-: ପୂର୍ବରୁ :-
ଭାଗ-୨
କାଉଚ୍ ଉପରେ ଅର୍ଦ୍ଧଶାୟିତ ମୁଦ୍ରାରେ ନିଜକୁ ମେଲି ଦେଇଥିଲେ ଅଂଶୁମାନ୍ । ଏଯାଏଁ ଫେରିଲାନି ଜିଜ୍ଞାସା । ଓଃ ତାର ସବୁବେଳେ ଏତେ ବିଳମ୍ବ କାହିଁକି ହୁଏ ଯେ! ସେ ବି ତ ଏମର୍ଜେନ୍ସି ସର୍ଭିସ୍ କରିଛି । ଅହରହ ପେସେଣ୍ଟମାନଙ୍କ ସହିତ ସମୟ ବିତାଇ ଜୀବନ ପ୍ରତି କେବେ ବି ବୀତସ୍ପୃହ ହୋଇପାରିନି ! ହେଲେ ଜିଜ୍ଞାସା କାହିଁକି ଏତେ ଅସହିଷ୍ଣୁ ? ସେ କାହିଁକି ପରିବାର ଓ ଚାକିରୀ ସହିତ ନିଜକୁ ଖାପ୍ ଖୁଆଇ ଚଳିପାରେନି ? କାହିଁକି ସେ ନିଜକୁ କମ୍ ବେଶୀ କରି ବାଣ୍ଟି ଦେଇପାରେନି ? ମାମା ତ ଏସବୁ କିଛି କରିପାରେ ନିର୍ବିଘ୍ନରେ । ଆଜି ବି ପାରୁଛି ! ମାମାକୁ ପଚାରିଲେ ସେ ମ୍ଳାନ ହସି କହେ-ଏସବୁ କାମ ସଠିକ୍ ରୂପେ ସଂପାଦିତ କରିବାକୁ ହେଲେ ଶାରୀରିକ ବଳ କୋଉଠି ଦରକାର ହୁଏ ଯେ ! ମାନସିକ ଶକ୍ତି ଅଧିକ ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଂଘିପାରେ । ଇଏ ବା କିବା କାମ ! କାଇଁ କେବେ ବି ଲାଗେନି ମାମା ତା କାମଠାରୁ ଅଧିକ କଥା କହେ ବୋଲି ! ସବୁକାମକୁ ସେ କେମିତି ଅଚିରେ ସଂପାଦିତ କରିପାରେ ? ନିଜକୁ ଏତେ ଉଦାର କରିଦେଇପାରେ । ସ୍ନେହ ଓ ବିଶ୍ୱାସର ବନ୍ଧନରେ ବାନ୍ଧି ଦେଇପାରେ ।
ହେଲେ ଜିଜ୍ଞାସା ଏସବୁ କଥା ବା ଚିନ୍ତାଧାରା ସହିତ ନିଜକୁ କେବେ ସାମିଲ କରିପାରେନି । ତାର ମତ ଓ ମନ ଉଭୟ ଭିନ୍ନ । ଅଂଶୁମାନଠାରୁ ଓ ତା ପରିବାରର ଚିନ୍ତାଧାରାଠାରୁ ବେଶ୍ ଖାପଛଡା..! ଚାକିରୀ କରିବା ଅର୍ଥ ତା ପାଇଁ ପର୍ବତ ଲଂଘିବା ଭଳି କାମ । ସେ ସମୟକୁ ବାଦ୍ ଦେଲେ ଆଉ କୌଣସି କାମରେ ତାର ମନ ନଥାଏ । ନା ସେ ଗୋଟେ ଭଲ ସ୍ତ୍ରୀ ଭାବେ ନିଜକୁ ପ୍ରମାଣିତ କରିପାରେ ନା ଭଲ ବୋହୂ ଭାବେ ପ୍ରତିଷ୍ଠିତ କରିପାରେ ନିଜର ବ୍ୟକ୍ତିତ୍ୱ ! ସେ କେବଳ ଜଣେ ଡାକ୍ତର ହୋଇ ଚବିଶ ଘଣ୍ଟା ବଂଚିବାକୁ ଚାହେଁ । ତାକୁ ବୁଝାଇଲେ ସେ ବିରକ୍ତି ପ୍ରକାଶ କରି କହେ-କି ପୁରୁଣା କାଳିଆ କଥା କହୁଛ ଅଂଶୁ ! ଦୁନିଆଁ କେଉଁଠି ପହଂଚିଲାଣି । ମଣିଷ ଚନ୍ଦ୍ରରେ ଘର କରିବା କଥା ଚିନ୍ତା କଲାଣି! ଅଥଚ ତୁମେ ଆଜିଯାଏଁ ସେଇ ଜହ୍ନମାମୁରେ ରହିଯାଇଛ ? ଘରର ରନ୍ଧାବଢା କରିବା ପାଇଁ ମୋତେ ପୁଣି ଉତ୍ସାହିତ କରୁଛ ! କାଇଁ ଆମର କଣ ଅଭାବ ଅଛି କି ? ଆମେ କଣ ଚାରିଚାରିଟା ଚାକର ଘରେ ରଖିପାରିବା ନାହିଁ ? ଆମେ କଣ ଘରକୁ ଆସି ସମସ୍ତ ଚିନ୍ତାରୁ ନିଜକୁ ମୁକ୍ତ କରି ଜୀଇଁପାରିବା ନାହିଁ ? ଡ୍ୟୁଟି ସାରି ଘରକୁ ଆସୁଆସୁ ମୋତେ କଣ ଚିନ୍ତା କରିବାକୁ ହେବ-କଣ ରାନ୍ଧିବି ? କେତେ ରାନ୍ଧିବି ? ଘରେ ପରିବା କିଛି ଅଛି ନା ନାହିଁ ? ଆଜି ଆମିଷ ବନାଇବି ନା ନିରାମିଷ ? ଆଜି କଣ କେଉଁ ପର୍ବ ? ପିଠାପଣା କରିବାକୁ ହେବ କି ? କିନ୍ତୁ ମାଇଁ ଡିଅର୍..ତୁମେ ଜାଣ-ନା ମୁଁ ଏସବୁ କିଛି କରିବାକୁ ଭଲପାଏ ନା କରେ । ଭଲ କରି ରନ୍ଧାରନ୍ଧି ବି ମୋତେ କରି ଆସେନି । ତେଣୁ କାହିଁକି ଆମ ଭିତରେ ସେସବୁକୁ ନେଇ ଏତେ ଝାମେଲା ? ସବୁବେଳେ ଯୁକ୍ତିତର୍କ । ଏସବୁକୁ ବାଦ୍ ଦେଲେ କଣ ଜୀବନ ନାହିଁ ? ତୁମେ କଣ ଅର୍ଥୋଡକ୍ସ୍ ମାନଙ୍କ ଭଳି ! ଜୀବନଟା ଏମିତି ହେବା ଉଚିତ୍..ସେମିତି ନହେଲେ ହେବନି ! ଏହିଭଳି..ଖୁବ୍ ଗୁଡିଏ ନୀତିନୟମ, ଆଦର୍ଶଗତ..ବିଚାରଗତ ? ବେଳେବେଳେ ମୋତେ ଲାଗେ ତୁମେ ଜୀବନକୁ ଇଲ୍ୟୁଜନ୍ କରିଦେଲଣି ! ମୁଁ କିନ୍ତୁ ପାରିବିନି ଅଂଶୁ । ସରି.. ! ତୁମ ମନ ମୁତାବକ ନିଜକୁ ପରିବର୍ତ୍ତିତ କରି ପାରିବିନି । ମୁଁ ଯାହା ତୁମେ ମୋତେ ଠିକ୍ ସେହିପରି ଗ୍ରହଣ କରିବାକୁ ହେବ । ମୋର ସୁଗୁଣ ଓ ଦୁର୍ଗୁଣକୁ ସହ୍ୟ କରିବାକୁ ହେବ । ମୁଁ ତ ତୁମକୁ ମୋ ଭିତରେ ବାନ୍ଧି ରଖିବାକୁ ଚାହିଁନି କେବେ ?
ଆଚ୍ଛା ଜିଜ୍ଞାସା, ଏଇଟା ତୁମର ଅନୁରୋଧ ନା ଆଦେଶ ? ଏତେକଥା ଶୁଣିସାରି ବି ଅଂଶୁମାନ ପଚାରେ ।
ଏଇଟା ମୋର ତୁମପାଇଁ ବା ଆମଦୁହିଁଙ୍କ ପାଇଁ ମଙ୍ଗଳର ସୂତ୍ର । ଭାବିନେଇପାର ସୁଖୀହେବାର ରହସ୍ୟ !
