ଅଣୁଗଳ୍ପ

ବାଡ଼ିପୋଡା ସତ୍ୟବାନ

କିଏ ଠକିବ କାହିଁକି ବା ? ବାଡିପୋଡା ଯାହା ଆଣିକି ଦେଲା ପିନ୍ଧିଲି।”- ସୂତାଶାଢି ପିନ୍ଧିଥିବା ମହିଳା ଜଣଙ୍କ କହିଲେ ।

ବାଡ଼ିପୋଡା ସତ୍ୟବାନ

ଅଧ୍ୟାପକ ଅବିନାଶଙ୍କ ପାଇଁ ଆଜି ଏକ ଛୁଟିଦିନ । ଆଜି ସାବିତ୍ରୀ ବ୍ରତ । ଆଜି ସକାଳୁ ଏକ ଦାୟିତ୍ୱ ହେଉଛି, ଧର୍ମ ପତ୍ନୀଙ୍କୁ ନେଇ ମନ୍ଦିରକୁ ଯିବା, ଯେପରି ସାବିତ୍ରୀ ଉପବାସ ବ୍ରତ ପାଇଁ ଆୟୋଜିତ ସବୁ ପୂଜା ସାମଗ୍ରୀ, ଭୋଗ ରାଗ ଆଦି ଦେବୀଙ୍କ ପାଖରେ ଲାଗିବ ଓ ବ୍ରତ ପାଳିତ ହେବ । ଅବିନାଶ ମୂର୍ତ୍ତି ମୂଜାରେ ବିଶ୍ୱାସ ରଖନ୍ତି ନାହିଁ , ଧର୍ମପତ୍ନୀ ଲିପ୍ସା କିନ୍ତୁ ଧର୍ମ ବିଧି ପରାୟଣା । ଅବିନାଶ ପାଖରେ ତାଙ୍କୁ ଜନ୍ମ ଦିନରେ ଉପହାର ସ୍ୱରୂପ ମିଳିଥିବା ପକେଟ୍ ଗୀତାଟିଏ ରଖି ଥାଆନ୍ତି, ବେଳେ ବେଳେ କାଢି ପଢନ୍ତି, କିଛି ସମୟ କ’ଣ ଟିକିଏ ଭାବନ୍ତି , ପୁଣି ପକେଟ୍ କି ବ୍ୟାଗ୍‌ରେ ରଖିଦିଅନ୍ତି । ମନ୍ଦିର ଯାଆନ୍ତି ନାହିଁ, ସେଥିପାଇଁ କିଛି ତାଙ୍କୁ ନାସ୍ତିକ ବୋଲି କୁହନ୍ତି । କିଏ କଅଣ କହିଲେ ମଧ୍ୟ ଅବିନାଶ ବାବୁ ବିଶେଷ ଫରକ୍ ପଡେନାହିଁ ।

ଆଜି ପତ୍ନୀ ଲିପ୍ସାଙ୍କ୍ ମନ୍ଦିର ଦ୍ୱାର ପାଖରେ ଛାଡି, କଡରେ ଥିବା, ଗଛ ଛାଇରେ ସ୍କୁଟରଟିକୁ ପାର୍କ୍ କରି ତା’ ଉପରେ ବସିଲେ । ଏକ ଲମ୍ବା ଧାଡି ମନ୍ଦିର ଦେବୀଙ୍କର ଗର୍ଭ ଗୃହରୁ ଆରମ୍ଭକରି , ଶେଷନାଗ ସର୍ପକୁଣ୍ଡଳୀ ଭଳି ମନ୍ଦିର ବେଢାରେ ବୁଲି ବୁଲି , ମନ୍ଦିର ତୋରଣ ଯାଏଁ ଲମ୍ବିଥାଏ । ସବୁ ଦେବୀ ମାନକୁ ମନ୍ଦିରର ଦେବୀଙ୍କର ଆଶୀର୍ବାଦ ଦରକାର, ସେମାନଙ୍କ ସତ୍ୟବାନ ପାଇଁ । ଲିପ୍ସା ମଧ୍ୟ , ଗର୍ଭଗୃହ ମଧ୍ୟକୁ ପ୍ରବେଶ କରି ଦେବୀ ଦର୍ଶନାଭିଳାଷୀ ମହିଳା ମାନଙ୍କର ଲମ୍ବା ଧାଡିରେ ଧୈର୍ଯ୍ୟର ସହ ଯୋଗ ଦେଇଥାଆନ୍ତି।

