ଉପନ୍ୟାସ

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

Dr Mousumi Parida's Odia Novel ANABRUTA ABEGA O JHAPSA PRUTHIBI

ଏଇ ନୀଳଗୋଲାପର ବି ଭାରି ଭାଗ୍ୟ । ଖାସ୍ ତାରି ପାଇଁ ସାନବାବୁ ତାକୁ ନିଜ ମନ କଥା ସବୁ କହିଦେଲେ । ଆଜିଯାଏଁ ଏତେ କଥା କ’ଣ ସେ କେବେ କହିଛନ୍ତି ତାକୁ । କାହିଁକି କହିବେ ?

ଅନାବୃତ୍ତ ଆବେଗ ଓ ଝାପ୍ସା ପୃଥିବୀ

-: ପୁର୍ବରୁ :-

ସେଦିନ ସାନବାବୁ ଅଫିସ୍‌ରୁ ଫେରି ଲୀନାକୁ ଖୋଜିଥିଲେ ପ୍ରଥମେ । ଲୀନା ବି ସେତେବେଳେ ସବୁଦିନିଆ ପ୍ରଜାପତିଟିଏ ଭଳି ଉଡ଼ି ବୁଲୁଥିଲା ଅଗଣା ସାରା । ସାନବାବୁଙ୍କ ଡାକ ଶୁଣି ଥତମତ ହେଲା । ଆଜିଯାଏଁ ହେତୁ ହେବା ଦିନଠାରୁ ସାନବାବୁ କେବେ ବି ତ ତାକୁ ଅଫିସ୍‌ରୁ ଫେରି ଖୋଜିନାହାନ୍ତି କେବେ । ଆଜି ଅଚାନକ କ’ଣ ହେଲା ? ତାଙ୍କ ପାଖରେ ସେ କ’ଣ କିଛି ଭୁଲ୍ କରିବସିଛି କି ତା’ ଅଜାଣତରେ ? ଅମିତି ଅନେକ ଆଶଙ୍କା ମନରେ ଧରି ସେ ଚା’ ଓ ପାଣି ଧରି ସାନବାବୁଙ୍କ ରୁମ୍‌କୁ ଗଲା । ସାନବାବୁ ତାକୁ ଦେଖିବା କ୍ଷଣି ହସି ଦେଇ କହିଲେ- “ବସ୍ ଏଠି ।” ଲୀନା କିନ୍ତୁ ବସି ପାରିଲା ନାହିଁ । ସେମିତି ଛିଡ଼ା ହୋଇ ରହିଲା ଅଜଣା ଆବେଗରେ । ମନଟା ତା’ର ଛଟପଟ ହେଉଥିଲା । ସାନବାବୁ ଏବେ ବୋଧହୁଏ ତା’ ଉପରେ ଜୋର୍ ରାଗିବେ । ଆଉ ସେ ଝର୍‌ଝର୍‌ ଲୁହ ଝରାଇ ପକାଇବ । ତା’ପରେ ଏଠାରୁ ଯାଇ ଜେଜେମା’ କୋଳରେ ମୁହଁ ଗୁଞ୍ଜି ରାତି ତମାମ୍ କାନ୍ଦିବ । କାହିଁକି କାନ୍ଦିବନି ଯେ ? ସକାଳଟାରୁ ଏତେ ଝଗଡ଼ା ଓ ଠାକୁରଙ୍କ ସହିତ ଦ୍ରୋହ କରି ସେ ନୀଳଗୋଲାପଟିକୁ ଖାସ୍ ତାଙ୍କରି ପାଇଁ ସାଇତି ଥିଲା । ଆଉ ସାବାସୀ ବଦଳରେ ସାନବାବୁ ରାଗିବେ ଏବେ । ଏମିତି ଭାବୁ ଭାବୁ ସାନବାବୁ ଚା’ କପ୍‌ରେ ଓଠ ଲଗାଇଲେ । ତା’ପରେ ନିସ୍ତବ୍ଧତା ସଞ୍ଚରି ଯାଉଥିଲା । ଅନାବନା ଆଶଙ୍କାରେ ଆତଙ୍କିତ ହେଲା ଲୀନା । କିଛି ସମୟ ପରେ ଗାଢ଼ ନିରବତା ଭାଙ୍ଗି ସେ କହିଲେ- “ତୋ ନୀଳଗୋଲାପ ପାଇଁ ଆଜି ତୋତେ ଖୁବ୍ ଧନ୍ୟବାଦ୍ ! ସେଇ ଗୋଲାପଟି ପାଇଁ ଆଜି ମୁଁ ଭାରି ଖୁସି । ମୋର ଅନେକ ଦିନର ଆଶା ପୂରଣ ହୋଇଛି ତୋର ସେଇ ନୀଳଗୋଲାପ ମାଧ୍ୟମରେ । ତୁ ଜିଦ୍ କରି ଗୋଲାପଟିଏ ଫୁଲଡ଼ାଲାରୁ ନ ଆଣିଥିଲେ ମୋର ଏତେ ବଡ଼ କାମ କ’ଣ ହୋଇପାରିଥାନ୍ତା ଆଜିଦିନରେ ।” ଲୀନା କିଛି ବୁଝି ପାରୁନଥିଲା । ସେ ଖାଲି ବଲବଲ କରି ଚାହିଁଥିଲା ସାନବାବୁଙ୍କ ମୁହଁକୁ ସେ କ’ଣ କହିଯାଉଛନ୍ତି ? କି ଖୁସି ସେ ପାଇଛନ୍ତି ଆଜି ? ଆଜି କି ତାରିଖ ବିଖ୍ୟାତ ନା ସ୍ମରଣୀୟ ଦିନ ? ଆଜି ତାଙ୍କର ଜନ୍ମଦିନ ବି ନୁହେଁ ଏକଥା ବି ଭଲ କରି ଜାଣେ । ହେଲେ ଆଜିକାଇଁ ଗୋଟିଏ ଭଲ ଦିନ ବୋଲି କହୁଛନ୍ତି ସାନବାବୁ । ସେ ଖାଲି ବୋକୀଟାଏ ପରି ଚାହିଁଥିଲା ତାଙ୍କ ମୁହଁକୁ ।