ତେବେ ତୁମେ ନିଜକୁ ପଚାର-ମୋର ଅବିଗୁଣଗୁଡିକୁ ତୁମେ କଣ ଏମିତି ସହଜରେ କେବେ ଗ୍ରହଣ କରିନେଇଛ ?
ନିଶ୍ଚିତ ଭାବେ ହଁ.. । ନହେଲେ ମୁଁ ଅଣନିଃଶ୍ୱାସୀ ହୋଇପଡନ୍ତି ଅଂଶୁ । ପ୍ରକୃତରେ ତୁମର କୌଣସି ଗୁଣକୁ ମୁଁ ଦେଖେ ନାହିଁ ଆଗପରି ! ସବୁଜିନିଷକୁ ଟିକିନିଖି ଦେଖିବାକୁ ମୋ ହାତରେ ଏତେ ସମୟ କାହିଁ କୁହ ତ ? ସେଥିପାଇଁ ସବୁ ନିନ୍ଦା ଅପବାଦକୁ ବିନା ଦ୍ୱିଧାରେ ଆଦରି ନେଇଛି । ତୁମେ ବି ଗ୍ରହଣ କରିଯାଅ । ସହଜ ହୋଇଯିବ ସବୁକିଛି ।
ୟା’କୁ କଣ ଜୀବନ କୁହାଯାଏ ଜିଜ୍ଞାସା ? ଜୀବନକୁ ଔଷଧ ପରି ପିଇବାରେ କି ଆନନ୍ଦ ? ସୁଖଦୁଃଖକୁ ସଠିକ୍ ଅନୁପାତରେ ନ ଜୀଇଁପାରିଲେ ଜୀବନର ମହକ କିପରି ମିଳିବ ? ଆମେମାନେ କାହିଁକି ନିଜକୁ ଯନ୍ତ୍ରମାନବ କରିଦେବାରେ ବ୍ୟସ୍ତ ? ଜୀବନ ପାଇଁ ରୋଜଗାର କରିବା । ଅଥଚ ଜୀବନକୁ ମନଭରି ଜୀଇଁବା ନାହିଁ ? ଇଏ କି ପ୍ରକାରର ଆଦର୍ଶ ? ବିବାହ କରି ବୈବାହିକ ଜୀବନ ଜୀଇଁବା ନାହିଁ । ସବୁବେଳେ କାର୍ଯ୍ୟବ୍ୟସ୍ତତା ବାହାନାରେ ଅନ୍ୟର ଉପସ୍ଥିତିକୁ ଭୁଲିଯିବା । ଇଏ କିଭଳି ସଂପର୍କ କୁହ ତ ଜିଜ୍ଞାସା ?
ଜୀବନକୁ ଜୀଇଁବାର ସୂତ୍ର ସମସ୍ତଙ୍କ ପାଇଁ ଭିନ୍ନ ଅଂଶୁ । କିଏ କେଉଁଠାରୁ ସୁଖ ପାଏ ତାହା ସେ ଏକା ହିଁ କହିପାରିବ । ତୁମେ ତୁମର ସୁଖଦୁଃଖକୁ ଅନ୍ୟ ଉପରେ ଲଦିବାର ପ୍ରୟାସ କାହିଁକି କରୁଛ ? ତୁମ ନିକିତି ଅନୁସାରେ ଅନ୍ୟକୁ କାହିଁକି ତଉଲୁଛ ? ପ୍ରତ୍ୟେକ ମଣିଷ ଭିନ୍ନ ଉପାଦାନରେ ଗଢା । ସମସ୍ତଙ୍କ ସୁଖଦୁଃଖର ରୂପରେଖ ବି ଅଲଗା ।
ସେହି ଭିନ୍ନତାରୁ ହିଁ ଏକତାର ଅନୁଭବ ଜିଜ୍ଞାସା । ସେଥିପାଇଁ ତ ଭିନ୍ନ ପରିବାରର ଦୁଇଟି ମଣିଷଙ୍କୁ ଏକତ୍ର ଗୋଟିଏ ଛାତତଳେ ରହି ଜୀବନକୁ ନୂତନ ଭାବରେ ଜୀଇଁବାକୁ ପଡେ । ଜଣେ ଅନ୍ୟଜଣକର ସୁଖଦୁଃଖକୁ ନିଜର କରିବାକୁ ପଡେ । ଆମ ସଂସ୍କୃତି ଓ ପରମ୍ପରା ଏସବୁକୁ ଖୁବ୍ ବିଶ୍ୱାସ କରେ । ତୁମେ ବି ସେସବୁକୁ ଗ୍ରହଣ କରିଯାଅ ।
ସେସବୁ ମୁଁ ପାରିବିନି ବୋଲି ଆଗରୁ କହିସାରିଛି । ସଂସ୍କୃତି ଓ ପରମ୍ପରାର ବୋଝ ମୁଣ୍ଡାଇବାକୁ ମୁଁ ଉଚ୍ଚଶିକ୍ଷିତା ହୋଇନି ଅଂଶୁ । ମୋର ଗୋଟେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ଅଛି । ମୁଁ ଆଗକୁ ବଢିବାକୁ ଚାହେଁ । ପରିବାରର ଦ୍ୱାହି ଦେଇ ମୁଁ ନିଜକୁ ଜଡ ବନାଇବାକୁ ବିଶ୍ୱାସ କରେନା । ସେ ଫାଙ୍କା ଆଦର୍ଶ ଦେଖାଇବାର ମୋର କୌଣସି ଆଗ୍ରହ ନାହିଁ ।
ମୁଁ ତ ତୁମ ରାସ୍ତା ଅବରୋଧ କରୁନି । ମୁଁ ଖାଲି ମୋତେ ଓ ମୋର ପରିବାରକୁ ସାଙ୍ଗରେ ନେଇ ଜୀବନରାସ୍ତା ପାର ହେବାକୁ କହୁଛି । ଆମେ ଏକାସାଙ୍ଗରେ ଥିଲେ ବରଂ ତୁମର ଶକ୍ତି ହୋଇ ଛିଡା ହେବୁ ତୁମପାଖରେ । ତୁମେ ଆମ ସମସ୍ତଙ୍କୁ ପର ବୋଲି କାହିଁକି ଭାବ ? ଅଂଶୁମାନ ଜିଜ୍ଞାସାକୁ ବୁଝାଇବାକୁ ଚେଷ୍ଟା କରି ଅସଫଳ ହୁଏ ।
ସେସବୁ ଯୁକ୍ତି କରିବାକୁ ମୋ ହାତରେ ସମୟ ନାହିଁ । ପ୍ରାକ୍ଟିସ୍ ପାଇଁ ମୋତେ ଯିବାକୁ ହେବ । ବହୁତ୍ ପେସେଣ୍ଟ ଅପେକ୍ଷା କଲେଣି ବୋଲି ଜୟନ୍ତର ଫୋନ୍ ଆସିଲାଣି । ତୁମେ ଖାଇନେବ । ମୁଁ ସେଇଠି ଖାଇନେବି । ଆଜି ବୋଧହୁଏ ତୁମର ଇମର୍ଜେନ୍ସି ନାହିଁ । ପାରିବ ଯଦି ୱାର୍ଡ ଆଡେ ବୁଲିଆସିବ । ମନ ଭଲ ଲାଗିପାରେ ହୁଏତ ।
ଏତିକି କହି ସେ ଯେମିତି ଝଡ ବେଗରେ ଆସିଥିଲା ସେମିତି ଚାଲିଗଲା । ଗଲାବେଳକୁ ପୂଜାରୀ ନିତ୍ୟାନନ୍ଦକୁ କହିଦେଇଗଲା-ବାବୁଙ୍କ କଥା ଠିକ୍ରେ ବୁଝିଦେବ । ସତେ ଯେମିତି ସେ ନକହିଥିଲେ ନିତ୍ୟାନନ୍ଦ ଅଂଶୁମାନଙ୍କୁ ଠିକ୍ ଭାବେ ଖାଇବାକୁ ଦେଇନଥାନ୍ତା ! ସହଜିଆ କାମଟିକୁ ତୁଲାଇବାରେ ଜିଜ୍ଞାସାକୁ ଅସୁବିଧା ହୁଏନି । ହେଲେ ଟିକେ ଅସହଜ କାମଟିକୁ କରିବାକୁ ହେଲେ ତାର ଆବଶ୍ୟକ ହୁଏ ନାନା ପ୍ରକାରର ବାହାନା । କିଛି ନହେଲେ ଯୁକ୍ତିତର୍କର ସାହାଯ୍ୟ ନିଏ । ସେ ଏତିକି ବି ଜାଣେନା ଆଜି ଘରେ କଣ ବନା ହୋଇଛି ଖାଇବାକୁ । କୌଣସିରେ ନିଘା ନଥାଏ ତାର କିମ୍ବା ଜାଣିବାରେ ଆଗ୍ରହ ନଥାଏ ।
