ଉପନ୍ୟାସ

ପ୍ରତୀକ୍ଷା

T.Durga Prasad Rao's Odia Novel Pratikshaa

କେମିତି ତାର ଶିରାଳ କଳା ହାତରେ ଜାବୁଡ଼ି ଧରିଥିଲା ମୋତେ ତାର ଝିଅ ଭାବି ? ଆଉ ମୁଁ ଆଗପଛ ନ ଭାବି ଏକଦମ୍ ଭୟରେ ଠେଲି ଦେଇଥିଲି ତାକୁ ?

ପ୍ରତୀକ୍ଷା

-: ପୂର୍ବରୁ :-

ଏତେ ଦିନ ପରେ ମୋତେ ଦେଖି ମାମୁଁ ମାଇଁ ଉଭୟେ ଖୁବ୍ ଖୁସି ହୋଇଗଲେ । ତା ସହିତ ଅଭିମାନ ବି କଲେ ମୋର ନ ଆସିବାକୁ ନେଇ । ଆପଣାର ଲୋକମାନଙ୍କୁ ପାଖରେ ପାଇ ମୋର ଉଦାସ ଭାବ ଟିକିଏ କଟି ଯାଇଥିଲା । ମାମୁଁଙ୍କର ଦୋକାନ ଇତି ମଧ୍ୟରେ ଆକାରରେ ବଢ଼ିଥିଲା । ଏବେ କେବଳ ଟିଭି ମରାମତି ନୁହେଁ, ଟିଭି, ଫ୍ରିଜ୍, କୁଲର୍, ଓଭନ୍ ଆଦି ଯାବତୀୟ ସାମଗ୍ରୀ ବିକ୍ରି ହେଉଥିଲା ଦୋକାନରେ। ଗାଁଟି ଛୋଟ ଏକ ସହରରେ ରୂପାନ୍ତରିତ ହୋଇ ସାରିଥିଲା । ମାମୁଁଙ୍କ ପାରିବାରିକ ପରିସ୍ଥିତି ମଧ୍ୟ ଇତିମଧ୍ୟରେ ଅନେକ ବଦଳିଥିଲା । ଖୁବ୍ ସ୍ୱଚ୍ଛଳ ମନେ ହେଉଥିଲା ଚଳଣୀ । ମାଇଁଙ୍କ ଠାରୁ ଶୁଣିଲି ମାମୁଁ ମଦ୍ୟପାନ ଛାଡ଼ି ଦେଇଛନ୍ତି ।

– ପିଲାମାନେ ବଡ଼ ହେଲେଣି । ଏ ଅଭ୍ୟାସ ରହିଲେ ପିଲାମାନଙ୍କ ଉପରେ କି ପ୍ରଭାବ ପଡ଼ିବ ? ସେଥିପାଇଁ ଛାଡ଼ିଦେଲି । ମାମୁଁ ତାଙ୍କ ଆଡୁ କୈଫିୟତ୍ ଦେଲେ । ମୁଁ ଖୁସି ହେଲି । ମାଇଁଙ୍କୁ ଆଡ଼ କରି ଲତା କଥା ପଚାରିଲି । ଉଦ୍ଦେଶ୍ୟ ଥିଲା ଲତା ଠାରୁ ଲୋପାମୁଦ୍ରାର ଠିକଣା ଆଣିବା । ମାମୁଁ ହସିଲେ । କହିଲେ, ଆଉ କଣ ସେ ପାଗଳାମୀ ପାଇଁ ବୟସ ଅଛି ? ମୋ ଝିଅ ପରା ନବମ ପଢ଼ିଲାଣି ?

ଅପରାହ୍ନରେ ମାମୁଁଙ୍କ ଏଗାର ବର୍ଷର ପୁଅ ଜିତୁ ସାଙ୍ଗରେ ଗାଁ ଭିତରେ ଘେରାଏ ବୁଲି ଆସିବାକୁ ମନସ୍ଥ କଲି । ରାଜି ହେଉ ନ ଥିଲା ଜିତୁ । କହିଲା, ପାଞ୍ଚଟାରେ ମୋର ଟିଉସନ୍ ଅଛି । ମୁଁ ତାକୁ ଲୋଭ ଦେଖାଇ କହିଲି, ତୁ ଆଇସ୍କ୍ରିମ୍ ଖାଇବୁ କହୁଥିଲୁନା ?

– ସେଗୁଡ଼ା ମୁଁ ଖାଏନି, ଦାନ୍ତ ପୋକ ଖାଇଯିବ।

– ତୋର ସେ କମ୍ପାସ୍ ବକ୍ସ୍ ଏତେ ପୁରୁଣା କାହିଁକି ?

– ପୁରୁଣା ହେଲେ କଣ ହେଲା କାମ ତ ଚଳୁଛି ନା ?

– ମୁଁ ଯଦି ନୂଆ କମ୍ପାସ୍‌ଟିଏ କିଣି ଦିଏ ?

– ଦୁଇଟା କମ୍ପାସ୍ ବକ୍ସ୍ ରଖି ମୁଁ କଣ କରିବି ?

ମୋର ସବୁ ପ୍ଳାନ୍ ବେକାର ପ୍ରମାଣିତ ହେଉଥିଲା । ଜିତୁ କହିଲା, ଗୋଟିଏ ସର୍ତ୍ତରେ ତମ ସାଙ୍ଗରେ ଯିବି ।

– କି ସର୍ତ୍ତ ?

– ବୁଲି ଆସିଲା ପରେ ମୋତେ ତମ ମୋବାଇଲ୍ ଦେବ । ମୁଁ କ୍ୟାଣ୍ଡି କ୍ରସ୍ ଖେଳିବି । ଦେଖି, ତମ ମୋବାଇଲ୍‌ରେ ସେ ଗେମ୍ ଅଛି ତ ?

