ବ୍ୟଙ୍ଗଗଳ୍ପ

ଅବତାର

Manmath Kumar Dalei's odia comic story Abataara

ହଁ ତୁମ୍ଭେ ଠିକ କହିଛ ପ୍ରିୟେ । ତୁମ୍ଭେ ଜାଣି ପାରୁନାହଁ ଏହା ସମ୍ପୂର୍ଣ ସତ୍ୟ, ଏହାର ମଧ୍ୟ କାରଣ ଅଛି

ଅବତାର

ଭଗବାନ ବିଷ୍ଣୁ ମହୋଦଧିର ଅତଳ ଗର୍ଭରେ ଅନନ୍ତ ନାଗ ଉପରେ ବିଶ୍ରାମ ନେଉଥାନ୍ତି ଏବଂ ମାତା ଲକ୍ଷ୍ମୀ ପଦ ପ୍ରଖ୍ୟାଳନ କରୁଥାନ୍ତି । ଏହି ସମୟରେ ମାତା ଲକ୍ଷ୍ମୀ ଉତ୍ସାହ ପୂର୍ବକ ପ୍ରଶ୍ନ କଲେ, “ପ୍ରଭୁ । ଆପଣ କଳିଯୁଗରେ କଳ୍କୀ ଅବତାର ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏ ପର୍ଯ୍ୟନ୍ତ ଗ୍ରହଣ କଲେ ନାହିଁ ?”

ପ୍ରଭୁ ଉତ୍ତର ଦେଲେ, “ ପ୍ରିୟେ । ଅବତାର ଗ୍ରହଣ କରି ସାରିଛି, କିନ୍ତୁ ଏହା ଗୁପ୍ତ ରଖିଛି । ଠିକଣା ସମୟରେ ତୁମେ ସ୍ୱୟଂ ବୁଝି ପାରିବ ।”

“ତେବେ ଏହି ଘୋର କଳିଯୁଗର ରାକ୍ଷସଟି କିଏ ଆମ୍ଭକୁ ଜଣେଇ ପାରିବେ କି ?” ବଡ ଉତ୍ସୁକ ହୋଇ ମାତା ଲକ୍ଷ୍ମୀ ପଚାରିଲେ ।

“ଲକ୍ଷ ଲକ୍ଷ ପାପୀ ଅଛନ୍ତି ପ୍ରିୟେ, ଜଣଙ୍କର ନାମ କହିବା ଅତ୍ୟନ୍ତ କଷ୍ଟକର ବ୍ୟାପାର” ଭଗବାନ ବିଷ୍ଣୁ ଶାନ୍ତ ଚିତ୍ତରେ ସ୍ମିତ ହାସ୍ୟ ପୂର୍ବକ ଉତ୍ତର ଦେଲେ ।

“ପ୍ରଭୁ । ଏସବୁ ଆପଣ କେମିତି ଜାଣି ପାରୁଛନ୍ତି, କାହିଁ ମୁଁ ଏହାର କୌଣସି ଅଭାସ ପାଇ ପାରୁ ନାହିଁ” ମାତା ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

“ ହଁ ତୁମ୍ଭେ ଠିକ କହିଛ ପ୍ରିୟେ । ତୁମ୍ଭେ ଜାଣି ପାରୁନାହଁ ଏହା ସମ୍ପୂର୍ଣ ସତ୍ୟ, ଏହାର ମଧ୍ୟ କାରଣ ଅଛି” ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କର ଆଗ୍ରହ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ ଅତି ଚତୁରତାର ସହିତ ଉତ୍ତର ଦେଲେ ।