ଜିଜ୍ଞାସା ଆମିଷପ୍ରିୟ ହେତୁ ନିତ୍ୟାନନ୍ଦକୁ ଭଲ ମଟନ୍ ବାଛିକି ଆଣିବାକୁ ବରାଦ କରିଥିଲେ ଅଂଶୁମାନ୍ । ତା ମନପସନ୍ଦର ଖାଦ୍ୟ ବନାଇବାକୁ କହିଥିଲେ । ହେଲେ ସେ ଜାଣିବାକୁ ଚାହିଁଲାନି ଘରେ କଣ ଅଛି କି ନ ଅଛି ! ଏମିତିରେ ଆଜି ମଙ୍ଗଳବାର । ଅଂଶୁମାନ ଆମିଷ ଖାଏନି । ସେଥିପାଇଁ କଣ ସାଧା ଟିକେ ବନାଇଦେଇଥିଲା ନିତ୍ୟାନନ୍ଦ । ଅଂଶୁମାନ ସେତିକି ଜିନିଷକୁ ବି ଠିକ୍ ରୂପେ ଖାଇ ପାରିଲାନି । ଲାଗୁଥିଲା ଜିଜ୍ଞାସା ଖୁବ୍ ଦ୍ରୁତ ଗତିରେ ଧାଉଁଛି ଆଗକୁ । ତା ସହିତ ପାଦ ମିଶାଇପାରୁନି ଅଂଶୁ । ସେ ଟ୍ରାକ୍ ବାହାରେ ତାର ଅନ୍ଧାଧୁନିଆଁ ଦୌଡ ଜାରିରଖିଛି । ଯେତେଚେଷ୍ଟା କଲେ ବି ଅଂଶୁ ତାକୁ ଟ୍ରାକ୍ ଭିତରକୁ ଆଣିପାରୁନି । ଅଂଶୁ ଛିଟିକି ପଡୁଛି ତା ପରିଧି ବାହାରକୁ । ଜାଣିଛି ବନ୍ୟାମୁଖୀ ନଦୀର ଉନ୍ମୁକ୍ତଧାରାକୁ ରୋକିବାରେ ସେ ଅସମର୍ଥ ! ବାଲିବସ୍ତାର ପାହାଡ ବି ରୋକିପାରିବନି ତାର ଉଦ୍ଧାମତାକୁ ।
ତଥାପି ସେ କାହିଁକି ମଝିରେ ମଝିରେ ତାକୁ ଆୟତ୍ତ କରିବାକୁ ଚାହେଁ ନିଜଭିତରେ ? ପବନକୁ ଅକ୍ତିଆର କରିବା ଭଳି ସେ କାହିଁକି ବୃଥା ଚେଷ୍ଟା ଜାରିରଖେ ଜିଜ୍ଞାସା ପାଇଁ ? କାହିଁକି ତା ଭିତରେ ଗୋଟେ ସାଧାରଣ ନାରୀକୁ ଦେଖିବାର ଦୁର୍ବାର ଲାଳସା ମନତଳେ ଜାଗିଉଠେ ? କିନ୍ତୁ ସେ ତ ସେପରି ନାରୀ ନୁହେଁ । ସେ ନିଜପାଇଁ ବଂଚେ । ନିଜର ଖୁସି ପାଇଁ ସେ ସବୁକିଛି ଜଳାଞ୍ଜଳି ଦେଇପାରେ । ତା ଭିତରେ ନାରୀ ମନତଳର ସେ ସ୍ନେହ, ସଦିଚ୍ଛା, ତ୍ୟାଗ ଓ ସହଜତା କାହିଁ ? ଯାହା ଗୋଟେ ପୁରୁଷକୁ କାଳେକାଳେ ଆକୃଷ୍ଟ କରିରଖେ । ସେଥିପାଇଁ ତ ପୁରୁଷ ବନ୍ଧନ ଚାହେଁ । ନାରୀ ବାନ୍ଧିପାରେ ବୋଲି ! ହେଲେ ଜିଜ୍ଞାସା ଏତେ ଭିନ୍ନ କିପରି ? ଚିରାଚରିତ ଜୀବନ ବନ୍ଧନରୁ ସେ ଏତେ ଖାପଛଡା କାହିଁକି ?
ଯେମିତି ହେଲେ ବି ସେ ସବୁକିଛି ଜରୁରୀ ତଥା ଅପରିହାର୍ଯ୍ୟ କଥାକୁ ଆଡେଇ ମନମୁଖୀ ଜୀବନଟିଏ ଜୀଇଁପାରେ । ଲାଗେ ସେ ଯେମିତି ଗୋଟେ ନିମ୍ନମୁଖୀ ଝରଣା । ଉଦ୍ଧ୍ୱର୍କୁ ଚାହିଁବା ଯେମିତି ତା ପାଇଁ ଏକ ଧର୍ତ୍ତବ୍ୟ ଅପରାଧ ! ସେ କିଛି ବାଧାବିଘ୍ନ ନମାନି କେବଳ ଡେଇଁଚାଲେ ଆଗକୁ ଆଗକୁ । ଅଂଶୁମାନ ଜାଣେ ତାକୁ ରୋକିବା ଗୋଟେ ମୁର୍ଖାମୀ । ସେ ସମସ୍ତ ପଥକୁ ଅତିକ୍ରମ କରିଯାଇ ପାରେ । ଜୀବନକୁ ଜୀଇଁବା ଓ ଜାଣିବାର ତନ୍ମୟତାରେ ସେ ବିଭୋର୍ । ଆଗପଛ ବାଧାବିଘ୍ନ ଉଚିତ୍ ଅନୁଚିତ୍ ତା ପାଇଁ ଗୋଟେ ଗୋଟେ ହଜିଯାଇଥିବା ଶବ୍ଦ । ଯେଉଁମାନଙ୍କ ପାଇଁ ସେ ବ୍ୟାକୁଳିତ ହୁଏନା କି ଖୋଜିବାରେ ସମୟ ନଷ୍ଟ କରେନା । ସେ ଆଗକୁ ବଢିବା ହିଁ ଜାଣେ । ତା ବି ଯେକୌଣସି ବାଧାକୁ ଅତିକ୍ରମ କରି । ତା ଭିତରର ପ୍ରବଳ ଇଚ୍ଛା ଶକ୍ତି ତାକୁ ଭିନ୍ନ କରି ଗଢି ତୋଳିଛି । ହେଲେ ଅଂଶୁମାନ ଭିତରେ ଗୋଟେ ସହଜ ସରଳ ନିଷ୍କପଟ ମଣିଷଟିଏ ! ଯିଏ ଜନନୀ, ଭଗିନୀ ଓ ଜାୟାର ସମନ୍ୱିତ ରୂପ ଜିଜ୍ଞାସା ଭିତରେ ଦେଖିବାକୁ ଚାହେଁ । ତାକୁ ସେ ସମ୍ମାନ କରେ, ଆଦର କରେ । ତା ପାଇଁ ଚିନ୍ତାକରେ । ବ୍ୟସ୍ତ ହୁଏ । ଅଥଚ ସେ ଲକ୍ଷଣ ତାଠାରେ କେବେ ବି ଦେଖିପାରିନି ଅଂଶୁ । ଲାଗେ ଦୁଇଟି ବିପରୀତ ଦିଗ କିପରି ଏକତ୍ର ହୋଇଛି ? କିଭଳି ସେ ଜିଜ୍ଞାସା ପରି ଝିଅକୁ ପସନ୍ଦ କରିଥିଲା ! ତା ପାଇଁ ପାପାମାମାଙ୍କୁ ଜବରଦସ୍ତ କରିଥିଲା ବିବାହ ଲାଗି । ସେମାନେ ବି ତା ପସନ୍ଦକୁ ଗ୍ରହଣ କରିନେଇଥିଲେ ।
ହୁଏତ ପୁଅ ମନରେ ଦୁଃଖ ଦେବାକୁ ସେମାନେ ଚାହିଁନଥିବେ । ଅଥଚ ସବୁ କଳ୍ପନାକୁ ଭୁଲ୍ ପ୍ରମାଣିତ କରି ଜିଜ୍ଞାସା ପରିବର୍ତ୍ତିତ ହୋଇଗଲା । ତା ଭିତରର ପ୍ରକୃତ ଜିଜ୍ଞାସାକୁ ବୁଝିବାକୁ ଓ ଚିହ୍ନିବାକୁ ସେ ବହୁ ବିଳମ୍ବ କରିଦେଲା । ସେଥିପାଇଁ ଆଜି ଯେତେକ ଅଘଟଣର ସାମ୍ନା କରିବାକୁ ପଡୁଛି ତାକୁ । ନା ସେ ହୋଇପାରିଲା ଭଲ ବୋହୂ ନା ଭଲ ସ୍ତ୍ରୀ । ଏସବୁ ଗୁଣ ନଥିଲେ ଆଦର୍ଶ ନାରୀ ହେବା ଅସମ୍ଭବ ନିଶ୍ଚୟ । ତାର ସବୁତକ ମମତା ଓ ଆବେଗ ନିଜ ମମି ଓ ଡାଡିଙ୍କ ପାଇଁ । ଅଂଶୁମାନର ପାପାମାମା ସତେଯେପରି ସ୍ନେହଶ୍ରଦ୍ଧାର ପଦବାଚ୍ୟ ନୁହନ୍ତି ! ମନେମନେ କ୍ଷୁବ୍ଧ ହେଲେ ବି କିଛି କହେନି ଅଂଶୁ । ଭାବେ ସମୟ ଓ ପରିସ୍ଥିତି ନିଶ୍ଚୟ ବଦଳାଇଦେବ ଜିଜ୍ଞାସାକୁ । ପରିବାର ବା ନିଜ ସଂସାର ପ୍ରତି ସେ ଦିନେ ନା ଦିନେ ସଚେତନ ହେବ । ଯତ୍ନଶୀଳା ହେବ । ଯାହାହେଲେ ବି ନାରୀ ତ ! ପଜେସିଭ୍ନେସ୍ ତ ନିଶ୍ଚୟ ରହିବ । ସେ ଚାଲିଗଲାଣି ତା ବାଟରେ । ନିତ୍ୟାନନ୍ଦ ଅଂଶୁମାନର ବାସନ ନେବାକୁ ଆସି ପଚାରିଲେ- ବାବୁ,କଣ କିଛି ଭଲ ଲାଗିଲାନି କି ? କିଛି ତ ଖାଇଲନି । ଆଉ କଣ ଟିକେ ବନାଇଦେବି ?