ପ୍ରକୃତରେ ମୋ ମୋବାଇଲ୍‌ରେ କ୍ୟାଣ୍ଡି କ୍ରସ୍ ଗେମ୍ ନ ଥିଲା । ମୁଁ କହିଲି, ତୁ ଖେଳିଲେ ହେଲା । ଜିତୁ ଭରସା କଲା ନାହିଁ ମୋ ଉପରେ । ଆଜିକାଲିକା ପିଲା କୌଣସି ଜିନିଷ ନ ଦେଖିଲା ଯାଏଁ କାହା ଉପରେ ଭରସା କରିବେ ନାହିଁ । ମୁଁ ଛାତ ଉପରେ ବସି ବସି ସ୍ଳୋ ମୋବାଇଲ୍ ନେଟ୍‌ରେ ଗେମ୍‌ଟିକୁ ଡାଉନ୍‌ଲୋଡ଼ କଲି । ତାପରେ ଜିତୁକୁ ନେଇ ଦେଖାଇଲା ପରେ ସେ ରାଜି ହୋଇଗଲା ମୋ ସାଙ୍ଗେ ବାହାରିବା ପାଇଁ । କିନ୍ତୁ ତା ପୂର୍ବରୁ ମୋବାଇଲ୍ ମୋ ହାତରୁ ଛଡ଼ାଇ ନେଇ ପ୍ରାୟ କୋଡ଼ିଏ ମିନିଟ୍ ଖଣ୍ଡେ ଖେଳି ପକାଇଲା ତାର ପ୍ରିୟ ଗେମ୍ ।

ପୂର୍ବ ପରିଚିତ ରାସ୍ତାରେ ଆମେ ଚାଲିବା ଆରମ୍ଭ କଲୁ । ଗାଁର ଅଧିକାଂଶ ଆଜ୍‌ବେଷ୍ଟସ ଓ ଟିଣ ଘର ଇତି ମଧ୍ୟରେ ପକ୍କା ଛାତ ପାଲଟି ସାରିଛି । ରାସ୍ତାଘାଟ କଂକ୍ରିଟ୍ ଓ ପିଚୁ ହୋଇଛି । କାହାରି ଛପରରେ ଆଉ ଲମ୍ବା ଆଣ୍ଟିନା ଝୁଲୁନାହିଁ । ପ୍ରାୟ ସମସ୍ତଙ୍କ ଘରେ ଗୋଟିଏ ଗୋଟିଏ ଛତା (ଡିସ୍ ଆଣ୍ଟିନା) ଲାଗିଛି । ଯେଉଁ ଜାଗାରେ ଲତାର ଘର ଥିଲା ସେ ପାଖରେ ମୋର ପାଦ ଦୁଇଟି ଧୀର ହୋଇଗଲା । ଝିକର ଘର ବଦଳରେ ଦୁଇମହଲା କୋଠାଟିଏ ଠିଆ ହୋଇଥିଲା ସେ ସ୍ଥାନରେ । ମୁଁ ଜିତୁକୁ ପଚାରିଲି, ଏଇଟା ଲତା ଘର ନା ? ସେ କିଛି ବୁଝି ପାରିଲା ନାହିଁ । କହିଲା – ଏଇଟା ମୋ ସାଙ୍ଗ ରକିର ଘର । ତାର ବାପା କଣ୍ଟ୍ରାକ୍ଟରି କରନ୍ତି । ବହୁତ ପଇସା ତାଙ୍କର ।

– ଆଉ କଣ ଜାଣିଛୁ ତାଙ୍କ ବିଷୟରେ ? ରକିର ଜଣେ ପିଉସୀ ଥିଲେ ? ତୁ ତାଙ୍କୁ ଜାଣିଛୁ ?

– ପିଉସୀ… ହଁ ହଁ ମନେ ପଡ଼ିଲା । ଡେଙ୍ଗା ହୋଇ ଗୋରା ହୋଇ… ଠିକ୍ ମୋ ମାମା ପରିକା । ବିଟୁ ଭାଇର ବୋଉ, ସେ ତ ?

– ହଁ ହଁ ସେଇ ।

– ବିଟୁ ଭାଇ ତ ଏଇଠି ଅଛି । ଡାକି ଦେବି କି ?

– ନା, ଟିକିଏ ରହ । ଆଉ ତା ବୋଉ ?

– ତା ବୋଉ ତ ତାଙ୍କ ଗାଁରେ ଅଛନ୍ତି । ବିଟୁ ଭାଇ ତା ମାମୁଁଙ୍କ ସାଙ୍ଗରେ ଆସିଛି ବୁଲିବାକୁ ।

– ଆଚ୍ଛା ହେଉ, ତୁ ବିଟୁକୁ ଖେଳିବା ପାଇଁ ଡାକି ଆଣ । ମୁଁ ଘରକୁ ଯାଉଛି ।

ମୁଁ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଘରକୁ ଫେରିଲି । ପ୍ରାୟ ଅଧଘଣ୍ଟା ପରେ ବିଟୁକୁ ନେଇ ଜିତୁ ପହଞ୍ଚିଲା ।

ମୁଁ ଜିତୁକୁ ଚୁପ୍ କିନା ପଚାରିଲି – ଏତେ ସମୟ କାହିଁକି ହେଲା ?

ଜିତୁ ବି ଚୁପ୍‌ଚାପ କାନ ପାଖରେ କହିଲା – ବିଟୁ ଭାଇ ଘରେ ନ ଥିଲା । ମୁଁ ତାକୁ ଖୋଜି ଖୋଜି ଆଣିଛି ।

ମୁଁ ଫେରିଲା ବେଳେ ବଜାରରୁ କିଛି ଚକୋଲେଟ୍ ନେଇ ଆସିଥିଲି । ବିଟୁ ଓ ଜିତୁକୁ ତାହା ବଢ଼ାଇଦେଲି । ଜିତୁ କହିଲା- ନା, ଏ ଧୋକାଧାଡ଼ି ଚଳିବନି । ମୋତେ ମୋବାଇଲ୍ ଦବ କହିଛ ।

– ହଁ, ଚକୋଲେଟ୍ ବି ନେ ଆଉ ମୋବାଇଲ୍ ବି ନେ। ଏବେ ଖୁସି ତ। ମୁଁ ସମସ୍ତଙ୍କୁ ନେଇ ଛାତ ଉପରେ ପହଞ୍ଚିଲି । ଜିତୁ ଖେଳରେ ମଜ୍ଜିଗଲା । ମୁଁ ବିଟୁ ଠାରୁ କଥା ବାହାର କରିବାକୁ ଚେଷ୍ଟା କଲି ।

ପଚାରିଲି – ତୋ ବୋଉ ଆସିନି ?

