ଅଣୁଗଳ୍ପ

ଅଭିଶପ୍ତ ସୌନ୍ଦର୍ଯ୍ୟ

Gupteswar Mahapatro's odia Short Story Abhishapta Saundarya

କିପରି ସଭ୍ୟତା ଆମେ ଗଢ଼ିଛୁ ଯେ ଚାରି ବର୍ଷର ଛୁଆମାନଙ୍କ ମନରେ ବି ରେସିଜମ୍ (ବର୍ଣ୍ଣ ବୈଷମ୍ୟ ବାଦ ) ଭରି ରହିଛି ।

ଅଭିଶପ୍ତ ସୌନ୍ଦର୍ଯ୍ୟ

ଅବସରପ୍ରାପ୍ତ ଶିକ୍ଷକ କୁଞ୍ଜବାବୁଙ୍କ ଘରେ ରୋଷେଇ ହେଲା ପରେ ଟିକିଏ ଖାନା ବାହାରେ ରଖାଯାଏ । କାଉ, କୁକୁର ସମସ୍ତେ ଖାଆନ୍ତି ।

ଶୀତ ଦିନ ଆସିଗଲା । କୁଞ୍ଜବାବୁଙ୍କ ବଗିଚାରେ ସାହିର ବୁଲା କୁକୁରଟି ଗାତ ଖୋଳି ସେଠି ରହୁଛି । ଖାଇବା ପାଇଁ ବି ଆସୁନି ବାହାରକୁ । ଦିନେ କୁଞ୍ଜବାବୁ ପୁଡ଼ିଆ ( ଗୁଟଖା) କିଣିବାକୁ ଗଲା ବେଳେ ତାଙ୍କ ପଛରେ ଯାଇ ବିକଳ ସ୍ୱରରେ ବୋବେଇଲା । କୁଞ୍ଜବାବୁ ବିସ୍କୁଟ ପ୍ୟାକେଟ ଟିଏ କିଣି ତାକୁ ଦେଲେ । ସେ ରାତି କୁକୁରଟି ପାଞ୍ଚଟି ଛୁଆ ଜନ୍ମ ଦେଇଛି । ତିନୋଟି କଳା, ଗୋଟିଏ ଧଳା, ଗୋଟିଏ ଧଳା – କଳା ମିଶ୍ର ରଙ୍ଗର । ତା ପର ଦିନଠୁ କୁଞ୍ଜବାବୁଙ୍କ ବଗିଚାରେ ସାହି ପିଲାମାନଙ୍କର ଭିଡ ଲାଗିଛି । କୁଞ୍ଜବାବୁଙ୍କୁ ଏସବୁ ଦୃଶ୍ୟ ଦେଖିବାକୁ ବହୁତ୍ ଖୁସି ଲାଗୁଥାଏ । ପାଖକୁ ଯାଇ ଥରେ ଶୁଣିଲେ ପିଲା ମାନଙ୍କ କଥା । ତାଙ୍କ ମନ ଭାଙ୍ଗିଗଲା । ଧଳା କୁକୁର ଛୁଆଟିକୁ ନେବା ପାଇଁ ଦୁଇଟି ପିଲା ଝଗଡ଼ା ଲାଗୁଥିଲେ । କିପରି ସଭ୍ୟତା ଅାମେ ଗଢ଼ିଛୁ ଯେ ଚାରି ବର୍ଷର ଛୁଆମାନଙ୍କ ମନରେ ବି ରେସିଜମ୍ (ବର୍ଣ୍ଣ ବୈଷମ୍ୟ ବାଦ ) ଭରି ରହିଛି । କୁଞ୍ଜବାବୁ ରୋକ୍ ଠୋକ୍ ମନା କରିଦେଲେ କୁକୁର ଛୁଆମାନଙ୍କୁ କେହି ନେବେନି । କିଛି ଦିନ ପରେ ଛୁଆମାନଙ୍କ ଆଖି ଖୋଲିଲା । ବଗିଚାରେ ଖେଳିଲେ । କିଛି ଦିନ ପରେ ସାହିରେ ବୁଲିଲେ । ଦି ପହରରେ ଖାଇବା ପାଇଁ କୁଞ୍ଜବାବୁଙ୍କ ଘର ପାଖକୁ ଆସନ୍ତି । ଦିନେ ସେ ଦେଖିଲେ ଯେ, ଧଳା କୁକୁର ଛୁଆଟି ଆଉ ନାହିଁ । ତା ଶୈଶବ ସବୁ ଦିନ ପାଇଁ ହଜି ଯାଇଛି । ତାର ସୌନ୍ଦର୍ଯ୍ୟ ତା ପାଇଁ ଅଭିଶାପ ପାଲଟି ଯାଇଛି ।

ଲୋକପ୍ରିୟ ଲେଖା

To Top