ଉପନ୍ୟାସ

ପ୍ରତୀକ୍ଷା

T.Durga Prasad Rao's Odia Novel Pratikshaa

– ହଁ, ତମ ନାଁ ମୁଁ ତାଙ୍କ ମୁହଁରୁ ପ୍ରଥମେ ଶୁଣିଲି ଆଉ ସେ ବାଧ୍ୟ ହୋଇଗଲେ ମୋତେ ତମ ବିଷୟରେ ସବୁ କିଛି କହିବା ପାଇଁ ।

ପ୍ରତୀକ୍ଷା

-: ପୂର୍ବରୁ :-

ଲୋପାମୁଦ୍ରା ହଜିଯାଇଛି। ନିରୁଦ୍ଦିଷ୍ଟ ହୋଇଯାଇଛି ମୋ ଜୀବନର ପରିସରରୁ। ଫୁଲରୁ ସୁରଭି ଉଡ଼ିଗଲା ପରି ବନ୍ଦ ହୋଇଯାଇଛି ଲୋପାମୁଦ୍ରାର ଭଲପାଇବାର ନିରବଛିନ୍ନ ଅନ୍ତଃପ୍ରବାହ ମୋ ହୃଦୟ ଭିତରକୁ । ହେଲେ ମୁଁ ବୁଝି ପାରୁନାହିଁ, ଏଥିରେ ଦୋଷ କାହାର ? ମୋର ନା ଲୋପାମୁଦ୍ରାର ? ଭୁଲ୍ କେଉଁଠି ରହିଲା ? ଆମେ କଣ ସତରେ ଜିଦିଆ ହୋଇଗଲେ ପରସ୍ପରର ଅହଂକୁ ଜାବୁଡ଼ି ଧରି ? ବୟସ ବଢ଼ୁଥିଲେ ମଣିଷର ଅହଂ କଣ ସତରେ ଏମିତି ଜୀବନ ଉପରେ ପ୍ରଭାବ ବିସ୍ତାର କରେ ? ଅହଂ କଣ ଏତେ ଅସହାୟ କରି ତୋଳି ପାରେ ମଣିଷକୁ ଯେ ପରସ୍ପର ନିକଟରେ ଆପୋଷ ବୁଝାମଣା ପାଇଁ ମଧ୍ୟ ସୁଯୋଗ ରହେ ନାହିଁ? କାହିଁ ସେ କଲେଜ୍ ସମୟ ? ଯେଉଁ ସମୟରେ ପରସ୍ପରର ଭୁଲ୍ ସ୍ୱୀକାର କରି ଜଣେ ଆଉ ଜଣଙ୍କ ନିକଟରେ କ୍ଷମାପ୍ରାର୍ଥୀ ହୋଇ ଠିଆ ହୋଇ ରହୁଥିଲା । ଜଣେ ଅଭିମାନ କରି ବସିଲେ ଆଉ ଜଣେ ତାର ମାନଭଞ୍ଜନ ପାଇଁ କେତେ ନୂଆ ନୂଆ ଯୋଜନା ଫାନ୍ଦି ହସାଇବାକୁ ଚେଷ୍ଟା କରୁଥିଲା । ସେ ସ୍ୱର୍ଣ୍ଣିମ ମୁହୁର୍ତ୍ତ ସବୁ କେତେ ଆକର୍ଷକ ଥିଲା ସତରେ !