ସାମନାରେ ଗୋଟିଏ ଫଳ ବାଲା , ସାଇକେଲ୍ ଝୁଡିରେ ଫଳ ନେଇ , ଡାକି ଡାକି ଯାଉଥାଏ । ଲାଲ୍ , ଗୋଲାପୀ ଲିଚୁକୁ ଦେଖି ଅବିନାଶ୍ ପଚାରିଲେ, “ଭାଇ, ଲିଚୁ କେତେ ଟଙ୍କାରେ ଦେଉଛ?” – “ଆଜ୍ଞା କିଲୋ ୫୦୦/-” ଅଟକି ଯାଇ, ଫଳବିକାଳୀ ଟି କହିଲା । “୫୦୦/- ଟଙ୍କା ??, କ’ଣ ପତ୍ର ସହ ନା ପତ୍ର ବିନା?” – ନିଜ କାନକୁ ବିଶ୍ୱାସ ନକରିପାରି ଅବିନାଶ୍ ବାବୁ ପଚାରିଲେ। “ଆଜ୍ଞା ଲିଚୁ ତ ପତ୍ର ସହ ଓଜନ ହୁଏ, କିଲୋ ଜମା ୫୦୦/- ଟଙ୍କା” – “କ’ଣ ପାଇଁ ଏତେ ଦାମ୍ ମାଗୁଛୁ କିରେ ? କ’ଣ ସାବିତ୍ରୀ ପାଇଁ ?” ଅବିନାଶ୍ ବାବୁ ତଲବ୍ କଲେ । “ଆଜ୍ଞା ଭଲ ଲିଚୁ , ଇମ୍ପୋର୍ଟେଡ୍ କ୍ୱାଲିଟି , ଖାଲି ଲିଚୁ ଉପରେ ଷ୍ଟିକର୍ ଲାଗିପାରିବନି ବୋଲି । ଆଉ, ଏ ଓଷା ଓପାସ ରେ ଗୋଟେ ଦୁଇ ପଇସା ରୋଜଗାର ହୁଏ। ନହେଲେ ଆମ ବେପାର ରେ ଖାଲି କ୍ଷତି ।” ପାଞ୍ଚ ଗୁଣା ଦାମ୍ ଶୁଣି , ମିଠା ଲିଚୁ ଖାଇବାକୁ ଆଶା କରିଥିବା, ଅବିନାଶ୍ ବାବୁଙ୍କ ମନଟା ପିତା ହୋଇସାରିଥିଲା । ଅର୍ଥନୀତି ପଢାଉଥିବା ଆସୋସିଏଟ୍ ପ୍ରଫେସର୍ ଅବିନାଶ୍ , ଜାଣିଥିଲେ ଆବଶ୍ୟକତା ଆନୁଯାୟୀ ଦ୍ରବ୍ୟ ର ମୂଲ୍ୟ ବୃଦ୍ଧି ହୁଏ, କିନ୍ତୁ ଏହି ଭଳି ମୂଲ୍ୟ ବୃଦ୍ଧିର କାରଣ ଅର୍ଥନୀତିରେ ନଥିଲା, ବରଂ ରୀତି ଓ ପରମ୍ପରାରେ ଥିଲା । ବୁଲା ବିକାଳୀ ଠାରୁ , ପାଇକାରୀ ସମସ୍ତେ ଗୋଟିଏ ପୂଜା ଦିନରେ ଭକ୍ତ-ଗ୍ରାହକ ମାନଙ୍କର କଷ୍ଟ ଉପାର୍ଜିତ ଅର୍ଥକୁ , ଜୋକ ପରି ଶୋଷିବାକୁ ପ୍ରସ୍ତୁତ , ଖାଲି ଲାଗିବାକୁ ନଦେଲେ ହେଲା । ଏହା ଭାବି, ନିଷ୍ପତ୍ତି ନେଲେ , କି ଆଜି କିଣିବେ ନାହିଁ । କହିଲେ, “ ଇମ୍ପୋର୍ଟେଡ୍ ଲିଚୁ ? ସେ ସବୁ ଏକ୍ସପୋର୍ଟ, ଇମ୍ପୋର୍ଟ୍ ଷ୍ଟିକର ସବୁ ଷ୍ଟିକର ଦୋକାନରେ ମିଳୁଛି । ତମେ ସବୁ ଏମିତି ଦାମ ଚଢା କରିବ, ଗ୍ରାହକ କମ୍ କିଣିବେ ଓ କମ୍ ଖାଇବେ, ତୁମ ମହାଜନ ଗୋଦାମ , କୋଲ୍ଡଷ୍ଟୋର୍‌ରେ ଟନ୍ ଟନ୍ ଫଳ ଓ ପରିବା ପଚିବ, ତା’ପରେ ତୁମ ମହାଜନ, ସେ କ୍ଷତିକୁ , ମୂଳରେ ଯୋଡି, ଅଧିକା ଦାମ୍ କରି , ପୁରୁଣା ଜିନିଷକୁ ବିକିବ। ଯା’ କିଣିବାର ନାହିଁ ତୋଠୁ।” ଅବିନାଶ ବାବୁଙ୍କ କଥା ଶୁଣି ଆଉ କିଛି ଅପେକ୍ଷାରତ-ସ୍ୱାମୀ-ଭାବୀ-ଗ୍ରାହକ ମାନେ ମଧ୍ୟ ପଛକୁ ଘୁଞ୍ଚିଗଲେ । ଫଳ ବିକାଳୀଟିର ବିକିବାର ଆଶା ମରିଗଲା । ସେ ବି ଅବା ଆଉ କ’ଣ କରିପାରିଥାନ୍ତା ? ଅର୍ଥ ଲୋଭୀ ମଣିଷ ମାନେ ତିଆରି କରିଥିବା, ଶୋଷଣକାରୀ ଅର୍ଥବ୍ୟବସ୍ଥାର ଗୋଟିଏ ଛୋଟ ଅଂଶ ସିଏ , ଏଭଳି , ଅଂଶ ଯାହା ହାତରେ କିଛି ନାହିଁ ।

