ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ସେହି କୁତ୍ସିତ ଓ ଘୃଣ୍ୟଖେଳ । ସେ ଆଉପାରୁନି । ଲଜ୍ଜା, ଅପମାନ ଓ ରାଗରେ ଜଳିପୋଡିଯାଉଛି । ଅଥଚ ଲେଶମାତ୍ର ନିଆଁନାହିଁ ପାଖରେ ! ପ୍ରତିରୋଧ କରିବାର ସମସ୍ତ ଶକ୍ତି ଏବେ ଲୁପ୍ତ । ଅବଶ ହୋଇଆସୁଛି ତା ଶରୀର ! ଋକ୍ତରେ ଭିଜିଯାଉଛି ତାର ପବିତ୍ରତା !

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୂର୍ବରୁ :-

ସେଦିନ ସଂଧ୍ୟାବେଳେ ସଉଦାସାରି ଫେରୁଥିଲା ଲୀନା । ଯଦିଓ ସେ ମୁହଁ ସଞ୍ଜରେ କେବେ ମାର୍କେଟ ଯାଏନାହିଁ । ଆଜି ସାନବାବୁଙ୍କ ସାର୍ଟପ୍ୟାଣ୍ଟ ସବୁକୁ ଆଇରନ୍ କରିବାର ଥିଲା । ଟେଲର୍ ପାଖରୁ ତା ବ୍ଲାଉଜ୍ ଓ ବଜାରରୁ ପରିବା ଆଣୁଆଣୁ ଏତେ ବିଳମ୍ବ ହୋଇଗଲା । ବେଗାବେଗି ପାଦ ପକାଇଲା ସେ ଆଗକୁ । ଶୂନ୍‌ଶାନ ରାସ୍ତାନଥିଲେ ବି କାଁ ଭାଁ ଲୋକ ଯିବା ଆସିବା କରୁଛନ୍ତି । ସେ ଛକଠାରୁ ଦୁଇଜଣଲୋକ ତାର ପିଛାକରିବା ଆରମ୍ଭ କରିଛନ୍ତି । ଏଇକିଛିଦିନ ତଳର କ୍ଷତ ମନତଳୁ ଶୁଖି ନାହିଁ । ପୁଣି ଗୋଟେ ଘଟଣା ଘଟିବାକୁ ଯାଉଛି । ତାକୁନେଇ କଣ ଦୁର୍ଘଟଣା ଘଟିଚାଲିଥିବ? ଏଥିରୁ କଣ ଆଉ ନିସ୍ତାରନାହିଁ ତାକୁ? ଅନ୍ଧାର ଘନେଇଆସୁଛି । ଲାଗୁଛି ଏଇ ତ ଖୁବ୍ ଶୀଘ୍ର କେମିତିରାତିର ବୟସ ବଢିଯାଉଛି ! ରାସ୍ତାଟି ପୁରାପୁରି ଶୂନ୍‌ଶାନ୍ । ଦୁଇଜଣ ଲୋକ ତାର ଅନୁସରଣ କରୁଛନ୍ତି । ସେମାନଙ୍କ ମୁହଁରେ କପଡା । ଆଖି ପିଛୁଳାକେ ଆଉ ଦୁଇଜଣ ସେ ବୁଦା ଭିତରୁ ବାହାରିଆସିଲେ । ସେମାନେ ସମସ୍ତେ କାବୁକରିନେଲେ ତାକୁ । ଲୀନା କେତେ ଛାଟିପିଟି ହେଲା । କାକୁତି ମିନତି ହେଲା । ଠାକୁରଙ୍କ ରାଣନିୟମ ପକାଇଲା । ହେଲେ ସବୁକିଛି ବେକାର! ବେକାବୁହୋଇ ରାଗରେ ଲୋକଟିଏ ଚିତ୍କାରକଲା-ଶାଳୀ, ଭାରି ମଜ୍ଜା ଲାଗୁଛି ନା ସେ ଗୋରାବାବୁ ସାଙ୍ଗରେ । ତାରି ଦେହରେ ଦିନରାତି ଘସିହୋଇ ତୁ କେତେ ଗୋରା ପଡିଚୁ ? ଏବେ ଦେଖ୍ ତୋ ଅବସ୍ଥା ! ସେଦିନ ଚାପୁଡା ମାରି ଘରୁ ତଡି ଦେଇଥିଲୁ ନା ଆଜି ଦେଖ୍ ତୋ ବାବୁ ବି ତୋତେ ଦେଖିଡରିବ । ତା ଘରେ ପୂରାଇଦେବନି । ତାପରେ କୁଆଡେଯିବୁ ତୁ ନିଜର ବୋଝକୁନେଇ ? ମରି ତ ପାରିବୁନି । ଆଲୋ ତୋ ଭଳି ମାଇକିନା ମାନେ କଣମରନ୍ତି ? ବରଂ ବଞ୍ଚିବା ପାଇଁ ଏଇକାମକୁ ନିଜରପେଷା କରିନିଅନ୍ତି । ମୁଁ ଜାଣିଚି ପରା, ତୁ ବୁଲିବୁଲି ପୁଣି ଆମରି ପାଖକୁ ଆସିବୁ । ଆଉ ମୁଁ ତୋତେ ମୋ ଘରର ଚାକରାଣୀ କରିରଖିବି । ତୋ ଗୋଡ ପାଖକୁ ଯାଇଥିଲି । ସମ୍ମାନର ସହିତ ତୋତେ ଆପଣେଇ ଥାଆନ୍ତି । ହେଲେ ମୋର ସେ ମାନ ତୁ ରଖିଲୁନାଇଁ । ଏବେ ତୁ ଆସିବୁ ମୋ ଗୋଡତଳକୁ । ତୁ ଚାକରାଣୀ ହୋଇ ଜନ୍ମନେଇଛୁ । ଆଉ ଚାକରାଣୀହୋଇ ଚାଲିଯିବୁ ଏ ସଂସାରରୁ । ସେଇଆ ହିଁ ତୋ ଭାଗ୍ୟ ! ଲୀନା କଇଁକଇଁ ହୋଇ କାନ୍ଦୁଥିଲା । ଏସବୁ ମଦନା ଓ ନାଥିଆର କାମବୋଲି ଜାଣିବାକୁ ଆଉ ତାକୁ ବାକିନଥିଲା । ସେ ଗୋଡତଳେ ପଡିଗଲା-ମୋର ଭୁଲ୍‌ହେଇଚି ନାଥିଆ ଭାଇ । ମୋତେ କ୍ଷମାକର । ଏତେବଡଦଣ୍ଡ ଦିଅନାହିଁ । ମାରିଦିଅ ପଛକେ । ସେମାନେ ତାକୁ ଘୋଷାରିନେଉଥିଲେ ବୁଦାମୂଳକୁ । ବିଦାରି ପକାଉଥିଲେ ତାର ବେଶବାସ । ଚିଲଶାଗୁଣା ପରି ତା ମାଂସରୁ ପୁଳପୁଳା ଭିଣିପକାଉଥିଲେ ଯେପରି । ଅକୁହା ଯନ୍ତ୍ରଣାରେ ଶୀହରିଉଠୁଥିଲା ସେ । ତା ପାଟିଭିତରେ ଭର୍ତ୍ତିହୋଇଥିଲା ତା ଶାଢୀର କିଛିଅଂଶ । ବିନାଶବ୍ଦରେ ଆଖିରୁ ଲୁହଝରି ଯାଉଥିଲା ଯନ୍ତ୍ରଣାର ନିଆଁରେ । ଲାଗୁଥିଲା ସାରାଶରୀରରେ ସତେଯେପରି ନିଆଁଚେଙ୍କ କେହି ମାଡିଦେଉଛି । ତା ଦେହରୁ ଛାଲ ଉତାରିଦେଉଛି । କ୍ଷୁଧିତ ବ୍ୟାଘ୍ରପରି ମାରିବାପୂର୍ବରୁ ସେ ତା ସହିତ ଖେଳୁଛି ! ସେହି କୁତ୍ସିତ ଓ ଘୃଣ୍ୟଖେଳ । ସେ ଆଉପାରୁନି । ଲଜ୍ଜା, ଅପମାନ ଓ ରାଗରେ ଜଳିପୋଡିଯାଉଛି । ଅଥଚ ଲେଶମାତ୍ର ନିଆଁନାହିଁ ପାଖରେ ! ପ୍ରତିରୋଧ କରିବାର ସମସ୍ତ ଶକ୍ତି ଏବେ ଲୁପ୍ତ । ଅବଶ ହୋଇଆସୁଛି ତା ଶରୀର ! ଋକ୍ତରେ ଭିଜିଯାଉଛି ତାର ପବିତ୍ରତା ! ମାଟିରେ ମିଶିଯାଉଛି ଲୁହ.. ସେ ଏମିତି କି ଭୁଲ୍ କରିଥିଲା,ଯାହାପାଇଁ ଏଭଳି ନିର୍ମମ ଦଣ୍ଡବିଧାନ ! ଦୁଇଦିନପରେ ତାର ଚେତା ଫେରିଲା । ନିଜକୁ ଆବିଷ୍କାରକଲା ସେ ହସ୍ପିଟାଲ୍ ବେଡ୍‌ରେ ।

