ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ତୁମେ ନାରୀମନର ସେ ବିକ୍ଷିପ୍ତ ଚିତ୍କାରକୁ ବୁଝିପାରିବନାହିଁ, ଯାହାପାଇଁ ପ୍ରତିଟି ମୁହୂର୍ତ୍ତରେ ସେ କ୍ଷୁର୍ଣ୍ଣ ହୁଏ । ତାର ସୁଖୀହେବାର ଅଧୀକାର ବି ଛଡାଇ ନିଆଯାଏ ତାଠାରୁ । ମୁଁ ଗ୍ରହଣରେ ମ୍ଳାନଜହ୍ନଟିଏ.. ରୁଗ୍ଣ.. ବିପର୍ଯ୍ୟସ୍ତ !

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୂର୍ବରୁ :-

ନା ବାବୁ ମୋ ସ୍ଥିତି ମୁଁ ଭୁଲିନି..ମୁଁ ଖାଲି ଏ ଘରର ଚାକରାଣୀ ! ଏ ଘର ଓ ତାର ସଦସ୍ୟମାନଙ୍କ ଯତ୍ନନେବା ମୋର କାମ । ମୋର କାମ ହିଁ ମୁଁ କରିଛି ବିଶ୍ୱସ୍ତଭାବେ । ତେଣୁ ସେଥିପାଇଁ କୃତଜ୍ଞତା ମୋର ଆବଶ୍ୟକନାହିଁ । ତୁମେ ବରଂ ପିଲାମାନଙ୍କ ଭବିଷ୍ୟତ ଚିନ୍ତା କର ।

ଆଉ ତୋ କଥା..? ଅଚାନକ୍ ସାନବାବୁଙ୍କ ଏ ପ୍ରଶ୍ନରେ ଚମକିପଡିଲା ଲୀନା । ମୋ କଥା କଣ ବାବୁ ! ମଉଳାଫୁଲର କଥା ଭାବି ଲାଭକଣ ଆଉ ! ମୋ ଆଈ ଏ ଘରପାଇଁ କରିକରି ଶେଷରେ ଚାଲିଗଲା । ଆଉ ମୁଁ ବି ତୁମପାଇଁ, ତୁମ ପିଲାମାନଙ୍କ ପାଇଁ କରିକରି ଚାଲିଯିବି ! ନିଜକୁ କଥାଦେଇଛି ମୁଁ..ମୋ କାହାଣୀ ତ ଆରମ୍ଭ ନହୋଇ ସରିଯାଇଛି ବାବୁ ! ସୂକ୍ଷ୍ମମୃତ୍ୟୁ ତ କୋଉକାଳରୁ ହୋଇ ସାରିଲାଣି ମୋର । ସ୍ଥୂଳଭାବରେ ମୃତ୍ୟୁଟା ମୋଭାଗ୍ୟରେ ଯାହାବାକିଅଛି ।

ଏପରି କଥାକହି ତୁ କଣ ତାହେଲେ ମୋତେ ପୁଣି ଆଘାତ ଦେବାକୁ ଚାହୁଁ ?

ନା, ନା ! ତା କଣ ମୁଁ କେବେ ସ୍ୱପ୍ନରେ କଳ୍ପନା କରିପାରେ ସାନବାବୁ ! ମୁଁ ତ କେବଳ ତୁମକୁ ସୁଖୀଦେଖିବାକୁ ଚାହେଁ ।

ଯଦି ମୋ ଉପରେ ତୋର ଏତେ ମୋହ ମାୟା, ତେବେ ମୋତେ ସ୍ୱୀକାର କରିବାରେ ତୋର ଏତେ କୁଣ୍ଠା କାହିଁକି ? ତୁ କଣ କାହାକୁ ଭୟ କରୁଛୁ ? ଭଲପାଇବା ପାଇଁ ସବୁଝଡର ମୁକାବିଲା କରାଯାଇପାରେ ଲୀନା ! ସବୁକାଳେ ପ୍ରେମକୁ ଅଗ୍ନିପରୀକ୍ଷା ଦେବାକୁ ହୁଏ !

ମୁଁ ମଉଳାଫୁଲଟିଏ । ଯାହା ଅତୀତର ଝଡରେ ଝରିଯାଇଛି । ଯାହାର ଭଲପାଇବାରେ ଅଧୀକାର ନାହିଁ । ସେ ଏବେ କୀଟଦ୍ରଂଷ୍ଟା ! ଈଶ୍ୱରଙ୍କୁ ସେ ଫୁଲ କଣ ଲାଗି କରାଯାଏ ସାନବାବୁ ? ତୁମେ ନାରୀମନର ସେ ବିକ୍ଷିପ୍ତ ଚିତ୍କାରକୁ ବୁଝିପାରିବନାହିଁ, ଯାହାପାଇଁ ପ୍ରତିଟି ମୁହୂର୍ତ୍ତରେ ସେ କ୍ଷୁର୍ଣ୍ଣ ହୁଏ । ତାର ସୁଖୀହେବାର ଅଧୀକାର ବି ଛଡାଇ ନିଆଯାଏ ତାଠାରୁ । ମୁଁ ଗ୍ରହଣରେ ମ୍ଳାନଜହ୍ନଟିଏ.. ରୁଗ୍ଣ.. ବିପର୍ଯ୍ୟସ୍ତ ! ମୋ ଦେହରେ ସେ ଔଜଲ୍ୟ ଆଉକାହିଁ ସାନବାବୁ ? ସେ ଲୀନା ପ୍ରକୃତରେ ଆଉନାହିଁ ମୃତା !