ସାନବାବୁ ଏଥର ତାକୁ ବୁଝାଇ କହିଲେ- “ଆଜି ତୁ ଦେଇଥିବା ନୀଳଗୋଲାପକୁ ଅନେକଗୁଡ଼ିଏ ଲାଲ୍‌ଗୋଲାପଙ୍କ ମେଳରେ ତୋଡ଼ା ଭଳି ସଜାଇ ମୁଁ ମୋର ଜଣେ ସ୍ପେଶାଲ୍ କଲେଜ୍ ସାଙ୍ଗ ମନୀଷାକୁ ଦେଇଥିଲି ତା’ ଜନ୍ମଦିନରେ । ଖୁବ୍ ଧନୀଘରର ଅଲୀଅଳି କନ୍ୟା ସେ. . . ଭାରି ସୁନ୍ଦର ଠିକ୍ ପୂର୍ଣ୍ଣମୀର ଚାନ୍ଦ ଭଳି । କଞ୍ଚାମକା ଭଳି ଦେହର ରଙ୍ଗ ଓ ଉଜ୍ଜ୍ୱଳତା । ଜାଣୁ ଲୀନା ମୁଁ ତାକୁ କଲେଜ୍‌ବେଳଠାରୁ ଭଲ ପାଏ । ତା’ ପାଇଁ ମନତଳେ ଅନେକ ଦୁର୍ବଳତା । ହେଲେ ତାକୁ କହିପାରେନି କେବେ । ସେ ସୁଯୋଗ ବି ମୋତେ ଜୁଟିନି ଆଗରୁ କେବେ । କଲେଜ୍ ପରେ ସେ ଦିଲ୍ଲୀ ଚାଲିଯାଇଥିଲା କିଛିବର୍ଷ ପାଇଁ । ଏଇ କିଛିମାସ ହେବ ଓଡ଼ିଶା ଫେରିଛି । ତା’ ବାପାଙ୍କର ଦିଲ୍ଲୀ ଓ ଓଡ଼ିଶାରେ ବହୁତ ବଡ଼ ବିଜିନେସ୍ ବି ରହିଛି । ଅନ୍ୟ ସାଙ୍ଗମାନଙ୍କୁ ଓ ମୋତେ ସେ ତା’ ଜନ୍ମଦିନରେ ନିମନ୍ତ୍ରଣ କରିଥିଲା । ଅଜଣା ଉଦ୍‌ବେଗ ନେଇ ମୁଁ ଯାଇଥିଲି ତାଙ୍କ ଘରକୁ । ସେ ମୋତେ ଆନ୍ତରିକତାର ସହିତ ସ୍ୱାଗତ କରିଥିଲା । ସେ ଠିକ୍ ପୂର୍ବଭଳି ସୁନ୍ଦର ଓ ଆକର୍ଷଣୀୟ ଓ ତା’ ଚେହେରାର ସେ ଉଜ୍ଜ୍ୱଳତା ଓ କମନୀୟତା ଆଜିଯାଏଁ ବି ଅତୁଟ ରହିଛି । ଆଜି ଅନେକ ସାଙ୍ଗମାନଙ୍କ ମେଳରେ ସେ ମୋ ପ୍ରତି ଧ୍ୟାନ ଦେଇଥିଲା । ନୀଳଗୋଲାପ ଦେଖି ମୋତେ ତା’ ପାଖକୁ ଡାକିଲା । ଆମେ ଆଜି ପ୍ରଥମ କରି କିଛି ସମୟ ଏକାଠି ବିତାଇଲୁ । ସେତେବେଳକୁ ଅନ୍ୟମାନେ ଚାଲିଯାଇଥିଲେ ପାର୍ଟିରୁ । ଆଉ ତାରି ଭିତରେ ମୁଁ ଅନେକଦିନର ସାଇତା ମୋ ମନ କଥାକୁ ତା’ ଆଗରେ କହିପକାଇଲି । ସେ ବି ମୋତେ ନିରବ ସମ୍ମତି ଦେଇଛି । ମୋତେ ବିବାହ କରିବାକୁ ସେ ରାଜି । କଲେଜ୍‌ରେ ପଢୁଥିବାବେଳେ ସେ ବି କାଳେ ମୋତେ ଆଗରୁ ପସନ୍ଦ କରୁଥିଲା । ସେ କଥା ଶୁଣି ମୁଁ ଆଜି ଖୁବ୍ ଖୁସି । ଏସବୁ ତୋ ନୀଳଗୋଲାପ ପାଇଁ ସହଜ ହୋଇପାରିଲା ଲୀନା । ଏଥର ନୀଳ ଗୋଲାପ ପାଇଲେ ନିଶ୍ଚୟ ରଖିବୁ, ତୋ ସାନ ମାଲିକାଣୀଙ୍କ ପାଇଁ ।” ଏତିକି କହି ସେ ସଲ୍ଲଜ ଭାବରେ ହସିଲେ । ଏଭଳି ହସ ସେ ଆଗରୁ କେବେ ତାଙ୍କ ମୁହଁରେ ଦେଖିନଥିଲା । ପୁଣି ସେ କହିଲେ- “ଖୁବ୍ ଖୁସିରେ ଆଜି ତୋ ପାଇଁ ବି ମୁଁ ଛୋଟିଆ ଉପହାରଟିଏ ଆଣିଛି । ନେ’ କହି ତା’ ହାତକୁ ସେ ବଢ଼ାଇ ଦେଲେ କାର୍ଡବ୍ୟୁରିଜ୍ ଚକୋଲେଟର ବଡ଼ ପ୍ୟାକେଟ୍‌ଟାଏ ।