ସେଦିନ ପରି ଲାଗୁଛି ! ଲମ୍ବା ଛୁଟି ହେଲେ ନିଜ ଘର ଅପେକ୍ଷା ମାମୁଁ ଘରର ଆକର୍ଷଣ ମୋତେ ଟାଣି ନେଉଥିଲା ମାମୁଁଙ୍କ ଗାଁକୁ । ଆଉ ଲୋପାମୁଦ୍ରା କିଛି ନା କିଛି ମିଛ କହି ବାହାନା କରି ଲତା ସହ ପହଞ୍ଚି ଯାଉଥିଲା ସେ ଗାଁରେ । ବାପ ଘରକୁ ଆସିବାରେ କେଉଁ ଝିଅର ମନ ନ ହେବ । ଲତା ସୁଯୋଗ ଉଣ୍ଡୁଥିଲା । ଆଉ ତା ପାଇଁ ସୁଯୋଗ ତିଆରି କରୁଥିଲା ଲୋପାମୁଦ୍ରା ବିଭିନ୍ନ ଆଳରେ । ଲତା ବୁଝୁଥିଲା କିଛି କିଛି ଆମ ଦୁହିଁଙ୍କ ହୃଦୟର ଦରଦ । ପ୍ରକାଶ୍ୟରେ କିନ୍ତୁ ନ ଜାଣିଲା ପରି ଅଭିନୟ କରୁଥିଲା । ଆକଟ ବି କରୁଥିଲା । ସେ ଆକଟ କିନ୍ତୁ ଆମ ଭଲପାଇବାର ପ୍ରବାହକୁ ଅଟକାଇ ପାରୁନଥିଲା । ମୋର ଢେର ସମୟ କଟୁଥିଲା ଲତା ଘରେ ଲୋପାମୁଦ୍ରା ସହ । ଲତା ମଧ୍ୟ ଆମ କଥାବାର୍ତ୍ତାରେ ସାମିଲ୍ ହେଇ ଯାଉଥିଲା ବେଳେ ବେଳେ । ଲତାର ହାବଭାବ କଥାବାର୍ତ୍ତାରେ କିନ୍ତୁ ଅଭିଭାବକର ସ୍ୱର କମ୍ ଏକ ଦରଦୀ ବନ୍ଧୁର ସହାନୁଭୁତି ଅଧିକ ବାରି ହୋଇ ପଡୁଥିଲା । ଆମକୁ ଦେଖି ସେ ଖସି ଯାଉଥିଲା ନିଜର ଦଶ ବାର ବର୍ଷ ତଳର ଅତୀତକୁ । ଆମରି ଭିତରେ ସେ ଖୋଜୁଥିଲା ତା ଭଲପାଇବାର ବୀଜଟିକୁ ।

ଦିନେ ହଠାତ୍ ମୋ ପାଟିରୁ ବାହାରି ଆସିଲା – ତମେ ମାମୁଁଙ୍କୁ ମିସ୍ କରୁଛ ନା ? ଅବଶ୍ୟ ଲୋପାମୁଦ୍ରା ସେ ସମୟରେ ନିକଟରେ ନ ଥିଲା । ଲତା ତଟସ୍ଥ ହୋଇ ମୋ ଆଡ଼େ ଚାହିଁଲା କିଛି କ୍ଷଣ । ମୁଁ ପଚାରିଦେଇ ଭୁଲ୍ କରି ଦେଇଥିବାର ଶଙ୍କାରେ ତତ୍‌କ୍ଷଣାତ୍ ସେଠୁ ଉଠିପଡ଼ି ଯିବା ପାଇଁ ଉଦ୍ୟତ ହେଲି । ଲତା ମୋର ହାତ ଧରି ମୋତେ ଅଟକାଇ ଦେଲା । କହିଲା – ଖୁବ୍ ବଡ଼ ହେଇଗଲୁଣି । ଅନେକ କଥା ଜାଣିସାରିଛୁ ଇତି ମଧ୍ୟରେ । ଲତାର ଆଖି ଦୁଇଟି ମୋ ଆଖି ଉପରେ ସ୍ଥିର ଥାଏ । ମୁଁ କିନ୍ତୁ ଆଉ ଚାହିଁ ପାରୁନଥାଏ ତାର ଆଖି ଦୁଇଟିକୁ । କହିଲା – କଣ ଶୁଣିଛୁ ମୋ ବିଷୟରେ ? କିଏ ତତେ କହିଛି ? କାହିଁ ଏକଥା ତ ମୁଁ ଆଉ ତୋ ମାମୁଁ ବ୍ୟତୀତ ଦ୍ୱିତୀୟ କେହି ଜାଣିନି । ତୁ ଜାଣିଲୁ କେମିତି ? ମୁଁ କାନ ଦୁଇଟିକୁ ଧରି କହିଲି – ଭୁଲ୍ ହେଇଗଲା । ପଚାରିଦେଲି । ମୋତେ ଲାଗିଲା ତମେ ସତରେ ମିସ୍ କରୁଛ ମାମୁଁଙ୍କୁ । ଲତା ନଛୋଡ଼ବନ୍ଧା । ପଚାରିଲା – ସତ କହ ସୋମୁ, ତତେ କିଏ କହିଛି ? ମୁଁ ବସିଲି ଲତା ପାଖରେ । କହିଲି – ମାମୁଁଙ୍କର କିଛି ଦୋଷ ନାହିଁ । ସବୁ ଦୋଷ ତାଙ୍କ ନିଶା ପାଣିର । ଯେଉଁଦିନ ନିଶା କରନ୍ତି, ଅଲଗା ଶୁଅନ୍ତି । ମାଇଁ ତାଙ୍କୁ ପାଖ ମାଡ଼ିବାକୁ ଦିଏ ନାହିଁ । ସେ ବି ନିଜର ଦୁର୍ବଳତା ଘୋଡ଼ାଇବା ପାଇଁ ଅଲଗା ଶୋଇଯାଆନ୍ତି । ଆଉ ରାତିରେ ଅଧିକାଂଶ ସମୟ ତମ ନାଁ ବାଉଳି ହୁଅନ୍ତି । ଲତା ଲାଜରେ ନାଲି ପଡ଼ିଯାଇ କହିଲା – ଇସ୍, ଏବେ ମଧ୍ୟ ?