ପାଖରେ ସାନବାବୁ.. ତାଙ୍କୁ ଚାହୁଁଚାହୁଁ ଲୁହ, କୋହରେ ଭିଜିଗଲା ସେ ଗୋଟାପଣେ! ସାନବାବୁ ତା ଆଖିରୁ ଲୁହ ପୋଛିଦେଲେ-କାନ୍ଦେନି । ମୁଁ ଅଛି ପରା ତୋ ପାଖରେ ! କେବେ ବି ତୋର ଆଉ କିଛିହେବନିି ! ତଥାପି ସେ କାନ୍ଦିଲା,ମନଭରି ! ଆଉ ବଞ୍ଚିକି ଲାଭ କ’ଣ ! ସେ ଭଲା ମରିଯାଇଥାନ୍ତା ସେହି ଠାରେ । ଆଉ ପୁଣି କିଭଳି ଦୁଃଖଲେଖା ଛି ତା ଭାଗ୍ୟରେ? ମୁଁ ମରିଯିବାକୁ ଚାହେଁ ସାନବାବୁ । ଏତିକିମାତ୍ର ସେ କହିପାରିଲା..ମୁହଁଖୋଲି ଦୁଇଦିନପରେ । ସାନବାବୁଙ୍କ ଆଖି ଜକେଇଆସିଲା ।

