ଉପନ୍ୟାସ

ମୁକ୍ତାର ମାୟା (ଭାଗ-୫)

Dr Mousumi Parida's Odia Novel Muktaara Maayaa

ସାରା ଜୀବନ ତ ସ୍ୱାମୀକୁ କାଠ କଣ୍ଢେଇ ପରି ନଚାଇଲେ । ସେ କାହୁଁ ବୁଝିବେ ସ୍ତ୍ରୀ ପଣିଆ ? ଝିଅକୁ ବି ତ ସେଇ କୁବୁଦ୍ଧି ଦେବେ ନା?

ମୁକ୍ତାର ମାୟା

-: ପୂର୍ବରୁ :-

ଭାଗ ୫

ମନେପଡେ ପ୍ରକୃତି..ଓ ତାର ନାରୀସୁଲଭ ଗୁଣମାନ । ହେଲେ ଜିଜ୍ଞାସା କାହିଁକି କେବେ ବି ସ୍ତ୍ରୀ ଭାବେ ଆଚରଣ କରିବାକୁ ଚାହୁଁନି । କେବେକେବେ ତା ଆଖପାଖ ପରିସୀମା ଭିତରେ ନିଜର ସ୍ତ୍ରୀ ସୁଲଭ ଗୁଣଟିକୁ ବିକଶିତ କରିପାରୁନି । ତ୍ୟାଗର ମହନୀୟତାରେ କାହିଁକି ଢଳ ଢଳ ହୋଇଉଠୁନାହିଁ ସଦ୍ୟଫୁଟା ପଦ୍ମଟିଏ ପରି ! ସ୍ନେହ ଓ ଶ୍ରଦ୍ଧାର ଉଜ୍ଜଳତାରେ ସେ କାହିଁକି ଆଲୋକିତ କରିପାରୁନି ତାର ତମସାଚ୍ଛନ୍ନ ଘରଟିକୁ?

ସବୁବେଳେ ସ୍ୱାର୍ଥପରଙ୍କ ଭଳି ଚିନ୍ତା ଓ ଆଚରଣ ! ସେ କଣ କେବେ ବି ବିବାହ କରିବାକୁ ଚାହିଁନଥିଲା ତାକୁ ? ତେବେ କାହିଁକି ଏ ବିବାହ ନାମକ ମୁଖା ପିନ୍ଧି ସେମାନେ ନିଜକୁ ଓ ପରିବାର ସଦସ୍ୟମାନଙ୍କୁ ସେମାନେ ଉଭୟ ପ୍ରତାରିତ କରିଚାଲିଛନ୍ତି ? କାହିଁକି ବିବାହିତ ବୋଲି ସାମାଜକୁ ଦେଖାଇ ହେଉଛନ୍ତି ? ଜିଜ୍ଞାସା କଣ କେବେ କିଛି ପୂଜାପର୍ବ ପାଳନ କରେ ? କେବେ କଣ ତା ପାଇଁ ଉପବାସ କି ବ୍ରତ କରେ? ସେ ଏମିତି ଅନମନା କାହିଁକି ? ଇଚ୍ଚାଭିଳାଷୀ ହେବା ମନ୍ଦ ନୁହେଁ । କିନ୍ତୁ ପାରିବାରିକ ସଂପର୍କକୁ ଘୃଣା କରିବା ତ ଠିକ୍ ନୁହେଁ । ସଂସ୍କୃତି ଓ ପରମ୍ପରାକୁ ଅମାନ୍ୟ କରି କେହି ନିଜ ବଡପଣକୁ ସାବ୍ୟସ୍ତ କରେନି । ପାପାମାମାଙ୍କୁ ଅଣଦେଖା କିମ୍ବା ଅପମାନିତ କରି ମଣିଷ କଣ ଆକାଶରେ ପହଂଚେ ! ହେଲେ ତାକୁ କହିବା କି ବୁଝାଇବା ପାପ । କିଛି କହିଲେ ସେ ଅନ୍ୟଥା ଧରିବସିବ । ଭାବିବ ଯେ ସେ କାଳେ ତାକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛି । ହେଲେ ସେ ବୁଝିପାରୁନି ତା ଅକ୍ତିଆରରେ ସମସ୍ତେ ଅସହିଷ୍ଣୁ ହୋଇଗଲେଣି । ଅତିଷ୍ଠ ହୋଇ ଗଲେଣି ତା ସଂପର୍କିତ ଲୋକମାନେ । ତଥାପି ଆହା ପଦେ ବି କାହା ପାଟିରୁ ବାହାରୁନି କେବଳ ସେମାନଙ୍କ ଭଲପାଇଁ ।

