ଅଣୁଗଳ୍ପ

ଭୋଗ

Prasanta Kumar Behera's odia short story Bhoga

ମୁଁ ହଁ ବୋଲି ମୁଣ୍ତ ହଲାଇ ଗୋଟେ ମନଖୋଲା ହସ ହସିଦେଇ ବାଇକ୍‌ରେ ଶେଷ ଗିଅର୍ ଲଗେଇଦେଲି ।

ସେଦିନ ପାଖାପାଖି ଦିନ ୧୦ଟା ବେଳକୁ ପତ୍ନୀକୁ ସାଙ୍ଗରେ ଧରି ମା’ ଙ୍କ ମନ୍ଦିରରେ ପହଞ୍ଚିଗଲୁ । ବହୁ ଭକ୍ତଙ୍କ ସମାଗମରେ ମନ୍ଦିର ପ୍ରାଙ୍ଗଣଟା ପୁରା ପଡୁଥିଲା ଉଠୁଥିଲା । ଆମ ସ୍ୱାମୀ ସ୍ତ୍ରୀଙ୍କ ସାମ୍ନାରେ ସେତେବେଳେ ଦୁଇଟି ବିରାଟ ଚ୍ୟାଲେଞ୍ଜ୍‌ ଠିଆ ହୋଇଥିଲା – ପ୍ରଥମଟି ହେଲା ପ୍ରବଳ ଠେଲାପେଲା ଭିତରେ ପଶି ଭୋଗ କିଣିବା ଆଉ ଦ୍ୱିତୀୟଟି ହେଉଛି ଭକ୍ତମାନଙ୍କ ଗହଳିକୁ ଅତିକ୍ରମ କରି ମା’ଙ୍କୁ ଆଖିପୁରାଇ ଦର୍ଶନ କରିବା । ମୋ ପାଇଁ ଏଇ ଉଭୟ ଚ୍ୟାଲେଞ୍ଜ୍‌ କୌଣସି ଗୁରୁତ୍ୱ ରଖୁନଥିଲା ବେଳେ ପତ୍ନୀ ସଂଧ୍ୟା ପାଇଁ ଢେର୍ ଗୁରୁତ୍ୱ ରଖୁଥିଲା । ମୁଁ ନାସ୍ତିକ ନ ହେଲେ ମଧ୍ୟ ଏମିତି ଭୋଗ କରିବା ଓ ଦର୍ଶନ ନିହାତି ଆବଶ୍ୟକ ଏମିତିକା ଚିନ୍ତାଧାରାରେ ମୁଁ ଆଦୌ ବିଶ୍ୱାସ ରଖେନା ।

ତେବେ ଶେଷକୁ ସେଇ ଠେଲାପେଲା ଭିତରେ ପଶି ଭୋଗ କିଣିବାକୁ ଗଲି । କିଛି ସମୟ କସରତ୍ କରିବାପରେ ଭୋଗ ଦୋକାନର କ୍ୟାସ୍‌ କାଉଣ୍ଟର ସାମ୍ନାରେ ପହଞ୍ଚିଗଲି । ପୂର୍ବରୁ ୧୦୦ ଟଙ୍କିଆ ନୋଟ୍ ହାତରେ ଧରିଥାଏ ସେଇ ଭୋଗ କିଣିବା ଉଦ୍ଦେଶ୍ୟରେ । ନୋଟ୍ ଖଣ୍ତିକ କୌଣସି ପ୍ରକାରେ ସେ କ୍ୟାସ କାଉଣ୍ଟର୍‌ରେ ବସିଥିବା ଲୋକ ହାତକୁ ଦେଇ କହିଲି ୧୦୦ ଟଙ୍କାର ଭୋଗ ଦିଅନ୍ତୁ । ଭିତରେ ଦୁଇ ଜଣ ଲୋକ ଭୋଗକୁ ମୂଲ୍ୟ ମୁତାବକ ବିଭିନ୍ନ ସାଇଜ୍‌ର ପାଚିଆରେ ପୁରାଇ ସେଇ କ୍ୟାସ କାଉଣ୍ଟର୍‌ରେ ବସିଥିବା ଲୋକକୁ ଦେଉଥିଲେ ଆଉ ସେ ଲୋକ ଫାଇନାଲି ତାକୁ ଭକ୍ତମାନଙ୍କୁ ଦେଉଥିଲା ।

କାଉଣ୍ଟର୍‌ରେ ବସିଥିବା ଲୋକ ଗୋଟେ ହାତରେ ଭୋଗ ପାଚିଆ ଧରି ଆର ହାତକୁ ମୋ ଆଡକୁ ବଢାଇ କହିଲା, ” ୧୦୦ ଟଙ୍କା ଦିଅନ୍ତୁ । ”

ମୁଁ ତା’ କଥାରେ ଖୁବ୍ ଅପ୍ରସ୍ତୁତ ହୋଇ କହିଲି, ” ଆପଣଙ୍କୁ ପରା ଟଙ୍କା ଦେଇ ସାରିଛି । ”