ସେ ଆବେଗରେ କହିପକାଇଲେ-ଲୀନା, ତୁ କଣ ଜାଣିନୁ, ତାପରେ ମୋର ଅବସ୍ଥା କଣ ହେବ ! ମୋପାଇଁ ଆଉ କେହି ନାହାନ୍ତି ତୋ ବ୍ୟତୀତ । ଆଉ ତୁ ମରିବାକଥା କହୁଛୁ ? ଗଗନଅଜା ପାଖକୁ ଆସି କହିଲେ-ମାଆରେ ସାନବାବୁ ହିଁ ତୋତେ ସେ ରାକ୍ଷସମାନଙ୍କ କବଳରୁ ବଞ୍ଚାଇଛନ୍ତି । କିଛିଆଶଙ୍କା କରି ଗାଡି ସେଠାରେ ଅଟକାଇବାକୁ କହିଲେ ସାନବାବୁ । ମଝିରାସ୍ତାଟାରେ ସାନବାବୁଙ୍କ ଆଇରନ୍ ପକା ସାର୍ଟ ପ୍ୟାଣ୍ଟ ଓ ବଜାର ସଉଦା ବ୍ୟାଗ୍ ଓ ପରିବା ସବୁ ବିକ୍ଷିପ୍ତହୋଇ ପଡିଥିଲେ ଏଣେତେଣେ । ତାପରେ କିଛି ଅସ୍ପଷ୍ଟଶବ୍ଦ ଶୁଭିଲା ସେ ବୁଦାମୂଳରୁ । ସାନବାବୁ ସେମାନଙ୍କଠାରୁ ତୋତେ ମୁକୁଳେଇଆଣିଲେ ଗାଡିଭିତରକୁ । ସେ ନରପିଶାଚମାନେ ତୋତେ ଭିଣିପକାଇଥିଲେ । ତୋ ରକ୍ତାକ୍ତଦେହକୁ ସାେଙ୍ଗସାେଙ୍ଗ ନେଇଗଲେ ହସ୍ପିଟାଲ୍ । ସେ ଚାରିଜଣଯାକ ଏବେ ଜେଲ୍‌ଭିତରେ । ଯାହାହେଉ ତୁ ଠିକ୍ ଅଛୁ । ଆଉ କିଛି ଦୁଃଖ ନାହିଁ । ସାନବାବୁ ତ ଦି’ଦିନ ହେଲା ଉପାସ ପଡିଛନ୍ତି ଏଇଠି । ଖାଲି ପେଟରେ ଚା’ପାଣି ଟିକେ ପଡିଛି ଯାହା ! ଗଗନଅଜା, ଲୀନା ଦୁହେଁ କାନ୍ଦିଲେ । ସାନବାବୁ ସେପଟକୁ ମୁହଁକରି ଆଖିରୁ ଲୁହ ପୋଛିଲେ । ମିଡିଆବାଲାଙ୍କୁ ଲୀନାର ପାଖ ମଡେଇନଦେବାକୁ ସାନବାବୁ ତା ପାଖରେ ଦୁଇତିନି ଜଣ ଲୋକଙ୍କୁ ଖଞ୍ଜିଦେଇଛନ୍ତି । ଜୀବନପ୍ରତି ମମତା ତ ନାହିଁ କେବେଠାରୁ । ଏବେ ସେ ଆଗଠାରୁ ଆଉରିବେଶୀ ନୀରବ । ପଚାରିଲେ ଯାହା ଉତ୍ତରମିଳେ । ନହେଲେ ନାଇଁ.. । କେବେ କେମିତି ଆଗରୁ ଅନ୍ଧାରକୁ ଭୟଲାଗୁଥିଲା । ଏବେ ସେତକ ବି ନାହିଁ । ସେ ଡରିବ କାହାକୁ ? ଡରିଲେ ରହିବ କୋଉଠି ? ସମଗ୍ର ଅନ୍ଧକାର ତା ଦୁନିଆଁରେ ବ୍ୟାପିଯାଇଛି ଯେମିତି ! ସେ ଅଣନିଶ୍ୱାସୀ ହେଉଛି ବୁନ୍ଦିଏ ଆଲୋକ ପାଇଁ । ଅଥଚ ତା ପାଖକୁ ଆଲୋକକୁ ଆସିବା ମନା । କୋଉ ମାଲ୍ୟୁଣୀ ପାଖରେ ବନ୍ଦୀ ତା ଆଲୋକର ଧାରା ! ଆଉ ତା ପୃଥିବୀରେ କେବେ ଦିନେ ସୂର୍ଯ୍ୟଉଇଁବେନି କିମ୍ବା ସକାଳ ହେବନି । ସେଇ ଅନ୍ଧକାର ଭିତରେ ଗୁମୁରି ଗୁମୁରି ସେ ଚାଲିଯିବ ସଂସାରରୁ । ଦେହର ବ୍ୟଥା ବଳିପଡୁଛି ବେଳକୁ ବେଳ । ଲାଗୁଛି ସେମାନେ ଛୁଇଁଥିବା ପ୍ରତିଟିଅଂଶକୁ ସେ କାଟିକି ଫିଙ୍ଗିଦିଅନ୍ତା ଯଦି ଯନ୍ତ୍ରଣାରୁ ମୁକ୍ତି ପାଆନ୍ତା ଅନ୍ତତଃ ! ଅଥଚ ସେ କାହାକୁ କାଟି ଅଲଗା କରିବ ତା ଦେହରୁ ? ସେମିତିରେ ତ ଆଉକିଛି ବି ବଳିପଡିବନି ଜୀଇଁବା ପାଇଁ । ଗୋଟେ ସଦ୍ୟଫୁଟିଥିବା ଫୁଲଟିକୁ କେହି ପିଲା ଦଳିଚକଟି ଫିଙ୍ଗିଦେବାପରି ସେ ଆଜି ମକଚି ହୋଇ ଯାଇଛି ସଂପୂର୍ଣ୍ଣ ଭାବେ । ସେ ଆଜି ନିଜର ପ୍ରତିଚ୍ଛବିକୁ ବି ଘୃଣାକରେ । ନିଜର ଛାଇକୁ ଦେଖି ଭୟଭୀତା ହୁଏ । ନିଜଦେହ ପ୍ରତି ବୈରାଗ୍ୟ ଜାତହୁଏ । ଏ ଦେହର ସେ ଏତେ ଯତ୍ନ ନିଏ..ଯାହା ବଳିପଡିଗଲା ଏଇ ନରପିଶାଚମାନଙ୍କ କ୍ଷୁଧା ପ୍ରଶମିତ କରିବାକୁ ? ଏ ଦେହର ପ୍ରତିଟିଅଂଗ ଆଜି ଜଡ.. । ମନତାର ବିଷେଇଉଠୁଛି ବେଳକୁବେଳ ।

