ବ୍ୟଙ୍ଗଗଳ୍ପ

ନିର୍ମୂଳୀ

ସମୟ ଓ ପରିବେଶ ବେରସିକକୁ ବି ରସିକ, କବିକୁ ଅକବି ଓ ଭଦ୍ରଲୋକକୁ ବେହିଆ କରିଦିଏ ।

ନିର୍ମୂଳୀ

ପଚିଶି …ଛବିଶି …ସତେଇଶି…ତିରିଶି…।

ସୁର ହାତଘଣ୍ଟା ଉପରୁ ଦୃଷ୍ଟି ଫେରାଇ ପତ୍ରିକାକୁ ଚାହିଁଲା ତା’ପରେ ପାଖରେ ବସି ପତ୍ରିକା ପଢ଼ୁଥିବା ଲୋକଟିକୁ ।

ପୁରା ତିରିଶମିନିଟ୍ ହୋଇଗଲା, ଲୋକଟି ପତ୍ରିକାରେ ବେଶ ମଜ୍ଜି ଯାଇଛି । ପ୍ରଥମେ ତ ଖୁବ ଭଦ୍ର ମନେହେଉଥିଲା – ଭିତରପାଖ କଡ଼ ସିଟ୍ଟା ଛାଡ଼ିଦେଇ ମଝିସିଟ୍‌କୁ ଘୁଞ୍ଚିଗଲାବେଳେ, ଅଥଚ ଅଧଘଣ୍ଟା ହେଲା ପତ୍ରିକାଟି ମାଗିନେଇ ଫେରାଇବାକୁ ଟିକେ ତାକୁ ଲାଜ ବି ମାଡ଼ୁ ନାହିଁ ।

ସୁରର ବେଶୀ କ୍ଷୋଭ ହେଲା, ନିଜ ଉପରେ-କାହିଁକି ସେ ହଠାତ୍ ଆଟାଚି ଭିତରୁ ପତ୍ରିକାଟି ବାହାରକଲା ! କଣ୍ଡକ୍ଟର ଟିକେଟ୍ କରିସାରିବା ପରେ ତ ସେ ପତ୍ରିକାଟା ବାହାର କରିପାରିଥା’ନ୍ତା । ତା’ର ଏଇ ତରବରିଆ ଗୁଣ ଯୋଗୁଁ ଅନେକ ଜାଗାରେ ଠକିଲେ ବି ସେ ତା’ର ଅଭ୍ୟାସଟା ଛାଡ଼ି ପାରିନାହିଁ । ଯାହାକୁ କହନ୍ତି- ପ୍ରକୃତି ନୈବ ମୁଚ୍ୟତେ । ଏଇ ଲୋକଟାର ବି ସେମିତି ପତ୍ରିକା ମାଗିନେଇ ପଢ଼ିବା ଅଭ୍ୟାସ ହୋଇଥିବ । ଆଉ ଲୋକଟା ବି ନିହାତି ନିର୍ଲ୍ଲଜ ହୋଇଥିବ ।

ସୁର ବସ୍‌କୁ ଉଠି ଆଟାଚିଟା ଉପର ଥାକରେ ରଖି ପତ୍ରିକାଟି କାଢ଼ି ପାଖରେ ରଖି ଚଷମାର କାଚ ପୋଛୁଥିଲା ବେଳେ କଣ୍ଡକ୍ଟର ଟିକଟ ପାଇଁ ପଇସା ମାଗିଲା । କଣ୍ଡକ୍ଟରକୁ ଟିକଟ ପାଇଁ ପଇସା ଦେବା ଅବସ୍ଥାରେ ଭଦ୍ରଲୋକ ପତ୍ରିକାଟା ବଡ଼ ବିନୟ ସହକାରେ ମାଗିଲେ । ସୁର ପତ୍ରିକାଟା ଦେବାକୁ ମନା କରି ପାରିନଥିଲା, କାରଣ ଭଦ୍ରଲୋକ କଡ଼ସିଟ୍ ତାକୁ ଛାଡ଼ିଦେଇ ମଝିସିଟ୍‌କୁ ଘୁଞ୍ଚି ଯାଇଥିଲେ । ସୁର ଭାବିଥିଲା, ଭଦ୍ରଲୋକ ପତ୍ରିକାଟି ଖେଳାଇ ଦେଖି ପାଞ୍ଚ ମିନିଟ୍ ଭିତରେ ଫେରାଇ ଦେବେ ।

