ବ୍ୟଙ୍ଗଗଳ୍ପ

ବିଚରା ପତିଦେବ !

“ଉତ୍ତମ କଥା ! ୟେ ଭଦ୍ରଲୋକ କେବେଠୁଁ ତୁମର ହବି ହେଲେ ?” ମୁଁ ପଚାରିଲି ।

ବିଚରା ପତିଦେବ !

ଦିନେ ସଂଧ୍ୟାବେଳେ ରାଜଧାନୀର ଇନ୍ଦିରା ଉଦ୍ୟାନରେ (“ଉଦ୍ୟାନକୁ” ବିଜ୍ଞ ପାଠକମାନେ ହୁଏତ ହଠାତ୍ ବୁଝି ନ ପାରନ୍ତି, କିନ୍ତୁ ଏଇ ଅଧମ ଲେଖକ ଇଂରାଜୀରେ “ପାର୍କ”କୁ “ଉଦ୍ୟାନ”ରୂପେ ବ୍ୟବହାର କରିଛି) । ମୋ’ର ଜଣେ ସହପାଠିନୀଙ୍କ ସହିତ ବହୁଦିନ ପରେ ଦେଖାହେଲା । ସହପାଠିନୀ ଜଣେ ପ୍ରତିଷ୍ଟିତ କବିୟିତ୍ରୀ । ଏଇ “କବିୟିତ୍ରୀ” ଶବ୍ଦଟା ଠିକ୍ “କବିୟିତ୍ରୀ”, ନା “କବିୟତ୍ରୀ”, ନା “କବୟିତ୍ରୀ” ନା “କବୟତ୍ରୀ” – ଏଇ ଅଧମ ଲେଖକ ଜାଣେନାହିଁ । ଦୂରଦର୍ଶନ ଓ ଆକାଶବାଣୀ ସମେତ ବିଭିନ୍ନ କବିତା ପାଠୋତ୍ସବ, ସମ୍ୱାଦପତ୍ର ଓ ବିଭିନ୍ନ ସାହିତ୍ୟ ପତ୍ରିକା ମାନଙ୍କରେ ଏଇସବୁ ଶବ୍ଦରୁ କୌଣସି ନା କୌଣସିଟି ବ୍ୟବହାର ହେଉଥିବାର ସେ ଶୁଣିଛି ବା ପଢ଼ିଛି । ଯେମିତି ଦୂରଦର୍ଶନ ଓ ଆକାଶବାଣୀର ବିଜ୍ଞ ସମ୍ୱାଦ ପାଠକ/ପାଠିକାମାନଙ୍କର “ଜାମ୍ମୁ କାଶ୍ମୀର”କୁ “ଜମ୍ମୁ କଶ୍ମୀର” ଉଚ୍ଚାରଣ ଶୁଣି ଶୁଣି ସେ ଏବେ ସନ୍ଦୀହାନ ଯେ କେଉଁଟା ଠିକ୍ – “ଜାମ୍ମୁ କାଶ୍ମୀର” ନା “ଜମ୍ମୁ କଶ୍ମୀର” ।

ହଁ, ଏଥର ପାଠକମାନଙ୍କୁ ପୁଣି ସେଇ “କବିୟିତ୍ରୀ” ଇତ୍ୟାଦି ପ୍ରସଙ୍ଗକୁ ଫେରାଇ ଆଣୁଛି । “କବିୟିତ୍ରୀ” ଇତ୍ୟାଦି ଶବ୍ଦରୁ କେଉଁଟା ପ୍ରକୃତ ଠିକ୍ ଜାଣିବା ପାଇଁ ଏଇ ଅଧମ ତା’ ପାଖରେ ଥିବା ଓଡ଼ିଆ ଅଭିଧାନ ଓଲଟାଇଛି । କିନ୍ତୁ “କବି”ର ସ୍ତ୍ରୀଲିଙ୍ଗ ଶବ୍ଦ ସେ ପାଇନାହିଁ । ତେଣୁ “ଶିକ୍ଷକ”ର ସ୍ତ୍ରୀଲିଙ୍ଗ “ଶିକ୍ଷୟତ୍ରୀ” ଭାବରେ ଏଠାରେ “କବି”ର ସ୍ତ୍ରୀଲିଙ୍ଗ “କବିୟିତ୍ରୀ”କୁ ବ୍ୟବହାର କରୁଛି ।