ଦୂରରେ ଥାଇ ପାପାମାମା ବି ତା କଥାନୁସାରେ ଚଳୁଛନ୍ତି । ସେ କାଳେ କଷ୍ଟ ପାଇବ ବୋଲି ନିଜର ଏକମାତ୍ର ପୁଅ ସହିତ ମନଖୋଲି ଭଲରେ କଥାପଦେ ହୋଇ ପାରୁନାହାନ୍ତି । ତାକୁ ଦେଖା କରିବାକୁ ଆସି ପାରୁନାହାନ୍ତି । ଭାଗ୍ୟର ଏ ବିଚିତ୍ର ଖେଳ ସତରେ! ଅଂଶୁର ଦୀର୍ଘଶ୍ୱାସ ସଂଚରିଗଲା..ଅଥଚ ତାହା ଜିଜ୍ଞାସାକୁ ସ୍ପର୍ଶ କଲାନାହିଁ ନିଶ୍ଚୟ । ପାଖ କାନ୍ଥରେ ଧକ୍କା ଖାଇ ଫେରି ଆସିଲା ଅଂଶୁ ନିକଟକୁ ପୁନର୍ବାର । ନିଜ ନିଃଶ୍ୱାସର ଉଷ୍ଣତାକୁ ଅନୁଭବ କରିପାରିଲା ସେ । ଲାଗିଲା ସେ ଯେପରି ପୋଡିଯାଉଛି ନିଜନିଆଁରେ । ଛଟପଟ ହେଲା ସେ ଅନେକ ସମୟ । ବାହାରେ ଶୀତଳ ପବନର ସ୍ପର୍ଶ..ଅଥଚ ତା ମନକୁ ଶୀତଳ କରିପାରୁନାହିଁ ।

ଆକାଶରେ ଚିକମିକ୍ ତାରା । ଅଥଚ ତା ମନସାରା ଘନନ୍ଧକାରରେ ଭର୍ତ୍ତି । ବାଦଲଭରା ଆକାଶରେ କିଛି ବି ଦିଶୁନାହିଁ । ଭୟ ଲାଗିଲା ମନଭିତରର ଚିତ୍ରକୁ । ସେ ଚମକିପଡିଲା ନିଜ ଭିତରର ଅନ୍ଧକାରରେ । ଆଖି ବନ୍ଦ କଲେ ଆଜିକାଲି ଭୟ ଲାଗୁଛି ତାକୁ । ରାତି ବାରଟା ବାଜିଗଲାଣି । ନିତ୍ୟାନନ୍ଦ ତିନିଥର ଭିତରକୁ ଡାକି ଚାଲିଗଲାଣି । ଆଗରୁ ମାମା କେତେକଣ ଗପ କହି ଶୁଆଇ ପକାଉ ଥିଲା । ଡର ଲାଗିଲେ ତାକୁ କୋଳେଇ ନେଇ ଶୁଆଇ ପକାଉଥିଲା । ତା କୋଳଟା କେତେ ଶାନ୍ତି ଲାଗେ! ଆଖିରୁ ଦି’ଧାର ଲୁହ ଝରିପଡିଲା ପୁଣି ।

