ଉପନ୍ୟାସ

ମୁକ୍ତାର ମାୟା (ଭାଗ-୪)

Dr Mousumi Parida's Odia Novel Muktaara Maayaa

ତା ଭୁଲର ପ୍ରାୟଶ୍ଚିତ ରୂପେ ତାକୁ ଜିଜ୍ଞାସାକୁ ବିବାହ କରିବାକୁ ହିଁ ପଡିବ । କାରଣ ଜିଜ୍ଞାସା ୟା’ଭିତରେ କନସିଭ୍ କରିଯାଇଥିଲା ।

ମୁକ୍ତାର ମାୟା

-: ପୂର୍ବରୁ :-

ଭାଗ-୪

ଏମିତିରେ ତିନିମାସ ବିତିଲାଣି । ଅଂଶୁ ଢେର୍ ଚେଷ୍ଟା କରୁଛି ତା ଭଗ୍ନ ସଂସାରକୁ ନୂଆ ଏକ ରୂପରେଖ ଦେବା ପାଇଁ । କିନ୍ତୁ ଜିଜ୍ଞାସା ଏଯାଏଁ ନିଜକୁ ସାମାନ୍ୟତମ ବିବର୍ତ୍ତିତ କରିପାରିନି । ଆଜିକାଲି ସେ ଅଂଶୁକୁ ଭଲପାଇ ପାରୁନି । ତାର ପ୍ରତିଟି ଗୁଣ ଓ କଥାରେ ସେ ସହମତି ପ୍ରକାଶ କରିପାରୁନି । ଲାଗୁଛି-ସେ ଯେମିତି ତା ପଛରେ ଷଡଯନ୍ତ୍ର କରୁଛି ଜିଜ୍ଞାସା ବିପକ୍ଷରେ । ତା ସାଙ୍ଗମାନେ ସମସ୍ତେ ପ୍ରାୟ ଆମେରିକା ଓ ଅଷ୍ଟ୍ରେଲିଆରେ ୱେଲ ଏଷ୍ଟାବ୍ଲିସ୍ଡ୍ । ନିଜ ମନ ମୁତାବକ ଜୀଉଁଛନ୍ତି ସେମାନେ । ସେଠି ନାହିଁ ଅଯଥା କର୍ମ ଜଂଜାଳର ବୋଝ । ଅଯଥା ସଂପର୍କମାନଙ୍କ କୋଳାହଳ । ସେଠି କେହି ଫୋନ୍ କରି ବୁଝିବାକୁ ନାହିଁ-କେତେବେଳେ ଆସିବ ? କେତେବେଳେ ଯିବ ? ଆଜିଟା ରହିଗଲେ ଚଳନ୍ତା ନାହିଁ ? ଆଜି ପାପାମାମା ଆସୁଛନ୍ତି । ସେମାନଙ୍କ ପାଇଁ ଦିନଟାଏ ଦେଇପାରନ୍ତ ନାହିଁ ? ସେମାନେ ଖାଲି ତୁମ ପାଇଁ ଆସୁଛନ୍ତି । ଭଲକରି ଦିନଟାଏ ବିତାଇ ପାରିନାହାନ୍ତି ବୋଲି ଖୁବ୍ ଗୁଡିଏ ଅବଶୋଷ ତାଙ୍କ ଭିତରେ । ଚତୁର୍ଥୀ ପରଦିନ ଆମେ ଘରୁ ଚାଲିଆସିଥିଲେ ନା ? ଏମିତିକି ଅଷ୍ଟମଙ୍ଗଳାର କର୍ମମାନ ବି ଅଧା ରହିଥିଲା । ତୁମେ ଚାହୁଁନଥିଲ ସେଠି ରହିବାକୁ । ଅଣନିଃଶ୍ୱାସୀ ହେଉଥିଲ ବନ୍ଧୁବାନ୍ଧବଙ୍କ ମେଳରେ ବୋଲି ମୁଁ ମାମାକୁ ବୁଝାଇ ଏଠିକୁ ନେଇଆସିଥିଲି ତୁମକୁ । ତୁମ ସହିତ ସେମାନେ ଭଲକରି ଦୁଇପଦ କଥା କୋଉଠୁ ହୋଇପାରିଥିଲେ ଯେ ! ସେଥିପାଇଁ ସେମାନେ ତୁମକୁ ଟିକେ ଭେଟିବାକୁ କଥାହେବାକୁ, ଭଲ ପାଇବାକୁ ଆସିଛନ୍ତି ଜିଜ୍ଞାସା ।

ଜିଜ୍ଞାସା ମୁହଁକୁ ଆମ୍ବିଳା କରି କହୁଥିବ-ହ୍ୱାଟ୍ ନନ୍‌ସେନ୍ସ..ଅଂଶୁ । ସେମାନେ ମୋତେ ଦେଖିବେ କଣ ? ମୁଁ କଣ କଣ୍ଢେଇଟିଏ ହୋଇଛି ନା ଯାତ୍ରା କଳାକାର.. ! ହ୍ୱାଟ୍ ରବିଶ୍.. । ଆମ ବିବାହବେଳର ସି.ଡି ନହେଲେ ଫଟୋ ଆଲବମ୍ ସେମାନେ ଦେଖିପାରନ୍ତି । ସେଗୁଡିକୁ ତ ମୁଁ ମୋ ସାଙ୍ଗରେ ଆଣିନି ଯେ ସେମାନେ ମୋତେ ଦେଖି ପାରିବେନି । ତାପରେ ପ୍ରକୃତ କଥା ହେଲା ମୋ ପାଖରେ ସମୟ କାହିଁ ? ଡିଉଟି ଓ ପ୍ରାକ୍ଟିସ୍ ପରେ ଯାହା ସମୟ ମିଳେ ସେତେବେଳେ ମୁଁ ମୋ ନିଜପାଇଁ ବଂଚିବାକୁ ଚାହେଁ । ନିଜକୁ ଡି.ଏମ୍ ପାଇଁ ପ୍ରସ୍ତୁତ କରିବାକୁ ଇଚ୍ଛା କରେ । ମୋର ବି ତ ନିଜସ୍ୱ ଜୀବନଟିଏ ଅଛି ସେକଥା ତୁମେ ସବୁବେଳେ କାହିଁକି ଭୁଲିଯାଅ ? ମୋତେ ଇରିଟେଟ୍ କରିବାକୁ ନା ନିଜର ସ୍ୱାମୀ ପଣିଆ ଜାହିର୍ କରିବାକୁ ? ତୁମେ ଖୁବ୍ ଅର୍ଥୋଡକ୍ସ ହୋଇପଡୁଛ ଆଉ ପଜେସିଭ୍ ବି ।

