ଉପନ୍ୟାସ

ପ୍ରତୀକ୍ଷା

T.Durga Prasad Rao's Odia Novel Pratikshaa

ଶ୍ରୀୟା ଚାରିଟା ସମୟରେ ଫୋନ୍ କରିଥିଲା ଲୋପାମୁଦ୍ରାର ବାପାଙ୍କ ହାନିଲାଭ ବୁଝିବାକୁ ତାଙ୍କ ଘରକୁ । ଖବର ଶୁଣି ସେ ତଟସ୍ଥ । ହାର୍ଟ୍ ଆଟାକ୍‌ରେ ପ୍ରାଣ ଛାଡ଼ିଛନ୍ତି ଲୋପାମୁଦ୍ରାର ବାପା।

ପ୍ରତୀକ୍ଷା

-: ପୂର୍ବରୁ :-

ଧୂସର ଅପରାହ୍ନର ମଳିଚିଆ ଖରାରେ ମୁଁ ହଷ୍ଟେଲ୍‌ର ଛାତ ଧାରକୁ ଲାଗି ଠିଆ ହୋଇ ଚାହିଁ ରହିଥିଲି ଦୂର ଦିଗ୍‌ବଳୟ । ଚକ୍ଷୁ ବିସ୍ଫାରିତ କରି ଦେଖିବାକୁ ଚେଷ୍ଟା କରୁଥିଲି ଦିଗ୍‌ବଳୟ ପରେ ବି ଆଖିର ଅପହଞ୍ଚ ଇଲାକାକୁ । କିନ୍ତୁ ତା କଣ ସମ୍ଭବ ? ଚକ୍ଷୁର ପରିଧି ଯେ ସୀମାବଦ୍ଧ ଏକ ନିର୍ଦ୍ଦିଷ୍ଟ ଦୂରତ୍ୱ ଯାଏଁ । ତା ପରର ସବୁକିଛି ତା ପାଇଁ ଅଦେଖା । ସେଇ ଅଦେଖା ଇଲାକାକୁ ଦେଖି ପାରିବାର ଦିବ୍ୟଦୃଷ୍ଟି ନାହିଁ ମଣିଷ ପାଖରେ । ସେମିତି ତାର ବୁଦ୍ଧିର ପରିସର ମଧ୍ୟ ସୀମାବଦ୍ଧ । ଏକ ନିର୍ଦ୍ଦିଷ୍ଟ ବଳୟ ଭିତରେ ହିଁ ମଣିଷର ବୁଦ୍ଧି ଘୂରିବୁଲେ । ସେ ବଳୟର ବାହାରେ ପହଞ୍ଚିବାର କ୍ଷମତା ମଣିଷର ଯଦି ଥାଆନ୍ତା, ଦୁଃଖ, ଦୁର୍ଦ୍ଦଶାର ଗୋଟିଏ ବି ଚେର ତା ଜୀବନର ସୀମାରେଖା ମଧ୍ୟରେ ପ୍ରବେଶ କରିବାର ଦୁଃସାହସ କରନ୍ତା ନାହିଁ । ସତୀଶ୍ ଦୌଡ଼ି ଆସି ଖବର ଦେଲା – ତୁ ଶୁଣିଲୁଣି, ଲୋପାମୁଦ୍ରାର ବାପାଙ୍କର ଦେହାନ୍ତ ହୋଇଛି । ମୁଁ ଆଶ୍ଚର୍ଯ୍ୟ ହୋଇ ତା ମୁହଁକୁ ଚାହିଁ ପଚାରିଲି – କେବେ ?

– କାଲି ରାତିରେ।

– ଆଉ ତୁ ମୋତେ ବର୍ତ୍ତମାନ କହୁଛୁ ?

– ମୁଁ ଏଇ ସଙ୍ଗେ ସଙ୍ଗେ ଖବର ପାଇଲି ।

– ଆଉ ଲୋପାମୁଦ୍ରା ?

– ସେ ଆଜି ସକାଳୁ ବାହାରି ଯାଇଛି ତାର ଗାଁକୁ । ତାକୁ କିଏ ଫୋନ୍ କରି ଖବର ଦେଇଥିଲା ତା ବାପାଙ୍କ ଦେହ ଭାରି ସିରିୟସ୍ । ଗାଁରେ ପହଞ୍ଚି ଜାଣି ପାରିଲା, ଦେହ ଖରାପ ନୁହଁ, ତାଙ୍କର ମୃତ୍ୟୁ ହୋଇ ସାରିଛି ।

– ତୁ ଏତେ କଥା କେମିତି ଜାଣିଲୁ ?

