ବ୍ୟଙ୍ଗଗଳ୍ପ

ତାଲାବନ୍ଦୀରେ ପ୍ରିୟତମା

Manmath Kumar Dalei's odia satire poem Taalaabandire Priyatamaa

ସ୍ମୃତିର ପାହାଚ ଚଢ଼ି ଥକିଗଲା ପରେ
ଲାଗେ ସତେ ଅବା ନୟନରୁ
ଉଡି ଯାଇଛି ଆଲୋକ ରୋଷଣୀ
ଛାତିତଳୁ ଖସି ପଡିଛି ବିଦୀର୍ଣ୍ଣ ହୃଦୟ ।

ତାଲାବନ୍ଦୀରେ ପ୍ରିୟତମା

କିଏ ସେହି ପ୍ରିୟତମା
ବନ୍ଦୀ ଆଜି ଏ ତାଲାବନ୍ଦୀରେ,
ଗୋଲାପୀ ଓଠରୁ ତା’ର
ଖସୁନାହିଁ ସୁନ୍ଦର ପାଖୁଡା,
ଝରୁନାହିଁ ମଧୁମୟ ସୁଧା,
ଛୁଟୁନାହିଁ ସ୍ୱର୍ଗୀୟ ମହକ,
ନିଅଣ୍ଟ ପଡୁଛି ଲୁହ
ଲେଖିବାକୁ ଛାତିତଳ ଦୁଃଖ,
ସ୍ମୃତିର ପାହାଚ ଚଢ଼ି ଥକିଗଲା ପରେ
ଲାଗେ ସତେ ଅବା ନୟନରୁ
ଉଡି ଯାଇଛି ଆଲୋକ ରୋଷଣୀ
ଛାତିତଳୁ ଖସି ପଡିଛି ବିଦୀର୍ଣ୍ଣ ହୃଦୟ ।

ଚାଆ ପିଆଲାର ମଧୂର ଚାଆରେ
କାଚ ଗିଲାସର ଶୀତଳ ଜଳରେ
ଗପ ବହିର ଜୀବନ୍ତ ଗପରେ
ବଗିଚାର ରଙ୍ଗୀନ ଫୁଲରେ
ଆଉ ଆକାଶର ସ୍ୱଚ୍ଛ ନୀଳିମାରେ
ଚତୁଃର୍ଦିଗ ଦୃଶ୍ୟ ହୁଏ ପ୍ରିୟତମ ମୂଖ
ତାଙ୍କ ସ୍ୱର ପରି ଶୁଭେ
ଭାତ ହାଣ୍ଡି ସିଂ ସିଂଗୀତ ।

ଚାରିଆଡେ ମହକୁଛି ପ୍ରିୟତମ ବାସ୍ନା,
ପ୍ରତିଟି ଶବଦ ଲାଗେ ପ୍ରିୟତମ ଭାଷା ।

ଭିଡିଓକଲିଂ, ଚାଟିଂ
ଅବା ହେଉ ଫୋନ୍‌ ବାର୍ତ୍ତାଳାପ
କେଉଁଥିରେ ବୁଝେ ନାହିଁ ମନ,
ବନ୍ଦିନୀର ଆତ୍ମକଥା ବଖାଣୁ ବଖାଣୁ
ଦୁଃଖର ନଈରେ ଭାସିଯାଏ ହୃଦୟ
ଛଟପଟ ହୁଏ ଏହି ପଞ୍ଚଭୂତ ଦେହ,
ଯନ୍ତ୍ରଟିଏ ସବୁବେଳେ ଯନ୍ତ୍ର
ସେ କାହୁଁ ବୁଝିବ ଆତ୍ମା
କାହୁଁ ଅବା ବୁଝିବ ସମ୍ପର୍କ
ସିଏ ପରା ଆଦେଶ ଅଧୀନ ।

ସବୁଦିନ ପରି ସାଥି
ସେଦିନ ବି ସ୍ୱପ୍ନରେ ଆସିଲ
ହାତେ ଧରି ଚକୋଲେଟ୍‌, ଆଇସକ୍ରିମ୍‌
ଆଉ ନାନା ଉପହାର,
ସ୍ୱପ୍ନରେ ହେଉ ପଛେ
ସେଦିନ ବହୁତ ଗପିଲେ,
ଉଡିଥିଲେ ଡେଣା ଝାଡ଼ି ଝାଡ଼ି
ଅମରାବତୀର ନନ୍ଦନ କାନନେ,
ଶେଷରେ ତୁମେ ବନ୍ଦୀ କରି ବାହୁ ବନ୍ଧନରେ
ଆଙ୍କିବାକୁ ଗଲାବେଳେ ମଧୁର ଚୁମ୍ବନ,
ଭାଙ୍ଗିଗଲା ସ୍ଵପ୍ନ
ସେତେବେଳକୁ ଜହ୍ନ ଆଉ ତାରାମାନେ
ଲୁଚି ସାରିଥିଲେ ଆକାଶର ହିଡ଼ ତଳେ ତଳେ ।

ଯେଉଁ ବୃକ୍ଷରେ ସେ
ପୁଷ୍ପଟିଏ ହୋଇ ଫୁଟିଥିଲା ଦିନେ
ତା ଛାଇରେ ସେ ଦେଖିଅଛି ସ୍ୱର୍ଗ,
ବାପାଙ୍କ ସେନେହ ଅନନ୍ତ ଆକାଶ
ମାଆର ମମତା ଗଭୀର ସାଗର
ଗେଲବସରର ଝିଅ, ଜିନ୍ସ ଟି-ସାର୍ଟରେ
କଟିଛି ଜୀବନ,
ପିଜା ବର୍ଗର ଚାଓମିନ ନୁଡଲ୍ସରେ
ଗଢ଼ା ତା’ର ଶରୀର ସ୍ଥାପତ୍ୟ ।

ଏମାନେ ହେଲେ ଆଧୁନିକ ନାରୀ
ବୁଝନ୍ତିନି ସିନ୍ଦୁର ଚୁଡ଼ିର
ଗହନ ମହତ୍ୱ,
ବୁଝନ୍ତିନି ସତ୍ୟବାନ ସାବିତ୍ରୀଙ୍କ
କାହାଣୀ ବୃତ୍ତାନ୍ତ,
ନା ବୁଝନ୍ତି ସେମାନେ
“ମୋ ସ୍ୱାମୀ ମୋ ଦେବତା”ର
ଘୋଷା ପିଟା ପାଠ,
କିନ୍ତୁ ଏତିକି ନିଶ୍ଚୟ ବୁଝନ୍ତି
ସ୍ତ୍ରୀ ଅର୍ଦ୍ଧାଙ୍ଗିନୀ,
ଜଣେ ଭଲ ସାଥି, ଲାଇଫ ପାର୍ଟନର ।

ସେ ଯାହା ହେଉ
ତାଲାବନ୍ଦୀ ପାଇଁ ଗୋଟିଏ ନିୟମ
ସେ ଆଧୁନିକ ହେଉ କି ପୁରାତନ ।

ଭାଇ ତମେ କେଉଁଠି
ଦେଖିଛ କି ସେ ପ୍ରିୟତମାଟିକୁ
ଯିଏ ଦିନକୁ ଦଶଥର ହ୍ୱାଟ୍ସଆପ କରେ
“ହନି ଆଇ ମିସ ୟୁ” ।

ଲୋକପ୍ରିୟ ଲେଖା

To Top