– ନା, ମୁଁ ଏକା ଆସିଛି ।

– ଆଉ ବୋଉ, ବାପା ସବୁ ଭଲ ଅଛନ୍ତି ନା ?

– ହଁ।

– କୋଉ କ୍ଲାସ୍ ପଢୁଛୁ ?

– ଏ ବର୍ଷ ଦଶମ ।

– ଭଲ ପଢୁଛୁ ?

– ହଁ।

– ଆଚ୍ଛା , ତୋର ଜଣେ ଦାଦା ଅଛନ୍ତି ନା ? ତୋ ବାପାଙ୍କ ସାନ ଭାଇ ?

– ହଁ ।

– କଣ ତାଙ୍କ ନାଁ ଟି ଭୁଲିଗଲି ।

– ସୂର୍ଯ୍ୟକାନ୍ତ ।

– ହଁ, ହଁ ସେ କେଉଁଠି ଏବେ ?

– ଦିଲ୍ଲୀରେ ।

– ଆଉ ତାଙ୍କ ପାଖରେ କିଏ କିଏ ରହୁଛନ୍ତି ?

– ନା, ସେ ଏକା ରୁହନ୍ତି ।

– ଏକା ରୁହନ୍ତି ମାନେ ?

– ସେ ଅବିବାହିତ, ତେଣୁ ଏକା ରୁହନ୍ତି ।

– ତୁ କେବେ ଯାଇଛୁ ଦିଲ୍ଲୀ ତାଙ୍କ ପାଖକୁ ?

– ନା, ସେ ଆସନ୍ତି ବେଳେ ବେଳେ ଆମ ପାଖକୁ ।

– ତମ ପିଉସୀ ତାହେଲେ ତମ ସହିତ ରହେ ଗାଁରେ ।

– କେଉଁ ପିଉସୀ ?

– ତୋର ପିଉସୀଟିଏ ଅଛି ନା ?

– ମୁଁ ଠିକ୍‌ରେ ଜାଣିନି ।

ମୋ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ମୁଁ କିଛି ସମୟ ତା ମୁହଁକୁ ଚାହିଁ ରହିଗଲି । ନିଜ ପିଉସୀକୁ ସେ କେମିତି ଜାଣିନି କହୁଛି । ସତରେ ଜାଣିନି ନା ଇଚ୍ଛା କରି କହିବାକୁ ଚାହୁଁନି । ଦଶମ ପଢ଼ିଲାଣି । କିଶୋର ବୟସରେ ମନଟା ସନ୍ଦେହୀ ହୋଇଉଠେ । ଟୋକାଟା ମୋ ମତଲବ କିଛି ଠଉରେଇ ନେଇଥିବ । ସେଥିପାଇଁ ଜାଣିନି କହୁଛି । କହିଲି- ମୁଁ ଆସନ୍ତା ମାସରେ ଦିଲ୍ଲୀ ଯିବି ତ ତୋ ଦାଦାଙ୍କୁ କିଛି ଯଦି କହିବାର ଅଛି, ମୋତେ କହ ମୁଁ ଜଣେଇଦେବି ତାଙ୍କୁ ।

– କଣ କହିବି ? ମଝିରେ ମଝିରେ ତ ଫୋନ୍‌ରେ କଥା ହେଉଛି ।

– ଆଚ୍ଛା ଦିଲ୍ଲୀରୁ କିଛି ଦରକାର ତୋ ପାଇଁ ?

– ତମେ କାହିଁକି କିଛି ମୋ ପାଇଁ ଆଣିଦେବ ?

– ନା, ଖାଲି ତୋ ପାଇଁ କି ? ଜିତୁ ପାଇଁ ଆଣିବି ତ ତୋ ପାଇଁ ବି ଆଣି ଦେଇ ପାରିବି ।

– ନୋ ଥ୍ୟାଙ୍କ୍‌ସ, ମୋର କିଛି ଦରକାର ନାହିଁ ।

– ହଉ ଠିକ୍ ଅଛି, ତମେ ଦୁହେଁ ଖେଳିବ ଯଦି ଖେଳୁଥାଅ ।

କହି ଦେଇ ମୁଁ ତଳକୁ ଆସିଲି । ମନଟା କିଛି ଭଲ ଲାଗିଲା ନାହିଁ । ଯେତିକି ସହଜରେ ଠିକଣା ମିଳିଯିବ ଭାବିଲି, କଥାଟା ଆହୁରି ଜଟିଳ ହେଇଗଲା । ବିଟୁକୁ କିଛି ଜଣା ନାହିଁ ତା ପିଉସୀ ସମ୍ପର୍କରେ । ଭାରି ଅଶ୍ୱସ୍ତି ଲାଗିଲା । ଅନ୍ୟମନସ୍କ ଭାବରେ ଚାଲୁ ଚାଲୁ ଛକ ଯାଏଁ ଗଲି । ମାମୁଁଙ୍କ ଦୋକାନ ସାମ୍ନାରେ ପହଞ୍ଚିଲି । ମାମୁଁ କାହାକୁ ଗୋଟେ ଟିଭି ଦେଖାଉଥିଲେ । ଠିଆ ହେଲି କିଛି ସମୟ । ପୁଣି ଚାଲିଲି । ଦୋକାନ ବଜାର ସବୁ ସହର ପରି ରଙ୍ଗବେରଙ୍ଗ ଆଲୋକରେ ଚିକ୍ ଚାକ୍ । ପ୍ରତିଯୋଗୀତାରେ ଭାଗ ନେଲା ପରି ଦୋକାନ ସବୁ ଠିଆ ହୋଇଥିଲେ ଗୋଟିଏ ପରେ ଗୋଟିଏ ରାସ୍ତାର ଦୁଇ କଡ଼କୁ ଆବୋରି । ପିଚୁ ରାସ୍ତା ମଝିରେ ନିଜ ଦେହଭାର ବୋହି ଦିଗହରା ଭାବରେ ଚାଲୁ ଚାଲୁ ମୁଁ ବଜାର ପାର ହୋଇ କିଛି ଦୂର ନିର୍ଜନ ଇଲାକାରେ ପହଞ୍ଚି ଯାଇଥିଲି । ସେ ରାସ୍ତାରେ କିନ୍ତୁ ଏତେ ବତୀଖୁଣ୍ଟ ନ ଥିଲା । କେଉଁଠି କେମିତି ରାସ୍ତାଧାରରେ ନିଷ୍ପ୍ରଭ ବତୀଟିଏ ଜଳୁଥିଲା । ମୁଁ ବସିଲି ଯାଇ ରାସ୍ତା କଡ଼ର ଏକ ବିରାଟ ପଥର ଉପରେ । ଯେଉଁଠି ମାମୁଁ ଓ ମୁଁ ବେଳେ ବେଳେ ବୁଲିବାକୁ ଆସି ବସୁ । କଳା ମଚମଚ ରାସ୍ତା କୃଷ୍ଣସର୍ପଟିଏ ପରି ପଡ଼ି ରହିଥିଲା ନିରବ, ନିସ୍ପନ୍ଦ । ମୁଁ ବସିଥିଲି ଚୁପ୍ ଚାପ୍, ଅନ୍ୟମନସ୍କ । ଧୀରେ ଧୀରେ ଅନ୍ଧାର ଗାଢ଼ ହେଉଥିଲା । ତା ସହିତ ମୋ ଭିତରେ ବଢ଼ୁଥିଲା ଭାବନାର ସାନ୍ଧ୍ରତା ।

