ଅଣୁଗଳ୍ପ

ବୀରାପ୍ପାନ୍‌ର ନିଶ

Hemanta Kumar Rout's odia short story Beeraappanra Nisha

ମୁଁ ସିନା ହାତୀଙ୍କୁ ଶେଷ କରିଛି, ହେଲେ ଅନ୍ୟ ପଶୁପକ୍ଷୀମାନେ ଏଠାରୁ ଶେଷ ହେଲେ କିପରି ? ସେମାନେ ସମସ୍ତେ ନିଶ ନ ଥିବା ବୀରାପ୍ପାନ୍

ବୀରାପ୍ପାନ୍‌ର ନିଶ

ହଠାତ୍ ଦାକ୍ଷିଣାତ୍ୟ ଜଙ୍ଗଲ ଭିତରେ ବାଲ୍ମୀକିଙ୍କ ସହ ବୀରାପ୍ପାନ୍‌ର ସାକ୍ଷାତ୍ ହୁଏ । କବିମାନଙ୍କ ପ୍ରତି ତା’ର ଖୁବ୍ ଦୁର୍ବଳତା । ଚିତ୍ର ତାରକା ରାଜକୁମାରଙ୍କୁ ଅପହରଣ ସମୟରେ ଜଣେ କବିଙ୍କର ଷ୍ଟାଚ୍ୟୁ ପ୍ରତିଷ୍ଠା ପାଇଁ ତତ୍କାଳୀନ ସରକାରଙ୍କ ପାଖରେ ଦାବି ବି କରିଥିଲା ସେ । ମହାକବିଙ୍କୁ ପ୍ରଣାମାନ୍ତେ ସେ କହିଲା, “ଆପଣ ଦିନେ ଜଙ୍ଗଲରେ ରହି ମଣିଷ ମାରୁଥିଲେ । ମୁଁ ବି ମଣିଷ ମାରିଛି । ସମୟ କ୍ରମେ ଆପଣଙ୍କର ପରିବର୍ତ୍ତନ ହେଲା । ମୋର ପରିବର୍ତ୍ତନ ହେଲା ନାହିଁ ।” ମହାକବି କହିଲେ, “ତାହା ହିଁ ମହାକାଳ ଇଚ୍ଛା ।”

ବୀରାପ୍ପାନ କହିଲା, “ଆପଣ କାଳଜୟୀ ମହାକାବ୍ୟ ଲେଖି ଆଲୋଚିତ । ମୋ ନୃଶଂସତା କଥା ବି ଚର୍ଚ୍ଚିତ । ମୁଁ ଚନ୍ଦନଗଛ କାଟିଛି, ଶହ ଶହ ବିଶାଳ ହାତୀଙ୍କୁ ହାଣିଛି ହାତୀଦାନ୍ତ ପାଇଁ । ରକ୍ତରେ ଧୋଇ ଦେଇଛି ଅରଣ୍ୟ । ହେଲେ, ମୋର ସାମାନ୍ୟ ଅନୁତାପ ନାହିଁ । ଗୋଟିଏ ବଗର ମୃତ୍ୟୁରେ ଆପଣଙ୍କ ହୃଦୟ ବିଗଳିତ । ଆର୍ଦ୍ର ହେଲା ନୟନ । ପୃଥିବୀର ପ୍ରଥମ କବିତା ଶବ୍ଦ ସବୁ ଝରିପଡ଼ିଲା । ମୋ ପରି ମଣିଷଗୁଡ଼ାକ କେତେ ନିର୍ମମ ପ୍ରାଣୀଙ୍କ ପ୍ରତି । ଆଜିର ମଣିଷ ଆପଣଙ୍କ ଦାଢ଼ିକୁ ଅନୁକରଣ କଲେ ନାହିଁ, ବୀରାପ୍ପାନ୍‌ର ନିଶ ହିଁ ଅମୂଲ୍ୟ ସମ୍ପଦ । ତଥାପି ମୁଁ ଅପରାଧୀ ।”

ବୀଲ୍ମୀକି କହିଲେ, “ସମୟ ଅଛି, ତମେ ପରିବର୍ତ୍ତନ ହୋଇ ଲୋକାଳୟକୁ ଫେରିଆସ ।”

ବୀରାପ୍ପାନ୍ କହିଲା, “ଲୋକାଳୟକୁ ଫେରିବାର ନୈତିକ ସାହସ ମୋର ନାହିଁ । ଆପଣ ଏଇ କଥା ଅନୁଭବ କରନ୍ତୁ । ମୁଁ ସିନା ହାତୀଙ୍କୁ ଶେଷ କରିଛି, ହେଲେ ଅନ୍ୟ ପଶୁପକ୍ଷୀମାନେ ଏଠାରୁ ଶେଷ ହେଲେ କିପରି ? ସେମାନେ ସମସ୍ତେ ନିଶ ନ ଥିବା ବୀରାପ୍ପାନ୍ । ବେଶ ବଦଳେଇଛନ୍ତି । ବଗର ମୃତ୍ୟୁରେ ଆପଣ ଲେଖିଲେ ପୃଥିବୀର ପ୍ରଥମ କବିତା । ବୀରାପ୍ପାନ୍ ନିଶରେ ଏମାନେ ଦେଖିବେ ପଶୁପକ୍ଷୀ ଧ୍ୱଂସର ଶେଷ ମହାକାବ୍ୟ । ସେଥିପାଇଁ ତମ ଦାଢ଼ିଠାରୁ ମୋ ନିଶ ଅନୁକରଣୀୟ ।”

ଲୋକପ୍ରିୟ ଲେଖା

To Top