ସୁର ପୁଣି ଥରେ ହାତଘଣ୍ଟା ଦେଖିଲା- ପଇଁତିରିଶ ମିନିଟ୍ ହୋଇଗଲା । ଲୋକଟା ବସନ୍ତ ଶତ୍‌ପଥୀର ଗପଟା ଶେଷ କରି ପୁଣି ଧୀରେ ସୁସ୍ଥେ ପୃଷ୍ଠା ଲେଉଟାଉଛି । ପୃଷ୍ଠା ଲେଉଟାଇଲା ବେଳେ ପୃଷ୍ଠା ଉପରେ ଟିକେ ଆଖି ବୁଲେଇ ନେଉଛି ।

ସୁର ହିସାବ କଲା-ପୃଷ୍ଠା ପିଚ୍ଛା ଯଦି ଦଶ ପନ୍ଦର ସେକେଣ୍ଡ୍ ନିଏ ଆହୁରି ଦୁଇଶହ ପୃଷ୍ଠା ଖେଳାଇବାକୁ ଅନ୍ତତଃ ଅଢେ଼ଇ ହଜାର ସେକେଣ୍ଡ, ମାନେ ଚାଳିଶି ମିନିଟ୍‌ରୁ ବେଶୀ । ତା’ ହେଲେ ସେ ଆଉ ପତ୍ରିକାଟା ପଢ଼ିବ କେତେବେଳେ !

ସୁର ଚଷମାଟାକୁ ଆଖିରୁ ବାହାର କରି ଖୋଳରେ ପୂରେଇ ଛାତି ପକେଟ୍‌ରେ ରଖିଲା ।

ପନ୍ଦର ଟଙ୍କା ଦେଇ ପୂଜା ସଂଖ୍ୟାଟା କିଣିବାର ପନ୍ଦର ଦିନ ହୋଇଗଲା । ଖାଲି ସୂଚୀପତ୍ରକୁ ଛାଡ଼ିଦେଲେ ପତ୍ରିକାର ପନ୍ଦରଟା ଧାଡ଼ିବି ପଢ଼ିନାହିଁ ସେ । ଭାବିଥିଲା ଆଜି ଭୂବନେଶ୍ୱର ଯାଉଣୁ ଆସୁଣୁ ଛଅଘଣ୍ଟା ଭିତରେ ଅନ୍ତତଃ ପତ୍ରିକାଟା ଅଧେ ପଢ଼ିନେବ । ହେଲେ ଏ ଲୋକଟା ବୁଝୁନାହିଁ କେମିତି ଯେ -“ତିନିଶହ ପୃଷ୍ଠା ଓ ଅଢେ଼ଇଶହ ଗ୍ରାମ୍ ଓଜନର ପତ୍ରିକାଟାକୁ ମୁଁ କ’ଣ ବୋହି ଆଣିଥେଲି ସିଏ ପଢ଼ିବା ପାଇଁ । ପୁଣି ମନେ ମନେ ଭାବିଲା- ଶଳା, ଷ୍ଟେଟ୍ ଏକ୍ସପ୍ରେସ୍ ସିଗ୍‌ରେଟ୍ ପିଉଛି । ସ୍ତ୍ରୀ ପାଇଁ ଇଭିନିଂ ଇନ୍ ପ୍ୟାରିସ୍ ବି କିଣୁଥିବ । ଅଥଚ….

ହଃ, ଏମିତିକା ଲୋକ ବହୁତ ଅଛନ୍ତି । ଖବରକାଗଜ ତ କିଣିବେ ନାହିଁ, ଅନ୍ୟ କେହି ପଢ଼ିଲା ବେଳେ କହିବେ- ଆଜ୍ଞା ! ଭିତର ଖଣ୍ଡଟା ଟିକେ ଦେଲେ । ଆଉ ଭିତର ଖଣ୍ଡଟା ଖୋଜିଲା ବେଳକୁ ମାଗିନେଇଥିବା ଲୋକଟି ପାଖରେ ନଥିବ । ଆଉ ଭଙ୍ଗାଭଙ୍ଗୀ କରି ପଢ଼ିସାରି ଏମିତି ଅବସ୍ଥାରେ ଫେରେଇବେ, ଯେମିତି ମନେ ହେବ, ଖବରକାଗଜ ଏଇମାତ୍ର ଗଣଧର୍ଷିତ ହୋଇ ଫେରିଛି ।