– ଶ୍ରୀୟା ଚାରିଟା ସମୟରେ ଫୋନ୍ କରିଥିଲା ଲୋପାମୁଦ୍ରାର ବାପାଙ୍କ ହାନିଲାଭ ବୁଝିବାକୁ ତାଙ୍କ ଘରକୁ । ଖବର ଶୁଣି ସେ ତଟସ୍ଥ । ହାର୍ଟ୍ ଆଟାକ୍‌ରେ ପ୍ରାଣ ଛାଡ଼ିଛନ୍ତି ଲୋପାମୁଦ୍ରାର ବାପା।

ମୁଁ ରୁମ୍ ଭିତରେ ପଶି ପଲଙ୍କ ଉପରେ ବସିଲି । ମୋ ଦେହରୁ ଗମ୍ ଗମ୍ ହୋଇ ଝାଳ ବାହାରୁଥିଲା । ହଠାତ୍ ଲୋପାମୁଦ୍ରାର ବାପାଙ୍କ ଦେହାବସାନର ଦୁଃସମ୍ବାଦରେ ମୋ ଶରୀର ତାର ପ୍ରତିକ୍ରିୟା ଦେବା ଆରମ୍ଭ କରିଥିଲା । ସତୀଶ୍ ଫ୍ୟାନ୍‌କୁ ଫୁଲ୍ ସ୍ପିଡ୍ ଦେଇ ମୋ ପାଖରେ ବସିଲା । କହିଲା – ତୁ ଏମିତି ଭାଙ୍ଗି ନ ପଡ଼ି ଲୋପାମୁଦ୍ରାକୁ ଟିକେ ଫୋନ୍ କର । ତୋ ଆଶ୍ୱାସନାରେ ସେ କିଛିଟା ନିଜକୁ ସମ୍ଭାଳି ନେଇ ପାରେ ।

ଦୁର୍ଦ୍ଦିନ କେତେବେଳେ କେଉଁ ମୁହୁର୍ତ୍ତରେ କେଉଁ ଦିଗରୁ ଆସିବ ମଣିଷ ଯଦି ଜାଣି ପାରୁଥାନ୍ତା, ଜୀବନର ଗତିପଥ କେତେ ସହଜ ନ ହୁଅନ୍ତା ! ମୋ ଜୀବନର ଦୁର୍ଦ୍ଦିନ ମୋଟ ଉପରେ କହିବାକୁ ଗଲେ ଏଇଠୁଁ ହିଁ ଆରମ୍ଭ । ଗାଁରୁ ଫେରି ଲୋପାମୁଦ୍ରା ହଠାତ୍ ମୋତେ ଚମକାଇ ଦେଇ କହିଲା – ମୁଁ ଦିଲ୍ଲୀ ଯାଉଛି, ସାନ ଭାଇ ପାଖକୁ । ବାକିତକ ଅଧ୍ୟୟନ ସେଇଠି ହେବ। ଭାଇର ଚିନ୍ତାଧାରା, ଏଇଠି ରହିଲେ ମୁଁ ବାପାଙ୍କୁ ହରାଇବା ଦୁଃଖରେ ଶୋକାକୁଳ ରହିବି । ବଡ଼ଭାଇ ଆଉ ଲତା ଭାଉଜ ମୋତେ ସମ୍ଭାଳି ପାରିବେ ନାହିଁ । ମୋର ଚେଞ୍ଜ୍ ଦରକାର ।