– ହଁ, ତମ ନାଁ ମୁଁ ତାଙ୍କ ମୁହଁରୁ ପ୍ରଥମେ ଶୁଣିଲି ଆଉ ସେ ବାଧ୍ୟ ହୋଇଗଲେ ମୋତେ ତମ ବିଷୟରେ ସବୁ କିଛି କହିବା ପାଇଁ ।

– କଣ ସବୁ କହିଛନ୍ତି ମୋ ବିଷୟରେ ? ଲତା ଉତ୍ସୁକତାର ସହ ଚାହିଁଲା ମୋ ଆଡ଼େ ।

ମୁଁ ଓଲଟା ପଚାରିଲି, କଣ ତମେ ଜାଣିନ, କଣ ସବୁ ହେଇଥିଲା ତମ ଦୁହିଁଙ୍କ ମଧ୍ୟରେ ? ଲତାର ଉତ୍ସାହ କମିଗଲା । କହିଲା – ସବୁ ମିଛ । ତତେ ସବୁ ବନେଇ ଚୁନେଇ ମିଛ କଥା କହିଥିବେ । ତାଙ୍କର ଅଭ୍ୟାସ ଅଛି । କଣ ଥିଲା କି ଆମ ଦୁହିଁଙ୍କ ମଧ୍ୟରେ ? କିଛି ତ ନ ଥିଲା ।

ମୁଁ ଟିକିଏ ବାକ୍ୟ ଲମ୍ବେଇ ଦେଇ କହିଲି – ହଁ ସେ ବି ସେଇ କଥା କହୁଥିଲେ, କିଛି ନ ଥିଲା ତମ ଦୁହିଁଙ୍କ ମଧ୍ୟରେ । ଜଣେ ଆଉ ଜଣକୁ ଦିନେ ନ ଦେଖି ପାରିଲେ ଉଭୟଙ୍କ ଆଖି ପରସ୍ପରକୁ ଖୋଜି ହେବା ବ୍ୟତୀତ ଆଉ କଣ ଥିଲା କି ତମ ଦୁହିଁଙ୍କ ମଧ୍ୟରେ ? କିଛି ତ ନ ଥିଲା । ଜଣକୁ କୌଣସି କାରଣରୁ କଷ୍ଟ ହେଲେ ଆଉ ଜଣଙ୍କ ଆଖିରୁ ଲୁହ ହିଁ ତ ଝରୁଥିଲା । ଆଉ ତ କିଛି ନ ଥିଲା । ଆଜି ବି ତମ ସ୍ମୃତିକୁ ଛାତି ଭିତରେ ଜାବୁଡ଼ି ଧରି ମାମୁଁ ଯେଉଁ କଷ୍ଟ ପାଉଛନ୍ତି ଆଉ କଷ୍ଟକୁ ଲାଘବ କରିବା ପାଇଁ ମଝିରେ ମଝିରେ ସେ ଯେ ନିଶା ପିଇ ନିଶାର ଅଭ୍ୟସ୍ତ ହେଇ ଯାଇଛନ୍ତି । ସେଇ ସ୍ମୃତି ଟିକକ ଛଡ଼ା ଆଉ କଣ ଅଛି କି ମାମୁଁଙ୍କ ପାଖରେ ? କିଛି ବି ତ ନାହିଁ । ଏବେ ବି ମାମୁଁଙ୍କୁ ଦେଖିଲେ ତମ ଆଖି ଓ ମୁହଁର ଔଜଲ୍ୟ କେମିତି ବଢ଼ିଯାଏ, ସେତକ ଅନୁରାଗ ଟିକକ ହିଁ ତ ତମ ହୃଦୟରେ ବଞ୍ଚି ରହିଛି ଏଯାବତ୍। ନଚେତ୍ ଆଉ କଣ ଅଛି କି ?