ନିତ୍ୟାନନ୍ଦ ସଂଭାଳିନପାରି ନିଜହାତରେ ଲୁହ ପୋଛିଦେଇ କହିଲା-ଏମିତି ପିଲାଙ୍କ ପରି ହୁଅନି ଛୁଆବାବୁ । ଜୀବନଟା କେତେ ଲମ୍ବା ! ଏମିତି ନିଷ୍ଠୁର ହୁଅନି ନିଜପ୍ରତି । ଛୁଆମାଆ ଶୋଇ ପଡିଲେଣି । କହୁଥିଲେ କାଲି କଣ ଟ୍ରେନିଂ ଅଛି ବୋଲି । ସେ ଭୁବନେଶ୍ୱର ଯିବେ ଆଠଟାରୁ । ସକାଳ ପାଇଁ ବ୍ରେକ୍‌ଫାଷ୍ଟ୍ ବନାଇଦେବାକୁ କହିଛନ୍ତି । ଦେଖୁଛ, ଛୁଆ ବାବୁ ସେ କେତେ ସ୍ୱାଭାବିକ ତାଙ୍କ ଜୀବନରେ । ସେ ସିନା ଜାଣି ପାରୁନାହାନ୍ତି ସେ କଣ ହରାଉଛନ୍ତି । ହେଲେ ତୁମେ ହାତପାହାନ୍ତାରେ ନଥିବା ଜିନିଷଟି ପ୍ରତି ଏତେ ଆସକ୍ତ କାହିଁକି ଯେ ! କେତେ ଉପେକ୍ଷିତ ହେଲେ ବୁଝିବ ଜୀବନକୁ ? ମନକୁ ଦୃଢ କର । ପୁଅପିଲା ହୋଇଛ ପରା ! ନହେଲେ ସେପଟେ ମାଆଟା କାନ୍ଦି କାନ୍ଦି ଆଖି ଫୁଟାଇ ଦେବ । ବଡମାଆ ସବୁବେଳେ ଦୁଃଖୀ । ତୁମେ ଯେତେ ଲୁଚାଇଲେ ବି ସେମାନେ ସବୁ ଦେଖିପାରନ୍ତି ।

ମାଆର ହୃଦୟ ଭିତରେ ଗୋଟେ ସୂକ୍ଷ୍ମ ମନ ଅଛି । ଯାହା ବେଳେ ଅବେଳରେ ତା ପିଲାକୁ ପଢି ପାରେ ଓ ନିଦ୍ୱର୍ନ୍ଦ୍ୱରେ ବୁଝିପାରେ । ତୁମର ଏ ବ୍ୟସ୍ତତାର ପ୍ରଭାବ ତାଙ୍କ ଉପରେ ପଡୁଛି କି କଣ ବ୍ଲଡ୍ ପ୍ରେସର୍ ବଢିଯାଇଛି । ଦୁଃସ୍ୱପ୍ନ ଦେଖିବା ପରି ଅଧାନିଦରୁ ଉଠି ସେ ଧଇଁସଇଁ ହେଉଛନ୍ତି । ଭୟଭୀତ ଆଖିରେ ସେ ବଡବାବୁଙ୍କୁ କହୁଛନ୍ତି-ଅଂଶୁ ପାଖକୁ ଟିକେ ଫୋନ୍ ଲଗାଇଲ । ସେ କେମିତି ଅଛି ବୁଝିନିଅ । ବାବୁ ସେକଥାକୁ ଟାଳି ଦେଉଛନ୍ତି ସିନା ହେଲେ ମାଆ ମନ କେମିତି ବୁଝିବ ଯେ ! ତେଣୁ ମୋତେ ଫୋନ୍ କରି ବୁଝନ୍ତି । ମୁଁ ତ ତାଙ୍କ ପାଇଁ ସବୁବେଳେ ମୋ ମୋବାଇଲକୁ ସାଇଲେଣ୍ଟ୍‌ରେ ରଖିଦିଏ ।

ହେଲେ ତୁମ ପାଖେ ମୋବାଇଲ୍ କୋଉଠୁ ଆସିଲା ? ତୁମକୁ ତ ମୋବାଇଲ୍ ଅପରେଟ୍ କରି ଆସେନି ବୋଲି ମୁଁ ଜାଣିଛି ।

ଆଗରୁ ସିନା ଆସୁନଥିଲା । ହେଲେ ବଡମାଆ ସବୁ ବୁଝାଇ ଦେଇଛନ୍ତି । ସେ ହିଁ ତ ନୂଆ ମୋବାଇଲ୍ଟିଏ କିଣି ଦେଇଛନ୍ତି ତୁମକଥା ବୁଝିବାକୁ ।

ମାମା ତାହେଲେ ମୋ ପଛରେ ସ୍ପାଇ ଲଗାଇଦେଇଛି?

କଣ କହିଲ?

ତୁମେ ବୁଝିପାରିବନି ସେସବୁ । ହେଲେ ମାମାକୁ ସବୁକଥା କହିବା ଜରୁରୀ ନୁହଁ । ସେ ଅଯଥାଟାରେ ବ୍ୟସ୍ତ ହେବ । ଆଉ ତାକୁ କିଛି ଜଣାଇବନି । ହେଲା..?