“ କି କାରଣ ପ୍ରଭୁ” ମାତା ଆଗ୍ରହ ପୂର୍ବକ ଅପଲକ ନୟନରେ ପଚାରିଲେ ।

“ କାରଣ ଅତି ସ୍ପଷ୍ଟ ପ୍ରିୟେ । ଆମ୍ଭେ ଜ୍ୟେଷ୍ଠ ଭ୍ରାତା ଏବଂ କନିଷ୍ଠ ଭଗିନୀଙ୍କୁ ସାଥିରେ ଧରି ପ୍ରତି ବର୍ଷ ରଥଯାତ୍ରାରେ ମାଉସୀ ମାଆଙ୍କ ପାଖକୁ ଯାଉ ଏବଂ ଭକ୍ତବୃନ୍ଦଙ୍କୁ ଦର୍ଶନ ଦେଉ, ସେତେବେଳେ ତୁମ୍ଭେ ଏକୁଟିଆ ଶ୍ରୀମନ୍ଦିରରେ ବିରାଜମାନ କରିଥାଅ ।” ପ୍ରଭୁ ହସି ହସି ଉତ୍ତର ଦେଲେ ।

“ ହେ ଜଗତ ଠାକୁର । ରଥଯାତ୍ରାରେ ଭକ୍ତବୃନ୍ଦଙ୍କର ସମାଗମ ଘଟେ, ପାପୀମାନଙ୍କର ନୁହେଁ । ହେଲେ ଆପଣ ଭକ୍ତ ଗହଣରୁ ପାପୀମାନଙ୍କୁ କେମିତି ଚିହ୍ନଟ କଲେ ।” କୌତୁହଳ ପୂର୍ବକ ମାତା ଲକ୍ଷ୍ମୀ ପଚାରିଲେ ।

“ ହେ ପ୍ରାଣ ପ୍ରିୟେ । ଅନ୍ଧାର ଆଲୋକର, ପାପ ପୁଣ୍ୟର, ଧର୍ମ ଅଧର୍ମର ତଥା ସୁଖ ଦୁଃଖର ସନ୍ଧାନ ଯୁଗେ ଯୁଗେ ଦେଇ ଆସିଛି । ପ୍ରିୟେ, ଠିକ୍‌ ସେହିପରି ଏହି ଭକ୍ତମାନେ ପାପୀମାନଙ୍କର ସନ୍ଧାନ ଦିଅନ୍ତି ।” ଭଗବାନ ହସି ହସି ଉତ୍ତର ଦେଲେ ।

“ହେ ପ୍ରଭୁ ଅନ୍ତର୍ଯ୍ୟାମୀ, ଆପଣ ତ ଅନ୍ତର କଥା ଜାଣି ପାରନ୍ତି । କଥାକୁ ଏପରି ବୁଲେଇ ବଙ୍କେଇ ଅଯଥା ଜଟିଳ ନ କରି ଦୟାକରି ଖୋଲିକରି କୁହନ୍ତୁ ଏବଂ ଆମ୍ଭର ସନ୍ଦେହ ଦୂର କରନ୍ତୁ । ରଥଯାତ୍ରାରୁ କିପରି ପାପୀ ଚିହ୍ନଟ ହୁଏ ଏହା ମୁଁ ବୁଝି ପାରୁନାହିଁ । ସରଳ ଭାବରେ ବୁଝେଇ ଦିଅନ୍ତୁ ପ୍ରଭୁ ।” ମାତା ଲକ୍ଷ୍ମୀ ଅତ୍ୟନ୍ତ ଉତ୍କଣ୍ଠାର ସହିତ ପ୍ରଶ୍ନ କଲେ ।

