ଅଣୁଗଳ୍ପ

ଅବ୍ୟକ୍ତ ପରିଭାଷା

Priyanka Priyadarshini Mishra's odia short story Abyakta Paribhaashaa

ସତେ ଯେମିତି ଗାଁ ଦାଣ୍ଡର ଅଳିଆ, ଆବର୍ଜନା, ମାଟିଗୋଡ଼ି ସାଙ୍ଗକୁ ସାମୟିକ ଭାବରେ ଆମର ବାସ୍ତବତା ମଧ୍ୟ ଧୋଇ ନେଇଥିଲା ଶ୍ରାବଣ ।

ଅବ୍ୟକ୍ତ ପରିଭାଷା

ବର୍ଷାଦିନ ହୋଇଛି । ଏକ ଅଳସ ଅପରାହ୍ନରେ ବାତାୟନ ପାର୍ଶ୍ଵରେ ବସି ମୁଁ କଳାମେଘଖଣ୍ଡରେ ସୁସଜ୍ଜିତ ଆକାଶକୁ ଦେଖିବାରେ ନିମଗ୍ନ । ସ୍ମୃତିର ଦ୍ୱାରଦେଶ ଡେଇଁ କେତେବେଳେ ଅତୀତ ରାଜ୍ୟରେ ପାଦ ଦେଲିଣି ମୋର ହେତୁ ନାହିଁ ।

ସର୍ବପ୍ରଥମେ ମୋର ଭାବନାର ତୂଳୀରେ ରଙ୍ଗ ଭରିଦେଲା ଶୈଶବ । ନିରୀହ, ନିଷ୍ପାପ, ବନ୍ଧନମୁକ୍ତ ଏକ ଶିଶୁର କାହାଣୀର ଛିନ୍ନ ପୃଷ୍ଠା ସବୁକୁ ଅତି ଆଗ୍ରହରେ ସଜାଡ଼ି ଦେଲା ବେଳକୁ ସମୟ ମୋତେ ପୁନର୍ବାର ବାଲ୍ୟକାଳ ପ୍ରଦାନ କଲା । ମାନସପଟରେ ଆଙ୍କିହେଲା ପ୍ରାଣଦାତ୍ରୀ, କ୍ଷମାଶୀଳା, ସ୍ନେହମୟୀ ଜନନୀର ପ୍ରତିଛବି । ତା’ର ଉଷୁମକୋଳରେ ଜାକିଜୁକି ହେଲାରୁ ନିଦ ମାଉସୀ ଉପସ୍ଥିତ ହେଲେ ଚକ୍ଷୁଯୁଗଳରେ । ସକାଳ ହେଲାରୁ ଆମ ଘରପଛ ବାବୁଲ୍ ଗଛର ଆଶ୍ରୟପ୍ରାପ୍ତ କାଉ, ଚଟିଆ, ବଗ, ବଣି, ହଳଦିବସନ୍ତ ଆଦିଙ୍କ ଡାକରେ ମୋର ନିଦ ଭାଙ୍ଗିଗଲା । ଦାନ୍ତଘଷି, ଚୁଡ଼ାଭଜା ଖାଇଦେଇ ଜେଜେବାପାଙ୍କ ଭୟରେ ଛବିଳ ମଧୁବର୍ଣ୍ଣବୋଧ ଧରିଲାବେଳକୁ ସାଙ୍ଗସାଥୀ ସବୁ ଡାକ ପକେଇଲେ । ଧାଇଁଗଲି ମୋର ପ୍ରାଣପ୍ରିୟ ଗ୍ରାମପଥକୁ । ସେଇଟା ଯେ ଖାଲି ଧୂଳିଧୂସରିତ ଚଲାପଥ ନୁହେଁ, ମାଟି ମା’ର ପଣତକାନି । ତା’ର ସବୁ ଶିଶୁଙ୍କୁ କୋଳେଇ ନିଏ । ସମସ୍ତେ ମଜ୍ଜିଗଲୁ ପୁଚି, ବହୁଚୋରୀ, ଲୁଚକାଳି ଖେଳରେ ।