ନା ଥାଉ । ସେ ମଟନକୁ ଫ୍ରିଜର୍ରେ ରଖିଦିଅ । ମ୍ୟାଡାମ୍ ଆସିଲେ ରାତିରେ ଖାଇନେବେ ।
କିଛି ଫଳ ନେଇଆସିବି ଖାଇବାକୁ ? ନିତ୍ୟାନନ୍ଦ ପଚାରିଲା ।
ନା ମୋ ପାଇଁ ବ୍ୟସ୍ତ ହୁଅନି । ସେତିକିବେଳେ ଫୋନ୍ ବାଜିଉଠିଲା ଉତ୍କଟ ଶବ୍ଦ କରି । ନିତ୍ୟାନନ୍ଦ ମନେମନେ ବିରକ୍ତ ହେଲା-ହଅ ଡାକ୍ତରଙ୍କ କୋଉଠୁ ଜୀବନ ଅଛି ଯେ ! ସେମାନେ ତ ଅହରହ ଖଟିବା ପାଇଁ ଜନ୍ମ ହୋଇଛନ୍ତି । ସତେଯେମିତି ଭଗବାନ୍ ସେମାନଙ୍କୁ ଅଧିକ ବଳ ଦେଇ ଜନ୍ମ କରିଛନ୍ତି ! ଶାନ୍ତିରେ ଟିକେ ବସାଇ ଉଠାଇ ଦେବେନି ! ଫୋନ୍ରେ କଥାହୋଇ ଅଂଶୁମାନ ନିତ୍ୟାନନ୍ଦର ବିରକ୍ତି ଜନିତ ମୁହଁଟିକୁ ଚାହିଁଲା । ତା ପାଟିରେ କିଏ ମେଞ୍ଚାଏ ତେନ୍ତୁଳି ଭର୍ତ୍ତି କରିଦେବା ଭଳି ତା ସରଳ ମୁହଁଟା ଆମ୍ବିଳା ହୋଇ ଯାଇଛି ହଠାତ୍ । ନିତ୍ୟାନନ୍ଦ ଖୁବ୍ ବିଶ୍ୱସ୍ତ । ତାଠାରୁ ବେଶ୍ ଭଲ ତାର ସହାନୁଭୂତି । ଆପଣାରପଣ । ମାମା ଭଲମଣିଷଟିକୁ ବାଛିବାଛି ତା ପାଖରେ ରଖିଦେଇ ଯାଇଛି । ଅଂଶୁମାନର ସୁଖସୁବିଧା ପ୍ରତି ସେ ଟିକେ ବେଶୀ ଯତ୍ନବାନ୍ । ତାକୁ କଣ ଭଲଲାଗେ ସେସବୁ ସେ ଭଲଭାବେ ମାମାଠୁଁ ବୁଝିଛି ।
ଏଠି ବିବାହପରେ ଘରଭଡା ନେଇ ରହିବା ପରଠାରୁ ମାମା ଗାଁରୁ ଆଣି ତାକୁ ରଖାଇଛନ୍ତି ସମସ୍ତଙ୍କ ଦାୟିତ୍ୱ ନେବାକୁ । କାରଣ ମାମା ବୋଧହୁଏ ଜାଣିଥିଲା ତା ଡାକ୍ତରୀ ବୋହୂ ତା ପୁଅକୁ କୌଣସି ସାହାଯ୍ୟ କରିପାରିବ ନାହିଁ ବୋଲି ! ମାମା ଏସବୁକଥା କିପରି ଜାଣିପାରିଲା ? ସେ କଣ ଜ୍ୟୋତିଷ ? ବୋଧହୁଏ ମାମାମାନେ ଆଗତ ଭବିଷ୍ୟତ କଥା ଜାଣିପାରନ୍ତି ! ସେମାନେ ଆକଳନ କରି ପାରନ୍ତି ଭବିତବ୍ୟର ସୁଖଦୁଃଖକୁ । ମାମାର ହସହସ ମୁହଁଟା ତା ଆଖି ଆଗରେ ନାଚିଗଲା ଅନେକ ସମୟ । ଆଖି ଯୋଡିକ ଲୋତକାପ୍ଳୁତ ହୋଇଗଲା ।
କାହିଁକି ମାମା, ତୋ ଅବସ୍ଥିତିକୁ ମୁଁ ସବୁନାରୀଙ୍କ ଭିତରେ ଖୋଜିବସେ । କାହିଁକି ତୁ ମୋ ଅଲକ୍ଷ୍ୟରେ ମୋ ଭିତରେ ଏମିତି ସଂଚରିଯାଇଛୁ ଯେ ମୁଁ ସେଥିରୁ ମୁକୁଳିପାରୁନି କି ମୁକୁଳିବାକୁ ଚାହୁଁନି । ତୋ ରକ୍ତ କଣ ମୋତେ ତୋ ଭିତରକୁ ଆକର୍ଷି ନେଇଛି ! ତୋ ପରି ମୋତେ ବି ପରିବର୍ତ୍ତିତ କରିଛି ! ମାମା, ବୋଧହୁଏ ମୋ ବିଚାର ଭୁଲ୍ ହୋଇ ଯାଇଛି ! ମୋ ଦୌଡ ଯେ ଗୋଟେ ମାୟା ମରିଚୀକା ପାଇଁ..ତାହା ସାବ୍ୟସ୍ତ ହୋଇସାରିଛି ! ହେଲେ ତୋତେ ଜଣାଇବାକୁ ମୁଁ ଅକ୍ଷମ । ତୋର ପ୍ରତିକ୍ରିୟା କଣ ହେବ ? ତୁ କେତେ ଆଘାତ ପାଇବୁ । ତୋର ଏକମାତ୍ର ସନ୍ତାନର ଖୁସି ପାଇଁ ତୁ ହିଁ ତ ଆମମାନଙ୍କୁ ଏଇଠି ଛାଡି ଦେଇ କହିଥିଲୁ-ଯାଅ,ଏଥର ତୋ କର୍ତ୍ତବ୍ୟ ଓ ଧର୍ମ ତୁ ପାଳନ କର । ଏବେ ତୋ ପାଳି । ସଂସାର..ସଂରଚନା କର । ଯେତେବେଳେ ମୋର ଆବଶ୍ୟକତା ଅନୁଭବ କରିବୁ, ମୁଁ ଆସି ତୋ ପାଖରେ ପହଂଚିଯିବି ।
ଆଖି ଛଳଛଳ କରି ମୁଁ ପଚାରିଥିଲି-ତୁ ଓ ପାପା କଣ ତାହେଲେ ମୋ କର୍ତ୍ତବ୍ୟ କି ଧର୍ମ ନୁହଁ ? ତୁ ଏମିତି ଅଲଗା କରିଦେଉଛୁ କାହିଁକି ନିର୍ମମ ଭାବେ ?