ବସ୍‌ରେ ବା ଟ୍ରେନ୍‌ରେ ଗଲାବେଳେ ଲକ୍ଷ୍ୟ କରେ, ଏଇଭଳି ଲୋକମାନେ ହିଁ ଆଖି ବୁଲାଉଥିବେ କିଏ ଖବରକାଗଜ ବା ପତ୍ରିକା ପଢୁଛି- ଅଥଚ ଚଉଦ ମସଲା ଦିଆ ପାନ ଖାଉଥିବେ, ସ୍ତ୍ରୀ ପାଇଁ ବନାରସୀ ଶାଢ଼ୀ କିଣୁଥିବେ, ସିନେମା ଓ ଯୌନପତ୍ରିକା କିଣୁଥିବେ ଆଉ “ଓୟେ ୟେ” କ୍ୟାସେଟ୍ ବି । ପରଠୁଁ ବହି ବା ପତ୍ରିକା ମାଗିନେଇ ଫେରାଉ ନଥିବେ ଓ ମାଗିଲେ “ଆଉ ଟିକେ, ଆଉ ଟିକେ….” କହି ଦାନ୍ତ ନେଫେଡୁଥିବେ ।

ସୁର ପୁଣିଥରେ ହାତଘଣ୍ଟାକୁ ଚାହିଁଲା.. ପଞ୍ଚାବନ ମିନିଟ୍ । ଲୋକଟା ଏଥର ବିଭୂତି ପଟ୍ଟନାୟକର ଉପନ୍ୟାସରେ ମୁହଁମାଡ଼ି ଦେଉଛି ।

ସୁରର ଧୈର୍ଯ୍ୟଚ୍ୟୁତି ଘଟିଲା ।

– ନାଃ, ଆଉ ନୁହେଁ ।

– ସେ ମନକୁ ମନ କହିଲା ଏବଂ ପକେଟରୁ ଚଷମା ବାହାର କରି ସାର୍ଟରେ ପୋଛି, ଆଖିରେ ଲଗାଇ, ଲୋକଟି ହାତରୁ ପତ୍ରିକାଟା ଏକ ରକମ ଛଡ଼ାଇନେଲା ।

– ବଡ଼ ଇଣ୍ଟ୍ରେଷ୍ଟିଙ୍ଗ ନଭେଲ୍‌ଟା ଆଜ୍ଞା ! ଆପଣଙ୍କ ପତ୍ରିକା, ଆପଣ ତ ପଢ଼ିବେ । ମୁଁ ଟିକେ ଶେଷକରି ଦେଇଥାନ୍ତି । – ଲୋକଟି ଦାନ୍ତ ନେଫେଡ଼ି ପତ୍ରିକାଟା ପୁଣିଥରେ ନେବାକୁ ହାତ ବଢ଼ାଇଲା ।

– କ୍ଷମା କରିବେ, ପତ୍ରିକାଟି ମୋର ନୁହେଁ । ଜଣେ ସାଙ୍ଗଠାରୁ ପନ୍ଦର ଦିନ ହେଲା ମାଗିଆଣିଚି । ଧାଡ଼ିଟାଏ ବି ପଢ଼ିନାହିଁ । ଆଜି ତାକୁ ଫେରାଇବାକୁ ପଡ଼ିବ । ଯଦି ବାକି ଘଣ୍ଟାକ ଭିତରେ ତିନିଚାରିଟା ଗପ ପଢ଼ିପାରେ, ଅନ୍ତତଃ ପତ୍ରିକାଟାକୁ ବୋହିବାର ଶ୍ରମ ତ ମେଣ୍ଟିଯିବ । –ସୁର ହସି ହସି କହିଲା, ଯଦିଚ ତା’ର ଲୋକଟାର ମୁହଁକୁ ମୁଥଟାଏ କଷିଦେବାକୁ ଇଚ୍ଛା ହେଉଥିଲା । ଆଚ୍ଛା, ଆଚ୍ଛା ! ଆପଣ ତା’ହେଲେ କିଣି ନାହାନ୍ତି ! ମୁଁ ଭାବିଥିଲି ପତ୍ରିକାଟା ଆପଣଙ୍କର ବୋଲି । –ଲୋକଟା ତଥାପି ଦାନ୍ତ ନିକୁଟୁ ଥିଲା ।