ସେଦିନ ଖୁବ୍ ଅସହ୍ୟ ଘୃଣାରେ ବ୍ଲେଡ୍‌ରେ କାଟିପକାଇଥିଲା ନିଜକୁ । ରକ୍ତରେ ବୁଡିଗଲା ଗୋଟାପଣେ । ଭାବିଲା ଏବେ ସେ ମରିଯିବ ! ଲୀନା ନାମକ ଅଶୂଭଗ୍ରହଟି କଟିଯିବ ସାନବାବୁଙ୍କ ମଥାଉପରୁ ! ହେଲେ ସେ ମଲାନାହିଁ । ସାନବାବୁ ଯେମିତି ବି ହେଉ ତାକୁ ବଞ୍ଚାଇଲେ । ପୁଣି ଦ୍ୱିତୀୟଥର ପାଇଁ ତାକୁ ନୂଆଜନ୍ମଟିଏ ଦେଲେ । ହେଲେ ସବୁଠାରୁ ବେଶୀ କଷ୍ଟ ପାଇଲେ ସାନବାବୁ । ତାକୁ ହସ୍ପିଟାଲ୍ ନେବାଠାରୁ ଆରମ୍ଭ କରି ନିଜର ସମସ୍ତ କାମ ସେ ନିଜେନିଜେ କଲେ । ପ୍ରକୃତରେ ଏଯାଏଁ ସାନବାବୁ ହିଁ ତା କଷ୍ଟକୁ ତା ସହିତ ଭୋଗିଆସିଛନ୍ତି ଦୁନିଆଁର ପ୍ରଶ୍ନିଳ ନଜରକୁ ସାମ୍ନାକରି ! ମନକୁ ବୁଝାଇଲା-ସେ ତ ତା ଠାକୁରଙ୍କ ପାଇଁ ବଞ୍ଚିଛି । ଆଉ ସେହି ନିଷ୍ଠାରେ ସେ ଚାଲିଯିବ ଦିନେ । ସେଥିରେ ଅବହେଳା କରି ତା ଭକ୍ତି ଓ ନିଷ୍କଳଙ୍କ ପ୍ରେମରେ ଦାଗ ବସାଇବନି । ସାନବାବୁ ଅବଶ୍ୟ ଜେଜେମାଆକୁ ଦେଇଥିବା ପ୍ରତିଶ୍ରୁତିକୁ ସେ ପାଳନ କରୁଛନ୍ତି । ହେଲେ ତାଙ୍କ ମନକଣ ବିରକ୍ତିରେ ବିଡବିଡେଇ ଉଠୁନଥିବ ଲୀନାନାମକ ବୋଝଟି ବୋହୁବୋହୁ । ଭ୍ରୂକୁଞ୍ଚନ ହେଉନଥିବ ତାଙ୍କର ? ତେବେ ସେ ଯାହାହେଉ ଲୀନାକୁ କିନ୍ତୁ ବଞ୍ଚିବାକୁ ହେବ ବିଶ୍ୱସ୍ତଭୃତ୍ୟଟିଏ ପରି । ସାନବାବୁଙ୍କର ସେ ଆଗଠାରୁ ଆଉରିବେଶୀ ଖିଆଲ ରଖିବ । କାରଣ ସେ ତାର ସମସ୍ତଋଣ ପରିଶୋଧ କରିସାରିଛନ୍ତି । ତା ସହିତ ତାକୁ ବି ଋଣୀ କରିଦେଇଛନ୍ତି ସାରାଜୀବନ ପାଇଁ । ଏ ଯେଉଁ ଜୀବନ ସେ ଜୀଉଁଛି ସେ ଆଜିକାଲି..ସେ ଜୀବନ ତ ସାନବାବୁଙ୍କ ଦାନ । ସେ ଯେବେ କହିବେ ଚାଲିଯାଆ ବୋଲି ସେବେ ବିନାବାକ୍ୟ ବ୍ୟୟରେ ସେ ଚାଲିଯିବ ତାଙ୍କ ଆଗରୁ ସବୁଦିନପାଇଁ । ପ୍ରଶ୍ନଟିଏ ବି ପଚାରି ତାଙ୍କୁ ଅବମାନନା କରିବନି । ତଥାପି ସେଦିନ ସେ ଯନ୍ତ୍ରଣାକୁ ସେ ଆଜିଯାଏଁ ଭୁଲି ପାରୁନି । ସେମାନେ ତା ଜୀବନକୁ ରକ୍ତାକ୍ତ କରିଚାଲିଛନ୍ତି ପ୍ରତିଟି ମହୂର୍ତ୍ତରେ । ଆଉ ସେ ଯୁଝୁଛି ନିଜ ସହିତ, ସକାଳ, ସଂଧ୍ୟା ଓ ରାତି ସହିତ । ଲାଗୁଛି ଏମାନେ ସମସ୍ତେ ତା ଲାଗି ଷଡଯନ୍ତ୍ର କରୁଛନ୍ତି! ସେଦିନ ସାନବାବୁ ଗମ୍ଭୀର ସ୍ୱରରେ ପଚାରିଲେ-ତୁ ଖାଇସାରିଲୁଣି ତ !