ହେଲା ବାବା..ମୁଁ ଆଉକିଛି କହିବିନି ବଡମାଆଙ୍କୁ । ଏବେ ତୁମେ ଚାଲ ଭିତରକୁ । କାକର ପଡିଲାଣି । ଦେଖ ତ ତୁମ ଦେହ ହାତ କେମିତି ହେମାଳ ଲାଗୁଛି ! ଅଥଚ ସେମିତି ସେ ଆକାଶଟାକୁ ଚାହିଁ ବସିଛ ଯେ ବସିଛ । ଏଠି ତୁମ ନୀରବତା, ତୁମ ବ୍ୟସ୍ତତା ମୋତେ ହିଁ ସଂକ୍ରମଣ କରେ ଛୁଆବାବୁ । ଆଉ କେହି ତୁମକୁ ଭିତରକୁ ଡାକିବା ଅସଂଭବ ।

ଅଂଶୁ ସଚେତନ ହୋଇ ଉଠିଲା ଚେୟାରରୁ । ସତେ ତ ଅନେକ ବିଳମ୍ବ ହେଲାଣି । ଛୋଟପିଲାଟିଏ ପରି ଜହ୍ନକୁ ପାଇବାକୁ ବ୍ୟାକୁଳ ହୋଇ ଏତେ ସମୟ କାନ୍ଦିଲାଣି । ହେଲେ ଜହ୍ନ କଣ ହାତକୁ ଖସିପାରେ କେବେ । ଆରେ ଏ କଣ..ସେ ଜିଜ୍ଞାସାକୁ ଜହ୍ନର ଉପମା ଦେଉଛି? ଯିଏ ବାଲିଗରଡା ହେବାକୁ ଯୋଗ୍ୟା ନୁହେଁ ! ମୁଖା ପିନ୍ଧା ମଣିଷଟିଏ ପରି ଯେ ଅହରହ ଅଭିନୟ କରୁଛି ତା ସହିତ । ଛଳନା କରି ତା ଜୀବନକୁ ନଷ୍ଟ କରିଛି..ତାକୁ ସେ ଆଜି ଜହ୍ନର ଉପମା ଦେଇଦେଲା । ସେ ଜହ୍ନ ଭିତରେ ଥିବା କଳାଛାଇ ଯିଏ ତା ଜୀବନର ଉଜ୍ଜଳତାକୁ ନଷ୍ଟକରିଛି । ସେ ଗୋଟେ କୃଷ୍ଣଗର୍ତ୍ତ ଯିଏ ତା ଜୀବନକୁ ଅସୀମ ଅନ୍ଧକାର ଭିତରକୁ ଶୋଷି ନେଇଛି । ଏବେ ହୁଏତ ନିଶାସକ୍ତ ଥିବ । ତାକୁ ଆଖି ଆଗରେ ପାଇ କେତେକଣ କହିପକାଇବ । ଝଗଡା କରି ରାତିର ନୀରବତା ଭଙ୍ଗ କରିବ ।