ସେ ଖୁସି ହେବ ନା ଦୁଃଖ କରିବ ଏ କଥା ଶୁଣି । ତାରି ପାଇଁ ସାନବାବୁଙ୍କ ଏତେଦିନର ଭଲ ପାଇବା ସାର୍ଥକ ହୋଇଛି ଜାଣି ସେ ଆନନ୍ଦରେ କୁରୁଳି ଉଠିବ ନା ଆଉ କେଉଁ ଝିଅକୁ ସେ ଏତେ ଭଲ ପାଉଛନ୍ତି ବୋଲି ସେ ଝିଅଟି ପ୍ରତି ଈର୍ଷାନ୍ୱିତ ହୋଇପଡ଼ିବ । ସବୁବେଳେ କମ୍ କଥା କହୁଥିବା ଓ ତଳକୁ ମୁହଁପୋତି ଚାଲିଥିବା ତା’ର ଅତି ପ୍ରିୟ ସାନବାବୁ ଯେ କୋଉ ଝିଅକୁ ଏତେ ଭଲ ପାଇପାରନ୍ତି, ଭାବି ସେ କ’ଣ ପ୍ରକୃତରେ ଖୁସି ହୋଇପାରିବ ମନ ତଳେ । ସାନବାବୁ କିନ୍ତୁ ଆଜି ବେଶ୍ ଖୁସି ଥିଲେ ।

