ଅଣୁଗଳ୍ପ

ଅଙ୍ଗୁଳି

Hemanta Kumar Rout's odia short story Anguli

ଯୁଗଯୁଗ ଧରି ପ୍ରତିଭାମାନଙ୍କୁ ହତ୍ୟା କରୁଥିବା କଳଙ୍କିତମାନଙ୍କୁ ଯେତେବେଳେ ଚିହ୍ନଟ କରାଯିବ ସେତେବେଳେ ଆପଣଙ୍କ ଆଡ଼କୁ କେବଳ ଅଙ୍ଗୁଳି ନିର୍ଦ୍ଦେଶ କରାଯିବ ।

ଅଙ୍ଗୁଳି

କୁରୁକ୍ଷେତ୍ର ଯୁଦ୍ଧର ବହୁବର୍ଷ ପରେ ଦ୍ରୋଣଙ୍କ ସହ ଏକଲବ୍ୟଙ୍କର ସାକ୍ଷାତ ହେଲା ସ୍ୱର୍ଗପୁରରେ । ଏକଲବ୍ୟ ଗୁରୁଙ୍କୁ ସାଦର ପ୍ରଣିପାତ କଲେ । ଦ୍ରୋଣାଚାର୍ଯ୍ୟ ତାଙ୍କର ପରିଚୟ ପଚାରନ୍ତେ ସେ କହିଲେ, “ମୁଁ ହତଭାଗ୍ୟ ବନବାସୀ, ମୋ ନାଁ ଏକଲବ୍ୟ । ଆପଣ ମୋର ସର୍ବସ୍ୱ ଲୁଣ୍ଠନ କରିବା ପରେ ମଧ୍ୟ ମୋତେ ମନେରଖି ନାହାନ୍ତି ଜାଣି ମୁଁ ସେଥିପାଇଁ ବିସ୍ମିତ ଓ ମର୍ମାହତ । ପାପାତ୍ମା କୌରବଙ୍କ ଠାରୁ ପ୍ରକୃତ ପରିଶୋଧ ମୁଁ ନେଇ ପାରିଲିନି । ଆପଣଙ୍କ ବିଶ୍ୱାସଘାତକତାକୁ ମଧ୍ୟ ମୁଁ ବୁଝି ପାରିଲିନି । ମୋତେ ଆପଣ କେବେ ହାତଧରି ଧନୁର୍ବିଦ୍ୟା ଶିଖେଇ ନ ଥିଲେ । କରାମତି ମଧ୍ୟ ଦେଖେଇ ନଥିଲେ । ମୋ କଠୋର ସାଧନା ବଳରେ ମୁଁ ବଳୀୟାନ୍ । ଆପଣ ପ୍ରକୃତରେ ଗୁରୁଙ୍କ କାର୍ଯ୍ୟ କରିନାହାନ୍ତି । ନୀଚ ଜାତିର ପ୍ରତିଭାକୁ ଧ୍ୱଂସ କରି ଆପଣ ଉଚ୍ଚ ବଂଶର ସମ୍ମାନ ବଜାୟ ରଖିଛନ୍ତି ।”

ଦ୍ରୋଣାଚାର୍ଯ୍ୟ କହିଲେ, “ତମ ପ୍ରତି ମୋର ଅବିଚାର ପାଇଁ ମୁଁ ଅନୁତପ୍ତ । ତମେ ମୋତେ ଅଭିଶାପ ଦିଅ ।”

ଏକଲବ୍ୟ କହିଲେ, “ସେଦିନ କୁରୁକ୍ଷେତ୍ରରେ ତମେ ପାଇଛ ତମ କୃତକର୍ମର ଫଳ । ଅଙ୍ଗୁଳି କାଟି ତମେ ଯେପରି ମୋ ପ୍ରତିଭାକୁ ତିଳତିଳ ଭାବରେ ହତ୍ୟା କଲ, ତମ ହାତରେ ଅସ୍ତ୍ର ନଥିବା ବେଳେ ଅଙ୍ଗୁଳି ନିର୍ଦ୍ଦେଶ କରି ଶ୍ରୀକୃଷ୍ଣ କହିଥଲେ-

ଦେଖ ପାର୍ଥ ! ଦ୍ରୋଣାଚାର୍ଯ୍ୟ ଅସ୍ତ୍ର ତ୍ୟାଗ କରିଛନ୍ତି । ଏହା ଉପଯୁକ୍ତ ସମୟ । ତମେ ନିର୍ବିଘ୍ନରେ ଶରାଘାତ କର । ଅର୍ଜୁନଙ୍କ ଶରାଘାତରେ ତୁମେ ପ୍ରାଣ ତ୍ୟାଗ କଲ ।”

ଯୁଗଯୁଗ ଧରି ପ୍ରତିଭାମାନଙ୍କୁ ହତ୍ୟା କରୁଥିବା କଳଙ୍କିତମାନଙ୍କୁ ଯେତେବେଳେ ଚିହ୍ନଟ କରାଯିବ ସେତେବେଳେ ଆପଣଙ୍କ ଆଡ଼କୁ କେବଳ ଅଙ୍ଗୁଳି ନିର୍ଦ୍ଦେଶ କରାଯିବ । ମନେରଖ ସେ ଅଙ୍ଗୁଳିର କେବେ ବିଲୟ ନାହିଁ ।

ଲୋକପ୍ରିୟ ଲେଖା

To Top