ମୋତେ ଏଭଳି ଲୋକ ଜମା ଭଲଲାଗନ୍ତି ନାହିଁ । ତୁମ ପାପାମାମାଙ୍କୁ ମନା କରିଦିଅ ଆସିବାକୁ । ସେମାନଙ୍କର ଘରେ କିଛି କାମ ନାହିଁ ବୋଲି କଣ ଆମେମାନେ ବି ଅଥର୍ବ ? ଆମର ଅଜସ୍ର କାମ ପଡିଛି । ଦିନଟା ଚବିଶ ଘଂଟା ନହୋଇ ଆଉ ଛଅ ଘଂଟା ବଢିଗଲେ ବି ସେ କାମ ସବୁ ସରିବାର ନାହିଁ । ସେମାନେ ସିନା ଏତେବର୍ଷ ଜୀଇଁସାରିଲେଣି । ଆମେ ଆମ ଜୀବନ ବି ଦେଖିନେ ଭଲ କରି । ସେମାନେ ଆମକୁ ଆମ ବାଟରେ ଛାଡି ଦେଉନାହାନ୍ତି କାହିଁକି ? ତାଙ୍କସମୟ ଅତିକ୍ରାନ୍ତ ଏବେ । ଯୁଗ ଖୁବ୍ ଦ୍ରୁତଗତିରେ ବଦଳିଯାଉଛି । ଗୋଟିଏ ମୂହୁର୍ତ୍ତରେ କଳାରଙ୍ଗ ଧଳାରଙ୍ଗରେ ବିବର୍ତ୍ତିତ ହୋଇ ଯାଉଛି । ଆମକୁ ସେ ଦୌଡରେ ସାମିଲ୍ ହେବାକୁ ପଡିବ । ନହେଲେ ଗୋଟେ କଣକୁ ଆମେ ଛିଟିକି ହୋଇ ପଡିବା !

ଅଂଶୁମାନ ମାନସିକ ଯନ୍ତ୍ରଣାରେ ଅସ୍ଥିର ହୋଇଉଠେ । କିନ୍ତୁ କହିପାରେନି ଯେ ଆମେମାନେ ଅଲ୍‌ରେଡି ସେ ରେସ୍‌ରୁ ଛିଟିକି ପଡିଛେ ଜିଜ୍ଞାସା । ନହେଲେ ତୁମେ ଅନ୍ଧାଧୁନିଆଁ ଭାବେ ଯେଉଁ ହାର୍‌ରେ ଦୌଡ ଆରଂଭ କରିଦେଇଛ,ଦେଖିବ ସେ ଆଖପାଖରେ ଆଉ କେହି ନଥିବେ । ଦିନେ ତୁମେ ଖୁବ୍ ଏକାକୀ ହୋଇପଡିବ । ଯେଉଁମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତୁମେ ନିଜର ଅଙ୍ଗ ଚ୍ଛେଦନ କରିଚାଲିଛ, ସେମାନେ ସମୟ ଆସିଲେ ତୁମକୁ ପକ୍ଷାଘାତ ରୋଗୀ ଭାବି କଡକୁ ଠେଲିଦେଇ ଆଗକୁ ବଢିଯିବେ । ନୋଚେତ୍ ତୁମ ଉପରେ ଚଢି, ତୁମ ଆତ୍ମବିଶ୍ୱାସକୁ ଦଳିଚକଟି ଧୂଳିସାତ୍ କରିଦେଇ ସେମାନେ ତୁମଠାରୁ ତୁମ ପ୍ରାପ୍ତି ଛଡାଇନେବେ । ସେତେବେଳେ ଭାବିବ ଆଗକୁ ବଢିଯିବା ପରେ ମଣିଷ କେତେ ଏକାକୀ ହୋଇଯାଏ । ଅଥଚ କିଛି କହୁପାରେନାହିଁ ମୁହଁଖୋଲି ।