ମୁଁ ଯଦି କହିବି ମୋର ଏଇ ମଉଳାଫୁଲଟି ହିଁ ଦରକାର ବୋଲି, ତୁ କଣ ଦେବୁନି ? ମୁଁ ଯଦି କହିବି ସେହି ମ୍ଳାନ ଜହ୍ନରେ ମୁଁ ମୋ ସୁଖର ସଂସାର ଗଢିପାରିବି ଆଉ ତାର ଝାପ୍ସା କିରଣରେ ଆଗକୁ ମଧ୍ୟ ବଢିପାରିବି ବୋଲି ତୁ କଣ ମୋ କଥାକୁ ଅସ୍ୱୀକାର କରିବୁ ? ତୋତେ ଆଉ କେତେ ପ୍ରମାଣ ଦରକାର କହତ ?

ମୁଁ ଚାକରାଣୀଟିଏ ସାନବାବୁ, ସେ ସ୍ୱପ୍ନ ମୋତେ ଦେଖିବାକୁ ମନା । ମୋ ସୀମାବାହାରର ସ୍ୱପ୍ନ ମୁଁ ଦେଖେନି ଆଉ କେବେ !

ତେବେ ମୋ ସୀମାଭିତରର ସ୍ୱପ୍ନ ଦେଖିବାରେ ତୁ କଣ ମୋତେ ବାଧାଦେବୁ ?

ସାନବାବୁଙ୍କ ପ୍ରଶ୍ନରେ ଲୀନା କହିଲା- ତୁମେ ସୁଖରେ ରୁହବୋଲି ମୁଁ ସବୁବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରେ ।

କାହିଁକି, ମୁଁ ତୋର କିଏ?

ଲୀନା ଆବେଗରେ କହିଲା-ତୁମେ ମୋ ଜୀବନଠାରୁ ବଳି ବେଶୀ ନିଜର..ଯାହାପାଇଁ ଜୀବନର ସବୁତକ ସୁଖ, ଚିନ୍ତା, ସ୍ୱପ୍ନ, ଆଶା, ଆକାଂକ୍ଷା….! କହୁକହୁ ଅଟକିଗଲା ସେ । ହୁଏତ ସେ ବୁଝିନେଲା ଯେ କେହିନଜାଣିଥିବା କଥାଟି ଆଜି ସାନବାବୁଙ୍କ ସମ୍ମୁଖରେ ଉଦ୍ଭାସିତ ହୋଇଯାଇଛି । ତା ଉପରର ସେ ନିର୍ଦ୍ଧିଷ୍ଟ ପରସ୍ତଟି ଖୋଲିଯାଇଛି ସକଳ ଅନିଚ୍ଛାସତ୍ତ୍ୱେ । ତା ଜୀବନରେ ଘୋଟିଥିବା ଅନ୍ଧକାରଦିଗଟିକୁ ସାନବାବୁ ସ୍ପର୍ଶକରିଯାଇଛନ୍ତି ଆଜି ! ନୀରବି ଗଲା ସେ..ସତ୍ୟଟି ଉନ୍ମୋଚନ ହୋଇସାରିଥିବା ଅବଶୋଷରେ ! ସାନବାବୁଙ୍କ ଓଠରେ ହସର ସୁସ୍ପଷ୍ଟ ରେଖାଟିଏ.. ଅନେକଦିନପରେ.. ବୋଧହୁଏ ଅନେକ ମାସପରେ !

ତେବେ ମୋ ପାଖକୁ ଆସିବାକୁ ତୋର ଏତେ ଭୟକାହିଁକି ? ହଜିଲା ସାଙ୍ଗଟିଏ ପରି ଦେହକୁ ଦେହ ଲଗାଇ ସେ ପାଖରେ ବସିପଡି କହିଲେ-ଦେଖ୍ ଝର୍କା ବାହାରର ସେ ଗଛମାନଙ୍କୁ । ତା ଡାଳରେ କେତେଫୁଲ । ସେ ଫୁଲମାନଙ୍କ ଭିତରେ ତୁ ତ ନୀଳପରୀଟିଏ । ଯାହାକୁ ବୁଝିନପାରି ଜୀବନରେ ମୁଁ ହାରିଯାଇଛି ! ମୋ ମନାକାଶରେ ତୁ ନୀଳ ତାରାଟିଏ.. ଯେ ମୋତେ ଅହରହ ତା ଭିତରେ ଆତ୍ମବିସ୍ମୃତ କରାଇଛି, ତଲ୍ଲୀନ କରାଇଛି । ଅଥଚ ମୁଁ ତାକୁ କେବେ ବି ଠିକ୍‌ରେ ବୁଝିପାରିନାହିଁ । ତାକୁ ସଠିକ୍ ଭାବେ ବୁଝିଲାବେଳକୁ ମୁଁ କ୍ଳାନ୍ତ ! କିନ୍ତୁ ମୋର ସ୍ଖଳନ ଘଟିନି ଲୀନା ।