ହଁ ବାପା.. । ହେଲେ ଆଗ ତୋର ନିଜ ସଂସାର.. । ତୁମଦୁହିଁଙ୍କୁ ପରସ୍ପରକୁ ବୁଝିବାର ଓ ଜାଣିବାର ଅଛି । ନହେଲେ ଜୀବନର ଲମ୍ବାରାସ୍ତା କଠିନ ହୋଇଯିବ କାଳେ ! ଆମ ପାଇଁ ଆହୁରି ଜୀବନ ଅଛି । ତୁ ଆଗେ ଜିଜ୍ଞାସାକୁ ନିଜର କରି ସାର । ଯେତେବେଳେ ଆମର ଆବଶ୍ୟକତା ପଡିବ, କହିବୁ । ଦେଖ୍,ଏ ସମୟକୁ ହାତଛଡା କରିବୁନି । କର୍ତ୍ତବ୍ୟ ଆଳରେ ଜିଜ୍ଞାସାକୁ ଅବହେଳା କରିବୁନି । ଏଇ ସମୟ ତ ମଧୁର ସ୍ମୃତିର ଆଲେଖ୍ୟ ବହନ କରିବ ଦିନେ । ଯାଆ ମାଆ ପଣତରୁ ମୁଁ ଏବେ ତୋତେ ମୁକ୍ତ କରୁଛି କିଛିସମୟ ।
ମାମା କେମିତି ବୁଝାଇଦିଏ ଯେ ଅଂଶୁମାନ୍ ବାଧ୍ୟଶିଶୁଟିଏ ପରି ହଁ ଭରିଦିଏ । ସେଥିପାଇଁ ଜିଜ୍ଞାସା ସବୁବେଳେ ତାତ୍ସଲ୍ୟ କରେ – ମାମାସ୍ ବଏ । ଅଂଶୁମାନକୁ ଏ କଥା ବାଧେନି । ସେ ବି ହେବାକୁ ଚାହେଁ ସ୍ତ୍ରୀର ସ୍ୱାମୀ..ହେଲେ ଜିଜ୍ଞାସା ତା ବି କରାଇ ଦିଏନି । ସେ ପ୍ରକୃତରେ କେମିତି ସନ୍ତୁଷ୍ଟ ହୁଏ ସେକଥା ଆଜିଯାଏଁ ବି କୋଉ ବୁଝିପାରିଛି ଯେ ଆଜି ପାରିବ । କିନ୍ତୁ ହଁ ସେ ପ୍ରଚେଷ୍ଟା ଜାରିରଖିଛି ଏଯାବତ୍ । ପୁଣି ନଜର ନିତ୍ୟାନନ୍ଦ ଆଡକୁ ଫେରିଲା । ଏବେଯାଏଁ ବି ତା ମୁହଁର ଭାବ ଠିକ୍ ସେହିଭଳି ଅଛି !
ନିତ୍ୟାନନ୍ଦ, ଆମପାଇଁ ଏଇ ହେଉଛି ଜୀବନଧାରା ! ଯାହାକୁ ଗ୍ରହଣ କରିବାକୁ ଆମେମାନେ ବାଧ୍ୟ । ଅନ୍ୟ ଗତି ହିଁ କିଛି ନାହିଁ । ତୁମେ କଣ ଜାଣିନ ଜଣେ ଭଲ ଡାକ୍ତର ନା ହୋଇପାରେ ଭଲପୁଅ, ଭଲ ସ୍ୱାମୀ ନା ଭଲ ବାପା । କିନ୍ତୁ ହଁ ଜଣେ ଭଲ ସାମାଜିକ ମଣିଷର ଭୂମିକା ତୁଲାଇପାରେ ନିଦ୍ଧ୍ୱର୍ନ୍ଦ୍ୱରେ । କିନ୍ତୁ ଭାବିଲ ଯଦି ନାରୀଟିଏ ଡାକ୍ତର ହେବ ! ତେବେ ସ୍ଥିତି ଭୟଙ୍କର ହୋଇଯିବ ନା ? କାରଣ ପରିବାରରେ ନାରୀର ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ! ତାକୁ ବାଦ୍ ଦେଲେ ସେ ସଂପୂର୍ଣ୍ଣା ନୁହେଁ ।
ମୁଁ ସେସବୁ କିଛି ଜାଣେନି ଛୁଆବାବୁ । କିନ୍ତୁ ଖାଲି ଏତିକି ବୁଝେ ଯେ ନାରୀଟିଏ ଯଦି ଘରକାମରେ ନିପୁଣା ନଥିବ ତେବେ ତାକୁ ସୁଗୃହିଣୀ ବୋଲି ଆମ ସମାଜ କହେନି । ସେ ଯେତେଯାହା କରୁପଛେ ସମାଜ ପାଇଁ । ସଂସାରକୁ ଛାଡି ତାର ସ୍ଥିତି କାହିଁ । ସେ ଯେ କାହାର ଝିଅ, ଭଉଣୀ, ସ୍ତ୍ରୀ, ବୋହୂ, ମାଆ..ଏସବୁ ଭୂମିକାରୁ ନିଜକୁ ଦୂରେଇ ପଳାୟନ ପନ୍ଥୀ ସାଜିବା ନାରୀର ଭୂମିକା ନୁହେଁ ଛୁଆବାବୁ । ତମେ ମତେ ଯାହା କୁହ ପଛେ ।
ନିତ୍ୟାନନ୍ଦ, ଆଜିକାଲି ଯୁଗ ବଦଳିଲାଣି । ସେ ଚିନ୍ତାଧାରା ବଦଳିଯାଇଛି ! ନାରୀର ଭୂମିକା ବି ।
ହେଲେ ସୃଷ୍ଟିର ଆବାହମାନ କାଳରୁ ଈଶ୍ୱର ଯେଉଁ ଭୂମିକା ତାକୁ ଦେଇଛନ୍ତି..ସେ ତ ବଦଳିଯାଇନି ।
କୋଉ କଥା କହୁଛ?
ଆମର ଏ ଘରର ନୀରବତା କଣ ଭାଙ୍ଗନ୍ତାନି ଛୁଆବାବୁ ? ଛୋଟିଆ ଛୁଆଟିଏ ତୁମ ଜୀବନ ଭିତରକୁ ପଶିଆସିଲେ ଛୁଆମାଆ କେତେ ବଦଳି ଯାଆନ୍ତେ । ମାତୃତ୍ୱର ସେ ମହନୀୟତାରେ ସେ ବି ପରିବର୍ତ୍ତିତ ହୋଇଯାଆନ୍ତେ । ତୁମ ବାହାଘର ଦୁଇବର୍ଷ ଟପିଗଲାଣି । ହେଲେ..