କବାଟରେ ହାତ ମାରିଲା ଅଂଶୁ । କବାଟ ଭିତରୁ ବନ୍ଦ ଅଛି । ଓଃ ଆଜକାଲି ମ୍ୟାଡାମ୍ ଏକାକୀ ଶୋଇବାକୁ ଭଲ ପାଉଛନ୍ତି ତାହେଲେ । ବେଶ୍ ଭଲ.. ଗୋଟେ ଅଜଗର ସାପ ସହିତ ନଶୋଇ ବରଂ ଏ କାଉଚ୍ ଉପରେ ଶୋଇପଡିବା ଭଲ । ଅଂଶୁ ମନକୁ ମଜବୁତ୍ କଲା । ନା ତାକୁ ଏସବୁର ଶେଷ ଭାବିବାକୁ ହେବ । ଜିଜ୍ଞାସା ହାତର କଣ୍ଢେଇ ହୋଇ ସେ ତା ପାପାମାମାଙ୍କ ଠାରୁ ଦୂରେଇ ରହିପାରିବନି ସାରାଜୀବନ । କାହିଁ ସେ ନିଜେ ତ ତା ଡାଡିମମିଙ୍କ ପାଖକୁ ଅନାୟାସରେ ଯାଇପାରୁଛି ! ସେମାନଙ୍କ ସହିତ ସଂପର୍କ ରଖିପାରୁଛି ! ସମସ୍ତ ସୁଖଦୁଃଖ ,ଅବଶୋଷ ସେୟାର୍ କରିପାରୁଛି ! ସେ କାହିଁକି ପାରିବନି । ସେ କାହିଁକି ନିଜ ପାପାମାମାଙ୍କଠାରୁ ଅଲଗା ରହି ଏକାକୀତ୍ୱରେ ଘାଂଟି ଚକଟି ହେବ ? କିଭଳି ମମି ତାର କେଜାଣି ଝିଅକୁ ଘର ଭାଙ୍ଗିବା ବୁଦ୍ଧିଟା ଯେମିତି ଦେଉଛନ୍ତି, ଘର ସଜାଡିବା ବୁଦ୍ଧିଟା ସେମିତି ଦେଇପାରୁନାହାନ୍ତି । ସାରା ଜୀବନ ତ ସ୍ୱାମୀକୁ କାଠ କଣ୍ଢେଇ ପରି ନଚାଇଲେ । ସେ କାହୁଁ ବୁଝିବେ ସ୍ତ୍ରୀ ପଣିଆ ? ଝିଅକୁ ବି ତ ସେଇ କୁବୁଦ୍ଧି ଦେବେ ନା?

ତା ଡାଡି କିପରି କେଜାଣି ! ସବୁ କିଛିକୁ ସେ ଆଖି ବୁଜିଦେଇଛନ୍ତି । ବେଳେବେଳେ ଅଂଶୁ ଭାବେ ସେ ଭଲ ମଣିଷ ! ତାଙ୍କୁ ଅନ୍ତତଃ ସେ ସବୁକଥା ବୁଝାଇପାରିବ । ନିଜଝିଅର ଉଦ୍ଧତପଣିଆକୁ ଜାହିର୍ କରିପାରିବ । କିନ୍ତୁ ଜିଜ୍ଞାସାର ଧମକ-ଏସବୁ ସେମାନେ ଜାଣିଲେ ଅସୁବିଧା ହେବ । କିନ୍ତୁ ଅଂଶୁର ବିଶ୍ୱାସ ଅଛି ଜିଜ୍ଞାସା ଏତେ ବିଷାକ୍ତ ନୁହେଁ । ଅବଶ୍ୟ ତା ଭିତରେ ବିଷ ଭରି ରହିଛି । ହେଲେ ସେ ନିଚ୍ଚକୁ ଯାଇପାରିବ ନାହିଁ । ଭୟଙ୍କର ଭାବେ ସେ ଅଂଶୁର କ୍ଷତି ଘଟାଇ ପାରିବନାହିଁ । ଯାହା ହେଲେ ବି ସେମାନେ ଯେ ପରସ୍ପରକୁ ଦିନେ ଭଲ ପାଇଥିଲେ । ଏବେ ସିନା ସଂସାରିକ ସଂପର୍କ ବଂଚାଇବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ଏ ସଂପର୍କ ଯେ ସେମାନଙ୍କ ପ୍ରେମରୁ ସୃଷ୍ଟି ହୋଇଥିଲା ଦିନେ ଏକଥାକୁ ସେମାନେ କେହି ବି ଅସ୍ୱୀକାର କରିପାରିବେ ନାହିଁ । ତେବେ ସେ ଯାହାହେଉ କିଛି ଗୋଟାଏ ନିଷ୍ପତ୍ତିରେ ପହଂଚିବା ଜରୁରୀ । ଘରଲୋକମାନଙ୍କୁ ଏଥିରେ ସାମିଲ୍ ନକରି ଆଉ ଚାରା ନାହିଁ ।