“ ପ୍ରିୟେ, ଏହା ଅତ୍ୟନ୍ତ ଗମ୍ଭୀର ବିଷୟ । ବିଗତ କିଛି ଦଶନ୍ଧି ହେବ ରଥଯାତ୍ରାର ଦର୍ଶକ ସଂଖ୍ୟା ଅତ୍ୟନ୍ତ ହ୍ରାସ ପାଇବାରେ ଲାଗିଛି । ଯେତେବେଳେ ମୋର ପ୍ରିୟ ଭାରତ ବର୍ଷର ଜନସଂଖ୍ୟା ୮୦ କୋଟି ଥିଲା, ସେତେବେଳେ ରଥଯାତ୍ରାରେ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଦର୍ଶକ ଭାଗ ନେଉଥିଲେ । କିନ୍ତୁ ଅଧୁନା ଏହି ଜନସଂଖ୍ୟା ୧୩୦ କୋଟିରୁ ଅଧିକ ହେବ, ଅଥଚ ରଥଯାତ୍ରାର ଦର୍ଶକ ୧୩ଲକ୍ଷରୁ ମଧ୍ୟ କମ୍‌ । କ୍ରମାଗତ ଭାବରେ ଏହା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । କଳିର କବଳରେ ସମ୍ପୂର୍ଣ ବିଶ୍ୱ କରାୟତ । ଚାରିଆଡେ ହାହାକାର । ଏହାହିଁ ମୋତେ ବ୍ୟଥିତ କରିଛି, ପ୍ରତି ମୂହୁର୍ତ୍ତରେ କଷ୍ଟ ଦେଉଛି । ପାପୀମାନଙ୍କର ଭାର ବହନ କରିବାରେ ଅନନ୍ତ ନାଗ ଅସମର୍ଥ ହୋଇ ପଡୁଛି । ସେଥିପାଇଁ ମୁଁ ଅବତାର ଗ୍ରହଣ କରିବାକୁ ବାଧ୍ୟ ହେଲି ।” ଭଗବାନ ବ୍ୟଥିତ କଣ୍ଠରେ ଉତ୍ତର ଦେଲେ ।

“ ହେ ବିଶ୍ୱନିଅନ୍ତା, ଏବେ ସବୁକିଛି ସ୍ପଷ୍ଟ ବୁଝିହେଲା । ବାସ୍ତବିକ ଏହା ଚିନ୍ତାର ବିଷୟ । ତେବେ ଆପଣଙ୍କ କହିବା ଅନୁସାରେ ଯେଉଁମାନେ ଶ୍ରୀକ୍ଷେତ୍ରର ରଥଯାତ୍ରାରେ ଭାଗ ନେଉ ନାହାନ୍ତି ସେମାନେ ତାହାହେଲେ ସମସ୍ତେ ପାପୀ ? ଏହା କିନ୍ତୁ ଠିକ ନୁହେଁ ପ୍ରଭୁ, ହୁଏତ ସେମାନେ ଏମିତି ଭିଡକୁ ପସନ୍ଦ କରୁ ନ ଥିବେ କିମ୍ବା ଅନ୍ୟ କିଛି କାରଣ ଥାଇପାରେ । ପ୍ରଭୁ, ଆପଣ ପରା ଭକ୍ତର ଭଗବାନ । ଶବରୀର କୁଟୀରରେ ସ୍ୱୟଂ ପଦାର୍ପଣ କରି ତା ଅଇଁଠା କୋଳି ଖାଇଥିଲେ । ଭକ୍ତ ପ୍ରହ୍ଲାଦକୁ ଉଦ୍ଧାର କରିବା ପାଇଁ ତା ରାଜପ୍ରାସାଦର ଖମ୍ବରେ ବିରାଜମାନ କରି ନରସିଂହ ରୂପ ଧାରଣ କରିଥିଲେ । ଭକ୍ତର ମାନ ରଖିବା ପାଇଁ ବାଲୁକା ରଥରେ ବିରାଜମାନ କରିଥିଲେ । ଦ୍ରୌପଦୀଙ୍କ ମାନ ରକ୍ଷା ପାଇଁ କୋଟି ବସ୍ତ୍ର ପ୍ରଦାନ କରିଥିଲେ । ତେବେ ଆପଣ କେମିତି ନିଶ୍ଚିତ ହେଲେ ଯେ ରଥଯାତ୍ରାକୁ ଆସୁ ନ ଥିବା ବ୍ୟକ୍ତି ପାପୀ ବୋଲି ।” ମାତା ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

