙ୍କ.. ମୁହଁରେ ହାତଦେଇ ସେ ନୀରବରେ କାନ୍ଦିଉଠିଲା । ତା ଅନ୍ତର୍ବେଦନାଗୁଡିକ ଅସ୍ପଷ୍ଟଭାବେ ଉଚ୍ଚାରିତ ହେଉଥିଲେ-ନା ନା ମୋ ଠାକୁରଙ୍କୁ କଳୁଷିତ କରନାହିଁ । ମୋ ଦେହକୁ ପଛେ କାଦୁଅଫିଙ୍ଗ, ପାଉଁଶରେ ମୋ ମୁହଁକୁ ପଛେ କଳା କରିଦିଅ, ହେଲେ ମୋ ଠାକୁରଙ୍କୁ କାଦୁଅର ଛିଟା ବି ଲଗାଅନି । ସେ ନିର୍ଦ୍ଧୋଷ..ପବିତ୍ର ! କାନ୍ଦି ଉଠୁଥିଲା ସେ । ଯଦିଓ ଜାଣିଥିଲା ତା ଲୁହପୋଛିବାକୁ ଆଉକେହି ଆସିବେନି । ଚଉରାକୁ ଆଉଜି ଚାହିଁଥିଲା ଆକାଶକୁ । ଆକାଶର ଟିକିଟିକି ତାରାମାନଙ୍କୁ । ଭାବୁଥିଲା-ଜେଜେମାଆ ଯଦି ତାରାମାନଙ୍କ ମେଳରେ ତାକୁ ଦେଖୁଥିବ, ତେବେ ସେ ଅଦୃଶ୍ୟ ହାତରେ ତା ଆଖିରୁ ଲୁହତକ ପୋଛି ପକାଉଥିବ । ଭଲ ଲାଗୁ ନାହିଁ ଆଉ ଏ ଜୀବନ ! ମନତଳେ ଛୋଟିଆ ଇଚ୍ଛାଟିଏ ଜାଗିଉଠିଲା- ଜେଜେମାଆ, ବାବା, ମାଆ ମୋତେ ବି ତୁମସହିତ ନେଇ ଯାନ୍ତନାହିଁ ତୁମପାଖକୁ ? ତୁମେମାନେ ସେଠି ଏକାଠି କେତେ ସୁଖରେ ଥିବ । ମୁଁ ଏଠି କେତେ ଏକୁଟିଆ ? ମୋତେ ଆଉ ଏ ଜୀବନ ଭଲଲାଗୁନାହିଁ ଜେଜେ ମାଆ । ତୁ ତ ସବୁ ଜାଣୁ । ଏତେ ଏକାକୀ କରି କେମିତି ଛାଡିପଳେଇଲୁ ? ମୋତେ ବି ତୁ ନେଇଯା’ । କଇଁକଇଁ ହୋଇ କାନ୍ଦିଉଠିଲା ସେ । ଅଫୁରନ୍ତ କୋହରେ..ପଥରୁଦ୍ଧା ଝରଣାଟି ହଠାତ୍ ବାଟଖୋଜି ପାଇଯିବା ପରର ଉଛୁଳା ଆବେଗ ଭଳି..ସେ ଝରାଇଚାଲିଥିଲା ଲୋତକଧାର । ସାନବାବୁଙ୍କ ଗାଡିଆସିଲା ବୋଧହୁଏ । ଲୀନା ପଛେଇ ପଛେଇ ଘରଭିତରକୁ ଚାଲିଗଲା । କେଜାଣି କାହିଁକି ପରିବେଶଟା ଥମ୍ ଥମ୍ ଲାଗୁଥିଲା ଅନିମେଶ୍‌ଙ୍କୁ । କିଛିଗୋଟାଏ ଅଘଟଣ ଘଟିଯାଇଥିବା ଭଳି ମନେହେଲା ।

ଦରୁଆନ୍‌ଠାରୁ ସବୁଶୁଣିଲା ପରେ ସେ ଭୀଷଣଭାବରେ ରାଗିଲେ । କଥାଟା କାଳେ ବେଶୀ ବଢିଯିବ ଓ ସେଥିପାଇଁ ବିଚାରି ଲୀନା ବଦନାମ୍ ହୋଇଯିବା ଭୟରେ ସେ ନୀରବ ରହିଲେ । କିନ୍ତୁ ତା ପରଦିନଠାରୁ ମଦନାଠାରୁ କ୍ଷୀର ନେବା ବନ୍ଦହୋଇଗଲା । ମଦନାକୁ ସାନବାବୁ ହୁସିୟାର କରିଦେଲେ – ଏଭଳିକାଣ୍ଡ ଆଉକେବେ ସୃଷ୍ଟିକଲେ ଆଉ କ୍ଷମା ମିଳିବନି । ଲୀନା ନୀରବିଯାଇଛି ଆଗଠାରୁ । ଅନିମେଶ୍ ମନେ ପକାଇଲେ ତା ପିଲାଦିନ – କେତେ ଚୁଲବୁଲି ଆଉ ଲାଜେଇଟେ ଥିଲା ଏଇ ଲୀନା । ଆଜି କେତେବଡ ବିବାହଯୋଗ୍ୟା ହୋଇଗଲାଣି । ଏଥରକ ସେ ଜାଣିପାରିଲେ ଧାଈମାଆର ଶେଷକଥା ପଦିକ.. ! ସେ କାହିଁକି ବିକଳ ହୋଇଉଠିଥିବ ମୃତ୍ୟୁଶେଯରେ ଥାଇ ? ଏଇଲୀନା ପାଇଁ ! ସେ ତା ଅଲକ୍ଷ୍ୟରେ ଚାହିଁଲେ ତାକୁ । ହଁ ଢେର୍ ବଦଳିଯାଇଛି ସେ । ଫ୍ରକ୍‌ଛାଡି ଶାଢୀ ପିନ୍ଧିଲାଣି । ହେଲେ ସେ କଣତାକୁ ପ୍ରକୃତରେ କେବେ ଲକ୍ଷ୍ୟ କରିନାହାନ୍ତି ୟା’ପୂର୍ବରୁ ? ଓଠରେ ହସର ଭଉଁରିଟିଏ ଖେଳିଗଲା । ତାକୁ ଘୋଡାଇବାକୁ ସେ ଲୀନାକୁ ଚା’ ମାଗିଲେ । ଏମିତି ଅନେକଲୋକ ଅନେକ ଅଯଥା କଥା କହିବେ । ଆମେ କଣ ସେସବୁକୁ ଧରିବସିବା ? ଆମେ ବରଂ ଆମ ଇଚ୍ଛାନୁସାରେ ବଞ୍ଚିବା । ଲୀନା ତାଙ୍କକଥାକୁ ବୁଝିବାକୁ ଚେଷ୍ଟା କରୁଥିଲା ।

ତା’ପରେ

ଲୋକପ୍ରିୟ ଲେଖା

To Top