ଅଣୁଗଳ୍ପ

ଅବ୍ୟକ୍ତ ଯନ୍ତ୍ରଣା

Akshaya Sahoo

ଭାବେ ଯଦି ଗାଳ୍ପିକଟିଏ ହୋଇଥାନ୍ତା ତାକୁ ନେଇ କେତେ ଯେ ଗଳ୍ପ ଲେଖିଥାନ୍ତା । ବିନି ନିଶ୍ଚୟ ରାଜକୁମାର ପରି ପୁଅକୁ ବିବାହ କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

ଅବ୍ୟକ୍ତ ଯନ୍ତ୍ରଣା

ପ୍ରତିବର୍ଷ ପରି ଏଥର ନୂଆ ବର୍ଷ ଦିନ ବଳଦେବଜୀଉ ମନ୍ଦିରକୁ ଯିବା ପାଇଁ ଆକାଶ ତା’ର ସାଙ୍ଗ ମାନସ ସହିତ କଥା ବାର୍ତ୍ତା କରିଥିଲା । ମାନସ ତା କଥାରେ ରାଜି ହୋଇଯାଇଥିଲା । କେବଳ ନୂଆବର୍ଷ ଦିନ ହିଁ ବିନି ସହିତ ଦେଖାହୋଇଥାଏ ବଳଦେବଜୀଉ ମନ୍ଦିରରେ । ଆକାଶ ସହିତ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲା, ତା ପରେ ଦୁହେଁ ଅଲଗା ହାଇଯାଇଥିଲେ ହେଲେ କିନ୍ତୁ ଆକାଶର ମନରେ ବିନି ହିଁ ସ୍ମୃତି ପରି ରହି ଯାଇଥିଲା । ବିନି ପାଇଁ ଅନେକ ସ୍ୱପ୍ନ ଦେଖୁଥିଲା । ବିନି ଖୁସିରେ ଆକାଶର ହିଁ ଖୁସି ଥିଲା ।

ବିନିର ଲମ୍ୱାବେଣୀ, ହଳଦୀ ରଙ୍ଗର ଦେହ ସାଙ୍ଗକୁ ଆଖିରେ ଚଷମା ବହୁତ ମାନୁଥିଲା ସତେ ଯେମିତି ଗଳ୍ପର ନାୟିକା । ଭାବେ ଯଦି ଗାଳ୍ପିକଟିଏ ହୋଇଥାନ୍ତା ତାକୁ ନେଇ କେତେ ଯେ ଗଳ୍ପ ଲେଖିଥାନ୍ତା । ବିନି ନିଶ୍ଚୟ ରାଜକୁମାର ପରି ପୁଅକୁ ବିବାହ କରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଆକାଶ, ବିନି ପାଇଁ ଏତେ କଥା ଭାବୁଥିଲେ ବି ବିନି କେବେ ଆକାଶକୁ ସେମିତି ଆପଣାର ଭଳି କଥା କହିନି, ସେଥିପାଇଁ ଆକାଶ ବି କେବେ ମନଦୁଃଖ କରିନି । ଭାବେ ସେ ଯେଉଁଠିଥାଉ ଭଲରେ ଥାଉ, ସୁଖରେ ସଂସାର ତାର କଟୁ ।

ରାତିରେ ଆକାଶକୁ ନିଦ ନାହିଁ, ଅତୀତର ଅନେକ ସ୍ମୃତି ଉଙ୍କି ମାରୁଛନ୍ତି । ସକାଳ କେତେବେଳେ ହେବ, ଗୋଟିଏ ବର୍ଷ ହେବ ଦେଖି ନ ଥିବା ବିନିକୁ ଦେଖିବ । କିନ୍ତୁ ଏ କ’ଣ ? ମନ୍ଦିରରେ ଯାହା ସବୁ ଦେଖୁଛି ତାହା କ’ଣ ସତ ?

ବିନି ଆକାଶକୁ ଦେଖିବା ପରେ ପାଖକୁ ଡାକି କହିଛି – ” ଏ ମୋର ପତି । ଜଣେ ଗାଳ୍ପିକ, ବ୍ୟବସାୟକରନ୍ତି । ତାଙ୍କ ଗଳ୍ପ ହିଁ ମୋ ଭଲପାଇବାର କେନ୍ଦ୍ର ବିନ୍ଦୁ । ଛୋଟା ହେଲେ କଣ ହେବ ତାଙ୍କ ହୃଦୟ ବହୁତ ନରମ…. ” ଆକାଶ ବିନି କଥା ଶୁଣୁଥିଲା କି ନାହିଁ ଜାଣେନା, କିନ୍ତୁ ଆକାଶର ସ୍ୱପ୍ନ ସବୁ ଭାଙ୍ଗି ଭାଙ୍ଗି ଯାଉଥିଲା ଓ ହୃଦୟରେ ଅବ୍ୟକ୍ତ ଯନ୍ତ୍ରଣା ଭରି ଯାଇଥିଲା ।

ଲୋକପ୍ରିୟ ଲେଖା

To Top