ଲୋପାମୁଦ୍ରା ଓ ମୋ ଭିତରେ ବ୍ୟବଧାନ ବଢୁଥିବା ସମୟର କଥା । ଲୋପା ଦିନେ ରାତି ଦଶଟାରେ ଫୋନ୍ କରି କହିଥିଲା – ଏଠି କିଛି ଭଲ ଲାଗୁନି । ତମକୁ ଦେଖିବାକୁ ଭାରି ଇଚ୍ଛା ହେଉଛି । ପ୍ରତି ମୁହୂର୍ତ୍ତରେ ତମ ମୁହଁଟା ଭାସି ଆସୁଛି ମୋ ଆଖି ଆଗରେ । କେତେ ଭଲ ଥିଲା ଆମର କଲେଜ୍ ଦିନ ଗୁଡ଼ିକ । ତା ସହିତ ମୋ ଭାଉଜ ଓ ତମ ମାମୁଁଘର ଗାଁ । ସେ ନଈ ପଠା । ସେ ପାହାଡ଼ । ପାହାଡ଼ ତଳେ ତଳେ କାଜୁର ବଗିଚା । ଆଜି କାହିଁକି ଭାରି ଭାବପ୍ରବଣ ଲାଗୁଛି । ପ୍ରତ୍ୟୁତ୍ତରରେ ମୁଁ ରାଗି ଯାଇ କହିଥିଲି – ଏ ଜୀବନ ତ ତମେ ନିଜେ ଆପଣେଇଛ । ମୁଁ କଣ ତମକୁ କହିଥିଲି, ଦିଲ୍ଲୀ ଯାଅ ବୋଲି ?

ଲୋପା କିଛି ସମୟ ଚୁପ୍ ରହି କହିଥିଲା – ମୁଁ କଣ ସ୍ୱଇଚ୍ଛାରେ ଆପଣେଇ ନେଇଛି ଏ ଜୀବନ ? ମୋର କିଛି ଉପାୟ ନ ଥିଲା। ତମ ଠାରୁ ଦୂରରେ ରହିବାର ମୋର ଆଦୌ ଇଚ୍ଛା ନାହିଁ । ତମର ମନେ ଅଛି, ସେଦିନ ନଈ କଡ଼େ ବୁଲୁଥିବା ସମୟରେ ଦେଖା ହୋଇଥିବା ପାଗଳୀନୀ କଥା ? ରୁକ୍ଷ, ଟାଆଁଶ ଠିଆ ଠିଆ ଚୁଟି, ଚକ୍ଷୁ କୋଟରଗତ, ଗାଲ ପଶି ହନୁ ହାଡ଼ ବାହାରି ଆସିଥିଲା ?

– ହଁ। ହଠାତ୍ ସେକଥା କାହିଁକି ?

– କେମିତି ତାର ଶିରାଳ କଳା ହାତରେ ଜାବୁଡ଼ି ଧରିଥିଲା ମୋତେ ତାର ଝିଅ ଭାବି ? ଆଉ ମୁଁ ଆଗପଛ ନ ଭାବି ଏକଦମ୍ ଭୟରେ ଠେଲି ଦେଇଥିଲି ତାକୁ ?

– ତମର ଭୁଲ୍ କଣ ଥିଲା ସେଥିରେ ? ଯେ କେହି ବି ତାକୁ ଦେଖିଲେ ଭୟ ପାଇଯିବ ।

– ମୁଁ ତା ଆଖିରେ କେମିତି ଏକ ଏକାଟିଆ ପଣ ଲକ୍ଷ୍ୟ କରିଥିଲି । ତଳେ ପଡ଼ି ସେ ମୋତେ ଶୂନ୍ୟ ଦୃଷ୍ଟିରେ ଚାହିଁଥିଲା । ଚାଲୁ ଚାଲୁ ଯେତିକି ଥର ପଛକୁ ଚାହୁଁଥିଲି, ତା ଆଖିରେ ଏକ ବିରାଟ ବିସ୍ମୟ ଓ ଅବିଶ୍ୱାସ ଭାବ ଲକ୍ଷ୍ୟ କରୁଥିଲି ମୋ ପ୍ରତି । ଲାଗୁଥିଲା, ସେ ମୋତେ ଠିକ୍ ଚିହ୍ନି ପାରିଛି, ଅଥଚ ମୁଁ ହିଁ ତାକୁ ଚିହ୍ନିବାରେ ଭୁଲ୍ କରିଛି ।

– ତମେ ବି ପାଗଳୀନୀ ଭଳି ଏବେ କଥାବାର୍ତ୍ତା କରୁଛ । କଣ ବା କରି ପାରିଥାନ୍ତ ତମେ ସେ କ୍ଷେତ୍ରରେ !