ସେ ସମୟ ପାଇଁ ଏତେ ଉଚ୍ଛନ୍ନ କାହିଁକି ତୁମେମାନେ ? ଜିଜ୍ଞାସା ଏବେ ଅରାଜି ସେସବୁ ତୁଲାଇବାକୁ । ତାକୁ ବୋଧହୁଏ ଆଉ କିଛି ସମୟ ଦରକାର ।
ତୁମକୁ ବି..କଣ ସମୟ ଦରକାର ? ନିତ୍ୟାନନ୍ଦ ପଚାରି ବସିଲା ।
ନିତ୍ୟାନନ୍ଦ, ତୁମେ କୋଉକଥାକୁ ଧରିବସିଛ ? ଯାଅ ଅନ୍ୟକାମରେ ମନ ଦିଅ ।
ନିତ୍ୟାନନ୍ଦ ଯାଉଯାଉ ତା କଥାଟା ଶୁଭୁଥିଲା ବାହାର କରିଡର୍ ଯାଏଁ-ମୁଁ କଣ ଏକା କହୁଛି କି ଏକଥା । ବଡବାବୁ, ବଡମାଆ ଓ ଅନ୍ୟମାନେ ଯେତେବେଳେ ମୋତେ ପଚାରୁଛନ୍ତି ମୁଁ କଣ କହିବି ସେମାନଙ୍କୁ ? ସେମାନଙ୍କ ମନ ପିଲାଟିର ଅଳିଅଝଟ ଶୁଣିବାକୁ କେତେ ବ୍ୟାକୁଳ ତୁମେମାନେ କାହୁଁ ବୁଝିବ ? ଯୁଗ ଯେତେ ବଦଳିଲେ ବି ପ୍ରେମ, ସଂସାର, ଜନ୍ମ, ଦୁଃଖ, ଅସହାୟତାର ଅନଳ, ନାରୀର ସେ ତ୍ୟାଗପୂତ ରୂପର ଚିତ୍ରକୁ କେହି ବଦଳାଇ ପାରିବେ ନାହିଁ ଛୁଆବାବୁ । ଛୁଆମାଆ ବି ନୁହଁ । ସୀତା, ସତୀ, ଉର୍ମିଳା ଅରୁନ୍ଧତୀଙ୍କୁ ଯୁଗ କଣ କେବେ ଭୁଲିପାରିବ ? ଯେତେ ରୂପ ବଦଳିଗଲେ ବି ନାରୀର ସେ ତ୍ୟାଗପୂତ ରୂପର ନୈସର୍ଗିକତାକୁ କେହି ଅଗ୍ରାହ୍ୟ କରିପାରିବେ ନାହିଁ ।
ଏତେ ବଡକଥା କହି ନିତ୍ୟାନନ୍ଦ ଚାଲିଗଲା ରୋଷେଇ ଘରକୁ । ଅଂଶୁମାନ ସେମିତି ଛିଡା ହୋଇ ଚାହିଁଥିଲା ନିତ୍ୟାନନ୍ଦର ଯିବାବାଟକୁ । ପୁଣିଥରେ ଫୋନ୍ ବାଜିଉଠିଲା.. ଅଂଶୁମାନ ଧାଇଁଲେ ହସ୍ପିଟାଲ୍କୁ । ବୟସ ବତିଶ୍ ପାଖାପାଖି । ପ୍ରାୟ ଅଢେଇ ବର୍ଷ ହୋଇଯିବ ବାହାଘର । ପି.ଜି ଶେଷବର୍ଷ ବେଳକୁ ବିବାହ ଜିଜ୍ଞାସା ସହିତ ।
ଏମ୍.ଏଲ୍.ଏ ଶୁଭ୍ରାଂଶୁ ପାଣିଗ୍ରାହୀଙ୍କ ଏକମାତ୍ର ଅଲିଅଳୀ ଝିଅ । ଆକାଶର ଚାନ୍ଦ ବି ତା ପାଇଁ ତୋଳିକି ଅଣା ଯାଇପାରେ । ଗୋଟିଏ ଚାଉଳରେ ଗଢା ସେ । ଗହମ ରଙ୍ଗର ଦେହକୁ କଳା ଭଅଁର ଭଳି ଆଖି ଯୋଡିକ ତାକୁ ବେଶ୍ ମାନେ । ପରୀଟିଏ ବନାଇଦିଏ ଯେମିତି । ଦୀର୍ଘ ତିନିବର୍ଷର ପ୍ରେମ ସଂପର୍କ ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ସେମାନେ । ଅବଶ୍ୟ ଅଂଶୁମାନର ବାପାମାଆ ରାଜିନଥିଲେ ରାଜନୈତିକ ପରିବାରରୁ ବୋହୂ ଚୟନ କରିବାକୁ । କିନ୍ତୁ ସେମାନଙ୍କର ଏକମାତ୍ର ଅଲିଅଳ ପୁତ୍ରର ପସନ୍ଦକୁ ଅନିଚ୍ଛାରେ ଗ୍ରହଣ କରିବାକୁ ବାଧ୍ୟ ! ସେମାନଙ୍କ ଆଶଙ୍କା-ପୁଅ ଦୁଃଖୀରେ ଭାଙ୍ଗିନପଡୁ । ତା ମନ ଅଶାନ୍ତ ନହେଉ । ଖାସ୍ ସେଥିପାଇଁ.. !
ପାପା ସୀତାଂଶୁ ଷଡଙ୍ଗୀ ଜଣେ ଭଲଡାକ୍ତର..ଶିଶୁ ବିଭାଗର । ସବୁକାର୍ଯ୍ୟଭାର ପ୍ରାୟ ମାମା ଉପରେ ନ୍ୟସ୍ତ କରି ସେ ବୁଡିରହନ୍ତି ନିଜ ନିଶା ଓ ପେଶାରେ । ଅରୁଣିମା ଅବଶ୍ୟ ଶିକ୍ଷୟିତ୍ରୀ । ଗତବର୍ଷ ରିଟାୟାର୍ ହୋଇଛନ୍ତି । ଆଜିକାଲି ଦୁହେଁଯାକ ଏକାକୀ । ଏତେବେଶୀ କାମ ନାହିଁ ସେମାନଙ୍କ ପାଖରେ । ସୀତାଂଶୁ ଅବଶ୍ୟ ପ୍ରାଇଭେଟ୍ ପ୍ରାକ୍ଟିସ୍ ଜାରି ରଖିଛନ୍ତି ଏବେଯାଏଁ । ପିଲାମାନଙ୍କ କାନ୍ଦ ଓ ଶୈଶବର ସେ ମଧୁର ଦୁଷ୍ଟାମୀ ତାଙ୍କୁ ଏଯାବତ୍ ନିଜ ପେଶା ସହିତ ଆପଣାର କରିରଖିଛି । ସେପଟେ କିନ୍ତୁ ଅରୁଣିମା ଏକାକୀ ନିଜ ଭିତରେ ଆତ୍ମବିସ୍ମୃତା ଥାଆନ୍ତି । ଅବଶ୍ୟ ଖୁବ୍ ଆଗରୁ ସେ ନିଜର ଏକାକୀତ୍ୱ ସହିତ ସାଲିସ୍ କରିନେଇଛନ୍ତି । ବେଳେବେଳେ ଏସବୁ ତାଙ୍କ ପାଇଁ ଅସହ୍ୟ ହୁଏ । ସେ ନିଜଭିତରେ କିଛିକ୍ଷଣ ପାଇଁ ଭାଙ୍ଗି ପଡନ୍ତି । ବିରକ୍ତ ହୋଇପଡନ୍ତି ସୀତାଂଶୁଙ୍କ ଉପରେ ।
ପୁଣି ନିଜର ସ୍ୱାଭାବିକତାକୁ ଫେରିଆସି ଭାବନ୍ତି-ଏହା ହୁଏତ ତାଙ୍କ ମନ ଓ ଦେହ ପାଇଁ ଖୁବ୍ ଭଲ । ନହେଲେ ଜୀବନଟା ବିରକ୍ତିରେ ଭରିଯିବ ତାଙ୍କର । ଅବସର ସମୟଟା ସଠିକ୍ ଭାବେ ଖର୍ଚ୍ଚ ନହୋଇପାରିଲେ ଜୀବନଟା ଫାଙ୍କା ଫାଙ୍କା ଓ ଖାଁ ଖାଁ ଲାଗେ । ସୀତାଂଶୁ କିନ୍ତୁ ଏସବୁରୁ ଉଦ୍ଧ୍ୱର୍ରେ । ସେ ଆଜି ବି ଜଣେ ଡାକ୍ତର ଭାବେ ବେଶ୍ ପ୍ରତିଷ୍ଠିତ ନାମ । ନିଜେ ଅରୁଣିମା ବି ନିଜ ଅବସର ସମୟ କାଟିବାକୁ କିଛି ପ୍ଲାନିଂ କରିଛନ୍ତି । ବିଭିନ୍ନ ସାହିତ୍ୟ ଆସର ଓ ଶ୍ରଦ୍ଧାଞ୍ଜଳୀ ସଭାକୁ ଯାଇ ନିଜର ମତ ରଖନ୍ତି । ଜୀବନକୁ ଆଉ ଟିକେ ମାର୍ଜିତ ଓ ଶୃଙ୍ଖଳିତ କରିବାକୁ ସେ ନିଜ ବିଦ୍ୟାଳୟ ଆଡେ ବୁଲିଯାଆନ୍ତି । ପିଲାମାନଙ୍କୁ ଦେଖିଲେ ସତେଜତାରେ ଭରିଯାଏ ଉଦାସ ମନ । ମନେପଡେ ଅଂଶୁ ଓ ତାର ପିଲାଦିନ । ତାର ଅଝଟପଣ ଓ ତାରି ଭିତରେ ବଢିଉଠୁଥିବା ସେ ସରଳ ଶାନ୍ତ ନିରୀହ ଚାରାଗଛଟି । କାହିଁକି ତାକୁ ସେ ଜୀବନର ମୂଲ୍ୟବୋଧଗୁଡିକୁ ଶିଖାଇ ଥିଲେ ? କାହିଁକି ତାକୁ ପରିବାରମନସ୍କ କରିଦେଇଥିଲେ ସେ ? ସେଥିପାଇଁ ହୁଏତ ତାର ଏ ବ୍ୟତିବ୍ୟସ୍ତତା ! ଅଭାବ ଭିତରେ ତଥାପି ମୁଣ୍ଡଟେକି ଛିଡାହେବାର ବିକଳଚେଷ୍ଟା ।