ଆମ ଗାଁର ଗଛଲତା, ପୋଖରୀ, କୃଷକ, ଶ୍ରମିକ ଆଉ ସର୍ବୋପରି ଆମ ଶିଶୁମେଳିର ଅତି ପ୍ରିୟବନ୍ଧୁ ଶ୍ରାବଣ । ତା’ର ଆସିବାର ଶୁଭ ସୂଚନା ଦେଇ ସେ ବିଜୁଳିରେ ଚତୁର୍ଦ୍ଦିଗ ଆଲୋକିତ କରି ଘଡ଼ଘଡ଼ି ବାଦ୍ୟରେ ସମସ୍ତଙ୍କ ତନୁମନରେ ଆଶା ଆକାଂକ୍ଷା ଭରିଦେଲା । ଭୟଭୀତ ହୋଇ ଦୌଡ଼ିଲି ଜେଜେମା’ ପାଖକୁ । ମୋତେ ଆଶ୍ୱସ୍ତ କରିବା ପାଇଁ ସେ ଆରମ୍ଭ କଲା ସାରୁଗଛ ତଳେ ରହୁଥିବା ବେଙ୍ଗୁଲୀ ରାଣୀର ଗପ । ଏତିକିବେଳେ ଶ୍ରାବଣ ଅଜାଡ଼ି ଦେଲା ବାରିଧାରା ସମଗ୍ର ପ୍ରାଣୀଜଗତ ଓ ଉଦ୍ଭିଦ ଜଗତର କଲ୍ୟାଣ ଉଦ୍ଦେଶ୍ୟରେ । ବର୍ଷା ଛାଡ଼ିବାରୁ ଘରୁ ବାହାରି ଦେଖେ ତ ଗାଁ ଦାଣ୍ଡ ଜଳମୟ । ସାନ ଭଉଣୀ ଟୁକୁନି ସାଙ୍ଗରେ ଧାଇଁଲୁ କାଗଜ ଡଙ୍ଗା ଭସେଇବା ପାଇଁ । ଡଙ୍ଗାର କ୍ଷୁଦ୍ର କଳେବର ଆମକୁ ନିରୁତ୍ସାହିତ କରିପାରିନଥିଲା । ଡଙ୍ଗା ଭସେଇ ଭସେଇ ନାଉରୀ, ଧୀବର, ସାଧବପୁଅ, ବାଜିରାଉତ ଆଦି ସବୁ ମନଲାଖି ଚରିତ୍ରର ଅଭିନୟ କରିଚାଲିଲୁ । ସତେ ଯେମିତି ଗାଁ ଦାଣ୍ଡର ଅଳିଆ, ଆବର୍ଜନା, ମାଟିଗୋଡ଼ି ସାଙ୍ଗକୁ ସାମୟିକ ଭାବରେ ଆମର ବାସ୍ତବତା ମଧ୍ୟ ଧୋଇ ନେଇଥିଲା ଶ୍ରାବଣ ।

xxxxxx

ଏତିକିବେଳେ କଲିଙ୍ଗ୍ ବେଲ୍‌ର  ଉପଯୋଗ କରାଇ ନିଷ୍ଠୁର ସମୟ ମୋତେ ପୁଣି ଥରେ ଆଣି ଥୋଇ ଦେଲା ବର୍ତ୍ତମାନର ଦ୍ୱାର ଦେଶରେ । ଗୋଟିଏ ମୁହୂର୍ତ୍ତରେ ମୋ’ଠୁ ପୁନର୍ବାର ଛଡ଼େଇ ନେଲା ମୋର ବାଲ୍ୟାବସ୍ଥା । ଟେବୁଲ୍ ଉପରେ କେତେଖଣ୍ଡ ବହି ପବନ ସାଙ୍ଗେ ତାଳ ଦେଇ ଦାନ୍ତ ନିକୁଟି ହସୁଥିଲେ ମୋର ଅସହାୟତା ଉପରେ ସମସ୍ତ ସ୍ରୋତରେ ମୁଁ କିପରି ଶକ୍ତିହୀନ ତୃଣ । ଦୃଷ୍ଟିପଥରେ ଭାସିଉଠିଲା କର୍ମମୟ ଜୀବନ । ମୋର ସ୍ମୃତିକୁ ଆହୁରି ସତେଜ କରିବା ଚେଷ୍ଟାରେ ଆହୁରି ଆହୁରି ବର୍ଷା କଚାଡ଼ି ହୋଇପଡୁଥାଏ । ମୋର ଅଜାଣତରେ ମୋର ଚକ୍ଷୁଦ୍ୱୟ ଶୈଶବର ଅଭାବନୀୟ ସ୍ମୃତି ଉଦ୍ଦେଶ୍ୟରେ ଢାଳି ଦେଲେ ଧାର ଧାର ଲୁହ । ପୁଣି ଥରେ କଲିଙ୍ଗ୍ ବେଲ୍ ଶବ୍ଦ ଶୁଣି ଧାଇଁ ଯାଇ କବାଟ ଖୋଲିଲି । ଝିଅଟିର ଜିଜ୍ଞାସା ହେଲା ମୁଁ କ’ଣ ପାଇଁ କାନ୍ଦୁଛି । ମୁଁ କିନ୍ତୁ ରହିଲି ନିର୍ବାକ୍ ହୋଇ । ସେ ଯେ ଅବ୍ୟକ୍ତ ପରିଭାଷା !

ଲୋକପ୍ରିୟ ଲେଖା

To Top