ନା ବାବୁ ! ତୁମେ ତ କେବେ କାହାର କିଛି କ୍ଷତିକରିନାହଁ ! ତେଣୁ ଈଶ୍ୱର ତୁମ ଉପରେ ବେଶୀସମୟ ଅସନ୍ତୁଷ୍ଟ ରହିପାରିବେ ନାହିଁ । କାଳରାତ୍ରୀ ପାହିଗଲା ପରେ ତୁମ ଜୀବନରେ ପୁଣିଥରେ ପୂର୍ଣ୍ଣମୀର ଜହ୍ନ ଉଇଁଉଠିବ । ତୋଫା ସକାଳଟିଏ ତୁମର ପ୍ରତୀକ୍ଷା କରିବ । ପୁଣି ଅନେକ ଗୋଲାପ ତୁମପାଇଁ ପ୍ରସ୍ଫୁଟିତ ହେବେ । ପୁଣିଥରେ ପ୍ରଜାପତି ମାନେ ତୁମଅଗଣାରେ ଉଡିବୁଲିବେ । ଖାଲିସମୟକୁ ଅପେକ୍ଷାକର, ସବୁଠିକ୍ ହୋଇଯିବ, ମୋ ମନକହୁଛି ।

ତାହେଲେ ତୁ ରାଜି କାହିଁକି ହେଉନାହୁଁ ମୋ ନିଷ୍ପତ୍ତିରେ ? ତୋରିପାଇଁ ତ ମୁଁ ହାରୁଛି ବାରମ୍ବାର । ତୁ ବୋଧହୁଏ ମୋରଲକ୍ଷ୍ୟ.. ! ସେଇଥିପାଇଁ ଏ ଦୁର୍ଦ୍ଧଶା ମୋ ଜୀବନରେ ! ଯାହାକୁ ମୁଁ, ମନିଷା, ପିଲାମାନେ, ବାପାମାଆ, ଧାଈମାଆ ଓ ତୁ ସମସ୍ତେ ଭୋଗିସାରିଛେ । ନିଜକୁ ତିଳ ତିଳକରି ଜଳାଇସାରିଛେ ! ଏଥର ପୁଣି ପଛକୁ ଫେରିବାରବେଳ । ଯେଉଁଠାରୁ ବାଟଭାଙ୍ଗି ମୁଁ ଅନ୍ୟପଥରେ ଆଗେଇଥିଲି, ଏବେ ସେଠାକୁ ହିଁ ଫେରିଯିବାର ଅଛି !

ଲୀନା ଦୃଢସ୍ୱରରେ କହିଲା-ମୁଁ ଯଦି ତୁମ ହାରିବାର କାରଣ ତେବେ ମୁଁ ଚାଲିଯିବି ଏଠାରୁ । ହେଲେ ତୁମକୁ ହାରିବାର ଦେଖି ସହ୍ୟ କରିପାରିବିନି ।

ଏତିକି ଶୁଣିବା ମାତ୍ରକେ ସାନବାବୁ ଚମକିପଡି କହିଲେ – ତୁ ମୋତେ କେବେ ବି ଛାଡିଯିବୁନି ଲୀନା । ସେଦିନ ଧାଈମାଆକୁ ଯେଉଁକଥା ଦେଇଥିଲି ମୁଁ ଜାଣିନଥିଲି ସେଇ ପ୍ରତିଶ୍ରୁତି ମୋ ନିଜପାଇଁ କାର୍ଯ୍ୟକରିବ ବୋଲି । ଜୀବନରେ ମୁଁ ତୋପାଇଁ ଯେତିକି ଜରୁରୀ ତାଠାରୁ ବେଶୀଜରୁରୀ ତୁ ମୋପାଇଁ । ତୁ ମୋତେ ଛାଡି ଚାଲିଗଲେ ଏତେ ଏକାକୀ ମୁଁ ବଞ୍ଚିପାରିବିନି । ତୁ ମୋ ଦୁନିଆଁ ଭିତରେ କେବେଠାରୁ ସାମିଲ୍ ହୋଇଗଲୁଣି ମୋ ଅଜ୍ଞାତରେ । ଆଉ ଆଜି ଏମାନଙ୍କ ଭିତରୁ କାହାରିକୁ ଛାଡି ମୁଁ ବଞ୍ଚି ପାରିବିନି । ସେତେବେଳକୁ ସାନବାବୁ ତାର ନିହାତିପାଖକୁ ଲାଗିଆସିଥିଲେ । ସେ ଦେଖୁଥିଲେ ଭିନ୍ନଏକ ଝିଅଟିକୁ, ଯେ ଅବିରତ ତାଙ୍କପାଇଁ ହିଁ ଜୀଇଁଚାଲିଛି । ହେଲେ ସେ କିପରି ଆବିଷ୍କାର କରିପାରିଲେନି ତା ମନତଳର ସେ ଗୁପ୍ତ କୋଠରୀକୁ । ଆଜି ସେ ତାଙ୍କ ଆଖିକୁ ପରୀଟିଏ ଭଳି ଭିନ୍ନ ଲାଗୁଥିଲା । ନୀଳଗୋଲାପର ପାଖୁଡା ପରି ସତେଜରୂପ ଆଖିକୁ ଝଲସାଇ ଦେଉଥିଲା । ସେ କଣ ନିବିଡଭାବରେ କାହିଁକି ଦେଖିପାରିନାହାନ୍ତି ତାକୁ ? କାହିଁକି ତା ମନଭିତରକୁ ଉହୁଁକି ଚାହିଁପାରିନାହାନ୍ତି ? ସେମାନଙ୍କ ବୟସରେ ଢେର୍ ପାର୍ଥକ୍ୟ ଥିଲେ ବି ଆଜି ଆନମନାଥିଲା ସମୟ ଦୁହିଁଙ୍କପାଇଁ ।