ସେ କିନ୍ତୁ କହିଲା, ” ନାଇଁ, ଆପଣ ଦେଇ ନାହାନ୍ତି । ”

ସେଠି ପ୍ରବଳ ଭିଡ଼ ଆଉ ଲୋକମାନେ ହାତରେ ଟଙ୍କା ଧରି ଭୋଗ ପାଇବାପାଇଁ ଖୁବ୍ ବ୍ୟାକୁଳ ହେଉଥାନ୍ତି । ଏମିତି ଲାଗୁଥିଲା ଭୋଗ ପୁଡିଆଟେ ହାତେଇ ନେଲେ ସତେ ଯେମିତି ଜୀବନଟା ସାର୍ଥକ ହେଇଯିବ ! କହିବା ବାହୁଲ୍ୟ ମୁଁ ବି ସେଠି ମୋ ସ୍ତ୍ରୀ ଜୀବନକୁ ସାର୍ଥକ କରିବାକୁ ଅଣ୍ଟାଭିଡି ଠିଆ ହୋଇଥିଲି ।

ତେବେ ସେ ପରିସ୍ଥିତିରେ ସେଠି ବେଶୀ ସମୟ ରହିବା ମଧ୍ୟ ମୋ ପକ୍ଷରେ ସମ୍ଭବ ନଥିଲା । ସେତେବେଳେ ମୋ ପାଖରେ ମାତ୍ର ତିନୋଟି ଅପ୍ସନ୍ ଥିଲା । ପ୍ରଥମଟି ହେଉଛି – ମୋ ବୃତ୍ତି ଅଧ୍ୟାପନା ହୋଇଥିଲେ ମଧ୍ୟ ଦେଖିବାକୁ ଗୁଣ୍ତାପରି ହୋଇଥିବାରୁ ତାକୁ ନାଲି ଆଖି ଦେଖାଇ ଜବରଦସ୍ତ ଭୋଗ ଆଣିବା । ( ଏ ଗୁଣ୍ତାପରି ଚେହେରା କଥା ଅଧିକାଂଶ ମୋ ସହ ମିଶୁଥିବା ଲୋକମାନେ କୁହନ୍ତି ) କିନ୍ତୁ ସେଥିରେ ଅସୁବିଧା ବି ଥିଲା । କଥାରେ ଅଛି ” ନିଜ ଅଞ୍ଚଳରେ ସମସ୍ତେ ସିଂହ” ପାଲଟିଥାନ୍ତି । ( ଅପ୍‌ନା ଗଲି ମେଁ କୁତା ଭି ଶେର୍ ହେ ! ) ସେ କ୍ୟାସ୍‌ କାଉଣ୍ଟ୍‌ର ଲୋକଟି ସେଇଠିକାର ସ୍ଥାୟୀ ବାସିନ୍ଦା ନେଶ୍ଚେ ହୋଇଥିବ । ତେଣୁ ଏଇ ପ୍ରଥମ ଅପ୍ସନ୍ ନେବା ଉଚିତ୍ ହେବନି ବୋଲି ମଣିଲି ।

ଦ୍ୱିତୀୟ ଅପ୍ସନ୍ ହେଲା ୧୦୦ ଟଙ୍କା ପଛେ ଗଲେ ଯାଉ, ତା’ ପାଖରୁ ରାଗରେ ଭୋଗ ନ ନେଇ ପଳେଇ ଆସି ସଂଧ୍ୟାକୁ କହିବି ଠାକୁରାଣୀଙ୍କୁ ମୁଣ୍ତିଆ ମାରି ଘରକୁ ପଳେଇଚାଲ୍ ।

ତୃତୀୟ ବାଟଟି ହେଲା, ତାକୁ ଚୁପ୍ ଚାପ୍ ପୁଣି ୧୦୦ ଟଙ୍କା ଦେଇ ଭୋଗକୁ ଧରି ଆସିବା । କିନ୍ତୁ ଏଥିରେ ଅସୁବିଧାଟି ହେଲା, ପୁଣି ସଙ୍ଗେ ସଙ୍ଗେ ୧୦୦ ଟଙ୍କା ପକେଟରୁ କାଢି ଦେବା ଅର୍ଥ ସେଠି ଠିଆ ହୋଇ ଆମ କଥାବାର୍ତ୍ତା ଶୁଣୁଥିବା ଭକ୍ତମାନଙ୍କ ସହିତ ସେଇ ଟଙ୍କା ରଖୁଥିବା ଲୋକଟି ଭାବିନେବେ ଏ ଲୋକ ପଇସା ନଦେଇ ମିଛରେ ଦେଇଛି ବୋଲି କହି ଭୋଗକୁ ହାତେଇବାକୁ ବସିଥିଲା । ତେଣୁ ଆଉଥରେ ୧୦୦ ଟଙ୍କା କାଢିଦେବା ବୁଦ୍ଧିମାନରେ କାମ ଆଦୌ ହେବନାହିଁ ବୋଲି ଧରିନେଲି ।