ଜିଜ୍ଞାସା ବୁଝିପାରିବ ନାହିଁ । ପୁଣି ଗୋଟେ ନୂଆ ଅଭିଯୋଗ ଆଣିବ ତା ବିପକ୍ଷରେ । ପୁଣି ଅନ୍ୟଥା ବୁଝିବ ତାକୁ । ଯୁକ୍ତିତର୍କର ଆଶ୍ରୟ ନେବ । ପୁଣି ସେହି ପାଟିତୁଣ୍ଡ, କଥା କଟାକଟି.. ଯାହାର ମୂଲ୍ୟ ନାହିଁ । ତା ଜୀବନର ରୂପରେଖ ସିନା ବଦଳିପାରୁନି ହେଲେ ସମୟ ତ ଆଗକୁ ବଢିବାରେ ଲାଗିଛି ! ଭାବେ-ସ୍ୱାମୀ ହେବାର କର୍ତ୍ତବ୍ୟରେ ସେ କଣ କେତେବେଳେ ଅବହେଳା କରିପାରୁଛି ? ପ୍ରଥମେ ସେମାନେ କେବେ ପରସ୍ପରକୁ ଭେଟିଥିଲେ । କେବେ ଦୁହେଁ ଦୁହିଁଙ୍କୁ ପ୍ରପୋଜ୍ କରିଥିଲେ । ଜିଜ୍ଞାସା ବୋଧହୁଏ ଭୁଲିଯାଇଛି ତାର ପ୍ରଥମ ହାତଲେଖା ଚିଠିକୁ, ଯାହାକୁ ଏବେଯାଏଁ ସେ ସାଇତି ରଖିଛି ତା ନିକଟରେ । ବୋଧହୁଏ ଭୁଲିଯାଇଛି ଦିନେ ସେ ହିଁ ତାକୁ ଆଗ ପ୍ରପୋଜ୍ କରିଥିଲା ବୋଲି ! ସେ କିନ୍ତୁ କିଛି ବି ଭୁଲିପାରିନି ।

ଜୀବନକୁ ଖେଳ ବୋଲି ଭାବିନେଇଛି ଜିଜ୍ଞାସା । ଷ୍ଟୁଡେଂଟ୍ ଲାଇଫ୍‌ରେ ସେ ଯେତେବେଳେ ପ୍ରକୃତି ସହିତ ମିଶେ ସେତେବେଳେ ଅସହିଷ୍ନୁ ହୋଇପଡେ ଜିଜ୍ଞାସା । ତା ସହିତ ମିଶିବାକୁ ଦିଏନି । ସବୁବେଳେ ତା ସହିତ କେମିତି ଗୋଟେ ଅଦେଖା ପ୍ରତିଯୋଗିତାଟିଏ ଜାରି ରଖେ । କେବେ କେମିତି ଆନାଟୋମି କ୍ଲାସ୍‌ରେ ଲାଜର ଅରୁଣିମା ପ୍ରକୃତିକୁ ଛୁଇଁ ବହିଗଲା ବେଳେ ଜିଜ୍ଞାସା ଅଂଶୁମାନ ଦେହରେ ଘସି ହୋଇ ମୁରୁକି ହସେ । ଉପରେ ପଡି କଥାହୁଏ ସେ ତା ସହିତ । ପ୍ରକୃତି ସହିତ କଥା ହେଲେ ସେ ତାକୁ ଅପମାନିତ କରିବାକୁ ପଛାଏନି । ଅବଶ୍ୟ ଏସବୁ ଦୃଷ୍ଟିରୁ ପ୍ରକୃତି ଖୁବ୍ ଉଦାର । ସେ ହୁଏତ ଦୃଢ ନିଶ୍ଚିତ ଥିଲା ପ୍ରେମ ଉଭୟଂକ ତରଫରୁ ସମାନ ବୋଲି । ନହେଲେ ସେମାନଙ୍କ ସଂପର୍କକୁ ନେଇ ଜିଜ୍ଞାସା ଏତେ ପଜେସିଭ୍ ହୋଇପଡନ୍ତା କାହିଁକି ? ଦିନେ ଗୋଟେ ଶୀତ ସକାଳରେ କଟକ ବଡ ମେଡିକାଲରେ ହାଉସ୍ ମ୍ୟାନ୍ ସିପ୍ ବେଳେ ପ୍ରକୃତି ପଚାରିଲା-ତେବେ କେବେ ବିବାହ କରୁଛ ?

ଜିଜ୍ଞାସୁ ଦୃଷ୍ଟି ତୋଳି ଅଂଶୁମାନ କହିଲା-ସେ ପ୍ଲାନିଂ ଏବେଠାରୁ କାହିଁକି ? ଅନେକ କିଛି କରିବାକୁ ଅଛି । ପି.ଜି ଏବଂ ସୁପର୍ ସ୍ପେଶିଆଲାଇଜେସନ୍ ବି.. ।

ହେଲେ ଜିଜ୍ଞାସା ତ କହିବୁଲୁଛି ତୁମେମାନେ କାଳେ ବିବାହ ଡେଟ୍ ବି ଫିକ୍ସ୍ କରିଦେଲଣି ବୋଲି !

ହାଓ ଷ୍ଟ୍ରେନ୍ଜ..! ମୋର ବିବାହ ଅଥଚ ମୋତେ ଜଣାନାହିଁ ? ନା ନା ତା ହୋଇପାରେନା । ସେ ବି ଏତେ ଇମୋସନାଲ୍ ଝିଅ ନୁହେଁ । ଏମିତି ଡିସିସନ୍ ସେ ହଠାତ୍ ନେଇପାରିବ ନାହିଁ । ତୁମେ ହୁଏତ ଭୁଲ୍ ଶୁଣିଥିବ ନିଶ୍ଚୟ । ନହଲେ ସେ ହୁଏତ ତୁମ ସହିତ ମଜା କରୁଥିବ । ତା କଥାକୁ ସିରିୟସ୍ ନିଅନି ।

ଆରେ ନା..ଆଜି ନହେଲେ କାଲି ତ ତୁମେ ଦୁହେଁ ବିବାହ କରିବ । ସମୟ ଠି କଣ ଅଛି । ସବୁସମୟ ଶୁଭ ଆଉ ସବୁ ସମୟ ଗ୍ରହଣୀୟ ।

ଆଉ ତୁମେ..କିଛି ମାସ ପରେ ତୁମେ ବି କେଉଁଠି ରହିଯିବ । ଆଉ ବିବାହ.. ? ମେଡିକୋ ନା ନନ୍ ମେଡିକୋ ଦେଖି ବିବାହ କରିବ ?