ଲୀନା କ୍ଷୀଣ ସ୍ୱରରେ ହଁ ଭରିଲା ।

ମୋ ପାଖରେ ରହି ମୋର ଓ ଏ ଘରର କେତେ ଜଞ୍ଜାଳ ବୋହୁଥିବୁ? ମୁଁ ଭାବୁଛି ତୋର ବାହାଘର କରିଦେବି । ତୋର ମତ କଣ?

ଲୀନା ଚମକିପଡି କହିଲା-ବା..ହା..ଘ..ର? ହେଲେ କାହିଁକି ? ମୁଁ ମୋ ଅଜାଣରେ କଣ କିଛି କରିପକାଇଛି ନା ସେ ସନ୍ଧ୍ୟାର କର୍ମପାଇଁ ମୋତେ ଏ ଘରୁ ନିର୍ବାସିତ କରିଦେବ ସାନବାବୁ ? ହେଲେ ରାଣଖାଇ କହୁଛି-ମୁଁ ବିବାହର ଚିନ୍ତା କେବେ ବି କରିନି ।

ହେଲେ କେବଳ ସ୍ୱାର୍ଥପର ଭାବରେ ତୋତେ ବାନ୍ଧିରଖିଲେ ମୁଁ ମୋ ନିଜ ଆଖିରେ ଛୋଟହୋଇଯିବି ଲୀନା । ତୋର ତ ପୁଣି ଜୀବନଟିଏ ଅଛି । ବଞ୍ଚିବାର ଅଧୀକାର ବି ଅଛି । ଧାଈମାଆ ଭଳି ତୁ ଯେ ସଂସାରରେ ଏକା ହୋଇଯାଆ, ତାହା ମୁଁ କେବେ ଚାହେଁନି । ତା ଜୀବନରେ ସିନା ତୁ ଥିଲୁ, ହେଲେ ତୋ ପାଇଁ କିଏ ଅଛି ? ତୋ ମନକଥା, ବ୍ୟଥା ବାଣ୍ଟିବାକୁ ,ତୋ ସହିତ ଟିକେ ହସିବାକୁ କି ବସିବାକୁ କିଏ ଅଛି ? ଏମିତିରେ ନିଜର ବୋଲି କହିବାକୁ ତୋ ପାଇଁ କେହିନାହାନ୍ତି ।

ମୁଁ ତ ସେସବୁ ଚାହିଁନି କେବେ !

ତେବେ ତୁ କଣ ଚାହୁଁ ? ମନଖୋଲି କହ ଲୀନା ! ତୁ କହିଲେ ସିନା ମୁଁ କିଛି କରିପାରିବି !

ମୋ ମନରେ କିଛି ଭାବନା ନାହିଁ । ଖାଲି ବଞ୍ଚିବାର ଅଛି ବୋଲି ବଞ୍ଚିଯାଉଛି ।

ହଁ ତୋ ଇଚ୍ଛା ଅନୁସାରେ ତୁ କରିବୁ ସବୁକିଛି । ଆଉ ମନହେଲେ ଆତ୍ମହତ୍ୟା କରିବାର ଚେଷ୍ଟା ବି ଜାରିରଖିବୁ, ନୁହେଁ । ଲୀନା ଏଥର ବୁଝିପାରିଲା ସାନବାବୁଙ୍କ କଥାର ରହସ୍ୟ । ନିଜଭୁଲ୍ ସ୍ୱୀକାରିକହିଲା-ମୁଁ ସେ ପାପକରିଛି । ଯାହା ଶାସ୍ତିଦେବ ମଥାପାତି ସହିନେବି ।