ଜୀବନର ଗତି ଚାଲିଥିଲା ଆଗକୁ । କେହି କାହାକୁ ବିବର୍ତ୍ତିତ କରିପାରୁନଥିଲେ । ଲାଗୁଥିଲା କେହି କାହାର ମୁକାବିଲା କରିପାରୁନାହାନ୍ତି । କେହି କାହାର ଉଦ୍ଗତ ଅହଂକୁ ନିଜ ଭିତରେ ଚାପି ରଖିପାରୁନାହାନ୍ତି । ଅଂଶୁମାନ ନିଜ ସଂସାରର ମୂଳଦୁଆକୁ ବାରମ୍ବାର ଗଢିଚାଲିଥାଏ । ହେଲେ ଛୋଟଛୋଟ ପବନରେ ତାହା ଭୁସୁଡି ପଡୁଥାଏ ତାସ୍ଘର ପରି ! ଜିଜ୍ଞାସା ପ୍ରାକ୍ଟିସ୍ ସାରି ସନ୍ଧ୍ୟାରେ ଫେରେ ଘରକୁ । ପରିଶ୍ରମ ଜନିତ କ୍ଳାନ୍ତିରେ ଅବଶ ହୋଇପଡେ ।
ଅଂଶୁମାନ କହେ- ଏବେ ଚାଲ, ପାର୍କ ଆଡକୁ ଯିବା । ଫିଲ୍ମ ଦେଖିବା । କାଠଯୋଡି ବନ୍ଧ ଉପରେ ଛିଡାହୋଇ ଜହ୍ନରାତିରେ ନିଜର ଛାଇ ମାପିବା । ହାତରେ ହାତ ଛନ୍ଦି ଚାଲିବା ଆଗକୁ ପୂର୍ବସମୟର ଯୁବକ ଯୁବତୀଙ୍କ ପରି ! ଯେମିତି ଆମେ ଆଗରୁ ଏ.ସି.ବି ରେ ପଢିଲାବେଳେ ଫିଲ୍ମ ଦେଖିସାରି ପପ୍କର୍ଣ୍ଣ ଖାଇଖାଇ ପ୍ରଜାପତି ଯୋଡିଙ୍କ ଭଳି ଆଗକୁ ଚାଲୁଥିଲେ । ଦୂରରୁ ଭାସିଆସୁଥିବା ମଧୁର ବାସ୍ନାକୁ ଆଘ୍ରାଣ କରି ତନ୍ମୟ ହେଉଥିଲେ । ଅବଶ୍ୟ ଏବେ ଆମପାଇଁ ସମୟ ନାହିଁ । ହେଲେ ସେ ବ୍ୟସ୍ତତା ଭିତରୁ ଆମେ ନିଜପାଇଁ ସମୟ ବାହାର କରିବା । ନହେଲେ ଜୀବନଟା ନିରସ ଲାଗିବ ଯେ ! ଆଜିଟା ମୁଦୁଲି ସାରଙ୍କୁ କହି ଡିଉଟି ଆଡଜଷ୍ଟ୍ କରିଦେଇ ପାରିବି । ସେଠାରୁ ଲଂଚ୍ ସାରି ଫେରିବା ରାତିରେ ।
ଜିଜ୍ଞାସା କହେ-ପାଗଳ ହୋଇଗଲଣି ବୋଧହୁଏ ? ହସ୍ପିଟାଲର ନାଁକରା ଦୁଇଜଣ ଡାକ୍ତର ଟିନ୍ ଏଜର୍ ମାନଙ୍କ ଭଳି ଜହ୍ନରାତିରେ ପାର୍କରେ ବୁଲୁଛନ୍ତି ! ଏକଥା କେହି ପେସେଣ୍ଟ ଦେଖିଦେଲେ କଣ ଭାବିବେ ଆମକୁ । ଆମ ଭାବମୂର୍ତ୍ତିରେ ଆଂଚ ଆସିବନି? କେତେ ପରିଶ୍ରମ ପରେ ମୁଁ ଏଭଳି ଏକ ଉଚ୍ଚତାକୁ ଉଠିପାରିଛି ଅଂଶୁ । ପ୍ଲିଜ୍ ସେ ଜାଗାରୁ ମୋତେ ତଳକୁ ଖସାଅ ନାହିଁ । ଆମ ଭିତରେ କଣ ଏତେ ପିଲାଳିଆମୀ ଲୁଚିଛି ? ଏଭଳି ମନ ନେଇ ରୋଗୀମାନଙ୍କୁ ଚିକିତ୍ସା କରାଯାଇ ନପାରେ । ସେମାନେ ଆମକୁ ଭରସା କରିପାରିବେ ତ ? ଆମ ପିଲାଳିଆମୀ ପାଇଁ ପେସେଣ୍ଟ ମାନେ ସଫରର୍ ନହୁଅନ୍ତି ଯେପରି ! ପ୍ଲିଜ୍ ତୁମେ ବରଂ ନିଜେ ଯାଇ ବାହାରେ ଟିକେ ବୁଲିଆସ । ମନ ଭଲ ଲାଗିବ । ଏ ବ୍ୟସ୍ତବହୁଳ ଜୀବନ ଭିତରେ ତୁମେ ଏତେ ସମୟ କୋଉଠୁ ପାଉଛ ଏତେ କଥା ଭାବିବାକୁ ? ତୁମେ ଏସବୁ ଭାବି ବୋର୍ ହେଉନ ?
ଅଂଶୁମାନ ଆଉ ଅଧିକ କିଛି ନକହି ଉଠିଯାଏ ଜିଜ୍ଞାସା ଆଗରୁ । ତା ବିରକ୍ତି ସେ ଜାଣିଲେ ବି ସେମିତି ବିଶେଷ କିଛି ପ୍ରତିକ୍ରିୟା କରେନି ସେ । ମନେମନେ ଭାବେ ଅଂଶୁ ନିଜ ଭବିଷ୍ୟତ ନଷ୍ଟ କରିଦେଉଛି । ତା ଭିତରେ କେତେ ପିଲାଳିଆମୀ ! କେତେଥର କହିଲାଣି ସେ ଏକାସାଙ୍ଗରେ ଡି.ଏମ୍ କରିବାକୁ । ସେଥିପାଇଁ ପଢାପଢିରେ ମନଦେବାକୁ । ଅଥଚ ତାର ସବୁବେଳେ ସେହି ଏକାକଥା-ପଢିବାର ସମୟ ଅପେକ୍ଷା ସଂସାର ପାଇଁ ସମୟ ଦେବା ଅଧିକ ଜରୁରୀ । କିନ୍ତୁ ସଂସାର ଓ ଘରଆଡକୁ ମନ ନଥାଏ ଜିଜ୍ଞାସାର । ସେ ଜିଦ୍ କରେ ଡି.ଏମ୍ କରିବ । ସେଥିପାଇଁ କେତେ ପଢିବାକୁ ଅଛି ! ଭଲ ରାଙ୍କରେ ଆସିବାକୁ ଅଛି । ନହେଲେ ମନଲାଖି ସବ୍ଜେକ୍ଟ ମିଳି ନପାରେ । ଏସବୁ କଥା ଅଂଶୁମାନ ବୁଝିବେ କେମିତି ! ସେ ଖୁବ୍ ବୋରିଂ..ହୋମ୍ ସିକ୍ । ଜୀବନକୁ ଚିରାଚରିତ ଢଙ୍ଗରେ ସେ ନିଅନ୍ତି । ସେଇ ସଂସାର..ସ୍ୱାମୀ ସ୍ତ୍ରୀ ପିଲା ଛୁଆ ବାସ୍ । ତାରି ଭିତରେ ଜୀବନର ଅମୃତତ୍ୱକୁ ପାଇଯିବା ଭଳି ମହାନନ୍ଦ ଭିତରେ ଆତ୍ମବିସ୍ମୃତ ହୋଇପାରୁଥିବା ବୋଗସ୍ ମଣିଷଟିଏ.. ! କଣ ମୂଲ୍ୟ ଏ ଏଫ୍.ସି.ଜି.ପି ର ମେଡାଲ୍ରେ? ହ୍ୱାଟ୍ ରବିଶ୍ । କେତେକଷ୍ଟ କରି ସେ ମେଡିକାଲ୍ ପାଇଛି । ପି.ଜି କରିଛି । ଏଫ୍.ସି.ଜି.ପି ପରୀକ୍ଷାରେ ସିଲଭର୍ ମେଡାଲ୍ ପାଇଛି । ଅବଶ୍ୟ ଡାଡିମମି ବାଧ୍ୟ କଲେ ବୋଲି ନହଲେ ସେ ଡି.ଏମ୍ କରିସାରି ବିବାହ କରିଥାନ୍ତା । ସେତେବେଳକୁ ଅଂଶମାନ ଘରେ ଖୁବ୍ ବ୍ୟସ୍ତ ବିବାହକୁ ନେଇ । ହାଓ..ଆଉଟ୍ ଡେଟେଡ୍ !