ହଁ, ମୋର ସହପାଠିନୀ କବିୟିତ୍ରୀ ସୁଭାଷିନୀ ବହୁ ବର୍ଷ ପରେ ଆମର ପ୍ରଥମ ସାକ୍ଷାତରେ ତାଙ୍କ ସହିତ ଥିବା ବିନୀତ ଦିଶୁଥିବା ଜଣେ ଭଦ୍ରଲୋକଙ୍କୁ ପରିଚୟ କରାଇଦେଲେ । “ୟେ ମୋ ହବି ମିଷ୍ଟର !!!।’

“ଉତ୍ତମ କଥା ! ୟେ ଭଦ୍ରଲୋକ କେବେଠୁଁ ତୁମର ହବି ହେଲେ ?” ମୁଁ ପଚାରିଲି ।

“ହବି କେବେଠୁଁ ହେଲେମାନେ ?” ସେ ତୀକ୍ଷ୍ଣ ସ୍ୱରରେ ପଚାରିଲେ ।

“କବିତା ଲେଖିବା, ଗୀତ ଗାଇବା ଆଉ କ୍ୟାରମ୍ ଖେଳିବା; ତୁମ ହବି ବୋଲି ମୁଁ ଜାଣେ । ସେଇଥି ପାଇଁ !!! ।” “ତୁମେ କ’ଣ ହଜ୍‌ବ୍ୟାଣ୍ଡ୍ ମାନଙ୍କୁ ହବି କୁହାଯାଏ ବୋଲି ଜାଣନା ?” -ସେ କଥା ଛଡ଼ାଇ ନେଇ ପଚାରିଲେ । “ହଁ, ଜାଣେ । ଆଉ ୟା ମଧ୍ୟ ଜାଣେ ଯେ ‘ହବି’ ମାନେ ସଉକ । କ୍ଷମା କରିବେ” – ହସଟିଏ ହସି ଉତ୍ତର ଦେଲି ।

ସେ ମୋ ଉତ୍ତର ଶୁଣି ହଠାତ୍ ଚୁପ୍‌କରିଗଲେ ଓ ତାଙ୍କ ସହିତ ଥିବା ଭଦ୍ରଲୋକ ଆମୋଦିତ ହେଲା ଭଳି ଜଣାଗଲେ ।

ମୁଁ ଏଇଠି ତାଙ୍କ ହବି-ମାନେ, ସଉକ୍ ବିଷୟରେ ଟିକେ କୁହେ । ତାଙ୍କ ନାଁ ଯଦିଚ ସୁଭାଷିନୀ, ସେ “ସୁଭାଷିନୀ” ଆଦୌ ନୁହନ୍ତି – ଅନ୍ତତଃ ମୁଁ ଓ ମୋର ବନ୍ଧୁମାନଙ୍କ ମତରେ । କିନ୍ତୁ ମହାବିଦ୍ୟାଳୟରେ ସେ ଆମର ସହପାଠିନୀ ଥିଲାବେଳେ ଅଧିକାଂଶ ସମୟରେ ଏକାକୀ ଗୁଣୁ ଗୁଣୁ ହୋଇ ଗୀତ ଗାଇବା ଆମେ ଶୁଣିଛୁ । ସେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ କେବେ ଗୀତ ଗାଇବା ଅନ୍ତତଃ ମୁଁ ଜାଣେ ନାହିଁ । ଛାଡ଼ନ୍ତୁ ! “ସୁଭାଷିନୀ” ସହିତ ଗୀତ ଗାଇବାର ସମ୍ପର୍କ ବା କ’ଣ ? ନାଁରେ କ’ଣ ଅଛି ! ଆମ ଦେଶରେ ତ କଣାର ନାଁ ପଦ୍ମଲୋଚନ ଓ ଛୋଟାର ନାଁ ପଦ୍ମଚରଣ ବି ଦିଆଯାଇପାରେ । ଅବଶ୍ୟ କ୍ୟାରମ୍ ଖେଳିବା ତାଙ୍କର ଆଉ ଗୋଟିଏ ସଉକ୍ । କିନ୍ତୁ ମହାବିଦ୍ୟାଳୟର କ୍ୟାରମ୍ ପ୍ରତିଯୋଗିତାରେ ସେ କେବେ ପ୍ରଥମ ପାଦରୁ ଆଗକୁ ଯାଇନଥିଲେ । ବହୁଦିନରୁ କବିତା ଲେଖୁଥିବାରୁ ସେ ଜଣେ ପ୍ରତିଷ୍ଠିତା କବିୟିତ୍ରୀ । ଯଦିଚ କୌଣସି ରାଜ୍ୟସ୍ତରୀୟ ସ୍ୱୀକୃତ ପୁରସ୍କାର ଏଯାବତ୍ ପାଇନାହାନ୍ତି । ବୋଧହୁଏ ପୁରସ୍କାର ବିଚାରକ ମଣ୍ଡଳୀମାନେ ତାଙ୍କର ଅନ୍ଧଙ୍କ ହାତୀ ଦେଖା ବା ମୃତ୍ୟୁ ଚେତନା ସଂକଳିତ କବିତା ବୁଝିପାରି ନାହାନ୍ତି । ଯେମିତି ଏଇ ଅଧମ ଲେଖକ ମଧ୍ୟ ଏଯାବତ୍ ବୁଝିପାରି ନାହିଁ ।

