ଅଣୁଗଳ୍ପ

ଅଧା ଲେଖା କାହାଣୀ

Deepak Baral's odia Short Story Adhaa Lekhaa Kaahaani

ଯଦି ସେମିନାର ରିପୋର୍ଟ ସାଇନ୍‌ କରିବାର ବାଧ୍ୟକତା ନଥାନ୍ତା ତେବେ ବିବେକ ବୋଧ ହୁଏ ପଳାଇଥାନ୍ତା ।

ଅଧା ଲେଖା କାହାଣୀ

ବିବେକ କୌଣସି ବି ପରିସ୍ଥିତିରେ ଭୁବନେଶ୍ୱର ଆସିବାକୁ ଚାହୁଁ ନଥିଲା, କେବେ ବି ନୁହେଁ । କିନ୍ତୁ ସ୍ମୃତି ଖାସ୍‌ କରିକି ଯନ୍ତ୍ରଣା ଦେଉଥିବା ସ୍ମୃତି ଜଙ୍ଗଲି ଜନ୍ତୁ ପରି ପିଛା କରୁଥାନ୍ତି, ମଣିଷ କେତେ ବି ଚେଷ୍ଟା କରେ ତା ଠାରୁ ପିଛା ଛଡ଼େଇବା ପାଇଁ ତଥାପି ସେ କେମିତି ନା କେମିତି କୋଉ ରୂପରେ ସାମ୍ନାକୁ ଆସିଯାଏ । ସେମିତି ଏକ ସ୍ମୃତିକୁ ଭୁଲିବା ପାଇଁ ବିବେକ ନିଜ ସହର ଠାରୁ ଅନେକ ଦୂରରେ ଚାକିରୀ କରୁଥିଲା, କିନ୍ତୁ କେହି ଜଣେ ଅଛି ଯେ ସବୁ କିଛି ଦେଖୁଛି, ଉପରବାଲାର ସିସିଟିଭି ରେ ସବୁ ରେକଡେଡ଼୍‌ ହେଉଛି, ସେ ମଣିଷ ଭିତରର ଚିନ୍ତା, ଅନୁମାନ ଏବଂ ଅପରାଧର ବୋଝକୁ ବି ଦେଖିପାରୁଛି, ନଚେତ ସେ ଦିନ ବିବେକର ପରିସ୍ଥିତି ଏମିତି କାହିଁକି ହୋଇଥାନ୍ତା, ମ୍ୟାନେଜେର୍‌ ସାହେବ ବିବେକକୁ ତାଙ୍କ କ୍ୟାବିନ କୁ ଡାକି ଭୁବନେଶ୍ୱର ସେମିନାର ଆଟେଣ୍ଡ୍‌ କରିବା ପାଇଁ ଜିଦି ଧରି ଅର୍ଡର୍‌ କରି କହିଲେ, ଆରେ ତମକୁ କଣ ଭୁବନେଶ୍ୱର ଟ୍ରାନ୍ସଫର କରାଯାଉଛି ୩ ଦିନର ସେମିନାର୩ ତା ‘ଛଡା ତମେ ବ୍ୟାଚଲର୍‌ ପିଲା ବୁଲିବାଲି କରି ଆସିଯିବ, ଅସୁବିଧା କଣ ? ମୁ ଡିପାର୍ଟମେଣ୍ଟ୍‌ର ଗେଷ୍ଟ୍‌ ହାଉସ ତମ ପାଇଁ ଖାଲି କରି ଦଉଛି, ତମେ ତ ଜାଣିଛ ଅନୁପମ ପୁଅର ବୋର୍ଡ଼ ପରୀକ୍ଷା ଆଉ ପ୍ରଧାନ ଏବେ ଏବେ ଠିକ୍‌ ହୋଇ ହସ୍ପିଟାଲ୍‌ରୁ ଫେରିଛି ଏବେ ତମେ କୁହ ସେମିନାର ପାଇଁ କାହାକୁ ପଠାଇବା ? ବିବେକର ନଯିବାର ସବୁ କାରଣ ଉପରେ ଯେମିତି ପୁଣ୍ୟଛେଦ ପଡିଯାଇଥିଲା ତାହାର କିଛି ବି ବାହାନା କାମ କଲାନାହିଁ । ପ୍ରକୃତରେ ଭୁବନେଶ୍ୱର ନଯିବାର କାରଣ ଟ୍ରାଫିକ କିମ୍ବା ଲୋକ ଗହଳି ନଥିଲା, ବିବେକ ସେ ସହରରେ ଆଗରୁ ରହିଛି ଯଦି ମିଛ ନ କହିବାର ସର୍ତ୍ତ ରଖାଯାଏ ତେବେ ସେ ଭୁବନେଶ୍ୱର ସହରକୁ ବହୁତ ଭଲପାଏ । ମଣିଷର ସହର ସେ ନୁହେଁ ଯୋଉଠି ସେ ୯:୦୦ ରୁ ୬:୦୦ ତାର ସମୟ ବା ବୟସ ଖର୍ଚ୍ଚ କରିଥାଏ, ମଣିଷର ସହରର ତ ସେଇଠି ହୋଇଥାଏ ଯୋଉଠି ସେ ସ୍ୱପ୍ନ ଦେଖିଥାଏ । ହଁ ଏଇ ସେ ସହର ଯୋଉଠି ବିବେକ ସ୍ୱପ୍ନ ଦେଖିଥିଲା, ସେଇ ସ୍ୱପ୍ନ ଯାହା କେବେ ପୁରା ହୋଇପାରିନଥିଲା । ଭୁବନେଶ୍ୱର ଠାରୁ ଦୁରେଇ ଯାଇ ବିବେକ ତା ଅଧୁରା ସ୍ୱପ୍ନ କୁ ଭୁଲି ଯିବାକୁ ଚାହୁଁଥିଲା ଯାହା ତାକୁ ପ୍ରତିକ୍ଷଣ ତା ଅସଫଳତାର ସାମ୍ନା କରାଉଥିଲା । ଆଜି ୫ ବର୍ଷ ପରେ ସେ ଯେତେବେଳେ ଏଇ ସହରକୁ ଫେରି ଦେଖୁଛି, ଲାଗୁଛି ଯେମିତି ସବୁ କିଛି ବଦଳି ଯାଇଛି ସହରର ସୁନ୍ଦରତା, ଆତ୍ମୀୟତା କୋଉଠି ହଜିଯାଇଛି । ବିବେକ ତାର ଅତୀତକୁ ମନେ ପକାଇବାକୁ ଚାହୁଁ ନଥିଲା ହେଲେ ସେ ପୁରୁଣା ରାସ୍ତା, ପୁରୁଣା ଠିକଣାକୁ ଦେଖି ଅତୀତକୁ ବେଶି ସମୟ ବାନ୍ଧି ରଖି ପାରିଲା ନାହିଁ, ସହରର ଅନେକ ପରିବର୍ତ୍ତନ ତା ମନକୁ ଶକ୍ତ ଧକା ଦେଇଥିଲା ସତ କିନ୍ତୁ ପରେ ନିଜକୁ ବୁଝେଇନେଲା, ମଣିଷ ମାନଙ୍କ ଭିତରେ କିଏ ଏମିତି ଅଛି ଯେ ବଦଳି ନାହିଁ, ପରିବର୍ତ୍ତନ ତ ପ୍ରକୃତିର ନିୟମ । ଚାଲ ଠିକ୍‌ ଅଛି, ଯାହାବି ହୋଇଛି ଭଲ ହୋଇଛି- ନା ମନେ ପଡିବ ରାସ୍ତା କଡର ଗୁପ୍‌ଚୁପ୍‌, ନା ଏକାମ୍ର ହାଟ ରେ ବିତିଥିବା ଲଞ୍ଚ୍‌-ଟାଇମ୍‌ , ନା ଜାନୁଆରୀର ଥଣ୍ଡା, ନା ମନେ ପଡିବ…. ଶ୍ରାବଣୀ । ତୋ ଆଖି…ମୋ ଆଇନା ଏ ଗୀତ ଶୁଣି କିଏ କେତେ ଥର ଇମୋସନାଲ ହେଇପାରିବ, ବିବେକ କୁ ଲାଗୁଥିଲା ଯଦି ଅତୀତର କିଛି କଅଁଳ ଅନୁଭୂତିର ସାମଞସ୍ୟ ଏ ଗୀତ ସହିତ ବାନ୍ଧିହୋଇଥିବ ତେବେ ଅନେକ ଥର ହୋଇପାରିବ । ପ୍ରତିଥର ଏ ଗୀତର ସ୍ୱର ବିବେକକୁ ଏକ ସୁନ୍ଦର ଯାଗକୁ ନେଇଯାଏ ଯୋଉଠି ହଳଦୀ ରଙ୍ଗର ଡ୍ରେସରେ ଗୋଟେ ସୁନ୍ଦରୀ ଝିଅ ତା ସହିତ ଥାଏ । ଯାହାର ଚେହେରାକୁ ସେ ଠିକ ଭାବରେ ଚିହ୍ନି ପାରେନି, ତାର ବିଶ୍ୱାସ ସେ ଝିଅ ନିଶ୍ଚେ ଶ୍ରାବଣୀ ହୋଇଥିବ ଯିଏ କ୍ଲାସ କୁ ପ୍ରଥମ ଦିନ ହଳଦୀ ରଙ୍ଗର ଡ୍ରେସ ରେ ଆସିଥିଲା, ସେହି ଦିନ ଠାରୁ ବିବେକର ହଳଦୀ ରଙ୍ଗ ସହିତ ଗୋଟେ ଅକୁହା ସମ୍ପର୍କ ଯୋଡି ହୋଇ ଯାଇଛି ।