ଲତା ଉଠି ଭିତର ଘରକୁ ଚାଲିଗଲା । ବୋଧହୁଏ ସେ ତାର କୋହ ଲୁଚାଇବାକୁ ଚେଷ୍ଟା କରୁଥିଲା । ଏତେ ବର୍ଷ ପରେ ବି ଲତା ଯେ ମାମୁଁଙ୍କୁ ଭୁଲି ପାରୁନଥିଲା, ମୁଁ ଠିକ୍ ଅନୁମାନ କରି ପାରୁଥିଲି । ଲତାକୁ ମୁଁ କନ୍ଦେଇ ଦେଇ ଥିବାରୁ ଭାରି ଦୋଷୀ ମନେ କରୁଥିଲି ନିଜକୁ । ଭାବପ୍ରବଣତାରେ ମୋ ଆଖିରୁ ଦୁଇଟୋପା ଲୁହ ଗଡ଼ି ଆସିଥିଲା । ସେତିକିବେଳେ ଘର ଭିତରେ ଲୋପାମୁଦ୍ରାର ପ୍ରବେଶ ମୋତେ ନର୍ଭସ୍ କରି ପକାଇଲା । କିଛି ଶୁଣିନାହିଁ ତ ଲୋପାମୁଦ୍ରା ? ଲୋପାମୁଦ୍ରା ସତରେ କିଛି ଶୁଣି ପାରିନଥିଲା । କିନ୍ତୁ ମୋ ଆଖିର ଲୁହ ତା ଆଖିରେ ଧରା ପଡ଼ି ଯାଇଥିଲା । ସେ ବସିଲା ମୋତେ ଲାଗି । ଆଶ୍ଚର୍ଯ୍ୟ ହୋଇ ମୋ ଆଡ଼େ ଚାହିଁଲା । ପଚାରିଲା – ମୋ ଦ୍ୱାରା କିଛି ଭୁଲ୍ ହେଇଗଲା କି ? ମୁଁ କହିବାକୁ ଯାଉଥିଲି, ନା, ଏ ଲୁହ ତମ କାରଣରୁ ନୁହଁ । କିନ୍ତୁ କହିପାରିଲି ନାହିଁ । ଯଦି ସେମିତି କହେ, ମୋତେ କାରଣ ଦର୍ଶାଇବାକୁ ହେବ । କହିଲି – କେତେବେଳୁ ତମକୁ ଅପେକ୍ଷା କରି ବସିଛି, ତମର ତ ମୋ ପାଇଁ ଚିନ୍ତା ବି ନାହିଁ । ବସି ବସି ତମ କଥା ଭାବି କାନ୍ଦ ମାଡ଼ିଲା । ଏବେ ଫେରି ଯାଇଥାନ୍ତି । ଲୋପାମୁଦ୍ରା କିଛି ଅବିଶ୍ୱାସ ଓ କିଛି ବିଶ୍ୱାସରେ ଚାହିଁଲା ମୋ ଆଡ଼େ । ମୋ ଆଖିର ଲୁହ ପୋଛି କହିଲା – ବିଂଶ ଶତାବ୍ଦୀର ଯୁବକ ଭଲପାଇବାକୁ ନେଇ କଣ ଏତେ ସିରିୟସ୍ ହେଇପାରେ ? ଆଜି ମୋର କ୍ଷଣିକ ଅନୁପସ୍ଥିତି ଯଦି ତମକୁ ଏତେ କଷ୍ଟ ଦେଉଛି, କାଲିକି ଯଦି ମୁଁ ସତରେ ନ ରହିବି, ତାହେଲେ ତମର ଅବସ୍ଥା କଣ ହେବ ? ନିଜକୁ ସମ୍ଭାଳ ସମ୍ଭ୍ରମ୍ । ଜୀବନକୁ ଟିକିଏ ହାଲ୍କା ଭାବରେ ନିଅ । ହଁ ଯଦି ସିରିୟସ୍ ହେବାର ଅଛି, ପଢ଼ାପଢ଼ିରେ ସିରିୟସ୍ ହୁଅ, ନିଜ କ୍ୟାରିୟର୍‌କୁ ନେଇ ସିରିୟସ୍ ହୁଅ । ମୋ ପାଇଁ ସିରିୟସ୍ ହେବା ଅନାବଶ୍ୟକ । କାରଣ ମୁଁ ସବୁବେଳେ ରହିବି ତମ ପାଖରେ । ମୋର ସାମୟିକ ଅନୁପସ୍ଥିତି ତମକୁ ଦୋହଲାଇ ଦେବ, ଏକଥା ମୋତେ ପସନ୍ଦ ଲାଗେନି । ନିଜକୁ ଦୃଢ଼ କର ।

