ଅଣୁଗଳ୍ପ

ବନ୍ଧୁତ୍ୱ

Pradipta Sundar Moharana's odia short story Bandhutwa

ଆମ ସମ୍ପର୍କର ନିବିଡତାକୁ ଆଖିରେ ରଖି , ମୁଁ ମୁଖ୍ୟ ଖାତାଟିରେ ଲେଖା ସରିବାପରେ ତାକୁ ବେଞ୍ଚ୍ ତଳେ ଖସେଇ ତା’ ଆଡକୁ ଦେଇଦେଲି । ସେ ଖୁସିରେ ଉତ୍ତର ଲେଖିଲା, ଆଉ ଲେଖିଚାଲିଲା ।

ବନ୍ଧୁତ୍ୱ

ବନ୍ଧୁତ୍ୱ ର ଏପରି ଏକ ରୂପ ମଧ୍ୟ ଥାଇପାରେ ,ଏହା ମୁଁ ପ୍ରଥମଥରପାଇଁ ଜାଣୁଥିଲି । ମନ ଭିତରେ ଗୋଟିଏ ପ୍ରକାରର କୋହ ଉଠୁଥିଲା । ଆଜି ମୋତେ, ମୋର ସାଙ୍ଗ ବିବେକ, ପୃଥିବୀର ସବୁଠାରୁ ବଡ ଅବିବେକୀ ମଣିଷ ଭଳି ଲାଗୁଥିଲା । ଆଜି ଆଇ.ଏ.ଅସ୍. ମେନ୍ ପରୀକ୍ଷା ଥିଲା । ବିବେକ ଠିକ୍ ମୋ ପଛରେ ବସିଥିଲା ।

ବିବେକ ଆଉ ମୋର ବିଗତ ପାଞ୍ଚ ବର୍ଷର ସମ୍ପର୍କ । ଆମ ଦୁଇଜଣଙ୍କ ନାମ ମଧ୍ୟ ସମାନ “ବିବେକ ପଟ୍ଟନାୟକ” – ପ୍ରଥମେ ମହାବିଦ୍ୟାଳୟ ରେ ତିନି ବର୍ଷ, ଆଉ ତା ପରେ ଆଇ.ଏ.ଅସ୍. ଏକାଡେମୀ ରେ ପରୀକ୍ଷା ପାଇଁ ଦୁଇ ବର୍ଷ ର ପ୍ରସ୍ତୁତି – ମୁଁ ବିବେକକୁ , ଆଉ ବିବେକ ମତେ ଭଲଭାବେ ବୁଝୁଥିବା ପରି ମତେ ଲାଗୁଥିଲା । ସମସ୍ତେ କୁହନ୍ତି ଆମେ ଦୁଇଜଣ କୁଆଡେ ଦୁଇ ଭାଇ ପରି ଦିଶୁ । ଆମ ଦୁଇଜଣଙ୍କ ଆଖିରେ ଅନେକ ସ୍ୱପ୍ନ । ଦୁଇଜଣ ଏକା ସାଙ୍ଗରେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବୁ । ଆଉ ପରେ ଗୋଟିଏ ଜାଗାରେ ଚାକିରୀ କରି, ଦେଶ ସଜାଡ଼ିବୁ , ଏପରି ଅନେକ କିଛି