ଗ୍ରାଜୁଏସନ୍‌ ସରିବା ପରେ ବିବେକ ଗୋଟେ ହ୍ୟାଣ୍ଡବ୍ୟାଗ୍‌ରେ ତାର କିଛି ପ୍ୟାଣ୍ଟ-ଶାର୍ଟ, ବହି ଆଉ ଅନେକ ସ୍ୱପ୍ନକୁ ବ୍ୟାଗ୍‌ରେ ବନ୍ଦ କରି ଭୁବନେଶ୍ୱର ଆସିଥିଲା, ବହି-ଖାତାରେ ବୁଡି ସେ ସିଭିଲ-ସର୍ଭିସ୍‌ର ନଦୀ କୁ ପାରି ହେବାପାଇଁ ଚାହୁଁଥିଲା । ବିବେକ ପ୍ରଥମ ଦିନ କ୍ଲାସ ଆରମ୍ଭ ହେବାର ପନ୍ଦର ମିନିଟି ଆଗରୁ କ୍ଲାସ୍‌ରେ ପହଞ୍ଚି ଟିଚର୍‌ଙ୍କ ପାଖ ସିଟ କୁ କବ୍ଜା କରିନେଲା, କିଛି କ୍ଷଣ ପରେ ହଳଦୀ ରଙ୍ଗର ଡ୍ରେସରେ ଗୋଟେ ଝିଅ ତା ପାଖକୁ ଆସି, କହିଲା ଉଠ ଇଉଠୁ ଏଇଟା ମୋ ସିଟ୍‌, ବିବେକ ତା ଆଡକୁ ଚାହିଁଲା ଏବଂ ପଚାରିଲା ତମ ସିଟ୍‌ କେମିତି ? ମୁ ଏଇଠି ବସିଛି, ତ ମୋ ସିଟ୍‌ ନା !!! ସେ ଝିଅ ରାଗରେ ତମ ତମ ହୋଇ କହିଲା ଏଇଟା ମୋ ସିଟ୍‌, ଏଇ ଦେଖ ମୁ ଏଇଠି ସୂତା ବାନ୍ଧିଚି, ମୁ ସବୁବେଳେ ଏଇଠି ବସେ, ଆଜି ଚୁଟି ସୁଖିବାରେ ଟିକେ ଡେରିହେଇଗଲା ନଚେତ୍‌ ମୋତେ ଏମିତି ଏଠି ଓକିଲାତି କରିବାକୁ ପଡ଼ିନଥାନ୍ତା । ବିବେକ ଦ୍ଵନ୍ଦର ସହ ତା ଆଡକୁ ଚାହିଁଲା ସେ ଝିଅର ସରଳ ତର୍କର କିଛି ବି ଉତ୍ତର ବିବେକ ପାଖରେ ନଥିଲା ମନେ ମନେ ଭାବିଲା ଗୋଟେ ସୂତା ବାନ୍ଧି ଲୋକ ସିଟ ସଂରକ୍ଷଣ କରିଦେଇପାରନ୍ତି !!!- “ସେ ଝିଅ ଥିଲା ଶ୍ରାବଣୀ ” । ସୂତାର ମୂଲ୍ୟ ବିବେକକୁ ଏ ପର୍ଯ୍ୟନ୍ତ ବି ଜଣା ନଥିଲା କିନ୍ତୁ ଧୀରେ ଧୀରେ ତାକୁ ବିଶ୍ୱାସ ହେବାକୁ ଲାଗିଲା । ଶ୍ରାବଣୀ ଏମିତି ଏକ କୋଉ ସମ୍ପର୍କ ସୂତାରେ ବିବେକର ମନକୁ ବାନ୍ଧି ଦେଇଥଲା ଯାହା ସମୟ ସହିତ ସୂତାର ଗଣ୍ଠି ବି ମଜବୁତ ହୋଇ ଯାଇଥିଲା, ସତ କହିବାକୁ ଗଲେ ଏ ପର୍ଯ୍ୟନ୍ତ ବି ବିବେକ ସେ ସମ୍ପର୍କ ସୂତାର ଗଣ୍ଠିରେ ବାନ୍ଧି ହୋଇ ରହିଛି । ବିବେକର ଅତୀତରୁ ମୁକୁଳିବା ଯେମିତି ଅସମ୍ଭବ ପ୍ରାୟ ହୋଇ ଯାଇଛି । ଅସମ୍ଭବ ଏକ ଏମିତି ଅତୁଟ ଶବ୍ଦ ଯୋଉଠି ପ୍ରୟାସର କୌଣସି ବି ସ୍ଥାନ ନଥାଏ ତା ପୂର୍ବରୁ ପରିସ୍ଥିତି କଠିନ କିମ୍ବା ବହୁତ କଠିନ ହୋଇ ଥାଏ ହେଲେ ପ୍ରୟାସର ମୂଲ୍ୟ ଥାଏ । ଠିକ୍‌ ଏମିତି ଏକ ଅସମ୍ଭବର ସାମ୍ନା ବିବେକର ହୋଇଥିଲା ଯେତେବେଳେ ତା ସିଭିଲ-ସର୍ଭିସ୍‌ର ଅନ୍ତିମ ଚେଷ୍ଟାର ଫଳାଫଳ ଆସିଥିଲା, ଶ୍ରାବଣୀର ନାମ ରେଜେଲ୍ଟ ବହିରେ ଥିଲା କିନ୍ତୁ ଦୃଭାଗ୍ୟ ବଶତଃ ବିବେକର ଅନ୍ତିମ ଚେଷ୍ଟା ବି ବିଫଳ ହୋଇଥିଲା । ତାକୁ ବୁଝା ପଡୁନଥିଲା ସେ ଖୁସୀ ହେବ, ନା ଦୁଃଖୀ ? ନିଜ ଦୁଃଖକୁ ତ ଲୁଚାଇ ପାରିବ ହେଲେ ଶ୍ରାବଣୀ ପାଇଁ ସେ କେମିତି ଖୁସୀ ହେବ ? ଇଏତ ଅନ୍ତର ଥିଲା ଶ୍ରାବଣୀ ଆଉ ବିବେକ ଭିତରେ, ବିବେକ ଶ୍ରାବଣୀ ପାଇଁ ଖୁସୀ ହୋଇ ପାରିଲାନି, କିନ୍ତୁ ଶ୍ରାବଣୀ !!! ବିବେକ ପାଇଁ ଦୁଃଖୀ ହୋଇଗଲା ।

