ଅଣୁଗଳ୍ପ

ଭୂକମ୍ପ

Aravind Das's odia short story Bhukampa

ପରିବାରର ସମସ୍ତେ ଘର ଭିତରୁ ବାହାରିବା ଆଗରୁ ପୁଣିଥରେ ଜୋରରେ ଭୂମିକମ୍ପ ହେଲା ଏବଂ ଘରର ଅର୍ଦ୍ଧେକ ଭୂଷୁଡି ପଡିଲା ।

ଭୂକମ୍ପ

ପ୍ରଭାସ ବାବୁଙ୍କ ମନରେ ସବୁବେଳେ ଏକ ଅବଶୋଷ ଲାଗିରହୁଥିଲା । ପାରିବାରିବ ଅଶାନ୍ତି ଥିଲା ଏହାର ମୂଳ କାରଣ ।

ଦୁଇ ପୁଅଙ୍କ ଭିତରେ ସବୁବେଳେ ମନୋମାଳିନ୍ୟ ଚାଲିଥିଲା । ଦୁଇବୋହୁ ବି ଦୁହେଁ ଦୁହିଁଙ୍କ ସହ ଝଗଡା କରୁଥିଲେ । ଦୁଇପୁଅ ଚାହୁଁଥିଲେ ଏ ଘରଟାକୁ ପ୍ରଭାସ ବାବୁ ଦୁଇଜଣଙ୍କ ଭିତରେ ଭାଗ ନକରି ଜଣଙ୍କ ନାଁରେ ୱିଲ୍ କରି ଦେବା ପାଇଁ ।

ବିରକ୍ତ ହୋଇ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ପ୍ରଭାସ ବାବୁ, ହେ ପ୍ରଭୁ, ବନ୍ୟା କିମ୍ବା ଭୂମିକମ୍ପରେ ଏ ଘରଟା ମାଟିରେ ମିଶିଗଲେ ସବୁ ଝଗଡାର ଅନ୍ତ ହୁଅନ୍ତା ।

ଦିନେ ହଠାତ ମୃଦୁ ଭୂକମ୍ପ ହେଲା । ପରିବାରର ସମସ୍ତେ ଘର ଭିତରୁ ବାହାରିବା ଆଗରୁ ପୁଣିଥରେ ଜୋରରେ ଭୂମିକମ୍ପ ହେଲା ଏବଂ ଘରର ଅର୍ଦ୍ଧେକ ଭୂଷୁଡି ପଡିଲା ।

ମଇଁଷି ଶିଙ୍ଗ ଫଟା ଓ ଯୁଝିଲା ବେଳକୁ ଗୋଟା ଭଳି, ସବୁବେଳେ ପରସ୍ପର ଭିତରେ ଝଗଡା କରୁଥିବା ଦୁଇପୁଅ ଓ ବୋହୁ ନିଜନିଜ ଭିତରେ ତିକ୍ତତା ଭୁଲିଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଜୀବନ ବଞ୍ଚାଇବାରେ ଲାଗିପଡ଼ିଲେ ।

ବଡପୁଅ ଆଗେ ସାନ ଭାଇର ପିଲାମାନଙ୍କୁ କାଖରେ ଧରି ବାହାରକୁ ନେଇଗଲା ବେଳେ, ସାନପୁଅ ବଡଭାଇର ପିଲାଙ୍କୁ କାନ୍ଧରେ ବସାଇ ଉଦ୍ଧାର କରୁଥିଲା । ଦୁଇବୋହୁ ଶାଶୁ, ଶ୍ୱଶୁରଙ୍କୁ ନିରାପଦରେ ବାହାରକୁ ନେଇଯାଇଥିଲେ ।

ଅଧାଭଙ୍ଗା ଘରଟା ଦେଖି ପ୍ରଭାସ ବାବୁଙ୍କ ସ୍ତ୍ରୀଙ୍କ କାନ୍ଦଣା ବନ୍ଦ ହେଉନଥାଏ । ଦୁଇ ପୁଅ ମାଙ୍କୁ ଧୈର୍ଯ୍ୟ ଦେଇ କହୁଥାନ୍ତି, “ତୁ ବ୍ୟସ୍ତ ହଅନା ବୋଉ, ଦୁଇ, ତିନି ମାସରେ ଆମେ ଦୁଇ ଭାଇ ମିଶି ଘରଟା ପୁଣି ନୂଆ କରି ଗଢିଦବୁ । ଭଗବାନଙ୍କ ଦୟାରୁ ଆମେ ସମସ୍ତେ ବଞ୍ଚିଯାଇଛେ ।”

ଅସ୍ଥାୟୀ ଘର ଭିତରେ ରନ୍ଧାବଢା କରୁକରୁ ଦୁଇବୋହୁ କହୁଥିଲେ, ଭଗବାନ ବଡ ନିଷ୍ଠୁର । ଭୂମିକମ୍ପରେ ଆମ ଘରଟା ଭାଙ୍ଗିଗଲା ।

ପଲିଥିନ୍ ଜରି ଟଣାଯାଇ ପୁଅମାନେ କରିଥିବା ଅସ୍ଥାୟୀ ଘରେ ବସି ପ୍ରଭାସ ବାବୁ ଭାବୁଥିଲେ, ଭୂମିକମ୍ପରେ ଘରଟା ସିନା ଭାଙ୍ଗିଗଲା, କିନ୍ତୁ ପରିବାରଟା ପୁଣି ଯୋଡି ହୋଇଗଲା । ମନେମନେ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲେ ପ୍ରଭାସ ବାବୁ ତାଙ୍କ ପ୍ରାର୍ଥନା ଶୁଣିଥିବାରୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top