ଲୀନା ଫେରିବାକୁ ଉଦ୍ୟତହେଲା । ସାନବାବୁ କିନ୍ତୁ ଦୁଇବାହୁ ପ୍ରସାରି ଲୀନାକୁ ନିଜଭିତରେ ସାଉଁଟି ନେବାକୁ ଚାହୁଁଥିଲେ । ଲୀନା ଦୂରକୁ ଘୁଞ୍ଚିଯାଇକହିଲା- ନା ବାବୁ, କ୍ଷଣିକ ଆବେଗରେ କିଛି ବି ଭୁଲ୍‌କରି ବସନାହିଁ । ମୁଁ ତ ତୁମର ସେବିକାଟିଏ ମାତ୍ର । ଏବେ ତୁମେ ଶୋଇପଡ । ସାନବାବୁ ଆଜି କିନ୍ତୁ ତାକୁ ନୂଆ କରି ଦେଖୁ ଥିଲେ । ସେ ଚାହିଁଥିଲେ ତାର ଆଲୁଳାୟିତ କେଶ, ଅଧାକୁହା ଓଠ ଓ ଅନୁରାଗରେ ଭିଜା ଅନୁପମ ସୌନ୍ଦର୍ଯ୍ୟକୁ । ଯାହା ସେ ଏଯାଏଁ ଆବିଷ୍କାର କରିବାକୁ ଢେର୍ ବିଳମ୍ବ କରି ଦେଇଥିଲେ । ସତରେ ଲୀନା ଖୁବ୍‌ସୁନ୍ଦର ! ଗୋଟେ ପରୀଟିଏ ଭଳି ସତେଜ ଆଉ ସ୍ନେହରେ ଛଳଛଳ । ତାର ସେ ନୀରବଓଠ ଦୁଇଟି.. ଗୋଲାପ ପାଖୁଡାପରି.. କୋମଳ । ତା ଆଖି..ଠିକ୍ ଦୁଇଟି କଇଁଫୁଲପରି ଢଳଢଳ.. । ତା ରୂପରେ ତନ୍ମୟ ହୋଇ ସେ ପଚାରିଲେ – ଲୀନା ତୁ ମୋତେ ଆପଣାର କରିପାରିବୁ ଏ ଜନ୍ମରେ? ତୁ ମୋତେ ବିବାହ କରିପାରିବୁ ? ଯେଉଁପ୍ରଶ୍ନ ତୋତେ ଢେର୍ ଆଗରୁ ପଚାରିବାର ଥିଲା ମୋର,ଜୀବନର ଏଭଳି ଏକମୋଡରେ ତୋତେ ପଚାରିବାକୁ ପଡୁଛି ବୋଲି ମୋତେ ଉପେକ୍ଷା କରିବୁନି କି ମୁହଁ ଆଡେଇ ସ୍ୱାର୍ଥପର ବୋଲି ଭାବିବୁନି । ମୁଁ ଭୁଲ୍ ନିଷ୍ପତ୍ତି ନେଇଛି ବୋଲି ମାନୁଛି । ତୋର ଉପେକ୍ଷା ସହିପାରିବାର ଧୈର୍ଯ୍ୟନାହିଁ ମୋର ! ମାନୁଛି ମୋର ସବୁତକ ଭୁଲ୍ । ହୁଏତ ଜୀବନସାରା ତୋତେ ଅଣଦେଖା କରିବାର ଦଣ୍ଡମିଳିଛି ମୋତେ ! ହେଲେ ତୋ ପ୍ରତି ଥିବା ଅହେତୁକ ଆକର୍ଷଣ ଆଜିମୋତେ ପୁଣିଥରେ ତୋ ନିକଟକୁ ଟାଣିଆଣିଛି । ତୋର ସାରାଜୀବନର ତପସ୍ୟା ଓ ତ୍ୟାଗଆଗରେ ମୁଁ ହାରିଯାଇଛି । ଏବେ ତୋ ହାତରେ ମୋରଭବିଷ୍ୟତ..ସୁଖ..ସ୍ୱପ୍ନ । ଆଜିକାଲି ମୁଁ ଏ ଏକାକୀ ପଣକୁ ଏକାଏକା ବୋହି ପାରୁନାହିଁ କି ସହ୍ୟକରିପାରୁନାହିଁ । ତେବେ ନିଷ୍ପତ୍ତି ତୋ ଉପରେ ଛାଡିଦେଉଛି । ତୋ ଇଚ୍ଛା..ମୋର ଭାଗ୍ୟ ଓ ଭବିଷ୍ୟତ ଏବେ ତୋ ହାତରେ .. ।

ଲୀନା ତାଙ୍କ ମୁହଁକୁ ଚାହିଁଲା – ଏ କଣକହୁଛ ସାନବାବୁ ? ତୁମ ସମାଜ..ଆଉ ତୁମ ସ୍ତ୍ରୀ ପିଲାମାନେ.. ? ତୁମର ପ୍ରତିଷ୍ଠା ଓ ପ୍ରତିପତ୍ତି..? ସେସବୁକୁ ଭୁଲି ତୁମେ ଏପରିକଥା କିପରି କହୁଛ ? ବର୍ତ୍ତମାନ \ର ଅସହାୟତାରେ ଅଧୈର୍ଯ୍ୟ ହୁଅନାହିଁ ସାନବାବୁ । ଏ ସମୟ ବି ଚାଲିଯିବ । ନହେଲେ ସଂସାର କଣକହିବ ମୋତେ ? ମୋ ସାରାଜୀବନର ତପସ୍ୟାକୁ ପୋଡି ଛାରଖାର କରିଦେବ ତୁମର ଏହି ନିଷ୍ପତ୍ତି । ତାପରେ ମୁଁ ମୋ ନିଜକୁ ଆଇନାରେ ଦେଖିସୁଖୀ ହୋଇପାରିବି ତ?