ସମସ୍ତେ କଣ ଜିଜ୍ଞାସା ପରି ଲକି ହୋଇଛନ୍ତି ଅଂଶୁମାନ୍ ଯେ ହାତପାହାନ୍ତାରେ ଜହ୍ନ ବ ମିଳିଯିବ ଚାହିଁଲେ । ମୁଁ ତ ଘରର ବଡଝିଅ..ହୁଏତ ଖୁବ୍ ଶୀଘ୍ର ବିବାହ କରିଦେବେ ଘରଲୋକେ । ସେମାନେ ନିଜର ରେସ୍ପନ୍ସିବିଲିଟିକୁ ବେଶୀ ଦିନ ଆଖପାଖରେ ରଖିବାକୁ ଚାହୁଁନାହାନ୍ତି । ଅବଶ୍ୟ ସଂପର୍କୀୟ ଭାଉଜ ଜଣେ ପଚାରୁଥିଲେ – ଯଦି କିଛି ରିଲେଶନ୍ ଡେଭଲପ୍ ହୋଇଥାଏ କହିଦେଲେ ସୁବିଧା ହେବ । ହେଲେ..କା.ଆ.ଆ.ଶ୍ ! ମୋତେ କିନ୍ତୁ ଆରେଞ୍ଜ୍ ମ୍ୟାରେଜ୍ ହିଁ କରିବାକୁ ପଡିବ ।

କାହାକୁ ମନେମନେ ଭଲପାଇ ବସିନ ତ ପ୍ରକୃତି ? ଅଂଶୁମାନ୍ ଦୁଷ୍ଟାମୀଭରା କଥା କହି ମୁରୁକି ହସିଲା ।

ମଣିଷ ସବୁବେଳେ ଭଲପାଏ ଅଂଶୁମାନ୍ । ଛୋଟଥିଲା ବେଳେ..ବଡ ହେଲେ ! ମୁଁ ଭାବେ ବିବାହପରେ ବି ଜଣେ ଅନ୍ୟକାହାକୁ ଭଲପାଉଥିବ ନିଶ୍ଚୟ । ହେଲେ ପାଟି ଖୋଲି କହିବାର ସାହସ ନଥିବ । ଭଲପାଇବାକୁ ତୁମେ ମନ ତଳେବାନ୍ଧି ରଖିପାର ସତ, ହେଲେ ବେଳେବେଳେ ସେ ତୁମକୁ କଲବଲ କରିବ । ଆଉ ଦୁଃଖ କଣ ଜାଣ,ସେହି କଲବଲ ହେବାରେ ହିଁ ପ୍ରେମର ଗୁରୁତ୍ୱ ବଢେ । ହୃଦୟକୁ ଖିନଭିନ୍ କରି କ୍ଷତରେ ଭରିଦେଇ ପ୍ରେମ ହୁଏ ଗାରିମାମୟ । ସେ ଜ୍ୱଳନରେ ବି ପ୍ରେମର ତୀବ୍ରତା ମାପିହୁଏ । ପରଖି ହୁଏ ତାର ସ୍ୱଚ୍ଛତା! ଛାଡ ସେସବୁ । କିନ୍ତୁ ତୁମେ ବିବାହ କଲେ ମୋତେ ଜଣାଇବ ନିଶ୍ଚୟ । ପ୍ରକୃତି ନାମକ ଏ ତୁଚ୍ଛ ପ୍ରାଣୀଟିକୁ ଭୁଲିଯିବନି କେବେ । ଏତିକି କହି ସେ ଯିବାକୁ ବସିଲା । ଅଥଚ ତା ସ୍ୱରରେ ଭରି ରହିଥିଲା ତୀବ୍ର ତାଡନା । ଗୋଟେ ନୀରବ ଅଭିମାନର ମୂର୍ଚ୍ଛନା । ସେ କଣ କାହାକୁ ଏକତରଫା ପ୍ରେମ କରି ବସିଛି ?

ପ୍ରକୃତି.. ! ତୁମକୁ ବି ତୁମ ମନଲାଖି ମଣିଷ ମିଳିଯିବେ । ତୁମଭଳି ଝିଅ ପ୍ରତିଟି ପୁଅଙ୍କ କାମ୍ୟ । ମୁଁ ତ ଭାବୁଛି ଜିଜ୍ଞାସା ଜୁଟିନଥିଲେ..ବୋଧହୁଏ.. ! ରସିକତା କଲା ଅଂଶୁ ।

କଣ କହିଲ.. ? ମୁଁ ତୁମଜୀବନରେ ଆସିନଥିଲେ କଣ କରିଥାନ୍ତ ? ଜିଜ୍ଞାସା ପ୍ରଶ୍ନର ଉତ୍ତରଦେବା ଅଂଶୁମାନ ପାଇଁ ସହଜନଥିଲା । ତାର ଆକସ୍ମିକ ଉପସ୍ଥିତି ପରିବେଶର ମଧୁରତାକୁ ନଷ୍ଟ କରିଦେଲା । ସନ୍ଦେହରେ ଭ୍ରୁକୁଞ୍ଚନକରି ସେ ଅଂଶୁକୁ ଆକ୍ଷେପ କଲା-ଓଃ ଏଠି ବସି ତାହେଲେ ଗପ ମାରୁଛ ? ଆଜେବାଜେ କଥା ହେଉଛ,ନାଇଁ !