ମୋର ଟିକିଏ ବାହାନାରେ ଲୋପାମୁଦ୍ରାର ଏତକ ଉପଦେଶ ଶୁଣିବାକୁ ହେବ, ମୁଁ ଭାବିନଥିଲି । ଇଚ୍ଛା ହେଲା ତା ଓଠରେ ବଡ଼ ଏକ ଚୁମ୍ବନ ଆଙ୍କି ତାର ପାଟି ଚୁପ୍ କରାଇବି । ହେଲେ ମୋ ଲୋଭନୀୟ ଭାବନାରୁ କ୍ଷାନ୍ତ ହେଲି । କାରଣ ସେତକ ଯଦି କରିଥାନ୍ତି, ଆହୁରି ସାରଗର୍ଭକ ଉପଦେଶ ଲୋପାମୁଦ୍ରାର ଓଠ ଫାଙ୍କରୁ ଖସି ଆସି ସେ ଦିନତମାମ ମୋତେ ଅସ୍ତବ୍ୟସ୍ତ କରି ତୋଳିଥାନ୍ତା । ପ୍ରତ୍ୟୁତ୍ତରରେ ମୁଁ କେବଳ ଲୋପାମୁଦ୍ରା ଉଦ୍ଦେଶ୍ୟରେ ହାତଯୋଡ଼ି ଦେଇ ମୁଣ୍ଡ ହଲାଇଲି ।

ସେଦିନର ସେ ପ୍ରତିଶୃତି ଲୋପାମୁଦ୍ରାର ସାମୟିକ ଅନୁପସ୍ଥିତିରେ ମୁଁ ଯେ ଭାଙ୍ଗିପଡ଼ିବି ନାହିଁ, ଆଜି ଯାଏଁ ପାଳନ କରି ଆସୁଛି । ବୋଧହୁଏ ସେଇଥିପାଇଁ ମୋ ଆଖିରୁ ଆଉ ଲୁହ ଝରୁନାହିଁ । ସାମୟିକ କହିଲେ କେତେ ସମୟର ଅବଧି, କେତେ ଦିନ, କେତେ ମାସ, କେତେ ବର୍ଷ, ସେକଥା କିନ୍ତୁ ଲୋପାମୁଦ୍ରା ମୋତେ କେବେ ମଧ୍ୟ ଠିକ୍ ରୂପେ ଜଣାଇ ନ ଥିଲା । ପୂରା ଜୀବନର ଧର୍ଯ୍ୟ ତା କଥା ଚିନ୍ତା କଲେ କିଛି ବର୍ଷର ବ୍ୟବଧାନ, ସାମୟିକ ନିଶ୍ଚୟ । ସେ ସାମୟିକ ସମୟର ଅବଧି କେବେ ଶେଷ ହେବ, ତାରି ପ୍ରତୀକ୍ଷାରେ ମୁଁ ଗଡ଼ାଇ ଚାଲିଛି ମୋ ଜୀବନର ଆୟୁ, ବର୍ଷ, ମାସ, ଦିନ, ଦଣ୍ଡ ହିସାବରେ।

– ତା’ପରେ –

ଲୋକପ୍ରିୟ ଲେଖା

To Top