ସବୁବିଷୟରେ ଚିନ୍ତାକରିସାରିଛି ମୁଁ ଭଲଭାବେ । ହେଲେ ବର୍ତ୍ତମାନ ପ୍ରଥମେ ମୁଁ ମୋ କଥା ଭାବିବାଉଚିତ୍ ହେବ ଲୀନା ! ନିଜମନତଳର ଆହ୍ୱାନକୁ ଅଣଦେଖା କରି ବହୁତ୍ କିଛି ହରାଇଛି । ମୋ ନିଜର ଆଦର୍ଶକୁ ବି । ପ୍ରତିଦାନରେ କିଛି ବି ପାଇନି । ଜୀବନଖେଳରେ ସବୁକିଛି ହାରିଛି । ଆଜି ପୁଣି ଅବଶିଷ୍ଟାଂଶକୁ ହରାଇବାକୁ ଚାହୁଁନି । ଏମିତିରେ ଅନେକ ବିଳମ୍ବ ହୋଇଯାଇଛି ନିଜକୁ ବୁଝିବାରେ । ଆଉ ବିଳମ୍ବ କରିବାଟା ଠିକ୍ ନୁହେଁ । ଆଉ ବାକିରହିଲା ତୋ କଥା..ତୁ ତ କେବେ ମୋ ଉପରେ ନିଜର ଅସ୍ତିତ୍ୱ ଜାହିର୍ କରିନାହୁଁ । କିମ୍ବା ନିଜର ଇଚ୍ଛାକୁ ଚରିତାର୍ଥ କରିବାକୁ କୌଣସି ଅପ୍ରୀତିକର କାମ କରିବସିନାହୁଁ । ତୁ ତ ଆମ ମାନଙ୍କ ସୁଖଦୁଃଖରେ ସାମିଲ୍ ହୋଇ ସାରାଜୀବନ ଚାଲିଛୁ । ଆମସହିତ ହସିଛୁ, କାନ୍ଦିଛୁ ଓ ବଞ୍ଚିଛୁ । ମୁଁ ତ ତୋତେ ଅଧୀକାର ସହିତ ଆପଣେଇନେବାକୁ ଚାହେଁ । ଏବଂ ସେ ସମସ୍ତ ଅପବାଦକୁ ମୁଁ ଅତି ଆନନ୍ଦରେ ଗ୍ରହଣ କରିବାକୁ ପ୍ରସ୍ତୁତଅଛି ଲୀନା । କାହାର ଆରୋପ ପ୍ରତ୍ୟାରୋପ ପାଇଁ ନିଜ ଜୀବନର ସୁଖକୁ ମୁଁ ତ୍ୟାଗ କରିପାରିବିନାହିଁ । ସେମାନଙ୍କ ଅପେକ୍ଷା ମୁଁ ନିଜକୁ ଗୁରୁତ୍ୱ ଦିଏ, ମୋ ଅସଜଡା ଜୀବନକୁ ସଜାଡିବାକୁ ଚାହେଁ । ସମାଜର ମୁକାବିଲା ମୁଁ କରିବି, ତୁ ସେଥିପାଇଁ ବ୍ୟସ୍ତ ହ’ନି । ତୁ ଖାଲି ନିଜକୁ ପ୍ରସ୍ତୁତ କର ।

ଆଉ ସାନ ମା’..? ସେ ଯଦି କେବେ ତାଙ୍କ ମନବୁଝାଇ ଫେରିଆସନ୍ତି ତୁମପାଖକୁ ପୁଣିଥରେ ଘରସଂସାର ରଚିବାକୁ, ତେବେ !