ଆମେ ରାଉଣ୍ଡ୍ ସାରି ବସିଛୁ ଜିଜ୍ଞାସା । ଆଜି ତ ବାହାର ପେସେଣ୍ଟମାନଙ୍କ ଭିଡ । ତଥାପି ତା ଭିତରେ ହସଖୁସି ନହେଲେ ଜୀବନଟା ବୋରିଂ ହୋଇଯିବନି ? ତୁମେ ତ ଖୁବ୍ ଭଲଭାବେ ଜାଣ ସବୁବେଳେ ରୋଗ, କଷ୍ଟ, ଯନ୍ତ୍ରଣା,ରକ୍ତ ଭିତରେ ଆମେ ଯନ୍ତ୍ରମାନବ ହୋଇଯାଉ କିଛି ସମୟ ପାଇଁ । କିନ୍ତୁ ପରେ ଅନୁଭବ ହୁଏ ଯେ ଆମର ବି ମଣିଷ ସୁଲଭ ମନଟିଏ ଅଛି । ଯିଏ ଖୁସି ଚାହୁଁଛି । ହସିବାକୁ ସାଥୀଟିଏ ଚାହୁଁଛି ! ସେତିକି ବୁଝିନପାରିଲେ ଲାଇଫ୍ କେତେ ଟିଡିଅସ୍ ହୋଇଯାଏ ! ସେଥିରୁ ଟିକେ ସମୟ ଚୋରାଇ ଆମକୁ ବଂଚିବା ଉଚିତ୍ । ଜୀବନକୁ ଟାସ୍କ୍ କରିଦେଲେ ଅଣନିଃଶ୍ୱାସୀ ଲାଗେ । ଅଂଶୁ କଥାରେ ଏକମତ ହେଲା ପ୍ରକୃତି ।

ନିଶ୍ଚିତ ଭାବେ..ଆମକୁ ନିଜପାଇଁ ଓ ନିଜର ଲୋକମାନଙ୍କ ପାଇଁ ସମୟ ବାହାର କରିବାକୁ ପଡିବ ଜିଜ୍ଞାସା । ଅଂଶୁ ଠିକ୍ କହୁଛି ମୋ ମତରେ..ଯୋଗ କଲା ପ୍ରକୃତି ।

ମୋ ମତରେ ଲୁଜର୍‌ମାନେ ଏମିତି କୁହନ୍ତି । ତୁମେ କେବେଠାରୁ କୁସଙ୍ଗରେ ପଡି ଜୀବନର ଦୃଷ୍ଟିଭଙ୍ଗୀ ବଦଳାଇ ଦେଲଣି ଅଂଶୁ ? ପରୋକ୍ଷରେ ପ୍ରକୃତିକୁ ଆକ୍ଷେପ କରି ଜିଜ୍ଞାସା ଉତ୍ତର ଦେଲା । ଅଂଶୁମାନ ସେସବୁକୁ ଅଣଦେଖା କରି ଆଟେଣ୍ଡାଂଟ ହାତରେ ଆଉ ଗୋଟେ କଫିର ଅର୍ଡର ଦେଲା । ତାରି ଭିତରେ ପେସେଂଟ୍ ଡିସ୍ପୋଜ୍ ଚାଲିଥାଏ ପ୍ରକୃତିର । ଜିଜ୍ଞାସା ଅସହିଷ୍ଣୁ ଭାବେ କାନ୍ଧରେ ଷ୍ଟେଥୋସ୍କୋପ୍ ପକାଇ ଯିବାକୁ ବସିଲା । ଅବଶ୍ୟ ଅଂଶୁମାନ ତା ମୁଡ୍ ଅଫର କାରଣ ବୁଝିପାରୁଥିଲା । ତଥାପି ପଚାରିଲା

– କୁଆଡେ ବାହାରିଲଣି? ତୁମ ପାଇଁ କଫି ମଗାଇଛି ପରା !

ମୋର ସମୟ ନାହିଁ । ଚାରିଟା ଇମର୍ଜେନ୍ସି ପେସେଂଟ୍ ଆଡମିଶନ୍ ହୋଇଛନ୍ତି । ଲେଟ୍ ଷ୍ଟେଜ୍ । ପ୍ରଫେସର୍ ଗୋଟେ ଥର ଦେଖିକି ଯାଇଛନ୍ତି । ସେମାନଙ୍କୁ ମୋତେ ଏବେ ଦେଖିବାକୁ ପଡିବ । ମୋ ଭାଗର କଫିଟା ପ୍ରକୃତିକୁ ଦେଇଦେବ । ସେ ତୁମକୁ ମୋଠାରୁ ବେଟର୍ ଏଣ୍ଟରଟେନ୍‌ କରୁଛି ।

ଆରେ ନା ନା ମୁଁ ପିଇସାରିଛି । ତୁମେ ବରଂ ତୁମ ଭାଗ ନିଜେ ସେୟାର କରିପାର । ଆଇ ଆମ୍ ଦ ଅଡ୍ ମ୍ୟାନ୍ ଆଉଟ୍..! ତେବେ ମୋତେ ବି ୱାର୍ଡରୁ ଡାକରା ଆସିଲାଣି । ମୁଁ ଆସୁଛି । ତୁମେମାନେ ବରଂ ଏଇଠି ବସିଥାଅ । ଆଉ କିଛି କଥା ନଶୁଣି ସେ ଉଠିଯାଉଥିଲା । ଅବଶ୍ୟ ଅଂଶୁ ଜାଣିସାରିଥିଲା ପ୍ରକୃତି ବାହାନା କରି ଉଠିଯାଉଛି ! ଜିଜ୍ଞାସାର ଆକ୍ଷେପରେ ସେ ସାମାନ୍ୟ କ୍ଷତାକ୍ତ ହୋଇଛି ! ଏମିତି ତ ସବୁବେଳେ ହୁଏ । ଅବଶ୍ୟ ପ୍ରକୃତି ଖୁବ୍ ବ୍ରଡ୍ ମାଇଣ୍ଡେଡ୍ । ଏ ଛୋଟଛୋଟ କଥା ସବୁକୁ ମନେରଖେନି ।