ମୁଁ ଆଉ କଣ କହିଥାନ୍ତି । କିଏ ଯେମିତି ମୋର ପାଟି ସିଲେଇ କରି ଦେଇଥିଲା । ଚକ୍ଷୁଦ୍ୱୟ ସଜଳ ହୋଇ ଉଠିଥିଲେ । ଛାତିରେ କୋହ ଜମାଟ ବାନ୍ଧୁଥିଲା । ଇଚ୍ଛା ହେଉଥିଲା ଲୋପାମୁଦ୍ରାର ହାତ ଧରି ଅଟକାଇ କହିବି – ମୋତେ ଏକାକୀ କରି ଚାଲିଯାଅନି ଲୋପା । ତମ ବିନା ମୋର ଦିନଟିଏ ବିତିବା ଯେ ଅସମ୍ଭବ । ଏବେ ମୋର କେଉଁଥିରେ ବି ଆଉ ମନ ଲାଗିବନି । ପୁଣିଥରେ ଭାବ, ପ୍ଳିଜ୍ । ମୁଁ ତମକୁ ଶୋକାକୁଳ ହେବାକୁ ଆଦୌ ଦେବିନି । ତମ ପାଖେ ପାଖେ ରହିବି । କିନ୍ତୁ ହଁ, ତମେ ଯଦି ସତରେ ଚାଲିଯାଅ, ତାହେଲେ ମୁଁ ତମ ବିୟୋଗରେ ନିଶ୍ଚୟ ଦୁଃଖୀ ହୋଇଯିବି । ହେଲେ, ଲୋପାମୁଦ୍ରା ମୁଖର ଗାମ୍ଭୀର୍ଯ୍ୟ ଆଗରେ ପଦଟିଏ ମୁହଁ ଖୋଲିଲା ନାହିଁ । ପୁରୁଷଟିଏ ମୁଁ । ଲୋପାମୁଦ୍ରା ସାମ୍ନାରେ ଏତେ ଦୁର୍ବଳ କେମିତି ହୋଇ ପାରିଥାନ୍ତି ! ମୋ ଆଖିର ଲୁହକୁ କେମିତି ଉନ୍ମୁକ୍ତ ହେବାକୁ ଦେଇଥାନ୍ତି ! ଲୋପାମୁଦ୍ରା ବେଶ୍ ଦମ୍ଭରେ ସେତକ କହିଦେଇ ମୁହଁ ଫେରାଇ ଚାଲିଗଲା । ସେଇ ଯେ ଗଲା ଆଉ ଦେଖା ହୋଇନାହିଁ ଲୋପାମୁଦ୍ରା ସହ । କେବଳ ମଝିରେ ମଝିରେ କେବେ କେମିତି ଫୋନ୍ କରିଦିଏ ପଚାରିଦେବାକୁ ଚିରାଚରିତ କିଛି କଥା । ମୋ ଆଡୁ ଫୋନ୍ ଆସିଥିବା ନମ୍ବରକୁ ଡାଏଲ୍ କଲେ କୌଣସି ପି.ସି.ଓ ଅପରେଟର୍ ଫୋନ୍ ରିସିଭ୍ କରେ । ମୋତେ ଲାଗେ, ତା ଭାଇର ଲ୍ୟାଣ୍ଡ୍ ଲାଇନ୍ ନମ୍ବର ନ ଦେଇ ଲୋପାମୁଦ୍ରା ମୋ ଭାବନା ଓ ଆବେଗ ସହ ଖେଳୁଛି । ପ୍ରତିଥର ତାର ସ୍ଥାୟୀ ଫୋନ୍ ନମ୍ବର ଦେବା କଥା କହିଲେ ସେ କିଛି ନା କିଛି ବାହାନା କରେ । ଭାଇ ଆମ କଥା ଜାଣିନାହାନ୍ତି, ଜାଣିଲେ ଭାରି ରାଗିବେ। ମୁଁ ସୁବିଧା ଦେଖି ଦିନେ ଭାଇଙ୍କୁ କହେ, ତାପରେ ଯାଇ କଥା । ଧୀରେ ଧୀରେ ଫୋନ୍ କରିବାର ବ୍ୟବଧାନ ବଢ଼ି ବଢ଼ି ଚାଲେ । ବେଳେ ବେଳେ ଅଧାରୁ ଫୋନ୍ କାଟି ଦିଏ । ପଚାରିଲେ କହେ, ମୁଁ ଟିକେ ପଢ଼ାପଢ଼ିରେ ବ୍ୟସ୍ତ । ଏମିତି ହେଉ ହେଉ ମୋ ହୃଦୟର ଅଭିମାନ କଥାବାର୍ତ୍ତାରେ ଫୁଟି ଉଠିଲା । ମୁଁ ନିଜକୁ ସମ୍ଭାଳି ନ ପାରି ଅନେକ କିଛି ରୋକ୍ ଠୋକ୍ ଶୁଣାଇ ଦେଲି ଲୋପାମୁଦ୍ରାକୁ ।

– ତମ ଭଳି ପଥର ହୃଦୟାକୁ ଭଲ ପାଇ ମୁଁ ଜୀବନରେ ସବୁଠାରୁ ବଡ଼ ଭୁଲ୍ କରି ବସିଛି ଲୋପା । କେମିତି ତମେ ଏତେ ନିର୍ଦ୍ଦୟ ହୋଇପାରୁଛ ? ତମର ପଢ଼ାପଢ଼ି ମୋ ଅପେକ୍ଷା କେବେ ଠାରୁ ତମ ପାଇଁ ଅଧିକ ହୋଇଗଲା ଶୁଣେ । ତମ ହୃଦୟରେ ସତରେ ଯଦି ମୋ ପ୍ରତି ଭଲ ପାଇବା ଥାନ୍ତା, ତାହେଲେ ଏ କଲେଜ୍ ଛାଡ଼ି ତମେ କେବେ ବି ଯାଇନଥାନ୍ତ । ମୋତେ ତ ଏବେ ସନ୍ଦେହ ଲାଗୁଛି, ଦିଲ୍ଲୀ ଯିବା ପ୍ରସ୍ତାବ ତମ ଭାଇଙ୍କର ଥିଲା କି ତମର ଥିଲା । ତମେ ଜାଣିଶୁଣି ମୋ ଠାରୁ ଦୂରେଇ ଯିବାର ପ୍ରୟାସ…