ନାମ ଯେହେତୁ ସମାନ, ତେଣୁ ବିବେକର ବସିବା ସ୍ଥାନ ଠିକ୍ ମୋ ପଛରେ ଥିଲା । ଲୋକ ପ୍ରଶାସନ ବିଷୟର ପ୍ରଶ୍ନ ଗୁଡିକ ଟିକେ କଷ୍ଟ ଥିଲା । ଯେହେତୁ, ଆମେ ଦୁଇଜଣ ଛାତ୍ରାବାସରେ ଗୋଟିଏ କକ୍ଷରେ ରହୁ, ତେଣୁକରି, ମୁଁ ବିବେକର ପ୍ରସ୍ତୁତି ବିଷୟରେ ଭଲ ଭାବେ ଜାଣେ । ମୁଁ ଜାଣିଥିଲି କି ବିବେକକୁ ପ୍ରଶ୍ନଗୁଡିକର ଉତ୍ତର ନିହାତି ଭାବେ ଆସୁ ନଥିବ, କାହିଁକି ନା, ତା’ର ସେଇ ବିଷୟଟି ସେତେ ଭଲ ହେଉନଥିଲା । ପରୀକ୍ଷା ମଝିରେ ମୋ କାନ୍ଧକୁ କିଏ ଜଣେ ପଛରୁ ହାଲୁକା ଭାବରେ ଛୁଇଁଲା । ମୁଁ ପଛକୁ ବୁଲି ଦେଖେ ତ ବିବେକ ଧୀର ସ୍ୱର ରେ କହୁଛି, “ସାଙ୍ଗ ! ତୋ ପରୀକ୍ଷା ଖାତାଟା ଟିକେ ଦେ, ନହେଲେ ଏଥର ପରୀକ୍ଷା ପାସ୍ କରିପାରିବିନି !”

ବିବେକର ସେହି କରୁଣ ଚାହାଣୀ ଦେଖି , ସେତେବେଳେ ମୋ ଆଖିରେ ଭାସି ଉଠିଲା , ବନ୍ଧୁତାର ଦ୍ୱାହିରେ, ଆମେ ପରସ୍ପରକୁ ଦେଇଥିବା ଅଗଣିତ ପ୍ରତିଶୃତି । ଆମ ସମ୍ପର୍କର ନିବିଡତାକୁ ଆଖିରେ ରଖି , ମୁଁ ମୁଖ୍ୟ ଖାତାଟିରେ ଲେଖା ସରିବାପରେ ତାକୁ ବେଞ୍ଚ୍ ତଳେ ଖସେଇ ତା’ ଆଡକୁ ଦେଇଦେଲି । ସେ ଖୁସିରେ ଉତ୍ତର ଲେଖିଲା, ଆଉ ଲେଖିଚାଲିଲା । ଏପଟେ ପରୀକ୍ଷା ସାରିବା ପାଇଁ ଆଉ ପାଞ୍ଚ ମିନିଟ୍ । ଖାତା ବାନ୍ଧିବାର ସତର୍କ ଘଣ୍ଟି ବାଜିଉଠିଲା – କିନ୍ତୁ ଇଏ କଣ ? ବିବେକ ମୋର ଖାତା ମତେ ଫେରାଉ ନ ଥାଏ । ଦୁଇ ତିନି ଥର ମାଗିଲି, କିନ୍ତୁ ବିବେକ, ମୋ ଡାକ ଶୁଣି ମଧ୍ୟ, ନିଜ ମୁଣ୍ଡ ଟିକିଏ ବି ଉପରକୁ ଉଠାଉ ନ ଥିଲା । ବୋଧହୁଏ ତା ଲେଖା ସରିନଥିବ, ଏହା ଭାବି ଆଉ ଟିକେ ଅପେକ୍ଷା କଲି । ସମୟ ସରିବାର ଶେଷ ଘଣ୍ଟା ବାଜି ଉଠିଲା , କିନ୍ତୁ ମୋ ଖାତା ମୋ ପାଖେ ନ ଥିଲା । ବ୍ୟସ୍ତତା ଓ ବନ୍ଧୁକୁ ସହନ କରିବାର ଧୈର୍ଯ୍ୟ , ଏ ଦୁଇଟିର ଏକ ମହାସମର ମୋ ହୃଦୟ ମଧ୍ୟରେ ଚାଲିଥାଏ । ବିବେକ ମୋ ଖାତାଟିକୁ ହାତରେ ଧରିଲା , କିନ୍ତୁ, ଏ କଅଣ? ମୁଁ ଆଶ୍ୱସ୍ତ ହେବା ପୂର୍ବରୁ , ମତେ ଫେରେଇବା ବଦଳରେ ଟୁକୁଡ଼ା ଟୁକୁଡ଼ା କରି ଚିରି ମୋ ବେଞ୍ଚ୍ ପାଖରେ ପକେଇଦେଲା, ଆଉ ଏକାମୁହାଁ ହୋଇ , ଥରେ ବି ପଛକୁ ନଦେଖି ପରୀକ୍ଷା ଗୃହ ଛାଡି ପଳେଇଲା ।