ବହୁ ସମୟ ନଷ୍ଟ ହେଲାଣି ଏମିତିରେ । ଆଜିକାଲି ଫୁରୁସତ୍ ମିଳିଲେ ଜିଜ୍ଞାସା ଡ୍ରିଙ୍କ କରୁଛି । ଅବାଧରେ ପାର୍ଟିକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଛି । ପଚାରିଲେ ଗୋଟିଏ ଉତର-ଯୁଗ ସହିତ ତାଳ ମିଶାଅ । ବି ପଜିଟିଭ୍ । ସବୁକଥାରେ ତୁମର କଣ ଏତେ ରୋକ୍ଟୋକ୍ କାହିଁକି ? ଭୋଦ୍‌କାକୁ ତୁମେ ଯଦି ମଦ କହିବ, ତେବେ ଆଇ ଆମ୍ ସୋ ସରି । ୟୁ ହାଭ୍ ନୋ ନଲେଜ୍ । ବାଇ ଦ ୱେ ଅଂଶୁ..ମୁଁ ତ ତୁମର କୌଣସି କଥାକୁ ନେଇ ଇସ୍ୟୁ ବନାଇନି । ତୁମେ କାହିଁକି ଏତେ ମିନ୍ ହୋଇ ପଡୁଛ ? ମୋ ଡ୍ୟୁଟିରେ ମୁଁ ତ କେବେ ଅବହେଳା କରୁନି । କାମ ପ୍ରେସର୍‌ରେ ନିହାତି ମନଟା ଟିକେ ହାଲ୍କା କରିବାକୁ ଇଚ୍ଛା ହେବ । ହେବା ବି ଜରୁରୀ । ନହେଲେ କାଲି ସକାଳକୁ କାମ କରିବାର ଇଚ୍ଛା କେଉଁଠୁ ଆସିବ ? ଜୀବନରେ ଫ୍ରେଶ୍‌ନେଶ୍ ଆଣିବାକୁ ହେଲେ ମନକୁ ହାଲକା କରିବା ଦରକାର । ହେଲେ ତୁମେ ଏକଥା ବୁଝିବ କିପରି ? ତୁମେ କଣ ସେ ଲେବୁଲ୍‌କୁ ଯାଇପାରିଛ ନା ଯାଇପାରିବ । ଖାଲି ଆଉଟ୍ ଡୋର୍‌ଟାରେ ବସି କେଇଟା ପ୍ରେସ୍କ୍ରିପସନ୍ ଗାରେଇଦେଲେ ଜଣେ ନାଁକରା ଡାକ୍ତର ହୋଇ ଯିବନି । ସେଥିପାଇଁ ଦରକାର ଆଉଟ୍ ପ୍ରାକ୍ଟିସ୍ । ପରିଶ୍ରମ..ତୁମ ପାଇଁ ଏଇଟା ଗୋଟେ ନିରର୍ଥକ ଶବ୍ଦ !

ଏଠାକାର ଲୋକମାନଙ୍କୁ ପଚାର,ସେମାନେ କହିଦେବେ କିଏ ବେଶୀ ପାରିବାର? ଡାକ୍ତର ଜିଜ୍ଞାସା ନା ଡାକ୍ତର ଅଂଶୁମାନ? ନିଜକୁ ପ୍ରଥମେ ଚିହ୍ନ ଅଂଶୁ ତାପରେ କହିବ । ତୁମେ ପ୍ରକୃତି ଭଳି ଝିଅମାନଙ୍କ ଟାଇପ୍‌ର । ମୋ ଟାଇପ୍‌ର ନୁହେଁ ।

ଅଂଶୁ ବିରକ୍ତ ହୋଇଉଠିଲା-ଆଚ୍ଛା, ତେବେ ବିବାହ ପାଇଁ ତୁମେ ମୋତେ ପ୍ରଥମେ ପ୍ରପୋଜ୍ କରିଥିଲ ବୋଲି ଭୁଲିଯାଇଛ ବୋଧହୁଏ ?

ସେଇଟା ମୋର ଭୁଲ୍ ନିଷ୍ପତି ଥିଲା ଅଂଶୁମାନ । ଯାହାର ପ୍ରାୟଶ୍ଚିତ ମୁଁ ଏବେ କରିଚାଲିଛି । ଚିହିଁକି ଉଠିଲା ଜିଜ୍ଞାସା ।