ସ୍ୱପ୍ନ ମଞ୍ଜି ସଦୃଶ ହୋଇଥାଏ, ଯାହାକୁ ହୃଦୟ କ୍ଷେତ ରେ ଥରେ ବୁଣି ଦେଲେ ମନ ରାଇଜରେ ବିସ୍ତାରିତ ହୋଇଯାଏ । ସିଭିଲ-ସର୍ଭିସ୍‌ରେ ପାସ ହେବା କେବଳ ବିବେକର ଲକ୍ଷ୍ୟ ନଥିଲା, ଶ୍ରାବଣୀ ସହିତ ବିବାହ ବି କରିବାର ଥିଲା । କିନ୍ତୁ ଶ୍ରାବଣୀ ପାଠ ପଢିବା ଆଢୁଆଳରେ ବିବେକ କୁ କେବେ ପ୍ରେମ କରିବାର ସୁଯୋଗ ଦେଉନଥିଲା, ନା ବିବେକ କୁ ଆଉ କିଏ ପସନ୍ଦ ଆସୁଥିଲା, ଏବେ ତ ପୁରା ନହେଇଥିବା ସ୍ୱପ୍ନର ଲମ୍ବା ଲିଷ୍ଟ୍‌ ବିବେକ ପାଖରେ ଅଛି । ସତ କହିବାକୁ ଗଲେ ରେଜେଲ୍ଟ ଦିନ ହିଁ, ଶ୍ରାବଣୀର ଭାଗ୍ୟ ଉପରେ ବିବେକର ପ୍ରବଳ ଈର୍ଷା ହୋଇଥିଲା ଭଲା ଏବେ ସେ କୋଉ ମୁହଁରେ ଶ୍ରାବଣୀର ହାତ ମାଗିବ ଆଉ ଦିନ କେଇଟା ପରେ ଶ୍ରାବଣୀ ଆଇ.ଏ.ଏସ୍‌ ଅଫିସର ହୋଇଯିବ, ସେ କିଛି ବି କଲେ ତାର ବରବାରି କରି ପାରିବ ନାହିଁ । ଭୁବନେଶ୍ୱର ଆସିଲା ବେଳକୁ ବିବେକ ବୋଧ ହୁଏ ତା ଲଗେଜ୍‌ ବ୍ୟାଗକୁ ଠିକ୍‌ ସେ ଦେଖିନଥିଲା, ବ୍ୟାଗ ଭିତରେ ସ୍ୱପ୍ନର ମଞ୍ଜି ସହିତ ଅହଂକାରର ମଞ୍ଜିକୁ ବି ସେ ଭରି ନେଇ ଆସିଥିଲା, ସ୍ୱପ୍ନର ଫସଲ ଆସିବା କ୍ଷଣି ତାକୁ ଅହଂକାରର ଘାସ କୁ ଉପାଡି ଦେବାର ଥିଲା । ବିବେକର ଅସୁବିଧାରେ ଶ୍ରାବଣୀ ତା ସାଥିରେ ତ ଥିଲା, କିନ୍ତୁ ବିବେକ ପାଇଁ ସୂତାବାନ୍ଧି ସିଟ ସଂରକ୍ଷଣ କରିଥିବା ଶ୍ରାବଣୀ କୋଉଠି ହଜିଯାଇଥିଲା ତାକୁ ଆଇ.ଏ.ଏସ୍‌. ଅଫିସର ଶ୍ରାବଣୀ ଦେଖାଯାଉଥିଲା, ଶ୍ରାବଣୀର ପ୍ରଶଂସା ଯେମିତି ବିବେକକୁ ଚିଡେଇ ଇଂଗିତ କରି ତା ଅସଫଳତା ଘା’ ରେ ବାରମ୍ବାର ଲୁଣ ଛିଞ୍ଚିବାର କାମ କରୁଥିଲା ।

ଭଲ ହେଲା ଭୁବନେଶ୍ୱର ସହରଟା ବଦଳି ଯାଇଛି ନଚେତ ବିବେକର ଅନେକ କଥା ମନେ ପଡିଥାନ୍ତା ଆଉ ଶ୍ରାବଣୀ ବି, ଏବେ ତ ଏ ସହର ଯେମିତି ତାକୁ ପଚାରୁଛି ତୁ କିଏ ? ୟା ଭିତରେ ୩ ଦିନର ସେମିନାର ବି ସରିଛି, ରିପୋର୍ଟ ଡିପାର୍ଟମେଣ୍ଟ୍‌ ହେଡ୍‌ଙ୍କୁ ହସ୍ତାନ୍ତର କରି ଫେରିଯିବାର ଥିଲା । ସେଠାକାର ପିଅନ ବିବେକ୍‌ର ଗଳାରେ ଝୁଲୁଥିବା ଆଇଡି କାର୍ଡକୁ ଦେଖି କହିଲା ଆପଣ ମାନଙ୍କ ଫାଇଲ କ୍ୟାବିନ ନଂ ୩ ରେ ସାଇନ୍‌ ହେବ ହେଲେ ଟିକେ ଅପେକ୍ଷା କରିବାକୁ ପଡିବ, ଅଫିସର ବହୁତ ବ୍ୟସ୍ତ ଅଛନ୍ତି । ପିଅନ୍‌ର