ଅବିନାଶ୍ ବାବୁ ବୁଲି ଲିପ୍ସାଙ୍କୁ ଦେଖିଲେ, ପେଟେ ଖାଇଥିବା ଆଜଗର ସାପର ମନ୍ଥର ଗତି ପରି, ଧାଡିଟି ଧିରେ ଧିରେ ଚାଲୁଥାଏ । ଲିପ୍ସା ଦୁଇ ତିନି ପାଦ ଆଗକୁ ବଢିଥାଆନ୍ତି । ସମସ୍ତଙ୍କର ସ୍ପେସାଲ୍ ପୂଜା ଦରକାର , ମନ୍ଦିର ପୂଜାରୀ ମାନଙ୍କର ସ୍ପେସାଲ୍ ଦକ୍ଷିଣା ଦରକାର । କିଛି ମହିଳା, ଏହା ଭିତରେ, ପୂଜା ରୂପକ ମହା ସମର ସାରି ଗେଟ୍ ପାଖକୁ ଆସି ଗପ ସପ ହେଉଥାଆନ୍ତି । କେହି ଜଣେ ମହିଳାଙ୍କ ଉଚ୍ଚ ସ୍ୱର ଶୁଣି ଅବିନାଶ୍ ବାବୁଙ୍କ କାନ ସିଆଡେ ବୁଲିଗଲା । “କିରେ, ତୁ ଏ ଶହେଟଙ୍କିଆ ସୂତା ଶାଢୀ କଅଣ ପିନ୍ଧିଛୁ ? ଏଇଟା କ’ଣ ଦିଶୁଛି ବା ? କିଏ ଠକିଲା ତତେ” – ଜଣେ ମହିଳା ପଚାରୁଥାଆନ୍ତି । “କିଏ ଠକିବ କାହିଁକି ବା ? ବାଡିପୋଡା ଯାହା ଆଣିକି ଦେଲା ପିନ୍ଧିଲି।”- ସୂତାଶାଢି ପିନ୍ଧିଥିବା ମହିଳା ଜଣଙ୍କ କହିଲେ । “କାଇଁ , ତୋ ଭାଇର କଅଣ ରୋଜଗାର ନାହିଁ ? ଛି , ଛି, ଭଉଣୀକୁ ଏମିତି ଶାଢୀ ସାବିତ୍ରୀ ଭାରରେ ଦିଅନ୍ତି ସବୁ?” – ପ୍ରଥମ ମହିଳା କହିଲେ । “ ନା , ଲୋ ମଣି, ମୋର ଭାଇ ନାହିଁଲୋ , ଭାଇ ଥିଲେ କଅଣ ଏମିତି ପିନ୍ଧି ଥାଆନ୍ତି ? ଏ ପୋଛାକନା ଶାଢୀ , ମୋ ଗେରସ୍ତ ଆଣିଛି ଲୋ । ଆଉ ଦେଖୁନୁ, ସେ ବାଡିପୋଡା, ମୋ ଡାଲା ରେ ଯାହା ଅଛି ସେ ଆଣିଛି ଦୁଇଟା କଦଳୀ, ଗୋଟାଏ ସେଉ, ଗୋଟିଏ ଲିଚୁ । ଏଇଆକୁ ଖାଇ ମୁଁ ଓପାସ କରିବି ? ଦକ୍ଷିଣାକୁ ଦଶଟଙ୍କା ଦେଇଛି। ଘଣ୍ଟାଟିଏ ଲାଇନ୍‌ରେ ରହି, ଆଗରେ ପହଞ୍ଚିଲି, ଆଉ ସେ ପୋଡାମୁହାଁ ପୁରୋହିତ କହିଲା , ଦଶଟଙ୍କାରେ , ସ୍ପେସାଲ୍ ପୁଜା ହେବନି। ତୁଳସୀ ପକେଇ ମୋତେ ଝୁଡି ଦେଇଦେଲା । ମରଣ ଖାଲି ହେଉନି ଏକା ମତେ ।” – ଚପଲ ପିନ୍ଧି ସେ ଦୁଇଜଣ ବାଡିପୋଡା ସତ୍ୟବାନ ବିଷୟରେ ଆଉ କେତେ କଥା ଗପି ଗପି ଦୂରକୁ ଚାଲିଯାଉଥିଲେ।