ବିଜ୍ଞ ପାଠକମାନେ ! ଆପଣମାନଙ୍କୁ ଏ ଅଧମ ମୂଳ କଥାରୁ ବାରମ୍ୱାର ବିଚ୍ୟୁତ କରି ବିରକ୍ତ କରିସାରିଲାଣି । ସେଥିପାଇଁ ସେ କ୍ଷମା ଚାହୁଁଛି ।

ହଁ, “ହବି”ର ଅନ୍ୟ ଅର୍ଥ “ସଉକ୍” ବୋଲି ମୋ ଠାରୁ ଶୁଣି ସେ କ୍ଷଣେକାଳେ ଚୁପ୍ ରହିଗଲେ ସତ, କିନ୍ତୁ ଏଥର ବିଜୟଦର୍ପରେ ପଚାରିଲେ, ଆଚ୍ଛା, ମୁଁ ଯଦି ସେ ମୋ ହଜ୍‌ବ୍ୟାଣ୍ଡ୍ ବୋଲି କହିଥାନ୍ତି, ତା’ ହେଲେ ତୁମେ କ’ଣ କହିଥାନ୍ତ ?”

“ନା, କିଛି କହି ନ ଥାନ୍ତି, କେବଳ ପଚାରିଥାନ୍ତି ଯେ ୟାଙ୍କୁ କେବେ ଓ କେଉଁଠୁ ଅମଳ କଲ,” ମୁଁ ପୂର୍ବଭଳି ବିନୀତ ଭାବରେ ଉତ୍ତର ଦେଲି ।

ମୋର ସେଇ ସହପାଠିନୀ ସୁଭାଷିନୀ ହଠାତ୍ ରାଗରେ ଲାଲ୍ ପଡ଼ିଗଲେ । ତାଙ୍କ ସାଥୀ ଜଣକ ଏପର୍ଯ୍ୟନ୍ତ ଆମ କଥାବାର୍ତ୍ତାକୁ ଉପଭୋଗ କରୁଥିବା ଭଳି ମୋର ମନେ ହେଉଥିଲା, କିନ୍ତୁ ସେ ଏଇକ୍ଷଣି ନିଷ୍ପ୍ରଭ ଦେଖାଗଲେ ।

“ହଜ୍‌ବ୍ୟାଣ୍ଡ୍‌ମାନଙ୍କୁ କ’ଣ ଅମଳ କରାଯାଏ ?” ଟିକିଏ ପରେ ସୁଭାଷିନୀ ରୁକ୍ଷ ସ୍ୱରରେ ପଚାରିଲେ ।