– ସେ ପାଗଳୀନୀର କଥା ଏ କିଛି ଦିନ ହେବ ମୋର ଖୁବ୍ ମନେ ପଡୁଛି । ଲାଗୁଛି, ତା ଆଖିର ସବୁ ଆତୁର ଭାବ ମୋ ଆଖିକୁ ସତେ କି ସଞ୍ଚରି ଯାଇଛି । ସେଇ ଜଡ଼ତା, ସେଇ ବିସ୍ମୟ, ସେଇ ଦ୍ୱନ୍ଦ୍ୱ । ଜୀବନକୁ ବୁଝିବା ପାଇଁ ମୋର ସବୁ ପ୍ରକାର ଉଦ୍ୟମ ସତେ କି ବିଫଳ ହେଉଛି ଧୀରେ ଧୀରେ ।

ମୁଁ କଥା ମଝିରୁ ବାଧା ଦେଇ କହି ଉଠିଲି – ଏତେ ଦାର୍ଶନିକ ହୁଅନାହିଁ । ସିଧା କହିବ, ତମକୁ ମଧ୍ୟ ଏକାଟିଆ ଫିଲ୍ ହେଉଛି ? ମୋର ଉପସ୍ଥିତି ତମେ ଲୋଡୁଛ । ଏଇ ନିର୍ଣ୍ଣୟ କଲି, ଆର ମାସରେ ପରୀକ୍ଷା । ପରୀକ୍ଷା ଫଳ ବାହାରିବା ସଙ୍ଗେ ସଙ୍ଗେ ମୁଁ ଦିଲ୍ଲୀ ପହଞ୍ଚୁଛି । ସେଇଠି କରିବି ଜର୍ଣ୍ଣାଲିଜମ୍ ।

– ନା, ନା, ନା… ହଠାତ୍ ଲୋପା ଯେମିତି ଚିତ୍କାର କରି ଉଠିଲା ।

– କଣ, ମୋର ସାନ୍ନିଧ୍ୟ ତମକୁ ଆଉ ଭଲ ଲାଗୁନାହିଁ ବୋଧହୁଏ ।

– ନା, ମୁଁ କଣ କହୁଥିଲି କି ତମେ ଦିଲ୍ଲୀ ଆସିବ । ଆଉ ମୁଁ ମୋର ପଢ଼ା ସାରି ଚାଲି ଯାଇଥିବି ଓଡ଼ିଶା । ପୁଣି ଥରେ ଆମର ବ୍ୟବଧାନ ଅନିଚ୍ଛା ସତ୍ତ୍ୱେ ବଢ଼ିଯିବ ।

ଏସବୁ ଥିଲା ଲୋପାମୁଦ୍ରାର ଦିଲ୍ଲୀ ଯିବାର କିଛି ମାସର କଥା । ପରେ ପରେ ଲୋପାମୁଦ୍ରାର କଥାବାର୍ତ୍ତା ଧୀରେ ଧୀରେ କମି ଆସିଲା । ଦୁଇ ଚାରି ପଦ ଔପଚାରିକତା ରକ୍ଷା କରି କଥା ହୋଇ ଫୋନ୍ କାଟି ଦେଉଥିଲା । ତେବେ ତା କଥାବାର୍ତ୍ତାରୁ କେବେ ମଧ୍ୟ ମୋତେ ମନେ ହେଉନଥିଲା ତାର ମୋ ପ୍ରତି ଭଲପାଇବା କମି ଯାଇଛି ବୋଲି । ଯେତେ ଦୂରରେ ଥିଲେ ବି ମୋର ମନେ ହେଉଥିଲା ଲୋପାମୁଦ୍ରା ମୋତେ ଛାଡ଼ି କେଉଁ ଆଡ଼େ ଯାଇନାହିଁ । କେବଳ ମୋ ଅହଂ ଯୋଗୁଁ ହିଁ ଆମ ଦୁହିଁଙ୍କ ସମ୍ପର୍କରେ ବ୍ୟବଧାନ ବଢ଼ିଯାଇଛି । ଯାହା ମୁଁ ଆରମ୍ଭ କରିଛି, ସେଇ ଦୂରତ୍ୱର ଅନ୍ତ ମୋତେ ହିଁ କରିବାକୁ ହେବ । ମୁଁ ଅଳସ ପାଦ ପକାଇ ଘରକୁ ଫେରିଲି । ମାମୁଁ ଦୋକାନ ବନ୍ଦ କରି ଫେରି ଆସିଥିଲେ । ମୋର ଉଦାସ ଚେହେରା ଆଉ ଏତେ ରାତି ଯାଏ ବାହାରେ ଏକା ବୁଲିବା ଦେଖି ସ୍ତବ୍ଧ ହୋଇଗଲେ । ପଚାରିଲେ, କଣ ହେଲା ? ଖାଇବା ସମୟ ହେଲାଣି, ଏତେ ବେଳ ଯାଏଁ କେଉଁଠି ଥିଲୁ ? ମୋବାଇଲ୍ ବି ନେଇନୁ । ଚାଲ୍ ଚାଲ୍ ମୁହଁ ହାତ ଧୋଇନେ ।

ଖାଇବାରେ ମୋର ମନ ନ ଥିଲା । ମୁଁ ଅଳ୍ପ କିଛି ପାଟିକୁ ନେଇ ଉଠି ପଡ଼ିଲି । ବିଛଣାରେ ମାମୁଁ ପଚାରିଲେ, ତୁ ତ ପୁରା ଅଖାଡୁଆ ଲାଗୁଛୁ ? ତୋର କିଛି ଗୋଟେ ହେଇଛି, ତୁ ମୋତେ ଲୁଚୋଉଛୁ । କହୁନୁ, କଣ ହେଇଛି ?

– ନା, କଣ ହେଇଛି ? କିଛି ହେଇନି ।

– କିଛି ହେଇନି ? କିଛି ହେଇନିତ ଏମିତି ଅବାଗିଆ କାହିଁକି ଦିଶୁଛି ତୋ ମୁହଁଟା ?

– ବୟସ ବଢ଼ିଲେ ଦାୟିତ୍ୱ ବଢ଼େ । ତେଣୁ ପୂର୍ବ ପରି ଆଉ ମୁହଁ କଣ ସରସ ଦିଶିବ ?