ତାଙ୍କ ପାଖରୁ ଜୀବନର ପ୍ରଥମ ଭେଟି ଆଣି ଫେରିବା ପରେ ତା’ ମୁହଁର ଔଜଲ୍ୟ କେଉଁ ଆଡ଼େ ହଜିଯାଇଛି । ସେ ବିରାଟ ବଡ଼ ଘାଇରେ ଯେପରି ପଡ଼ି ବଞ୍ଚିବାର ରାହା ଖୋଜୁଛି, ସାହା ଖୋଜୁଛି । ଏମିତି ଅନେକ ସମୟ ଯାଏଁ ବସିଛି ଯେ ବସିଛି ସେ. . . ମୂକଭଳି । ରାତିରେ ପେଟ ଭଲ ନାହିଁ କହି ଖାଇନାହିଁ । ଜେଜେମା’ ପେଟ ପାଇଁ ଦେଇଥିବା ଜୁଆଣୀ ଓ ପୁଦିନା ପାଣି ସେମିତି ଥୁଆ ହୋଇଛି ଗିନାରେ । ଜେଜେମା’ କିନ୍ତୁ କ୍ଳାନ୍ତ ହୋଇ ଶୋଇ ପଡ଼ିଲାଣି । ହେଲେ ତା’ ଆଖିକୁ ନିଦ ନାହିଁ । ଏମିତି ସାନବାବୁଙ୍କ ପାଇଁ କେତେ ରାତିର ନିଦ ସେ ହଜାଇଛି ତା’ର ମନେନାହିଁ । କେବେ ଖୁସିରେ ଅଧୀରା ହୋଇ ତ ପୁଣି କେତେବେଳେ ଦୁଃଖରେ ଭାଙ୍ଗିପଡ଼ି ବ୍ୟସ୍ତ ଓ ବିବ୍ରତ ହୋଇଛି । ତଥାପି ସେ କ’ଣ କେବେ ତାଙ୍କଠାରୁ ବୀତସ୍ପୃହା ହୋଇପାରିଛି ଯେ ଆଜି ପାରିବ । ଅବଶ୍ୟ ଆଜିକାର ଘଟଣା ତା’ ପାଇଁ ଗୁରୁତ୍ୱ ରଖେ ଖୁବ୍ । ଜେଜେମା’ ଠିକ୍ କହିଥିଲା- “ସେ ଆକାଶର ଚାନ୍ଦ ଆଉ ତୁ ସାମାନ୍ୟ ଏକ ଘାସ ଫୁଲ ।” ହେଲେ ସେ କ’ଣ ସାନବାବୁଙ୍କୁ ଏଥିପାଇଁ ଭଲ ପାଇଥିଲା ? କ’ଣ ସେଇ ନିର୍ଦ୍ଦିଷ୍ଟ ଭୂମିକାଟି ପାଇଁ ପୂଜା କରୁଥିଲା ମନ ମନ୍ଦିରରେ ? ଯଦି ହଁ ତେବେ ତ ସେ ସ୍ୱାର୍ଥପର । ନିଜର ସୁଖ ପାଇଁ ସୁନିଶ୍ଚିତ ଭବିଷ୍ୟତ ପାଇଁ ସେ ସାନବାବୁଙ୍କୁ ବଶୀଭୂତ କରିବାକୁ ଚାହୁଁଥିଲା ବୋଲି ଲୋକମାନେ ତାକୁ ଧିକ୍କାର କରିବେ । ସେ କ’ଣ ଏତେ ବଡ଼ଅପବାଦକୁ ସହ୍ୟ କରିପାରିବ ନିରବରେ ? ସେ ତ ଘାସଫୁଲ