“ ପ୍ରିୟେ, ଏହି ବିଶ୍ୱ ବ୍ରହ୍ମାଣ୍ଡ ମୋର ସୃଷ୍ଟି । ସମସ୍ତ ସ୍ଥାବର ଜଙ୍ଗମ, କୀଟପତଙ୍ଗ, ଗଛଲତା ଏବଂ ଜୀବଜନ୍ତୁଙ୍କର ମୁଁ ସୃଷ୍ଟିକର୍ତ୍ତା । ମୁଁ ବିଷ୍ନୁ, ମୁଁ ରାମ, ମୁଁ ଯିଶୁ, ମୁଁ ମହମ୍ମଦ ଏବଂ ମୁହିଁ ବୁଦ୍ଧ । ଜାତି, ଧର୍ମ, ବର୍ଣ୍ଣ , ଭାଷା ନିର୍ବିଶେଷରେ ମୁଁ ସମସ୍ତଙ୍କର ଭଗବାନ । ତେଣୁ ଏହି ବିଶ୍ୱ ସମୁଦାୟକୁ ରକ୍ଷା କରିବା ମୋର ଧର୍ମ । ଅନ୍ନହାଣ୍ଡିରୁ କେବଳ ଗୋଟିଏ ଅନ୍ନ ଯେପରି ସମଗ୍ର ହାଣ୍ଡିଯାକର ଅନ୍ନର ଅବସ୍ଥା ଜାଣିବା ପାଇଁ ଯଥେଷ୍ଟ ଠିକ୍‌ ସେହିପରି ଏହି ବିଶ୍ୱବ୍ରହ୍ମାଣ୍ଡ ରୁପକ ଅନ୍ନହାଣ୍ଡିର ସ୍ଥିତି ଶ୍ରୀକ୍ଷେତ୍ର ଧାମର ରଥଯାତ୍ରା ରୁପକ ଅନ୍ନ ନିର୍ଣ୍ଣାୟକ ଅଟେ ” ଭଗବାନ ଭାବବିହ୍ୱଳ ହୋଇ ଉତ୍ତର ଦେଲେ ।

ସ୍ମିତହାସ୍ୟ ପୂର୍ବକ ମାଆ ଲକ୍ଷ୍ମୀ ଠାକୁରାଣୀ ମୁଣ୍ଡ ଟୁଙ୍ଗାରି ବଡ ଆଗ୍ରହରେ ପଚାରିଲେ, “ ପ୍ରଭୁ, ଏଥର ସବୁକିଛି ବୁଝି ହେଲା । ତେବେ ଏହାର ଉପାୟ କଣ ?”

ମାଆ ଲକ୍ଷ୍ମୀଙ୍କର ସନ୍ଦେହ ଆଉ ଆଗକୁ ନ ବଢେଇ ପ୍ରଭୁ କହିଲେ, “ ଅଛି ଉପାୟ ଅଛି । କେବଳ ଏଇଥିପାଇଁ ତ ମୁଁ ଯୁଗେ ଯୁଗେ ଅବତାର ଗ୍ରହଣ କରେ । କେତେବେଳେ ରାମ, ତ କେତେବେଳେ ପର୍ଶୁରାମ, କେତେବେଳେ କୃଷ୍ଣ ତ କେତେବେଳେ ନରସିଂହ, କେତେବେଳେ ମତ୍ସ୍ୟ ତ କେତେବେଳେ ବରାହ, ଆଉ ବର୍ତ୍ତମାନ କରୋନା ଅବତାର । ସତ୍ୟ, ତ୍ରେତୟା ଏବଂ ଦ୍ୱାପର ଯୁଗରେ ପାପୀମାନଙ୍କର ସଂଖ୍ୟା ହାତ ଗଣତିରେ ସୀମିତ ଥିଲା, କିନ୍ତୁ କଳିଯୁଗରେ ଏହା କଳ୍ପନା ବାହାରେ । ପ୍ରିୟେ, ତେଣୁ ମୁଁ ମହାମାରୀ କରୋନା ଭୁତାଣୁ ରୂପରେ କଳ୍କୀ ଅବତାର ଗ୍ରହଣ କରି ସାରିଛି । ଲକ୍ଷ ଲକ୍ଷ ପାପୀଙ୍କୁ ସଂହାର କରିବା ପାଇଁ ରାମ କିମ୍ବା କୃଷ୍ଣ ଅବତାର ଯଥେଷ୍ଟ ନୁହେଁ, ସେଥିପାଇଁ ମୋର ଏହି କରୋନା ଅବତାର । ବାର ହାତ ଖଡ୍ଗ ଧରି ମୁଁ ସାରା ବିଶ୍ୱବ୍ରହ୍ମାଣ୍ଡରେ ପାପୀମାନଙ୍କୁ ନିପାତ କରିବା ଆରମ୍ଭ କରିସାରିଲିଣି ପ୍ରିୟେ ।”