ମୋ ଯୁକ୍ତି ମାମୁଁଙ୍କର ପସନ୍ଦ ହେଲାନାହିଁ । ତଥାପି କହିଲେ, ହଉ ଶୋଇଯା ।

ମାମୁଁ ଘରେ ତିନି ଚାରିଦିନର ରହଣୀ ଭିତରେ ମୁଁ ଲତା ଆଉ ଲୋପାମୁଦ୍ରା ବିଷୟରେ ଅନେକ ବାର ଚେଷ୍ଟା କଲି ତାଙ୍କ ଠାରୁ କିଛି ଖବର ପାଇବା ଆଶାରେ । ଲତା କଥା ପଡ଼ିଲେ ମାମୁଁ କେବଳ ହସିଦିଅନ୍ତି । ମୁଁ ଆଉ ଆଗକୁ ବଢ଼ି ପାରେ ନାହିଁ ।

ମାମୁଁ ଘରେ ମୋର ରହଣୀ ଶେଷ ହୋଇ ଆସିଲା । ମାଇଁ ବାଧ୍ୟ କରୁଥିଲେ ଆଉ ଦୁଇ ଦିନ ରହିଯିବା ପାଇଁ । କିନ୍ତୁ ଯେତେ ଦିନ ରହିଲେ ବି ଫଳ ସେଇ ଗୋଟିଏ । ମୁଁ କହିଲି, ପୁଣି କେବେ ସମୟ ନେଇ ଆସିବି । ଟିକଟ କରିସାରିଛି ଦିଲ୍ଲୀ ପାଇଁ । କୋରାପୁଟ୍‌ରେ କିଛି ଜରୁରୀ କାମ ସାରି ମୋତେ ଦିଲ୍ଲୀ ଯିବାକୁ ହେବ । ମୁଁ ପର୍ସରୁ ଟ୍ରେନ୍ ଟିକଟ ବାହାର କରି ମାମୁଁ ମାଇଁଙ୍କୁ ଦେଖାଇଲି । ତାରି ଭିତରେ ମୋ ଅଜାଣତରେ ଟିକଟ ସହ ଖସି ପଡ଼ିଥିଲା ପର୍ସର ଭିତର ପକେଟରୁ ଲୋପାମୁଦ୍ରାର ଫଟୋ । ମାମୁଁ ଫଟୋଟିକୁ ଉଠାଇ ନେଇ ମୋ ଆଡ଼େ ଦେଖି ହସିଦେଇ ମୋତେ ଈଶାରା କଲେ । ତାପରେ ପୁରା ପାଖରୁ ଫଟୋଟିକୁ ଦେଖିଲା ପରେ ମୋତେ ଗୋଟେ କୋଣକୁ ଟାଣି ନେଇ କହିଲେ, ଏ ଫଟୋ ତୋ ପର୍ସରେ ! ମୁଁ କୌଣସି ଉପକ୍ରମ ନ କରି କହିଲି, ହଁ ମୁଁ ତାକୁ ଭଲପାଏ ।

ହଠାତ୍ ରାଗି ଉଠି ମାମୁଁ କହିଲେ- ତୋ ମୁଣ୍ଡ ଖରାପ ନା କଣ ? ସେଇଥିପାଇଁ ବାହାସାହା ନ ହେଇ ପାଗଳଙ୍କ ପରି ବୁଲୁଛୁ ବୋଧେ ?

– ବାହା ସାହା ନ ହେଲେ ଲୋକ କଣ ପାଗଳ ହୋଇଯାଆନ୍ତି ନା ସବୁ ଅବିବାହିତଙ୍କୁ ପାଗଳର ଆଖ୍ୟା ଦିଏ ଏ ସମାଜ ?

– ତୁ ଏମିତି କଣ କଥାବାର୍ତ୍ତା କରୁଛୁ ? ମୁଁ ତୋ ଭଲ ପାଇଁ ହିଁ କହୁଛି ।

– ତମେ ମାମୁଁ… ଏତେ ଟେନ୍‌ସନ୍‌ ନିଅନି। ମୁଁ କଣ ବାହା ହେବାକୁ ମନା କରୁଛି ? ଏ ପର୍ଯ୍ୟନ୍ତ ସମୟ ଆସିନଥିଲା, ବାହାଘର ହୋଇ ପାରିନି । ଏବେ ମୁଁ ବୁଝୁଛି, ସେ ସମୟ ଆସି ଉପନୀତ ହେଇଛି। ମୋର ଜିଦିଆ ମନ ବୁଝି ସାରିଛି ।

– କଣ ବୁଝିସାରିଛି ?

– ଏଇକଥା ଯେ ଏ ବୃଥା ଜିଦ୍‌ର କିଛି ମୂଲ୍ୟ ନାହିଁ । ମୁଁ ମୋ ଜିଦ୍ ଛାଡ଼ି ତାରି ଖୋଜରେ ବ୍ୟସ୍ତ ଅଛି । ପାରିବ ଯଦି ତାର ଠିକଣା ଦିଅ ।

ମାମୁଁ ଫଟୋଟିକୁ ମାଇଁ ହାତକୁ ବଢ଼ାଇ ଦେଇ କହିଲେ – ଚିହ୍ନିଲ ମାମି, ଲତାର ନଣନ୍ଦ… । କଣ ତା ନାଁଟି ? ମୁଁ କହିଲି – ଲୋପାମୁଦ୍ରା ।

– ହଁ, ଲୋପାମୁଦ୍ରା। ୟାକୁ ଖୋଜୁଛି ସୋମୁ । ପାଗଳାଟା । ତାପରେ ମୋ ଆଡ଼େ ଚାହିଁ କହିଲେ – ଭୁଲି ଯା ତା କଥା । କାହାରି ସ୍ମୃତିକୁ ପାଥେୟ କରି ଜୀବନ ଏକା କାଟିବା ଭାରି ମୁସ୍କିଲ୍ । ତାର ଜ୍ୱଳନ୍ତ ଉଦାହରଣ ମୁଁ ନିଜେ । ମୋ ସାଙ୍ଗରେ ହେଲେ ବି ତୋ ମାଇଁ ଥିଲା । ସେ ପାଗଳାମୀ ଛାଡ଼ । ତୁ କହିବୁ ଯଦି ତୋ ପାଇଁ ମୁଁ ଝିଅ ଖୋଜି ଦେବି ।

– ଅନ୍ୟ ଝିଅ ଖୋଜି ଦେବ ? ଲୋପାମୁଦ୍ରା ହେଲେ ଅସୁବିଧା କଣ ?