. . . ତା’ର କ’ଣ ସେ ସ୍ୱପ୍ନ ବି ଦେଖିବାର ଅଧିକାର ଅଛି ? ମନେପଡ଼ିଲା ଜେଜେମା’ର ସେଇ ଗପ. . . ଯେଉଁଥିରେ ରାଜକୁମାର ଜଣେ ରାଜକୁମାରୀକୁ ଭଲ ପାଉଛନ୍ତି, ତାଙ୍କୁ ଭେଟିବାକୁ ସେ ବାରହାତଲମ୍ୱର କେଶକୁ ନଦୀକୂଳେ କୂଳେ ଅନୁସରଣ କରି ରାଜକୁମାରୀଙ୍କ ପାଖରେ ପହଞ୍ଚିଯାଉଛନ୍ତି । କାରଣ ସେ ରାଜକୁମାରୀଙ୍କ ବାରହାତଲମ୍ୱର କେଶ ଅଛି, ଯାହା ଦ୍ୱାରା ରାଜକୁମାର ସେହି ରାଜକୁମାରୀଟି ପ୍ରତି ଆକର୍ଷିତ ହୋଇପଡ଼ିଛନ୍ତି । ହେଲେ ତା’ ନିଜର କ’ଣ ଅଛି ଯେ ଯାହା ପାଇଁ ରାଜକୁମାରଟିଏ ତା’ ପ୍ରତି ଆକର୍ଷିତ ହେବ । ସେ ତ ସାମାନ୍ୟ ଦାସୀ ବା ପରିଚାରିକାଟିଏ । ଜଣେ ସାମାନ୍ୟ ଦାସୀ ପାଇଁ ରାଜକୁମାର ତାଙ୍କ ମର୍ଯ୍ୟାଦାଚ୍ୟୁତ ହେବା ଉଚିତ୍ ନୁହେଁ । ସତରେ ସାନବାବୁ ଯଦି ଆଶାର କୁଆଁ ତାରା ତେବେ ସେ ନିଜେ ପୃଥିବୀର ଦୀପଟିଏ । ତାକୁ ଜଳିବାର ଅଛି ଏବଂ ସେ ମଧ୍ୟ ଆଗକୁ ଜଳି ଚାଲିବ । ଆଖିରୁ ଲୁହ ଝରି ତକିଆକୁ ଭିଜାଇ ସାରିଲାଣି । ସ୍ୱପ୍ନ ସବୁ ମଉଳି ଶେଯରେ ଝରିପଡ଼ିଲେଣି । ମନଟା ଭାରି ଉଦାସିଆ ଲାଗୁଛି । ଯେତେ ବୁଝାଇଲେ ବୁଝୁନି । କ’ଣ କହି ସେ ବୁଝାଇବ ତା’ ମନକୁ ? ହେଲେ ତାକୁ ସ୍ୱାଭାବିକ୍ ହେବାକୁ ପଡ଼ିବ । ତା’ ଅବଶୋଷର ଲେଶ ମାତ୍ର ଯେମିତି ଜେଜେ ମାଆ ନ ଜାଣେ । ନ ହେଲେ ସେ ଦୁଃଖରେ ଆଉଟୁପାଉଟୁ ହେବ । ଅତୀତର ଦୁଃଖକୁ ବର୍ତ୍ତମାନର ଦୁଃଖରେ ଫେଣ୍ଟି ବିଳପି ଉଠିବ । ତେଣୁ ସୁନାପିଲାଟି ପରି ମନ ଓ ହୃଦୟରୁ ଦୁଃଖତକ ପୋଛି ପକାଇଲା ସେ ସକାଳ ହେବା ପୂର୍ବରୁ । ନହେଲେ ଜେଜେମା’ କେତେ ପ୍ରଶ୍ନ ପଚାରି ବସିବ । ଆଉ ତାକୁ ସନ୍ଦେହ କରିବ । ମନତଳେ ଯେପରି କେହି କହିଦେଲା- “ଈଶ୍ୱରଙ୍କ ଉପରେ କ’ଣ କେହି କେବେ ରାଗିପାରେ କିଲୋ ଲୀନା ?” ସେ ଯାହା ବି କରନ୍ତୁ ସବୁରି ମଙ୍ଗଳ ପାଇଁ । ସାନବାବୁ କ’ଣ ଈଶ୍ୱରଙ୍କଠାରୁ କମ୍ କି !