“ଚେମ୍ୱରସ୍ ଡିକ୍ସିନାରୀରେ ହଜ୍‌ବ୍ୟାଣ୍ଡ୍‌ ମାନେ “ଚାଷ କରିବାକୁ” ବି କୁହାଯାଇଛି । ଆଉ ଫିଜିରାଲ୍‌ଡ୍ ବି ଓମାର ଖୟାମଙ୍କ ରୁବାୟତକୁ ଅନୁଦାନ କରିଛନ୍ତି – “ଏଣ୍ଡ୍ ଦୋଜ୍ ହୁ ହଜ୍‌ବ୍ୟାଣ୍ଡେଡ୍ ଦି ଗୋଲ୍‌ଡେନ୍ ଗ୍ରେନ୍ ।” ମୁଁ ଉତ୍ତର ଦେଲି । “ୟୁ ଇଡିଏଟ୍ ! ‘ହଜ୍ବ୍ୟାଣ୍ଡ୍’ମାନେ ସ୍ୱାମୀ ବୋଲି କ’ଣ ତୁମେ ଜାଣନା ?” ସେ ପ୍ରାୟ ଚିତ୍କାର କରି ପଚାରିଲେ ।

“କୋଉ ସ୍ୱାମୀ କଥା କହୁଚ – ଚନ୍ଦ୍ରାସ୍ୱାମୀ, ନା କୃଷ୍ଣସ୍ୱାମୀ ନା ସୁବ୍ରମଣ୍ୟମ୍ !!! ? ”

“ମୂର୍ଖ କୋଉଠିକାର ! ‘ସ୍ୱାମୀ’ ମାନେ ‘ପତିଦେବ’ ।” ସେ କଥା ଛଡ଼େଇ ନେଇ ଏଥର ସତକୁ ସତ ଚିତ୍କାର କଲେ । ତାଙ୍କ ଚିତ୍କାର ଶୁଣି ଅଦୂରରେ କୃଷ୍ଣଚୂଡ଼ା ମୂଳେ ଆଲିଙ୍ଗନ-ବଦ୍ଧ ଓ ଚୁମ୍ୱନ-ରତ ଦମ୍ପତ୍ତି, ହୁଏତ ପ୍ରେମିକ-ପ୍ରେମିକା ହୋଇପାରନ୍ତି, ଚମକି ପଡ଼ି ପରସ୍ପର ଠାରୁ ବିଚ୍ଛିନ୍ନ ହୋଇଗଲେ । ଉଦ୍ୟାନର ସରୁ ରାସ୍ତାରେ ଟହଲ ମାରି ଚଣା ଚୋବାଇ ଖୁସି ଗପ କରୁଥିବା ତିନିଜଣ କଲେଜ ଛାତ୍ରୀ ଥମକି ଯାଇ ଆମକୁ ବୁଲି ଚାହିଁଲେ ଓ ଏଇ ଯୁବତୀମାନଙ୍କୁ କମେଣ୍ଟ୍ ମାରୁଥିବା ଦିଜଣ ଫ୍ରେଞ୍ଚକଟ୍ ଦାଦା ଆମ ଆଡ଼କୁ ଉହୁଙ୍କି ଆସୁ ଆସୁ ଅଟକି ଗଲେ ।

“ଓଃ, ତା’ହେଲେ ସେ ତୁମ ପତିଦେବ ।” ସବୁକିଛି ଦେଖି ନ ଦେଖିଲା ଭଳି ପୂର୍ବ ଭଳି ବିନୀତ ଭାବରେ ହାତ ମଳି ମଳି ଉତ୍ତର ଦେଲି । ସହପାଠିନୀ ରାଗରେ ଥରି ଥରି ସମ୍ପୂର୍ଣ୍ଣ ଝାଉଁଳି ପଡ଼ିଥିବା ପତିଦେବଙ୍କ ବାହାକୁ ଝିଙ୍କି ଉଦ୍ୟାନରୁ ଦ୍ରୁତ ପଦକ୍ଷେପରେ ନିଷ୍କ୍ରାନ୍ତ ହେଲେ ।

ଲୋକପ୍ରିୟ ଲେଖା

To Top