ମୋର ବାକ୍ୟ ସମ୍ପୂର୍ଣ୍ଣ କରିବାକୁ ନ ଦେଇ ଲୋପାମୁଦ୍ରା ଫୋନ୍ କାଟି ଦେଇଥିଲା ।

ତା ପରଠାରୁ ଆଉ କେବେ ଲୋପାମୁଦ୍ରା ଫୋନ୍ କରି ନ ଥିଲା । ବିତି ଯାଇଥିଲା ଅନେକ ଦିନ ।

ଇତି ମଧ୍ୟରେ ମୋର ଜର୍ଣ୍ଣାଲିଜମ୍ ସରିଥିଲା । ସେଦିନ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ପାଖରେ ଦେଖା ହୋଇଗଲେ ତ୍ରିପାଠୀ ସାର୍ । କଥାବାର୍ତ୍ତା ଭିତରେ ଜଣା ପଡ଼ିଲା ସେ ଗତ ବର୍ଷ ରିଟାୟର୍ କରିଛନ୍ତି ଅଧ୍ୟାପନାରୁ । କହିଲେ, କୋରାପୁଟ୍ ଆସ । ମୁଁ ଏବେ ସେଇଠି ରହୁଛି । ତମ ଜର୍ଣ୍ଣାଲିଜମ୍ ପାଇଁ ତା ଠାରୁ ବେଟେର୍ ପ୍ଳେସ୍ ଆଉ ପାଇବ ନାହିଁ । ତାଙ୍କର ସେ ଅଫର୍ ଏତେ ଦିନର ମୋର ଭାରାକ୍ରାନ୍ତ ମନକୁ କିଛିଟା ଉଶ୍ୱାସ କରିଦେଲା । ମୁଁ ନିର୍ଣ୍ଣୟ ନେଲି, ଲୋପାମୁଦ୍ରାକୁ ଭୁଲିବାକୁ ହେଲେ ତାର ସ୍ମୃତି ସ୍ମାରକ ବହନ କରୁଥିବା ଏ ସହର, ଏ ସ୍ଥାନ ମୋତେ ଅତି ଶୀଘ୍ର ଛାଡ଼ିବାକୁ ହେବ । ମୋର ଚେଞ୍ଜ୍ ଦରକାର ଥିଲା ।

ଲୋପାମୁଦ୍ରାର ଖବର ପରୋକ୍ଷ ଭାବରେ ମୁଁ ପାଏ ଶ୍ରୀୟା ଠାରୁ । ଶ୍ରୀୟା ତା ଆଡୁ ଜଣାଏ ଲୋପାମୁଦ୍ରାର କଥା । ଦିଲ୍ଲୀର କେଉଁ ଏକ କମ୍ପାନୀରେ ଜବ୍ କରୁଛି ଲୋପା । ଖୁବ୍ ଭଲରେ ଅଛି । ମୁଁ ଶ୍ରୀୟାକୁ ପଚାରିପାରେନି, ମୋତେ ନେଇ ଲୋପାମୁଦ୍ରାର ଅଭିପ୍ରାୟ କଣ ? ଥରେ ଥରେ ଖୁବ୍ ଏକ ଗୋପନୀୟ ଇଚ୍ଛା ଉଙ୍କି ମାରେ ମନର ପରଦା ଠେଲି । ମନ ହୁଏ ଶ୍ରୀୟାକୁ ଠିକଣା ପଚାରି ପହଞ୍ଚିଯାନ୍ତି ଦିଲ୍ଲୀରେ, ଲୋପାମୁଦ୍ରାକୁ ଦେଖିବା ଆଶାରେ । କିନ୍ତୁ ପର ମୁହୁର୍ତ୍ତରେ ମୋ ଅହଂ ମୋର ଇଚ୍ଛା, ଅଭିଳାଷର କଣ୍ଠରୋଧ କରି ଠିଆ ହୁଏ । ଭାଙ୍ଗିଯାଏ ମନ ଚୁର୍ ଚୁର୍ ହୋଇ କାଚଖଣ୍ଡଟିଏ ପରି । ସେଇ ଭଙ୍ଗା ମନର ଆଇନାରେ ଲୋପାମୁଦ୍ରାର ଚେହେରା ଶତ ଗୁଣ ହୋଇ ଝଲସେ । ଏତେ ଟିକିଏ ବି କାଢ଼ି ଫୋପାଡ଼ି ପାରେନି ଲୋପାମୁଦ୍ରାର ସ୍ମୃତି ମନର ବଳୟରୁ ।

ତା’ପରେ

ଲୋକପ୍ରିୟ ଲେଖା

To Top