ତୁ କେବେ ଭାବିଛୁ ଲୀନା, ତୋର ଯଦି କିଛି ହୋଇଯାଇଥାନ୍ତା, ପରିସ୍ଥିତି କଣ ହୋଇଥାନ୍ତା? ମୋ ଅବସ୍ଥା ଓ ଘରର ଅବସ୍ଥା କଥା ଛାଡ । ପୋଲିସ କଷ୍ଟୋଡି ଭିତରେ ମୁଁ ଥାନ୍ତି ଅନିର୍ଦ୍ଧିଷ୍ଟ କାଳଯାଏଁ । ଏ ଘର ଯାହାକୁ ତୁ ଦେବାଳୟ ଭଳି ମନେକରୁ, ଦିନେ ଭୂତକୋଠି ପାଲଟିଥାନ୍ତା! ଏତେବଡ ନିଷ୍ପତ୍ତି କିପରି ନେଲୁ ତୁ !

ଖାଲି ତୁମକୁ କଷ୍ଟରେ ଘାଣ୍ଟିଚକଟି ହେବାର ଦେଖି ବ୍ୟସ୍ତହୋଇପଡିଲି । ଲାଗିଲା ତୁମପାଇଁ ଓ ଏ ଘରପାଇଁ ମୁଁ ଗୋଟେ ଅଶୁଭଗ୍ରହ ! ସେଥିପାଇଁ.. ।

ଛାତର ଉପରକୁ ଚାହିଁ ସେ ଭାବୁଥିଲେ ନିଜଜୀବନର ଅଙ୍କାବଙ୍କା ନଈଟିର କଥା.. । ଜୀବନ ଆଣି ତାଙ୍କୁ କୋଉଠି ପହଞ୍ଚାଇଦେଲା ! ଲୀନାର ଏତେ ତ୍ୟାଗ, ଜୀବନବ୍ୟାପୀ ସାଧନା କାହିଁକି ? ସେ କାହିଁକି ତା ଭାଗର ଜୀବନ ବଞ୍ଚିବାକୁ ଆଗ୍ରହୀ ନୁହେଁ? ସେ କଣ ଅପ୍ରାପ୍ତି ଜନିତ ଜୀବନ ଭିତରେ ବି ସୁଖୀ ? କେମିତି ସେ ଏତେ ଉଚ୍ଚକୁ ଯାଇପାରେ । ମନିଷା ତ ତା ସାଧନାର ଏକଭାଗ ବି କରିପାରିବା ଭଳି ନୁହେଁ । ନିଜର ସୁଖ, ଇଚ୍ଛାମାନଙ୍କୁ ଜଳାଞ୍ଜଳି ଦେଇ ଏମାନେ କଣ ପାଆନ୍ତି ଜୀବନରେ ? ଏମିତିରେ ନିଜରବୋଲି କହିବାକୁ ତା ପାଖେ କେହି ବି ତ ନାହାନ୍ତି । ସେ କଣ ଏମିତି ପାଷାଣୀଟିଏ ଭଳି ତପସ୍ୟା ଜାରିରଖିଥିବ ଶ୍ରୀରାମଙ୍କ ବାଟକୁ ଚାହିଁ ଚାହିଁ ! ସମ୍ପୂର୍ଣ୍ଣ ବିନିଦ୍ର ରଜନୀ ଓ ବେପଥୁ ମନତଳେ ଅସରନ୍ତି ଅନୁରାଗର କୁସୁମ ଅଜାଡିଦେଇ ? କେମିତି ସେ ଅନ୍ୟପାଇଁ ସବୁକିଛି କରିପାରେ ? ତାହା ପୁଣି ଅସୀମ ଧୈର୍ଯ୍ୟ ଓ ଅଫୁରନ୍ତ ଆଗ୍ରହରେ । ସେ କଣ ଦେବୀ ନା ତା ଭାଗ୍ୟାକାଶର ପରୀଟିଏ ସେ ? ମନେପଡେ ତା ପିଲାଦିନ..ତାର ଅମାପସ୍ନେହ, ଶ୍ରଦ୍ଧା । ପ୍ରକୃତରେ ତାକୁ ବିବାହ କରି ଅନ୍ୟଘରକୁ ପଠାଇଦେଲେ ସେ କଣ ଶାନ୍ତିରେ ବଞ୍ଚିପାରିବେ ? ଲୀନା କେବଳମାତ୍ର ଘରର କେୟାରଟେକର୍ ନୁହେଁ । ସେ ଆଉକିଛି..ତାଠାରୁ ଢେର୍ ଅଧିକ । ସେଦିନ ହସ୍ପିଟାଲ୍ ବେଡ୍ଉପରେ ଏମିତି ବିକ୍ଷିପ୍ତ ଓ ଅସହାୟ ଭାବରେ ଦେଖି କାହିଁକି କେଜାଣି ତାଙ୍କଆଖିରେ ଲୁହ ଆସିଯାଇଥିଲା । ସେ ପିଲାଙ୍କ ଭଳି କଇଁକଇଁ ହୋଇ କାନ୍ଦି ଉଠିଥିଲେ । ଯେମିତି ବାପା, ମାଆ ଓ ଧାଈମାଆଙ୍କ ମୃତ୍ୟୁରେ ସେ କାନ୍ଦିଥିଲେ, ଠିକ୍ ସେମିତି! କାହିଁକି ସେ ଏତେ ଅଧୈର୍ଯ୍ୟ ହୋଇପଡିଥିଲେ ତାର ସେ ଅବସ୍ଥାଦେଖି । ସେ ଜୀବନ ଓ ମୃତ୍ୟୁସହିତ ଲଢୁଛି ବୋଲି ଡାକ୍ତର କହିବାପରେ ସେ କାହିଁକି ମନ୍ଦିରକୁ ଧାଇଁଯାଇଥିଲେ ଲୀନା ନାଁରେ ଦୀପଟିଏ ଜାଳିବାକୁ । ଠାକୁରଙ୍କୁ ତା ଜୀବନପାଇଁ ମିନତି କରିବାକୁ? ତାଙ୍କ ପାଇଁ ଲୀନା କଣ ଖାଲି ଜଷ୍ଟ୍ ଗୋଟାଏ ଆଟାଚମେଣ୍ଟ? ମୁଣ୍ଡଟା ଭାରିଭାରି ଲାଗିଲା । ସଂସାରଟା ଆଖିଆଗେ ଚକ୍ରୀପରି ଘୂରିବାକୁ ଲାଗିଲା । କିଛି ସମାଧାନ ନାହିଁ ସମସ୍ୟାମାନଙ୍କର । ତା ଜୀବନରେ ସବୁକିଛି ଅସମାହିତ । ଏମିତି ଭାବୁଭାବୁ ଆଖିକୁ ନିଦ ଆସିଯାଇଥିଲା ।