ନା ସେ ଆଉ ଆସିବାର ନାହିଁ । ସେ ସଂଭାବନା ସରିଯାଇଛି କେବେଠାରୁ । ଏବେ ମୁଁ ସିଦ୍ଧାନ୍ତ ନେଇସାରିଛି ଲୀନା । ଅନେକ ସାଲିସ୍ କରିଛି ଜୀବନରେ । ହେଲେ ଏବେ ମୁଁ ଆତ୍ମହତ୍ୟା କରିବାକୁ ଚାହୁଁନାହିଁ । ଆଉ ତଥାପି ସେ ଯଦି ବି କେବେ ଫେରିଆସେ, ସେତେବେଳେ ବହୁବିଳମ୍ବ ହୋଇସାରିଥିବ । ତୋ ମଥାରେ ମୋ ନାଁର ସିନ୍ଦୂର ଲାଗିସାରିଥିବ । ତୋ ଦେହରେ ମୋ ସ୍ପର୍ଶର ସ୍ୱାକ୍ଷର ତରଙ୍ଗାୟିତ ହେଉଥିବ । ଆଉ ତୋ ଓଠରୁ ମୋ ପ୍ରେମର ମଳୟ ଝରୁଥିବ ! ତୁ ଖାଲି ଲୀନା ନଥିବୁ । ବରଂ ତୁ ପରିବର୍ତ୍ତିତ ହୋଇଥିବୁ ମୋ ସ୍ତ୍ରୀ, ଅର୍ଦ୍ଧାଙ୍ଗିନୀ ବା ଜୀବନ ସାଥୀ ହିସାବରେ । ସେ କଥା ମୁଁ ତୋତେ ଦେଉଛି ଈଶ୍ୱରଙ୍କୁ ସାକ୍ଷୀରଖି । ସେ ଫେରିଆସିଲେ ନିଷ୍ଫଳ ହେବ । ତୋ ସହିତ ଗୋଟେ ସୁଖକର ଜୀବନର ପରିକଳ୍ପନାରେ ମୁଁ ବିଭୋର୍ ହୋଇସାରିଥିବି । ସେ ପ୍ରତିଶ୍ରୁତି ମୁଁ ତୋତେ ଦେଉଛି ଆଜି । ତୁ ମୋ ପାଇଁ ଅସୁଖୀ ହେଉ ନାହୁଁ ତ ? ମୁଁ ତୋତେ କୌଣସି ଅସୁବିଧାରେ ପକାଇ ଦେଉନି ତ ? ଭାବୁଛି ତୁ ଏଥର ବି ବୁଝିପାରିବୁ ମୋ ମାନସିକ ସ୍ଥିତି.. ମୋ ଜୀବନର ଅନ୍ତଦ୍ୱ୍ୱର୍ନ୍ଦ୍ୱ ।

ଲୀନା ଜୀବନର ସେ ମହାର୍ଘ ମୁହୂର୍ତ୍ତକୁ ଅଣଦେଖା କରିପାରିଲାନି । ସେ ତ ପ୍ରକୃତରେ ଏସବୁ ସମ୍ପର୍କର ଉଦ୍ଧ୍ୱର୍ରେ ରହି ସାନବାବୁଙ୍କୁ ଭଲପାଇଛି । ତା ପାଟିରେ ଭାଷା ନଥିଲା କିଛିକହିବାକୁ । ଏତେଦିନତଳୁ ସାଇତା ଲୁହର ଶ୍ରାବଣ ଆଜି ଝରିଯିବାକୁ ବ୍ୟାକୁଳ ହେଉଥିଲେ । ସେ ବି ପ୍ରତିରୋଧ କରୁନଥିଲା । ସାନବାବୁ ଆଉଟିକେ ପାଖକୁ ଲାଗିଆସିଥିଲେ । ତାଙ୍କ ହାତପାପୁଲିରେ ଲୁହପୋଛିଦେଇ ଆଉଜେଇ ନେଉଥିଲେ ତାଙ୍କ ଛାତି ଉପରକୁ । ତାଙ୍କ ଓଠର ପ୍ରଥମଛୁଅାଁ ଲୀନାକୁ ଉଦ୍‌ଜୀବିତ କରୁଥିଲା । ମନ, ହୃଦୟ ଓ ଜୀବନକୁ ସଂପ୍ରସାରିତ କରୁଥିଲା । ତା ଜୀବନର ସମସ୍ତ ଅଭାବବୋଧକୁ ସମାପ୍ତ କରିଦେଉଥିଲା । ସେ ଜୀବନରେ ପ୍ରଥମ ଥରପାଇଁ ଆଜି ହଜି ଯାଉଥିଲା