ଆଉ ଦରକାର ନାହିଁ । ଏବେ ତୁମେ ଚାହିଁଲେ ମୁକ୍ତ ହୋଇପାର । କ୍ଷୁବ୍ଧ ସ୍ୱରରେ କହିଲା ଅଂଶୁମାନ୍ ।

କଣ ତୁମ ଇଚ୍ଛାରେ..? ଆହତ ନାଗୁଣୀ ଭଳି ଫଁ ଫଁ ହେଲା ଜିଜ୍ଞାସା ।

ଭାବି ନେଇପାର । ଭାବୁଛି ତୁମେ ବି ମୋ ସହିତ ଏକମତ ହେବ ଏକଥାରେ ଅନ୍ତତଃ ।

କିନ୍ତୁ ଏତେ ସହଜରେ ନୁହେଁ ମିଷ୍ଟର୍ ଅଂଶୁମାନ..ମୁଁ ମୋ ଇଚ୍ଛାରେ ବିବାହ କରିଥିଲି । ମୁଁ ନଚାହିଁଲେ ତୁମକୁ ମୁକ୍ତ କରିପାରିବିନି । ଏତିକି କହି ବେଡ୍‌ରୁମକୁ ଚାଲିଯାଇ ପ୍ରଚୁର ମଦ ପିଇଥିଲା ସେ । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ବି କରିଥିଲା । ଆଖିରୁ ଲୁହ ପୋଛି ବାଲ୍କୋନିକୁ ଚାଲିଆସିଥିଲା ଅଂଶୁ । ପ୍ରତିଦିନ ଏଭଳି ଅଶାନ୍ତିକୁ ସେ ସହିବାର ଅଜସ୍ର ଧୈର୍ଯ୍ୟକୁ ହରାଇ ବସୁଥିଲା । ସେଇଠି ସେମିତି ବସି ରହିଥିଲା ସେ ଅନେକ ସମୟ ! ଭାବିଲା ସତରେ ନିତ୍ୟାନନ୍ଦ ଠିକ୍ କହୁଛି ଶେଷ ନିଷ୍ପତ୍ତି ତାକୁ ନେବାକୁ ପଡିବ । ସବୁବେଳେ ଏ ଅଶାନ୍ତି ତା ସ୍ୱଭାବକୁ ମ୍ଳାନ କରିସାରିଲାଣି ! ମନକୁ ବିକ୍ଷିପ୍ତ କରିସାରିଲାଣି । ରାତିସାରା ଆଖିକୁ ନିଦ ଆସିଲାନି । ମନଟା ଅଶାନ୍ତ ଉପତ୍ୟକା ଭଳି ବିଳପି ଉଠୁଥିଲା । ଚହଲିଯାଉଥିଲା ମନ । ତିନିବର୍ଷ ଧରି ସେ କଣ ଜିଜ୍ଞାସାକୁ ବୁଝିବାରେ ଭୁଲ୍ କରିଦେଲା ? କେମିତି ତାର ଏ ଭୟଙ୍କର ରୂପକୁ ସେ ଜାଣି ପାରିଲାନି । ପ୍ରେମ କଣ ତାକୁ ଏତେ ପରିମାଣରେ ଅନ୍ଧ କରି ଦେଇଥିଲା ? ସେ ତାର ପ୍ରକୃତ ସ୍ୱରୂପକୁ ଉଦ୍‌ଘାଟନ ନକରି ତା ସୁନ୍ଦରତାରେ ଭଳି ଯାଇ ନିଜ ଜୀବନକୁ ବିପର୍ଣ୍ଣ କରିଦେଲା !

ମାମା ସବୁବେଳେ କହୁଥିଲା-ଝିଅମାନଙ୍କ ସହିତ ଦେଖିକି ମିଶିବୁ । କିଏ ଜାଣେ କୋଉ ମୂହୁର୍ତ୍ତରେ ଅକ୍ଟୋପସର ପଞ୍ଝା ତୋ ଚାରିପଟେ ଚକ୍କର କାଟୁଥିବ । ଆଉ ତୁ ଅଣଦେଖା କରି ତା ବନ୍ଧନ ଭିତରେ ଆବଦ୍ଧ ହୋଇଯିବୁ । ଯେଉଁଠାରୁ ମୁକୁଳିବା କଷ୍ଟ ! ମାମା କଣ ଭବିତବ୍ୟକୁ ଆଗରୁ ଜାଣିଥିଲା..!