ବଗିଚାରେ ଆଜିକାଲି ଆଉ ଫୁଲଫୁଟେନି । ଠାକୁରପୂଜାଟା ଯେନତେନ ପ୍ରକାରେ ଖାଲି ଚଳିଯାଏ । ବାକିଫୁଲତକ ସେମିତି ଗଛରେ ମଉଳିଯାଆନ୍ତି । ଲାଗେ ସେମାନେ କୋଉଗୋଟେ ଅକୁହାବେଦନାରେ ବ୍ୟଥିତ ହୋଇପଡୁଛନ୍ତି ! ଅଭିମାନରେ ଜର୍ଜରି ଉଠୁଛନ୍ତି ! ସାନବାବୁଙ୍କ ମୁହଁରେ କିମ୍ବା ଲୀନାମୁହଁରେ ହସନାହିଁ ଆଗ ଭଳି । ଦୁହେଁ ଦୁହିଁଙ୍କଦୁଃଖରେ ଗୁମୁରି କାନ୍ଦୁଛନ୍ତି ନୀରବରେ । ସତେଯେପରି ଦୁଇଟି ସମାନ୍ତରାଳ ସରଳରେଖା, ଆଖପାଖରେ ଥାଇ ବି କେହି କାହାରିକୁ ଛୁଇଁପାରୁନାହାନ୍ତି । ଆଜିକାଲି ସେ ତାଙ୍କ ଆଖିସହିତ ଆଖିମିଶାଇ ମୁକ୍ତଭାବରେ କଥାହୋଇ ପାରୁଛି । ଅତୀତର ଲଜ୍ଜାନାହିଁ ଆଉ ତା ଆଖିରେ କି ମନରେ । ସେ ସାମ୍ନା କରିପାରୁଛି ଆଜିକାର ସ୍ଥିତି ଓ ଦୁଃସ୍ଥିତିମାନଙ୍କୁ । ଲାଗୁଛି ଏତେଦିନ ପରେ ସେ ପ୍ରକୃତରେ ସ୍ୱାଧୀନ ହୋଇଛି ! ସେ ପବନ ପରି ଚାରିଆଡେ ସଞ୍ଚରିଯାଇପାରୁଛି ଅବାଧରେ ।

ବାସନ ଗୋଟାଇ ସେ ଚାଲିଗଲାଣି କେତେବେଳୁଁ । ବିଳମ୍ବିତ ରାତି.. । ଆଜିକାଲି ଶୋଇବା ଉଠିବାରେ କୌଣସି ନିର୍ଦ୍ଧିଷ୍ଟ ସମୟନାହିଁ ସାନବାବୁଙ୍କର । ଆଉ ସେ ନଶୋଇଲେ ଲୀନା ବି ନିଶ୍ଚନ୍ତରେ ଶୋଇପାରେ ନାହିଁ । ଜେଜେମା’ ଆଗରୁ କହେ- ମନ୍ଦିର ଯିବାକୁ । ହେଲେ ସେ ସାନବାବୁଙ୍କୁ ଫୁଲଦେଇସାରିଲା ପରେ ଏତେ ପରିମାଣରେ ତୃପ୍ତହୋଇଯାଏ ଯେ ମନ୍ଦିର ଯିବା ଭୁଲିଯାଏ । ଈଶ୍ୱରଙ୍କୁ ପୂଜାକରି ଜଣେ ଯେତିକି ଆତ୍ମତୃପ୍ତି ପାଏ ସାନବାବୁଙ୍କ ସେବାକରି ସେ ବି ସମପରିମାଣର ତୃପ୍ତହୁଏ ।