ଫେଲ୍ ହୋଇଯିବାର ଭୟ, ପରୀକ୍ଷାରେ ମାଲ୍‌ପ୍ରାକ୍ଟିସ୍ ପାଇଁ ଧରା ହେବାର ଭୟ, ଆଉ ଏ ବର୍ଷ ଆଇ.ଏ.ଅସ୍. ନ ହୋଇ ପାରିଲେ, ମୀନାର ବାହାଘର ଆଉ କାହା ସହିତ କରାଯିବାର ଭୟ – ଏଭଳି ଅନେକ ଭୟ ଓ ଅସୁରକ୍ଷା ଭାବ ନିଶ୍ଚିତରୁପେ ପ୍ରଥମେ ତାହାର ବନ୍ଧୁତ୍ୱ ଓ ପରେ ତାହାର ବିବେକ ଉପରେ ଏକ ବିଷର ପରଳ ପରି ଚଢ଼ିଯାଇଥିଲା । ମୁଁ ଅବାକ୍ ହୋଇ ବୁଝିବାକୁ ଚେଷ୍ଟା କରୁଥିଲି କି ଏସବୁ କଅଣ ହୋଇଗଲା । ପରେ ନୀରିକ୍ଷକ ଆସି ଖାତା ପାଇଁ ତଲବ୍ କଲେ ଓ ଆନୁଷ୍ଠାନିକ ଶୃଙ୍ଖଳା ଭଙ୍ଗ କରିଥିବାରୁ, ମୋତେ କୈଫିୟତ୍ ଦେବାକୁ ପଡିବ ବୋଲି କହି , ବାହାରେ ଅପେକ୍ଷା କରିବାକୁ କହିଲେ । ମୁଁ ଅବାକ୍, ହୋଇ ବିବେକର ଯିବା ରାସ୍ତାକୁ ଚାହିଁ ବସିଥାଏ ।

“ଉତ୍ତର ଭଲ ହୋଇ ନଥିବାରୁ ଚିରିଦେଇଛି” – ପ୍ରକୃତିସ୍ଥ ହେବାପରେ ମିଛଟିଏ କହିଲି । ମନେ ମନେ ଭାବୁଥିଲି , କାହିଁକି ବିବେକ ବିରୁଦ୍ଧରେ ମୋ ଜିଭ ଲେଉଟୁନାହିଁ ।

ସନ୍ଧ୍ୟା ଗଡି ରାତି ହୋଇଯାଇଥିଲା । ସେଦିନ ହଷ୍ଟେଲ୍‌ରୁମ୍ କୁ ଫେରିବା ପରେ , ବିବେକକୁ ଆଉ ରୁମ୍‌ରେ ପାଇଲିନାହିଁ । ପାଖ ରୁମ୍‌ର ପ୍ରଶାନ୍ତ କହିଲା , ବିବେକ ତା’ ଜିନିଷପତ୍ର ଧରି ହଠାତ୍ ରୁମ୍ ଛାଡି ବାହାରି ଯାଇଛି । ବିବେକ , ଜିନିଷ ସାଉଁଟି , ରୁମ୍ ଛାଡି ବାହାରିଯାଇଥିଲା ସତ । କିନ୍ତୁ ଛାଡିଯାଇଥିଲା ମୋ ମନରେ ଅନେକ ପ୍ରଶ୍ନ – କି ଭୁଲ୍ କରିଥିଲି ବନ୍ଧୁତା ରେ ମୁଁ ? ସତରେ କଅଣ ଆଇ ପି ଏସ୍ ଶ୍ରୀ ଛୋଟରାୟଙ୍କ ପୁତ୍ର ବିବେକ ଛୋଟରାୟ , ମୋତେ, ଅର୍ଥାତ ବିବେକ ମାଝିକୁ ନିଜ ଭାଇ ପରି , ବନ୍ଧୁ ପରି କେବେ ଦେଖିଥିଲା ? ନା, ଏସବୁ ଥିଲା , ଛଳନା , ମିଥ୍ୟାବାଦିତା ??