ତା’ ପରଠାରୁ ସେ ସ୍ୱାଭାବିକ୍ ହେଲା । ପୁଣି ନିଜ କାମରେ ମନ ହେଲା । ଅଣନିଃଶ୍ୱାସୀ ହୋଇ ଧାଇଁଲା ବଗିଚାକୁ ନୀଳଗୋଲାପଟିଏ ପାଇଁ । ସାନବାବୁ ତାକୁ କହିଥିଲେ- “ସାନମାଲିକାଣୀ କୁଆଡ଼େ ନୀଳରଙ୍ଗ ପ୍ରିୟ ।” ହେଲେ ତା’ ମନଟା ମରିଗଲା । ଆଜି କିନ୍ତୁ ଫୁଟିନି ସେ ନୀଳ ଗୋଲାପ । ଏଇ ନୀଳଗୋଲାପର ବି ଭାରି ଭାଗ୍ୟ । ଖାସ୍ ତାରି ପାଇଁ ସାନବାବୁ ତାକୁ ନିଜ ମନ କଥା ସବୁ କହିଦେଲେ । ଆଜିଯାଏଁ ଏତେ କଥା କ’ଣ ସେ କେବେ କହିଛନ୍ତି ତାକୁ । କାହିଁକି କହିବେ ? ସେ ତ ଘରର ଚାକରାଣୀଟିଏ । ନ ହେଲେ ଆକାଶ କଇଁଆ ଚିଲିକାମାଛ ଅଥବା ଆକାଶ କୁସୁମ, ମାୟା ମରିଚୀକା । ଜେଜେମାଆ ଠିକ୍ କଥା କହେ. . . “ସେ କ’ଣ ତାକୁ ପାଇବା ଆଶାରେ ଭଲ ପାଇଛି କି କେବେ ?”

ତା’ପରେ

ଲୋକପ୍ରିୟ ଲେଖା

To Top