ସାନବାବୁଙ୍କ ରୁମ୍‌ରେ ନିତିଦିନ ପରି ହଳଦୀ ମିଶା ଗରମକ୍ଷୀର ଗ୍ଲାସଟି ରଖିଦେଇ ସେ ଚାଲିଆସିଲା ସେଠାରୁ । ସେ ଚାହିଁଥିଲା ଜୀବନବ୍ୟାପୀ ସାନବାବୁଙ୍କ ସେବା..ତାଙ୍କ ସରଳ ଓ ନିରୀହ ମୁଖମଣ୍ଡଳରେ ଦୁନିଆଁର ସବୁତକ ସୁଖ ଓ ପ୍ରାପ୍ତି । ହେଲେ ଆଜିକାଲି ତାଙ୍କ ମୁହଁରେ ଅବସନ୍ନତା, ଅସହାୟତା । ସେ ବି ତାଙ୍କ ଭିତରେ କୁହୁଳିଉଠନ୍ତି ନୀରବରେ । ଆଉ ସେ ଜ୍ୱଳନ ଲୀନାକୁ ସ୍ପର୍ଶକରେ । ତାକୁ ବି ଦଗ୍ଧୀଭୂତ କରାଏ । ଅବଶୋଷରେ ଭିଜିଯାଏ ମନ । କାହିଁକି ସାନବାବୁ ଏତେ ଅତୃପ୍ତ ? ସେ କାହିଁକି ଚାଲିଯାଉନାହାନ୍ତି ତାଙ୍କ ପରିବାର ପାଖକୁ ? ତାଙ୍କ ସୁଖ ବିଷୟରେ ଭାବୁଭାବୁ ମନେପଡେ ତା ନିଜକଥା..ସେ ଗଲାପରେ ଲୀନା କଣ କରିବ, କିପରି ଜୀଇଁବ କି ସ୍ୱପ୍ନ ଦେଖିବ? କୋଉଆଶାରେ ସକାଳୁ ଉଠିବ ? ମନକଣ ଶକ୍ତଥିବ ଆଶାର ବୋଝ ସହିବାକୁ, ସେଥିରେ କାଠିକୁଟାର ବସା ବାନ୍ଧିବାକୁ ? ନହେଲେ ବିବେକର ଶକ୍ତ ଧକ୍କାରେ ସେ ବସାଟି ଭାଙ୍ଗିରୁଜି ବିକ୍ଷିପ୍ତ ହୋଇଯିବ । ତା ପୃଥିବୀ ଧ୍ୱଂସମୁଖକୁ ଚାଲିଯିବ ! ତା ବୋଲି କଣ ସାନବାବୁ ତାଙ୍କ ନିଜସ୍ୱ ଜୀବନ ଜୀଇଁବେ ନାହିଁ ? ତାଙ୍କ ମୁହଁର ଏ ଅବସନ୍ନତା ସେ କିପରି ସହିପାରିବ ? ଅପ୍ରାପ୍ତିଜନିତ ଦୁଃଖମାନଙ୍କଠାରୁ ତାଙ୍କୁ କିପରି ବା ମୁକୁଳାଇବ ? ସାନବାବୁଙ୍କର ସେ ଜଡତାକୁ କେତେ ଆବୋରିବ ? ତାଙ୍କ ନୀରବ ଦହନରେ ସେ ବି ଜଳୁଛି ଠିକ୍ ସେହିପରି । ତାଙ୍କ ରୁମ୍‌ର ଲାଇଟ୍ ଏବେଯାଏଁ ଜଳୁଛି । ସେ ଅସହିଣୀ ଦୁଃଖ କଣ ତାଙ୍କୁ ରାତିସାରା ବି ଛଟପଟ କରୁଛି ଆଜିକାଲି? ହେଲେ ସେ ଆଉ ଆଗଭଳିହେବାକୁ ଚାହୁଁନାହିଁ । ପାଗେଳୀଙ୍କ ପରି ତୁଚ୍ଛାଟାକୁ ରାତିରାତି ଚେଇଁ ସ୍ୱପ୍ନରେ ହଜିଯିବାକୁ କିମ୍ବା ଗୁଡିଏ ବେପଥୁ ଶୀହରଣରେ ନିଜକୁ ଆକ୍ରାନ୍ତ କରିବାକୁ ସେ ଭୟକରେ ଆଜି । ଭିନ୍ନ ଏକସମୟ ! ସଂସାରର ଭିନ୍ନ ରୀତିନୀତି । ଜେଜେମା’ ଥିଲେ ତାର ଏ ଅନୁଭବିପଣିଆକୁ ଦେଖି କେତେ ଖୁସିହୋଇଥାନ୍ତା । ଆଜି ବି ତାର ପୁରୁଣା ଲୁଗାକେଇଟାଙ୍କୁ ସେ ସାଇତିଛି ସେଇ ଅଲଗୁଣିରେ । ସେଇ ଗନ୍ଧଭିତରେ ସେ ଶୋଇବାକୁ ଚେଷ୍ଟାକରେ ବେଳେବେଳେ । ଲାଗେ ସେ ଅଛି ତା ଆଖପାଖରେ !

ତା’ପରେ

ଲୋକପ୍ରିୟ ଲେଖା

To Top