ଅବିନାଶ୍ ବାବୁ , ଭାବୁଥିଲେ ଦରିଦ୍ର “ବାଡିପୋଡା” ସ୍ୱାମୀଟିର ପ୍ରକୃତ ଭୁଲ୍ କ’ଣ ? ସ୍ତ୍ରୀ କୁ ଭଲ ପାଇ, ସାବିତ୍ରୀ ବ୍ରତ ପାଇଁ ଆୟୋଜନ କରିବା ? ନା, ସ୍ତ୍ରୀ କୁ , ତା’ ଭାଇର ଅନୁପସ୍ଥିତି ଅନୁଭବ ହେବାକୁ ନଦେବା ? ନା, ନିଜ ଆୟ ହିସାବରେ ବ୍ୟୟ କରିବା ? ନା, ଆଉକିଛି ? ନା , ଭୁଲ୍‌ ଏ ପ୍ରଥା ପାଳନରେ ବ୍ୟତିକ୍ରମର , ନା ଚିନ୍ତନର । ଅଜଗର ସର୍ପ, ଧିରେ ଧିରେ , ମାନବୀୟ ଦୈବତ୍ୱ କୁ ଗିଳୁଥିଲା । ମୁଁହ ବୁଲାଇ , ପକେଟ୍‌ରୁ , ପକେଟ୍ ଶ୍ରୀମଦ୍ ଭଗବଦ୍ ଗୀତା କାଢି ଓଲଟାଇଲେ, ପୃଷ୍ଠାଟିରେ ଲେଖା ଥିଲା, “ପତ୍ର, ପୁଷ୍ପ, ଫଳଂ ତୋୟଂ —”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top