ପୁଅପିଲା ହୋଇ ବିବାହକୁ ନେଇ ଏତେ ପଜେସିଭ୍ । ଅବଶ୍ୟ ସେମାନଙ୍କ ରିଲେଶନ୍ସିପ୍ ତିନିବର୍ଷ ହୋଇଯାଇଥିଲା । ଅଂଶୁ ବି ଆଉ ଅପେକ୍ଷା କରିବାକୁ ରାଜି ନଥିଲା । ବାଧ୍ୟ ବାଧକତାରେ ପଡି ଜିଜ୍ଞାସା ତାକୁ ବିବାହ କରିଗଲା ସତ, ହେଲେ ଆଜିଯାଏଁ ସେ ସଂପର୍କକୁ ସେଭଳି ଦୃଷ୍ଟିରେ ଦେଖିପାରିନି । ସ୍ୱାମୀ ସ୍ତ୍ରୀ ଭିତରର ସେ ଦୃଢ ବନ୍ଧନକୁ ପ୍ରକୃତରେ ବୁଝିପାରିନି । ଏମିତିରେ ସବୁ ସଂପର୍କ ତ ବିବାହ ପୂର୍ବରୁ ସେମାନେ ଜୀଇଁ ସାରିଥିଲେ । ଅଂଶୁମାନ ଜଣେ ଭଲସ୍ୱାମୀ ସାବ୍ୟସ୍ତ ହୋଇପାରିବ ତା ମତରେ । ବେଶ୍ ବିଶ୍ୱସ୍ତ, ରୋମାଂଟିକ୍ ଆଉ ପରିସ୍ଥିତି ଓ ମନକୁ ବୁଝିପାରିବା ଭଳି ମଣିଷଟିଏ । ଗୋଟେ ନାରୀକୁ ଆଉ ଅଧିକ କଣ ଦରକାର? ଏଇଆ ଭାବି ସେ ସିନା ଅଂଶୁକୁ ଚୟନ କରିଥିଲା । ହେଲେ ବିବାହ ପରେ ସେ ମନୋଭାବ ତାର ବଦଳିଯାଇଥିଲା । ରେସ୍ପନ୍ସିବିଲିଟିର ଅର୍ଥକୁ ସେ ନିଜ ଭିତରେ ଆପଣାଇ ପାରିଲା ନାହିଁ ।
ଅଂଶୁ ଭିତରେ ଥିବା ସେ ପାରିବାରିକ ମୋହ ତାକୁ ଦୂରକୁ ଠେଲିଦେଲା । ଏସବୁ ଭିତରେ ସେ ଯେ କାହାର ପୁଅ, ନାତି ଏକଥାକୁ ହୃଦୟଙ୍ଗମ କଲା ବେଳକୁ ଖୁବ୍ ବିଳମ୍ବ ! ସବୁଜାଣି ତ ସେ ବିବାହ କରିଥିଲା ଅଂଶୁକୁ । ହେଲେ ତାପରେ ସେ କାହିଁକି ଛିଟିକି ପଡିଲା ତା ପରିଧି ବାହାରକୁ ? ଏଥିପାଇଁ ଦାୟୀ କିଏ ? ଜୀବନଟାକୁ ଏତେ ଯାନ୍ତ୍ରିକ ବନାଇଦେବାଟା କାହାର ଭୁଲ୍ ? ତାର ନା ଅଂଶୁର..? ମୁଣ୍ଡ ଭିତରଟା ଝଣ୍ ଝଣ୍ କରିଉଠେ । ଫ୍ରିଜ୍ରୁ କାଢେ ହ୍ୱିସ୍କି ବୋତଲ୍ । ନିତ୍ୟାନନ୍ଦକୁ ଡାକିଲେ ସେ କେତେ ଭ୍ରୂକୁଂଚନ କରିବ । ବରଂ ନିଜହାତରେ ସେ ତିଆରି କରିବ । ବରଫ୍ ଖଣ୍ଡ ପକାଇଲା ବେଳକୁ ବୁଦ୍ ବୁଦ୍ ହୋଇ ଅସଂଖ୍ୟ ଛୋଟଛୋଟ ଫୋଟକା ନିଜ ନିଜର ଅବସ୍ଥିତି ଜାହିର୍ କରିବାରେ ପ୍ରତିଦ୍ୱନ୍ଦ୍ୱିତା କରି ମିଳେଇଯାଉଥିଲେ ତା ଭିତରେ । ଲାଗୁଥିଲା ଜୀବନଟା କେତେ କ୍ଷଣସ୍ଥାୟୀ ! ତା ଭିତରେ ନିଜକୁ ସଠିକ୍ ଭାବେ ଜୀଇଁବାକୁ ଛାଡିନଦେଇ ଯୋର୍ ଜବରଦସ୍ତ କର୍ତ୍ତବ୍ୟର ବନ୍ଧନରେ ବାନ୍ଧିଦେଇ ଅଣନିଃଶ୍ୱାସୀ କରିପକାଇବାଟା ଚରମ ମୂର୍ଖାମୀ ! ଅଂଶୁ ନିହାତି ଗୋଟେ ମଫସଲୀ ବୋକା ଯେ ଆଜି ବି ତା ମନ ତଳେ ତଥାକଥିତ ଗାଉଁଲି ଚିନ୍ତାଧାରା । ସେସବୁରୁ ସେ ନିଜକୁ ମୁକ୍ତ କରିପାରିବନି କେବେ । ସେ ରକ୍ତ ତା ଦେହରେ ବହୁଛି କୋଉ ଆବାହମାନ କାଳରୁ ।
ଏଥିପାଇଁ ଜିଜ୍ଞାସା ତାର ମାମାକୁ ଦାୟୀ କରେ । ଭାବେ-ଅଂଶୁକୁ ଆକାଶରେ ସ୍ୱାଧୀନ ଭାବେ ଉଡିବାକୁ ଛାଡିନଦେଇ ପଞ୍ଜୁରି ଭିତରେ ବାନ୍ଧିରଖିବାର ପରିଣାମଟା ଏବେ ସେମାନଙ୍କୁ ଭୋଗ କରିବାକୁ ପଡୁଛି ! ହେଲେ ଜୀବନଟା କେତେ ମଧୁର ! ସଠିକ ଭାବେ ଜୀଇଁପାରିଲେ ହେଲା ? ଠିକ୍ ସୂତ୍ରଟି ଧରିପାରିଲେ ହେଲା ! ମମି କିନ୍ତୁ କେତେ ଏକ୍ସଟ୍ରା ମଡର୍ଣ୍ଣ । ଡାଡି ଅରାଜି ହେଲେ ବି ମମି ତା ଧୂନ୍ରେ ଜୀଏଁ । ମମି ତା ଜୀବନ ଶୈଳୀ ଆଗରେ କିଛି ବି କମ୍ପ୍ରୋମାଇଜ୍ କରିନାହିଁ ଆଜିଯାଏଁ । ବରଂ ଡାଡି ତା ପାଇଁ ବଦଳାଇଛନ୍ତି ନିଜ ଚିନ୍ତାଧାରା, ଅବସ୍ଥିତି ଓ ମନୋସ୍ଥିତିକୁ । ସେ ଜାଣିଛନ୍ତି ଯେତେ କହିଲେ ବି ମମି କେବେ ବି ବୁଝିବାର ନାରୀ ନୁହଁନ୍ତି । ହେଲେ ସେ ଅନୁଭବ କରିଛି ମମି କାହାକୁ ବି ନିଜ ଖୁସି ଆଗରେ ସହ୍ୟ ପରିପାରନ୍ତି ନାହିଁ । ଏପରିକି ଡାଡିଙ୍କ ଘରଲୋକମାନଙ୍କୁ ବି ସହ୍ୟ କରିପାରନ୍ତି ନାହିଁ । ସବୁବେଳେ ସେମାନଙ୍କ ନିନ୍ଦା ଗାନ କରିଆସିଛନ୍ତି ଏଯାବତ୍ । ଡାଡି ବି ନୀରବିଯାଆନ୍ତି । କିଛି କୁହନ୍ତିନି । ବୋଧହୁଏ ନିଜଭିତରର ଅସହାୟତା ତାଙ୍କୁ ଆହୁରି ବେଶୀ ବିବର୍ଣ୍ଣ କରିଦିଏ ।
– ତା ପରେ –