ଏପରି କଥା ଶୁଣି ସେମିନାରର ସଦସ୍ୟ ମାନେ ଏଣେ ତେଣେ ଦେଖିବାକୁ ଲାଗିଲେ, ବିବେକ ବି ଶୀଘ୍ର ଫ୍ରି ହେଇଜିବାକୁ ଚାହୁଁଥିଲା । ଫାଇଲ ସାଇନ୍‌ କରିବା ପୂର୍ବରୁ ଗୁଡ଼-ମର୍ନିଙ୍ଗ କହିବା ପାଇଁ ଯେମିତି କ୍ୟାବିନ୍‌ ଡୋରକୁ ଖୋଲିଛି ବିବେକର ନଜର ଅଫିସରଙ୍କ ଉପରେ ଯାଇ ପଡିଲା, ଚେହେରା ଟି କେମିତି ତାକୁ ଚିହ୍ନା ଚିହ୍ନା ଲାଗୁଥିଲା, ତୁରନ୍ତ ସାମ୍ନା ଟେବୁଲ ଉପରେ ଥିବା ନେମ୍‌-ପ୍ଲେଟ୍‌ରେ ନଜର ପକାଇଲା ସେଥିରେ ଲେଖାଥିଲା ଆଇ.ଏ.ଏସ. ଶ୍ରାବଣୀ ।

ମଥାରେ ନାଲି ରଙ୍ଗର ସିନ୍ଦୁର ନାଇ ଶ୍ରାବଣୀ ଖୁବ ସୁନ୍ଦର ଦିଶୁଥିଲା, ଯେମିତି କୋଉ ଚିତ୍ରକର ତା ତୂଳୀର ରଙ୍ଗରେ ନିର୍ଜୀବ ଛବିକୁ ଜୀବିତ କରି ବସେଇ ଦେଇଛି, ନିଜ ପ୍ରେମିକାକୁ ଏତେ ପାଖରୁ ଦେଖି ଖୁସୀ ଲାଗୁଥିଲା ଦୁଃଖ ବି !!! ହଠାତ ନିଜକୁ ମନ କୁ ପଚାରିବାକୁ ଲାଗିଲା ସେ ନିଜେ କେମିତି ଦେଖାଯାଉଛି, ମନ ଭିତରୁ ଧୀରେ ସେ ଏକ ଧ୍ୱନି ଶୁଣାଗଲା, ” ତୁ ତୋ ନିଜକୁ ସମୟ ହାତରେ ଟେକିଦେଇ ଆଇନା ଦେଖିବା କେବେଠାରୁ ଭୁଲିଯାଇଛୁ, ପୁଣି ଆଜି କାହିଁକି ଏ ପ୍ରଶ୍ନ ? “। ବିବେକ ହୃଦୟ ସ୍ପନ୍ଦନର ବେଗ ପୂର୍ଣ୍ଣମୀର ଜହ୍ନ ପରି ବଢିବଢି ଯାଉଥିଲା ତାକୁ ବୁଝାପଡୁନଥିଲା ଫାଇଲ ସାଇନ୍‌ କରିବା ବିନା କ୍ୟାବିନ ବାହାରକୁ ଚାଲିଯିବ ନା ଅପେକ୍ଷା କରିବ । ଠିକ ଏହି ସମୟରେ ଶ୍ରାବଣୀ ନଜର ଉଠାଇ ବିବେକ ଆଡକୁ ଚାହିଁଲା ଅନ୍ୟ ମାନେ ରିପୋର୍ଟ ସାଇନ୍‌ କରି ବାହାରକୁ ଚାଲି ଯାଇଥିଲେ, ଶ୍ରାବଣୀ ଏମିତି ଭାବରେ ବିବେକ କୁ ଚାହିଁ ରହିଥିଲା ଯେମିତି ସେ କିଛି ମନେ ପକାଇବାକୁ ଚେଷ୍ଟା କରୁଥିଲା ଦୁହେଁ ପାଞ୍ଚ ବର୍ଷର ଦୂରତା କୁ ଯେମିତି ଗୋଟେ କ୍ଷଣ ମଧ୍ୟରେ ବାନ୍ଧି ଦେବାକୁ ଚାହୁଁଥିଲେ !!! ଏତେ ବର୍ଷ ବିତି ଗଲା ପରେ ଶ୍ରାବଣୀକୁ ହରାଇବାର ଯନ୍ତ୍ରଣା ଆଉ ବିବେକ ର ନଥିଲା ହେଲେ ମନ ଭିତରେ କୋଉଠି ଏକ ଅବଶୋଷର ଦୁଃଖ କୁହୁଳୁ ଥିଲା । ” ଯନ୍ତ୍ରଣା ଆଉ ଦୁଃଖ ଭିତରେ ଏଇତ ତଫାତ୍‌ – ଯନ୍ତ୍ରଣା ପଚାରେ କେମିତି ହେଲା କିନ୍ତୁ ଦୁଃଖ ପଚାରେ କାହିଁକି ହେଲା ? ଯନ୍ତ୍ରଣା ନିଜର ଉତର ପାଇଲା ପରେ ଧୀରେ ଧୀରେ ଫିକା ପଡ଼ିବାକୁ ଲାଗେ ହେଲେ ଦୁଃଖ ଜବାବ ପାଇଲା ପରେ ବି ଶହେ ପ୍ରଶ୍ନ ରଖିବାକୁ ପଛାଏ ନାହିଁ ” ।