ଅଥଚ ଜିଜ୍ଞାସା ଖୁବ୍ ମିନ୍ । ୟା’କୁ ଅଂଶୁମାନ୍ ତା ପ୍ରତି ଗଭୀର ଭଲପାଇବା ବୋଲି ମନେ କରେ । ସ୍ୱାଭାବିକ ଲାଗେ ତାର ପଜେସିଭ୍ ନେସ୍ । ତେଣୁ ସେ ଆମୋଦିତ ହୁଏ ଜିଜ୍ଞାସାର ଈର୍ଷାରେ । ବେଳେବେଳେ ଜାଣିଶୁଣି ପ୍ରକୃତିର ତାରିଫ୍ କରି ସେ ତାକୁ ଆହୁରି ବେଶୀ ଈର୍ଷାନ୍ୱିତା କରାଇଦିଏ । ପ୍ରକୃତିକୁ ଦେଖିଲେ ହିଁ ଜିଜ୍ଞାସା ଚିଡିଉଠେ । ବିରକ୍ତିରେ ମୁହଁ ବୁଲାଇ ଆସ୍ତେ କିନା କହେ-ନିଅ, ତୁମ ବେଷ୍ଟ୍ ଫ୍ରେଣ୍ଡ୍ ଆସିଗଲାଣି । ମୁଁ ଆସୁଛି ।

ଅଂଶୁ କହେ-ବେଷ୍ଟ୍ ଫ୍ରେଣ୍ଡ୍ ଆଉ ଗାର୍ଲ ଫ୍ରେଣ୍ଡ୍ ଦୁହେଁ ରହିଲେ ଅସୁବିଧା କଣ? ମୁଁ ତ ଆଡଜଷ୍ଟ୍ କରିପାରିବି ।

କିନ୍ତୁ ମୁଁ ପାରିବିନି ଅଂଶୁ । ତୁମେ ଗୋଟିକୁ ଚୟନ କର । ତୁମ ପାଇଁ ଭଲ ହେବ ।

କଣ ଧମକ ନା ଅନୁରୋଧ ?

ଯାହା ଭାବିନେଇପାର । କ୍ଷୁବ୍ଧା ହୋଇ କହେ ଜିଜ୍ଞାସା ।

ପ୍ରକୃତି ତାର ଦିଗ ବଦଳାଏ । ବାଟଭାଙ୍ଗି ଅନ୍ୟତ୍ର ଚାଲିଯାଏ । ସରଳ ହେଲେ ବି ଚାଲାକ୍ ଝିଅ ସେ । ଜିଜ୍ଞାସାର ଆକ୍ରୋଶକୁ ସେ ବୁଝିପାରେ । ବେଶ୍ ମାର୍ଜିତା ଓ ଅନ୍ୟପ୍ରତି ସହାନୁଭୂତି ପ୍ରଦର୍ଶନ କରୁଥିବା ସୁନ୍ଦରୀ ତଥା ନାରୀର ସମସ୍ତ ଆଭୂଷଣରେ ସେ ସଜ୍ଜିତା ହେଲା ପରି ଝିଅଟିଏ । ତାର ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ଭିନ୍ନ । ଚରମ ସ୍ୱାର୍ଥପର ଭଳି ଏକା ଏକା ସମସ୍ତ ସୁଯୋଗ ଉପଭୋଗ କରି ସେ ତୃପ୍ତ ହେବାକୁ ଚାହେଁନା । ସେ ସମସ୍ତଙ୍କୁ ନେଇ ଚାଲିବା ଜାଣେ । ସମସ୍ତଙ୍କ ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୋଇପାରେ । ଆବଶ୍ୟକ ପଡିଲେ ନିଜଭାଗର ଖୁସିକୁ ସେ ଅନ୍ୟକୁ ଦାନ ସୂତ୍ରରେ ହସିହସି ଦେଇପାରେ । ଅଂଶୁମାନ ତାକୁ ବେଶ୍ ଭଲଭାବେ ବୁଝେ । ତଥାପି ତା ମନତଳର ଗୋପନୀୟତାକୁ ପଢିପାରେନା । ଦିନକୁଦିନ ଅଂଶୁମାନ ପ୍ରତି ତାର ବୃଦ୍ଧି ପାଉଥିବା ଦୁର୍ବଳତାକୁ ବୁଝିପାରେନା ।

ଏକାସାଙ୍ଗରେ ତିନିଜଣଯାକ ଗୋଟେ ସ୍ଥାନରେ ପି.ଜି ପାଇବାଟା ଜିଜ୍ଞାସାକୁ ଆହୁରିବେଶୀ ପ୍ରତିକ୍ରିୟାଶୀଳ କରିପକାଉଥିଲା । ଆଜିକାଲି ପ୍ରକୃତି ଏକତରଫା ଭାବେ ଜିଜ୍ଞାସା ସହିତ କଥାହେଲେ ବି ସେ କିନ୍ତୁ ତାକୁ ଆଦୌ ସହ୍ୟ କରିପାରୁନଥିଲା । ହୁଏତ ସେଥିପାଇଁ ଆଡ ଆଡ ରହୁଥିଲା ପ୍ରକୃତି । ଅଳ୍ପହସି ଚାଲିଯାଉଥିଲା ବାଟକାଟି । କେବେକେବେ ଏକାଠି ଡ୍ୟୁଟି ପଡିଗଲେ ବି ସେ ଅନ୍ୟତ୍ର ବସୁଥିଲା । ଅଂଶୁମାନ ବେଳେବେଳେ ଦ୍ୱିଧାରେ ପଡୁଥିଲା । ଆଜିକାଲି ସେ କାହିଁକି ପ୍ରକୃତି ଆଡକୁ ଆକର୍ଷିତ ହୋଇପଡୁଥିଲା ? ତା ଭିତରର ସେ ଗୋପନ ରହସ୍ୟକୁ ଉଦ୍‌ଘାଟିତ କରିବାକୁ ନା ତା ମନ ଉପତ୍ୟକାରେ ଅନଧୀକାର ପ୍ରବେଶ କରିବାକୁ ସେ ବ୍ୟାକୁଳ ହେଉଥିଲା ! ଏମିତି ଦିନେ ହଠାତ୍ ଜିଜ୍ଞାସାଠାରୁ ଅଭାବିତ ପ୍ରସ୍ତାବଟିଏ ପାଇଲା । ସେମାନଙ୍କ ଘରେ ତା ବିବାହକୁ ସମସ୍ତେ ସ୍ୱୀକୃତି ଦେଇସାରିଛନ୍ତି ।

ଅର୍ଥାତ୍ ତାର ଡାଡିମମି ଅଂଶୁମାନକୁ ଜ୍ୱାଇଁ ରୂପେ ଗ୍ରହଣ କରିବାକୁ ରାଜି ଅଛନ୍ତି । ଖୁବ୍ ଶୀଘ୍ର ସେମାନେ ଅଂଶୁମାନର ପାପାମାମାଙ୍କ ସହିତ କଥା ହେବେ । ଅବଶ୍ୟ ଏ ଖବରରେ ଅଂଶୁମାନ ଏତେ ପ୍ରଭାବିତ ନଥିଲା । ଗୋଟେ ରାତିର ଭୁଲ୍ ପାଇଁ ଏ ଦଣ୍ଡ ଯେ ତାକୁ ମିଳିବାର ଅଛି ସେକଥା ତାର ଦୃଢ ନିଶ୍ଚିତ ଥିଲା । ତା ଭୁଲର ପ୍ରାୟଶ୍ଚିତ ରୂପେ ତାକୁ ଜିଜ୍ଞାସାକୁ ବିବାହ କରିବାକୁ ହିଁ ପଡିବ । କାରଣ ଜିଜ୍ଞାସା ୟା’ଭିତରେ କନସିଭ୍ କରିଯାଇଥିଲା । ତାପରେ ସେ ଅଂଶୁମାନର ଅଜାଣତରେ ଆବୋର୍ଟ ବି କରି ଦେଇଥିଲା । କିନ୍ତୁ ବିବାହର ଚାପ ତା ଉପରେ ପଡିବ ବୋଲି ଜାଣିସାରିଥିଲା । କିଛି ମାସ ଭିତରେ ବିବାହ କାର୍ଯ୍ୟ ବି ସରିଯାଇଥିଲା ନାନା ଘଟଣା ଓ ଦୁର୍ଘଟଣା ଭିତରେ । ସମସ୍ତେ ସବୁ କିଛି ଗ୍ରହଣ ବି କରିଯାଇଥିଲେ । ବିବାହ ପରେ ଅଂଶୁମାନ ଜାଣିଲା ଯେ ଯେଉଁଥିପାଇଁ ସେମାନଙ୍କର ବିବାହ, ସେ ସତାଟି ମୁକୁଳିଯାଇଛି କେବେଠାରୁ । ଦୁଇଦିନ ପାଇଁ ମାଉସୀ ପୁଅର ଜନ୍ମଦିନ ବାହାନାରେ ଜିଜ୍ଞାସା ଅନ୍ୟତ୍ର ଯାଇ ତା ଅଂଶକୁ ସମୂଳେ ବିନାଶ କରି ଖୁସି ଖୁସି ତା ସାମ୍ନାରେ ସୁନ୍ଦର ଅଭିନୟ କରିଛି ! ସେତେବେଳେ ଅଂଶୁମାନର ମଥା ଉପରେ ଆକାଶ ଛିଣ୍ଡି ପଡିଲା ଭଳି ଲାଗିଲା । ତଥାପି ଏ ଖୁସି ଓ ଉଲ୍ଲାସର ମୂହୁର୍ତ୍ତରେ ସେ ନିରବ ରହିବାକୁ ପସନ୍ଦ କଲା ।