“ସନ୍ଦେହ ବଢାଇଦେଲେ ପ୍ରଭୁ । ତାହାହେଲେ ଆପଣଙ୍କ କହିବା ମୁତାବକ ଯେଉଁମାନେ କରୋନାରେ ମୃତ୍ୟୁ ବରଣ କରୁଛନ୍ତି ସେମାନେ ତାହାହେଲେ ପାପୀ ? କିନ୍ତୁ ଏହାକୁ ମୁଁ ଗ୍ରହଣ କରି ପାରୁନାହିଁ ପ୍ରଭୁ ।” ମାତା ଲକ୍ଷ୍ମୀ ଶଙ୍କା ପ୍ରକଟ କରି ପଚାରିଲେ ।

ଅନ୍ତର୍ଯ୍ୟାମୀ କାଳ ବିଳମ୍ବ ନ କରି ହସି ହସି ଉତ୍ତର ଦେଲେ. “ ତ୍ରେତୟା ଯୁଗରେ ମୋର ପରମ ଭକ୍ତ ଜଟାୟୁର ନିଧନ ହେବା ସଙ୍ଗେ ସଙ୍ଗେ ଅସଂଖ୍ୟ ବାନର ଯୋଦ୍ଧାଙ୍କର ଅକାଳ ମୃତ୍ୟୁ ହୋଇଥିଲା । ଠିକ୍‌ ସେହିପରି ଦ୍ୱାପରର ମହାଭାରତ ଯୁଦ୍ଧରେ ଅଭିମନ୍ୟୁ, ବେଲାଳସେନ, ପିତାମହ ଭୀଷ୍ମ, ମହାବୀର କର୍ଣ୍ଣ, ଗୁରୁ ଦ୍ରୋଣାଚାର୍ଯ୍ୟ ଆଦି ମହାନ ଯୋଦ୍ଧା ମଧ୍ୟ କିଛି ପାପ ନ କରି ନିହତ ହୋଇଥିଲେ । ତେଣୁ ପ୍ରିୟେ ଏଥିରେ ଶଙ୍କା ପ୍ରକଟ କରିବାର କିଛି ନାହିଁ । କିନ୍ତୁ ଏମାନଙ୍କ ସଂଖ୍ୟା ନିମିତ୍ତ ମାତ୍ର, ଏହା ନିଃସନ୍ଦେହ । ଏହି ଯୋଦ୍ଧାମାନେ ମରି ସୁଦ୍ଧା ଯୁଗେ ଯୁଗେ ଅମର । କରୋନା ଯୁଦ୍ଧ ମଧ୍ୟ କିଛି ଏହି ପରି ।”

“ଧନ୍ୟ ଧନ୍ୟ ତୁମ୍ଭର ମହିମା ପ୍ରଭୁ, ଧନ୍ୟ ତୁମ୍ଭର ମହିମା” ଏତିକି କହି ମାତା ଲକ୍ଷ୍ମୀ ଅତ୍ୟନ୍ତ ଆନନ୍ଦ ସହକାରେ ପଦସେବାରେ ମନ ନିବେଶ କରିବାରେ ଲାଗିଲେ ।

ଲୋକପ୍ରିୟ ଲେଖା

To Top