ବିବେକ ପାଞ୍ଚବର୍ଷ ପଛକୁ ଫେରି ସବୁକିଛି ଠିକ କରିଦେବାକୁ ଚାହୁଁଥିଲା, ହେଲେ ସେଠି ଠିକ୍‌ କରିବାକୁ ଥିଲା ବା କ’ଣ ? ନା ତାର ବିଫଳତା ଠିକ ହୋଇ ପାରିଥାନ୍ତା, ନା ତା’ର ଇର୍ଷା । ଶ୍ରାବଣୀ ଇଶାରା କରି ବିବେକକୁ ବସିବା ପାଇଁ କହିଲା ସେତେବେଳକୁ ଶ୍ରାବଣୀକୁ ଆଦେଶ ଦେବାର ଅଭ୍ୟାସ ହୋଇ ଯାଇଥିଲା ଆଉ ବିବେକ କୁ ପାଳନ କରିବାର ସେ ବିବେକର ରିପୋର୍ଟ ଫାଇଲ୍‌କୁ ଖୋଲି କେବଳ ଏତିକି କହିଲା ଏ ରିପୋର୍ଟରେ ବହୁତ ଭୁଲଭାଲ ଅଛି, ୟାକୁ ଜିଏବି କରିଛି ତାକୁ ବୁଝେଇ ଦେବ ଏମିତି ଭୁଲ ପାଇଁ ଉପରେ ଏକ୍ସପ୍ଲାନେସନ୍‌ ଦେବାକୁ ପଡିଥାଏ, ମୁଁ ସାଇନ୍‌ କରିନି ପୁଣିଥରେ ଠିକ୍‌ କରି ନେଇଆସ – ବିବେକ ଏକାଗ୍ର ଭାବରେ ଶ୍ରାବଣୀ କୁ ଚାହିଁ ରହିଥଏ କିନ୍ତୁ ଶ୍ରାବଣୀର ନଜର ରିପୋର୍ଟ ଉପରେ, ଶ୍ରାବଣୀ କୁ ଜଣା ନଥିଲା ଏ ରିପୋର୍ଟ ବିବେକ ନିଜେ ପ୍ରସ୍ତୁତ କରିଥିଲା ଆଉ ଜାଣି ଶୁଣି ଭୁଲ-ଭାଲ କରିଥିଲା କାରଣ କେହି ଯେମିତି ତାକୁ ଆଗକୁ ସେମିନାର ପାଇଁ କେବେ ଭୁବନେଶ୍ୱର ପଠେଇବେ ନାହିଁ । କ୍ୟାବିନ ଭିତରୁ ବାହାରି ବିବେକ ବାହାରକୁ ଆସି ଅନେକ ଦିନ ପରେ ନିଜ ଚେହେରା କୁ ଆଇନା ରେ ଦେଖୁଥିଲା – ଦାଢ଼ି ଗୁଡାକ ଲମ୍ବା ହୋଇ ଯାଇଛି ମୁଣ୍ଡର ଚୁଟି ଗୁଡାକ ବି ମୁଖୁରା ହୋଇରହିଛି, ଶ୍ରାବଣୀ ତାକୁ ଦେଖି କିଛି ବି ପ୍ରତିକ୍ରିୟା ଦେଇନଥିଲା ବିବେକ ଚିନ୍ତା କଲା ବୋଧ ହୁଏ ଶ୍ରାବଣୀ ତାକୁ ଚିହ୍ନି ପାରିଲା ନାହିଁ ।

ବିବେକ ସହରର ଗଳିରେ ଯାହାକୁ ମନେ ମନେ ଖୋଜୁଥିଲା ସେ ଆଜି ତା ସାମ୍ନାରେ ଛିଡା ହୋଇଥିଲା ହେଲେ ସେ ଚଞ୍ଚଳ ଚେହେରାରେ ଏବେ କିଛି ବି ପାଗଳୀପଣ ନଥିଲା ଯେମିତି କୋଉ ପାହାଡି ନଈ ଖୋଲା ପଡିଆ କୁ ଆସି ଶାନ୍ତ ହୋଇଯାଇଛି । ଯଦି ସେମିନାର ରିପୋର୍ଟ ସାଇନ୍‌ କରିବାର ବାଧ୍ୟକତା ନଥାନ୍ତା ତେବେ ବିବେକ ବୋଧ ହୁଏ ପଳାଇଥାନ୍ତା । ରାତି ଅନିଦ୍ରା ହୋଇ ରିପୋର୍ଟକୁ ପୁଣି ଥରେ ଭଲ ଭାବେର ଅନୁକରଣ କରି ଦରକାରି ଅଂଶକୁ ଆବଶ୍ୟକତା ଅନୁସାରେ ଠିକ୍‌ କରିନେଲା । ତା’ ପରଦିନ ସକାଳୁ ସକାଳୁ ଉଠି ବିବେକ ଯେତେବେଳେ ଶ୍ରାବଣୀର ଅଫିସରେ ପହଁଚିଲା ଆଗ ଅପେକ୍ଷା ତା ଚେହେରା ଆଜି ଟିକେ ଖୁସି ଦେଖା ଯାଉଥିଲା ଯଦିଅବା ଅନେକ ଦିନ ପରେ ଆଇନା ଦେଖିଥିଲା