ଆତ୍ମତୃପ୍ତିର ମହକଭିତରେ । ନିଜଭିତରେ ବାରମ୍ବାର ଭାଙ୍ଗିରୁଜି ଯାଇଥିବା ଡାଳଗୁଡିକ ପୁନଶ୍ଚ କଅଁଳିଉଠୁଥିଲା । ତତ୍‌କ୍ଷଣାତ୍ ସେଥିରେ ଫୁଲଫୁଟିଯାଉଥିଲା । ତା ଦେହର ସେ ଅସହ୍ୟପଣ ଓ ଘୃଣା ଆଜି ସରିସରି ଆସୁଥିଲା । ଏବେ ସେ ତା ଶରୀରର ପ୍ରତିଟି ଅଂଶକୁ ଭଲପାଉଛି । ଯାହା ପୁଲକିତ ହେଉଛି ପ୍ରତିଟି ଶିରାପ୍ରଶିରାରେ । ତା ଶରୀରର ଅସ୍ପୃଶ୍ୟତା ଓ ଜଡତା ଆଜି ଦୂରୀଭୂତ ହୋଇ ପବିତ୍ରତା ଝଲସିଉଠୁଛି । ଲାଗୁଛି ସେ ଆଜି ପ୍ରଥମ କରି ଜୀଉଁଛି । ପ୍ରଥମକରି ଫୁଲପରି ଫୁଟିଉଠୁଛି । ଅନିମେଶ୍ ଲୀନା ଭିତରେ ହଜିଯାଇଛନ୍ତି । ଛିନ୍ନପୃଷ୍ଠାଟି ଆଜିପୁଣିଥରେ ନୂଆ କଳେବର ନେଇ ଯୋଡିହୋଇଯାଇଛି ମୂଳ ପାଣ୍ଡୁଲିପିଟିରେ । ରାତିବଢୁଛି ତା ସହିତ ସେମାନଙ୍କ ମନତଳର କାମନା ବି ! ଲୀନା ଆଜି ପରୀରାଇଜର ସେ ନୀଳପରୀ କଥା ଭାବୁଛି । ସତରେ କଣ ସେ ଆଜି ନୀଳପରୀ ପାଲଟିଯାଇଛି ? ତା ଭିତରର ଦୁଃଖ ଓ ଅଭାବତକ ଧୋଇହୋଇ ତାକୁ ନିର୍ମଳ କରିଦେଇଛି ? ତା ଆଖିରୁ ଆନନ୍ଦାଶ୍ରୁ ଝରିପଡୁଥିଲା ଅମାନିଆଁ ହୋଇ । ମଧୁରଯନ୍ତ୍ରଣାରେ ସେ ପୁଲକିତା ହେଉଥିଲା । ଯଦି ଏହି ଖୁସି ତା ଜୀବନରେ ଲେଖାଥିଲା ତେବେ ସେଥିପାଇଁ ସେ କଷ୍ଟସବୁ ବୋଧହୁଏ କମ୍‌ଥିଲା ତା ପାଇଁ । ଏହା ଯଦି ତାର ନିଷ୍ଠା ଓ ତପସ୍ୟାର ଫଳତେବେ ଅଗଣିତ ଯାତନାର ମହା ବାତ୍ୟାକୁ ସେ ମଥାପାତି ସହିନେଇଥାନ୍ତା ! ତଥାପି ଏ ପ୍ରାପ୍ତି ତା ଯନ୍ତ୍ରଣାଂକୁ ନୀରବରେ ଧୋଇଦେବ ! ଆଜି ଦୁହେଁ ଦୁହିଁଙ୍କଭିତରେ ସୁଖଖୋଜୁଥିଲେ । ଦୁଇଟା ଅଭିଶପ୍ତ ମଣିଷ ସତେଯେପରି ଆଜି ପୂର୍ଣ୍ଣତା ପ୍ରାପ୍ତିରେ ହଜିଯାଇଥିଲେ । ଆଜି ସେମାନଙ୍କ ଭିତରର ସଂକୋଚ ଓ ଲଜ୍ଜାବୋଧରେ ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା । ନିବିଡରୁ ନିବିଡତର ହେଉଥିଲେ ସେମାନେ । ଗହଳରାତିର ବହଳତା ବଢିବଢି ଚାଲିଥିଲା । ସେପଟେ କାକରରେ ଭିଜୁଥିଲେ ଫୁଲମାନେ ରାତିତମାମ୍ ।