ଏହା ମଧ୍ୟରେ ୪ ମାସ ବିତି ଗଲାଣି , ମୁଁ ବିବେକକୁ ଖୋଜି ପାଇନାହିଁ, ଆଉ ବିବେକ ମୋତେ ଖୋଜିବାକୁ ଚାହିଁନାହିଁ । ଗତ କାଲିଠାରୁ ହଷ୍ଟେଲ୍ ପିଲାଙ୍କ ଆଖିରେ ନିଦ ନାହିଁ – ଆଜି ଯେ ଆଇ.ଏ.ଅସ୍. ମେନ୍‌ର ପରୀକ୍ଷାଫଳ ବାହାରିଛି । ମୋ ପାଇଁ କିନ୍ତୁ ପ୍ରସ୍ତୁତିର ତାହା ଏକ ସାଧାରଣ ଦିନ । ପ୍ରଶାନ୍ତ ରୁମ୍ ଭିତରକୁ ପଶି ଆସି କହିଲା , “କିରେ ତୋ’ର ହେଇନି କିରେ, ଚୁପ୍ କିନା ବସିଛୁ ?” – ମୁଁ ଚୁପ୍ ଥିଲି । ମୋ ସହିତ ଘଟିଥିବା , ସେଦିନର ଅଘଟଣ ବିଷୟରେ ମୁଁ କାହାକୁ ବି କହିନି। ପ୍ରଶାନ୍ତ କହିଲା , “ ସେମ୍ ପିଞ୍ଚ୍ ! ମୋ’ର ବି ହେଇନି ସାଙ୍ଗ । ହଉ ଛାଡ୍, ଆଉଥରେ ଚେଷ୍ଟା କରିବା” – ରୁମ୍‌ରୁ ବାହାରି ଯାଉ ଯାଉ କହିଲା , “ଆରେ, ବିବେକ୍ ସାଙ୍ଗରେ ଦେଖାହେଇଥିଲା ସକାଳେ , ତା’ର ବି କ୍ଲିୟର୍ ହେଇନି । କହୁଥିଲା , ପବ୍ଲିକ୍ ଆଡ୍ମିନିଷ୍ଟ୍ରେସନ୍ ( ଲୋକ ପ୍ରଶାସନ ) କୁଆଡେ ବହୁତ୍ ବଢିଆ କରିଥିଲା। ଓଡିଆ କ୍ଲିୟର୍ କରିପାରିଲାନି ବୋଧେ । ସେଥିପାଇଁ ସିଲେକ୍ସନ୍ ଲିଷ୍ଟ୍‌ରେ ତା ନାଁ ବାହାରିନି । ଡାହୁକ ଟା , ତା ପବ୍ଲିକ୍ ଆଡ୍ମିନିଷ୍ଟ୍ରେସନ୍ ଜ୍ଞାନ ବିଷୟରେ ଯେମିତି କେହି ଜାଣନ୍ତିନି ଆଉ ।“ – କହି ପ୍ରଶାନ୍ତ ବାହାରିଗଲା

ମୋ ବାପା ପିଲା ବେଳେ ମୋତେ କହିଥିଲେ , “ଆଶାକରିବା ପୂର୍ବରୁ ଯୋଗ୍ୟ ହେବା ଆବଶ୍ୟକ – ବାକିସବୁ ବେକାର୍ କଥା ”। ବାପା ଠିକ୍ କହୁଥିଲେ । ମୋତେ ଆହୁରି ଯୋଗ୍ୟ ହେବା ବାକିଥିଲା । ଲୋକ ପ୍ରଶାସନିକ ଅଧିକାରୀ ହେବା ପୂର୍ବରୁ , ଲୋକ ଚିହ୍ନିବାର କଳା ଶିଖିବାର ଥିଲା ।

ଲୋକପ୍ରିୟ ଲେଖା

To Top