ତଥାପି ତାର ବିଶ୍ୱାସ ଥିଲା ଶ୍ରାବଣୀ ତାକୁ ଚିହ୍ନି ପାରିବନି, ତା ଛଡ଼ା ଚାକର- ବାକର, ଗାଡି- ବଙ୍ଗଳା ଆସିଲା ପରେ ଜୀବନ ରେ କେତେ କଣ ପରିବର୍ତ୍ତନ ହୋଇଥିବ, ସମୟ ସ୍ରୋତରେ ବହି ଯାଇଥିବା ଅଧା ଲେଖା କାହାଣୀକୁ କିଏ ବା କାହଁକି ମନେ ରଖିବ ? ବିବେକ ଏମିତି ସବୁ ଆନମନା ଭାବନା ରେ ଶ୍ରାବଣୀ ସାମ୍ନାରେ ବସିଛି, ଚୁପ-ଚାପ ଶ୍ରାବଣୀ ଫାଇଲକୁ ସାଇନ୍‌ କରି ପଚାରିଲା ତମର ବାହାଘର ହେଲାଣି ? ଏମିତି ଏକ ଅପ୍ରତ୍ୟାଶିତ ପ୍ରଶ୍ନ ଶୁଣି ବିବେକ ଚମକି ପଡିଲା ମନେ ମନେ ଚିନ୍ତା କଲା ଶ୍ରାବଣୀ ନିଶ୍ଚେ ଘରକୁ ଯାଇ ତା ହୃଦୟର କୋଉ କୋଠରୀ ଭିତରେ ଲୁଚେଇ ରଖିଥିବା ସିନ୍ଦୁକରୁ ବିବେକର ସବୁ ସ୍ମୃତିକୁ କାଢିଥିବ, ତା ପରେ ତାକୁ ଖରା ରେ କିଛି ସମୟ ପାଇଁ ଶୁଖାଇଥିବ !!! ବିବେକ ବି ଉତର ଦେଲା ନା ହୋଇନି, ତମର ? ବିବେକ କୁ ବିଶ୍ୱାସ ଥିଲା ସିଏ ସେଇ ଶ୍ରାବଣୀ ସହିତ କଥା ହେଉଛି ଯିଏ ସୂତା ବାନ୍ଧି ଟିଚର୍‌ଙ୍କ ପାଖ ସିଟକୁ ନୁହେଁ ତାକୁ ବି ସମ୍ପର୍କ ସୂତାରେ ବାନ୍ଧି ଦେଇଥିଲା, ଶ୍ରାବଣୀ କିଛି ସମୟ ନିରବ ହୋଇ ବସିଲା, ଏବଂ ଧୀରେ ସେ କହିଲା…. ହଁ କରିନେଇଛି – ତା ପରେ ସାମ୍ନା ଥିବା ଟେବୁଲ ଉପରେ କ୍ୟାଲେଣ୍ଡର କୁ ଓଲଟାଇ ଦେଲା,ପଛରେ ଶ୍ରାବଣୀ ପରିବାର ଫୋଟ ଲାଗିଥିଲା । ଫଟୋରେ ଦୁଇଟି ଛୋଟ ଝିଅ ସାଥିରେ, ମୁହଁରେ ହାଲ୍କା ହସଥିବା ଲୋକ ଟିଏ ଆଉ ତା ପାଖରେ ଶ୍ରାବଣୀ ଛିଡା ହୋଇଥିଲା । ସେ ସମୟରେ ବିବେକକୁ ଅନୁଭବ ହେଲା ତାକୁ ତା ମା’ କଥା ମାନି ବିବାହ କରି ନେବାର ଥିଲା । ଶ୍ରାବଣୀ ପରିବାର ଫଟୋକୁ ଦେଖି ବିବେକକୁ ଖରାପ କାହିଁକି ଲାଗିଲା ? କଣ ଏବେବି ତା ମନରେ ଶ୍ରାବଣୀ ପାଇଁ ସେଇ ପ୍ରେମ ଭଲପାଇବା ଏବଂ ବିବାହ କରିବାର ଆକାଂକ୍ଷା ଜୀବିତ ଅଛି ? ସେଇଠି ବସି- ବସି ବିବେକ ନିଜ ହୃଦୟକୁ ଜେରା କରୁଥିଲା, ହୃଦୟର କାଠଗଢାରେ ଠିଆ ହୋଇ ମନ ସାକ୍ଷୀ ଦେଲା ହଁ ଏମିତି ଏକ ଆକାଂକ୍ଷା ତୋ ଭିତରେ ବଢ଼ୁଥିଲା ଯାହାର ଅନ୍ତ ଶ୍ରାବଣୀର ସେ ଫଟୋକୁ ଦେଖି ହୋଇଗଲା । ଶ୍ରାବଣୀ ପୁଣି ଥରେ ପଚାରିଲା ବାହା କାହିଁକି ହୋଇନ ? ଦୁହିଁଙ୍କ ମଧ୍ୟରେ ଗୋଟେ ଅଧୁରା କାହାଣୀ ସହିତ ବର୍ତ୍ତମାନ ବି ବଢ଼ୁଥିଲା, ବିବେକ ସେ ବର୍ତ୍ତମାନ କୁ ବୁଝିପାରୁଥିଲା ସେ ଶ୍ରାବଣୀ କୁ କହିଦେବାକୁ ଚାହୁଁଥିଲା ତା ପାଖରେ ବାହା ହେବାର କୌଣସି କାରଣ ନଥିଲା, କିଛି ମଣିଷ ପ୍ରେମ କରି ବାହା ହୁଅନ୍ତି କିମ୍ବା ନିଜ ଏକା ପଣ ଠାରୁ ହାରିଗଲା ପରେ ଆଉ କିଛି ପରିସ୍ଥିତିର ଦାସ ହୋଇ କିନ୍ତୁ ବିବେକ ପ୍ରେମ କରି ବାହା ହୋଇ ପାରିଲାନାହିଁ ନା ପ୍ରେମରେ ହାରି ବାହା ହେବାକୁ ଚାହୁଁ ଥିଲା । ମା’ ତ ଅନେକ ଥର ବାଧ୍ୟ କରିଛି ହେଲେ ଜବ ନହେବା ବାହାନାରେ ବିବେକ ସବୁ ଥର ବାହାଘର କଥାକୁ ଏଡେଇ ଦେଉଥିଲା ଯେବେ ଜବ ମିଳିଲା ତାର କିଛି ଦିନ ପରେ ମା’ ଚାଲିଗଲା ବାବାଙ୍କ ପାଖକୁ ମାନେ ଆରପାରିକୁ ତା’ପରେ ତାକୁ ବାଧ୍ୟ କରିବାକୁ କେହି ବି ନଥିଲେ ଆଉ ସେ ସମୟ ସ୍ରୋତରେ ବହିଚାଲିଲା । ଆଉ କିଛି ପଚାରିବା ପୂର୍ବରୁ ଶ୍ରାବଣୀ ଟେବୁଲ ଉପରେ ଥିବା ଫୋନ୍‌ ରିଙ୍ଗ୍‌ ହେବାକୁ ଲାଗିଲା ସେ ଫୋନ୍‌ ଉଠାଇ କିଛି ସମୟ ଶୁଣିଲା ଏବଂ କହିଲା କମିଶନର ମୀଟିଙ୍ଗ ପର୍ଯ୍ୟନ୍ତ ସବୁ ଆପଏଣ୍ଟମେଣ୍ଟ୍‌ କୁ ପୋଷ୍ଟପଣ୍ଡ୍‌ କରିଦିଅ । ଫୋନ୍‌ କାଟିଲା ପରେ କୋଠରୀରେ ନୀରବତା ଛାଇଗଲା ବିବେକ କିଛି କ୍ଷଣ ଚାହିଁ ରହିଲା ଶ୍ରାବଣୀ ଚେହେରାର ବଦଳୁଥିବା ରଙ୍ଗକୁ, ଅଚାନକ ନିରବତାକୁ ଭାଙ୍ଗି ଶ୍ରାବଣୀ ପଚାରିଲା ମୁ ୩ ମାସ ପର୍ଯ୍ୟନ୍ତ ଏଠି ସେଠି ତମକୁ ପାଗଳୀଙ୍କ ପରି ଖୋଜିଲି, ତମକୁ ଏମିତି ଚାଲିଯିବାର ନଥିଲା !!! ମନର ସବୁ କଥା ବିବେକର ଜିଭ ଉପରେ ଆସି ଅଟକି ଗଲା ଯେମିତି ତା ଗଳାକୁ କିଏ ଜାବୁଡି ଧରିଛି ସେ ଶ୍ୱାସ ରୁଦ୍ଧ କଣ୍ଠ ରେ କହିଲା…ଆଇ ଆମ ଶରୀ, ଶ୍ରାବଣୀ କିନ୍ତୁ ସବୁଥର ପରି ଏଥର ଇଟ୍ସ ଓକେ କହିନଥିଲା ବିକଜ୍‌ ଇଟ୍‌ ୱାଜ୍‌ ନଟ୍‌ ଓକେ ଫର୍‌ ବୋଥ୍‌ ଅଫ୍‌ ଦେମ୍‌ । ଶ୍ରାବଣୀ କଥାକୁ ବୁଲେଇ ବାକୁ ଯାଇ କହିଲା ଆଜି ସନ୍ଧ୍ୟାରେ ଘରକୁ ଆସ ଅଭିନାଶ ବହୁତ ଖୁସି ହେବେ ( ଅଭିନାଶ – ଶ୍ରାବଣୀ ର ସ୍ୱାମୀ ), ଏହି ସମୟ ରେ ଶ୍ରାବଣୀ ର ପି.ଏ ଧାଇଁ ଧାଇଁ ଆସି କହିଲା ମ୍ୟାଡ଼ାମ କନିଶନର ସାହେବ ଅସିଗଲେଣି ଆପଣଙ୍କୁ ଖୋଜୁଛନ୍ତି ଶ୍ରାବଣୀ ତର ତର ହୋଇ ସିଟରୁ ଉଠି ଯିବା ବେଳେ କହିଲା ବିବେକ ତମ ମୋବାଇଲ ନମ୍ବର ମୋ ପି. ଏ କୁ ଦେଇଯିବ, ଆଉ ଅଳ୍ପ କେଇ ପାଦ ଗଲା ପରେ ପଛକୁ ବୁଲି କହିଲା – ହଁ ମ୍ୟାରେଜ୍‌ କରିନେବ ।

ଲୋକପ୍ରିୟ ଲେଖା

To Top