ତେବେ ଶେଷକୁ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ଦ୍ୱିତୀୟ ଅପ୍ସନ୍ ରେ ଅଳ୍ପ ମୋଡିଫିକେସନ୍ କରିନେଲି । ପୁଣି ସେଇ ଭିଡ ଭିତରେ ପକେଟରୁ ମନିପର୍ସ କାଢି ସେଥିରୁ ୧୦୦ ଟଙ୍କା ବାହାରକରି ସେଇ ଲୋକକୁ ବଢାଇଦେଇ ବୁଲି ପଡି ଭୋଗ ନଆଣି ଏକଲୟରେ ଚାଲିଲି ।

ସେ ଲୋକଟି ବଡ ପାଟି କରି କହିଲା, ” ଆଜ୍ଞା, ଭୋଗ ନିଅନ୍ତୁ । ”

ମୁଁ ବୁଲିପଡି ତା ପାଟିଠାରୁ ଅହୁରି ବଡ ପାଟିରେ କହିଲି, ” ଆପଣ ତାକୁ ମାଆଙ୍କ ପାଖରେ ଭୋଗକରି ନିଜ ଘରକୁ ନେଇଯିବେ । ”

ବାସ୍ ମୋର ଏତିକି କଥା ତା’ ଉପରେ କି ପ୍ରଭାବ ପକାଇଲା କେଜାଣି ? ମୁଁ କାଳେ ଭିଡ ଭିତରେ କେଉଁଠି ଅଦୃଶ୍ୟ ହୋଇଯିବି, ସେଇ ଭୟରେ ସେ ଗୋଟେ ହାତରେ ୧୦୦ ଟଙ୍କା ଓ ଅନ୍ୟ ହାତରେ ଭୋଗ ଧରି ସେଇ ଭିଡ ଭିତରକୁ ଲମ୍ଫ ପ୍ରଦାନ କରି ମୋ ପାଖରେ ପହଞ୍ଚି କହିଲା, ” ଜାଣିଗଲି , ଅପଣ ମିଛ କହି ନାହାନ୍ତି, ପୂର୍ବରୁ ଟଙ୍କା ଦେଇଥିଲେ, କିନ୍ତୁ ଏତେ ଭିଡ ଭିତରେ ମୁଁ ଭୁଲି ଯାଇଛି । ଆପଣ ଟଙ୍କା ଆଉ ଭୋଗ ନିଅନ୍ତୁ । ”

ସଂଧ୍ୟା ଏସବୁ କଥା ଟିକେ ଦୂରରୁ ଥାଇ ଦେଖୁଥିଲା । ଠାକୁରାଣୀଙ୍କ ପାଖରେ ପୂଜା କରିସାରି ଫେରିବା ବେଳେ ମୋତେ ପଚାରିଲା, ” ସେ ଲୋକଟା କ’ଣ ଏମିତି ଦୌଡ଼ି ଦୌଡ଼ି ଆସି ଭୋଗ ଦେଇଗଲା । ତାକୁ ସଂକ୍ଷେପରେ ସବୁକଥା କହିବା ପରେ ମୋତେ ପଚାରିଲା, ” ଆଚ୍ଛା, ସେ ଯଦି ୨୦୦ ଟଙ୍କା ତକ ନେଇ ଆଉ ଭୋଗ ଦେଇ ନଥାନ୍ତା ? ”

ମୁଁ ବିନଦାସ୍ ଢଙ୍ଗରେ ମଜା କରିବାକୁ ଯାଇ କହିଲି, ” ତାହେଲେ ସେ ୨୦୦ ଟଙ୍କା ନେଇ ସେ କୋଟିପତି ହୋଇଯାଇ ଥାନ୍ତା ! ତେବେ ସେ ଯଦି ଦୌଡ଼ି ଦୌଡ଼ି ଆସି ଭୋଗ ଦେଇ ନଥାନ୍ତା ତାହେଲେ ମୋ କଥା ଭାବିଭାବି ଜୀବନରେ ଗୋଟେ ବଡ ଭୁଲ୍ ହୋଇଗଲା ବୋଲି ଚିନ୍ତାକରି ତାକୁ ଅଧିକାଂଶ ରାତିରେ ନିଦ ହୋଇ ନଥାନ୍ତା !! ଆଉ ଶେଷକୁ ତା’ ବ୍ଲଡ୍ ପ୍ରେସର୍ ବାହାରି ପଡିଥାନ୍ତା ନିଶ୍ଚେ !!! ”

ସଂଧ୍ୟା ମୋ କଥାରେ ପୁରା ସିରିୟସ୍ ହୋଇ କହିଲା, ” ବ୍ଲଡ୍ ପ୍ରେସର୍ ତାହେଲେ ଏମିତି ହୁଏ ଲୋକଙ୍କୁ । ”

ମୁଁ ହଁ ବୋଲି ମୁଣ୍ତ ହଲାଇ ଗୋଟେ ମନଖୋଲା ହସ ହସିଦେଇ ବାଇକ୍‌ରେ ଶେଷ ଗିଅର୍ ଲଗେଇଦେଲି ।

ଲୋକପ୍ରିୟ ଲେଖା

To Top