– ତୁ ପାଗଳ ହେଲୁ ନା କଣ ? ଯିଏ ମରି ହଜିଗଲାଣି କେଉଁ କାଳୁ, ତାକୁ ଖୋଜିବୁ କେଉଁଠୁ ?

ମୋ ଶରୀର ହଠାତ୍ ଥରି ଉଠିଲା। ଅବିଶ୍ୱାସର ସହିତ ପଚାରିଲି – କଣ କହିଲ? ମୁଁ ଠିକ୍‌ରେ ଶୁଣି ପାରିଲି ନାହିଁ ।

ମାମୁଁ ବିରକ୍ତି ସହକାରେ ବଡ଼ ପାଟିରେ କହିଲେ – ଯିଏ ମରି ଯୁଗଟିଏ ବିତିଗଲାଣି, ତାକୁ ତୁ କେଉଁଠୁ ଖୋଜିବୁ ?

ମୁଁ ମାମୁଁଙ୍କ ମୁହଁକୁ ଚାହିଁଲି । ସତେ କି ମୁଁ ତାଙ୍କ ଏତେ ଟିକିଏ ସରଳ ବାକ୍ୟଟିକୁ ବୁଝିବାରେ ଅସମର୍ଥ ହେଉଥିଲି । ହସିଲି ମୁଁ । ପ୍ରଥମେ ଧୀରେ, ତାପରେ ଖୁବ୍ ଜୋର୍‌ରେ । ମୋ ଅଟ୍ଟହାସ୍ୟରେ ପିଲାଙ୍କର ନିଦ ଭାଙ୍ଗିଗଲା । ମୁଁ ମୋବାଇଲ୍ ଖୋଜି ଶ୍ରୀୟାକୁ ଫୋନ୍ ଲଗାଇଲି । ସେପଟୁ ଶ୍ରୀୟା ଫୋନ୍ ଉଠାଇ କହିଲା – ସମ୍ଭ୍ରମ୍ ଏତେ ରାତିରେ ! କଣ କିଛି କହିବାର ଅଛି ? ମାମୁଁଙ୍କ ଉକ୍ତିର ଦୃଢ଼ତାକୁ ହୃହୟଙ୍ଗମ କରି ମୋ ଧୈର୍ଯ୍ୟର ବନ୍ଧ ଧୀରେ ଧୀରେ ଭାଙ୍ଗୁଥିଲା । ଆର୍ଦ୍ର କଣ୍ଠରେ କହିଲି – ଲୋପାମୁଦ୍ରା… । ମୋ କଣ୍ଠର ବ୍ୟଥାରୁ ସେ ବୋଧେ କିଛି ଅନୁମାନ କଲା । କହିଲା – ତମେ ଏବେ କେଉଁଠି ଅଛ ?

– ସାନ ମାମୁଁଙ୍କ ଗାଁକୁ ଆସିଛି ।

– ତମେ ମାମୁଁଙ୍କୁ ଦେଲ ଫୋନ୍ ।

– ମୋ କଥାର ଜବାବ୍ ଦିଅ ଶ୍ରୀୟା । ଲୋପାମୁଦ୍ରା… ଏବେ କେଉଁଠି ?

– ସମ୍ଭ୍ରମ୍… ପ୍ଳିଜ୍, ପ୍ରଥମେ ତମେ ମାମୁଁଙ୍କୁ ଫୋନ୍ ଦିଅ ।

– ତମ ନିକଟରେ କିଛି ଉତ୍ତର ନାହିଁ ମାନେ… ତମେ… ଜାଣିଥିଲ ଏକଥା ?

– ସମ୍ଭ୍ରମ୍, ତମକୁ କହିଲି ପରା ଫୋନ୍ ଦିଅ ମାମୁଁଙ୍କୁ ।

– ଏତେ ଦିନ ତମେ ଜାଣିଶୁଣି ମୋତେ ଅନ୍ଧାରରେ ରଖିଛ !

– ହେ ଭଗବାନ, ତୁ କଣ ଏତେ ଦିନ ଧରି ଜାଣିନଥିଲୁ ଲୋପାମୁଦ୍ରା କଥା ? ମାମୁଁ ମୋତେ ହଲାଇଦେଇ ପଚାରିଲେ ।

– ହ୍ୟାଲୋ… ସମ୍ଭ୍ରମ୍…, ମୋ କଥା ଶୁଣ…ଶ୍ରୀୟା ବ୍ୟସ୍ତ ହୋଇ ଉଠୁଥିଲା ଆରପଟରୁ ।

– ମୋ ସହ ଏମିତି କେମିତି ତମେ ଲୁଚକାଳି ଖେଳି ପାରିଲ ଶ୍ରୀୟା ?