ନିଳଗୋଲାପର ବୃନ୍ତରୁ ଦୁଇଟି କଢ ଫୁଟିବାର ଉପକ୍ରମ କରୁଥିଲେ । ମନିଷାପାଇଁ ନୁହେଁ ସେମାନେ ଆଜି ଅତର୍କିତ ଭାବେ ଲୀନାପାଇଁ ଫୁଟିଉଠୁଥିଲେ ଅଜସ୍ର ଆବେଗ ଓ ରୋମାଞ୍ଚରେ । କାୟ ମନୋ ବାକ୍ୟରେ ଏତେଦିନଧରି ସେ ସମସ୍ତଙ୍କର ସେବାକରିଛି । ତା ସରଳ ମନତଳେ ଏମାନଙ୍କୁ ରଙ୍ଗାଇଛି, ଭିଜାଇଛି । ଘର, ମଣିଷ, ଗଛ, ଠାକୁର ସମସ୍ତଙ୍କ ପାଇଁ ତ ସେ ଖାଲି କରିଛି ଆଉ କରିଛି.. । ତା ପାଇଁ ସାମାନ୍ୟ ଗୋଲାପଫୁଲ କେଇଟା କଣ ଏ ଗଛଟା ଦେଇପାରିବନି ? ଧୀରେଧୀରେ ବ୍ୟବଧାନ ସରି ଯାଉଥିଲା ପରସ୍ପର ଭିତରୁ । ଏବେ ଆଉ କିଛି ବ୍ୟବଧାନ ନଥିଲା ସେମାନଙ୍କ ଭିତରେ । ଆଜି ବଗିଚାରେ ବହୁଦିନ ପରେ ଖୁବ୍‌ଗୁଡିଏ ହେନା ଓ ସୁଗନ୍ଧରାଜ ଫୁଲ ଫୁଟି ଥିଲେ କି କଣ ମହକିତ ଲାଗୁଥିଲା ଏ ରାତିଟା । ସାନବାବୁଙ୍କ ଭିତରେ ସେ ଆତ୍ମବିସ୍ମୃତ ଥିଲା ସଂପୂର୍ଣ୍ଣ ଭାବରେ । ଲୀନାର ଜେଜେ ମା’କଥା ମନେପଡୁଥିଲା ଖୁବ୍ । ଆଖିରେ ଖୁସିର ଲୁହଭରିଯାଇଥିଲା ଅଚାନକ । ସାନବାବୁଙ୍କ ବାହୁ ବେଷ୍ଟନୀ ଭିତରେ ସେ ରାତିଟାଯାକ ସୁଖକର ସ୍ୱପ୍ନରେ ହଜିଯାଇଥିଲା ସେ । ସକାଳର କେହି ପ୍ରତୀକ୍ଷା କରୁନଥିଲେ । ଏମିତି ଅନେକ ସମୟଧରି ଦୁହେଁ ପରସ୍ପର ଭିତରେ ପ୍ରଥମକରି ଆତ୍ମବିସ୍ମୃତ ଥିଲେ । ଲୀନା ପାଷାଣୀ ଗୌତମୀରୁ ନାରୀ ପାଲଟି ଯାଇଥିଲା । ପବିତ୍ରତାର ରୋମାଞ୍ଚରେ ଭିଜି ଯାଇଥିଲା । ନିଥର ପ୍ରାଙ୍ଗଣରେ ପତ୍ରଟିଏ କଅଁଳି ଉଠିଥିଲା ଯେପରି ! ମରୁଭୂମିର ନିଷ୍ପ୍ରାଣ ବାଲିରେ ଶ୍ରାବଣ ତା ବୁକୁଫଟାଇ ଝରିଗଲା ଯେପରି ! ଆଜି ମଳୟ ପ୍ରଥମକରି ଛୁଇଁ ଯାଇଛି ସେମାନଙ୍କୁ ଏକା ବେଳକେ । ଜୀବନରେ ବସନ୍ତ ଫେରିଛି ସତେଅବା ! ହଜିଯାଇଥିଲେ ଦୁହେଁଯାକ ରାତିତମାମ ଗୋଟେ ସ୍ୱପ୍ନର ମାୟାପୁରୀ ଭିତରେ । ଅବଶ ଦେହ ଦୁଇଟା ତଥାପି ଜଡାଇ ହୋଇଯାଇଥିଲା ଗଛ ଓ ଲଟାଟିଏ ପରି ! ଲାଗୁଥିଲା ସ୍ୱର୍ଗର ପାରିଜାତ ଏଇ ଯେମିତି ସେମାନଙ୍କ ଘର ଅଗଣାରେ । ତାର ମହକ ସତେଯେପରି ଛୁଇଁ ଯାଉଛି ଉଭୟଙ୍କ ଦେହ ଓ ମନତଳେ । ଜୀବନର ଏତେସୁଖ ଭୋଗିବାକୁଥିଲା ବୋଲି ବୋଧହୁଏ ସବୁତକ ଦୁଃଖ ନିଃଶେଷ ହୋଇଯାଇଥିଲେ ଆଗରୁ ! ଅର୍ଦ୍ଧମୁଦ୍ରିତ ଆଖି କୋଣରୁ ଦେଖୁଥିଲା ଲୀନା ଏଇ ତ ରାତିସରି ଆସୁଛି.. ନିଜକୁ ଗୋଟାଇଲା ସେ..ଏକଜୁଟ୍ କରିବାକୁ ଚେଷ୍ଟାକଲା । ଅଥଚ ପାରିଲାନି..ସେ ବାହୁ ବନ୍ଧନ ଏବେ ବି ଖୁବ୍ ଶକ୍ତ ଓ ଦୃଢ । ମୁକୁଳିପାରୁନି ସେ ତାର ବହୁ ବାଂଛିତ ଓ ଚିରଇପ୍ସିତ ବନ୍ଧନରୁ । ହେଲେ ପ୍ରକୃତରେ ସେ ବି କଣ ମୁକୁଳିବାକୁଚାହେଁ ଏ ସ୍ୱର୍ଗୀୟ ଚେତନାର ପରିସର ଭିତରୁ ? ଏତେ ବର୍ଷର ତପସ୍ୟା ପରେ ଆଜିର ଏ ମିଠାଅନୁଭୂତି ତା ଦେହ ଓ ମନତଳେ ଅଗଣିତ ପୁଲକ ସୃଷ୍ଟି କରୁଥିଲେ । ଲାଗୁଥିଲା ସବୁଦୁଃଖ ଆଜି ଦି’ବୁନ୍ଦା ମୁକ୍ତାହୋଇ ତାର ହୃଦୟରୁ ଝରିଯାଉଛନ୍ତି । ଆଉ ସେ ଦୁଃଖର ଜଞ୍ଜାଳରୁ ମୁକ୍ତ ଚଢେଇଟିଏ ପରି ସେ ଉଡିଆସି ସାନବାବୁଙ୍କ ବସାରେ ଆଶ୍ରୟ ନେଇଛି ! ଓଠତଳେ ପରମତୃପ୍ତିର ହସ ଝରାଟିଏ.. । ଆକାଶରେ ତାରାମାନେ ଲିଭିଯାଉଥିଲେ । ବାଦଲମାନଙ୍କ ଫାଙ୍କରୁ ସୂର୍ଯ୍ୟ ଉଇଁବାର ପ୍ରାକ୍‌ସୂଚନା ମିଳୁଥିଲା । ରାତିଟା ପୂର୍ଣ୍ଣତାରେ ଭିଜାଇଦେଇଥିଲା ତାକୁ । ଲାଗୁଥିଲା.. ଜୀବନ ସରିନାହିଁ ଏଠି, ଏବେ ତ ଆରମ୍ଭ ମାତ୍ର ! ସବୁତକ ଭାବ ଓ ଅଭାବମାନଙ୍କୁ ପୂର୍ଣ୍ଣ କରିବାର ସମୟ କେବଳ ଉପନୀତ !

(ସମାପ୍ତ)

ଲୋକପ୍ରିୟ ଲେଖା

To Top