ଝିଅମାନେ କଣ ଏଭଳି..ବହୁରୂପୀ ? ମୁଖାପିନ୍ଧା..ନା ମହାକାଳ ଫଳ ? ମାମା ବି ତ ଝିଅଟିଏ ଥିଲା । ସେ ତ ଏପରି ଅନ୍ୟ କାହାକୁ କଷ୍ଟ ଦେଇପାରେନା । ବରଂ ଅନ୍ୟପାଇଁ ନିଜେ ଅନେକ ଯାତନା ସହିଯାଇ ପାରେ । ପ୍ରତିବାଦ ବି ତାକୁ କରିଆସେନା । ନା ଆଜିକାଲି ନାରୀମାନଙ୍କ ସଂଜ୍ଞା, ସ୍ୱରୂପ ଓ ପ୍ରକୃତି ବଦଳିଯାଇଛି ! ପୁରୁଷ ସହିତ ସମକକ୍ଷ ହେବାର ଆକର୍ଷଣ ତାର ମହନୀୟତାକୁ ମାରିଦେଇଛି! ସୀତା,ଦ୍ରୌପଦୀ,ଅହଲ୍ୟା, ଅରୁନ୍ଧତୀ ଏମାନେ ବି ତ ପୁରୁଣା ଯୁଗର ନାରୀ ଥିଲେ । ତଥାପି ଆଜି ବି ସଂସାର ସେମାନଙ୍କ ଗୁଣଗାନ କରେ । ସେମାନଙ୍କ ବ୍ୟକ୍ତିତ୍ୱ ଆଗରେ ମଥାନତ କରେ । କେବଳ ନାରୀ କଣ ପୁରୁଷ ସହିତ କାନ୍ଧ ମିଶାଇ ଚାଲିପାରିଲେ ଯୁଗ ବଦଳିଯିବ ? ତା ମାନସିକତାରେ ପରିବର୍ତ୍ତନ ଆସିଲେ ଦେଶର ମାନ ବଢିଯିବ ? ହେଲେ ସେ ମାନସିକତାର ସ୍ୱରୂପ କଣ ? ଅନ୍ୟ ମଥା ଉପରେ ପାଦ ଦେଇ..ନା ପୁରୁଷକୁ ନିଜର ବଶ୍ୟତା ସ୍ୱୀକାର କରାଇ ? କି ପ୍ରକାରର ପରିବର୍ତ୍ତନ ଦରକାର ନାରୀର । କାୟାରେ ନା ମାୟାରେ ? ରୂପରେ ନା ଆତ୍ମାରେ ?

ଏମିତି ଅନେକ ଭାବନା ତା ମନ ଭିତରକୁ ଧସେଇ ପଶୁଥିଲେ ପବନର ଅବାଧ ପ୍ରବେଶ ପରି ! ଅଥଚ ତା ମନତଳଟା ଯେ ଅଶାନ୍ତ ଉପତ୍ୟକା ପାଲଟି ଯାଇଥିଲା ! ଲାଗୁଥିଲା ଯେପରି ସେଠାରୁ ଆଗ୍ନେୟଗିରିଟିଏ ଚେଇଁ ଉଠିଛି.. ନିଜ ଭିତରର ଉତ୍ତପ୍ତ ଲାଭାକୁ ଉଦଗୀରଣ କରିବାକୁ । ଚାରିଆଡେ ଲାଭାର ବିଶାଳ ଶଯ୍ୟା..ଲାଲ୍ ଟକ୍‌ମକ୍ ହୋଇ ଫୁଟୁଥିବା ସେ ଧାତବ ଜିନିଷ ଗୁଡିକ ତା ଭିତରକୁ ପୋଡି ଚାଲିଛନ୍ତି ବନ୍ୟାର ପ୍ରବହମାନ ସ୍ରୋତଭଳି । ସେ ମୁକ୍ତି ଚାହେଁ । ଅଥଚ ମୁକୁଳିବାକୁ ବାଟନାହିଁ । ସେ ନିଦ୍ରାରେ ହଜିବାକୁ ଚାହେଁ..ଅଥଚ ଆଖିବନ୍ଦ କଲେ ଦୁଃସ୍ୱପ୍ନ ମାନଙ୍କ ରାଜୁତି ! ଏବେ ସେ ଅସହାୟ..ସବୁକିଛି ଛାଡି ଅନ୍ୟକୁଆଡେ ଚାଲିଯିବାକୁ ଚାହେଁ । ଅଥଚ ଆଖି ଆଗରେ ଭାସିଉଠନ୍ତି ଦୁଇଟି ଅସହାୟ ମଣିଷ ! ପାପା ଓ ମାମା..!

ତା’ପରେ

ଲୋକପ୍ରିୟ ଲେଖା

To Top