ତାର ମାସକ ପରେ ପ୍ରକୃତି ବି ଅନ୍ୟତ୍ର ବିବାହ କରିଗଲା । ଆଜିକାଲି ସେ ବେଶ୍ ଖୁସିରେ ଅଛି । ଅନ୍ୟକୁ ସୁଖୀ ରଖିଲା ଭଳି ଝିଅଟିଏ ଥିଲା ସେ.. । ତା ପ୍ରବୃତ୍ତିରୁ ସେ କିପରି ଦୂରେଇ ରଖିବ ନିଜକୁ ? ଜୀବନର ବ୍ୟାପକତା ଭିତରେ ସେ ଅନ୍ୟକୁ ବୁଝିବାକୁ ସମୟ ବାହାର କରେ । ଅନ୍ୟପାଇଁ ନିଜକୁ ପରିବର୍ତ୍ତିତ କରେ । ସେ କିପରି ସୁଖୀ ରହିବ ନାହିଁ ଯେ ! ପ୍ରକୃତି ତାର ସୀମିତ ପରିଧି ଭିତରେ ବି ଆକାଶକୁ ଛୁଇଁ ପାରିଛି ଯାହା ଜିଜ୍ଞାସା ପାଇନାହିଁ । ଲାଗୁଛି ସେ ବିପର୍ଯ୍ୟସ୍ତ ଭାବେ ଆକାଶକୁ ଛୁଇଁବାକୁ କେବଳ ଡିଆଁ ପରେ ଡିଆଁ ମାରିଚାଲିଛି । ଅଥଚ ଆକାଶ ତା ହାତ ପାହାନ୍ତାରୁ ଅନେକ ଦୂରରେ.. । ଜୀବନ ବଂଚିବା ଶୈଳୀ ଯାହା ପ୍ରକୃତି ବୁଝିଛି ତାହା ଜିଜ୍ଞାସା ବୁଝି ପାରିନାହିଁ । କାରଣ ଅନ୍ୟକୁ ଗ୍ରହଣ କରିବାର ସେ ଉଦାରତା ଜିଜ୍ଞାସା ପାଖରେ କାହିଁ ? ପ୍ରକୃତି କିପରି ଏତେ ନମନୀୟା ? ଡାକ୍ତରଟିଏ ହୋଇ ବି ସେ କିପରି ଏତେ କୋମଳ ? ଯଦି ତାକୁ ଈର୍ଷାନକରି ତାର ଭଲଗୁଣ ଗୁଡିକୁ ଜିଜ୍ଞାସା ଆଦରି ନେଇଥାନ୍ତା, ତେବେ ସେମାନଙ୍କ ଜୀବନ ଆଜି ଅନ୍ୟପ୍ରକାରର ହୋଇପାରିଥାନ୍ତା !

ଦୀର୍ଘଶ୍ୱାସଟିଏ ବାହାରି ଆସିଲା ସଦ୍ୟ କାତିଛଡା ସାପଟିଏ ପରି ! ଆଜିକାଲି ଭବିଷ୍ୟତ ଉପରେ କୌଣସି ଆସ୍ଥା ନାହିଁ । ଅଂଶୁମାନ ସ୍ଥାବର ସମ୍ପତ୍ତିଟିଏ ପରି ଜିଜ୍ଞାସାର ହୋଇସାରିବା ପରେ ତାର ଅବକ୍ଷୟ ଆରଂଭ ହୋଇଯାଇଥିଲା କ୍ରମଶଃ । ପି.ଜି ଶେଷବର୍ଷ ଯେତେବେଳେ ପ୍ରକୃତି ବିବାହ କରିଗଲା ସେତେବେଳେ ବୋଧହୁଏ ସେ ଭାବିଲା ଯେ ତାର ବୋଧହୁଏ ଆଉ କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି ଏ ସଂସାରରେ । ଏବେ ସେ ନିଷ୍କଟଙ୍କ ରାଜ୍ୟ ଭୋଗ କରିବ । ସେସବୁ ବି ଅଚିରେ ଗ୍ରହଣ କରି ନେଇଥିଲା ଅଂଶୁମାନ । ଦିନାକେତେ ଜିଜ୍ଞାସାର ସମସ୍ତ ଅଳିଅର୍ଦ୍ଧଳିକୁ ପିଲାଳିଆମୀ ଭାବି ଅଣଦେଖା ବି କରିଦେଉଥିଲା । କିନ୍ତୁ ସେ ମାନ ଅଭିମାନ ଯେ କେତେବେଳେ ଅହଂକାରରେ ପରିଣତ ହୋଇସାରିଥିଲା । ଅସହିଷ୍ଣୁତାରେ ଭରି ରହିଥିଲା ସେ ଅର୍ହନିଶ । ଅନ୍ୟ କାହାର ଉପସ୍ଥିତି ସେ ସହ୍ୟ କରିପାରୁନଥିଲା ।

ଏମିତିକି ପାପାମାମାଙ୍କ ଉପସ୍ଥିତିକୁ ବି ସେ ସହ୍ୟ କରିପାରୁନଥିଲା । ସେମାନଙ୍କୁ ନେଇ..ନାନାଦି ଟୀକା ଓ ଟିପ୍ପଣୀ । ତା ପାଇଁ ସମସ୍ତେ ଥିଲେ ଅଦରକାରୀ ଜୀବ ! ପ୍ରତିଟି ଜିନିଷ ତା ହିସାବରେ ହେଉଥିଲା । ତା କଥାରେ ଘର ଚଳୁଥିଲା । ଏମିତିକି ଅଂଶୁମାନ କେବଳ ଘରର ଆସବାବ ପତ୍ର ପରି ପଡିରହୁଥିଲା ଡ୍ୟୁଟିରୁ ଫେରି । ଲାଗୁଥିଲା ଡ୍ୟୁଟି ସରିନଥିଲେ ବି କାହାର କିଛି ପରବାୟ ନାହିଁ । କେହି ଯେମିତି ତା ଫେରିବା ବାଟକୁ ଚାହିଁ ବସନ୍ତିନି । ତାର ଉପସ୍ଥିତି ଓ ଅନୁପସ୍ଥିତି ଯେମିତି କାହାକୁ ଖୁସି କି ଦୁଃଖୀ କରିପାରନ୍ତିନି । ଜିଜ୍ଞାସାର କଣ ମନ ଭରିଗଲା ତାହେଲେ । ସେ କଣ ଆଉ ଗୋଟେ ନୂଆ କଣ୍ଢେଇ ଚାହେଁ ?

– ତା’ପରେ –

ଲୋକପ୍ରିୟ ଲେଖା

To Top