– ପତ୍ରିକା କିଣିବା ଲୋକ କିଏ ଆଉ ମୁଁ କିଏ । ସ୍ତ୍ରୀ ପାଇଁ ଲିପ୍‌ଷ୍ଟିକ୍ କିଣିବାକୁ ତ ପଇସା ନିଅଣ୍ଟ, ସେଥିକୁ ପୁଣି ଟି.ଭି. ଲୋନ୍ । ମୁଁ ତ ଭାବୁଚି ଏଥରକ ସିଗ୍‌ରେଟ୍ ଛାଡ଼ିଦେବି । – ସୁର କହିଲା ।

– ହଁ ଆଉ ଗୋଟିଏ କଥା, ଘରେ ଯଦି ସୁନ୍ଦରୀ ସ୍ତ୍ରୀ ଆଉ ରଙ୍ଗୀନ୍ ଟି.ଭି. ଅଛି, ଖବରକାଗଜ, ପତ୍ରିକା ବା ବହିର କ’ଣ ଦରକାର ? ଦେଶ ବିଦେଶର ଖବର ଠାରୁ ସାହି ପଡ଼ିଶାଙ୍କ ଛିଦ୍ର ପର୍ଯ୍ୟନ୍ତ ସବୁ ଜାଣିବା ସହିତ ସବୁ ରକମର ମନୋରଞ୍ଜନ ବି ହୋଇଯିବ, ନା କ’ଣ କହୁଛନ୍ତି ? – ସୁର ଏ କଥାତକ ଫିସ୍ ଫିସ୍ କରି କହିଲା । ସେ ଲୋକଟାକୁ ପରୀକ୍ଷା କରିବାକୁ ହିଁ ମିଛ ବାହାନା କରୁଥିଲା ।

– ହେଃ, ହେଃ ! ଆପଣ ତ ବେଶ୍ ରସିକ ଲୋକ । ଆପଣଙ୍କର କ’ଣ କନ୍ୟାରାଶି ?

– ଲୋକଟା ସେମିତି ଦାନ୍ତ ନେଫେଡ଼ି କହିଲା ।

– କାହିଁକି ଆପଣଙ୍କର କ’ଣ କନ୍ୟାରାଶି ? – ସୁର ଏଥର ରୀତିମତ ଆଶ୍ଚର୍ଯ୍ୟ ହେଲା ଲୋକଟିର ବେହିଆମିରେ ।

– ହଁ, ସେଇଥି ପାଇଁ ତ ପଚାରିଲି । ଆପଣଙ୍କର ଆଉ ମୋ ଚିନ୍ତାଧାରାରେ କେମିତି ମେଳ ଅଛି ଦେଖନ୍ତୁନା । ଏଇ ଯେଉଁ କଥା କହିଲେ ସ୍ତ୍ରୀଲୋକ ମାନଙ୍କ ବିଷୟରେ …। ମୁଁ କିନ୍ତୁ ଆଗେ ବହୁତ ଖବରକାଗଜ ଓ ପତ୍ରପତ୍ରିକା କିଣୁଥିଲି । କଲେଜରେ ପଢ଼ିଲାବେଳେ କବିତା ବି ଲେଖୁଥିଲି । ବାହାଘର ପରେ ମୋ ସ୍ତ୍ରୀ କହିଲେ ସେସବୁ ବାଜେ ନିକିମା ଲୋକଙ୍କ କାମ । ଆଉ ଏଇକ୍ଷଣିକା ଆପଣ… ।

– ଲୋକଟି ସେମିତି ଦାନ୍ତ ନେଫେଡ଼ି ଘନିଷ୍ଠତା ବଢ଼ାଇବାକୁ ଚେଷ୍ଟା କରୁଥିଲା ।

– ହଁ, – ସୁର ଏଥରକ କଥା ଛଡ଼ାଇ ନେଇ କହିଲା- ସମୟ ଓ ପରିବେଶ ବେରସିକକୁ ବି ରସିକ, କବିକୁ ଅକବି ଓ ଭଦ୍ରଲୋକକୁ ବେହିଆ କରିଦିଏ ।

– ଲୋକଟାର ପ୍ରତିକ୍ରିୟା ଜାଣିବାକୁ ଇଚ୍ଛା ନ କରି ଝରକା ଆଡ଼କୁ ମୁହଁକରି ସେ ଏଥର ପତ୍ରିକାର ପ୍ରଥମ ପୃଷ୍ଠାରୁ ହିଁ ପଢ଼ିବା ଆରମ୍ଭ କଲା ।

ଲୋକପ୍ରିୟ ଲେଖା

To Top