ଶ୍ରୀୟା ଦୀର୍ଘଶ୍ୱାସ ତୋଳି କହିଲା – ସମ୍ଭ୍ରମ୍… ମୁଁ ଆଉ କଣ କରିଥାନ୍ତି କୁହ ? ମୁଁ ଜାଣେ, ତମେ ନିଜକୁ ସମ୍ଭାଳି ପାରିବ ନାହିଁ ଲୋପାମୁଦ୍ରା କଥା ଶୁଣି । ସେଇଥିପାଇଁ ଏତେଦିନ ମୁଁ ତମଠାରୁ ଲୁଚାଇ ରଖିଲି କଥାଟା । ଖାଲି ମୁଁ କାହିଁକି, ସତୀଶ୍, ପ୍ରସାଦ ମଧ୍ୟ ଜାଣିଛନ୍ତି ଏକଥା । ଏପରିକି କିଛି ଦିନ ତଳେ ନେହା ଓ ସନ୍ଦୀପ୍ ଏକାଠି ଆସିଥିଲେ ମୋ ପାଖକୁ । ସେମାନେ ମଧ୍ୟ ଜାଣନ୍ତି ଲୋପାମୁଦ୍ରା କଥା । ତମେ ହିଁ କୁହ ସମ୍ଭ୍ରମ୍, କେଉଁ ମୁହଁରେ ମୁଁ ତମକୁ ତମର ପ୍ରାଣ ଠାରୁ ବଳି ପ୍ରେୟସୀର ମୃତ୍ୟୁ ଖବର ଶୁଣାଇଥାନ୍ତି । ଖାଲି ମୁଁ କାହିଁକି, ଯିଏ ବି ତମର ଭଲପାଇବାର ଗଭୀରତା ବିଷୟରେ ଜ୍ଞାତ ଥିବ, କେବେ ବି ଜଣାଇବ ନାହିଁ ଏକଥା । ମୋତେ କ୍ଷମା କରିଦିଅ ସମ୍ଭ୍ରମ୍ । ଲୋପାମୁଦ୍ରା ପାଠ ପଢ଼ିବା ପାଇଁ ଦିଲ୍ଲୀ ଯାଇନଥିଲା । ସେ ଯାଇଥିଲା ତାର ବ୍ଳଡ୍ କ୍ୟାନ୍ସର୍ ରୋଗର ଚିକିତ୍ସା ପାଇଁ । ମାତ୍ର ଚାରି ମାସର ଚିକିତ୍ସା ଭିତରେ ଲୋପାମୁଦ୍ରା ଆମ ସମସ୍ତଙ୍କୁ ପର କରି ଚାଲି ଯାଇଥିଲା । ସେ ମୋତେ ରାଣ ଦେଇ କହିଥିଲା, ତା ରୋଗ କଥା ଅବା ସେ ଯଦି ମୃତ୍ୟୁ ବରଣ କରେ, ସେକଥା ବି ମୁଁ ତମକୁ ଯେମିତି ନ ଜଣାଏ । ପ୍ଳିଜ୍, ମୋତେ କ୍ଷମା କରିଦିଅ । ଶ୍ରୀୟା କୋହ ସମ୍ଭାଳି କଥା ହେଉଥିଲା ମୋ ସହ । ହ୍ୟାଲୋ… ସମ୍ଭ୍ରମ୍…

ଛାତିଟା ମୋର ଅସମ୍ଭବ ଭାବରେ ଯନ୍ତ୍ରଣାରେ ଭରିଗଲା । ଶରୀର ସଂକୁଚିତ ହୋଇ ଆସୁଥିଲା । ମୁଣ୍ଡଟା ଖୁବ୍ ଜୋର୍‌ରେ ବୁଲାଇ ଦେଇ ଚାରିଦିଗ ମୋତେ ଅନ୍ଧକାର ଦିଶୁଥିଲା । ଦୃଷ୍ଟି ଶକ୍ତି ଓ ଶ୍ରବଣ ଶକ୍ତି ଧୀରେ ଧୀରେ ଲୋପ ପାଇ ଆସୁଥିଲା । ଲାଗୁଥିଲା ମାମୁଁ ମାଇଁ ପିଲାମାନେ ସମସ୍ତେ ବ୍ୟସ୍ତ ହୋଇ ମୋତେ ବେଢ଼ି ବସିଛନ୍ତି । ମୋ ଚାରିପଟରେ ସେମାନଙ୍କର କୋଳାହଳ କିଛି କିଛି ମୋ କାନରେ ବାଜୁଥିଲା । ତା ସହିତ ଶୁଭୁଥିଲା କାହାର କୋମଳ କଣ୍ଠସ୍ୱର । ଯେଉଁ କଣ୍ଠସ୍ୱର ସହ ମୁଁ ଖୁବ୍ ପରିଚିତ । ଅତି ଆପଣାର ସେ କଣ୍ଠସ୍ୱର । ଧୀରେ ଧୀରେ ସେ ସ୍ୱର ସ୍ପଷ୍ଟ ହେଉଥିଲା। ଆରେ ! ଏ ତ ଲୋପାମୁଦ୍ରାର କଣ୍ଠସ୍ୱର ! ଶୁଭୁଛି – ଆସମ, ଏତେ କଣ ଛଇ କାଢ଼ୁଛ ? ମୋ ବିନା ଯୁଗଟିଏ ବିତାଇଦେଲ । ତମର ସିନା ଧୈର୍ଯ୍ୟ ଅନେକ, ହେଲେ ମୋର ଆଉ ତମକୁ ଅପେକ୍ଷା କରିବାର ଧୈର୍ଯ୍ୟ ନାହିଁ । ବହୁତ ହେଲା, ଆସ ଏଥର, ଯିବା । ମୋ ଦୃଷ୍ଟି ଶକ୍ତି ସତେ କି ଫେରି ଆସୁଥିଲା କ୍ରମଶଃ । ମୋ ଆଗରେ ଶୁଭ୍ରବସନ ପରିଧାନ ପୂର୍ବକ ଏକ ଅପୂର୍ବ ଲାସ୍ୟମୟୀ ଠାଣୀରେ ମୋ ଆଡ଼କୁ ହାତ ବଢ଼ାଇ ଠିଆ ହୋଇଥିଲା ଲୋପାମୁଦ୍ରା । ମୋ ହାତଟା ଆପେ ଉଠିଗଲା ଲୋପା ଆଡ଼େ । ଓଠ ଥରାଇ କିଛି କହିବାକୁ ଚାହୁଁଥିଲି । କିନ୍ତୁ ପାଟିଟା ଖାଲି ପାକୁ ପାକୁ ହେଉଥିଲା । କଣ୍ଠ ଦେଇ କିଛି ବି ଧ୍ୱନୀ ନିର୍ଗତ ହେଉନଥିଲା । ପୁଣି ଥରେ ସବୁକିଛି ଆଖି ଆଗରେ ଅନ୍ଧାର ଦିଶିଲା । ଶେଷବେଳକୁ କେବଳ ଶୁଭୁଥିଲା ମାମୁଁଙ୍କର କୋହ ଭରା କଣ୍ଠ – ଆରେ କିଏ ଅଛରେ ? ଟିକିଏ… ଆମ୍ବୁଲାନ୍ସ୍ … ଡାକିଦିଅ ।

– ସମାପ୍ତ –

ଲୋକପ୍ରିୟ ଲେଖା

To Top